STORYMIRROR

Prashant Mahanta

Abstract Children Stories Classics

4.0  

Prashant Mahanta

Abstract Children Stories Classics

ଦୂରତ୍ୱ ବୋଧ

ଦୂରତ୍ୱ ବୋଧ

4 mins
164

କିଛି ବର୍ଷତଳେ ରାଉରକେଲାରେ ପ୍ରଥମ ଦିନ ଏବଂ ପ୍ରଥମଦିନରେ ହିଁ ପାଇଥିଲି ଏଇ ଇସ୍ପାତ ନଗରୀର ପ୍ରଥମ ବନ୍ଧୁ , Bunny l Bunny କେବଳ ଏକ ଛୋଟ ନାମ ତ ନୂହେଁ, ସେ ପ୍ରତିନିଧିତ୍ଵ କରେ ଶକ୍ତିନଗର ଇଲାକାର ପ୍ରତ୍ୟେକ ଶ୍ୱାନକୁ l ତାଙ୍କ ଗୋଷ୍ଠୀର ପ୍ରତ୍ୟେକ ମେମ୍ବରଙ୍କ ସୁବିଧା ଅସୁବିଧାରେ ସେ ଥାଏ ସବୁଠୁ ଆଗରେ l ଏହାକୁନେଇ ସପ୍ତାହକୁ ଥରେ ଦି'ଥର ମିଟିଙ୍ଗ ବି ବସେ l ୟେ ତ ଗଲା Bunny ର ସାମାଜିକ ଜୀବନ, ୟା ବାଦ୍ ଅଛି ~ବ୍ୟକ୍ତିଗତ~ ଶ୍ୱାନଗତ ଜୀବନ, ଯେଉଁଥିରେ ସେ ବେଶୀ ମହତ୍ତ୍ୱ ଦିଏ ଅଙ୍କଲ-ଆଣ୍ଟିଙ୍କୁ l ତାଙ୍କ ଘରର ସିକ୍ୟୁରିଟି ବିଭାଗ Bunny ହାତରେ l ୟା ନଜରରୁ ବର୍ତ୍ତି, କେହି ଚାହିଁଲେବି ପଶିପାରିବେ ନାହିଁ l କେହି ଅଜଣା ଲୋକ ଯଦି ପଶିଯାଏ, ତାକୁ ପ୍ରଥମେ Bunny ସ୍କାନ୍ କରିବ ମୁଣ୍ଡରୁ ପାଦ ଯାଏଁ, ଆଉ ତା ସହିତ ଟିକେବି ଚାଲାକି କଲେ, ସେ ଲୋକର ନିସ୍ତାର ନାହିଁ l ଅବଶ୍ୟ କେହି ଚିହ୍ନା ଆସିଲେ ତାଙ୍କୁ ଗେଟ୍ ରୁ ସସମ୍ମାନେ ପ୍ୟାରେଡ୍ କରି ତୋଳି ନେଇଯାଏ ଘର ଅଗଣାକୁ l ଏତେବଡ଼ ଇଲାକାର ନେତା ପୁଣି ଘରର ସିକ୍ୟୁରିଟି ମିନିଷ୍ଟ୍ରିର ମୁଖ୍ୟ, କେମିତି କେଜାଣି ମୋ ପରି ତୁଚ୍ଛ ମଣିଷ ପିଲାଟାର ବନ୍ଧୁ ହୋଇଗଲା...

ପ୍ରଥମେ ପ୍ରଥମେ ତ ମୋତେ ସ୍କାନ୍ କରିବାକୁ ଦିନକୁ ତିନି ଚାରିଥର ଚାଲିଆସି ରୁମ୍ ବାହାରେ ଛିଡାହେଉଥିଲା lକିନ୍ତୁ ମୁଁ ଥିଲି ଅନ୍ତର୍ମୁଖୀ (introvert)ବ୍ୟକ୍ତି,କବାଟ ବନ୍ଦକରି ଦିନସାରା ରୁମରେ ଏକା ବସୁଥାଏ l ଏହିକଥାଟା Bunny କୁ ଟିକେ ହଜମ ହେଲାନି lତାକୁ ଲାଗିଲା ମୁଁ କିଛି ଷଡ଼ଯନ୍ତ୍ରରେ ଲାଗିଛି ବୋଧେ l ତା ପରଠୁ ସେ ଝରକାରୁ ଉଣ୍ଡିମାରି ଦେଖିବାକୁ ଚେଷ୍ଟା କରେ l ସେ ସେମିତି କରୁଥିବାର ମୁଁ ତାକୁ ଦେଖିଦେଲେ ସେ ନଜର ଫେରେଇନିଏ ଏପଟ-ସେପଟକୁ l ମୁଁ କିଛିଦିନ ରହିବା ପରେ ମୋତେ ସେ ଟିକେ ଟିକେ ଚିହ୍ନିବାକୁ ଲାଗିଲା l ଯେତେବେଳେ ସେ ଠିକ୍ ଭାବେ ମୋତେ ଜାଣିନଥିଲା,ସେତେବେଳେ କେବଳ ଝରକାପଟେ ଟିକେ ଅନେଇଦେଇ ଚାଲିଯାଉଥିଲା,କିନ୍ତୁ ପରେ ଚିହ୍ନା ଜଣା ଯେତେବେଳେ ବଢିଲା,ତା'ର ମୋ ସହ ଖେଳିବାର କୌତୁହଳବି ବଢିଲା ଏବଂ ସେ ଚୁପଚାପ ଆସି ମୋ ରୁମ୍ ସାମ୍ନାରେ ଦୁଇଥର ଭୋ ଭୋ କରି ସ୍କୁଟି ପଛରେ ଲୁଚିଯାଏ,ନହେଲେ ରାତି ଅଧରେ ଆସି କବାଟକୁ ଆଉଜେଇ କଇଁ କଇଁ କରିବ ଆଉ ଯଦି ମୁଁ ନବାହାରେ ମୋ ଚପଲ ନେଇକି ଚମ୍ପଟ ମାରିବ l ରିସ୍କ ତ ନେଇହବନି ଯେମିତି ହେଲେ ବାହାରିବାକୁ ପଡ଼ିବ l ଆମର ଆଡ୍ଡାଥିଲା ଗାଡ଼ିଷ୍ଟାଣ୍ଡ ପାଖ ଆମ୍ବଗଛମୂଳ, କଙ୍କ୍ରିଟ୍ ବେଂଚ ଉପରେ ମୁଁ ଚକା ପକେଇ ବସିଥାଏ ଆଉ ସେ ଅପେକ୍ଷାରେ ଥାଏ ମୁଁ କେତେବେଳେ ତା'ର ମୁଣ୍ଡ ଆଉଁସିବି l 15-20 ମିନିଟ୍ ପରେ ମୁଁ ଯେତେବେଳେ ଉଠିବାକୁ ଉଦ୍ୟତ କରେ, ସେ ମୋ ଚାରିପାଖରେ ଦୁଇ ଘେରା ବୁଲି ଦେଇ ମୋ ଗୋଡ଼ରେ ଆସି ଘସି ହୁଏ ଏବଂ ଅଟକେଇବାକୁ ଶତଚେଷ୍ଟା କରେ l 


ଏମିତି କେତେମାସ ଗଲା, ମୋର କଲେଜରେ ବହୁତ ସାଙ୍ଗ ମଧ୍ଯ ବନିଲେ l କେହି କେବେ କେବେ ଆମ ରୁମ୍ ପଟକୁ ବି ଆସନ୍ତି l ମୁଁ ଆଉ ମୋ ସାଙ୍ଗ ସେଇ ଗଛ ମୂଳରେ କିଛି ଆଲୋଚନା କରୁଥିଲେ, Bunny ଚାଲିଆସି ମୋ ପାଖରେ ଛିଡା ହୁଏ, ମୁଁ ଯଦି ତାକୁ ଟିକେବି ଅଣଦେଖା କଲି, ମୋତେ ତ କିଛି କରିବନି, ମୋ ସାଙ୍ଗରେ ଯିଏ ଥିବ, ଗଁ ଗଁ କରି ତା'ର ପରିକ୍ରମା ତିନିଚାରି ଥର କରିନିଏ l ସତେ ଯେମିତି ତା'ର ଉପସ୍ଥିତି ଜଣେଇବାକୁ ଚେଷ୍ଟାକରି ଆମ ଆଲୋଚନାରେ ସାମିଲ୍ ହେବାକୁ ଚାହେଁ l କିଛି କହିନପାରିଲେ ବି, ତା'ର ଭାବଭଙ୍ଗୀ କହିଯାଏ ଢେର୍ ସାରା କଥା, କିଛି ହସର କିଛି ବେଦନାର l ମୋର ଡିଗ୍ରୀର ତିନିବର୍ଷକାଳ ସରିଲା, କଲେଜ ଜୀବନର ଶେଷସମୟରେ ସମସ୍ତେ ନିଜ ନିଜ ଘନିଷ୍ଠ ବନ୍ଧୁଙ୍କଠାରୁ ବିଦାୟ ନେଉଥାନ୍ତି l ପୁଣିଥରେ ମନେ ପକାଉଥା'ନ୍ତି କେମିତି ସବୁ ବିତିଗଲା କଲେଜ ସମୟ l କିଛି ସମୟ ସ୍ମୃତିର ସ୍ମିତହାସ୍ୟରେ ରହିଲା ପରେ ବୁଝିଯାଆନ୍ତି କି ବର୍ତ୍ତମାନ ବନ୍ଧୁତ୍ୱରେ ଦୂରତାକୁ ଏକ କାରକ ରୂପେ ଯୋଡ଼ିବାକୁ ପଡ଼ିବ l କିନ୍ତୁ ମୁଁ କଣ କରିବି? କେମିତି କ'ଣ କହି ବିଦାୟ ନେବି Bunny ଠାରୁ? କ'ଣ ସେ ବୁଝିପାରିବ ଏହି ଦୂରତାର ଧାରଣା? କ'ଣ ସେ ବୁଝିପାରିବ ମୋର ଅନୁପସ୍ଥିତିର କାରଣ?କାଲିଠାରୁ ଏ ଇଲାକାରେ ନ ପାଇ କ'ଣ ସେ ମୋତେ ଖୋଜିବାକୁ ଚେଷ୍ଟାକରିବ? ନା ମୁଁ ରୁମରେ ବନ୍ଦ ଅଛି ବୋଲି ଭାବି ସେ ଝରକାପଟରୁ ଦେଖିବାକୁ ଚେଷ୍ଟା କରିବ? ନା କବାଟ ଠକ୍ ଠକ୍ କରି ଲୁଚିଯିବ ଯାଇ ଗାଡି ପଛରେ? 


