ଏକ ବାଲ୍ୟଚେତନାର ସ୍ୱପ୍ନ (ଭାଗ୨)
ଏକ ବାଲ୍ୟଚେତନାର ସ୍ୱପ୍ନ (ଭାଗ୨)


ଡାକ୍ତରଖାନାରୁ ଫେରିବା ପରେ ଆଉ ସ୍କୁଲ ନଯାଇ ଘରେ ରହି ବାପାଙ୍କର ବୋଲହାକ କଲି । ବୋଉର ଜିଦ ପାଇଁ ଆଉ ପାଠପଢ଼ା ନୋହିଲା , ଅର୍ଥାତ ବହିବସ୍ତାନୀରେ ଡୋରି ବନ୍ଧାହେଲା । ମଝିରେ ମଝିରେ ମାଷ୍ଟ୍ରଙ୍କର ନାଲିଆଖି ମୋତେ ସ୍ୱପ୍ନରେ ଡରାଉଥାଏ । ନିଦରେ ଚମକିପଡିବାମାତ୍ରେ ବୋଉ ମୋତେ ତା କୋଳ ଭିତରକୁ ଭିଡ଼ିଧରେ । ନିଦ ସାମାନ୍ୟ ପତଳା ହୋଇଆସେ । ନିଜକୁ ବୋଉର କୋଳ ଭିତରେ ଆବିଷ୍କାର କରିସାରି ପୁଣି ନିଦରେ ଶୋଇପଡ଼େ । ବେଳେବେଳେ ସେ ତେଲିଆ ଲହକା ବେତଟା ଗୋଟିଏ ତାଳଗଛ ଗଣ୍ଡିର ଆକାର ସହିତ, ଯୋଡିଏ ରକ୍ତବର୍ଣ୍ଣ ଚକ୍ଷୁର ଅଧିକାରୀ ଏକ ପର୍ବତାକାର ବିକଟଦର୍ଶନ ଦୈତ୍ୟର ଦକ୍ଷିଣ ହସ୍ତରେ ବିରାଜମାନପୂର୍ବକ ଆକାଶରୁ ଭୂମି ପର୍ଯ୍ୟନ୍ତ ଓ ଭୂମିଠାରୁ ଆକାଶ ପର୍ଯ୍ୟନ୍ତ ଗତିଶୀଳ ଅବସ୍ଥାରେ ମୋ ଆଡକୁ ମାଡ଼ିଆସେ । ଏକ ଆର୍ତ୍ତନାଦର ଧ୍ଵନି ଉଚ୍ଚାରଣ ପୂର୍ବକ ମୁଁ ଶେଯ ଉପରେ ଉଠି ବସିପଡେ । ଶରୀରରେ ପ୍ରବଳ ଉତ୍ତାପ । ବୋଉ ମୋତେ ଆଉଁସି ଦେଉ ଦେଉ ବାପାଙ୍କୁ ପାଣି ପଟିର ବ୍ୟବସ୍ଥା କରିବାପାଇଁ କୁହେ । ଏଥିସହିତ ଭୟଜନିତ ପରିସ୍ରା ନିର୍ଗମନ ହେତୁ ଓଦା ହୋଇଯାଇଥିବା ପ୍ୟାଣ୍ଟ ବଦଳେଇ ଶେଯ ଉପରେ ଆଉ ଏକ ବେଡ଼ସିଟ ପକାଇ ବୋଉ ମୋ ଶୋଇବା ବ୍ୟବସ୍ଥା କରୁଥାଏ । ବାପା ହନୁମାନଙ୍କ ଦୋହା ପାଠ କରି ମୋ କପାଳରେ ପାଣି ପଟି ପକାନ୍ତି । ଟିକିଏ ଭଲ ଲାଗିଲେ ବୋଉକୁ ନିବିଡ ଭାବରେ କୁଣ୍ଢାଇ ଧରି ତା ଛାତି ଭିତରେ ମୁହଁଗୁଞ୍ଜି ଶୋଇବାକୁ ଚେଷ୍ଟାକରେ । ଗଭୀର ନିଶ୍ୱାସ ମାଧ୍ୟମରେ ବୋଉ ଦେହର ବାସ୍ନାକୁ ଯଥାସମ୍ଭବ ଟାଣିନେଇ ତାର ଆଘ୍ରାଣ ଜନିତ ସ୍ଵାଦ ଆସ୍ଵାଦନାପୂର୍ବକ ଏକ ଅଭୟାଶ୍ରିତପୂର୍ଣ୍ଣ ଆନନ୍ଦମୟ ଅନୁଭୂତି ଭିତରେ ପୁନର୍ବାର ଗଭୀର ନିଦରେ ଶୋଇପଡ଼େ ।**( ଜୀବନର ଏ ପରିଣତ ବୟସ ଉପରାନ୍ତେ ,କେବେ କେବେ ଅବାଞ୍ଛିତ ଧୋକ୍କା ଓ ବିଶ୍ୱାସଘାତକତା ପ୍ରାପ୍ତି ହେତୁ ଏଥିନିମନ୍ତେ ଡହଳ ବିକଳ ହେଉଥିବା ମୋର ମନଟି ବୋଉ ଦେହର ସେ ଅଭୟାଶ୍ରିତପୂର୍ଣ୍ଣ ବାସ୍ନାକୁ ଏବେ ମଧ୍ୟ ଝୁରିହୁଏ )** । . . . . .
ବସନ୍ତ ଶେଷର ଏକ ଅପରାହ୍ନ । ଦେହ ସୁସ୍ଥ ଥିବା କାରଣରୁ ଗାଁ ମୁଣ୍ଡ ଆମ୍ବତୋଟା ପର୍ଯନ୍ତ ଯାଇ ସେଠାରେ ଅଳ୍ପ ସମୟ ଖେଳି ବୁଲି ଘରକୁ ଫେରିବାର ଅନୁମତି ପ୍ରାପ୍ତ ହୋଇ ସେଠାରେ ପହଞ୍ଚିଲି ।ପୂର୍ବରୁ ସେଠାରେ ଉପସ୍ଥିତ ଥିବା ପାଣୁଆ ମୋତେ ଗୋଟିଏ ପାଚିଲା ବାଦୁଡ଼ି ଅଇଁଠାଖିଆ ଆମ୍ବ ଦେଇ ସ୍ୱାଗତ କଲା । କିଛି ସମୟପରେ ଅନ୍ୟମାନେ ପହଞ୍ଚିଗଲେ । ନିଜର ବଦମାସୀ ସକାଶେ ଦଳରୁ ତଡ଼ା ଖାଇ କିଛିଦିନ ବାହାରେ ଏକୁଟିଆ ବୁଲି ସାରିବାପରେ ପୁନର୍ବାର ଦଳରେ ମିଶିବା ପାଇଁ ପ୍ରତୀକ୍ଷାରତ ଥିବା ତରୁଣ ମାଙ୍କଡକୁ ଦଳପତି ଚାହିଁଲା ଭଳି ଅଶୋକ ( ମାଗୁର ) ମୋତେ ଚାହିଁଲା । ମୁଁ ସାମାନ୍ୟ ଥତମତ ହୋଇ ତା ପାଖକୁ ଗଲି ।"ଏମିତି କାଇଁ ଚାହିଁଛୁ ?" ମାଗୁର ମୋ ପ୍ରଶ୍ନର କିଛି ଉତ୍ତର ନଦେଇ ହସିଲା । 