ଦଣ୍ଡ
ଦଣ୍ଡ
ଗତ ପନ୍ଦର ଦିନର ଅଜସ୍ର କ୍ଳାନ୍ତିକୁ ଦବେଇ ଏକ ଅଜଣା ଭୟ କାୟା ବିସ୍ତାର କରିଥିଲା ଶ୍ୟାମଳୀର ଶିର ଉପରେ । କାହିଁକି କେଜାଣି ରାତିଟି ଅସରନ୍ତି ପରି ଲାଗୁଥିଲା । ରାତ୍ରି ଯେତିକି ଗଭୀରତାକୁ ପାଦ ଦେଉଥାଏ ଶ୍ୟାମଳୀର ହୄତସ୍ପନ୍ଦନ ସେତିକି ବଢି ଚାଲିଥାଏ । ନା ସେ ସ୍ଥିର ହୋଇ ବସିପାରୁଥାଏ ସୋଫାରେ ନା ଶରୀରକୁ ଗଡେଇ ପାରୁଥାଏ ବିଛଣାରେ ।ଏକ ଅଜବ ପରିସ୍ଥିତି । ସେ କେବଳ ପଦଚାରଣ କରୁଥାଏ ଡ୍ରଇଁରୁ....ଡାଇନିଂ.....ବେଡ୍ ରୁମ୍....ରୋଷେଇ ଘର, ଏପରିକି ଠାକୁର ଘର ଦ୍ଵାର ମୁହଁ ଯାଏ । ୟା ଭିତରେ ରଜନୀ ଦେବୀ ସୂର୍ଯ୍ୟ ଦେବଙ୍କୁ ପୄଥିବୀର ଭାର ଦେଇ ଲେଉଟିବାକୁ ବସିଲେଣି ।ସ୍ଵଳ୍ପ ଆସ୍ଵସ୍ତ ଅନୁଭବ କଲା ସେ । ତରତର ହୋଇ ନିଜର ନିତ୍ୟକର୍ମ ସାରିଲା । ଗାଧେଇ ସାରି ଡ୍ରେସିଂ ଟେବୁଲ ଅଇନାରେ ଆଉଥରେ ନିରେଖି ନେଲା ନିଜକୁ । ଏହି ବାଇଗଣୀ ରଙ୍ଗ ଶାଢ଼ୀଟା ତା ଉପରେ କଣ ମାନୁଛି ଯେଉଁ ଟା ରାଜେଶଙ୍କର ପ୍ରିୟ ରଙ୍ଗ । ଏହି ଚାରି ବର୍ଷ ଭିତରେ ତା ଶରୀରଟି ଯେପରି ଚଉଦ ବର୍ଷ ଆଗକୁ ଚାଲି ଯିବା ଭଳି ମନେ ହେଉଥିଲା । ନା ଆଉ ଏ ରୂପର ପ୍ରୟୋଜନ କଣ ? ଯାହା ପାଇଁ ଦିନେ ସେ ନିଜକୁ ସଜଉଥିଲା, ଯାହାର ହାତଧରି ନିଜର ଯୌବନ ସମର୍ପି ଦେବାର ସ୍ଵପ୍ନ ଦେଖୁଥିଲା ସେ ତ ଏବେ ଆଉ କାହା ସୀମନ୍ତରେ ସିନ୍ଦୂର ହୋଇ ଶୋଭା ପାଉଛନ୍ତି ।କାହିଁକି କେଜାଣି ଶତଚେଷ୍ଟା ସତ୍ତ୍ବେ ମଧ୍ୟ ସେ ରାଜେଶଙ୍କୁ ଘୄଣା କରି ପାରୁନଥିଲା ।ଆଉଥରେ ଭଲକରି ସେ ଚେକ୍ କରିନେଲା ଫାଇଲ୍ ଭିତରେ ଥିବା କାଗଜପତ୍ର ଗୁଡିକୁ । ସବୁ ଠିକ୍ ଅଛି । ଏବେ କେବଳ ଅପେକ୍ଷା ଘରର ମାଲିକଙ୍କୁ । ସୋଫା ଉପରେ ବସି ପଡିଲା ସେ ଆଉ ହଜିଗଲା ଅତୀତର ପୄଷ୍ଠା ଭିତରେ ।
ଏକ ବର୍ଷ ତଳେ କେତେ ଆଶା ନେଇ ସେ ଦଉଡି ଆସିଥିଲା ରାଜେଶଙ୍କୁ ଦେଖା କରିବାକୁ । ସେଠାରେ ପହଞ୍ଚି ସେ ଯାହା ଦେଖିଲା ତା ହୄଦୟ ସମ୍ପୂର୍ଣ୍ଣ ଭାଙ୍ଗିଗଲା । ଘର ବାହାରେ ଏକ ହୁଇଲ୍ ଚେୟାରରେ ବସିଥିଲେ ରାଜେଶଙ୍କ ମା ରମାଦେବୀ ପାରାଲିସିସ୍ ପେସେଣ୍ଟ । ତାଙ୍କର ସେବା ଯତ୍ନ କରୁଥିଲେ ଦୁର୍ବଳ ବୄଦ୍ଧ ପିତା ରମେଶ ବାବୁ ଯିଏକି ନିଜର ଦାଇତ୍ଵ ନେବା ପାଇଁ ମଧ୍ୟ ପୂର୍ଣ୍ଣ ସମର୍ଥ ନଥିଲେ । ଓଃ କି ଦୁଃଖ ଦାୟକ ଅବସ୍ଥା । କାହିଁକି କେଜାଣି ନିଜର ପ୍ରକୃତ ପରିଚୟ ଓ ଉଦ୍ଦେଶ୍ୟ ଜଣେଇବାକୁ ଠିକ୍ ମନେ କଲାନି ଶ୍ୟାମଳୀ । ତା ବଦଳରେ କହିଥିଲା ସେ ଜଣେ ସେବିକା । କାମ ଉଦ୍ଦେଶ୍ୟରେ ନୂଆ କରି ଏହି ସହରକୁ ଆସିଛି ।ରମେଶ ବାବୁ ବହୁତ ଖୁସି ହୋଇ ତାକୁ ତାଙ୍କ ନିଜ ଘରେ ରହିବା ପାଇଁ ଅନୁରୋଧ କରି ଘର ଭିତରକୁ ଆସିବା ପାଇଁ କହିଥିଲେ । ଡ୍ରଇଁ ରୁମରେ ପଶୁ ପଶୁ ଶୋ କେସ୍ ରେ ଥିବା ରାଜେଶଙ୍କ ବାହାଘର ଫଟୋ ଉପରେ ନଜର ପଡିଲା ଶ୍ୟାମଳୀର । ତା ହୄଦୟ ଭାଙ୍ଗି ଖଣ୍ଡ ଖଣ୍ଡ ଖଣ୍ଡ ହୋଇଗଲା । ପାଦତଳୁ ମାଟି ଖସିଗଲା ଆଉ ଆକାଶ ତା ମୁଣ୍ଡ ଉପରେ ଛିଡି ପଡିଲା ପରି ବୋଧ ହେଲା ।ରମେଶ ବାବୁ ଚିହ୍ନେଇ ଦେଉଥିଲେ ଏ ଆମର ଏକମାତ୍ର ପୁଅ ରାଜେଶ । ଗତ ଦୁଇ ବର୍ଷ ପୂର୍ବରୁ ଆମେରିକାରେ ଏକ କମ୍ପାନୀରେ ଜଏନ୍ କରିଥିଲା । ତା ପରେ ସେ ତାର ଏକ ସହକର୍ମୀକୁ ସେଠାରେ ବିବାହ କରି ରହିଛି ଯେ ଏପର୍ଯ୍ୟନ୍ତ ଫେରିନି । ବହୁତ କାର୍ଯ୍ୟ ବ୍ୟସ୍ତ ସିଏ ତେଣୁ ପ୍ରତ୍ୟେକ ରବିବାର ଆମ ସହ କଥା ହୁଏ ଫୋନରେ । ଆମେ ବୁଢାବୁଢୀ ଦୁଇଟା ତା ଫେରିବା ପଥକୁ ଖୁବ୍ ବିକଳ ହୋଇ ଚାହିଁଛୁ ଆଊ ଉଭୟ ଉଭୟଙ୍କୁ ଲୁଚେଇ ଲୁଚେଇ ଗୁମୁରୁଛୁ । ହୄଦୟ ଫାଟି ଯାଉଥିଲେବି ଯନ୍ତ୍ରଣାର ଲୁହକୁ ଆଖିରେ ବହିବାକୁ ଦେଉନୁ । କାରଣ ଆମ ଆଖିରୁ ଲୁହ ବହିଲେ ତାର କାଳେ ଅମଙ୍ଗଳ ହେବ । ଏପରି ଅବସ୍ଥାରେ ନା ଆମେ ଜୀଇଁ ପାରୁଛୁ ନା ମରି ପାରୁଛୁ । ତୋ ମାଉସୀ କେବଳ ସେହି ଚିନ୍ତାରେ ଉଚ୍ଚ ରକ୍ତଚାପ ଓ ପରେ ଓ୍ଵାନ ସାଇଡେଡ୍ ପାରାଲାଇଜଡ୍ ହୋଇଗଲା । ଆଉ କିଛି ଶୁଣି ପାରୁ ନଥିଲା ଶ୍ୟାମଳୀ । ସେ ହଜି ଯାଉଥିଲା ତା ବିଗତ ପୄଷ୍ଠାରେ ।
କଲେଜ ଜୀବନରେ ରାଜେଶ ଓ ଶ୍ୟାମଳୀ ଉଭୟ ଉଭୟଙ୍କୁ ପ୍ରାଣ ଭରି ଭଲ ପାଉଥିଲେ । ଏକାନ୍ତରେ ଅନେକ ସମୟ ମଧ୍ୟ
ବିତାଉଥିଲେ । ଫୋନରେ ବହୁ ସମୟ ଧରି କଥା ହେଉଥିଲେ । ଶ୍ୟାମଳୀର ଅଙ୍ଗ ଶୋଭାକୁ ବିଭିନ୍ନ କବିତାରେ ସଜଉଥିଲେ ରାଜେଶ । ତାର ପାଦ ଅଙ୍ଗୁଳିରୁ କେଶାଗ୍ର ପର୍ଯ୍ୟନ୍ତ ଭୁରି ଭୁରି ପ୍ରଶଂସା କରୁଥିଲେ । ଏପରିକି ଶ୍ୟାମଳୀର ଶ୍ୟାମଳ ରଙ୍ଗକୁ ମଧ୍ୟ ।ଦୁହେଁ ମିଶି ଏକ ସୁଖ ଶାନ୍ତିର ସୁନ୍ଦର ଛୋଟ ନୀଡଟିଏ ଗଢିବା ପାଇଁ ସ୍ଵପ୍ନ ଦେଖୁଥିଲେ । ଏହି ଦୁଇ ବର୍ଷ ହେଲା ତାଙ୍କର କିଛି କଣ୍ଟାକ୍ଟ ନାହିଁ । ଫୋନ କଲେବି ରିସିଭ୍ କରୁ ନାହାନ୍ତି । ଛିଃ......ମଣିଷ କଣ ଏପରି ବଦଳି ଯାଇ ପାରେ । ଏତେ ବଡ ପ୍ରତାରଣା ।
ସିଏ ଏ ଘରକୁ ଆସିବାର ଏକ ବର୍ଷ ବିତିଗଲାଣି । ୟା ଭିତରେ ମାଉସୀଙ୍କର ଦେହାନ୍ତ ହୋଇଯାଇଛି । ଆଉ ପନ୍ଦର ଦିନ ତଳେ ମଉସା ମଧ୍ୟ ଆର ପାରିକୁ ଚାଲି ଗଲେ । ଉଭୟଙ୍କର କର୍ମ ଦାଇତ୍ଵ ନେଇ ସେ ତୁଲେଇଛି ।ମଉସାଙ୍କର ମରିବାର ପୂର୍ବ ଦିନର ଘଟଣା ତା ଆଖିରେ ଜଳଜଳ ହୋଇ ଦିଶୁଛି । ଅତି ଆଦରରେ ସେ ତାକୁ ପାଖକୁ ଡାକି ତା ପାପୁଲିକୁ ଜାବୁଡ଼ି ଧରି ଛୋଟ ପିଲା ଭଳି କଇଁ କଇଁ ହୋଇ କାନ୍ଦି କହିଥିଲେ
-ମୋ ପୁଅକୁ କ୍ଷମା କରିଦେବୁ ମା ।
-ମାନେ ?
-ମୁଁ ସବୁ ଜାଣିଛି । ତୋର ଓ ମୋ ପୁଅର କିଛି ଫଟୋ ମୁଁ ତା ବହି ଥାକରୁ ପାଇଥିଲି । ତେଣୁ ତୁ ଯେଉଁ ଦିନ ପ୍ରଥମେ ଆମ ଘରକୁ ଆସିଥିଲୁ, ମୁଁ ତୋତେ ଚିହ୍ନି ପାରିଥିଲି ଓ ତୋର ହୄଦୟର କ୍ଷତକୁ ସ୍ପଷ୍ଟ ଦେଖିପାରୁଥିଲି ବୟସର ଅନୁଭୂତିର ଚଷମାରେ । ସେଇଥିଲାଗି ତ ତୋତେ ଅନୁରୋଧ କରିଥିଲି ଆମ ଘରେ ରହିବା ପାଇଁ । ତୋ ଭିତରେ ଆମେ ଆମ ଖୁସି, ସୁଖ ଓ ଶାନ୍ତି ପାଇଥିଲୁ । ଆଉ ତୁ ଯେଉଁ ନିଷ୍ଠାପର ଭାବେ ଆମମାନଙ୍କର ପ୍ରଚୁର ସେବା କରିଛୁ , ଆମେ ତୋ ଠାରେ ଜନ୍ମ ଜନ୍ମାନ୍ତର ପାଇଁ ଋଣୀ ହୋଇଗଲୁ ।
-ଛିଃ ଏମିତି କଣ କୁହନ୍ତି ? ମୁଁ ପରା ତମ ଝିଅ ।
-ମୋର ଆଉ ଗୋଟିଏ କଥା ରଖିବୁ ?
-କଣ ?
-ଏହି ଫାଇଲ୍ ଟିକୁ ଗ୍ରହଣ କର । ମୋର ସମସ୍ତ ସମ୍ପତ୍ତି ମୁଁ ତୋ ନାମରେ କରି ଦେଇଛି ।
-ନା ନା
-କିଛି କହନି ମା (ଦୁଇ ହାତ ଯୋଡି ଅଶ୍ରୁଳ ନୟନରେ ଚାହିଁ ରହିଥିଲେ ମଉସା )
ନୀରବରେ ହାତ ବଢ଼ାଇ ଫାଇଲ୍ ଟିକୁ ନେଇଥିଲା ଶ୍ୟାମଳୀ । ଆଜି କେବଳ ସେହି ଫାଇଲ୍ ଓ ଘରର ଚାବିକାଠି ହସ୍ତାନ୍ତର କରିବା ପାଇଁ ଅପେକ୍ଷା କରିଛି ଶ୍ୟାମଳୀ ରାଜେଶକୁ । ହଠାତ୍ କଲିଂ ବେଲ୍ ର ଶବ୍ଦରେ ଚମକି ପଡିଲା ଶ୍ୟାମଳୀ । କବାଟ ଖୋଲିଲା । ସାମ୍ନାରେ ଛିଡା ହୋଇଥିଲେ ରାଜେଶ । ବହୁତ ଝଡି ଯାଇଛନ୍ତି ସେ । ଆକର୍ଷଣୀୟ ଚେହେରାଟି ସମ୍ପୂର୍ଣ୍ଣ ମଳିନ ପଡି ଯାଇଛି ।
-ଶ୍ୟାମଳୀ ତମେ ?
-ଆପଣଙ୍କ ବାପା ମାଙ୍କର ସେବିକା । ଏ ଘରର ଚାବିକାଠି ଓ କିଛି କାଗଜପତ୍ର ଆପଣଙ୍କୁ ହସ୍ତାନ୍ତର କରି ମୁଁ ଫେରିଯିବି ବୋଲି ଅପେକ୍ଷା କରିଛି ।
-କିଛି ସମୟ କଥା ହୁଅନ୍ତେ ନି ? ପ୍ଲିଜ
ବାଧ୍ୟ ହୋଇ ସୋଫା ଉପରେ ବସି ପଡିଥିଲା ଶ୍ୟାମଳୀ । ରାଜେଶ ବସିଥିଲେ ଆଉ ଏକ ସୋଫାରେ ଯେପରି ଦୁଇ ଅଚିହ୍ନା ବ୍ୟକ୍ତିଙ୍କର ପ୍ରଥମ ଥର ପାଇଁ ଦେଖାହୋଇଛି ।ନୀରବତାକୁ ଭଙ୍ଗ କରି ପ୍ରଶ୍ନ କରିଥିଲା ଶ୍ୟାମଳୀ-
-ଆପଣଙ୍କ ସ୍ତ୍ରୀ ଆସିଲେନି ଯେ ଆପଣଙ୍କ ସହିତ ?
-ବାହାଘରର ଛଅ ମାସ ପରେ ସେ ମୋ ପାଖରୁ ଡିଭୋର୍ସ ନେଇ ଅନ୍ୟତ୍ର ବିବାହ କରି ସାରିଛି । ତମ ପ୍ରତି କରିଥିବା ଅପରାଧର ଏଇଟା ବୋଧେ ଥିଲା ମୋ ପାଇଁ ଏକ ଦଣ୍ଡ ଯାହା ମୋତେ ଈଶ୍ବର ଦେଇଛନ୍ତି ।
ଏଥର ପ୍ରସ୍ତୁତ ହେଲା ଶ୍ୟାମଳୀ ଯିବା ପାଇଁ । ରାଜେଶ ଆସି ଶ୍ୟାମଳୀର ହାତଟିକୁ ଜାବୁଡି ଧରି ଭୋ ଭୋ ହୋଇ କାନ୍ଦି କହିଲେ " ତମେ ମୋତେ କ୍ଷମା କରିଦିଅ ଶିମୁ । ଛାଡି ଯାଅନି । ମୁଁ ଆଜି ସମ୍ପୂର୍ଣ୍ଣ ଏକୁଟିଆ, ବେସାହାରା । ତମେ ଯଦି ଚାହିଁବ ପୁଣି ଆମେ ଆଉଥରେ.......। "
ଶ୍ୟାମଳୀ ଭାବୁଥିଲା ପୁଣି ଆଉଥରେ ଏହି ପ୍ରତାରକ ସହିତ ...! ତଥାପି କାହିଁକି କେଜାଣି ଏକ ଦୁର୍ବଳତା ତା ଭିତରେ ଉଙ୍କି ମାରୁଥିଲା ।