ଦଶରଥ ଜଟାୟୁଙ୍କ ମିତ୍ରତା
ଦଶରଥ ଜଟାୟୁଙ୍କ ମିତ୍ରତା
ରାଜା ଦଶରଥଙ୍କ ରାଜୁତିରେ ଅଯୋଧ୍ୟାରେ ପ୍ରଜା ମାନେ ଅତି ସୁଖରେ କାଳକାଟୁଥାନ୍ତି । ଧନଧାନ୍ୟ ସମୃଦ୍ଧ ରାଜ୍ୟରେ ସର୍ବତ୍ର ଶାନ୍ତି ବିରାଜମାନ କରୁ ଥାଏ । କିନ୍ତୁ ଏହି ସୁଖ ବେଶି ଦିନ ରହିଲା ନାହିଁ । ରାଜ୍ୟରେ ଏକଦା ଘୋରଅକାଳ ପଡ଼ିଲା । ରାଜ୍ୟ ବ୍ୟାପି ନାନା ସ୍ଥାନରେ ଅଗ୍ନ୍ୟୁତ୍ପାତ ମାନ ହେବାକୁ ଲାଗିଲା । ପ୍ରଜାମାନଙ୍କ ମଧ୍ୟରେ ହାହାକାର ପଡ଼ି ଗଲା, ଚାରିଆଡ଼େ ଦୁର୍ଭିକ୍ଷର କରାଳଛାୟା । କିନ୍ତୁ ରାଜା ଦଶରଥଙ୍କ ଏଥି ପ୍ରତି ଧ୍ୟାନ ନ ଥାଏ । ସେ ରାଣୀମାନଙ୍କ ଗହଣରେ ଭୋଗ ବିଳାସରେ ଲିପ୍ତ ରହି ରାଜ୍ୟଶାସନ ବିଷୟ ମନ୍ତ୍ରୀମାନଙ୍କ ହାତରେ ଛାଡ଼ି ଦେଇଥାନ୍ତି ।
ମନ୍ତ୍ରୀ ମାନେ ତାଙ୍କୁ ସମସ୍ୟା ବିଷୟରେ ଅବଗତ କରାଇବା ପାଇଁ, ଚେଷ୍ଟା କରୁଥାନ୍ତି । ମାତ୍ର ରାଜା "ଆପଣ ମାନେ ସେ ସବୁ ଦେଖନ୍ତୁ" କହି ଏହାକୁ ଟାଳି ଦେଉଥାନ୍ତି । ଅଯୋଧ୍ୟାରେ ଦେବର୍ଷି ନାରଦ ଆସି ଦିନେ ପହଞ୍ଚିଲେ । ରାଜା ଦଶରଥଙ୍କ ରାଜ ସଭାରେ ଅମାତ୍ୟ,ପରାମର୍ଶଦାତା ଭାବେ ନିଯୁକ୍ତ ବଶିଷ୍ଠ,ଜାବାଳି,ବାମଦେବ ଆଦି ଋଷିଗଣ ତାଙ୍କ ସହ ରାଜ୍ୟର ଦୁର୍ଦ୍ଦଶା ଏବଂ ରାଜାଙ୍କ ଶାସନରେ ନିଷ୍କ୍ରିୟତା ବିଷୟ ଆଲୋଚନାକଲେ । ସେମାନେ ଘଟିବାକୁ ଯାଉଥିବା ଭୀଷଣ ଦୁର୍ବିପାକର ଆଶଙ୍କା ମଧ୍ୟ ବ୍ୟକ୍ତକଲେ । ନବର ଦ୍ଵାରରେ " ନାରାୟଣ, ନାରାୟଣ" ଶବ୍ଦଶୁଣି, ଦଶରଥ ବାହାରକୁ ଆସି ନାରଦଙ୍କୁ ପାଦ୍ୟ, ଅର୍ଘ୍ୟ ଦେଇ ପୂଜାକଲେ ଏବଂ ତାଙ୍କୁ ରାଜନଅରକୁ ଆସି ଆସନ ଗ୍ରହଣ କରିବା ପାଇଁ ଅନୁରୋଧ କଲେ । ଦେବର୍ଷି ବିରକ୍ତ ହୋଇ ଦଶରଥଙ୍କୁ କଟୁ ଭର୍ତ୍ସନାକରି କହିଲେ, ଆପଣଙ୍କୁ ମହାନ୍ ସୂର୍ଯ୍ୟ ବଂଶର ସୁଯୋଗ୍ୟ ଦାୟାଦ ବୋଲି ମନେ କରି ମୁଁ ସଙ୍ଖୋଳି ଆସିଥିଲି । କିନ୍ତୁ ଆପଣ ଏ ପବିତ୍ର ରଘୁବଂଶର ମାନସମ୍ମାନକୁ ରସାତଳକୁ ନିକ୍ଷେପ କରିଛନ୍ତି । ମହିଷିମାନଙ୍କ ମେଳରେ ରହି ଆପଣ ପ୍ରଜାମାନଙ୍କ ସୁଖ ଦୁଃଖ ଭୁଲି ଯାଇଛନ୍ତି । ମନ୍ତ୍ରୀ ମାନଙ୍କ ପରାମର୍ଶକୁ ମଧ୍ୟ ଆପଣ ଆଡ଼େଇ ଦେଇଛନ୍ତି । ତୁମ ରାଜ୍ୟରେ ହା ହାକାର ପଡ଼ିଛି । କେବଳ ମନୁଷ୍ୟ ନୁହଁ ମନୁଷ୍ୟେତର ପ୍ରାଣୀମାନେ ମଧ୍ୟ ଡହଳବିକଳ ହେଉଛନ୍ତି । କିନ୍ତୁ ତୁମର ନିଦ୍ରା ଭଙ୍ଗ ହେଉନାହିଁ । ଏପରି ଦାୟିତ୍ୱହୀନ ଉତ୍ସୃଙ୍ଖଳ ରାଜାଙ୍କ ଆତିଥ୍ୟ ଗ୍ରହଣ କରିବା, ମହାପାପ । ମୁଁ ଚାଲିଲି କହି ନାରଦ ଯିବାକୁ ବାହାରିଲେ ।
କ୍ରୋଧିତ ନାରଦଙ୍କ ପାଦ ଧରି, ଦଶରଥ କହିଲେ, "ମୋତେ ମନଇଚ୍ଛା ତିରସ୍କାର କରନ୍ତୁ, ମୁନିବର । ମାତ୍ର, ଗୋଟିଏ କଥା କହି ଯାଆନ୍ତୁ । ମୋର ସ୍ୱର୍ଗ ତୂଲ୍ୟ, ଅଯୋଧ୍ୟା ପୁରୀରେ ଏ ବ୍ୟୁତ୍ପାତ ହେବାର କାରଣ କଅଣ?" ନାରଦ କହିଲେ,"ଶନିଙ୍କର କୁ ଦୃଷ୍ଟି ତୁମ ରାଜ୍ୟ ଉପରେ ପଡ଼ିଛି । ଏସବୁ ସେହି କାରଣରୁ ହେଉଛି । ହେ ରାଜା ! ପାର ଯଦି ନିଜ ରାଜ୍ୟକୁ ରକ୍ଷାକର ।" ଏହାକହି ଦେବର୍ଷି ନାରଦ ଅନ୍ତର୍ଧ୍ୟାନ ହୋଇଗଲେ ।
ଦଶରଥଙ୍କର ତନ୍ଦ୍ରା ଭଗ୍ନ ହେଲା । ସେ ସ୍ଵର୍ଗପୁରୀ ଅଭିମୁଖେ ଯାତ୍ରା କଲେ । ଦେବରାଜ ଇନ୍ଦ୍ର ତାଙ୍କ ବନ୍ଧୁ ଥିଲେ । ଦେବରାଜ ତାଙ୍କୁ ଗ୍ରହରାଜ ଶନିଙ୍କୁ ଭେଟ କରି ପ୍ରତିକାର ଲୋଡ଼ନ୍ତୁ ବୋଲି ପରାମର୍ଶ ଦେଲେ । ମହାପ୍ରତାପୀ ଦଶରଥ କ୍ରୋଧିତ ହୋଇ ଶନିଦେବଙ୍କୁ ଆକ୍ରମଣ କରିବା ମନସ୍ଥ କରି ତାଙ୍କ ନିକଟକୁ ଯାତ୍ରା କଲେ ।
ଦଶରଥଙ୍କ ‘ଯୁଦ୍ଧମ୍ ଦେହି’ ଡାକ ଶୁଣି ଗ୍ରହରାଜ ବାହାରକୁ ଆସିଲେ । ତାଙ୍କର ଦୃଷ୍ଟି ପଡ଼ିବା କ୍ଷଣି ଦଶରଥଙ୍କ ରଥର ସବୁ ଅଶ୍ଵ ମାନେ ଜଳିଗଲେ । ରଥ ପୋଡ଼ିଗଲା । ସେ ଶୂନ୍ୟମଣ୍ଡଳରୁ ଖସିବାକୁ ଲାଗିଲେ । ତଳେ ପତିତ ହେଲେ ମୃତ୍ୟୁ ତାଙ୍କର ସୁନିଶ୍ଚିନ୍ତ । ସେତିକି ବେଳେ ସେହି ମାର୍ଗରେ ଉଡ଼ି ଯାଉଥିଲେ ଗୁଧ୍ରରାଜ ଜଟାୟୁ । ସ୍ୱର୍ଗରୁ ଜ୍ୱଳମାନ ଏକ ପିଣ୍ଡ ଖସୁଥିବା ଦେଖି ସେ ତୁରନ୍ତ ଧାଇଁଯାଇ ତାଙ୍କ ପକ୍ଷ ମେଲାଇ, ଅଯୋଧ୍ୟା ନରପତିଙ୍କୁ ନିଜ ପୃଷ୍ଠ ଉପରେ ଧାରଣ କରି ଆଶ୍ରୟ ଦେଲେ ଏବଂ ତାଙ୍କୁ ଉଡ଼ାଇ ନେଇ ଇନ୍ଦ୍ରଙ୍କ ନିକଟରେ ଉପସ୍ଥିତ କରାଇଲେ । ମହାରାଜ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ଜଟାୟୁଙ୍କ ସହ ମିତ୍ରତା ସ୍ଥାପନ କଲେ ଏବଂ ଉଭୟ ପରସ୍ପରକୁ ଆଲିଙ୍ଗନ ପୂର୍ବକ ସତ୍ୟକଲେ ଯାବଜ୍ଜ୍ଜୀବନ ଏହି ମିତ୍ରତା ବନ୍ଧନ ଅତୁଟ ରହିବ । ଦେବରାଜ ଦଶରଥଙ୍କୁ ଶନିଙ୍କ ସମ୍ମୁଖକୁ ନ ଯାଇ ତାଙ୍କ ପୃଷ୍ଠପଟରେ ରହି ନିଜ ସମସ୍ୟା ଜଣାଇବା ପାଇଁ ପରାମର୍ଶ ଦେଲେ । ସେ କିଛି ସମୟ ପାଇଁ ଚକ୍ଷୁମୁଦ୍ରିତ କରିବା ପାଇଁ ଶନିଦେବଙ୍କୁ ଅନୁରୋଧ କଲେ । ଉଭୟଙ୍କ ମଧ୍ୟରେ ଅତି ସୌହାର୍ଦ୍ଦ୍ୟ ପୂର୍ଣ୍ଣ ବାତାବରଣ ମଧ୍ୟରେ, ଆଲୋଚନା ହେଲା । ଶନି ସୂର୍ଯ୍ୟଙ୍କ ପୁତ୍ର ଓ ସୂର୍ଯ୍ୟବଂଶରେ ଜନ୍ମ ଅଜଙ୍କ ପୁତ୍ର ଦଶରଥ । କ୍ରୋଧ ପରିହାର କରି ଦଶରଥ ଶନିଙ୍କ ସ୍ତବକରି ତାଙ୍କୁ ସନ୍ତୁଷ୍ଟ କଲେ । ଶନି ବର ଦେଲେ ଅଯୋଧ୍ୟା ଉପରେ ସେ କେବେ କୁଦୃଷ୍ଟି ପକାଇବେ ନାହିଁ । ସଙ୍ଗେସଙ୍ଗେ ଫଳ ମିଳିଲା ଓ ଅଯୋଧ୍ୟାର ଚିତ୍ରପଟ ସମ୍ପୂର୍ଣ୍ଣ ବଦଳିଗଲା । ଅଯୋଧ୍ୟା ପୂର୍ବବତ ଧନ ଧାନ୍ୟ ଗୋପ ଲକ୍ଷ୍ମୀରେ ହସିଉଠିଲା ।
ରାଜା ଦଶରଥ ଶନିଦେବଙ୍କ ତୁଷ୍ଟି ନିମନ୍ତେ ଯେଉଁ ସ୍ତୋତ୍ର ଗାୟନ କରିଥିଲେ, ତାହା ଆମ ଶାସ୍ତ୍ରରେ ଦଶରଥ କୃତ ଶନି ସ୍ତୋତ୍ର ଭାବେ ଖ୍ୟାତ । ସେହି ସ୍ତୋତ୍ରର ଆରମ୍ଭରେ କାଳାଗ୍ନିସ୍ବରୂପ ଶନିଦେବଙ୍କୁ ବନ୍ଦନା କରି ଉଲ୍ଲେଖ ରହିଛି :-
ନମଃ କୃଷ୍ଣାୟ ନୀଳାୟ ଶିତିକଣ୍ଠ ନିଭାୟ ଚ ।
ନମଃ କାଳାଗ୍ନିରୂପାୟ
କୃତାନ୍ତାୟ ଚ ବୈ ନମଃ ।।
ଦଶରଥଙ୍କସହ ଜଟାୟୁଙ୍କ ବନ୍ଧୁତାର ପ୍ରତିବଦ୍ଧତା ଜଟାୟୁ ରକ୍ଷା କରି ଥିଲେ, ପଞ୍ଚବଟୀରୁ ଦଶାନନ ସୀତାଙ୍କୁ ଚୋରାଇ ନେଉଥିବା ବେଳେ । ଜାନକୀ ସେଦିନ ଅସହାୟା ହୋଇ ପୁଷ୍ପକବିମାନରେ ବସି ବିଳାପ କରୁଥାନ୍ତି । ତାଙ୍କ ବିଳାପ ଶୁଣିବାକୁ କେହି ନଥାନ୍ତି । ଜଟାୟୁ ଆକାଶ ମାର୍ଗରେ ବହୁ ଉଚ୍ଚରେ ଉଡ଼ି ବୁଲୁଥାନ୍ତି । ତାଙ୍କ କର୍ଣ୍ଣରେ ପଡ଼ିଲା ମାତାଙ୍କ କରୁଣ କ୍ରନ୍ଦନ ଧ୍ଵନୀ । ଧାଇଁ ଆସି ରାବଣକୁ ବାଧା ଦେଇ କହିଲେ, ରେ ଦୁଷ୍ଟ ! ତୁ ମୋର କୂଳବଧୂକୁ କୁଆଡ଼େ ଘେନି ଯାଉଛୁ । ମୋ ଠାରୁ ତୋର ଆଜି ନିସ୍ତାର ନାହିଁ । ଜଟାୟୁ ରାବଣଙ୍କ ଭିତରେ ପ୍ରବଳ ଯୁଦ୍ଧ ଲାଗିଗଲା । ଜଟାୟୁଙ୍କ ତୀବ୍ର ପକ୍ଷ ଓ ତୀକ୍ଷ୍ଣ ଚଞ୍ଚୁ ଘାତରେ ରାବଣ ଅସ୍ତବ୍ୟସ୍ତ ହୋଇ ପଡିଲା । ଶେଷରେ, ଜଟାୟୁ ରାବଣର ଖଡ୍ଗାଘାତରେ ପକ୍ଷହରାଇ ଭୂପତିତ ହେଲେ । ସେହି କରୁଣଦୃଶ୍ୟକୁ ରାମଚରିତ ମାନସରେ ଗୋସ୍ବାମୀ ତୁଳସୀ ଦାସ ବର୍ଣ୍ଣନା କରି ଲେଖିଲେ :-
ତଵ ସକ୍ରୋଧ ନିଶିଚର ଖିସିଆନା ।
କାଢ଼େସି ପରମ କରାଲ କୃପାନା ।।
କାଟେସି ପଂଖ ପରା ଖଗ ଧରନି ।
ସୁମିରି ରାମ କରି ଅଦ୍ଭୁତ କରନି ।।
ଜୟ ଶ୍ରୀରାମ !!!