'ତୁ କେବେ ଫିଷ୍ଟ କରିଛୁ '? ତାର ଏ ପ୍ରଶ୍ନରେ ମୋ ଦେହ ରୋମାଞ୍ଚିତ ହୋଇ ଉଠିଲା । ମୁଁ ମୁଣ୍ଡ ହଲାଇ ନାହିଁ କଲି । ସେକାଳରେ ଫିଷ୍ଟ କରିବାଟା କେବଳ ବୟସ୍କ ଓ ସାମାଜିକ ସ୍ୱଚ୍ଛଳ ବ୍ୟକ୍ତିମାନଙ୍କ ମଧ୍ୟରେ ସୀମାବଦ୍ଧ ଥାଇ ଏକ ସମ୍ଭ୍ରାନ୍ତ ଚଳଣୀର ପ୍ରତୀକ ଭାବରେ ଗଣା ହେଉଥିଲା ।' ଫିଷ୍ଟ ରୋଷେଇ କେବେ ଖାଇଛୁ ?'ପ୍ରଶ୍ନ ପଚାରିଲାବେଳେ ମାଗୁରର ଆଖିରେ ଚମକ୍ ପରିଲକ୍ଷିତ ହେଉଥିଲା । ମୁଁ ମୁଣ୍ଡ ହଲାଇ ହଁ କଲି ।'ତୁ ନଖାଇ ମିଛ କହୁଛୁ ''। ମାଗୁର ଅବିଶ୍ଵାସଭରା ସ୍ଵରରେ କହିଲା । ' ନାଁ ନାଁ , ମୁଁ ମିଛ କହୁନି ,' ମୁଁ ପ୍ରତିବାଦ କଲି , ବାପା ଥରୁଟେ ଫିଷ୍ଟ ରୋଷେଇ ଘରକୁ ଆଣିଥିଲେ । ଅଧରାତିରେ ବୋଉ ମୋତେ ଶେଯରୁ ଉଠାଇ ଖୁଆଇ ଦେଇଥିଲା ।' ଆରେ ବୋକା , ସେମିତି ଫିଷ୍ଟରେ କଣ ମଜା ଅଛି ?' ମାଗୁର ପ୍ରଶ୍ନ ପଚାରିସାରି ଅତ୍ୟନ୍ତ କରୁଣାପୂର୍ଣ୍ଣ ଦୃଷ୍ଟିରେ ମୋତେ ଚାହିଁଲା । ମୁଁ ଯେ ଫିଷ୍ଟ ରୋଷେଇର ମଜା ନନେଇପାରି ଦୁନିଆର ଗୋଟିଏ ଶ୍ରେଷ୍ଠ ହତଦ୍ଭାଗା ଗୋଷ୍ଠିରେ ସାମିଲ ହୋଇଯାଇଛି ,ତା ଦୃଷ୍ଟିରେ ଏଇଭଳି ଭାବ ପରିଷ୍ଫୁଟ ହେଉଥିଲା ।' ଆମେ ସମସ୍ତେ ଫିଷ୍ଟ କରିବୁ ; ଭାତ, କଉମାଛ ବେସର । ତୁ ରହିବୁ ?'ମାଗୁରର ଏ ପ୍ରସ୍ତାବରେ ହଁ ନକରିବାର ପ୍ରଶ୍ନ ଉଠୁନଥିଲା । ମୁଁ କହିଲି , 'ହଉ , ମୁଁ ରହିବି ଯେ ,କିନ୍ତୁ ବୋଉକୁ ଟିକିଏ ପଚାରିଦିଏଁ 'I'ଧେତ୍, ତୁ ପୁରା ମାଇଚିଆଟା ;ଆମେ କଣ ସବୁକାମ ବୋଉକୁ ପଚାରି କରୁଛୁ ? ଅଜୁ,ପାଣୁଆକୁ ପଚାରୁନୁ 'I ମାଗୁର କହିସାରି ସେ ଦୁଇଜଣଙ୍କୁ ଚାହିଁଲା । ତତ୍କ୍ଷଣାତ୍ ଅଜୁ ମୋ ପାଖକୁ ଲାଗିଆସି କହିଲା , 'ଏଥିପାଇଁ ହିମ୍ମତ ଦରକାର, ବୁଝିଲୁ '?