STORYMIRROR

Alhadini Panigrahi dash

Tragedy

3  

Alhadini Panigrahi dash

Tragedy

ଦୂ8ଖ: ଏକ ଗରିବ ମା ର

ଦୂ8ଖ: ଏକ ଗରିବ ମା ର

2 mins
699

ବାବୁ ଘରର ଅଇଁଠା ବାସନରୁ ଭାସି ଆସୁଛି ,ମାଂସ ର ବାସ୍ନା। ଫିଙ୍ଗି ଦେଇଥିବା ମାଂସ ଝୋଳ ଓ କେଇଖଣ୍ଡ ମାଂସ ଦେଖି ଲାଗୁଥିଲା ସତେ ଯେପରି ସେମାନେ ତା ଗରିବୀକୁ ଉପହାସ କରୁଛନ୍ତି। ମଇନା କାନରେ ଶୁଭି ଯାଉଛି ,ଝିଅ ଫୁଲର କାନ୍ଦ।


ଆଜି ଛାଡଖାଇ। ଫୁଲର ସାଙ୍ଗ ମାନଙ୍କ ଘରେ ମାଛ,ମାଂସର ବାସ୍ନା। ପିଲା ମନ ତ,ଆସି ମା ପାଖରେ ଜିଗର କଲା -"ମା ଛାଡଖାଇ ପାଳିବା ,ମାଂସ ଆଣିବା।ମଇନା ବୁଝାଇଲା କାଲି ଆଣିବା।

-ତୁ ସବୁଦିନ କାଲି କାଲି କହି କେବେ ଆଣୁନୁ।ଆଜି ଛାଡଖାଇ ,ମୋ ସାଙ୍ଗ ମାନେ ବି କହିଛନ୍ତି ,ଆଜି ମାଂସ ଖାଆନ୍ତି ଆମେ ବି ଖାଇବା। ଝିଅକୁ ବୁଝେଇ ବୁଝେଇ ଥକି ପଡିଲା ମଇନା।

- ଆମେ ଗରିବ ଲୋ ଝିଅ,ଆମେ କଣ ମାଂସ କିଣି ପାରିବା।ଝିଅର ଓଲୋଟା ପ୍ରଶ୍ନ -ଗରିବ କଣ ?ଆମେ ଗରିବ କାହିଁକି। ଗରିବ ହେଲେ କଣ ହେଲା। ଗରିବ ସହିତ ମାଂସର ସଂପର୍କ କଣ ??


ଏପରି ଗୁଡାଏ ପ୍ରଶ୍ନ ବାଣ ରୁ ରକ୍ଷାା ପାଇବା ପାଇଁ ମଇନା ଗୋଟିଏ ଚାପୁଡା ଝିଅ ପିଠି ରେ ଥୋଇଦେଲା। ଗୋଟିଏ ଗରିବର ମାଡରେ ଆଉ ଗୋଟିଏ ଗରିବ କାନ୍ଦି ଉଠିଲା। ଫୁଲର କଣ ବା ଭୁଲ୍ ଥିଲା ? ନିଜ ମାକୁ ସେ ନିଜ ପସନ୍ଦର ଖାଦ୍ୟ ଟିକେ ମାଗିଥିଲା ଯାହା। କଅଁଳ ଶିଶୁ ମନ କଣ ସଂସାରର ଜଟିଳତାକୁ ବୁଝିପାରିଛି ? ଆଉ କେଉଁ ମା ଚାହେଁନି ତା ସନ୍ତାନକୁ ତା ପସନ୍ଦର ଖାଦ୍ୟ ରାନ୍ଧି ଖୁଆଇବାକୁ ? କିନ୍ତୁ ମଇନା ମା ସିନା ,କିନ୍ତୁ ସେ ଯେ ଗୋଟିଏ ଗରିବ ମା। ଗରିବ ମାର ପୁଣି ଇଚ୍ଛା ,ଅନିଚ୍ଛା ଗୋଟିଏ କଣ ?


ଭାବୁଥିଲା ମଇନା ,ସେ ବି ଏମିତି ଛୋଟବେଳେ ଅବୁଝା ଥିଲା। କିନ୍ତୁ ତା ବାପା ତା ଖୁସି ପାଇଁ ମାସକୁ ନିଶ୍ଚୟ ଥରେ ଦିଥର ଆଇଁଷ ଆଣି ଦେଉଥିଲେ। ଆଉ ଫୁଲର ବାପା ବି ବଂଚି ଥିଲାବେଳେ ତାର ଏତେ ଅଭାବ ନଥିଲା। କିନ୍ତୁ ତାର ଅଚାନକ ମୃତ୍ୟୁରେ ତା,ଆର୍ଥିକ,ମାନସିକ,ଶାରିରିକ ବଳ ଭାଙ୍ଗି ଗଲା। ସେତେବେଳେ ଫୁଲକୁ ତିନି ବର୍ଷ। ଏବେ ସରକାରୀ ସ୍କୁଲରେ ଚତୁର୍ଥ ଶ୍ରେଣୀ ପଢୁଛି। ସେଇ ଦିନ ଠୁ ଏଇ ବାବୁ ଘରେ କାମ କରୁଛି। ତା ମାସକ ଦରମାରେ ସେ ଫୁଲର ଇଚ୍ଛା ପୁରଣ କରିପାରେନି। ଫୁଲର ଇଚ୍ଛା ଆଗରେ ବାଡ ହୋଇ ଛିଡା ହୁଏ ତା ଗରିବୀ। କାନ୍ଦେ ସେ। ଅଇଁଠା ଝୋଳକୁ ବି ଫିଙ୍ଗିବାକୁ ତାର ହାତ ଯାଉ ନଥିଲା।ଏତିକି ହେଲେ ଯଦି ସେ ଝିଅକୁ ଦେଇ ପାରିଥାନ୍ତା ତାହେଲେ ଗରିବୀ ର ସଂଜ୍ଞା ବୁଝାଇ ନପାରି ତା ପାଟି ବନ୍ଦ କରିବାକୁ ମାରିବାକୁ ପଡି ନଥାନ୍ତା ତା ଆଦରର ଧନକୁ।


ମାଲିକାଣୀଙ୍କ ସ୍ବର ଶୁଣି ପଛକୁ ବୁଲି ଚାହିଁଲା ସେ।

-ଆଲୋ ମଇନା ,କଣ ଭାବୁଛୁ ଲୋ । ଆଜି ପରା କେତେ। ରାତି ପାହିଲେ ପରା ମାର୍ଗଶୀର ଗୁରୁବାର। ଘର କଣ ଏମିତି ଆଇଁଷ ଗନ୍ଧଉଥିବ। ଜଲଦି ସାର ,ପୁଣି ଲାଇଜଲ ଦେଇ ଘର ପୋଛା ମାରିବୁ।

କେବଳ ମୁଣ୍ଡ ହଲାଇଲା ମଇନା। ଘରେ କାନ୍ଦୁରା ଝିଅକୁ ଛାଡି ଆସିଛି। ଜଲଦି ଜଲଦି କାମ ସାରି ଘରକୁ ବାହାରିଲାରୁ ମାଲିକାଣି ଟିଫିନଡବାଟେ ଧରାଇ ଦେଇ ମାଲିକାଣୀ ମନ ଜାଣିବା ପରି କହିଲେ - ମଇନା ଏ ବଳକା ମାଂସ ତକ ନେଇଯା ,କାଲି ଗୁରୁବାର ସଫା ଘରେ ଆଉ ଆଇଁଷ ରଖା ଯାଏନି। ଆଉ ତୁମେ ବି ମା,ଝିଅ ଦୁହେଁ ଆଜି ଖାଇ ଦେବ ,କାଲିକୁ ରଖିବନି। କାଲି ପରା ମାର୍ଗଶୀର ଗୁରୁବାର।

ଖୁସିରେ କୁରୁଳି ଉଠିଲା ମଇନା। ଭାବୁଥିଲା ସେ ଯେଉଁ ବାର ହେଉ ଝିଅକୁ ଦିଦିନ କରି ମାଂସ ଖୁଆଇବ

ସେ ନିଜେ ଖାଇବନି।


ଫୁଲ ହାତରେ ମାଂସ ଡବା ଦେଉଁ ଦେଉଁ ଖୁସିରେ ଉଛୁଳି ଉଠିଲା ଫୁଲ।କହୁଥଲା ମା ମାଂସ ଆଣି ଦେଇଛୁ ,ମାନେ ଆମେ ଗରିବ ନୋହୁଁ। ସେ କାହୁଁ ବୁଝିବ ,ତା ମା ଯେ ମାଂସ କିଣି ଆଣିନି ୟେ ଯେ କାର ବଳକା ଦୟାର ଦାନ।

ଆଦରର ଧନର ଖୁସିରେ ସେ ତଥାପି ଖୁସି ହୋଇ ପାରୁନଥିଲା। ତାକୁ ଲାଗୁଥିଲା ସତେ ଯେପରି ସେ ଆହୁରି ଗରିବ ହୋଇଯାଉଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy