Shanti Mishra

Thriller

3  

Shanti Mishra

Thriller

ଏହାକି ସମ୍ଭବ

ଏହାକି ସମ୍ଭବ

4 mins
445



ରାତି ଅଧ ଯାଏ ବସି ପାଠ ପଢନ୍ତି “ଗୌତମ” ଆଉ “ଗୀତା” l ଆଗକୁ ପରୀକ୍ଷା ଆସୁଛି l ଦୁହେଁ ଡାକ୍ତରୀ ଛାତ୍ର l ବହୁତ କଷ୍ଟରେ କିଛି ବର୍ଷ ମଝିରେ ଚାକିରୀ କରି ତା ପରେ ପଢା ଆରମ୍ଭ କରିଛନ୍ତି l ଅନ୍ୟାନ୍ୟ ଅନେକ ଛାତ୍ର ଛାତ୍ରୀଙ୍କ ପରି ତାଙ୍କ ଜୀବନ ଏତେ ସହଜ ନୁହେଁ ତେଣୁ ଏ ପରୀକ୍ଷାରେ ତାଙ୍କୁ କୃତକାର୍ଯ୍ୟ ହେବାକୁ ହେବ l ଯେମିତି ବି ହଉ l ବହୁତ ରାତି ଯାଏ ଚାହିଁ ରହି ପାଠ ପଢିବା ଏକ ରୀତିମତ ଅଭ୍ୟାସରେ ପଡ଼ିଗଲାଣି l କେତେବେଳେ କେମିତି ଚା’ ବା କଫିର ସାହାଯ୍ୟ ନିଅନ୍ତି ଅଧିକ ରାତି ଯାଏ ଚାହିଁ ପାରିବେ ବୋଲି l ଏତେ ରାତି ଯାଏ ଏ ସବୁର ସାହାଯ୍ୟ ନେଇ ଚାହିଁ ରହିବା ଯଦିଓ ସ୍ଵାସ୍ଥ୍ୟକାରକ ନୁହେଁ ତଥାପି ସେମାନେ ପିଅନ୍ତି l ଜାଣନ୍ତି ଏହା ସାମୟିକ l ସବୁଦିନ ଏହାକୁ ଅଭ୍ୟାସରେ ରଖିବେନି l

ଆଜି କିନ୍ତୁ ନିଦ କିଛି ଚା’ କଫି ମାନୁନି ଆଖି ପତା ଦୁହିଁଙ୍କର ପଡି ଆସୁଛି l ବିଶେଷତଃ ଗୀତାର l ହଠାତ ବାହାର କବାଟରେ କାହାର କରାଘାତ ଶୁଣି ଦୁହେଁ ଆଶ୍ଚର୍ଯ ହୋଇଗଲେ l ଏତେ ରାତିରେ କିଏ ବା ହୋଇପାରେ ! ରାତି ଆସି ଏଗାର ଉପରେ l କବାଟ ଖୋଲିବେ ନା ନାହିଁ ଭାବୁଥିଲା ବେଳେ ହଠାତ ବାହାରୁ ଶୁଭିଲା ଏକ ଦୟନିୟ ସ୍ଵରରେ ଟିକେ ପାଣି ମିଳିବ l ଥରେ ନୁହଁ ତିନି ଚାରିଥର ଶୁଣିଲା ପରେ ଦୁହେଁ ପରସ୍ପର ମୁହଁକୁ ଚାହିଁ କବାଟ ଖୋଲିବାକୁ ଗଲେ l

କବାଟ ଅଳ୍ପ ଖୋଲି ଚାରି ଆଡକୁ ଚାହିଁଲେ କେହି କୁଆଡେ ନାହାନ୍ତି l କେହି ତାଙ୍କ ସଙ୍ଗେ ବଦମାସି କରୁ ନାହାନ୍ତି ତ l କିଛି ଅସମ୍ଭବ ନୁହେଁ l ଆଜି କଲି ବହୁ ବିଚିତ୍ର ଘଟଣା ଖବର କାଗଜରେ l ଚାରିଆଡୁ ଆଖି ବୁଲେଇ ଆଣି ସାରି କବାଟ ବନ୍ଦ କରିବାକୁ ଯାଉଥିବା ସମୟରେ ହଠାତ୍ ଗୌତମର ଆଖି ଦୁଆର ମୁଁହ ତଳକୁ ପଡିଲା l ଆରେ ଏ କଣ ଦୁହେଁ ସେଇ ଆଡେ ଚାହିଁଲେ l ଗୋଟେ ଛୋଟପିଲା ବେହୋସ ଅବସ୍ଥାରେ ପଡି ରହିଛି l


ଆଖ ପାଖରେ ଅନ୍ୟ କାହାକୁ ନଦେଖି ଅଗତ୍ୟା ପିଲାଟିକୁ ଘର ଭିତରକୁ ଟେକି ଟେକି ଆଣିଲେ l ହୁଏତ ପିଲାଟି ପାଣି ମାଗି ସାରିବା ପରେ ବେହୋସ ହୋଇ ଯାଇଛି l ପିଲାଟିର ହୋସ୍ ଆଣିବା ପାଇଁ ଦୁହେଁ ଲାଗିଗଲେ l ପ୍ରଥମେ ମୁହଁରେ ପାଣି ଛିଞ୍ଚି ସଫଳ ନହେବା ପରେ ଡାକ୍ତରୀ ବହିର ସାହାଯ୍ୟ ନେଲେ l ପିଲା ଟିର ଦେହ ଉଷୁମ ବି ଅଛି l ତାକୁ ଘୋଡ଼େଇ ଦେଇ ତାର ସେବାରେ ଲାଗିଗଲେ l ହୁଏତ ଏ ତାଙ୍କର ପ୍ରଥମ ଡାକ୍ତରୀ ପରୀକ୍ଷା ବୋଧେ l ସେମାନେ ଏବେ ଛାତ୍ର ମାତ୍ର l ପୁରା ଡାକ୍ତର ହବକୁ ଆହୁରି ଚାରି ବର୍ଷ ଲାଗି ଯାଇପାରେ l

ଆଉ ଶୋଇବେ କଣ ରାତି ସାରା ଚାହିଁବାକୁ ପଡିଲା l ପାହାନ୍ତିଆରେ ଆଖି ଟିକେ ଲାଗି ଯାଇଥିଲା ପିଲାଟି ଉଠି ମା, ବାପା କହି କାନ୍ଦିବାକୁ ଲାଗିଲା l ତାର କାନ୍ଦରେ ସେମାନଙ୍କ ନିଦ ଭାଙ୍ଗିଗଲା l ପିଲାଟି ପାଖକୁ ଆସି ଦେଖିଲେ ଜର ନାହିଁ l ସେମାନେ କାଲି ରାତିରେ ଘରେ ଥିବା କିଛି ଔଷଧ ଦେଇଥିଲେ l ପିଲାଟିକୁ ବୁଝାସୁଝା କରି ତା ବାପ ମାଙ୍କ କଥା ପଚାରିଲେ l ପିଲଟି କିଛି ନକହି ଜୋରରେ କାନ୍ଦିବାକୁ ଲାଗିଲା l ତାକୁ ସେମାନେ କିଛି ଖାଇବାକୁ ଦେଲେ କିନ୍ତୁ ପିଲାଟି ଖାଇଲାନି l କଣ କରିବେ କିଛି ବୁଝି ପାରିଲେନି ଗୀତା କହିଲା “ତାକୁ କିଛି ସମୟ ଦିଅ ହୁଏତ ସେ ଡରି ଯାଇଛି l”


