Gangadhar Nanda

Tragedy Inspirational

3  

Gangadhar Nanda

Tragedy Inspirational

ଦିନବନ୍ଧୁ ମାଷ୍ଟ୍ରେ

ଦିନବନ୍ଧୁ ମାଷ୍ଟ୍ରେ

5 mins
176



     ନିଜ ଘର ପାଖ କିମ୍ଵା ଆଖପାଖ ଅଞ୍ଚଳ ମଧ୍ୟରେ ଯେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମଟିଏ ଅନୁଷ୍ଠିତ ହେଉ ନା କାହିଁକି, ଦିନବନ୍ଧୁ ବାବୁ ପୂର୍ବରୁ ଖବର ପାଇ ଯଥା ସମୟରେ ସେଠାରେ ଉପସ୍ଥିତ ହୋଇଯାଇଥିବେ । ପାଲା, ଦାସକାଠିଆ, ଧୁଡୁକି ଠାରୁ ଆରମ୍ଭ କରି ଡ୍ରାମା ଓ ଟିକେଟ ଫ୍ରି ଯାତ୍ରାପାର୍ଟି ଇତ୍ୟାଦି ଯେଉଁ ପ୍ରକାରର ଅନୁଷ୍ଠାନ ହୋଇଥିଲେ ମଧ୍ୟ, ଦିନବନ୍ଧୁ ବାବୁ ସେଠାରେ ନିଶ୍ଚିତ ଭାବରେ ଉପସ୍ଥିତ ଥିବେ । ଅବଶ୍ୟ ତାଙ୍କର ଖୁସିବାସିଆ ପ୍ରକୃତି ସାଙ୍ଗକୁ ରସିକିଆ ମନଟି ପାଇଁ ଲୋକମାନଙ୍କ ମଧ୍ୟରେ ବେଶ୍ ପ୍ରିୟ ଥିଲେ ।

    ଦିନବନ୍ଧୁ ବାବୁଙ୍କ ପୁରା ନାମ ଦିନବନ୍ଧୁ ଦାଶ । ଶ୍ରଦ୍ଧାରେ ଲୋକମାନେ ଦିନବନ୍ଧୁ ମାଷ୍ଟ୍ରେ ଅଥବା କେବଳ ମାଷ୍ଟ୍ରେ ବୋଲି ଡାକନ୍ତି । ପେଶାରେ ଗାଆଁ ପ୍ରାଥମିକ ବିଦ୍ୟାଳୟର ଅବୈତନିକ ଶିକ୍ଷକ । ବିଦ୍ୟାଳୟରେ ଉପସ୍ଥାନ ଅଧିକ ଥାଇ ସରକାରୀ ଶିକ୍ଷକ ଜଣେ ମାତ୍ର ଥିବାରୁ ଦିନବନ୍ଧୁ ବାବୁ ସ୍ଵଇଚ୍ଛାରେ ବିଦ୍ୟାଦାନ କରୁଥିଲେ । ଏଥିପାଇଁ ଯାହା କିଛି ଗ୍ରାମବାସୀ ଦେଉଥିଲେ, ତାକୁ ନେଇ ସେ ଖୁସି ଥିଲେ । ଅଧିକାଂଶ ଗ୍ରାମବାସୀଙ୍କୁ ପାଠ ପଢାଇ ଥିବାର ଏକ ଆତ୍ମତୃପ୍ତିରେ ମାଷ୍ଟ୍ରେ ବିଭୋର ଥିଲେ । ଅବଶ୍ୟ ଏହାଦ୍ୱାରା ତାଙ୍କର ଅନେକ ପ୍ରକାରର ଲାଭ ମଧ୍ୟ ହେଉଥିଲା । ଗାଆଁ ଲୋକମାନଙ୍କ ଠାରୁ ଶାଗ ମୁଠେ କିମ୍ଵା ମୁଗ ଦି'ଟା ନିୟମିତ ଭାବରେ ମିଳୁଥିଲା । କେବେ କେବେ ଫସଲ ଦି'ଟା ମଧ୍ୟ ମିଳିଯାଏ । ଗାଆଁ ଲୋକ ଛୋଟ ଛୋଟ ବୋଲହାକ କରିଦିଅନ୍ତି । ସର୍ବଶେଷରେ ଗାଆଁ ଲୋକଙ୍କ ମୁହଁରୁ ମାଷ୍ଟ୍ରେ ସମ୍ବୋଧନଟି ଶୁଣିବା ପରେ ଦିନବନ୍ଧୁ ବାବୁ ଖୁସିରେ ଆତ୍ମବିଭୋର ହୋଇଯା'ନ୍ତି । 

     ଦିନବନ୍ଧୁ ବାବୁଙ୍କର ପରିବାର କହିଲେ ପତ୍ନୀ,ପୁଅ ବୋହୁ ଓ ଗୋଟିଏ ନାତି । ପୁଅ କମ୍ପାନୀ ଚାକିରୀ ଖଣ୍ଡିଏ କରିଛି । ଧାନ ଜମି ତିନି ଏକର ଭାଗ ଲାଗିଛି । ଏଣୁ ଚଳିବାରେ କିଛି ଅସୁବିଧା ହୁଏନି । ***

     ଏବେ ଆଗଭଳି ଦିନବନ୍ଧୁ ବାବୁ ବିଦ୍ୟାଳୟକୁ ନିୟମିତ ଯାଇପାରୁନାହାଁନ୍ତି । ଦେହ ଭଲ ରହୁନି । ବୟସ ଷାଠିଏ ଡେଇଁଲା ପରେ ନାନା ପ୍ରକାର ରୋଗ ମାଡି ବସୁଛି । ବିଶେଷ କରି ଶ୍ଵାସ ରୋଗଟା ବଡ ମାରାତ୍ମକ ରୋଗ । ଟିକିଏ ପରିଶ୍ରମ କରିଦେଲେ କିମ୍ବା ଜୋରରେ ଚାଲିଗଲେ ଧଇଁସଇଁ ହୋଇ ବସିପଡ଼ୁଛନ୍ତି । ବାହାରକୁ ଯିବାପାଇଁ ପୁଅ ବୋହୁ ମନା କରୁଛନ୍ତି । ମନ କିନ୍ତୁ ଥୟ ଧରୁନି । ଘର ଭିତରେ ବାଡେଇ ଛାଟି ଲାଗୁଛି । ଜୀବନଟା ସାରା ବାହାରେ ବୁଲିଥିବା ଲୋକଟା ଘର ଭିତରେ ରହିପାରିବାଟା କ'ଣ ଏତେ ସହଜ ? ଦିନବନ୍ଧୁ ବାବୁ କାହା କଥା ନମାନି ମଝିରେ ମଝିରେ ବାହାରକୁ ପଳାନ୍ତି । କିଛି ଦୂର ଯାଇ ଦନେଇ ଚା' ଦୋକାନରେ ଟିକିଏ ମୁହଁ ମାରିଦେଇ ଫେରିଆସିଲେ ଶାନ୍ତି ଲାଗେ । ତା'ରି ମଧ୍ୟରେ ଦୁଇ ତିନିଜଣଙ୍କ ଠାରୁ ମାଷ୍ଟ୍ରେ ଡାକ ଶୁଣିଦେଲେ, ତାଙ୍କ ମନଟି ଆତ୍ମତୃପ୍ତିରେ ଭରିଯାଏ । ଜମିଦାରଙ୍କ ହାତରୁ ଚାଲି ଯାଉଥିବା ଜମିଦାରୀ, ନିଲାମରୁ ରକ୍ଷାପାଇଯିବା ଭଳି ଲାଗେ । କିଏ ବୁଝୁ କି ନବୁଝୁ, ସେ କିନ୍ତୁ ଠିକ ବୁଝନ୍ତି ଯେ ଉକ୍ତ ସମ୍ମାନସ୍ପଦ ଓ ଅତ୍ୟନ୍ତ ଆଦରଣୀୟ 'ମାଷ୍ଟ୍ରେ' ସମ୍ବୋଧନଟି ଉପରେ ରହିଛି କେବଳ ତାଙ୍କରି ଅଧିକାର ।

