STORYMIRROR

Kulamani Sarangi

Tragedy

4  

Kulamani Sarangi

Tragedy

ଦୁର୍ଘଟଣା

ଦୁର୍ଘଟଣା

4 mins
426



କୋରାପୁଟ କଲେଜକୁ ବଦଳି ହେବାପରେ ଅନିଚ୍ଛା ସତ୍ତ୍ୱେ ଯାଇ ଯୋଗଦେଲି । ଅନିଚ୍ଛାର କାରଣ ଥିଲେ ମୋ ସ୍ତ୍ରୀ ଶ୍ୱେତପଦ୍ମା । ବାହାଘର ବର୍ଷେ ପୂରି ନଥିଲା।ବା'ଘର ପରେ କଟକ ଆସି ଘର ଥଇଥାନ କରିବା ପୂର୍ବରୁ ଏ ବଦଳି । ସବୁଠୁଁ ବଡ଼ ଅସୁବିଧା ହେଲା ଶ୍ୱେତପଦ୍ମା ନୂଆ ନୂଆ କଟକରେ ଗୋଟିଏ ପବ୍ଲିକ୍ ସ୍କୁଲରେ ଚାକିରିରେ ଯୋଗ ଦେଇଥାନ୍ତି । ତାଙ୍କୁ ମୁଁ ସାଙ୍ଗରେ କୋରାପୁଟ ନେବା ସମ୍ଭବ ନଥିଲା । 


ଡାଇରେକ୍ଟର ଅଫିସରେ ଚେଷ୍ଟା କଲି ବଦଳି କିଛି ଦିନ ଗଡେଇବା ପାଇଁ,ସମ୍ଭବ ହେଲାନାହିଁ । ଡାଇରେକ୍ଟର କହିଲେ...ଆପଣ ଆଗେ ଜଏନ୍ କରନ୍ତୁ, ପରେ ଦେଖି ନିକଟକୁ ବଦଳି କରେଇ ଦବା । କାନମୁଣ୍ଡ ଆଉଁସି ଜଏନ୍ କଲି, ଦେହଟା କୋରାପୁଟରେ, ମନଟା କଟକରେ । ଶ୍ୱେତପଦ୍ମାଙ୍କର ବିଧବା ପିଇସୀ ନାନୀ ରାଜିହେଲେ ତାଙ୍କ ପାଖରେ ରହିବାପାଇଁ । ତେଣୁ କିଛିଟା ଚିନ୍ତା ତ୍ୟାଗ କରି ମୁଁ କୋରାପୁଟ ଚାଲି ଆସିଲି ।


କୋରାପୁଟରେ ଯେଉଁଠାରେ ମୁଁ ଘରଭଡ଼ା ନେଇ ରହିଥିଲି, ତାହା ସହରଠାରୁ ଟିକିଏ ବାହାରେ।ଘର ପାଖକୁ ଲାଗି ଝାଟିମାଟିର କୁଡିଆ ଘରଟିଏ । ମୋ ଛାତ ଉପରୁ ସେ ଘରର ଅଗଣା ଦେଖାଯାଏ । ଅଗଣାରେ ଗୋଟିଏ କୂଅ।କୂଅ ଚାରିପଟେ କୋଶଳା ଶାଗର ପଟାଳି।ଘର ଭିତରେ ତିନୋଟି ପ୍ରାଣୀ ଚଳପ୍ରଚଳ.. ସ୍ୱାମୀ, ସ୍ତ୍ରୀ ଏବଂ ପନ୍ଦର-ଷୋଳ ବର୍ଷର ଝିଅଟିଏ । ଲୋକଟି ଜାତିରେ ଚଷା, କିନ୍ତୁ କରେ ରାଜମିସ୍ତ୍ରୀ କାମ।ଘରଟି ଗୋଟିକିଆ, କିନ୍ତୁ ଅଦୂରରେ ରହିଛି ଆଦିବାସୀ ବସ୍ତି ।


ପ୍ରଥମ ଦିନ ରାତିରେ ହିଁ ପ୍ରବଳ ପାଟିତୁଣ୍ଡ ଓ ଗାଳିଗୁଲଜ ଶୁଣାଗଲା ସେହି ଘର ଭିତରୁ । ପାଟିତୁଣ୍ଡ ପରେ କିଛି ଦୁମ ଦାମ୍ ଶବ୍ଦ ଓ ଜଣେ ମହିଳାର ବିକଳ କାନ୍ଦଣା । ଝିଅଟିର ପାଟି ମଧ୍ୟ ଶୁଣାଯାଉଥାଏ,...ମା'କୁ ମାରେନା ବାପା, ମରିଯିବ, ମାରେନା, ତୋ ଗୋଡ଼ ଧରୁଚି।


ମୋର ଇଚ୍ଛା ହେଉଥିଲା ସେଠାକୁ ଯାଇ ଦେଖିବା ପାଇଁ, କିନ୍ତୁ ଭାବିଲି..ଅନ୍ୟ କାହା ବିଷୟରେ ମୁଣ୍ଡ ଖେଳେଇବା କଣ ଦର୍କାର ? ମାଡପିଟି ପାଟିତୁଣ୍ଡ ସେମିତି ଲାଗି ରହିଥିଲା ରାତି ଅଧ‌ ପର୍ଯ୍ୟନ୍ତ । ତା' ପରଠାରୁ ସବୁଦିନ ରାତିରେ ସେଇ ପାଲା ।


ଦିନକର କଥା, ରବିବାର ସକାଳ। ଚା'କପ ସହିତ ପେପର୍ ଧରି ବସିଥାଏ ବୈଠକ ଖାନାରେ । କଲିଙ୍ଗ୍ ବେଲ୍ ବାଜିଲା । ଯାଇ ଦେଖିଲି, ପଡିଶା ଘରର ସ୍ତ୍ରୀ ଲୋକଟି ଠିଆ ହୋଇଛି।ବୟସ ଲାଗପାଟ ପଞ୍ଚତିରିଶି।ପଚାରିଲି..କଣ ହେଲା, କିଛି କାମ ଅଛି?

ବଡ଼ ସଙ୍କୋଚରେ ସ୍ତ୍ରୀ ଲୋକଟି କହିଲା..."ବାବୁ,ଆପଣଙ୍କ ବାସନ କୁସନ ମାଜିବାକୁ ଲୋକ ଦର୍କାର୍?

ମୁଁ କହିଲି... ହଁ,କିଏ ତମେ କରିବ?

ସ୍ତ୍ରୀ ଲୋକଟି କହିଲା... ହଁ ବାବୁ, ଆପଣଙ୍କ ଘରକୁ ଲାଗି ମୋ କୁଡିଆ । ମୁଁ କାମ କରିବି,ମୋର ସୁବିଧା ଅସୁବିଧାରେ ଝିଅ ଆସି କାମ କରିଦେଇ ଯିବ।


ମୁଁ କହିଲି.. ଠିକ୍ ଅଛି,ତାହେଲେ ଆଜିଠୁ ଆସି କାମକରେ । ମୁଁ ନିଜେ ରୋଷେଇ କରେ । ଘର ଓଳା-ପୋଛା,ବାସନ ମଜା କାମ କରିବ, ଯାହା ଅନ୍ୟଠାରୁ ନିଅ ସେଇ ହିସାବରେ ନବ।

ସ୍ତ୍ରୀ ଲୋକଟି କହିଲା.. ନାଇଁ ବାବୁ,ଆପଣ ଅନ୍ୟଠୁ ବୁଝି ଯାହା ଦେବେ,ମୋର ସେମିତି କିଛି ଦାବି ନାହିଁ ।


ମୋଠୁ ସମ୍ମତି ପାଇଁ ସ୍ତ୍ରୀ ଲୋକଟି ସଙ୍ଗେ ସଙ୍ଗେ ଘର କାମରେ ଲାଗିଗଲା । ପ୍ରାରମ୍ଭିକ କଥୋପକଥନରେ ତାଠାରୁ ମୁଁ ତାର ସବିଶେଷ ବିବରଣୀ ଯାହାକୁ ଇଂରାଜୀରେ ସି.ଭି. କୁହାଯାଏ ନେଇ ସାରିଥିଲି । ନାଁ ତା'ର ଥିଲା ସୁଲେଇ, ଝିଅ ନାଁ ଗେଲେଇ ଏବଂ ତା'ସ୍ୱାମୀ ନାଁ ବଗୁଲା । ସ୍ୱାମୀ ତାର ରାଜମିସ୍ତ୍ରୀ । ସ୍ୱାମୀ ଠାରୁ ତାର ବୟସ ପାଞ୍ଚବର୍ଷ ବଡ । ଝିଅଟି ତାର ପୂର୍ବ ସ୍ୱାମୀର ଦାନ । ପୂର୍ବ ସ୍ୱାମୀ ଗାଡ଼ି ଦୁର୍ଘଟଣାରେ ମରିଗଲା ପରେ, ସୁଲେଇ ବାହାହେଇଚି ବଗୁଲାକୁ । ରାଜମିସ୍ତ୍ରୀ ବଗୁଲା ସାଙ୍ଗରେ କୋଠା କାମ କରୁକରୁ ଭାବ ଦିଆନିଆ ଆଉ ତା ପରେ ବାହାଘର ।

ଏସବୁ ଶୁଣିବା ପରେ ସୁଲେଇକି ପଚାରିଲି...ତମ ଘରୁ ସବୁଦିନ କଣ ପାଟିତୁଣ୍ଡ ଶୁଣାଯାଉଛି, କଣ ବଗୁଲା କିଛି ବାଡିଆପିଟା କରେ କି?

ସୁଲେଇ କହିଲା... ହଁ ବାବୁ, ପେଟେ ଆ

ସ୍କା ଫର୍ଟି ପିଇଦେଇ ମତେ ବାଡେଇବା ତାର ସବୁଦିନିଆ କାମ । ବଢିଲା ଝୁଅଟା ଆଗେରେ ନୁଗାପଟା ଟଣାଓଟରା କରିବ । ମତେ ବାଡେଇବା ବେଳେ ଝୁଅ ଜଗିଲେ,ତାକୁ କୁଟିବ;ବଡ଼ ନାରେଖାରେ କରୁଛି ବାବୁ ।

ସୁଲେଇର କଥା ଶୁଣି ବଡ଼ ଦୁଃଖ ଲାଗିଲା ।

ସବୁଦିନ ରାତିରେ ସେଇ ପାଲା । ସୁଲେଇ ଉପରେ ମାଡ଼ ଏବଂ ତା ବିକଳ କାନ୍ଦଣା ଅଧିକାଂଶ ଦିନ ଛାତ ଉପରୁ ଦେଖି ଦେଖି ମନରେ ବହୁତ ଦୁଃଖ ଆସେ ।

ଦିନେ ସୁଲେଇ ସକାଳେ କାମ କରିବାକୁ ଆସିଲା ବେଳେ ଦେଖିଲି ତା ଆଖି ଉପରେ ଗଭୀର କ୍ଷତର ଚିହ୍ନ।କାରଣ ପଚାରିବାରୁ କହିଲା..ବାଡିପଡା ଶିଳପୁଆରେ ପିଟି ଦେଇଚି ।

ମୁଁ ପଚାରିଲି..ଟିଟାନସ୍ ନେଇଚୁ ନାଁ ନାହିଁ ?


ସୁଲେଇ କହିଲା...ଆମ ଟିଟାନସ୍ ପୋକସୁଙ୍ଗା ପତ୍ର ରସ ନଗେଇସାରିଚି । ପୀଡ଼ା ଖାଇଯିବ, ହେଲେ ମନରେ ଯୋଉ ପୀଡ଼ା ସେଥିପାଇଁ ଔଷଧ କଣ ଅଛି ବାବୁ ?

ମୁଁ ପଚାରିଲି..କଣ କଲା କି ?

ସୁଲେଇ କହିଲା..କଣ କହିବି ବାବୁ, ଅଜାଗା ଘାଆ, ଦେଖି ହଉନି କି ଦେଖେଇ ହଉନି; ବାଡିପଡାର ଆଖି ମୋ ଝୁଅ ଉପରେ ପଡ଼ିଲାଣି । ଟଣାଓଟରା କରୁଥିଲା, ଦେଲି ହାତକୁ ପୁଳେ କାମୁଡି । ସେଥିପେଇଁ ବାଡିପଡା ମୋ ମୁଣ୍ଡକୁ ଶିଳରେ ଛେଚିଦେଇଚି ।


ସୁଲେଇ କଥା ଶୁଣି ମୁଁ ନିର୍ବାକ ହୋଇ ଚାହିଁ ରହିଲି । ପଚାରିଲି... ପୋଲିସରେ ଖବର ଦେଇନୁ?

ସୁଲେଇ କହିଲା...ସେ ଚୁଲିପଶାଙ୍କ ପାଖରେ ନାଲିଶି କରି ନାଭ କଣ ବାବୁ? କିଛି କରିବେନି,ଖାଲି ମୋ ଝୁଅର ବଦନାମ୍ ହବ ସିନା । ମତେ କଣ ଏ ବାଡିପଡା ବଳେଇଯିବ ଯେ ମୁଁ ପୁଲିସରେ ନାଲିସି କରିବି, ମୁଁ ବାଘୁଣୀ,ଦେଖିବା କେମିତି ମୋ କୋଳରୁ ମୋ ଛୁଆକୁ ଟାଣିନବ ବଗୁଲା ।

ସେଦିନ ପ୍ରଥମଥର ପାଇଁ ସୁଲେଇର ଆଖିରେ ଦପ୍ ଦପ୍ ନିଆଁ ଜଳୁଥିବାର ଦେଖିଲି ।


ମୋ ପାଇଁ ସୁଲେଇ ଘରର ସାନ୍ଧ୍ୟ-ପର୍ବ ଏକ ସବୁଦିନିଆ ଚିରାଚରିତ ଘଟଣା ହୋଇ ଯାଇଥିଲା । ଦିନେ କିନ୍ତୁ ଅକସ୍ମାତ ଏହାର ଉଦଯାପନ ଦିବସ ପହଞ୍ଚିଲା । ସେଦିନ ପାଟିତୁଣ୍ଡ, କାନ୍ଦବୋବାଳି ପରେ ଝଡ଼ ଉପରାନ୍ତ ଶାନ୍ତିର ବାତାବରଣର ଅନୁଭବ ଆସିଲା।ଛାତ ଉପରକୁ ଯାଇ ଦେଖିଲି ସୁଲେଇ ଏବଂ ତା' ଝିଅ କୂଅ ପାଖରେ ଠିଆ ହୋଇ ପରସ୍ପରକୁ ଜାବୁଡ଼ି ଧରି ଥରୁଚନ୍ତି ।

ଘଟଣା କଣ ଜାଣିବାକୁ ସୁଲେଇ ଘରେ ପହଞ୍ଚିଲି । ସୁଲେଇ ମତେ ଦେଖି କହିଲା.. ଆଜି ପୁଣି ବାଡିପଡା ମଦ ପିଇ ମୋ ଝୁଅକୁ ଟଣାଓଟରା କରୁଥିଲା,ଦେଲି ମୁଣ୍ଡକୁ ପାହାରେ ଆଉ ଠେଲିଦେଲି କୂଅକୁ।

ସୁଲେଇକୁ ଚୁପ୍ ରହିବାକୁ ନିର୍ଦ୍ଦେଶ ଦେଇ ମୁଁ କହିଲି.. ନାଁ ତୁ କିଛି କରିନୁ ସୁଲେଇ, ବଗୁଲା ମଦ ନିଶାରେ କୂଅରେ ପଡିଗଲା, ମୁଁ ଦେଖିଚି।ତୁ ଖାଲି କନ୍ଦାକଟା କରି ପାଖ ବସ୍ତିରୁ ଲୋକଙ୍କୁ ଡାକ୍, ବାକି କଥା ମୁଁ ବୁଝିବି।


ଅଳ୍ପ ସମୟ ଭିତରେ ଲୋକ ଜମିଗଲେ ଏବଂ କୂଅ ଭିତରୁ ବଗୁଲାର ମୃତଶରୀର ଉଦ୍ଧାର କରାଗଲା । 

ପୋଲିସ ଇନ୍ସପେକ୍ଟର ତନାଘନା ପାଇଁ ଆସିଲେ।ବଗୁଲା ମଦ ନିଶାରେ କୂଅରେ ପଡିଯିବାଟା ମୁଁ ଦେଖିଛି ବୋଲି ସାକ୍ଷ୍ୟଦେଲି । ମୁଣ୍ଡରେ ଲାଗିଥିବା କ୍ଷତ କୂଅବାଡରେ ଥିବା ପଥରରେ ମାଡ଼ ହୋଇଥାଇପାରେ ବୋଲି ଇନ୍ସପେକ୍ଟର ତାଙ୍କ ରିପୋର୍ଟରେ ଉଲ୍ଲେଖ କଲେ । ପୋଷ୍ଟମର୍ଟମ ରିପୋର୍ଟରେ ମଦ୍ୟପାନ ଜନିତ ମୃତ୍ୟୁ କଥା ଉଲ୍ଲେଖ କରାଯାଇଥିଲା । ସାକ୍ଷ୍ୟ ନେଲାବେଳେ ମତେ ପୋଲିସ ଇନ୍ସପେକ୍ଟର ପଚାରିଥିଲେ..ସାର୍ ଆପଣ ପଡୋଶୀ ଭାବରେ ବଗୁଲା ବିଷୟରେ କ'ଣ କହିବେ?

ମୁଁ କହିଥିଲି... ମଦ୍ୟପାନ ଛଡ଼ା ବଗୁଲାର କିଛି ଖରାପ ଗୁଣ ନଥିଲା । ସେ ତା ସ୍ତ୍ରୀକୁ ଖୁବ୍ ଭଲ ପାଉଥିଲା ଏବଂ ଝିଅକୁ ବହୁତ ସ୍ନେହ କରୁଥିଲା । ପୋଲିସ ଏହାକୁ ଅପମୃତ୍ୟୁ ମାମଲା କହି ଦଫାରଫା କରି ଦେଲେ ।


ପରବର୍ତ୍ତୀ ସମୟରେ ଥରେ ଶ୍ୱେତପଦ୍ମାଙ୍କ ସହିତ 'ମିଥ୍ୟାବାଦିତା' ଏବଂ ସତ୍ୟବାଦୀତା ଉପରେ ଆଲୋଚନା ଚାଲିଥିଲା । ମୁଁ କହିଲି..ମିଛ କହିବା ଦ୍ୱାରା ଯେବେ ଜଣେ ନିର୍ଦ୍ଦୋଷର ଜୀବନ ରକ୍ଷା ହୋଇପାରିବ, ସେପରି ମିଛ ବାରମ୍ବାର କହିଲେ କ୍ଷତି ନାହିଁ । ଉଦାହରଣ ସ୍ୱରୂପ ସୁଲେଇ ଘଟଣାଟି ମୁଁ ତାଙ୍କ ଆଗରେ ବର୍ଣ୍ଣନା କରିଥିଲି ।



Rate this content
Log in

Similar oriya story from Tragedy