ପରେ ପରେ ରୁମ୍ ଛାଡିବା ଦିନ ଖୁବଶୀଘ୍ର ଆସିଗଲା l ଔପଚାରିକତା ହିସାବରେ ବିଦାୟ କିପରି ନେବି ବୁଝିନପାରି ତା'ପାଖରେ ଯାଇ ବସିପଡିଲି l ସେ ମୋ ଚଷମାଥିରେ ତା'ର ପ୍ରତିବିମ୍ବକୁ ଦେଖିବାକୁ ଚେଷ୍ଟା କରୁଥିଲା, କିନ୍ତୁ ମୁଁ ତା' ଆଡ଼କୁ ଚାହିଁ ମଧ୍ୟ ପାରୁନଥିଲି l କିଛି ସମୟପରେ ମୁଁ ମୋର ବ୍ୟାଗ୍ ପତ୍ର ସବୁ ବାହାର କଲାବେଳେ ସେ କିଛି ବୁଝିନପାରି ପାଖରେ ଆସି ଛିଡା ହେଇଗଲା lଜାଣିକି ଅଜଣା ଭାବେ ଥାଏ ନା କ'ଣ ମୁଁ ଜାଣିନି,କିନ୍ତୁ ମୋ ସଙ୍ଗେ ଗେଟ୍ ଯାଏଁ ଛାଡିବାକୁ ଆସିଥିଲା, ପୁଣି ମୁଁ ନ ଲିଭିବା ଯାଏଁ ସେ ବାଟକୁ ଚାହିଁ ଦେଖୁଥିଲା....


ଏତେ ସମୟପରେ ଗତ କାଲିକି ଯାଇଥିଲି, ସେହି ପୁରୁଣା ରୁମ୍ କୁ l ମୁଁ ଆଶା କରୁଥିଲି ଗେଟ୍ ଖୋଲୁ ଖୋଲୁ Bunny ମୋ ପାଖକୁ ଦୌଡ଼ିଆସି ମୋ ଗୋଡକୁ ଢୁସ ମାରିବ,କିନ୍ତୁ ଘଟିଲା ଓଲଟା l ଗେଟ୍ ଖୋଲି ପଶୁ ପଶୁ ତା'ର ଭୋ ଭୋ ରଡି ଆଉ ପ୍ରଶ୍ନାତ୍ମକ ଭଙ୍ଗୀରେ ପଚାରୁଥାଏ, ମୁଁ କୁଆଡେ ପଶି ଯାଉଛି ବୋଲି l ମୁଁ ଚମକି ପଡ଼ିଲି, ୟାର କଣ ହୋଇଗଲା ଅବଶ୍ୟ ତା'ର ଢଙ୍ଗରେ ରାଗ ମିଶା ଅଭିମାନତକ ବରାବର ବାରି ହୋଇ ପଡୁଥାଏ l ଗଲାପରେ ପ୍ରଥମତଃ ମୋତେ ଅଣଦେଖା କରୁଥିଲା, କିନ୍ତୁ ପରେ ସେହି ଗଛ ମୂଳରେ ଛିଡ଼ାହେବା ପରେ ମୋ ପାଖକୁ ଚାଲି ଆସିଲା l ମୋତେ ଲାଗୁଥିଲା ଏତେ ଦିନ ପରର ଦେଖାରେ ସେ ମୋତେ ଇଙ୍ଗିତ କରି ପଚାରିବ କି, ମୁଁ ଏତେ ପାଖରେ ଥାଇ ମଧ୍ୟ ତା'କୁ ଭେଟିବା ପାଇଁ କାହିଁକି ଆସୁନଥିଲି. କିନ୍ତୁ ସେ ପଚାରିଲାନି, ବୋଧହୁଏ ସମ୍ପର୍କ ଏବଂ ଦୂରତ୍ୱର ଅନୁଭୂତିକୁ ନେଇ ତା' ଜୀବନରେ କିଛିଟା ପୃଷ୍ଠା ଯୋଡ଼ି ହୋଇ ଯାଇଛି ଅଥବା. ଦୂରତା ମଧ୍ୟରେ ସମୀପତା ଏବଂ ସମୀପତା ମଧ୍ୟରେ ଦୂରତା, ଉଭୟ ପରିପ୍ରେକ୍ଷୀରେ ଜିଇଁ ସାରିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract