The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Biswanath Nayak

Tragedy

3  

Biswanath Nayak

Tragedy

ଦୂର ପାହାଡ

ଦୂର ପାହାଡ

6 mins
505



ବିନୟ ଠାରୁ ସବୁ କଥା ଶୁଣିସାରିଲା ବେଳକୁମୋ ଆଖି ଲୁହ ଛଳଛଳ ହୋଇଯାଇଥିଲା। ରଘୁ ମଉସାଙ୍କ ଭଳି ସ୍ଵାଭିମାନୀ ମଣିଷର ଶେଷ ଜୀବନଟା ଯେ ଏଭଳି ଭାବରେ ଦୁଖଃମୟ ହେବ ଏକଥା ମୁଁ ସ୍ଵପ୍ନରେ ସୁଦ୍ଧା ଭାବିନଥିଲି। ରଘୁ ମଉସା ମୋ ପଢାସାଙ୍ଗ ଅଶୋକର ବାପା। ଅଶୋକ ସହିତ ଛୁଟିରେ ମୁଁ ଅନେକ ଥର ତାଙ୍କ ଘରକୁ ଯାଇଛି। ବିଶେଷରି ଦୋଳଛୁଟି ସମୟରେ ତାଙ୍କ ଗାଁରେ ମୋ ଛୁଟିଟା କଟେ। ଯଦି କୌଣସି କାରଣରୁମୁଁ ଯାଇନଥାଏ ମାଉସୀ ଅଶୋକ ହାତରେ ମୋତେ ଡକାଇ ପଠାନ୍ତି। ଭାରି ସ୍ନେହୀଲୋକ। ପାଖରେ ବସି ବଳେଇ ବଳେଇ ଖୁଆଉଥିବେ। ତାଙ୍କ ସ୍ନେହରେ ଅଶୋକ ଆଉ ମୋ ପାଇଁ କିଛି ଫରକ ଥିବାଭଳି ମୁଁକେବେ ଅନୁଭବ କରିନାହିଁ। ୟାକୁ ବୋଧେ କୁହନ୍ତି ଅନାବିଳ ସ୍ନେହ। ଗୋଟିଏବୋଲି ପୁଅ ହୋଇଥିବାରୁ ଅଶୋକ 

ଖୁବ୍ ଗେହ୍ଲାରେ ବଢିଥାଏ। ତାର କୌଣସି କଥା ମଉସା ମାଉସୀ ଅପୂରଣ ରଖନ୍ତି ନାହିଁ। ମଉସା ଭାରି ସ୍ଵାଭିମାନୀ ଲୋକ। ଅନ୍ୟାୟ ଆଗରେ ଆଦୌ ମୁଣ୍ଡ ନୁଆଁଇବେନାହିଁ।କାଉଁରିଆ କାଠିଭଳି ଭାଙ୍ଗିଯିବେ ପଛେ ନଇଁବେ ନାହି। ରେଭେନ୍ସା ମହାବିଦ୍ୟାଳୟରୁ ଏମ.ଏ.ପାସ୍ କଲାପରେ ମୁଁ ଆସ୍କା ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗ ଦେଲି। ଅଶୋକ ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ଏମ.ଏସସି. ଓ ଏମ.ଫିଲ ସାରି ଉଚ୍ଚଶିକ୍ଷା ପାଇଁ ବିଦେଶ ଗଲା।ସେତେବେଳେ ମୋବାଇଲ ଫୋନର ଏତେ ସୁବିଧା ନଥିବାରୁ ଅନେକ ଦିନ ଧରି ଆମ ଭିତରେ କିଛି ଯୋଗାଯୋଗ ନଥିଲା।ମୁଁ ଯେତେବେଳେ ଘରକୁ ଆସେ ବେଳେବେଳେ ମଉସାଙ୍କ ସହ ଜଗତସିଂହପୁର ବଜାରରେ ଦେଖାହୁଏ। ମୁଁ ଅଶୋକ ବିଷୟରେ ପଚାରେ।" ହଁ ସେ ଭଲରେ ଅଛି। ଏବେ ଚିଠି ଦେଇଥିଲା। ଆଉ ତୁମେ କେମିତି ଅଛ?ଘରେ ସମସ୍ତେ ଭଲ ଅଛନ୍ତି ତ? ଅଶୋକ ବାହାରକୁ ଗଲାପରେ ଆଉ ତ ତୁମର ଦେଖାନାହିଁ। କଣ ମଉସା ମାଉସୀଙ୍କୁ ପୁରା ଭୁଲିଗଲ?ମାଉସୀ ତ ସବୁବେଳେ ତୁମକୁ ମନେ ପକାନ୍ତି।ଯେତେବେଳେ ଘରକୁ ଆସୁଛ ସମୟ ବାହାର କରି ଆମ ଘରଆଡେ ଟିକେ ଆସ।ମାଉସୀ ତୁମକୁ ଦେଖିଲେ ଭାରି ଖୁସି ହେବେ।" ମୋର ବି ଆପଣମାନଙ୍କ କଥା ମନେପଡେ। କିନ୍ତୁ କଣ କରିବି? ସମୟ ଅଭାବରୁ ଯାଇ ହେଉନାହିଁ। ଅଶୋକ ଯେବେ ଘରକୁ ଆସିବ ମୋତେ ଟିକେ ଜଣାଇବେ। ମୁଁ ଛୁଟି ନେଇ ନିଶ୍ଚୟ ଆସିବି।

      ପାଣିପରି ସମୟଟା କେତେ ଶୀଘ୍ରବହିଯାଏ ଜଣା ପଡେନାହିଁ। ୟା ଭିତରେ ପାଞ୍ଚ ବର୍ଷ ବିତିଗଲାଣି। ମୁଁ ବଦଳି ହୋଇ ଅଳକା ମହାବିଦ୍ୟାଳୟରେ ଯୋଗଦେଇଥାଏ। ଘରୁ ସବୁଦିନେ ସ୍କୁଟରରେ ଯିବା ଆସିବା କରିବାକୁ ପଡେ।କଲେଜ କାମସାରି ଫେରୁଛି। ପୋଷ୍ଟ ଅଫିସ ଛକ ପାଖରେ ମଉସାଙ୍କୁ ଦେଖି ସ୍କୁଟର ଅଟକାଇଲି। ଅଳକା କଲେଜକୁ ବଦଳି ହୋଇଛି ଶୁଣି ମଉସା ଭାରି ଖୁସି ହେଲେ।କହିଲେ"ଏବେତ ପାଖକୁ ଆସିଲ। ଆମ ଘରଆଡେ ଟିକେ ଆସ।" ହଁ ଏଥର ନିଶ୍ଚୟ ଯିବି। "ଆଚ୍ଛା, ଅଶୋକ ଖବର କଣ? ସେ ଆଉ ଘରକୁ ଆସିନି? ନା,ଆସିନି।ସେ ସେଇଠି ଚାକିରୀ ପାଇ ଯାଇଛି। କାର୍ଯ୍ୟବ୍ୟସ୍ତତା ଯୋଗୁଁ ଆସି ପାରିନି ବୋଲି ଚିଠିରେ ଲେଖିଥିଲା।"ଏତିକି କଥା ଭିତରେ ପାରାଦ୍ଵୀପ ବସ୍ ଆସିଯାଇଥିଲା। 'ନିଶ୍ଚୟ ଘରଆଡେ ଆସିବ' କହିଦେଇ ମଉସା ତରତରରେ ବସ୍ ଭିତରକୁ ଉଠି ଯାଇଥିଲେ।

      ସେଦିନ ଥାଏ ପଣା ସଂକ୍ରାନ୍ତି।କଲେଜ ଛୁଟି ଥାଏ।ଭାବିଲି ଏମିତି ତ ସମୟ ବାହାର କରି ତାଙ୍କ ଘରକୁ ଯାଇ ହେଉନି ଆଜି ଯେମିତି ହେଉ ଯାଇ ମଉସାମାଉସୀଙ୍କୁ ଦେଖାକରି ଆସିବି।ସକାଳର ନିତ୍ୟକର୍ମ ସାରି ମଉସାଙ୍କ ଘରେ ପହଞ୍ଚିଲା ବେଳକୁ ଦିନ ପ୍ରାୟ ଦଶଟା ପାଖାପାଖି ହେବ।ମଉସା ଘରେ ନଥାନ୍ତି। ମାଉସୀ ମୋତେ ଦେଖି ଭାରି ଖୁସି ହେଲେ। ମିଠା ପ୍ୟାକେଟଟା ତାଙ୍କ ହାତରେ ଧରାଇଦେଇ ମୁଣ୍ଡିଆ ମାରିଲା ବେଳକୁ ସେ ମୋ ପିଠିରେ ସ୍ନେହରେ ଟିକେ ହାତ ବୁଲେଇ ଆଣିଲେ। ସେଇ ପରଶ ଟିକକ ଏତେ ଦିନର ବ୍ୟବଧାନକୁ ନିମିଷକେ ଦୂର କରି ଦେଲା। ତାପରେ ଖାଇବା ଖବର ବୁଝିବାରେ ସେ ଖୁବ୍ ବ୍ୟସ୍ତ ହୋଇପଡିଲେ। ମନେମନେ ମଉସାଙ୍କ ଉପରେ ବିରକ୍ତ ହୋଇ କହୁଥାନ୍ତି।"ସବୁବେଳେ ସେଇଗାଁ ବୁଲା ଗଲାନି। ଏତେଦିନ ପରେ ପିଲାଟା ଆମ ଘରକୁ ଆସିଛି। ଘରେ ଥିଲେ କାହାକୁ ଡାକି ତା ପାଇଁ ପଇଡ ଦି'ଟା ଗଛରୁ ତୋଳେଇ ନଥାନ୍ତେ।"ଚଉକି ଉପରେ ବସି ମାଉସୀ ଦେଇଥିବା କ୍ଷୀର ଗ୍ଲାସଟାରୁ ଟିକେ କ୍ଷୀର ପିଇ କହିଲି 'ଆପଣ କିଛି ବ୍ୟସ୍ତ ହୁଅନ୍ତୁନି,ମଉସା ଆସିଯିବେନି।'ଅନେକ ଦିନର 

ବ୍ୟବଧାନ ପରେ ଦେଖା ହୋଇଥିବାରୁ ମାଉସୀ ମୋ ଆଗରେ ପୁରୁଣା ସ୍ମୃତି ସବୁ ରୋମନ୍ଥନ କରି ଚାଲିଥିଲେ।କଥା ପ୍ରସଙ୍ଗରେ ଅଶୋକର ବିଭାଘର କଥା ଉଠିଲା।ମାଉସୀ କହିଲେ। "ଦେଖ ପୁଅ,ମୋର ତ ବୟସ ହେଲାଣି। ନ'ଟା କି ଛ'ଟା ନାହିଁ, ଗୋଟିଏ ବୋଲି ତ ପିଲା। ତାକୁ ହାତକୁ ଦି'ହାତ କରିଦେଲେ ଯାଏ। ତେଣିକି ତାଙ୍କ ଘରସଂସାର ଦାୟିତ୍ୱ ସେମାନେ ବୁଝିବେ। ଆଶୁ ଘରକୁ ଆସିବ ବୋଲି ଚିଠି ଦେଇଛି।ମଉସାଙ୍କୁ ଭଲ ଝିଅଟିଏ ଠିକ୍ କରିବା ପାଇଁ କହିଛି।ଏଥର ଯିବା ପୂର୍ବରୁ ବିଭାଘର କାମଟା ସାରିଦେଲେ ମୋରଛୁଟି।"ମୁଁକହିଲି ,ଠିକ୍ଅଛି ମାଉସୀ,ଅଶୋକ ଏଥର ଆସୁ ,ସେ କାମଟା ସାରିଦେବାଟା ଉଚିତ ହେବ। ମାଉସୀଙ୍କ ସହ ଏତିକି କଥାବାର୍ତ୍ତା ଭିତରେ ମଉସାଆସି ପହଞ୍ଚି ଯାଇଥିଲେ।ମୋତେ ଦେଖି ଭାରି ଖୁସି ହେଲେ। କହିଲେ 'ଯାହାହେଉ ଏତେଦିନ ପରେ ଆମକଥା ମନେପଡିଲା।'ଅଶୋକର ବିଭାଘର ବିଷୟରେ ସେ ଆମ କଥା ଶୁଣି ସାରିଥିଲେ।କହିଲେ,'ପାଖ ଗାଁର ମହାପାତ୍ର ବାବୁଙ୍କ ଝିଅ ସହିତ ପ୍ରସ୍ତାବ ପକାଇଛି।ମୁଁ ଝିଅଟିକୁ ଦେଖିଛି। ଅଶୋକ ଆସୁ ,ସେ ଯଦି ଚାହିଁବ ତା ସହିତ ତୁମେ ଟିକେ ଯାଇ ଝିଅ ଦେଖି ଆସିବ। ତାପରେ ଆମେ ଆଗେଇବା।'ମୁଁ ତାଙ୍କ କଥାରେ ସମ୍ମତି ଜଣାଇ ଘରକୁ ଫେରିବା ପାଇଁ ଅନୁମତି ମାଗିଲି।କିନ୍ତୁ,ମାଉସୀଙ୍କର ଏକାଜିଦ୍ ,ଖାଇସାରି ଯିବ।'ନାଇଁ ମାଉସୀ, ଜଗତସିଂହପୁରରେ ଜଣକୁ ଦେଖାକରିବାର ଅଛି। ଅଶୋକ ଆସିଲେ ମୁଁ ପୁଣି ଆସିବି। ସେହିଦିନ ନିଶ୍ଚୟ ଖାଇବି' କହି ସେମାନଙ୍କ ଠାରୁ ବିଦାୟ ନେଇ ଚାଲି ଆସିଲି।

         ଠିକ୍ ପନ୍ଦର ଦିନ ପରେ ମୁଁ ଷ୍ଟେଟବ୍ୟାଙ୍କ ପାଖରେ ଟଙ୍କା ଉଠେଇବା ପାଇଁ ଠିଆ ହୋଇଛି,ଅଶୋକ ମୋତେ ପଛରୁ ଡାକିଲା। ଅନେକ ଦିନ ପରେ ଭେଟ ହୋଇ ଥିବାରୁ ଦୁଇବନ୍ଧୁ ଅନେକ ଗପିଲୁ। ସେଥିରୁ ଅଧିକାଂଶ ଥିଲା ତାର ବିଦେଶ ରହଣିର ଅନୁଭୂତି। ସେ କହିଲା, 'ଆରେ, କାଲି ମୁଁ ତୁମ ଘରକୁ ଯାଇଥାନ୍ତି। ତୋତେ ନିମନ୍ତ୍ରଣ ଦେବାପାଇଁ। ବିଭାଘର ଠିକ୍ ସରିଛି। ବାପା କହୁଥିଲେ, ଝିଅ ଦେଖିବା ପାଇଁ। ମୁଁ ମନା କଲି।ବାପା ଯେତେବେଳେ ଦେଖି ପସନ୍ଦ କରିଛନ୍ତି ମୋର ଆଉ ଦେଖିବାର ଆବଶ୍ୟକତା କଣ? ଦେଖ୍ ମେ' ମାସ ଦଶ ତାରିଖରେ ବାହାଘର । ଯେମିତି ହେଲେ ଗୋଟିଏ ଦିନ ଆଗରୁ ଆସି ମୋତେ ସାହାଯ୍ୟ କରିବୁ,ନହେଲେ ତୋ ବିଭାଘରକୁ ମୁଁ ଆଦୌ ଆସିବି ନାହିଁ।'ହଉ,ହେଲା। ମୁଁ ନିଶ୍ଚୟ ଯାଇ ପହଞ୍ଚିବି।'ବାପା ମୋତେ ନାଲିବର ପାଖରେ ଅପେକ୍ଷା କରିଥିବେ' କହିସେ ମୋ ପାଖରୁ ବିଦାୟ ନେଲା। 

           ନିର୍ଦ୍ଧାରିତ ତିଥିରେ ଅଶୋକର ବିଭାଘର ସରିଗଲା। ମାଉସୀଙ୍କ ଖୁସି କହିଲେ ନସରେ। ଗୋ କନ୍ୟା ଭାଗ୍ୟେ ଥିଲେ ମିଳେ। ଏକଥା ଶତପ୍ରତିଶତ ସତ। ରୂପ, ଗୁଣ କେଉଁଥିରେ ଅଶୋକର ପତ୍ନୀ ଅଙ୍କିତା କମ ନଥିଲା। ଅଶୋକ ଆଉ ମୁଁ ବସି ତାର ବିଦେଶ ଫେରିବା କଥା ଆଲୋଚନା କଲାବେଳେ ମଉସା ମୋତେ କହିଲେ, "ଦେଖ ପୁଅ!ମୁଁ ଅଶୋକକୁ କହିଛି, ତୁମେ ବି ତାକୁ ଟିକେ କହିଦିଅ।ବିଦେଶ ଯାଗା। ବୋହୂକୁ ସାଙ୍ଗରେ ନେଉଛି। ଅଫିସ୍ ର କାର୍ଯ୍ୟବ୍ୟସ୍ତତା ଭିତରେ ତାକୁ ଯେମିତି ଅବହେଳା 

ନକରେ। ମୁଁ ତାକୁ ବୋହୂ ନୁହେଁ ଝିଅଭଳି ରଖିବି ବୋଲି ସମୁଦିଙ୍କୁ କଥା ଦେଇଛି।'ମୁଁ କହିଲି ମଉସା! ଅଶୋକ ଆପଣଙ୍କ ପୁଅ। ଆପଣ କଣ ତାକୁ ଜାଣି ନାହାନ୍ତି? ଆପଣଙ୍କ ଦେଇଥିବା କଥା ସେ ନିଶ୍ଚୟ ରଖିବ।' ମୋ କଥା ଶୁଣି ଅଶୋକ ମୁହଁରେ ଏକ ସ୍ମିତହାସ୍ୟରେଖା ଖେଳି ଯାଇଥିଲା।ଯେତେ ଶୀଘ୍ର ପାସପୋର୍ଟ ହୋଇଯିବ ଅଙ୍କିତାକୁ ନେଇ ସେତେଶୀଘ୍ର ଚାଲିଯିବ ବୋଲି ଅଶୋକ କହିଲା।ବିଦେଶରେ ପହଞ୍ଚିଲା ପରେ ମୋତେ ପତ୍ର ମାଧ୍ୟମରେ ତାର ଭଲମନ୍ଦ ଜଣାଇବ ବୋଲି କଥା ଦେଲା। 

ତାପରେ ମଉସା ମାଉସୀଙ୍କ ଠାରୁ ବିଦାୟ ନେଇ ମୁଁ ଘରକୁ ଫେରିଆସିଲି।

     ଦୈନନ୍ଦିନର କାର୍ଯ୍ୟରେ ବ୍ୟସ୍ତ ରହି ୟା ଭିତରେ ପ୍ରାୟ ଛ ମାସ ବିତିଗଲାଣି। ହଠାତ ରଘୁ ମଉସାଙ୍କ ଭଣଜା ବିନୟ ସହିତ ମୋର ଜଗତସିଂହପୁର ବସ୍ ଷ୍ଟାଣ୍ଡରେ ଦେଖା ହେଲା।ପଚାରିଲି, ବିନୟ! ମଉସା ମାଉସୀ କେମିତି ଅଛନ୍ତି?

ସେଇ ବାହାଘର ବେଳେ ଯାହା ଦେଖା ହୋଇଥିଲା।ଆଉ ଅଶୋକର ଖବର କଣ? ସେ ତ ଗଲାପରେ ଖଣ୍ଡେ ବି ଚିଠି ଦେଲାନି। ବରଂ ମୁଁ ଯେଉଁ ଚିଠି ଦେଇଥିଲି ତାର ଉତ୍ତର ବି ମୁଁ ପାଇଲିନି। ଦେଖିଲି ବିନୟ ଆଖିରେ ଆଖିଏ ଲୁହ ନେଇ

ଆଶ୍ଚର୍ଯ୍ୟ ହୋଇ ମୋ ମୁହଁକୁ ଚାହିଁଛି। ମୁଁ ଟିକେ ବ୍ୟସ୍ତ ହୋଇ ପଚାରିଲି,'ଆରେ କିଛି କହୁନ କାହିଁକି? କଣ ହୋଇଛି?' ସେ କହିଲା,'ଆପଣ କଣ କିଛି ଜାଣି ନାହାନ୍ତି?ପ୍ରାୟ ମାସେ ହେବ ମାମୁଁ ଚାଲିଗଲେଣି।'ମୁଁ ବିବ୍ରତ ହୋଇ ପଚାରିଲି,

ହଠାତ୍ ଏସବୁ କେମିତି ହେଲା?ମଉସା ମାସେ ହେବ ଚାଲିଗଲେଣି ଅଥଚ ମୁଁ ଟିକେ ଜାଣି ପାରିଲି ନାହିଁ।ତାଙ୍କର କଣ ହୋଇଥିଲା ବିନୟ?ବିନୟ କହିଲା,ଅଶୋକ ଭାଇ ଭାଉଜଙ୍କୁ ନେଇ ଚାଲିଯିବା ପରେ ମାମୁଁ ମାଇଁ ଖୁବ୍ ଆନନ୍ଦରେ ଥିଲେ। ସେଦିନ କଣ ଗୋଟାଏ କାମରେ ମୁଁ ମାମୁଁଙ୍କ ପାଖକୁ ଆସିଥାଏ। ହଠାତ୍ ଅଶୋକ ଭାଇଙ୍କ ଶଶୁର ଅଙ୍କିତା ଭାଉଜ ଦେଇଥିବା ଗୋଟିଏ ଚିଠି ଧରି ମାମୁଁଙ୍କ ପାଖରେ ପହଞ୍ଚିଲେ। କହିଲେ, ସମୁଦି!ଆପଣ ମୋ ଝିଅର ଜୀବନ ସହିତ କାହିଁକି ଖେଳ ଖେଳିଲେ?ଆପଣ ଅଙ୍କିତାକୁ ବୋହୁ ନୁହେଁ ଝିଅ ଭଳି ରଖିବେ ବୋଲି ମୋତେ କଥା ଦେଇଥିଲେ। କିନ୍ତୁ! ପଢନ୍ତୁ, ଏ ଚିଠିରେ ମୋ ଝିଅ କଣ ଲେଖିଛି। ମାମୁଁ କିଛି ପଚାରିବା ଆଗରୁ ସେ ତାଙ୍କ ହାତରେ ଚିଠିଟି ଧରାଇଦେଇଥିଲେ। ଚିଠିଟିକୁ ପଢି ମାମୁଁଙ୍କ ପାଦତଳୁ 

ମାଟିଖସି ଯାଇଥିଲା।'ଏକ ବର୍ଷ ହେଲା ଅଶୋକ ଭାଇ ତାଙ୍କ ଅଫିସ୍ ରେ କାମ କରୁଥିବା ଜଣେ ବିଦେଶୀନି ମହିଳାଙ୍କ ସହିତ ବିବାହ କରି ସାରିଛନ୍ତି।'ମାମୁଁଙ୍କ ଆଗରେ ଏକଥା କହିବାର ସତ୍ ସାହସ ତାଙ୍କର ନଥିଲା। ଏପଟେ ବାପା ମା'ଙ୍କ କଥା 

ଭାଙ୍ଗି ନପାରି ସୁନାପିଲା ପରି ଚୁପଚାପ ବେଦୀରେ ବସି ବାହାହୋଇ ପଡିଲେ। ଭାବିଥିଲେ ଭାଉଜଙ୍କୁସାଥିରେ ନେଇ ନିଜର ଅସହାୟତା ବିଷୟରେ ତାଙ୍କୁ ବୁଝେଇ ଶୁଝେଇ ପରିସ୍ଥିତିକୁ ସମ୍ଭାଳି ନେବେ। ସେଥିପାଇଁ ଭାଉଜଙ୍କ ପାଖରେ 

ନିଜର ଭୁଲ୍ ସ୍ଵୀକାର କରି ଏକଥା ଘରକୁ ନ ଜଣେଇବା ପାଇଁ ଯେତେ ଅନୁରୋଧ କଲେ ମଧ୍ୟସେ ସେଥିରେ ସଫଳ ହୋଇନଥିଲେ। କେଉଁ ନବବିବାହିତା ପତ୍ନୀ ସ୍ଵାମୀର ଏଭଳି ଚରିତ୍ରକୁ ବରଦାସ୍ତ କରି ପାରିବ?ଭୁଲ୍ କୁ କ୍ଷମା କରା 

ଯାଇପାରେ କିନ୍ତୁ ଅପରାଧକୁ ନୁହେଁ।ଅଶୋକ ଭାଇ ଅପରାଧୀ, ସେଥିପାଇଁ ସେ ଦଣ୍ଡ ପାଇବା ଦରକାର। ନାରୀର ସାମାନ୍ୟ ଭୁଲ୍ ନଥାଇ ମଧ୍ୟ ଅନେକ ସମୟରେ ପୁରୁଷ ପାଖରେ ଯଦି ତାକୁ ଅଗ୍ନିପରୀକ୍ଷା ଦେବାକୁ ପଡୁଛି ଏତେବଡ ଅପରାଧ ପାଇଁ 

ସେ ଅବା ଭାଇଙ୍କୁ କ୍ଷମା କରିଥାନ୍ତେ କେମିତି?ସେଥିପାଇଁ ସେ ସବୁକଥା ଚିଠିରେ ଲେଖି ତାଙ୍କୁ ସେଠାରୁ ଯେତେଶୀଘ୍ର ଫେରେଇ ଆଣିବାକୁ ତାଙ୍କ ବାପାଙ୍କୁ ଅନୁରୋଧ କରିଥିଲେ। 

        ଚିଠିଟିକୁ ପଢିସାରି ମାମୁଁ ପାଖରେ ପଡିଥିବା କାଠ ଚେୟାର ଉପରେ ଥକାମାରି ବସି ପଡିଥିଲେ। ହାତଯୋଡି କହିଲେ,' ସମୁଦି!ମୋତେ କ୍ଷମା କରି ଦିଅନ୍ତୁ। ମୋ ଦେଇଥିବା କଥା ମୁଁ ରଖି ପାରିଲି ନାହିଁ।'ଭାଉଜଙ୍କ ବାପା ନିଜ ଝିଅର ଅନିଶ୍ଚିତ ଭବିଷ୍ୟତ ବିଷୟରେ ଭାବି ଏତେ ବିବ୍ରତ ହୋଇପଡିଥିଲେ ଯେ ସେ କିଛି ଶୁଣିବା ଅବସ୍ଥାରେ ନଥିଲେ। କହିଲେ, ଠିକ୍ ଅଛି। ମୋ ଝିଅ ଆଗ ମୋ ପାଖକୁ ଫେରିଆସୁ,ତା'ପରେ ଅନ୍ୟ କଥା। ଏହା କହି ସେ ସେଠାରୁ ଚାଲି ଯାଇଥିଲେ।ଆପଣ ତ

ଜାଣିଛନ୍ତି, ମାମୁଁ କେତେ ସ୍ଵାଭିମାନୀ ଲୋକ। ମୋତେ କହିଲେ, ଦେଖ୍ ବିନୁ! ଆଜି ଯାଏ ମୁଁ ଏମିତି କିଛି କାମ କରିନି ଯାହା ପାଇଁ ଅନ୍ୟ ଆଗରେ ମୋତେ ହାତଯୋଡି କ୍ଷମା ମାଗିବାକୁ ପଡିବ। ଆଜି କିନ୍ତୁ ଗୋଟାଏ କୁଳାଙ୍ଗାର ପାଇଁ ମୋର ମୁଣ୍ଡ ତଳକୁ ହୋଇଗଲା। ମୋ ପୁଅ ହୋଇ ସେ ଏତେବଡ ଭୁଲ୍ କଲା କେମିତି?ମାଇଁ କାନ୍ଦି କାନ୍ଦି ଗୋଟିଏ ପଥର ମୂର୍ତ୍ତିଭଳି କାନ୍ଥକୁ ଆଉଜି ବସି ରହିଥାନ୍ତି।     ତାପରେ ମାମୁଁ ମୋ ପିଠିରେ ହାତ ରଖି କହିଲେ, 'ମୋର ଗୋଟିଏ କଥା ରଖିବୁ? ମୁଁ କହିଲି କଣ କୁହନ୍ତୁ। 

ସେ କହିଲେ, ଅଶୋକର ଏ ଅପରାଧ ପାଇଁ ମୁଁ ତାକୁ କେବେ କ୍ଷମା କରିପାରିବି ନାହିଁ। ମୁଁ ଯଦି ମରିଯାଏ ତୁ ମୋ ମୁହଁରେ ନିଆଁ ଦେବୁ। ମୋର ଶୁଦ୍ଧିକ୍ରିୟା ତୁ ସବୁ ସମ୍ପାଦନ କରିବୁ। ସେ ଅଧିକାର ମୁଁ ତୋତେ ଦେଉଛି।' ତାଙ୍କ ମୁଣ୍ଡରେ ମୋ

ହାତକୁ ରଖି କହିଲେ 'ମୋତେ ଏତିକି କଥା ଦେ।ତାହେଲେ ମୁଁ ଅନ୍ତତ ଶାନ୍ତିରେ ମରିପାରିବି।'ହଁ କହିବା ବ୍ୟତୀତ ମୋର ଆଉ ଅନ୍ୟ ଉପାୟ ନଥିଲା। 

        ତୁଣ୍ଡ ବାଇଦ ସହସ୍ର କୋଶ। ସେତେବେଳକୁ ଏକଥା ଗାଁ ସାରା ବ୍ୟାପି ଗଲାଣି। ସମସ୍ତେ ଟୁପ୍ ଟାପ୍ ହେବା ଆରମ୍ଭ କଲେଣି।ମୁଁ ମାମୁଁଘର ଦାଣ୍ଡପିଣ୍ଢାରେ ବସି ସବୁ ଲକ୍ଷ୍ୟ କରୁଥାଏ।ମାମୁଁ ଦୁଆରେ ପଡିଥିବା ଚେୟାରଟା ଉପରେ

ବସି ଠାକୁର ଘର ଭିତରେ ଥିବା ରାଧାକୃଷ୍ଣ ମୂର୍ତ୍ତିକୁ ଏକ ଲକ୍ଷ୍ୟରେଚାହିଁଥାନ୍ତି।ଆଖିରୁ ଲୁହ ବହିଯାଉଥାଏ।ଜୀବନରେ ପ୍ରଥମ ଥରପାଇଁ ମୁଁ ସେଦିନ ମାମୁଁଙ୍କୁ କାନ୍ଦିବାର ଦେଖିଲି। ବେଳ ବୁଡି ଆସୁଥାଏ।ଗ୍ରାମଦେବତୀଙ୍କ ମନ୍ଦିରରେ ଘଣ୍ଟବାଜି ଆଳତୀ ଆରମ୍ଭ ହେଲା।ମାଇଁ ତାଙ୍କ ପଣତରେ ଆଖିରୁ ଲୁହପୋଛି ମାମୁଁଙ୍କୁ ଟିକେ ହଲେଇ ଦେଇ କହିଲେ, ସନ୍ଧ୍ୟା ହେଲାଣି ପରା, ଆଳତୀ କରିବନି କି?ସେ ପ୍ରଶ୍ନର ଉତ୍ତର ଦେବାକୁ ମାମୁଁ ଆଉ ନଥିଲେ। ତାଙ୍କ ଶରୀର ଗୋଟିଏ ପଟକୁ ଢଳି ପଡିଥିଲା। ଭିତରୁ ମାଇଁଙ୍କ କାନ୍ଦଣା ଶୁଭୁଥିଲା। 

       ଆଉ ଅଧିକ ଶୁଣିବାର ଧୈର୍ଯ୍ୟ ମୋର ନଥିଲା। ରୁମାଲରେ ଆଖି ଲୁହ ପୋଛି ବିନୟ ଠାରୁ ବିଦାୟ ନେଇ ଘରକୁ ଯିବାପାଇଁ ସ୍କୁଟର ଷ୍ଟାର୍ଟ କଲି। 



Rate this content
Log in

More oriya story from Biswanath Nayak

Similar oriya story from Tragedy