STORYMIRROR

Lokanath Rath

Tragedy Inspirational

4  

Lokanath Rath

Tragedy Inspirational

ଏଇତ ଦୁନିୟା

ଏଇତ ଦୁନିୟା

5 mins
164


ସଞ୍ଜୀବ ଘର ଭିତରକୁ ପଶି ଆସୁ ଆସୁ କାହାକୁ କିଛି ନ କହି ନିଜ କୋଠରୀକୁ ଚାଲିଗଲେ ।ସେତେବେଳକୁ ସନ୍ଧ୍ୟା ୭ଟା ପାଖା ପାଖି ହେବ ।କୋଠରୀ ଭିତରେ ଜଳୁଥିବା ଆଲୋକକୁ ବାଟ କରିଦେଇ ପଡିଥିବା ଚୌକି ଉପରେ ବସି ପଡିଲେ ।ଆଜି ଘଟିଥିବା ଘଟଣା ସେ କାହାକୁ କହିବେ ,ନିଜକୁ ବହୁତ ଦୁଃଖ ଲାଗୁଥିଲା ଆଉ ଏବେକାର ସମାଜ ପ୍ରତି ଘୃଣା ବି ଆସୁଥିଲା ।ଆଜି ସକାଳୁ ଘରୁ ବାହାରି ଗଲାବେଳେ ପତ୍ନୀ ସସ୍ମିତା ବାରମ୍ବାର ତାଙ୍କୁ କହିଥିଲେ ,'' ଆରେ ଟିକେ ଭଲ ଜାମା ପ୍ୟାଣ୍ଟ ପିନ୍ଧିକି ଯାଅ ।ଏ ଧଳା ଛୁଟିକୁ ଟିକେ ରଙ୍ଗ କରିବ ଗଲାବେଳେ ପାଖ ସେଲୁନରେ ।ଦୀର୍ଘ ଚାଳିଶ ବର୍ଷ ପରେ ଆଜି ତୁମର ପିଲାଦିନର ପ୍ରିୟ ବନ୍ଧୁ ଯିଏ ଏବେ ଜଣେ ଉଚ୍ଚ ପଦସ୍ତ କେନ୍ଦ୍ର ସରକାରଙ୍କ ଅଧିକାରୀ ,ତାଙ୍କ ସାଙ୍ଗରେ ତୁମେ ଦେଖା କରିବ।ତୁମକୁ ସେ କଣ ଭାବିବେ ।ଏମିତି ଖଦଡ଼ କୁର୍ତ୍ତା ପାଇଜାମା ପିନ୍ଧି ଗଲେ ତାଙ୍କୁ କେମିତି ଲାଗିବ ।'' ନିଜ ପତ୍ନୀଙ୍କର କଥା ଶୁଣି ସଞ୍ଜୀବ କହିଥିଲେ ।'' ଆରେ ତୁମେ ମୋତେ ଜାଣିନ ,ମୋ ସୁବ୍ରତ ଠିକ ଚିହ୍ନିବ ।ସେ କେବେବି ବାହ୍ୟ ଚାକ ଚକ୍ୟକୁ ଭଲ ପାଏନା ।ସେ ଠିକ ମଣିଷ ଚିହିଁ ଜାଣିଛି।କେତେ କଷ୍ଟରେ ସେ ପାଠ ପଢି ଆଜି ଏତେବଡ଼ ଜାଗାରେ ପହଞ୍ଚି ପାରିଛି ।ଆଜି ସେ ଆମ ନୂଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉଦ୍ଘାଟନ କରିବ ।କେତେ ବଡ଼ କଥା ।ଆମର ସବୁ ପଡିଶା ଜାଣିଛନ୍ତି ସେ ମୋର ବାଲ୍ୟବନ୍ଧୁ ।ସମସ୍ତେ କହିବାରୁ ମୁଁ ସେଠାକୁ ଯାଉଛି ।ହଁ ଗଲାବେଳେ ଗୋଟିଏ ଗେଣ୍ଡୁ ଫୁଲ ମାଳ ନେଇଯିବି ।ତାକୁ ଗେଣ୍ଡୁ ଫୁଲ ବହୁତ ପସନ୍ଦ।ଆଉ ଆମ ଘରକୁ ଆସିବାକୁ କହିବି ।ସମୟ ନ ଥିଲେ ବି ସେ ନିଶ୍ଚୟ ବାହାର କରି ଆସିବ ।ଏଇ ଘରେ ସେ ରହି ମାଟ୍ରିକ ଓ କଲେଜ ପଢା ଶେଷ କରିଛି ।ସେ ବୃତ୍ତି ପାଇ ଦିଲ୍ଲୀ ଗଲା ପଢିବାକୁ ଓ ଆ ଇ ଏସ ପାଇ ଚାକିରୀରେ ବ୍ୟସ୍ତ ହୋଇ ଦେଶ ସେବା କଲା ।ମୁଁ ଏଇଠି ରହି ନିଜ ଲେଖା ମାଧ୍ୟମରେ ସମାଜକୁ ଜାଗ୍ରତ କଲି ଓ ସମାଜ ସେବାରେ ନିଜକୁ ଲଗାଇ ଦେଲି ।ତୁମେ ଜମାରୁ ଚିନ୍ତା କର ନାହିଁ ।''


ସଞ୍ଜୀବ କୁମାର ଦାସ ସହରର ଜଣେ ଜଣ ସୁନା କ୍ରାନ୍ତିକାରୀ ଲେଖକ ଓ ସମାଜସେବୀ।ତାଙ୍କର ପିତା ଜଣେ ଡାକ୍ତର ଥିଲେ ଓ ମା ଜଣେ ସମାଜ ସେବିକା ।ତାଙ୍କ ବାପା ବି ଗରିବ ଲୋକଙ୍କୁ ମାଗଣା ଚିକିତ୍ସା କରୁଥିଲେ ।ସେମାନଙ୍କ ଆଦର୍ଶରେ ସଞ୍ଜୀବ ନିଜକୁ ସମର୍ପିତ କରିଛନ୍ତି । ସମାଜରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ଦେଖି ଏବଂ ତା ବିରୁଦ୍ଧରେ ସଂଗ୍ରାମ କରି ସେ କେବେ ସଫଳ ହେଇଛନ୍ତି ତ କେବେ ବିଫଳ ହେଇଛନ୍ତି ।କିନ୍ତୁ ନିଜର ଆଦର୍ଶକୁ କେବେ ଭୁଲି ନାହାନ୍ତି ।ବହୁତ ସଂଗ୍ରାମ କରିବ ପରେ ଏବେ ଗୋଟିଏ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲୁଛି ।ଯେଉଁଠି ସମସ୍ତେ ମାଗଣାରେ ନିଜର ଚିକତ୍ସା କରି ପାରିବେ ।ତାର ଉଦ୍ଘାଟନ କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କର ଆସିବାର ଥିଲା ,କିନ୍ତୁ କିଛି ଜରୁରୀ କାର୍ଯ୍ୟ ପାଇଁ ସେ ଆସି ନ ପରି ବରିଷ୍ଠ କେନ୍ଦ୍ର ଅଧିକାରୀ ସୁବ୍ରତ ମିଶ୍ରକୁ ପଠାଇଛନ୍ତି ।ସୁବ୍ରତ ଏହି ସହରରେ ରହି ସ୍କୁଲ ଓ କଲେଜର ପଢା ଶେଷ କରିଛି ।ସୁବ୍ରତ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଗୋଟିଏ ସଡକ ଦୁର୍ଘଟଣାରେ ତାର ପିତା ମାତାଙ୍କର ଦେହାନ୍ତ ହୋଇଯାଇଥିଲା ।ତା ପିତା ଜଣେ ଶିକ୍ଷକ ଥିଲେ ।ସୁବ୍ରତ ସଞ୍ଜୀବର ବହୁତ ଘନିଷ୍ଠ ବନ୍ଧୁ ଥିଲା ।ତେଣୁ ସଞ୍ଜୀବର ପିତା ମାତା ସୁବ୍ରତକୁ ଆଣି ପାଖରେ ରଖିଲେ ଓ ତାର ପାଠ ପଢ଼ାର ସମସ୍ତ ଦାଇତ୍ୱ ନେଲେ ।ସୁବ୍ରତ ଅଧିକ ପଢିବା ପାଇଁ ଦିଲ୍ଲୀ ଚାଲିଗଲା ପରେ ସଞ୍ଜୀବ ତାର ପିତା ମାତାଙ୍କୁ ପାଞ୍ଚ ମାସର ବ୍ୟବଧାନରେ ହୃଦଘାତ ଜନିତ ସମସ୍ୟା ପାଇଁ ହରାଇଲା । ସଞ୍ଜୀବ ନିଜକୁ ପୁରା ଏକା ଭାବି ଭାବି ବହୁତ ମର୍ମାହତ ହେଲା ।କିଛିଦିନ ପରେ ସସ୍ମିତାର ସାହାରା ପାଇ ସେ ନିଜକୁ ସମ୍ଭାଳି ନେଲା ।ସସ୍ମିତା ତା ମା'ଙ୍କ ସହିତ ମିଶି ସମାଜ ସେବାରେ ତାଙ୍କୁ ସାହାଯ୍ୟ କରୁଥିଲା ।ସଞ୍ଜୀବ ସହିତ ତାର ଦେଖା ସେହି ସମାଜ ସେବା କାମରୁ ।ସଞ୍ଜୀବର ଲେଖା ସସ୍ମିତାକୁ ବହୁତ ପ୍ରଭାବିତ କରିଥିଲା ।ଉଭୟ ଉଭୟଙ୍କୁ ଅଜାଣତରେ ଭଲ ପାଇ ବସିଥିଲେ ।ପରେ ଉଭୟ ବିବାହ କରି ଏକା ସାଙ୍ଗରେ କାମ କରିବାକୁ ଲାଗିଲେ ।