Bismita Sahoo

Tragedy

5.0  

Bismita Sahoo

Tragedy

ଏକ ଅକାଳ ମୃତ୍ୟୁ ସମ୍ପର୍କରେ

ଏକ ଅକାଳ ମୃତ୍ୟୁ ସମ୍ପର୍କରେ

4 mins
581


ମନରେ ତାର ଅସୁମାରୀ କଳ୍ପନା। ସତରେ ଯେମିତି ଆଶାରେ ସେ ବଞ୍ଚିଛି। ଦେହର ରକ୍ତକୁ ଝାଳ ଆକାରରେ ବୁହାଇ ଦେଇ ପ୍ରାଣମୂର୍ଚ୍ଛା ଉଦ୍ୟମ ଅବ୍ୟାହତ ରଖିଛି। ସଦାବେଳେ କାମ ହିଁ କାମ। ଆରାମ ଶବ୍ଦଟି ବୋଧେ ତା ଜୀବନର ଶବ୍ଦକୋଷରେ ନାହିଁ। ଶରୀର ତାର ରୋଗାକ୍ରାନ୍ତ, ହେଲେ ସେ ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ନୁହେଁ। କେହି ଯଦି ତାକୁ ପଚାରେ ଟିକେ ତୋ ଦେହ ପା ର ଯତ୍ନ ନେଉନୁ? ତେବେ ହସିଦେଇ କହେ ବସିକି ଖାଇବାକୁ ତ ସାରା ଜୀବନ ପଡ଼ି ରହିଛି, କିନ୍ତୁ ଏଇ ସମୟ ଟା ତା ହାତମୁଠାରୁ ଖସିଗଲେ ତା ସଂସାର ଯେ ନଈର ସୁଅରେ ଭାସି ଯିବ। କାମ ନକଲେ ପଇସା କୁଆଡୁ ଆସିବ? ଆଉ ପଇସା ନ ଆସିଲେ ତା ମନୁ କେମିତି ବଡ଼ କଲେଜରେ ପାଠ ପଢିବ? ପାଠ ପଢିଲେ ସିନା ଡାକ୍ତର ହେବ। ତା ରୋଗିଣା ଦେହରେ ଇଂଜକ୍ସନ ଫୋଡ଼ି ତାକୁ ଠିକ୍ କରିବ। ସେ ଖୁସିରେ ତା ପୁଅ ଦେହ ହାତକୁ ଆଉଁସି ଦେବ। ତାକୁ କେତେ ଆଶୀର୍ବାଦ କରିବ।


 ମନୁବାପା ବଞ୍ଚିଥିଲେ ତାକୁ କଣ ପରଘରେ ପାଇଟି କରିବାକୁ ପଡ଼ନ୍ତା ? ଜମିଦାର ଘରର ବୋହୂ। କେଡ଼େ ଖୁସିରେ ତା ଦିନ ଗୁଡ଼ିକ କଟି ଯାଉଥିଲା। ସେତେବେଳେ ମନୁ ପେଟରେ ଥିଲା। ମନୁବାପର ପାଦ ଖୁସିରେ ତଳେ ପଡୁନଥିଲା। ହେଲେ ଦଇବ ତା ଖୁସି ସହିଲାନି। ମନୁର ପାଦ ମାଟିରେ ପଡିବା ପୂର୍ବରୁ ଅଜଣା ରୋଗରେ ପଡି ତା ସ୍ବାମୀ ତାକୁ ନିରୀମାଖୀ କରି ସବୁଦିନ ପାଇଁ ଚାଲିଗଲେ। ପୁଅକୁ ଝୁରି ଝୁରି ଶାଶୁ ଶ୍ୱଶୁର ବି ଆଗ ପଛ ହେଇ ମରିଗଲେ। ଏ ହୀନ କପାଳି ଭାଗ୍ୟରେ ବିଧାତା ଆଉ ଖୁସି ଲେଖିବାକୁ ସତେ ଯେମିତି ଭୁଲି ଗଲା। ଦେଢଶୁର, ଦିଅର ଓ ଯା ମାନେ ମିଶି ରାତି ଅଧରେ ତାକୁ ଗଳା ଧକ୍କା ଦେଇ ଘରୁ ତଡିଦେଲେ। ବାପ ମଲା ପରେ ଛୁଆ ଜନ୍ମ ହେଇଛି, ତେଣୁ ଏ ଛୁଆ ତାଙ୍କ ବଂଶର ନୁହେଁ କହି ତାର ଚରିତ୍ର ପ୍ରତି ଆକ୍ଷେପ କଲେ। ଶେଷରେ ସେ କଅଁଳା ଛୁଆକୁ ଧରି ଗାଁ ଛାଡି ଭୁବନେଶ୍ୱର ପଳେଇ ଆଇଲା। ସେବେଠୁ ଏଇ ବସ୍ତିରେ ଅଛି। ଅନ୍ୟ ଘରେ କାମ କରି ତାର ଓ ତା ପୁଅ ମନୁର ପେଟ ପୋଷୁଛି। 

   ହେଲେ ମନୁ ମାର ଏକା ଜିଦ ଯେ ତା ପୁଅ ପାଠ ପଢ଼ି ଡାକ୍ତର ହେବ। ଗାଁରେ ଯଦି କେହି ଡାକ୍ତର ଥାନ୍ତେ ତେବେ କଣ ମନୁବାପା ତାକୁ ଏମିତି ସାତ ପର କରି ଚାଲି ଯାଇଥାନ୍ତେ? ଏକ ବଡ଼ ଦୀର୍ଘଶ୍ଵାସ ମାରିଲା ସେ। ବେଳ ଗଡ଼ିଗଲାଣି। କାମକୁ ଯିବାକୁ ପଡ଼ିବ। ମନୁମା ତରତର ହେଇ ଦୁଆର ବନ୍ଦ କରି ଚାଲିଗଲା।


ଏ ମନୁମାକୁ ବସ୍ତି ଲୋକେ ଧନ୍ୟ ଧନ୍ୟ କୁହନ୍ତି। କେତେ କଷ୍ଟ କରି ପୁଅକୁ ପାଠ ପଢ଼ଉଛି। ନିଜର ଯାହା ଗହଣା ଗାଁଠି ଥିଲା ସବୁ କେବେଠୁ ବିକି ଭାଙ୍ଗି ସାରିଲାଣି। କୋର୍ଟରେ ମକଦ୍ଦମା କରି ଯେଉଁ ଜମି କିଛି ପାଇଥିଲା ତାକୁ ବି ବାକି ରଖିନି। ଯିଏ ଏସବୁ ବିଷୟରେ କିଛି ପଚାରୁଛି ତେବେ ସେ ମୁରୁକି ହସି କୁହେ


- ମନୁ ମୋ ଡାକ୍ତର ହେଲେ ମୋ ପାଇଁ କେତେ ଜମି କିଣିବ। ମୋତେ ନେଇ ବଙ୍ଗଳାରେ ରଖିବ। ମୋ ପାଖରେ କେତେ ପୋଇଲି ଚାକରାଣୀ ରଖିଦେଵ। ମୁଁ ମୋ ପୁଅ ପାଇଁ ପଦୁଅଁ କଢି ପରି ବୋହୂଟିଏ ଆଣିବି। ମାଲିକାଣୀ ସାଜି ବୋହୂ ଉପରେ ହୁକୁମ ଚଳେଇବି। ନାଇଁମ ଆମେ ଦୁହେଁ ଶାଶୁ ବୋହୂ ମା ଝୁଅ ପରି ଚଳିବୁ।


ଦେଖୁ ଦେଖୁ ଦିନ ଗଡ଼ି ଚାଲି ଥିଲା। ମାସ ପରେ ମାସ, ବର୍ଷ ପରେ ବର୍ଷ ବିତି ଚାଲିଲା। ତା ସହିତ ତାଳ ଦେଇ ମନୁମାର ରୋଷେଇ ଘରେ ଟଙ୍ଗା ହେଇଥିବା କ୍ୟାଲେଣ୍ଡର ପୃଷ୍ଠା ବି ବଦଳି ଚାଲିଥିଲା। ପଡ଼ିଶା ଘର ବେଙ୍ଗ ନାନୀ ତା ଘର ଆଗରେ କାହିଁକି କେଜାଣି ଡାକ ଛାଡୁଥିଲା। ସେ ଘରୁ ବାହାରିକି ଆଇଲାରୁ ତାକୁ ଦେଖି ବଡ଼ ପାଟିରେ କହିଲା


- ମନୁମା ତୁ ଘର କଣରେ ବଇଥା ତେଣେ ମନୁଆ ମୋଟର ଚଢ଼ି ଆଇଲାଣି। ବେଇଗି ବେଇଗି ପୂଜା ଥାଳି ସଜାଡ଼। ତୋ ପୁଅ ଡାକତର ହେଇ ଆଇଚି ପରା। ତାକୁ ଶଙ୍ଖୁଳିବୁନି କି? 

    ଆରେ ସତେ ତ। ମନୁଆ ତା ସାଙ୍ଗକୁ ଫୁନ କରି କହିଥିଲା ଆଜି ଡାକ୍ତର ହେଇ ତା ପୁଅ ଆଇବ। ସେ କେମିତି ଏ କଥା ଭୁଲିଗଲା। ଏ ବୁଢ଼ୀକାଳକୁ ଆଉ କିଛି ମନେ ରହୁନି। ଆଖି ଯୋଡ଼ିକୁ ଭଲରେ ଦୁ ' ନି ବି।


   ଧଳା ରଙ୍ଗର ଗାଡ଼ି ଟିଏ ତା ଘର ଆଗରେ ରହିଲା। ମନୁମା ଆରତୀ ଥାଳି ଦୌଡ଼ି ଗଲା ପୁଅକୁ ବଂଦେଇବାକୁ। ହସି ହସି ପୁଅ ଗାଡ଼ିରୁ ଓହ୍ଲେଇଲା।ହେଲେ ଏଇ ବବୁରୀ ବାଳ ରଖି ପ୍ୟାଣ୍ଟ ସାର୍ଟ ପିନ୍ଧିଥିବା ଝିଅଟି କିଏ? ଯିଏ ତା ମନୁଆର କାନ୍ଧ ଉପରେ ଏମିତି ବେଇଲଜିଆଙ୍କ ପରି ମୁଣ୍ଡ ରଖିଛି।

ତା ହାବ ଭାବ ଦେଖି ମନୁଆ କହିଲା


- ମା ଏମିତି କଣ ଜୁଳୁଜୁଳୁ କରି ଅନେଇଛୁ। ସେ ପରା ତୋ ବୋହୂ। ତା ବନ୍ଦାପନା କରିବୁନି କି? ଆରେ ଏତେ କାମରେ ବ୍ୟସ୍ତ ରହୁଛି ଯେ ତୋତେ ବାହାଘରକୁ ଡାକି ପାରିଲିନି। କି ଭୋଜି ହେଇଥିଲା ମ । ଏଯାଏଁ ହାତରୁ ବାସ୍ନା ଯାଇନି। କେତେ ମନ୍ତ୍ରୀ, ଇଂଜିନିୟର, ଡାକ୍ତର ସବୁ ଆସିଥିଲେ। ତୁ ଆସିଥିଲେ ବି କଣ କରିଥାନ୍ତୁ। ସଦାବେଳେ ତ ପେଟ ଖରାପ, ଖାଇବୁନି କହୁ। ତୋ ଦେହରେ କଣ ସେ ତେଲ ମସଲା ଖାଇବା ଯାଇଥାନ୍ତା?

 

    ମନୁମା କଣ କହି ନିଜକୁ ବୋଧ ଦେବ ଭାବି ପାରିଲାନି। ମନୁଆ ତାର କିସମ କିସମର ଖାଇବା ଖାଉ ବୋଲି ତା ପିଲାଦିନୁ ପେଟ ଖରାପ, ଖାଇବନିର ମିଛ ଅଭିନୟ କରେ ଆଉ ସେ ଅଭିନୟକୁ ସତ ଭାବିନେଇ ତା ଏକୋଇର ବଳା ବିଶିକେଶନ ତାକୁ ବାହାଘରକୁ ଡାକିଲାନି।


   ଦେହର ରକ୍ତଗୁଡ଼ିକ ସତେ ଯେମିତି ଲୁହ ରୂପ ନେଇ ଅମାନିଆ ହେଇ ମନୁମା ଆଖିରୁ ବୋହି ଯାଉଥିଲେ। ଗୋଟେ ହାତରେ କାନିରେ ଲୁହପୋଛି ଆର ହାତରେ ପୁଅ ବୋହୁଙ୍କୁ ହୁଳହୁଳି ପକେଇ ଘରକୁ ବଂଦେଇ ଆଣିଲା। ପୁଅ ବୋହୂ ପାଇଁ ମସଲା କଷି ଦେଶୀ କୁକୁଡ଼ା ଝୋଳ କଲା। ଖାଇ ପିଇ ପୁଅ ବୋହୂ ଶୋଇବା ପାଇଁ ଘରକୁ ଗଲା। ସେ ଦାଣ୍ଡ ବାରଣ୍ଡାରେ ଖଟିଆ ପକେଇ ଶୋଇଲା।


   ସବୁଦିନ ପରି ବାସି ପାଇଟି ସାରି କାମକୁ ବାହାରିଲା। ଭାବିଲା ପୁଅ ତାର ମନା କରିବ। କହିବ ମୁଁ ପରା ଡାକ୍ତର ହେଲିଣି। ତୋର ଏବେ ଆଉ ଏ ଛୋଟ ମୋଟ କାମ କରିବା ଦରକାର ନାହିଁ। ତୁ ଗୋଡ଼ ଉପରେ ଗୋଡ଼ ରଖି ଏବେ ଖାଲି ଖାଇବୁ। ହେଲେ ସେମିତି କିଛି ଘଟିଲାନି। ବରଂ ପୁଅ କହିଲା କାମ ସାରି ଜଲଦି ଫେରିବୁ। ରୋଷେଇ ଶୀଘ୍ର କଲେ ସେମାନେ ଖାଇ ପିଇ ପୁଣି ଚାକିରୀ ଯାଗାକୁ ଫେରିଯିବେ।


    ପୁଅ କଥା ଶୁଣି ମନୁମାର ଛାତିକୁ କିଏ ଯେମିତି କୋରଣାରେ କୋରି ପକେଇଲା। ବହି ଆସୁଥିବା ତତଲା ଲୁହକୁ ସେ ପାଟି ଭିତରକୁ ଶୋଷାଡ଼ି ନେଲା। ସେ ନିଲଠାଙ୍କ ପରି ହସି ଦେଇ କାମକୁ ଗଲା। ସେଠୁ ଫେରି ପୁଅବୋହୂଙ୍କ ପାଇଁ ମାଛ ବେସର, ଆଳୁ ଭର୍ତ୍ତା, ବଡ଼ି ଚୁରା , ଡାଲି ଓ ଗରମ ଭାତ ଥାଳିରେ ପରଶି ଦେଲା। ଖାଇ ପିଇ ଧୂଳି ଉଡ଼େଇ ପୁଅବୋହୂ ଚାଲିଗଲେ ତାଙ୍କ ଆସ୍ଥାନକୁ। ସେ ମନୁବାପାର ଫଟକୁ ଦିନ ରାତି ଚାହିଁ ରହିଲା। ନା କାମକୁ ଗଲା, ନା କିଛି ଖାଇଲା, ନା ପାଣି ଟୋପେ ପିଇଲା। 


    ବେଙ୍ଗନାନୀ ତା ଅବସ୍ଥା ଦେଖି ସମ୍ଭାଳି ପାରିଲାନି। ତା ପୁଅକୁ କହି ମନୁଆକୁ ଘରକୁ ଆସିବାକୁ ଖବର ଦେଲା। ମନୁଆ ତା ମା ନାଁରେ ହଜାରେ ଟଙ୍କା ପଠେଇଦେଲା ଓ ଚିଠିରେ ଲେଖିଥିଲା


 -କାମ ଏବେ ମୁଣ୍ଡ ଉପରେ ବହୁତ ଅଛି। କାମ ଭାର କମିଲେ ସେ ଆସି ନିଜେ ତାକୁ ନେଇଯିବ। ସେତେଦିନ ଯାଏ ଅପେକ୍ଷା କରିଥା। ଦେହ ପା ବାବଦକୁ ହଜାରେ ଟଙ୍କା ପଠେଇଲି। ନିଅଂଟ ହେଲେ କହିବୁ।


ଡାକ ପିଅନ ଏକା ରାହାକେ ଚିଠିଟି ପଢ଼ି ମନୁମା ହାତକୁ ଟଙ୍କା ବଢ଼େଇ ଦେଲେ। ମନୁମା ସେ ଟଙ୍କା ନେଇ ମନ୍ଦିର ହୁଣ୍ଡିରେ ପକେଇ ଆସିଲା। ରାତିସାରା ମନୁଆର ପିଲାଦିନର ଫଟକୁ ତା ଛାତିରେ ଜାବୁଡ଼ି ଧରିଥାଏ। 


ସକାଳ ନ ପାହୁଣୁ ମନୁମା ଘରକୁ ବସ୍ତି ସାରା ଲୋକଙ୍କ ଧାଡି ଲମ୍ବି ରହିଥିଲା। ସଭିଙ୍କ ଆଖିରେ ଲୁହ ଛଳ ଛଳ। ତା ପରଦିନ ଖବରକାଗଜରେ ପ୍ରଥମ ପୃଷ୍ଠାରେ ବାହାରିଲା" ଭୋକର ଜ୍ୱାଳା ସହି ନ ପାରି ବୃଦ୍ଧାଙ୍କ ଆତ୍ମହତ୍ୟା"। 



Rate this content
Log in

Similar oriya story from Tragedy