STORYMIRROR

Sucharita Sena

Tragedy Inspirational

4  

Sucharita Sena

Tragedy Inspirational

ଦୁଇ ପକ୍ଷୀ

ଦୁଇ ପକ୍ଷୀ

15 mins
211

ଟିଂକୁ ବୟସ ଏଇ ଦଶ କି ବାର ହେବ | ଶରୀରର ଉଚ୍ଚତା ହିଁ ବୟସ ସ୍ଥିରୀକରଣ ର ମାପକାଠି | ଦୁର୍ବଳ ଶରୀର | ମୁଣ୍ଡର କେଶଗୁଛ ତେଲ ବିହୁନେ ଧୂସର ରଙ୍ଗ ଧାରଣ କରିଛି | ଛାତି କେଉଁଠୁ ଶେଷ ଓ ପେଟ ର ଆରମ୍ଭ ଘଡ଼ିଏ ଚାହିଁଲେ ଜଣା ପଡିବ | ଟିଂକୁ ଏବେ ଅନାଥ | ମାଆ ତାର ଚାରିବର୍ଷ ତଳୁ ଆରପାରିକୁ ଗଲାଣି | ବାପା କଥା ପଚାରିଲେ ମୁଣ୍ଡ ତଳକୁ କରି ଠିଆ ହୁଏ | କାହା ସହ ଝଗଡା ଲାଗିଲେ କିଏ ଯଦି କହିଦିଏ "ଜାରଜ " ସେ ଏ ଶବ୍ଦର ଗଭୀର ଅର୍ଥ ନବୁଝିଲେବି, ତାକୁ ବଡ କଷ୍ଟ ହୁଏ | ସେ ଚୁପ ଚାପ ସେଠାରୁ ଚାଲିଯାଏ |

ଟିଂକୁଙ୍କୁ କୋଳରେ ଧରି ତା ମାଆ ଆଵିର୍ଭାବ ହୋଇଥିଲା ମିଆଁପୁରରେ | ଖୁବ୍ ରୁଗଣ ଶରୀର | ସବୁ ସମୟରେ ରାସ୍ତା କଡରେ ବସିଥାଏ | କାହାକୁ କିଛି ମାଗେନି ଅତି ଦୟାଵାନ ବ୍ୟକ୍ତି ନିଜ ଇଚ୍ଛାରେ କିଛି ଦେଲେ, ସେଥିରେ ଟୁଙ୍କୁ ର ପେଟ ଭରେ | ଧୀରେ ଧୀରେ ଟିଂକୁ ବଡ ହେଲା ଓ ତା ମାଆର ସ୍ୱାସ୍ଥ୍ୟନାଶ ହେବାରେ ଲାଗିଲା |

ସେଦିନ ଟିଂକୁ ନିଜ ମାଆର ମୃତୁ ଦେହ ପାଖରେ ବସିଥାଏ | ଛୋଟ ପିଲା ବୁଝିବ କାହୁଁ ଜୀବନ, ଶରୀର ଓ ଆତ୍ମା ର ରହସ୍ୟ | ମର ଶରୀର ସକାଳୁ ସେହିଠାରେ ପଡି ରହିଥିଲା | ଟୁଙ୍କୁ ଭାବୁଥିଲା ମାଆ ଶୋଇଛି , ଉଠିବ | କିନ୍ତୁ ମାଆ ତାର ଉଠିଲାନି ମୁନ୍ସିପାଲଟି ଗାଡି ଆସି ମାଆ କୁ ନେଇ ଗଲା ସଂନ୍ଧ୍ୟା ବେଳକୁ | ଟିଂକୁ ଗାଡି ପଛରେ ଅନେକ ବାଟ ଧାଇଁ ଥିଲା | ମାଆ ଚାଲିଗଲା ଅଥଚ ତାକୁ ନେଲାନି | ଅଭିମାନରେ ଦୁଇଦିନ ଉପାସରେ ସେମିତି ବସି ରହିଲା | ପେଟର ଜ୍ୱଳା ତାକୁ ଅଧିକ ସମୟ ଅଭିମାନରେ ବସିବାକୁ ଦେଲାନି | ବାର ବାର କୁଁ କାଁ ଶବ୍ଦ ରେ ଫାଟି ପଡିଲା | ବାଟରେ ଯାଉଥିବା ପିଲାଟି ଯେତେବେଳେ ତା ମାଆ କୁ ଲୁଚାଇ, ଅଧା ଖାଇ ଅଧା କଦଳିଟି ଫୋପାଡ଼ି ଦେଲା, ଟିଂକୁ ପେଟକୁ ସେ ଅଧା କଦଳୀ ଶାନ୍ତ କଲା | ଧୀରେ ଧୀରେ ଟିଂକୁ ନିଜର ପେଟକୁ ଶାନ୍ତ କରିବାର ଉପାୟ ଜାଣି ପାରିଲା, ଅବଶ୍ୟ ଅନେକ ଗାଳି ଓ ମାଡ ପିଠିରେ ବାଜୁଥିଲା | ମିଆଁପୁର ରେ ହିନ୍ଦୁ ଯେତିକି ମୁସଲମାନ ସମ୍ପ୍ରଦାୟ ବି ସେତିକି | ମସଜିତ ବି ଅଛି ମନ୍ଦିରବି ଅଛି | ଟିଂକୁ କୌଣସି ଧର୍ମ ରେ ବନ୍ଧା ନୁହେଁ | ସେ ଜନ୍ମରୁ ଜାଣିନି ତା ମା ହିନ୍ଦୁ ଥିଲା କି ମୁସଲମାନ ଥିଲା | ମାଆକୁ ମନେ ପକାଇବାକୁ ଚାହିଁଲେ, ଅସ୍ପଷ୍ଟ ଦିଶେ ମାଆର ମୁହଁ ଓ ବେଶଭୁଷା | ଟିଂକୁକୁ ବା କଣ ମିଳିବ ଏ ଧର୍ମ ପଛରେ ପଡି | ମନ୍ଦିର ପାଖରେ ଠିଆ ହେଲେ ମନ୍ଦିର ବ୍ରାହ୍ମଣ ଆଣି ଟିଂକୁ ହାତରେ ପ୍ରସାଦ ଦିଅନ୍ତି | ସେଥିରେ ଟିଂକୁର ପେଟ ଭରେ | ମସଜିଦ ଗଲେ ମୋଲାନା ବି ହାତରେ ଧରାଇ ଦିଅନ୍ତି ଖାଦ୍ୟ ପୁଡିଆ | ଟିଂକୁ କୌଣସି ସ୍କୁଲ ଯାଇନି କିନ୍ତୁ ମସଜିଦ ପାଖରେ ଥିବା ମଦରସା ରୁ ଆସୁଥିବା ଶବ୍ଦକୁ ସାଉଁଟି ନିଏ | କାନ ଦେଇ ମାତିଷ୍କ ରେ ସଜାଡି ଦିଏ | ସେପରି କେବେ କେବେ ବିଦ୍ୟାଳୟ ଆଡ଼େ ଚାଲିଯାଏ | ଶ୍ରେଣୀ ଗୃହର ପଛରେ ବସି ଶ୍ରବଣ କରେ ଅନେକ କିଛି | ଟିଂକୁ ଶିଖିଛି ମହାଦେବଙ୍କ ମହାମୃତୁଞ୍ଜୟ ମନ୍ତ୍ର ଓ ଏହାବି ଜାଣିଛି ମସଜିଦ ରେ ପଢା ଯାଉଥିବା ପାଞ୍ଚ ଥର ନମାଜ ର ନାଆଁ | ସକାଳୁ ଫଜର, ଦୁଇଟାରେ ଜୋହାର, ସଂନ୍ଧ୍ୟା ରେ ଅସର, ତାପରେ ମୋଘରିବ ଓ ଇସା ନମାଜ | ଖାଲି ସେତିକି ନୁହେଁ ଛୋଟ ବେଳୁ ଶୁଣି ଶୁଣି ମୁଖସ୍ଥ କରିଛି ନମାଜ କୁ |