     ସେଦିନ ପ୍ରଭାତରେ ଦିନବନ୍ଧୁ ବାବୁ ଦନେଇ ଦୋକାନରେ ଚା' ପିଉଥିବା ବେଳେ ଗୋଟିଏ ଲରିରେ କିଛି ସଂଗୀତ ଯନ୍ତ୍ରାଂଶ ଯାଉଥିବାର ଦେଖି ପଚାରିଲେ, 'ହଇରେ ଦନେଇ ! ଆଜି କେଉଁଠି କ'ଣ ପ୍ରୋଗ୍ରାମ ଅଛି କିରେ ?'

'ହଁ ; ତଳସାହିରେ ଆଜି ରାମଲୀଳା ହେବାର ଥିଲା । କିନ୍ତୁ ସେ ଦଳର ହନୁମାନ ପାର୍ଟ କରୁଥିବା ଲୋକର ଦେହ ଭଲ ନଥିବାରୁ ରାମଲୀଳା କେନ୍ସଲ ହେଇ ତା ବଦଳରେ ଓଏ ଓଏ ହବ ।' ଚା' ଛାଣିବା ଭିତରେ ଏତକ କହିସାରି ଚାହିଁଲା ବେଳକୁ ମାଷ୍ଟ୍ରେ ଆଉ ସେଠାରେ ନାହାଁନ୍ତି । ଶେଷ ପଦକ ଶୁଣିଲେ କି ନାହିଁ ସନ୍ଦେହ ।

    ସଂଧ୍ୟା ଆଗତ ପ୍ରାୟ । ଦିନବନ୍ଧୁ ବାବୁଙ୍କ ମନ ଆଉ ଥୟ ହେଉନି । ପୁଅ ଏଯାଏଁ ଘରକୁ ଫେରିନି । ପତ୍ନୀ ଓ ବୋହୁ, ଦୁଇଜଣଙ୍କର ଶତ ବାରଣ ସତ୍ତ୍ଵେ ଦିନବନ୍ଧୁ ବାବୁ ଟର୍ଚ୍ଚଟିକୁ ହାତରେ ଧରି ତଳ ସାହି ଚାଲିଲେ । କିଛି ସମୟ ପରେ ପ୍ରୋଗ୍ରାମ ଆରମ୍ଭ ହେଲା । ପ୍ରଚଣ୍ତ ଶବ୍ଦ ସହ ଆରମ୍ଭ ହେଲା ଉଦ୍ଦଣ୍ଡ ନୃତ୍ୟ ।

'ଏ କଣ ! ଏସବୁ ଏଠାରେ କ'ଣ ଚାଲିଛି ?' ପାଖରେ ଠିଆ ହୋଇ ମୃଦୁ ତାଳରେ ଦୋହଲୁ ଥିବା ଯୁବକଟିକୁ ଦିନବନ୍ଧୁ ବାବୁ ବିସ୍ମିତ ହୋଇ ପଚାରିଲେ । 

'ଓଏ ଓଏ ଚାଲିଛି । ଦେଖା ଯାଉନି ଯଦି ପଳେଇ ଆସୁଥିଲ କାହିଁକି ?' ସାମାନ୍ୟ ବିରକ୍ତି ଭରା ସ୍ଵରରେ ଯୁବକଟି ଉତ୍ତର ଦେଲା ।

'ଆରେ ବାବୁ ! ମୋତେ ସବୁ ଦେଖା ଯାଉଛି । ମୋ କହିବା କଥା ହେଲା, ଏଠାରେ ପରା ରାମଲୀଳା ହେବାର ଥିଲା ।' ଗୋପାଳ ବାବୁଙ୍କର ସେଯାଏ ବିସ୍ମୟ ଭାବ କଟି ନଥାଏ ।

ଏତକ ଶୁଣି ଯୁବକଟି ତତୋଽଧିକ ବିସ୍କୟ ଭରା ନେତ୍ରରେ ଦିନବନ୍ଧୁ ବାବୁଙ୍କୁ ଚାହିଁଲା । ଧିରେ ଧିରେ ସେ ନେତ୍ର ଦୁଇଟିରୁ ବିସ୍ମୟ ଭାବ ଉଭେଇ ଯାଇ ତା ସ୍ଥାନ ନେଲା ଏକ ସହାନୁଭୂତି ପୂର୍ଣ୍ଣ ଦୟାଭାବ । 

'ରାମଲୀଳା ବନ୍ଦ ହୋଇ କୃଷ୍ଣଲୀଳା ଚାଲିଛି । ଦେଖିବା କଥା ଦେଖ, ନଚେତ ଏଠାରୁ ଯାଅ ।' କହିସାରି ଯୁବକ ନୃତ୍ୟ ଦେଖିବାରେ ମନ ଦେଲା । ବାସ୍ତବିକ ମଞ୍ଚ ଉପରେ ଜଣେ ଯୁବକ ଦଳେ ଅର୍ଦ୍ଧଲଙ୍ଗୁଳି ଝିଅଙ୍କ ଗହଣରେ ନାଚୁଥିଲା । 

'ଆ..ହାଃ . . . ! କି ତୁଳନାତ୍ମକ ପରିଭାଷା ! ଏଇ ତେବେ ଗୋପୀମାନଙ୍କ ଗହଣରେ କୃଷ୍ଣଙ୍କର ରାସଲୀଳା ।' ଦିନ ବନ୍ଧୁ ବାବୁ ମନେ ମନେ ଭାବୁଥିଲେ । ହଠାତ୍‌ କେଉଁଆଡୁ ଭାସି ଆସିଲା ସୋମରସ ପାନ ଜନିତ ମୃଦୁ ମହକ । ସେ ଗନ୍ଧରୁ ବର୍ତ୍ତିବା ନିମନ୍ତେ ମାଷ୍ଟ୍ରେ ନିଜ କାନ୍ଧ ଉପରୁ ଗାମୁଛାଟିର କିଛି ଅଂଶ ଟାଣିଆଣି ନାକରେ ମାଡିଧରି ଇତଃସ୍ତତ ଚାହିଁଲେ । ବୋଧହୁଏ ନିଜ ସମସାମୟିକ ମଣିଷଟିଏ ଖୋଜୁଥିଲେ । ନିରାଶ ହୋଇ ପୂର୍ବୋକ୍ତ ଯୁବକ ଉଦ୍ଦେଶ୍ୟରେ ଯଥାସମ୍ଭବ ଉଚ୍ଚସ୍ୱରରେ ପ୍ରଶ୍ନ କଲେ, ' ଏ ଅନୁଷ୍ଠାନର ଆୟୋଜକ କିଏ ?'

'ଆୟୋଜକଙ୍କୁ ଜାଣି କଣ କରିବ ?' ତାତ୍ସଲ୍ୟ ପୂର୍ଣ୍ଣ ପ୍ରଶ୍ନଟିଏ ଉତ୍ତର ଭାବରେ ମିଳିଲା । ବୋଧହୁଏ ତା'ର ଦାମୀ ବିଦେଶୀ ମଦ୍ୟପାନ ଜନିତ ବାସ୍ନା ଆଘ୍ରାଣ ପରେ ମାଷ୍ଟ୍ରଙ୍କର ଏତାଦୃଶ ଆଚ଼ରଣକୁ ସେ ନାପସନ୍ଦ କରୁଥିଲା ।

'କ'ଣ କରିବି ? ସବୁ ବନ୍ଦ କରିଦେବି ।' ମାଷ୍ଟ୍ରେ ଯଥାସମ୍ଭବ ସ୍ପଷ୍ଟ ସ୍ୱରରେ ନିଜର କ୍ଷମତାପୂର୍ଣ୍ଣ ଉଦ୍ଦେଶ୍ୟ ଜଣାଇଲେ ।

'କ'ଣ କହିଲ ? ବନ୍ଦ କରିଦେବ ? ଦେଖିବା ତେବେ କେମିତି ବନ୍ଦ କରିଦେବ ?' କହିସାରି ଯୁବକ ହାତ ଦ୍ୱାରା ଇଶାରା କରି କାହାକୁ ଡାକିଲା । ପରେ ପରେ ସେଠାରେ ଉପସ୍ଥିତ ହେଲେ ନିୟମିତ କସରତ ଆଖଡ଼ାକୁ (ଜିମ) ଯାଉଥିବା ପେଶୀ ବହୁଳ ବିଶାଳ ବପୁଧାରୀ ଦୁଇଜଣ ଯୁବକ । କହିବା ବାହୁଲ୍ୟ ସେମାନେ ଥିଲେ ଅନୁଷ୍ଠାନର ଶାନ୍ତି ଶୃଙ୍ଖଳା ରକ୍ଷାକାରୀ ସଭ୍ୟ । ଶୃଙ୍ଖଳା ଭଙ୍ଗକାରୀକୁ ଯେକୌଣସି ଦଣ୍ଡ ଦେଇପାରିବାର ଭିଟୋ କ୍ଷମତା ସେମାନଙ୍କୁ ଅନୁଷ୍ଠାନ ତରଫରୁ ଦିଆଯାଇଥିଲା ।

'କଣ ହେଇଚି କିରେ ?' ତନ୍ମଧ୍ୟରୁ ଜଣେ ନିଜର ଗଞ୍ଜା କୁକୁଡାର ଚୁଳ ସଦୃଶ କେଶରେ ହାତ ବୁଲାଇ ଆଣି ପଚାରିଲା ।

'ଏ ବୁଢା କହୁଚି ନାଚ ବନ୍ଦ କରିଦେବ ।' ଏମାନଙ୍କୁ ଡାକିଥିବା ଯୁବକଟି କହିସାରି ନିଜ ଝୁଲିବା ଗତିକୁ ସାମାନ୍ୟ ତୀବ୍ର କଲା । ପର ମୂହୁର୍ତ୍ତରେ ଶୃଙ୍ଖଳା ସଭ୍ୟ ଦୁଇଜଣ ଦିନବନ୍ଧୁ ବାବୁଙ୍କ ଦୁଇବାହୁକୁ ଦୁଇ ଦିଗରୁ ଧରିଲେ । 

'ଆଞ୍ଜେଲ କୁଇନ ସୀମା ପଣ୍ଡାର ହଟ୍ ସିନ୍ ଠିକ୍ ଆରମ୍ଭ ହେଲା ବେଳକୁ ଏ ବୁଢା ସବୁ ବିଗାଡି ଦେଲା । ସଃ !' ଜଣେ କହିଲା ।

'ଧ ଧ ଉଠା ଜଲ୍ଦି ; ବୟସ ଆସି ଏତେ ହେଲାଣି, ଦୋଷ ଯାଉନି ବୁଢାର । ଓଏ ଓଏ ଦେଖିବାକୁ ଚାଲିଆସିଛି !' ଅପରଜଣକ ପ୍ରତିକ୍ରିୟା ଜଣାଇଲା । 

    ମାଷ୍ଟ୍ରେ ଟେକା ହୋଇ ଯିବା ପୂର୍ବରୁ ଶେଷଥର ପାଇଁ ମଞ୍ଚ ଆଡକୁ ଫେରି ଚାହିଁଲେ । ଝିଲିମିଲି ଆଲୋକରେ ଦୁଇଜଣ ନବଯୌବନା ଯୁବତୀ ନୃତ୍ୟ ମାଧ୍ୟମରେ ନିଜ ନିଜର ଯତ୍ କିଞ୍ଚିତ ଲୁକ୍କାୟିତ ଥିବା ