ଦୂର ପରବତ କୁଞ୍ଚିକୁଞ୍ଚିକା
ଦୂର ପରବତ କୁଞ୍ଚିକୁଞ୍ଚିକା
ଅତର ଲଗା ଚିଠି ପାଇଁ ଅପା ସିନା ପାଠରେ ଡୋରି ବାନ୍ଧି ଶାଶୁଘର ଗଲା କିନ୍ତୁ ଶ୍ରୁତି କଲେଜରେ ପଢିଲା ମାମୁଁ ଘରେ ରହି. ବାପା କହିଦେଇ ଗଲେ ଅଗ୍ନି ପରୀକ୍ଷା ଦେବାକୁ ପଡିବ. ମନ ଦେଇ ପାଠ ପଢ଼ିବୁ. ବାପା କହିଥିବା କଥାର ଭିତିରି ଅର୍ଥ ବୁଝିବାର ବୟସ ହୋଇନଥିଲେ ବି ଶ୍ରୁତି ବୁଝିଯାଇଥିଲା ଅନେକ କିଛି. ତାରି ହାତରେ ରମେଶ ଭାଇ ଦେଇଥିବା ଅତର ଲଗା ଚିଠିଟା ଅପା ନିକଟ ଯାଏଁ ନଯିବା ପୂର୍ବରୁ ବାପାଙ୍କ ହାତରେ ପଡିଥିଲା. ଅପାର କିଛି ଭୁଲ ନଥିଲା ବୋଲି କାନ୍ଦି କାନ୍ଦି କେତେ କହୁଥିଲେ ବି ଅପା ସେଦିନ ମାଡ଼ ଖାଇ ନଖାଇ ନପିଇ ଶୋଇଥିଲା ଶ୍ରୁତିକୁ ପିଠି କରି. ଆସ୍ତେ ହାତ ପକେଇଥିଲା ଅପା କାନ୍ଧରେ ଶ୍ରୁତି . ଚାହୁଁଥିଲା ଅନେକ କିଛି କହି, ଅସରାଏ ଲୁହ ଢାଳିଦେବ ଅପାର ରୋଳା ଫାଟିଥିବା ଆଞ୍ଜୁଳିରେ, ହେଲେ ଅପା ଛାଟି ଦେଇଥିଲା ତା ହାତ. ଖାଲି ସେତିକି ନୁହେଁ ବାହାଘର ବିଦାୟ ବେଳାରେ ମଧ୍ୟ ଆଡ଼ ଆଖିରେ ଚାହିଁନଥିଲା ଅପା ଶ୍ରୁତିକୁ. ଶ୍ରୁତି ଡାକୁଥିଲା ମାଆ ଦୁର୍ଗତିନାଶିନୀ ମାଆ ଦୁର୍ଗା ମୋ ଅପା ସୁଖରେ ରହୁ. ଅପା ସୁଖରେ ଥିଲା କି ନାହିଁ ଜାଣିବା ପୂର୍ବରୁ ଅପାର ପୁଅ ହୋଇଥିଲା ଆଉ ପୁଅକୁ ଧରି ଅପା ଯେବେ ଗାଁକୁ ଆସିଥିଲା ପୁଅ ମାଧ୍ୟମରେ ଅପା ସହ କଥାବାର୍ତ୍ତା ହେବାର ସୁଯୋଗ ମିଳିଥିଲେ ବି ମନଭରି ଅପା ସହ କଥା ହୋଇପାରିନଥିଲା ଶ୍ରୁତି ଯେହେତୁ ମାଟ୍ରିକ ପରୀକ୍ଷା ମୁଣ୍ଡ ଉପରେ ଥିଲା. ତା ପରେ ରେଜଲ୍ଟ ବାହାରିବା ଦିନ ଖୁସିରେ ଗଦ ଗଦ ହୋଇ ବାପା ଗାଁ ସାରା ମିଠା ବାଣ୍ଟୁଥିଲା ବେଳେ ଶ୍ରୁତି ଫୋନେ କରିଥିଲା ଅପା ପାଖକୁ କିନ୍ତୁ ଅପା ବଦଳେ ଅପା ଦିଅର ଫୋନ ଧରିଥିଲେ ତ ଶ୍ରୁତି ତା ପରୀକ୍ଷା ରେଜଲ୍ଟ ଅପାକୁ ଜଣେଇ ଦେବାକୁ କହିଥିଲା, ଆଉ ଆଶା କରିଥିଲା ଅପା ଖୁସିରେ ଫୋନ କରିବ କିନ୍ତୁ ସେମିତି କିଛି ଫୋନ ତ ଆସିଲାନି କିନ୍ତୁ ଶ୍ରୁତିର ବାହାଘର ପ୍ରସ୍ତାବ ନେଇ, ଅପାର ଦିଅର ପାଇଁ ଅପା ଶଶୁର ଆସିଥିଲେ ଘରକୁ. ଆଉ ପରେ ପରେ ଅପା ଦିଅର ବି ଥରେ ଦୁଇଥର ବିନା କାରଣରେ ଚକ୍କର କାଟୁଥିଲେ ଶ୍ରୁତି ଘରେ ଓ ଗାଁରେ. ଖାଲି ସେତିକି ନୁହେଁ, ଅତର ଲଗା ଚିଠି ଦୁଇ ଖଣ୍ଡ ପାଇଥିଲା ଶ୍ରୁତି ଆଉ ଧରାଇ ଦେଇଥିଲା ବାପାଙ୍କୁ. ଅପା ନାମରେ ଆସିଥିବା ରମେଶ ଭାଇର ଅତର ଲଗା ଚିଠି ପାଇ ଅପା ମାଡ଼ ଖାଇଥିଲା, ପାଠ ପଢିବା ବନ୍ଦ ହୋଇଯାଇଥିଲା କିନ୍ତୁ ଶ୍ରୁତି ନାମରେ ଆସିଥିବା ଅତର ଲଗା ଚିଠି ଯୋଗୁଁ ରାଜି ହେଉନଥିବା ବାପା ଶ୍ରୁତିର ପାଠ ପଢା ପାଇଁ ରାଜି ହୋଇଯାଇଥିଲେ. ଅତର ପକେଇ ଚିଠି ଲେଖିଥିବା ଅପା ଦିଅର ସଙ୍ଗେ ଶ୍ରୁତିର ବାହାଘର ଭାଙ୍ଗି ଯାଇଥିଲା. ବାପାଙ୍କ ଜବାବ ଥିଲା ଗୋଟେ ଘରେ ଦୁଇ ଭଉଣୀଙ୍କ ବାହାଘର କଲେ ଲୋକେ ବୋଲିବେ କଣ!କିଏ କେମିତି ଭାବେ କଥାଟାକୁ ଗ୍ରହଣ କାଟିଥିବେ କି ନାହିଁ ଅପା କିନ୍ତୁ ଶ୍ରୁତି ସହ ସମ୍ପର୍କ କାଟିଦେଇଥିଲା ସବୁଦିନ ପାଇଁ.
ପୁରୀରେ ମାମୁଁ ଘରେ ରହି ପଢିବା ବେଳେ ଗାଁରୁ ଗୋଟେ ସପ୍ତାହରେ ବାପାଙ୍କ ହାତ ଲେଖା ଚିଠି ତିନିଖଣ୍ଡ ପାଉଥିଲା ଶ୍ରୁତି. ଚିଠି ବଢ଼େଇଦେଇ ମାଇଁ ମାନେ କହୁଥିଲେ ନିଅ ତୁମ ଚିଠି. ଆମ କଥା କଣ ଲେଖିଛନ୍ତି ଭାଇ ଆମକୁ ଜଣେଇବ କହି ମାଇଁମାନେ ଚାଲିଯାଆନ୍ତି ଆଉ ଚିଠି ଖୋଲିବା ପୂର୍ବରୁ ଚିଠିଗୁଡା ବିନା ଅତରରେ ବାସୁ ଥାଏ ମହ ମହ. ଭିତରେ ତା ପାଇଁ ଅନେକ ସନ୍ଦେଶ ଥାଏ ଦିନ ଦିନକର ଘଟଣା ସମୁହ ସହିତ ଗାଇ ମାଇ ବାଛୁରୀ ଜନ୍ମ କରିଛି, ଖୁଡିଙ୍କ ବାପା ଚାଲିଗଲେ, ବାଡ଼ିରେ ଏବର୍ଷ ତିରିଶଟା ଲାଉ ଫଳିଛି. ଆଜି ବୋଉ ପିଠାଉ ଦେଇ କଖାରୁ ଫୁଲ ବରା କରିଥିଲା. ତତେ ଭଲ ଲାଗେ କହି ବ୍ୟସ୍ତ ହେଉଥିଲା. ମନ ଦେଇ ପଢ଼ିବୁ. ମାଇଁ ମାମୁଙ୍କ କଥା ମାନିବୁ. ଏତେ ସବୁ କଥା ଭିତରେ ଶ୍ରୁତି ଚାଁହୁଥିଲା ଅପା କେମିତି ଅଛି, ପୁଅ କେତେବଡ ହେଲାଣି ଜାଣିବାକୁ. ଥରେ ଥରେ ମାଇଁଙ୍କୁ କୁହେ ଅପା ଘରକୁ ଫୋନେ କରିବାକୁ ଅନୁମତି ମାଗେ ହେଲେ ମାଇଙ୍କ ଉତ୍ତର ଶୁଣି ସ୍ତବ୍ଧ ହୁଏ. ତୁମ ଅପାଙ୍କ ସହ ସମ୍ପର୍କ ରଖିଲେ କାଳେ ଆମ ବଡ଼ ନଣନ୍ଦେଇ ଦୁଃଖ କରିବେ, ହଉ କହୁଛ ଯଦି ନିଅ କଥା ହୁଅ. ଫୋନ ଲାଗେ. ପୁଅ କାନ୍ଦିବା ଶୁଭେ କିନ୍ତୁ ସେପଟୁ ଅପା ଦିଅର ପାଟି ଶୁଣି ରଖିଦିଏ ଶ୍ରୁତି. ଭାବେ ଅପା ଏଯାଏଁ ତାକୁ ଭୁଲ ବୁଝିଛି, ଅଭିମାନ କରିଛି ନା ସେ ପ୍ରତିକୂଳ ପରିସ୍ଥିତିରେ ଅଛି??ହଠାତ ଦିନେ ଅପା ଗାଁର ଝିଅଟିଏ ତା କ୍ଲାସମେଟ ଜାଣି ଅପା ଶାଶୁଘର ବିଷୟରେ ପଚାରି ବସିଲା ଶ୍ରୁତି. ଆଉ ତା ଠାରୁ ଯାହା ଶୁଣିଲା ତା ମୁଣ୍ଡରେ ବଜ୍ର ପଡିଲା. ଭିଣୋଇ ମଦ ଖାଇ ଅପା ଉପରେ ଭୀଷଣ ଅତ୍ୟାଚାର କରନ୍ତି. ଶାଶୁ ଶଶୁର ଅପାକୁ ଯୌତୁକ ତାଡନା ଦେଇଚାଲିଛନ୍ତି ଆଉ ତୁମ ସଙ୍ଗେ ତୁମ ଅପା ଦିଅର ମାନସଭାଇ ବାହାଘର ଭାଙ୍ଗିଯିବାରୁ, ଅପାଙ୍କୁ ଦାୟୀ କରି ଏକାଥନୀୟ ଅତ୍ୟାଚାର ସହୁଛନ୍ତି ତୁମ ଅପା.
ସେ ରାତି ଶୋଇପାରିନଥିଲା ଶ୍ରୁତି. ରମେଶ ଭାଇ ଅପାକୁ ଝୁରି ଏଯାଏଁ ବିବାହ କରିନଥିଲେ. ପ୍ରକୃତରେ ଯଦି ସେ ଅପାକୁ ଏତେ ଭଲ ପାଉଥିଲେ ଚିଠି କାହିଁକି ନିଜେ ପ୍ରସ୍ତାବ ନେଇ ଆସି ପାରିଥାନ୍ତେ ଅପା ହାତ ମାଗିବାକୁ. ଜାତି ଭିର୍ଣ୍ଣ ନଥିଲା. ରମେଶ ଭାଇ କୋଉଥିରେ କମ ନଥିଲେ ତ ବାପା କଥାଟାକୁ ବିଚାର ନକରି ଅପା ଭଳି ସର୍ବ ଗୁଣ ସମ୍ପର୍ଣ୍ଣ ଝିଅକୁ ମଦ୍ୟପ ସ୍ୱାମୀ ହାତରେ, ଏଇ ଚିଠି ପାଇଁ ଟେକି ଦେବା କେତେ ପ୍ରାସଙ୍ଗିକ ବୁଝିପାରୁନଥିଲା ଶ୍ରୁତି. ବାପାଙ୍କ ଚିଠିର ଜବାବରେ ସେ ଲେଖିଥିଲା, ବାପା ମୁଁ ଅପା ଦିଅରକୁ ବାହା ହେବାକୁ ଚାହେଁ. ଚିଠି ପାଇ ବାପା ଆସିଥିଲେ, କହିଥିଲେ ଏତେ ଆଶା ବିଶ୍ୱାସକୁ ଧୂଳିସାତ କରି ତୁ ଏପରି ନିଷ୍ପତ୍ତି ନେବୁ ମୁଁ ଭାବିନଥିଲି. ସହଜେ ପରୀକ୍ଷା ସାରିଥିଲା ଆଉ ବାହାଘର ବି ହୋଇଗଲା ଶ୍ରୁତିର. ପରିସ୍ଥିତି ସୁଧାର ଆସିଲା. ଅପା ପ୍ରତି ଶାଶୁଘର ଦୁର୍ବ୍ୟବହାର କମିଲା ଆଉ ଅପାର ଶ୍ରୁତି ସହ ନିକଟତର ହେବା ଶ୍ରୁତିକୁ ଖୁସି ଆଣିଦେଇଥିଲା.ମାଆ ଦୁର୍ଗତିନାଶିନୀ ଦୁର୍ଗାଙ୍କ କରୁଣାରୁ ଦୁଇ ଭଉଣୀ ଖୁସିରେ ଥିଲେ ବି ବାପା ଓ ବାପଘର ସୁଖ ଦୂରେଇ ଯାଇଥିଲା ଦୁଇ ଭଉଣୀଙ୍କ ଜୀବନ ପରିଧିରୁ ।