ଟିଂକୁ ବଡ଼ ହେବା ସହିତ ପେଟ ବଢ଼ୁଥିଲା | ଆଉ କେତେ ଦିନ ହାତ ପତାଇ ବଂଚିବ | ପୁରୁଷ ପିଲା କିଏ କାଇଁକି ବିନା ପରିଶ୍ରମରେ ଖାଇବାକୁ ଦେବ | ଟିଂକୁ ଏଥର ଓଲ୍ହାଇଲା ରାସ୍ତାକୁ | ଟ୍ରାଫିକ ରେ ରହୁଥିବା ଗାଡିକୁ ପୋଛା ଲଗାଇଲା | କିଏ ପଇସା ଦେଉଥିଲେ କିଏ ଦେବା ସମୟରେ ଗାଡି ଛାଡି ଦେଉଥିଲା | ଟିଂକୁ ଦିନକୁ ଯେଉଁ ଚାରି ପାଞ୍ଚଟଙ୍କା ଆଣୁଥିଲା ଓଳିଏ ଖାଉଥିଲା | ଆଉ ଦି ଓଳି ଓପାସ | ରାସ୍ତା କଡରେ ଶୋଇ ପଡୁଥିଲା ଯେଉଁଠି ନାହିଁ ସେଠି |

ଖରାଦିନ ଗଲା ବର୍ଷା ଆସିଲା | ଟିଂକୁ ରାତିରେ ଶୋଇଛି ଅସରାଏ ବର୍ଷା କୁଢେଇ ଦେଲା | ଦୋକାନ ତଳକୁ ଟିଂକୁ ଉଠି ଯାଉ ଯାଉ ସମ୍ପୂର୍ଣ୍ଣ ଓଦା | ନିଜ ପୁଟୁଳିଟି ଯାହାକୁ ମୁଣ୍ଡ ଉପରେ ରଖିଥିଲା, ତା ଭିତରେ ଥିବା ଆଉ ଦୁଇ ହଳ ଫଟା ଚିରା କପଡା ବି ପୁରା ଓଦା | ବର୍ଷା ସାଙ୍ଗକୁ ସୁଲୁସୁଲୁ ପବନ ତା ଓଠକୁ ଥରାଇ ଦେଲା | ସେ ଥରିବାକୁ ଲାଗିଲା | ପୁଟୁଳି ଖୋଲି ସେ ଓଦା କପଡ଼ା ସବୁ ତକ ପିନ୍ଧିଦେଲା | ପ୍ରଥମ କରି ତାକୁ ଅନୁଭବ ହେଲା ଘର ଭିତରେ ରହିବା କଣ | ଗୋଡ ହାତକୁ ଯୋଡି ଦୋକାନ ବାହାରେ ସେମିତି ପଡି ରହିଥାଏ | ବର୍ଷା ଛିଟିକାରେ ପିଠିପଟୁ ପାଣି ଗଳିଵାକୁ ଲାଗିଲା | ଟିଂକୁ ଚାହିଁ ଥାଏ କେତେବେଳେ ସକାଳ ହେବ ଆଉ ସୂର୍ଯ୍ୟ ଉଇଁବ | ତା ଆଲୋକରେ ସେକିବ ହାତ ଓ ଗୋଡ |

ଏପରି ଭାବୁ ଭାବୁ ଟିଂକୁର ଆଖି କେତେବେଳେ ଲାଗି ଯାଇଛି | ଦୋକାନୀ ଗୋଇଠାରେ ନିଦ ଭାଙ୍ଗିଲା | ପୋଷାକ ପୁରା ଓଦା |ଟିଂକୁ ଚାହିଁଲା ଆଜି କାଇଁ ସୂର୍ଯ୍ୟ ନାହିଁ | ତା ପୋଷାକ ସୁଖିବ କିପରି | ଏତିକି ବେଳେ ଦୋକାନୀ ରଡି ଛାଡିଲା ଏ ଟୋକା ଉଠୁ ଏଠୁ, ଯାଆ ଏଠାରୁ ତୋ ଦେହରୁ କି ଗନ୍ଧ ବାହାରୁଛି, ଗରାଖ ତତେ ଦେଖିଲେ ବାଟ ଭାଙ୍ଗି ଚାଲିଯିବେ | ଯାଆ |

ଟିଂକୁ ଦୋକାନୀକୁ ଖତେଇ ହୋଇ ଚାଲିଗଲା |

ଚାରିଦିନ ପରେ ଟିଂକୁ ବସି ରାସ୍ତା କଡରେ କାହାର ଜୋତା ସଫା କରୁଥାଏ | ସେ ଦୋକାନୀ ସାଙ୍ଗରେ ଦୁଇଜଣ କନେଷ୍ଟବଳ ଙ୍କୁ ସାଙ୍ଗରେ ଆଣି ଟିଂକୁ କୁ ଦେଖାଇ ଦେଲା | ଟିଂକୁ ଭାବିଲା ସେଦିନ ଦୋକାନୀକୁ ଖତେଇ ହୋଇଥିଲି ବୋଲି ରାଗରେ ପୋଲିସ ଡାକି ଆଣିଛି | ଟିଂକୁ ସେ ପୋଲିସ କୁ ଦେଖି ଦୌଡିବାକୁ ଲାଗିଲା | ଚୋର ଚୋର କହି ପୋଲିସ କର୍ମଚାରୀ ତା ପଛରେ ଧାଇଁ ଥାନ୍ତି | ଖୁବ୍ ଜଲ୍ଦି ଟିଂକୁ ସେମାନଙ୍କ ହାତରେ ଧରାପଡ଼ି ଜେଲ ଗଲା | ଟିଂକୁ ଭାବୁଥିଲା ଖତେଇ ହେଲେ ବୋଧେ ଜେଲଯାନ୍ତି | କିନ୍ତୁ କଥାଟା ଅଲଗା ପ୍ରକାର ଥିଲା, ଟିଂକୁ ଶୋଇଥିବା ସେ ଦୋକାନରେ ଚାରିଦିନ ପରେ ଚୋରି ହୋଇଥିଲା | ଯାହର ଫଳ ସୁରୂପ ଟିଂକୁକୁ ପିଲାସୁଧାର କାରାଗାରରେ ରହିବାକୁ ପଡିଲା | ଅବଶ୍ୟ ଟିଂକୁକୁ ସେଠାରେ ଭଲ ଲାଗୁଥିଲା ତିନି ବେଳା ଖାଇବାକୁ, ପିନ୍ଧିବାକୁ କପଡା ଓ ବର୍ଷା ଦାଉରୁ ରହିବାକୁ ଘର ଥିଲା | ପିଲା ମାନଙ୍କୁ ଭଲ ଭଲ ଉପଦେଶ ଦିଆ ଯାଉଥିଲା | ଟିଂକୁ ସେଠାରେ ବାସନ ମଜା କାମରେ ନିଯୋଜିତ ଥିଲା | ୬ ମାସ ରହିଲା ପରେ ସେ ଫେରିଲା |

ଟିଂକୁ ଏଥର ମନସ୍ତ କଲା କୌଣସି ଦୋକାନରେ ରହି ବାସନ ମାଜିବ | ଅନେକ ଖୋଜିବା ପରେ ସୁଲେମାନ ଜଳଖିଆ ଦୋକାନରେ ତାକୁ କାମ ମିଳିଲା | ମନପ୍ରାଣ ଲଗାଇ ଟିଂକୁ କାମ କରୁଥାଏ | ଧୀରେ ଧୀରେ ବାସନମଜାରୁ ଅନ୍ୟ କାମ କରିବାରେ ହାତ ବାଟାଉ ଥାଏ | ସମୟ ଗଡି ଚାଲିଲା ଟିଂକୁ ବଡ଼ ହେଉଥିଲା | ସୁଲେମାନ ଜଳଖିଆ ଦୋକାନ ହୋଟେଲ ରେ ପରିବର୍ତ୍ତନ ହେଲା |

ଟିଂକୁ ବଳଦ ଭଳି ଖଟି ଚାଲିଥାଏ | କେବଳ ତିନିବେଳା ଖାଇବାକୁ ମିଳୁଥିଲା ତାକୁ | ଟିଂକୁ ଭାବିଲା ସୁଲେମାନ ଭାଇ କୁ କହିବା ସମୟ ଆସିଲାଣି, ତାକୁ ଏଥର ପ୍ରତି ମାସରେ କିଛି କିଛି ଟଙ୍କା ଦେବେ |

ସେଦିନ ରାତିରେ ସୁଲେମାନ ପେଟେ ମଦ ପିଇ ବସିଥାଏ | ଟିଂକୁ ଯାଇ ପହଁଚିଲା ତା ପାଖରେ | ମନରେ ଥିବା କଥାକୁ ପ୍ରକାଶ କଲା | ତା ପରିଶ୍ରମର ପାରିଶ୍ରମିକ ଦେବାକୁ କହିଲା | ସୁଲେମାନ ଏକ ତାଚ୍ଛଲ୍ୟ ଭରା ହସ ହସି କହିଲା ", ଟଙ୍କା ଦରକାର ଚୋରକୁ | ଆରେ ମୁଁ ତୋ ଉପରେ ତରସ ଖାଇ ମୋ ଦୋକାନରେ ରଖିଥିଲି, ମୁଁ ଜାଣିଥିଲି ତୁ ଗୋଟେ ଚୋର ବୋଲି | ଦିନକୁ ତିନି ଥର ପେଟ ଭରି ଖାଇବାକୁ ପାଉଛୁ ସେଇ ବଡ଼ କଥା | ଯାଆ ଏଠାରୁ ଜାରଜ ଛୁଆ | ଏ ପୁଣି ମତେ ଟଙ୍କା ମାଗିବ " |

ଟିଂକୁ ନଚାହିଁ ବି କ୍ରୋଧ ରେ ଜଳୁଥିଲା | ତାର ଇଛା ହଉଥିଲା ସୁଲେମାନ ତଣ୍ଟିକୁ ଚିପି ଧରନ୍ତା | ସୁଲେମାନ, ଟିଂକୁ ର ଆଖିରେ ରାଗକୁ ଠିକି ବାରି ପାରୁଥିଲା | ପାଖରେ ପଡ଼ିଥିବା ମାଂସ କଟା ଛୁରୀକୁ ଟେକି ଆଣି, ଟିଂକୁକୁ ଡରାଇବାକୁ ଲାଗିଲା |ଆକସ୍ମିକ ଘଟିଗଲା ଅଘଟଣ ସେଲେମାନ ଗୋଡ ଖସି ପଡିଗଲା ପେଟେଇକି, ହାତରେ ଧରିଥିବା ଛୁରୀଟି ପେଟର ଏପଟ ସେପଟ ହାଇଗଲା | ଦେଖୁ ଦେଖୁ ନିମିଷେ ମଧ୍ୟରେ ସୁଲେମାନ ର ପ୍ରାଣବାୟୁ ଚାଲିଗଲା | ଟିଂକୁ କିଛି ବୁଝିପାରୁ ନାଥାଏ | ଥରେ ସେ ହାଜତ ଯାଇ ସାରିଛି | କଣ କରିବ କିଛି ଭାବି ପାରୁନଥାଏ | ସୁଲେମାନ କୁ ଉଠାଇବାକୁ ଟିଂକୁ ଧାଇଁ ଗଲା |ରକ୍ତ ବୋହି ଚାଲିଥାଏ | ଟିଂକୁ ଛୁରୀ ଟି କାଢ଼ିବାକୁ ପ୍ରୟାସ କଲା ନା ପାରିବନି | ସେ ଏଥର ଭାବିଲା ଲୁଚି ଚାଲିଯିବ | କିଂତୁ ଚାଲିଗଲେ ପୋଲିସ ଭାବିବ ସୁଲେମାନ ଙ୍କୁ ସେ ମାରିଛି | ଏଥର ମୁଣ୍ଡକୁ ବୁଦ୍ଧି ଆସିଲା ନିଜେ ଯାଇ ପୋଲିସ ଷ୍ଟେସନ ରେ ସବୁ ବୟାନ କରିବ |

ଧାଇଁଗଲା ଟିଂକୁ | ନିଃଶ୍ବସ ଘର ଧରୁ ନାଥାଏ | ରାତିରେ ଫାଣ୍ଡିରେ ଶୋଇଥିବା ଇନ୍ସ୍ପେକଟର ଆଖି ମଳି ମଳି ଉଠିଲେ |ଟିଂକୁର ହାତ ଓ ଦେହରେ ରକ୍ତର ଛିଟା | ସେ କିଛି ନବୁଝି ସର୍ବ ପ୍ରଥମେ ଟିଂକୁ କୁ ହାଜତରେ ପୁରାଇ ଦେଲେ | ଟିଂକୁ ହିନ୍ଦୁ କି ମୁସଲମାନ ବୁଝିବା ପୂର୍ବରୁ, ଦଙ୍ଗା ଡରରେ ସବୁ ଦୋଷ ତା ମୁଣ୍ଡରେ ଢାଳି ଦେଲେ | ବାରବର୍ଷ ସଜା ଶୁଣାଇ ଦେଲେ ଓ ଟିଂକୁ ପୁନଃ ପହଂଚି ସାରିଥିଲା କାରାଗାରରେ |

ଏଥର କାରାଗାର ଭିନ୍ନ ଥିଲା | ବିଭିନ୍ନ ପ୍ରକାର ହତ୍ୟାକାରୀ ଙ୍କ ସହ ରହୁଥିଲା ଟିଂକୁ | ଭାଗ୍ୟ ଯେପରି ତାସହ ଖେଳ ଖେଳୁଥିଲା | ଦୁନିଆଁର ସବୁକଷ୍ଟ କଣ ତାରି ଭାଗ୍ୟରେ ଲେଖାଥିଲା, ଟିଂକୁ ଏବେ ଭାବୁଥିଲା | ଯଦି ଦୋଷ କରିଥାନ୍ତା ପଶ୍ଚାତାପ କରିବାକୁ କଷ୍ଟ ହୁଅନ୍ତାନି | କିନ୍ତୁ ବିନା ଦୋଷରେ ସେ ସଜା ଭୋଗୀ ଚାଲିଛି |

ସମସ୍ତ ଲୋକଙ୍କ ଭିତରେ ଟିଂକୁ ଥିଲା ଭିନ୍ନ | ଜେଲରେ ହେଉଥିବା ରୋଷେଇ ରେ ଯୋଗ ଦେଉଥିଲା | ସେଠାରେ ବନିଥିଲା ମୁଖ୍ୟ ରୋଷେୟା | ସମୟ କଟି ଚାଲିଥିଲା | ଟିଂକୁର ଏହା ଭିତରେ ଆଠ ବର୍ଷ ଚାଲିଗଲା | ତା ଭଲ କାମ ପାଇଁ ଜେଲର ବାକି ସଜାକୁ କ୍ଷମାକରି ଦେଇଥିଲେ | ଟିଂକୁ ପାଦ ଥାପିଲା ବାହାରେ | ଆଉ କାହା ଦୟାରେ ଅଥବା କାହା ପାଖରେ କାମ ନକରି ନିଜେ କିଛି କରିବାକୁ ଭାବିଲା |

ଜେଲେରେ ଥିବା ସମୟରେ ଟିଂକୁ ଯେଉଁ କାମ କରିଥିଲା ସେବାବଦରେ କିଛି ଟଙ୍କା ମିଳିଥିଲା, ଓ ବାହରକୁ ଆସିବା ପରେ ମୁଲ ଲାଗି ଆଉ କିଛି ଅର୍ଥ ଯୋଗାଡ କଲା | ମନସ୍ଥ କରିଥିଲା ଶୂନଶାନ ରାଜପଥ କଡରେ ଗୋଟେ ଚାହା ଦୋକାନ ଖୋଲିବ | କାହିଁ କେଉଁଦିନରୁ ରାସ୍ତା କଡରେ ପଡ଼ିଥିବା ସେ ଭଙ୍ଗା କେଭିନ୍ ଆଖିରେ ପଡିଲା ଟିଂକୁର | ହାତରେ ଟିକେ ଆଉଁଷି ଆଣିଲା | ଏହାକୁ ମରାମତି କରିଦେଲେ ହେବ | ଆଗକୁ ଯଦି ହାତକୁ ଟଙ୍କା ଆସେ, ତାହେଲେ ଦେଖିବା ନୁଆଁ କିଛି | ଭାଙ୍ଗି ଯାଇଥିବା ଯାଗାରେ ପଟା ବାଡେଇ ଠିକି କରିଦେଲା | ଆହୁରି ଫାଙ୍କ ଥିଲା କିନ୍ତୁ ବର୍ତ୍ତମାନ ପାଇଁ ଚଳିବ | ଟିଂକୁ ର ଆରମ୍ଭ ହେଲା ଚାହା ଦୋକାନ | ରାଜରାସ୍ତାରେ ଯାଉଥିବା ବଡ ବଡ଼ ଯାନ ଗୁଡିକ ପହେଲେ ପହେଲେ ଜାଣି ପାରୁ ନଥିଲେ | କିନ୍ତୁ ଯିଏ ଥରେ ଟିଂକୁ ହାତର ଚାହା ପିଉଥିଲା ସେ ନିଶ୍ଚୟ ମନେ ରଖୁଥିଲା | ଚାହା ର ଚାହିଦା ବଢିଲା | ଟିଂକୁ ହାତକୁ ଦୁଇ ପଇସା ଆସିବାକୁ ଲାଗିଲା |

ଟିଂକୁ ଚାହୁଁଥିଲା ଏଥର ଏ ଭଙ୍ଗା କେଭିନ ଭାଙ୍ଗି, ନୂଆ ଗୋଟେ କେଭିନ ଖୋଲିବ | କିଛି ଜଳଖିଆ ବି ରଖିବ | ଧୀରେ ଧୀରେ ଜଳଖିଆ ଦୋକାନ ଖୋଲିବ | ସ୍ୱପ୍ନ ଦେଖିବାକୁ ସମସ୍ତେ ଭଲପାନ୍ତି | କିନ୍ତୁ ସବୁ ସ୍ୱପ୍ନ କଣ ସାକାର ହୁଏ |

ସେଦିନ ଥାଏ ବର୍ଷା ରାତି | ଘଡ଼ଘଡ଼ି ବିଜୁଳି କୁ ତାଳଦେଇ ବର୍ଷା ଓ ପବନ | ଟିଂକୁ ତା ଭଙ୍ଗା କେଭିନ ଭିତରେ ଶୋଇଥାଏ |ତାକୁ ଶବ୍ଦ ହେଲା ବାହାରେ ଯେପରି କଣ ଭୁଷୁ କରି ପଡିଲା | ସେ ଶୁଣିକି ବି ନସୁଣିଲା ପରି ଶୋଇ ରହିଲା |ଏ ରାତି ଅଧରେ ଅନେକ ନିଶା ଶକ୍ତ ଗାଡି ଚାଳକ ଏପରି ବ୍ୟବହାର କରନ୍ତି | ସେମାନଙ୍କ ଭିତରୁ କାହାର କାମ ହୋଇଥିବ | କିନ୍ତୁ କିଛି ସମୟର ବ୍ୟବଧାନ ପରେ ଏଥର ତା କେଭିନ ରେ କିଏ ଯେପରି କାରାଘାତ କଲା |

ଟିଂକୁ ଜୋର ରେ କହିଲା " ଏ ବର୍ଷା ପବନରେ ଆଞ୍ଚ ଲଗେଇ ହେବନି | ଚାହା କରିବା ଅସମ୍ଭବ | ବର୍ଷା ପବନ କମିଲେ ଯାଇ ଯେଉଁ କଥା " |

ଟିଂକୁର କଥାକୁ କିଏ କର୍ଣ୍ଣପାତ କରୁଥିଲା କି ନାହିଁ ଜଣା ନାହିଁ ପୁନଃ ଆଘାତ ଦେଲା କେଭିନ ରେ |

ଠକ ଠକ ଶବ୍ଦରେ ଟିଂକୁ ଶାନ୍ତିରେ ଶୋଇ ପାରିଲା ନାହିଁ | ରାଗରେ ମୁଖ୍ୟ ଦ୍ୱରକୁ ଜୋରରେ ଖୋଲିଦେଲା | କିନ୍ତୁ ସମ୍ମୁଖରେ କେହି ନଥିଲେ | ଅନ୍ଧାରରେ ସ୍ପଷ୍ଟ କିଛି ଦେଖା ଯାଉ ନଥିଲା | ହଟାତ ଟିଂକୁର ଗୋଡକୁ କିଏ ମାଡି ବସିଲା ଓ ଅସ୍ପଷ୍ଟ ସ୍ୱରରେ କହୁଥିଲା " ପାଣି ପାଣି " |

ଟିଂକୁ ତଳକୁ ଚାହିଁଲା ବିଜୁଳି ଆଲୋକରେ ସ୍ପଷ୍ଟ ଦେଖି ପାରୁଥିଲା ତା ଆଗରେ ପଡ଼ିଥିବା ଜଣେ ଝିଅକୁ | ଶରୀର କ୍ଷତାକ୍ତ | ରକ୍ତ ଜୁଡୁବୁଡୁ | ଦେହରେ କପଡା ନଥିଲା | ଟିଂକୁ ତଣ୍ଟି ଶୁଖିଯାଉଥାଏ | କଣ କରିବ? | ଯଦି ଝିଅଟିର କଣ ହୁଏ, କାଲି ସକାଳେ ପୋଲିସ ଆସି, କିଛି ନବୁଝି ତାକୁ ହିଁ ଉଠାଇ ନେଇଯିବ | ଓ ଦୋଷୀ ସାବ୍ୟସ୍ତ କରି ଅନିଦ୍ଧିଷ୍ଟ କଳା ପାଇଁ ସେ ଅନ୍ଧାର କୋଠରୀରେ ଛାଡ଼ିଦେବ |

ଟିଂକୁ ଭାବନାରେ ପୁଣ୍ୟଛେଦ ଟାଣି ଝିଅଟି ବିକଳରେ ପୁଣି ଥରେ କହିଲା " ପାଣି ପାଣି " |

ଟିଂକୁ ଆଗପଛ କିଛି ନଭାବି ଝିଅଟିକୁ ଟେକି ନେଇଗଲା କେଭିନ ଭିତରକୁ | ନିଜେ ଘୋଡେଇ ହେଇଥିବା କମ୍ବଳକୁ ଢାଙ୍କି ଦେଲା ତା ଦେହରେ | ଦୌଡ଼ି ଯାଇ ପାଣି ଗ୍ଲାସ ଆଣି ଧରିଲା ତା ପାଟି ପାଖରେ | ଝିଅଟି ଢକ ଢକ ହୋଇ ପାଣି ପିଇଗଲା | ଓ ଧୀରେ ଧୀରେ ଲୋଟିଗଲା ଟିଂକୁର ହାତ ଉପରେ | ସେ ଚେତାଶୂନ୍ୟ ହୋଇ ଯାଇଥିଲା | ଟିଂକୁ ତା ହାତ ପାପୁଲିକୁ ଘଷି ଘଷି କହୁଥାଏ " ସବୁ କର, ହେଲେ ମରନି, ଏ ଦୁନିଆ ନହେଲେ ଭାବିବ ମୁଁ ତୋ ଜୀବନ ନେଇଛି " | ଟିଂକୁ ଦୌଡ଼ି ଗଲା, ଅତି କଷ୍ଟରେ ଆଞ୍ଚରେ ନିଆଁ ଧରାଇଲା | ପୁନଃ ଝିଅକୁ ଡେକି ଆଣି ବେଞ୍ଚ ଉପରେ ଭଲକି ଘୋଡାଇ ବସାଇ ଦେଲା | ତା ଗୋଡ଼ ଓ ହାତକୁ ନିଆଁରେ ସେକିବାକୁ ଲାଗିଲା | ଉଷ୍ମତା ପାଇଁ ଥଣ୍ଡା ପଡିଯାଇଥିବା ଦେହଟି ଏବେ ହଲିବାକୁ ଆଗିଲା | ଟିଂକୁ ଦେହରେ ଜୀବନ ପଶିଲା | ଯାହା ହେଉ ଝିଅଟି ବଂଚିଛି | ଝିଅଟି ଆଖି ଖୋଲି ଚାହିଁଲା, ଆଗରେ ଟିଂକୁ କୁ ଦେଖି ନିଜ ଦେହକୁ କମ୍ବଳରେ ଘୋଡେଇ ଦେଉଥିଲା ଭଲକରି |

ଏଥର ଝିଅଟିକୁ ଭିତରକୁ ଯାଇ ବସିବାକୁ ନିର୍ଦ୍ଧେଶ ଦେଲା ଟିଂକୁ | ଓ ନିଜର ହଲେ ପ୍ୟାଣ୍ଟ ସର୍ଟ କୁ ବଢ଼ାଇ ଦେଲା ଝିଅଟି ହାତକୁ | ରାତି ପାହି ନଥିଲେ ବି ଟିଂକୁର ଶୋଇବାକୁ ଆଉ ଇଛା ହେଲାନି | ଆଞ୍ଚ ଉପରେ ଚାହା ବସାଇଲା | ଗୋଟେ ଗ୍ଲାସ ଚାହା ଓ ବିସ୍କୁଟ ପ୍ୟାକେଟ ନେଇ ରଖିଲା ଝିଅର ଆଗରେ | ଝିଅଟି ବୋଧେ ଭୋକରେ ଥିଲା ଆଖି ପିଛୁଳାକେ ଶେଷ କରିଦେଲା ସବୁ | ଟିଂକୁ କଣ ଭାବିଲା କେଜାଣି ଆଉ ଥରେ ଚାହା ଓ ବିସ୍କୁଟ ନେଇ ରଖି ଦେଲା ଝିଅଟି ଆଗରେ, ସେ ଥରେ ଟିଂକୁକୁ ଚାହିଁ ପୁଣି ଖାଇବାକୁ ଲାଗିଲା |

ଟିଂକୁ ଚାହିଁଲା ଝିଅଟି ଉଠି ଯାଇ ପାଣି ପିଉଚି | ଯାହା ହେଉ ଯେତେ ଶୀଘ୍ର ସୁସ୍ଥ ହେବ ତା ବାଟରେ ସେ ଚାଲିଯିବ | ଚାହା ଟା ଉତୁରି ଆସିଲା, ଟିଂକୁ ଡଙ୍କି ପକାଇ ଗୋଲାଉ ଥାଏ | କିଛି ସମୟ ବ୍ୟବଧାନରେ ଚାହିଁଲା ସେ ଝିଅକୁ | ଝିଅଟି କମ୍ବଳ ଘୋଡେଇ ହୋଇ ଶୋଇପଡିଥିଲା | ଟିଂକୁ ଉଠିଯାଇ କବାଟକୁ ଆଉଜେଇ ଆଣିଲା ଯେପରି ବାହାରକୁ ଝିଅଟି ଦେଖା ନଯାଏ |

ରାତିପାହି ଆସୁଥାଏ | ଦୋକାନ ଆଗରେ ଭିଡ ବଢିଲା | ଟିଂକୁ ଗ୍ରାହକ ମାନଙ୍କ ଖବର ବୁଝିବାରେ ଵ୍ୟସ୍ତ ଥାଏ | କାମ ଭିତରେ ଭୁଲି ଯାଇଥିଲା ଝିଅଟି କଥା | ତାର ଇଚ୍ଛା ହେଉଥିଲା ଯାଇ ଦେଖି ଆସିବାକୁ କିନ୍ତୁ ବାହାରେ ଲୋକ ମାନେ ଥିବାରୁ ସେ ଚୁପ ରହିଲା | ଟିକେ ଯେପରି ନିରଳା ହେଇଛି ଉଠିଯାଇ ଦେଖିଲା ଝିଅଟି କେଭିନ ପଟାକୁ ମୁଣ୍ଡ ଦେଇ ବସିଛି | ଆଖିରୁ ଦୁଇଧାର ଲୁହ ବୋହି ଯାଉଛି |

ଟୁଙ୍କୁର ମନରେ ଥିବା ମାଆର ସେ ଅସ୍ପଷ୍ଟ ମୁହଁ ଟି ଯେପରି ଜୀବିତ ହୋଇ ଉଠିଲା | ମାଆ ଆଖିରୁ ଅନେକ ଥର ଏପରି ଲୁହ ନିଗୁଡୁ ଥିଲା | ଟିଂକୁ ସେତେବେଳେ ବୁଝି ପାରୁନଥିଲା, ବର୍ତ୍ତମାନ କାନ୍ଧରେ ଥିବା ଗାମୁଛାରେ ପୋଛିଦେଲା ସେ ଲୁହକୁ | ଆଖି କାହାର ଥିଲା ତାକୁ ଜଣା ନାହିଁ, କିନ୍ତୁ ଲୁହ ଚିନ୍ହା ଚିନ୍ହା ଥିଲା | ଝିଅଟି ନିଜକୁ ହାତର ସାହାଯ୍ୟରେ ଲୁଚାଇବାକୁ ଚାହୁଁଥିଲା | ଟିଂକୁ ବୁଝିପାରିଲା , ଉଠି ଚାଲି ଆସିଲା ସେଠାରୁ | ଦିନେ ନୁହେଁ, ଦୁଇ ଦିନ ନୁହଁ ଏପରି ଦିନ ଗଡି ଚାଲିଲା | ଟିଂକୁ ସେ ଝିଅକୁ ନା ଯିବାକୁ କହୁଥାଏ ନା ସେ ଝିଅ ଆପେ କୁଆଡେ ଯାଉଥାଏ | ଟିଂକୁର ଘର କହିଲେ ସେଇ କେଭିନଟି | ଝିଅ ଟି ଭିତରେ ଶୁଏ ଓ ଟିଂକୁ ବାହାରେ ପଡ଼ିଥିବା ବେଞ୍ଚରେ | ଅବଶ୍ୟ ମଶା ଡାନ୍ସ ଙ୍କ ଜ୍ୱାଳାକୁ ସହ୍ୟ କରେ |

ଯାହା ଫୁଟାଏ ଦୁହେଁ ଖାଉଥିଲେ | କେଭିନ ପଛପଟେ ଗୋଟେ ଜରି ପାଲ ବାନ୍ଧି ଦେଇଛି ଯେଉଁଠି ଝିଅଟି ନିଜର ନିତ୍ୟକର୍ମ ସାରେ |

କେହି କେହି ବାହର ଲୋକ ଟିଂକୁ କୁ ଆକ୍ଷେପ କରି କହିଲେଣି " କଣ ଭାଇ, ବାହା ହେଇଚ ନା ସେମିତି ଆଣି ରଖିଛ " | ଟିଂକୁ କୁ ଏସବୁ କଥା ପସନ୍ଦ ନହେଲେବି, ଗ୍ରାହକ ତା ପାଇଁ ଭଗବାନ | ସେଥିପାଇଁ ଚୁପ ରୁହେ |

ଏହା ଭିତରେ ମାସେ ହେଲାଣି ଟିଂକୁ ଝିଅଟିର ଅବସ୍ଥା ଯାହା ଦେଖିଥିଲା ସେଥିରୁ ବହୁତ କିଛି ବୁଝି ପାରିଥିଲା | ଅଧିକା କଣ ତାକୁ ପଚାରି ଦୁଃଖ ଦେବ | ବାକି ରହିଲା ତା ଘର କି ପରିଚୟ ସେଥୁରୁ ବି ଟିଂକୁ କୁ କଣ ମିଳିବ |

ଝିଅଟିର ନିଖୁରା ଚୁଟି ଦେଖି ସେଦିନ ଗୋଟେ ତେଲ ବୋତଲ ଓ ପାନିଆ ଆଣି ତା ପାଖରେ ରଖିଦେଇ ହସିଦେଲା ଟିଂକୁ | ଝିଅଟି ବି କିଛି ନ କହି ହାତରେ ଧରିଲା ସବୁ ଜିନିଷ | ପାଖରେ ଥୁଆ ହୋଇଥିବା କୌଣସି ଗାଡିର ଭାଙ୍ଗି ଯାଇଥିବା ଦର୍ପଣ କୁ ଆଣି ମୁହଁ ଦେଖିଲା | ଲାଗୁଥିଲ ଅନେକ ଦିନ ପରେ ନିଜ ମୁହଁ ଦେଖୁଛି | ମୁଣ୍ଡରେ ତେଲ ମାରି କୁଣ୍ଡେଇ ଦେଲା ଚୁଟିକୁ | ଟିଂକୁ ଦୂରରୁ ଦେଖୁଥିଲା ଝିଅଟିକୁ | ଆଜି କାଇଁ ନିଆରା ନିଆରା ଲାଗୁଛି | ସୁଖୀ ଯାଇଥିବା ସେ ମୁଖରେ ଚମକ ଥିଲା | ଶୁଖିଲା ଓ ନିଶ୍ଚଳ ଓଠରେ ଆଜି କେତେବେଳେ କିମିତି ମୁରିକି ହସ ଥିଲା |

ସମୟ ଗତି କରୁଥିଲା | ଏହା ଭିତରେ ଆହୁରି ଦୁଇ ମାସ କଟି ଯାଇଥିଲା | ଦୁହିଁଙ୍କ ଭିତରେ ଖାଲି ହଁ, ନଇଁରେ କଥା | ଟିଂକୁ ଯାହା ଫୁଟାଏ ଦୁହେଁ ବଣ୍ଟି ଖାଇଦେଉ ଥିଲେ | ଟିଂକୁ ଏତିକି ବି ଜାଣି ନଥିଲା ଝିଅଟିର ନାଆଁ କଣ? କେବେ ଦରକାର ପଡି ନଥିଲା ନାଆଁ ଧରି ଡାକିବାକୁ |

ସେଦିନ ରାତିରେ ଟିଂକୁ ବେଞ୍ଚ ଉପରେ ଶୋଇଥାଏ | ଖରାଦିନ ତେଣୁ ବାହାରେ ଶୋଇବାକୁ କିଛି ଅସୁବିଧା ନଥିଲା | ପୁରୁଷ ପିଲା ଡର କଣ | ଅଧରାତି ବେଳକୁ କେଉଁଠି ଥିଲା ସେ କାଳବୈଶାଖୀ କେଜାଣି,ଧୂଳି ଝଡ଼ ଆରମ୍ଭ ହୋଇଗଲା | ତା ପରେ ଆରଂଭ ହେଲା ବର୍ଷା ଘଡ଼ଘଡ଼ି | ଟିଂକୁ ସେମିତି ବାହାରେ କୁଙ୍କୁରିକାଙ୍କୁରୀ ହୋଇ ବସିଥାଏ | ଝିଅଟି କବାଟ ଖୋଲି ବାହରକୁ ଆସିଲା | ଟିଂକୁ ପଛପଟେ ଧୀରେକି ଆଘାତ ଦେଇ କହିଲା " ବର୍ଷା ଏବେ ଛାଡିବନି | ଏ ଘଡଘଡ଼ିରେ ବାହାରେ ବସନି, ଭିତରକୁ ଆସି ଶୋଇପଡ |

ଟିଂକୁ ଅଧା ଶରୀର ବର୍ଷା ପାଣି ଛିଟାରେ ଓଦା ହୋଇ ସାରିଥିଲା, କେତେ ସମୟ ଅବା ଆଉ ବିଜୁଳି ଘଡଘଡ଼ିରେ ନିଜ ଛାତିକୁ ପଥର କରି ବସି ପାରିବ | ଝିଅଟିର ଡାକରେ ସୁନାପିଲାଟି ପରି ଭିତରକୁ ଚାଲି ଆସିଲା | ଦୁଇ ଜଣ ଅଲଗା ଶୋଇବା ପାଇଁ ଯାଗା ଅବା କାଇଁ | ଟିଂକୁ ଅନିଚ୍ଛା ସ୍ୱତେ ଝିଅଟିର ପାଖରେ ଶୋଇଵାକୁ ପଡିଲା | ଦୁଇଜଣ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି ମୁହଁ ରହିଥିଲେ | କାଳେ କାହା ଶରୀର କାହାକୁ ଛୁଇଁଯିବ ସେଥିପାଇଁ ଅତ୍ୟନ୍ତ ସଜାଗ ଥିଲେ | କେତେବେଳେ ଆଖି ଲାଗି ଯାଇଛି ଉଭୟଙ୍କୁ ଜଣା ନାହିଁ |

କୌଣସି ଗ୍ରହକର ଡାକରେ ନିଦ ଭାଙ୍ଗିଲା ଦୁହିଁଙ୍କର ଟିଂକୁ ଗୋଡ ଲଦି ହୋଇଥିଲା ଝିଅଟି ଗୋଡ ଉପରେ | ଯେପରି ଡାକ ଶୁଭିଛି ଦୁହେଁ ଏକା ସାଙ୍ଗରେ ନିଦରୁ ଉଠିଲେ | ନିଜର ଏପରି ଅବସ୍ଥା ଦେଖି ନିଜକୁ ସଜାଡି ଦେଲେ |

ଝିଅଟି କାମରେ ସାହାଯ୍ୟ କରିଥିଲା ଟିଂକୁକୁ, ଟିଂକୁ ବି ମନା କରେନି | ପୁନଃ ରାତି ହେଲା ଆଜି କିନ୍ତୁ ବର୍ଷା ନଥିଲା ତଥାପି ଝିଅଟି ବାରଣ କଲା ଟିଂକୁକୁ ବାହାରେ ଶୋଇବାକୁ | ଟିଂକୁ ବି କାହିଁକି କେଜାଣି ମନା କରି ପରିନଥିଲା |

ରାତି ଅଧାରେ କିଏ କବାଟ ବାଡ଼ଉ ଥିଲେ | ଟିଂକୁ ଉଠି ବସିଲା, ଏତେ ରାତିରେ କିଏ ଚାହା ପାଇଁ ଡାକୁଛି ?| ହଁ ନିଶାରେ କିଏ ଏପରି କରୁଥିବ | ନ ଉଠିଲେ ଆପେ ଚାଲିଯିବ ଡାକିଡାକି | କିନ୍ତୁ ଟିଂକୁର ଭାବନା ଭୁଲ ସାବ୍ୟସ୍ତ ହେଲା | ଦୁଇ ତିନିଜଣ ହେବେ ବୋଧେ, ଜୋର ଜୋର କବାଟ ବାଡ଼ଉଥାନ୍ତି | ତା ସହିତ ଗାଳି ଗୁଲଜ ବି ଶୁଭୁଥାଏ | ଟିଂକୁ ଉଠୁଥିଲା କବାଟ ଖୋଲିବାକୁ ଝିଅଟି ତା ହାତକୁ ଧରି ମନା କଲା | ସେ ଯେପରି ଭୟରେ ଧରୁଥାଏ | ଟିଂକୁ କିଛି ବୁଝି ପାରିଲା ନାହିଁ | ଝିଅଟି ଆଡକୁ ଚାହିଁ ପଚାରିଲା କଣ ହେଲା, ଏତେ ଡ଼ରୁଛ କାଇଁକି? | କଣ ସେମାନେ ତୁମର ପରିଚିତ? |

ଝିଅଟି ଆଖିରୁ ବୋହିଗଲା ଲୁହ | ଓ କହିବାକୁ ଲାଗିଲା " ମୁଁ ମିତା, ଆମେ ଦୁଇ ଭଉଣୀ ଥିଲୁ | ମାଆ ବାପା ଦୁହେଁ ଡକାଡ଼କି ହୋଇ ଆରପାରିକୁ ଚାଲିଗଲେ | ଅପା ମୁଲଲାଗି ଆମ ଦୁଇଜଣଙ୍କ ପେଟ ପୋଷୁଥିଲା | ଦିନେ ଅପା ଜଣେ ଲୋକକୁ ମୋ ସାମ୍ନାରେ ଆଣି ଠିଆ କରାଇ କହିଲା ଏ ତୋ ଭିଣୋଇ | ଆଜି ଠାରୁ ଆମେ ଦୁହେଁ ଆଙ୍କ ପାଖରେ ରହିବା | ଅପା ଖୁସି ଥିଲା | ତା ଖୁସି ଦେଖି ମୋ ମନ ବି ଆନନ୍ଦରେ ଭରି ଯାଉଥିଲା | କିନ୍ତୁ ସେ ଖୁସି ଅଧିକ ଦିନ ରହିଲାନି | ନିଶା ଖାଇ, ଭିଣୋଇ ପରିଚୟ ଦେଉଥିବା ସେ ରାକ୍ଷସ ମୋ ଅପାକୁ ଅତ୍ୟାଚାର କରୁଥିଲା | ତଥାପି ଅପା ଚୁପ ରହୁଥିଲା କେବଳ ମୋ ପାଇଁ | ଘରକୁ ଭିନ୍ନ ଭିନ୍ନ ପୁରୁଷଙ୍କୁ ଆଣି ସେ ରାକ୍ଷସ ମୋ ଅପାକୁ ବାଧ୍ୟ କରୁଥିଲା ସମ୍ପର୍କ ରଖିବାକୁ | ଏହାକୁ ସେ ରୋଜାଗାରର ପନ୍ଥା ବାଛିଥିଲା |

ମୁଁ ଅନେକ ଥର ଅପା କୁ କହିଛି ଚାଲେ ଏ ଯାଗା ଛାଡି ଚାଲିଯିବା | କିନ୍ତୁ ଅପା କଣ ଭାବୁଥିଲା କେଜାଣି କେବେ ରାଜି ହେଲାନି | ହଟାତ ଅପାର ଦେହ ଖରାପ ହେଲା | ସେ ଆଉ ସୁସ୍ଥ ହେଲାନି | ଏଥର ସେ ରାକ୍ଷସର ଆଖି ମୋ ଉପରେ ଥିଲା | ସେ ରାକ୍ଷସ ଓ ମୋ ଭିତରେ ସବୁ ସମୟରେ ଅପା ଆସୁଥିଲା | ମୁଁ ଜାଣିଥିଲି ଅପା ବେଶୀ ଦିନ ମତେ ରକ୍ଷା କରି ପାରିବନି |

ସେଦିନ ରାତିରେ ମୁଁ ଶୋଇଥିଲି | ଅପା ର ଚିତ୍କାର ଶୁଭିଲା, ଜୋର ଜୋର ଚିତ୍କାର କରି କହୁଥିଲା " ମିତା ଏଠାରୁ ଚାଲିଯାଆ | ଜଲ୍ଦି ଦୌଡ଼ି ପଳା | ଯୁଆଡେ ଇଛା ପଳା " |

ଅପା କଥାକୁ ବୁଝିଲା ବେଳକୁ ସବୁ କିଛି ବିଳମ୍ବ ହୋଇ ସାରିଥିଲା | ସେ ରାକ୍ଷସ ଓ ତା ଦୁଇ ସହଚର ମୋ ପାଖରେ ଠିଆ ହୋଇଥିଲେ | କିଏ ମୋ ଗୋଡ କିଏ ମୋ ହାତକୁ ମାଡି ବସିଲେ | ମୁଁ ଯେତେ ବଳ ପ୍ରୟୋଗ କଲି ହଲିବି ପାରିଲିନି | ସେମାନେ ମୋ ଦେହରୁ ସବୁ ତକ କପଡା ଖୋଲିଦେଲେ, ଜଣେ ପରେ ଜଣେ" ଟିଂକୁ ଆଉ ଆଗକୁ ଶୁଣିବାକୁ ସାହସ ନଥିଲା | ସେ ମିତର ପାଟିରେ ହାତ ଦେଇଦେଲା | ମଣିଷ ତାର ସ୍ୱର୍ଥ ପାଇଁ କେତେ ତଳକୁ ଖସିଯାଇ ପରେ |

ପୁନଃ କବାଟରେ ଆଘାତ ଦେଲେ | ବାହାରୁ ଶୁଭୁଥାଏ" ଏହି ଠାରେ ଲୁଚିଛୁ, ବାହାରେ ଚାଲେ ମୋ ସାଙ୍ଗରେ | ନଗଲେ ତୋ ଅପା କୁ ଆଉ ଦେଖି ପାରିବୁନି " |

ମିତା ହାତ ଦେଖାଇ କହିଲା" ଏଇ ସେଇ ରାକ୍ଷସ | ସେଦିନ ମୁଁ ମରିଗଲି ଭାବି ବାହାରେ ଫୋପାଡ଼ି ଦେଇଥିଲେ | ମୁଁ ନିଜ ଜୀବନ ବଞ୍ଚାଇ ଗୋଟେ ଗାଡିରେ ଚଢି ଗଲି | ଗାଡିଟି ଏଇଠି ଆସି ରହିଲା | ମୋ ଭାଗ୍ୟ ବହୁତ ଭଲ ତୁମ ପରି ପିଲାର ସାହାରା ପାଇଲି |

ଟିଂକୁ କଣ କରିବ ଭାବୁଥାଏ | ସେ ପଚାରିଲା " ତୁମେ କଣ ଚାହୁଁଛ, ସେ ନର୍କକୁ ପୁଣି ଫେରିବ ? " |

ମିତା ମୁହଁ ଉଠାଇ ଚାହିଁ କହିଲା " ଦିଗହରା ଥିଲି, ବହୁତ କଷ୍ଟରେ ଦିଗ ପାଇଛି , ଆଉ ଥରେ ସେଠାକୁ ଫେରିବା ଅସମ୍ଭବ " |

ଟିଂକୁ କହିଲା " ତାହେଲେ ଯାଅ ସେମାନଙ୍କ ସମ୍ମୁଖୀନ ହୁଅ, କହିଦିଅ କଣ ଚାହୁଁଛ | ଏପରି ଡ଼ରିକି ଲୁଚି ରହିଲେ କିଛି ହେବନି " |

ଟୁଙ୍କୁ କବାଟ ଖୋଲିଦେଲା ସେ ତିନି ରାକ୍ଷସ ଦ୍ରୁତ ଗତିରେ ଭିତରକୁ ପସି ଆସିଲେ | ମିତା କଥାକୁ କେହି ଶୁଣିବାର ନଥିଲେ | ମିତା ପ୍ରତିବାଦ କରିବାକୁ ସେ ରାକ୍ଷସ ମାରବାକୁ ଲାଗିଲା | ଟିଂକୁକୁ ଲାଗିଲା ଯେପରି ତା ନିଜର ଲୋକକୁ କିଏ ମାରୁଛି | ସେ ଅଟକାଇବାକୁ ଚେଷ୍ଟା କଲା | ସେମାନେ ମିତାକୁ ଛାଡି ଟିଂକୁ ଉପରକୁ କୁଦି ପଡିଲେ | ଗୋଇଠା ବିଧା କଷ୍ଟରେ ରେ ଟିଂକୁ ଚିତ୍କାର କରୁଥାଏ | ମିତା ସିନା ନିଜ ଉପରେ ହେଉଥିବା ମାଡ ଗାଳିକୁ ସହୁଥିଲା କିନ୍ତୁ ଟିଂକୁ ଅବସ୍ଥା ଦେଖି ତା ମୁଣ୍ଡ କାମ କରିବା ବନ୍ଦ କରିଦେଲା | ଅଦୂରରେ ପଡ଼ିଥିବା ସେ ପରିବା କଟା ଦାଢୁଆ ପନିକିଟି ମିତା ଝାପଟ ମାରି ନେଇ ଆସିଲା |

ଗୋଟେ ପରେ ଗୋଟେ ଜଣ ଜଣକୁ ହାଣିବାରେ ଲାଗିଲା | ସତେକି ତା ଭିତରେ ପ୍ରବେଶ କରିଥିଲେ 'ଦେବୀ ମା କାଳି ' | ଗୋଟେ ପରେ ଗୋଟେ ହାଣି ଚାଲିଥିଲା ମିତା | ସେମାନଙ୍କ ଜୀବନ ଚାଲି ଯାଇଥିଲା ସେ ଚୋଟରେ | ଟିଂକୁ ଦୌଡ଼ି ଯାଇ ମିତାକୁ ଶାନ୍ତ କରାଇଲା |

ମିତା ମନରେ ଡର ନଥିଲା, କି ନଥିଲା ପଶ୍ଚାତାପ | ସେ ଖୁସି ଥିଲା | ନିଜକୁ ଅପାକୁ ଓ ସମାଜର କେତେ ଝିଅକୁ ସେ ରାକ୍ଷସଙ୍କ ଠାରୁ ମୁକ୍ତି ଦେଇଛି |

ଟିଂକୁ ଭାବିଲା କଣ କରିବ | ନିଜେ ଅନେକ ଥର ଦୋଷ ନକରି କାରାଦଣ୍ଡ ଭୋଗି ସାରିଛି | ମିତା ଯଦିବି ନିଜ ଦୋଷ ସ୍ୱୀକାର କରେ ଏ ପୋଲିସ କିଛି ବୁଝିବେନି | ମିତାର ଜୀବନ ସେ ଚାରିକାନ୍ତ ଭିତରେ କଟିଯିବ | ହୋଇପାରେ ପୁନଃ ସେ ବି କାରାବାସ ଭୋଗି ପାରେ | ଅନେକ ଭାବିବା ପାରେ ମିତା ଓ ସେ ମୃତ ଶରୀରକୁ ଅନେକ ଦୂର ନେଇ ରାଜା ରାସ୍ତାରେ ଶୋଇଦେଇ ଚାଲି ଆସିଲେ | ନିଜର ଗଛିତ ଅର୍ଥକୁ ଲୁଚାଇ ରଖିଥିବା ସ୍ଥାନରୁ ବାହର କଲା ଟିଂକୁ | ମିତାକୁ ନିଜ ବାହୁ ବଢ଼ାଇ କହିଲା " ମୁଁ ଏ ଯାଗା ଛାଡି ସବୁଦିନ ପାଇଁ ଚାଲି ଯାଉଛି | ମୋ ଉପରେ ଯଦି ବିଶ୍ୱାସ ଅଛି ସାରା ଜୀବନ ମୋ ହାତ ଧରି ଚାଲିବାକୁ ତାହେଲେ ଆସ " | ମିତା କୋହଭରା କଣ୍ଠରେ କହିଲା " ନିଜ ଠାରୁ ଅଧିକ ବିଶ୍ୱାସ ତୁମ ଉପରେ " | ଏତିକି କହି କୁଣ୍ଢାଇ ଧରିଲା ଟିଂକୁକୁ | ଦୁଇ ଦିଗହରା ଚଢେଇ ଯେପରି ନିଜ ଦିଗ ନିର୍ଣ୍ଣୟ କରି ସାରିଥିଲେ |

ସେଇ ରାତିରେ ସେ ଯାଗା ଛାଡି ଅନେକ ଦୂରକୁ ଚାଲିଗଲେ | ନୂଆ ଆସ ଓ ନୂଆ ସ୍ୱପ୍ନ ନେଇ |

ଦୁଇ ଦିଗହରା ଚଡେଇ ଦିଗ ପାଇବା ପରେ କୁଆଡେ ଗଲେ ସେ ଯାଗାଟିର ନାଆଁ ମୁଁ ଗୁପ୍ତ ରଖିଲି | କିନ୍ତୁ ଏତିକି କହିବି ଟିଂକୁ ଏବେ ରେହେମାନ ଅଲ୍ଲି ଓ ମିତା ସୋଫିଆ ଭାବରେ ଜୀବନ ବିତାଉଛନ୍ତି | ନିଜର ହୋଟେଲ ଖୋଲିଛନ୍ତି | ରେହେମାନ ଅଲ୍ଲୀ ଦିନରେ ପାଞ୍ଚ ଥର ନମାଜ ପାଠ କରୁଛି ତାକୁ ଯିଏ ବି ଦେଖନ୍ତି ତାଙ୍କ ପାଟିରୁ ବାହାରେ ରେହେମାନ ମିଆଁ ଏକ୍ ସଚ୍ଚା ପଠାନ୍ ହେଁ |


Rate this content
Log in

Similar oriya story from Tragedy