ପାଣୁଆ ମୋ କାନ୍ଧରେ ହାତ ରଖି ଅଜୁ କଥାକୁ ସମର୍ଥନ କଲା, 'ସେ ହିମ୍ମତଟା ସମସ୍ତଙ୍କଠି ନଥାଏ । ତୋ ଭିତରେ ଅଛି କି ନାହିଁ , ଆମର ସନ୍ଦେହ ଅଛି 'l' ନାଁ ନାଁ , ମୋର ବହୁତ ହିମ୍ମତ ଅଛି ।ମୁଁ ବି ଫିଷ୍ଟରେ ରହିବି '। ମୁଁ ଦୃଢଦ୍ଭାବରେ ଜବାବ ଦେଲି । ଆସନ୍ତା ଶନିବାର ଦ୍ଵିପହରେ ରୋଷେଇ ଆରମ୍ଭ ହେବ ବୋଲି କଥା ଛିଡିଲା । ଚାନ୍ଦା କଥା କାଲି ଧାର୍ଯ୍ୟ ହେବ । ସମସ୍ତେ ଘରକୁ ଫେରିଲୁ । ଘରେ ପହଞ୍ଚି ସିଧା ବୋଉ ପାଖକୁ ଚାଲିଲି । ବୋଉ ଶିଳରେ ବିରି ବାଟୁଥିଲା । ବୋଧହୁଏ ପିଠା ହବ କି କଣ : ଖୁସିରେ ବୋଉର ପଛପଟୁ କାନ୍ଧରେ ଲାଉ ହୋଇଯାଇ ନିୟମିତ ତାଳରେ ଝୁଲୁଥିବା ବୋଉର ଶରୀର ସାଙ୍ଗରେ ଝୁଲିବାକୁ ଲାଗିଲି । ସେଇ ଅବସ୍ଥାରେ ପଚାରିଲି , 'ବୋଉ !ହିମ୍ମତ ଅର୍ଥ କଣ ?' " ସାମର୍ଥ୍ୟପୂର୍ଣ୍ଣ ସାହସ 'I ବୋଉ ଅଳ୍ପ ହସି ଉତ୍ତର ଦେଲା ।' ସାମର୍ଥ୍ୟ କଣ ?'ମୋର ଏ ଦ୍ୱିତୀୟ ପ୍ରଶ୍ନରେ ବୋଉ ବାଟିବା ବନ୍ଦ କରି ନିଜ ମୁଁହରୁ ଝାଳ ପୋଛିସାରି ମୋତେ ଟିକିଏ ଗେଲ କରିସାରି କହିଲା , 'ସାମର୍ଥ୍ୟ ଅର୍ଥ କାର୍ଯ୍ୟ କରିବାର ଶକ୍ତି । ଆଜି ମୋ ଧନ କାହିଁକି ଶବ୍ଦାର୍ଥ ପଚାରୁଛି ; କଣ ହେଇଛି କି '? 'ନାଇଁ କିଛି ନାଇଁ । ମୋତେ ଏବେ ହିମ୍ମତ ଦେଖାଇବାକୁ ପଡିବ, ତୁ ଟିିକିଏ ସାହାଯ୍ୟ କରିବୁ '? 'ହଁ ହଁ , ନିଶ୍ଚୟ କରିବି । ଏବେ ଅଗଣାକୁ ଚାଲେ ,ହଳଦି ଲଗେଇବୁ 'I ବୋଉ କହିସାରି ହଳଦି ଆଣିବାକୁ ଗଲା । ତାପରଦିନ ଚାନ୍ଦା ଏବଂ ସ୍ଥାନ ଧାର୍ଯ୍ୟ ହୋଇଗଲା । ଅଧାକିଲୋ ଉଷୁନା ଚାଉଳ ଓ କିଛି ଆଳୁ ପିଆଜ ମୋତେ ଦେବାକୁ ହେବ । ଅନ୍ୟାନ୍ୟ ସାମଗ୍ରୀ ସେମାନେ ଆୟୋଜନ କରିବେ ବୋଲି କଥା ହେଲା । ସ୍ଥାନ ଜାଗେଶ୍ଵରୀ ପୀଠ ପଛରେ ଥିବା ଚତରା ବରଗଛମୂଳ । ରୋଷେଇର ମୂଖ୍ୟ ସାମଗ୍ରୀ ଅର୍ଥାତ କଉମାଛର ଆୟୋଜନ ବିଷୟରେ ମୋତେ କିଛି ଜଣାନଥିଲା । ତେବେ ମାଗୁରର ନେତାପଣିଆ ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଡ କରିପାରିବାର ଦକ୍ଷତା ଉପରେ ଆମମାନଙ୍କର ପୂର୍ଣ୍ଣ ଭରସା ଥିଲା । ରାତିରେ ଖାଇସାରି ଶୋଇବାକୁ ଗଲି । ଆସନ୍ତାକାଲି ଶନିବାର । ସକାଳୁ ଉଠିଲେ ବହୁତ କାମ ଅଛି । ବୋଉର ଦୃଷ୍ଟି ଏଡାଇ ଚାଉଳ ଆଳୁ ଇତ୍ୟାଦି ନେବାକୁ ହେବ । ନିଦ ଲାଗି ଆସୁଥିଲା । ପ୍ରାୟତଃ ଶେଯକୁ ପ୍ରଥମେ ଗଲେ ବି ନିଦ ହୁଏନି । ବୋଉକୁ ଅପେକ୍ଷା ଥାଏ । ବୋଉ ନିଜେ ଅର୍ଦ୍ଦଶାୟୀତ ରହି ମୋତେ ଟିକିଏ କୋଳକୁ ନେଇ ଥାପୁଡେଇ ଦେଲେ ମୁଁ ଶୋଇ ପଡେ । ଆଜି କିନ୍ତୁ ଏହାର ବ୍ୟତିକ୍ରମ ହେବାକୁ ଯାଉଥିଲା । ବୋଉର ବିନା ଉପସ୍ଥିତିରେ ନିଦ ଲାଗୁଥିଲା । ବୋଧହୁଏ ଆସନ୍ତାକାଲି ଫିଷ୍ଟରେ ମିଶିବାର ରୋମାଞ୍ଚକର ଅନୁଭୂତିପ୍ରାପ୍ତି ଜନିତ ଭବିଷ୍ୟ ସୁଖାବେଗର ସ୍ଵପ୍ନ ଦର୍ଶନ ପାଇଁ ଚିତ୍ତ ବ୍ୟାକୁଳ ଥିଲା । ସ୍ଵପ୍ନରେ ଦେଖୁଥିଲି ଚତରା ବରଗଛମୂଳରେ ରୋଷେଇ ଚାଲିଛି । ପୂର୍ବରୁ ଗୁପ୍ତରେ ସଂଗୃହିତ ( ଚୋରି ) ହୋଇ ଅଣାଯାଇଥିବା କାକୁଡି ଗୁଡିକର ଲୁଣ ସହିତ ଚର୍ବଣ ଓ ପାଖ ଆମ୍ବ ତୋଟାର ପ୍ରସିଦ୍ଧ ଗଛମାନଙ୍କରୁ କଞ୍ଚାସୁଆଦି ଆମ୍ବଗୁଡ଼ିକର ଅପହରଣ ଅନ୍ତେ ସେଗୁଡିକର ସଦୁପୋଯୋଗର ଦୃଶ୍ୟ, ମୋ ସ୍ଵପ୍ନରେ ରୁପାୟିତ ହେଉଥିଲା । ମୁଁ ଗୋଟିଏ ବରଚେର ଉପରେ ବସି ରହି କାକୁଡି ଖଣ୍ଡିଏ ଚୋବାଉଥିବା ଅବସ୍ଥାରେ ଚୁଲି ଉପରେ ବସିଥିବା ବେସରକୁ ଲୋଲୁପ ଆଖିରେ ଦେଖୁଥିଲି । ମାଗୁର ବସି ଚୁଲି ଜାଳୁଥିଲା ।ହଠାତ ଏକ ବଡ ମଇଁଷି ଆମ ଆଡକୁ ଝପଟି ଆସୁଥିବାର ଦେଖିଲି । ମଇଁଷିଟି କେହି କିଛି ବୁଝିବା ଆଗରୁ ମାଗୁରକୁ ଶିଙ୍ଗରେ ଉଠାଇ ଦୂରକୁ ଫିଙ୍ଗି ହେଲା । ମୁଁ ବିକଳରେ ଗଛ ଚଢିଯିବାକୁ ଚେଷ୍ଟା କଲି । କିନ୍ତୁ ହାୟ , ଗଛଚ଼ଢାରେ ପ୍ରବୀଣ ନ ଥିବାରୁ ବାରମ୍ଵାର ଅସଫଳ ହେଉଥିଲି ।ପାଣୁଆ ଓ ଅଜୁ ଗଛ ଉପରେ ନିରାପଦରେ ଥିଲେ । ମଇଁଷିଟି ମୋ ଠାରୁ ଅଳ୍ପ ଦୂରରେ ଲାଞ୍ଜ ଉପରକୁ ଟେକି ପଛ ଗୋଡରେ ମାଟି ଖୋଳୁଥିଲା । ମୁଣ୍ଡଟିକୁ ସାମାନ୍ୟ ବଙ୍କାଇ ରଖି ତାର ସୁଦୃଶ୍ୟମାନ ଶିଙ୍ଗ ଦୁଇଟିକୁ ମୋରି ଆଡକୁ ଦେଖାଇ ଗୋଟାଏ ଲମ୍ଫ ପ୍ରଦାନ ପାଇଁ ପ୍ରସ୍ତୁତିରେ ଥିଲା । ଗୋଟାଏ ବିକଟ ରଡି ଛାଡି ଶେଯରେ ଉଠି ବସିଲି । . . .
ଆଜି ଶନିବାର । ସକାଳୁ ଉଠି ଦାନ୍ତ ଘସି ସାରି ମୁଢି ଦି'ଟା ପାଟିରେ ପାଟିରେ ପକାଇଦେଇ ନିଜ ଯୋଜନାର ସଫଳ ରୁପାୟନ ନିମନ୍ତେ କାର୍ଯ୍ୟପ୍ରଣାଳୀ ଆରମ୍ଭ କରିଦେଲି । ବୋଉ ବାଡିପଟକୁ ଝାଡ଼ା ଯିବା ମାତ୍ରେ ତୁରନ୍ତ ଚାଉଳ ଓ ଆଳୁ ପିଆଜ ଗୋଟିଏ ଗାମୁଛାରେ ଗଣ୍ଠିଲି ବାନ୍ଧି ମାଗୁରକୁ ଦେଇ ଆସିଲି । କିଛି ସମୟପରେ ବାହାରୁ ଖଣ୍ଡିକାଶ ଶୁଭିଲା । ବୁଝିଲି , ମାଗୁର ଇଶାରାରେ ଡ଼ାକୁଛି । ମାଛ ଧରିବାଲାଗି ଯିବାକୁ ହେବ । ଗାଁ ଠାରୁ କିଛି ଦୂରରେ ଥିବା ଗୋଟିଏ ଛୋଟିଆ ଗଡ଼ିଆରେ କଉ , ରତା ଓ ମାଗୁର ଇତ୍ୟାଦି ମାଛ ପ୍ରଚୁର ମାତ୍ରାରେ ଅଛନ୍ତି ବୋଲି ପୂର୍ବରୁ ଖବର ମିଳିଥିଲା । ସମସ୍ତେ ବରଗଛ ପାଖରେ ଏକାଠି ହେଲୁ । ମାଗୁର ଓ ମୁଁ ଗଡ଼ିଆ ନିକଟକୁ ଚାଲିଲୁ । ଅନ୍ୟ ଦୁଇଜଣ ରୋଷେଇ ଆୟୋଜନ କରିବା ପାଇଁ ନିଯୁକ୍ତ ହେଲେ । ଆମେ ମାଛ ନେଇ ଆସିଲା ବେଳକୁ ଭାତ ହୋଇଯାଇଥିବା ଚାହି । ଗଡ଼ିଆ ନିକଟରେ ପହଞ୍ଚି ଚାରିଆଡେ ଆଖି ବୁଲାଇ ଆଣିଲୁ । ଆଖପାଖରେ କେହି ନାହାଁନ୍ତି । ଟିକିଏ ଦୂରରେ ଜଗା ଘୁଷୁରିଆ ଘୁଷୁରି ଚରାଉଛି । ତା ପାଇଁ ଆମର କୌଣସି ଭୟ ନଥିଲା । କାରଣ ଗାଁ ଲୋକମାନଙ୍କ ସାଙ୍ଗରେ ତାର କୌଣସି ସଂପର୍କ ନଥାଏ । ତେଣୁ ଆମର ଏ କାର୍ଯ୍ୟକଳାପର ବିବରଣୀ ଯେ କାହାରି ପାଖରେ ପହଞ୍ଚିପାରିବ ନାହିଁ , ଆମେ ଏ ବିଷୟରେ ନିଶ୍ଚିନ୍ତ ଥିଲୁ । ଗଡ଼ିଆଟିରେ ପାଣି କମ ପଙ୍କ ଅଧିକ ଥିଲା । ଅଳ୍ପ ପାଣିରେ ମାଛମାନେ ମୁଣ୍ଡ ଉଠାଇ ଭୁଟୁ ଭୁଟୁ କରୁଥିଲେ । ମାଗୁର ପଙ୍କ ଭିତରୁ ଦରାଣ୍ଡି ଦରାଣ୍ଡି ମାଛ ଧରିବାରେ ଓସ୍ତାଦ ଥିଲା । ତେଣୁ ସେ ପଙ୍କରେ ପଶି ମାଛ ଧରି ଉପରକୁ ଫିଙ୍ଗିବ ଓ ମୁଁ ସେସବୁ ସୁରକ୍ଷିତ ଭାବରେ ରଖିବି ବୋଲି କଥା ହେଲା । ମାଗୁର ଆସ୍ତେ ଆସ୍ତେ ପଙ୍କକୁ ପଶିଲା । ପଙ୍କ ଚିପି ଚିପି ଦୁଇଟା କଉ ଉପରକୁ ଫିଙ୍ଗିଲା । ଧିରେ ଧିରେ ଆଗକୁ ଯାଇ ମାଛ ଅଣ୍ଡାଳିବାରେ ଲାଗିଲା । ଏହା ମଧ୍ୟରେ ମାଛ ଧରିବା ନିଶାରେ କେତେବେଳେ ଗଡ଼ିଆ ମଝିକୁ ଚାଲି ଯାଇଛି, ନଜର ନାହିଁ ।ହଠାତ ଭୁସ୍ କରି ପଙ୍କରେ ଗଳିପଡ଼ିଲା । ଉଠିଆସିତାକୁ ଚେଷ୍ଟା କରି ବିଫଳ ହେବା ପରେ ବିକଳରେମୋତେ ଡାକିଲା । ମୁଁ ଗଡ଼ିଆ ଭିତରକୁ ଦୁଇପାଦ ଯାଇ ହାତ ବଢାଇଲି । ତା ହାତ ଧରିବା ପାଇଁ ମୋ ହାତ ପାଉନଥିଲା ।ତାର ଉପରକୁ ଉଠି ଆସିବା ପାଇଁ କରୁଥିବା ଅସଫଳ ଚେଷ୍ଟା ସକାଶେ ବେଶୀ ବେଶୀ ପୋତି ହୋଇ ପଡ଼ୁଥିଲା । ମୁଁ ବ୍ୟଗ୍ରତାରେ ଆଉ ଟିକିଏ ଭିତରକୁ ପଶିଲି । ପଙ୍କ ମୋ ଛାତି ପର୍ଯ୍ୟନ୍ତ ପହଞ୍ଚିବା ପରେ ତା ହାତକୁ ଧରି ପାରିଲି । କିନ୍ତୁ ତାକୁ ଭିଡ଼ି ଆଣିବାର ସାମର୍ଥ୍ୟ ମୋର ନଥିଲା । ସେ କେବଳ କହୁଥାଏ , 'ଆହୁରି ହିମ୍ମତ ଲଗା, ମୋତେ ଭିଡ଼ି ନେଇଯା '। ସେ ବିକଳ ପରିସ୍ଥିତିରେ ମୋତେ କିନ୍ତୁ ମୋ ହିମ୍ମତ ଦଗା ଦେଉଥିଲା । ଧିରେ ଧିରେ ମାଗୁରର ମୁହଁଟିକୁ ଛାଡ଼ି ଶରୀରର ବାକି ସମସ୍ତ ଅଙ୍ଗ କାଦୁଅ ଭିତରେ ଅଦୃଶ୍ୟ ହୋଇ ଆସୁଥିଲା । ମୁଁ ମୋ ହାତକୁ ତା ହାତରୁ ଛଡାଇ ଆଣିବାକୁ ଚେଷ୍ଟା କରୁଥିଲି । ସେ କିନ୍ତୁ ମୋ ହାତ ନଛାଡ଼ି ମୋତେ ପଙ୍କ ଭିତରକୁ ଭିଡୁଥିଲା । ପଙ୍କର ଶିତଳତା ମୁଁ ମୋ ବେକ ପାଖରେ ଅନୁଭବ କରୁଥିଲି । ମୋତେ କାନ୍ଦ ମାଡୁଥିଲା । ଗତ ରାତିରେ ସ୍ୱପ୍ନରେ ଦେଖିଥିବା ମଇଁଷିର ରୁପ ମୋତେ ଅସ୍ପଷ୍ଟ ଭାବରେ ଦେଖାଯାଉଥିଲା । ପଙ୍କର ଶିତଳତା ମଧ୍ୟରେ ମୋ ପ୍ୟାଣ୍ଟର ସମ୍ମୁଖ ଅଂଶରେ ଉଷ୍ମତା ଅନୁଭବ କଲି । ବୁଝିଲି ,ପରିସ୍ରା କରିପକାଇଛି । ଆଖି ବନ୍ଦ କରି ସମସ୍ତ ଶକ୍ତି ଲଗାଇ ଗୋଟାଏ ରଡି ଛାଡିଲି । ଭାବିଥିଲି ସବୁଥର ଭଳି ଏଥରକ ମଧ୍ୟ ରଡି ଛାଡିବା ପରେ ପରେ ଶେଯ ଉପରେ ବସିଥିବା ଅବସ୍ଥାରେ ବୋଉର ଦୁଇ ବାହୁ ମଝିରେ ମୁଁ ନିଜକୁ ଆବିଷ୍କାର କରିବି । ଆଖି ଖୋଲି ଚାହିଁଲି । କିନ୍ତୁ ହେ ଭଗବାନ ! ସେ କାରୁଣ୍ୟଭରା ଅବସ୍ଥାର କୌଣସି ପରିବର୍ତ୍ତନ ଘଟିନଥିଲା । *** କ୍ରମଶଃ ***