STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଦେବରାଜ ଇନ୍ଦ୍ର ଓ ଲୋମଶ ୠଷି

ଦେବରାଜ ଇନ୍ଦ୍ର ଓ ଲୋମଶ ୠଷି

3 mins
2

   ଦେବରାଜ ଇନ୍ଦ୍ର ଓ ଲୋମଶ ୠଷି
      ================
ପ୍ରାଚୀନ ଭାରତରେ ଲୋମଶ ନାମରେ ବ୍ୟାସଙ୍କ ସମ ସାମୟିକ ଜଣେ ମହାନ୍ ତେଜସ୍ଵୀ ଓ ବିଦ୍ୱାନ୍ ଋଷି ଥିଲେ । ତାଙ୍କ ନାମ ପ୍ରାୟ ଆମ ସମସ୍ତ ପୁରାଣ ଶାସ୍ତ୍ରରେ ଦେଖିବାକୁ ମିଳିଥାଏ। ପାଣ୍ଡବ ମାନଙ୍କ ବନବାସ ସମୟରେ ସେ ଯାଇ କାମ୍ୟକ ବନରେ ପହଞ୍ଚି ସେମାନଂକୁ ବିଭିନ୍ନ ତୀର୍ଥ ଭ୍ରମଣ କରାଇ ସେହି ତୀର୍ଥମାନଙ୍କର ମହିମା କହିଥିଲେ ବୋଲି ମହାଭାରତରେ ବର୍ଣ୍ଣନା ଅଛି। ଗୋସ୍ଵାମୀ ତୁଳସୀଦାସ କୃତ ଶ୍ରୀ ଶ୍ରୀରାମଚରିତ ମାନସରେ କାକଭୂଷଣ୍ଡୀ ପୂର୍ବ ଜନ୍ମରେ ଜଣେ ବ୍ରାହ୍ମଣ ଥିଲେ ଓ ଲୋମଶ ମୁନିଙ୍କ ଅଭିଶାପରୁ କାକ ଶରୀର ଧାରଣ କରିଥିବା ବର୍ଣ୍ଣନା ରହିଛି।
ଇନ୍ଦ୍ର ହେଉଛନ୍ତି ଦେବତା ମାନଙ୍କ ରାଜା ଓ ଅମାପ ଐଶ୍ୱର୍ଯ୍ୟର ଅଧିକାରୀ। ସେଥି ପାଇଁ ଦିନେ ଇନ୍ଦ୍ରଙ୍କ ମନରେ ଖୁବ୍ ଗର୍ବ ଆସିଲା। ଭଗବାନ୍ ବିଷ୍ଣୁ ଏହା ଜାଣି ପାରିଲେ । ସେ ଇନ୍ଦ୍ରଙ୍କୁ ଉଚିତ୍ ଶିକ୍ଷା ଦେଇ ତାଙ୍କର ଏହି ଗର୍ବ ଖର୍ବ କରିବାକୁ ମନସ୍ଥ କଲେ । ଭଗବାନ୍ ବିଷ୍ଣୁ ଦିନେ ସଚିପତିଙ୍କୁ ଡାକି କହିଲେ, ହେ ଦେବରାଜ ! ତୁମ ପାଖରେ ତ କୌଣସି ଧନ ସମ୍ପଦର ଅଭାବ ନାହିଁ। ତୁମେ ଅମାପ ଐଶ୍ୱର୍ଯ୍ୟର ଅଧିକାରୀ। ତୁମକୁ ମୋର ଏକ କାର୍ଯ୍ୟ କରିବାକୁ ପଡ଼ିବ । ତୁମେ ଯାଅ । ମର୍ତ୍ତ୍ୟରେ ମୋର ଜଣେ ଭକ୍ତ ନିବିଡ଼ ଅରଣ୍ୟରେ ଅତି ଦୀନ ଭାବେ କାଳ କାଟୁଛନ୍ତି। ତାଙ୍କ ନାମ ଲୋମଶ। ମର୍ତ୍ତ୍ୟକୁ ଯାଇ ତୁମେ ଲୋମଶଙ୍କ ଦୈନ୍ୟ ଦୂର କର ଓ ମୋତେ ଆସି ଖବରଦିଅ।
ବିଷ୍ଣୁଙ୍କ ଆଜ୍ଞାପାଇ ଦେବରାଜ ସଙ୍ଗେ ସଙ୍ଗେ ମର୍ତ୍ତ୍ୟକୁ ଯାତ୍ରା କଲେ। ଇନ୍ଦ୍ର ମର୍ତ୍ତ୍ୟରେ ଆସି ବିଷ୍ଣୁ କହିଥିବା ଅରଣ୍ୟରେ ପହଞ୍ଚି ଦେଖିଲେ ଲୋମଶ ୠଷି ଗୋଟିଏ ଭଙ୍ଗା କୁଡ଼ିଆରେ ରହୁଛନ୍ତି। ସେତେବେଳେ ଋଷି ଏକ ବ୍ୟାଘ୍ର ଚର୍ମ ଆସନରେ ବସି ପ୍ରବଳ ଜ୍ୱରରେ କମ୍ପୁ ଥାନ୍ତି । ଇନ୍ଦ୍ରଙ୍କୁ ଆସୁଥିବାର ଦେଖି, ଋଷି ବ୍ୟାଘ୍ର ଚର୍ମକୁ କହିଲେ, ତୁମେ କିଛିସମୟ ପାଇଁ ମୋର ଜ୍ୱରକୁ ଗ୍ରହଣ କର । ଇନ୍ଦ୍ର ଚାଲିଗଲା ପରେ ମୁଁ ପୁଣି ତୁମ ଠାରୁ ତାହା ଫେରାଇ ନେବି। ମୁନିଙ୍କ କଥା ଶେଷ ହେବା କ୍ଷଣି ବ୍ୟାଘ୍ର ଚର୍ମଟି ଜ୍ୱରରେ ଥରିବାକୁ ଲାଗିଲା । ସୁସ୍ଥ ଲୋମଶ ମୁନି ଇନ୍ଦ୍ରଙ୍କୁ ସ୍ଵାଗତ କଲେ । ଇନ୍ଦ୍ର ମୁନି ଲୋମଶଙ୍କ ନିକଟକୁ ଯାଇ କହିଲେ, ହେ ମୁନିବର ! ମୁଁ ଦେବରାଜ ଇନ୍ଦ୍ର । ଭଗବାନ୍ ବିଷ୍ଣୁ ମୋତେ ଆପଣଙ୍କ କଷ୍ଟ ଦୂର କରିବା ପାଇଁ ଏଠାକୁ ପଠାଇଛନ୍ତି । ଆପଣ କାହିଁକି ଏ ଭଙ୍ଗା କୁଡିଆରେ ରହୁଛନ୍ତି। ଆପଣ ଅନୁମତି ଦେଲେ ଏଠାରେ ମୁଁ ଏକ ସୁରମ୍ୟ ପ୍ରାସାଦ ନିର୍ମାଣ କରି ସମସ୍ତ ବ୍ୟବସ୍ଥା ଖଞ୍ଜି ଦେବି। ଆପଣଙ୍କ ସମସ୍ତ କଷ୍ଟ ଦୂର ହୋଇଯିବ। ଆପଣ ଖୁବ୍ ଆରାମରେ ଏଠାରେ ବାସ କରିପାରିବେ।
 ଇନ୍ଦ୍ରଙ୍କ କଥା ଶୁଣି ଲୋମଶ ମୁନି କହିଲେ, ମୋ ଦେହଯାକ ଦେଖ ଲୋମରେ ପୂର୍ଣ୍ଣହୋଇ ରହିଛି। ଏଣୁ ମୋର ନାମ ଲୋମଶ। କିନ୍ତୁ ଦେଖ ମୋର ଡାହାଣ ଆଣ୍ଠୁ ତଳକୁ ଏକ ଯାଗା ଲୋମଶୂନ୍ୟ ଅଛି। ତୁମେ କହି ପାରିବ କି, ସେହି ଲୋମ ସବୁ ଗଲା କୁଆଡ଼େ। ତାଙ୍କ ପ୍ରଶ୍ନରେ କୌଣସି ଉତ୍ତର ନଦେଇ ପାରି ଇନ୍ଦ୍ର ଚୁପ୍ ରହିଲେ ।
ମୁନି ଇନ୍ଦ୍ରଙ୍କୁ ବୁଝାଇବାକୁ ଯାଇ କହିଲେ, ମନୁଷ୍ୟ ଦୀର୍ଘଜିବୀ ହେବାପାଇଁ ନିରାପଦ ତଥା ଆରାମପ୍ରଦ ଗୃହରେ ବାସକରେ। କିନ୍ତୁ ମୋର ତିଳେମାତ୍ର ସେହି ମୃତ୍ୟୁ ଭୟ ନାହିଁ । ମୋ ଦେହରେ ଯେତେ ଲୋମ ଅଛି ସେସବୁ ଉପୁଡ଼ି ଗଲେ ମୋର ଯାଇ ମୃତ୍ୟୁ ହେବ। ସ୍ଵର୍ଗରେ ଗୋଟିଏ ଇନ୍ଦ୍ରର ରାଜତ୍ଵ ସରିଲେ, ମୋ ଦେହରୁ ଗୋଟିଏ ଲୋମ ଝଡି ପଡ଼େ। ଏ ଯେଉଁ ଶୂନ୍ୟ ସ୍ଥାନ ତୁମେ ଦେଖୁଛ, ସେଠାକାର ଲୋମ ସବୁ ସେହିପରି ଝଡ଼ି ଯାଇଛନ୍ତି। ବର୍ତ୍ତମାନ୍ ତୁମେ ଅନୁମାନ କର, ଅଦ୍ୟାବଧି କେତେ ଜଣ ଇନ୍ଦ୍ରଙ୍କ ରାଜତ୍ଵ ସରିଛି ଓ ମୋର ଆୟୁଷ କେତେ। ବିଷ୍ଣୁ ତୁମକୁ ପଠାଇ ମୋତେ ନିଶ୍ଚୟ ଅନୁଗୃହିତ କରିଛନ୍ତି । ଯେପରି ଅଛି, ମୁଁ ଭଲରେ ଅଛି। ଆଉ କୌଣସି ଭଲ ଗୃହର ଆବଶ୍ୟକତା ମୋର ନାହିଁ।
ସେ ଯେ ଏକା ଇନ୍ଦ୍ର ନୁହଁନ୍ତି ଏବଂ ତାଙ୍କ ଆଗରୁ ବହୁ ଇନ୍ଦ୍ରଙ୍କ ରାଜତ୍ୱ ସରି ସାରିଛି, ଏକଥା ଜାଣି ମନେ ମନେ ଇନ୍ଦ୍ର ଲଜ୍ଜିତ ହେଲେ । ସେ ସ୍ବର୍ଗକୁ ଫେରି ଯାଇ ବିଷ୍ଣୁଙ୍କୁ ଲୋମଶ ମୁନିଙ୍କ କଥା କହି ନିଜ ଅହଙ୍କାର ପାଇଁ ଭୁଲ ସ୍ୱୀକାର କଲେ।
ଲୋମଶ ମୁନି କଳ୍ପଜିବୀ । ସଂଖ୍ୟା ଦ୍ଵାରା ତାଙ୍କ ଆୟୁଷ କଳନା କରିବା ଅସମ୍ଭବ। ଛତିଶଗଡ଼ର ରାଜିମ ଠାରେ ମହାନଦୀ, ପୈରୀ ଓ ସୋଢୁର ନଦୀ ସଂଗମସ୍ଥଳରେ ଲୋମଶ ମୁନିଙ୍କ ଆଶ୍ରମ ରହିଛି। ଭଗବାନ୍ ଶ୍ରୀରାମ ଦଣ୍ଡକାରଣ୍ୟ ନିବାସ କାଳରେ ଏହି ସଙ୍ଗମ ସ୍ଥଳରେ ଲୋମଶ ମୁନିଙ୍କ ଦର୍ଶନ କରିଥିଲେ ବୋଲି କିମ୍ବଦନ୍ତୀ ରହିଛି। ଋଷି ଲୋମଶ ଲୋମଶ ସଂହିତାର ରଚୟିତା।     
                🙏🙏🙏
                   ଅର୍ଜୁନୀ
                 -----------
ଅର୍ଜୁନୀ ଚରଣ ବେହେରା
 ମୋ -7693091971


Rate this content
Log in

Similar oriya story from Inspirational