ସୁବ୍ରତକୁ ସସ୍ମିତା ବି ଜାଣିଛି ଓ ଦେଖିଚି ।ସେ ଯାହା ହେଉ ନିର୍ଦ୍ଧାରିତ ସମୟ ରେ ସଞ୍ଜୀବ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଁଚିଲେ ।ହାତରେ ଗେଂଡୁ ଫୁଲ ମାଳ ବି ଧରିଥାନ୍ତି ।ପାଖ ପଡିଶା ଲୋକେ ସଞ୍ଜୀବ କୁ କହୁଥାନ୍ତି ,'' ଯାହା ହେଉ ବହୁତ ଦିନ ପରେ ଆଜି ସୁବ୍ରତ କୁ ଆମେ ଦେଖିବା ।ପିଲାଦିନେ ଏଖଟି ଖେଳୁଥିଲେ ।ବହୁତ ବର୍ଷ ପରେ ସେ ଆସୁଛି ।'' ସମସ୍ତଙ୍କ ଉତ୍କଣ୍ଠା ଦେଖି ସଞ୍ଜୀବ ଖୁସିରେ ମୁଣ୍ଡ ହଲାଇ ହଁ ବୋଲି କହୁଥିଲେ ।ସୁବ୍ରତ ଆସିଲେ ଓ ତାଙ୍କ ଆଗ ପଛରେ ପୋଲିସ ।ସେ ସିଧା ସ୍ୱାସ୍ଥ୍ୟକେନ୍ଦ୍ର ପାଖକୁ ଗଲେ ।ସେଠାରେ କିଛି ନେତାଙ୍କର ଭିଡ଼ ବି ଥାଏ ।ସୁବ୍ରତ ସମସ୍ତଙ୍କୁ ହସି ହସି ନମସ୍କାର କରୁଥାନ୍ତି ।ସଞ୍ଜୀବ ଓ ତାଙ୍କ ପଡୋଶୀ ମାନେ ଯାଇ ସୁବ୍ରତ ପାଖରେ ପହଞ୍ଚିଲେ ଓ ହସି କର ସଞ୍ଜୀବ ଫୁଲ ମାଳ ତା ବେକରେ ପକାଇଲା ବେଳକୁ ସେ ଆଡେଇ ଦେଲା ଓ ପୋଲିସ କର୍ମୀ ସେ ମାଳକୁ ନେଇ ଗଲେ। ସଞ୍ଜୀବ କିଛି କହିବା ଆଗରୁ ପୋଲିସ ତାଙ୍କୁ ସେଠାରୁ ଦୁରେଇ ଦେଲା ।ସୁବ୍ରତକୁ ସଞ୍ଜୀବ ଚାହିଁ କହିଲେ ,'' ସୁବ୍ରତ ତୁ କଣ ଚିହ୍ନି ପାରୁନୁ ।ସବୁ କଣ ଭୁଲି ଯାଇଛୁ ?'' ଏତିକି ଶୁଣି ସୁବ୍ରତ ଟିକେ ବିରକ୍ତି ଭାବ ପ୍ରକାଶ କରିବାରୁ ,ପୋଲିସ ଆସି ସଞ୍ଜୀବକୁ କହିଲେ ,''ଆଜ୍ଞା ଆପଣ କାହିଁକି ତାଙ୍କୁ ତୁ ତା ବୋଲି କହୁଛନ୍ତି ।ଆପଣ ତ ଆମ ସମାଜର ଜଣେ ଉଦ୍ଧାର କର୍ତ୍ତା।ଏଇଟା ଆପଣଙ୍କୁ ମୋତେ ଶୋଭା ପାଉ ନାହିଁ ।ଆପଣ ଟିକେ ଚୁପ ହେଇ ଯାଆନ୍ତୁ।'' ଏତକ ଶୁଣି ସଞ୍ଜୀବ ନିଜର ଆବେଗକୁ ଟିକେ ସମ୍ଭାଳି ନେଲେ ।କାହାକୁ କିଛି ନ କହି ସେ ଜାଗାରୁ ସିଧା ଘରକୁ ଚାଲି ଆସିଲେ ।ବାଟରେ ବହୁତ କାନ୍ଦିବାକୁ ଇଚ୍ଛା ହେଉଥିଲା ,କିନ୍ତୁ ସମାଜକୁ ଡରି କାନ୍ଦି ପାରୁ ନ ଥିଲେ ।ପିଲାଦିନ କଥା ମାନେ ପଡୁଥିଲା ।କେମିତି ତା ବାପା ସୁବ୍ରତ ଓ ତା ପାଇଁ ଏକା ପ୍ରକାର ଜାମା ,ପ୍ୟାଣ୍ଟ ,ସାଇକେଲ ଓ ହାତ ଘଣ୍ଟା କିଣି ଦେଉଥିଲେ ।ନିଜର ହାତ ଖର୍ଚ୍ଚ ପଇସା ସଞ୍ଜୀବ ସୁବ୍ରତକୁ ଦେଇ ଦେଉଥିଲା ।ସେଥିରେ ସେ କିଛି ବହି କିଣୁଥିଲା ଓ ନିଜ ପାଇଁ କିଛି ଅନ୍ୟ ଜିନିଷ କିଣୁଥିଲା ।ସଞ୍ଜୀବ ସବୁବେଳେ ସୁବ୍ରତର ସୁବିଧା ପାଇଁ କିଛି ନ କିଛି ତ୍ୟାଗ କରୁଥିଲା ।ସେ ସୁବ୍ରତକୁ ନିଜର ଭାଇ ବୋଲି ଭାବୁଥିଲା ।ଯେବେ ତା ବାପା ଓ ମାଙ୍କର ଦେହାନ୍ତ ହେଲା ,ସଞ୍ଜୀବ ବଡ଼ କଷ୍ଟରେ ସୁବ୍ରତର ଠିକଣା ଆଣି ତାକୁ ଜଣାଇଥିଲା ।କିନ୍ତୁ ସୁବ୍ରତ ଆସିନଥିଲା ।ସେତବେଳେ ସଞ୍ଜୀବ ଭାବିଥିଲା ବୋଧ ହୁଏ ଠିକଣା ଭୁଲ ଥିଲା ବା ସୁବ୍ରତ ବହୁତ କାର୍ଯ୍ୟ ବ୍ୟସ୍ତ ଥିବାରୁ ଆସି ପରି ନ ଥିଲା ।ଅନ୍ୟମାନେ ସଞ୍ଜୀବକୁ ସେତେବେଳେ ସୁବ୍ରତ ବିଷୟରେ ବହୁତ କିଛି ଖରାପ କଥା କହିଥିଲେ ,ସଞ୍ଜୀବ ରାଗି ଯାଇ ସେମାନଙ୍କୁ ବିଦା କରି ଦେଇଥିଲା ।କିନ୍ତୁ ଆଜି ସେଇ ସୁବ୍ରତ ତାକୁ ଚିହିଁ ପାରିଲା ନାହିଁ ।ଆସିଲା ବେଳେ କିଛି ପଡିଶା ତାକୁ କହିଥିଲେ ,'' ସଞ୍ଜୀବ କିଛି ଖରାପ ଭାବ ନାହିଁ କି ମନ ଦୁଃଖ କର ନାହିଁ ।ଏବେ ଏହା ସବୁ ଏଇ ତ ଦୁନିୟାର ନିୟମ ବୋଲି କହୁଛି ।''ସେ ସବୁ କିଛି କଥା ତା ମୁଣ୍ଡରେ ପଶୁ ନ ଥିଲା ।ସେ ସିଧା ଘରକୁ ଆସି ନିଜ କୋଠରୀରେ ଅନ୍ଧାରରେ ବସି କାନ୍ଦୁଚି ।ଠିକ ସେତିକି ବେଳେ ସସ୍ମିତା ସେଇ ଘର ଭିତରକୁ ପଶି ଆସି ଆଲୁଅ ଜଳାଇଦେଲେ ଓ ଦେଖିଲେ ସଞ୍ଜୀବ ଆଖିରେ ଲୁହ ।ସେ ପାଖକୁ ଆସି ପଚାରିଲେ ,''ଆରେ କଣ ହେଲା ? ଏକା ଏହି ଅନ୍ଧାରରେ ବସି କାନ୍ଦୁଛ କାହିଁକି ?''ଏତିକି ଶୁଣି ସଞ୍ଜୀବ ସସ୍ମିତାଙ୍କୁ ଧରି ପିଲାଙ୍କ ପରି କାନ୍ଦି କାନ୍ଦି କହିଲେ ,''ସୁବ୍ରତ ମୋତେ ଚିହ୍ନି ପାରିଲା ନାହିଁ ।ମୋତେ ଦେଖି ଟିକେ ହସିଲା ବି ନାହିଁ ।ମୁଁ ବହୁତ ଡାକିଲି ।ଆଉ ଏସବୁ ଦେଖି ପଡିସା ଲୋକ କହିଲେ ଏଇ ତ ଦୁନିୟା ।'' ସସ୍ମିତା ସବୁ ଶୁଣି ବୁଝାଇ କହିଲେ ,'' ଠିକ ଅଛି ସେ ନ ଚିହ୍ନି ପାରିଲେ କଣ ହେଲା ? ତୁମେ ତ ଚିହ୍ନି ପାରିଲ।ତୁମେ ତାକୁ ତ ଦେଖିଲ। ଆଉ ପଡିଶା ଲୋକ ଯାହା କହିଲେ ଠିକ କଥା ,ସୁବ୍ରତର ଦୁନିୟା ଅଲଗା ଓ ଆମର ଦୁନିୟା ଅଲଗା ।ବାସ୍ତବିକତାକୁ ତୁମେ ବୁଝ।ଏଇ ତ ଦୁନିୟା ଯେଉଁଠି ସତ ଅଛି ଓ ମିଛ ବି ଅଛି ,ଯେଉଁଠି ସହନଶୀଳତା ଅଛି ଓ ଅହଙ୍କାର ବି ଅଛି ,ଯେଉଁଠି ସମାନତା ଅଛି ଓ ଅସମାନତା ବି ଅଛି ।ତେଣୁ ଆମକୁ ଆମର ଆଦର୍ଶକୁ ନେଇ ବଂଚିବାକୁ ହେବ ଓ କର୍ମ କରିବାକୁ ହେବ ।ଏବେ ସବୁ ଭୁଲିଯାଅ ।ଚାଲ ଉଠି ମୁହଁ ହାତ ଧୋଇ ଆସ ଆମେ ଚାହା ପିଇବା।''

ସଞ୍ଜୀବ ନିଜକୁ ସଜାଡି ନେଲେ ।ଟିକେ ହସି ଦେଇ ସସ୍ମିତାକୁ କହିଲେ ,'' ତୁମେ ଠିକ କହିଛ ।ମୁଁ ଟିକେ ଭାବୁକ ହେଇଯାଇଥିଲି ।ଏବେ ନିଜକୁ ନିଜର ଆଦର୍ଶ ସହିତ ଯୋଡି ରଖିବାର ଅଛି ।ନିଜର କର୍ମ କରିବାର ଅଛି ।ସମାଜ ପାଇଁ ମୋର ଲଢେ଼ଇ ଜାରି ରଖିବାକୁ ହେବ ।ମୋ ଲେଖନୀ ମୁନରୁ ଆହୁରି ଅନେକ ଲେଖା ଲେଖିବାକୁ ହେବ ।ମୋର ଏଇ ତ ଦୁନିୟା ।''

ସଞ୍ଜୀବ ହାତ ମୁଁହ ଧୋଇ ଆସି ସସ୍ମିତା ପାଖରେ ବସିଲେ ଓ ଆସନ୍ତା କାଲିର କାର୍ଯ୍ୟକ୍ରମ ସମ୍ପର୍କରେ ଚର୍ଚ୍ଚା କରିବାକୁ ଲାଗିଲେ ଓ ସସ୍ମିତା ଚାହା କପଟି ବଢ଼ାଇ ଦେଉ ଦେଉ ଉତ୍ତର ଦେଇ ଚାଲିଲେ .... ।



Rate this content
Log in

Similar oriya story from Tragedy