ତାକୁ କାନ୍ଦିବାକୁ ଛାଡିଦେଇ ସେମାନେ ନିଜ କାମରେ ଲାଗିଲେ l ଆଶ୍ଚର୍ଯ୍ୟ ପିଲାଟି ଏତେ ରାତିରେ ତାଙ୍କ ବାରଣ୍ଡାକୁ ଆସିଲା କେମିତି ପୁଣି ବେହୋସ ଅବସ୍ଥାରେ l ବିଚିତ୍ର ଏ ଘଟଣା l ଗୌତମ ଆଉ ଗୀତାଙ୍କ ମନ ଭିତରେ ଅନେକ ପ୍ରଶ୍ନ l ବେଳେ ବେଳେ ପରସ୍ପର ସହିତ ଆଲୋଚନା କରୁଛନ୍ତି ତ ବେଳେ ବେଳେ ମନ ଭିତରେ କିଛି ସମାଧାନ ଖୋଜୁଛନ୍ତି l ପିଲାଟିକୁ ଯେତେ ଯାହା ପଚାରିଲେ ତା ବାପା ମାଙ୍କ କଥା କିଛି ବି କହୁନି l ବୟସ ସାତ ଆଠ ହୋଇଥାଇ ପାରେ l କିଛି ଦୁବୃର୍ତ୍ତଙ୍କ କାରସାଦି ନୁହେଁ ତ ! ପିଲାଟିକୁ ମାଧ୍ୟମ କରି କିଛି ଷଡଯନ୍ତ୍ର କରିବାରେ ଲାଗି ନାହାନ୍ତି ତ l

ପିଲାଟି କାନ୍ଦୁଛି ତ ନଚେତ କାନ୍ଦି କାନ୍ଦି ହାଲିଆ ଲାଗିଲେ ଶୋଇ ପଡୁଛି l ମଝିରେ ମଝିରେ ଭୋକ ଲାଗିଲେ କିଛି ଖାଇ ନେଉଥାଏ lପିଲାଟିର ଖାଇବା ଜିନିଷ ସରି ଯାଉଥିଲେ କିଛି ଖାଇବା ଆଣି ତା ପାଖରେ ପୁଣି ରଖି ଦେଉଥିଲେ ଗୀତା ଆଉ ଗୌତମ l ସେମାନେ ଏ ପରିସ୍ଥିତିରେ ଯେ କଣ କରିବେ କିଛି ବି ବୁଝି ପାରୁ ନାହାନ୍ତି l କାଲି ରବିବାର କଲେଜ ଛୁଟି l ଏ ରହସ୍ୟ ମୟ ପିଲାଟିର ପରିଚୟ ଜାଣିବାକୁ ସେମାନେ ଏବେ ବହୁତ ଇଛୁକ l ଏବେତ ଭୀଷଣ ଭାବେ ଭୟଭୀତ ପିଲାଟି, ମାନସିକ ଭାବେ ପ୍ରସ୍ତୁତ ହୋଇଗଲେ ତା ଠୁ ସବୁ ଜଣା ପଡିଯିବ ବୋଲି ଏଇ ଆଶାରେ ସେମାନେ ଚୁପ ରହିଗଲେ l


ସୋମବାର ସକାଳୁ ହଠାତ ଗୌତମ ସକାଳର ଖବର କାଗଜ ଦେଖି ପାଟି କରି ଉଠିଲା ଦେଖ ଗୀତା ଶନିବାର ରାତିରେ ଠିକ୍ ରାତି ଏଗାରଟା ପାଖା ପାଖି ଏକ ଦୁର୍ଘଟଣା ତାଙ୍କ ଘରର ଖୁବ ନିକଟରେ ଘଟି ଯାଇଥିଲା l ଦୁର୍ଘଟଣାରେ ମୃତ ବ୍ୟକ୍ତି ସ୍ଵାମୀ ଓ ସ୍ତ୍ରୀଙ୍କ ଫଟୋ ବାହାରିଛି l ଗାଡିରେ ଆଠ ବର୍ଷର ପିଲାଟିଏ ଥିଲା ତାର ପତା ନହିଁ l ପୋଲିସ୍ ପିଲାକୁ ଖୋଜୁଛି l ପିଲାଟି ମୃତ କି ଜୀବିତ ଏଯାଏ ଜଣା ପଡି ନାହିଁ l


ଗୌତମ କହିଲା ସେଇ ପିଲାଟି ଏଇ ପିଲା ନୁହେଁ ତ l ଗୀତା ହଠାତ ମନେ ପକେଇବାକୁ ଚେଷ୍ଟା କଲା ସେଦିନ ରାତିରେ ସେମାନେ ଜଣେ ବୟସ୍କ ବ୍ୟକ୍ତି ପାଣି ମାଗିବାର ଶୁଣିଥିଲେ l ପିଲାଟିତ ବେହୋସ ଅବସ୍ଥାରେ ଥିଲା l ସମୟ ସେଇ ଏଗାର ପରର ଘଟଣା l ଦୁହେଁ ପରସ୍ପରର ମୁହଁକୁ ଚାହିଁ ରହିଲେ କେବଳ l ସେମାନେ ଦୁଇଜଣ ଏକା କଥା ଭାବୁଥିଲେ ହେଁ ପ୍ରକାଶ କଲେ ନାହିଁ l ଏହା କିପରି ସମ୍ଭବ l ସେମାନେ ପୋଲିସକୁ ଡାକି ପିଲାଟିକୁ ସେମାନଙ୍କ ଜିମା କରେଇଥିଲେ ସତ କିନ୍ତୁ କଥାଟାକୁ ସେମାନେ ଯତେ ବୁଝିବାକୁ ଚେଷ୍ଟା କରୁଥିଲେ ତାହା ସେତେ ଅଡୁଆ ସୂତାରେ ପରିଣତ ହୋଇ ଚାଲୁଥିଲା l


ତେବେ କଣ ପିଲାଟିର ପିତା ମାତାଙ୍କର ମୃତ ଆତ୍ମା ଆଣି ପିଲାଟିକୁ ତାଙ୍କ ଘର ଆଗରେ ଛାଡି ଦେଇ ଯାଇଥିଲେ l ଯଦି ସେମାନେ ନୁହଁନ୍ତି ତେବେ କିଏସେ l ଯଦିବା ଅନ୍ୟ କେହି, ତେବେ ଏମିତି ଛାଡିଦେଇ ପିଲାଟିକୁ ଅସହାୟ ଭାବେ ଚାଲି ଯିବାର ଉଦେଶ୍ୟ କଣ l ଯଦି ବାପ ବା ମା ଆସିଥିଲେ ତେବେ ଏହା କିପରି ସମ୍ଭବ l ସେମାନଙ୍କ ମୃତଦେହ ତ ଗାଡି ଭିତରୁ ବାହାରିଥିଲା l ସେମାନଙ୍କ ମୃତ୍ୟୁର ଅଧ ଘଣ୍ଟା ପରେ ପିଲାଟିକୁ ସେମାନେ ପାଇଥିଲେ l


ସେମାନେ ଡାକ୍ତରୀ ଛାତ୍ର ଛାତ୍ରୀ ହୋଇ ନଥିଲେ ଆତ୍ମା, ଭୂତ, ପ୍ରେତରେ ବିଶ୍ଵାସ କରିଥାନ୍ତେ l କିନ୍ତୁ ବିଶ୍ଵାସ ନକରି ବି ରହି ହଉନି l ଯେତେ ପ୍ରକାର ଟାଣି ଓଟାରି ବିଭିନ୍ନ ସମ୍ଭାବନାକୁ ବିଭିନ୍ନ ଦିଗରୁ ଭାବି କିଛି ଏକ ମୀମାଂସାରେ ପହଞ୍ଚିଲା ବେଳକୁ ସବୁ ଗଡବଡ ହୋଇ ଯାଉଛି ଭାବନାରେ l ଏହା କିପରି ସମ୍ଭବ ! ସେଇ ଗୋଟିଏ ଉତ୍ତରହୀନ ପ୍ରଶ୍ନ l ଯଦି ସେମାନଙ୍କ ଅନୁମାନ ସତ ହୋଇଯିବ ତେବେ ସେଇଠି ସେମାନଙ୍କ ବିଜ୍ଞାନ ହାରିବାକୁ ବାଧ୍ୟ ହେବ l



Rate this content
Log in

Similar oriya story from Thriller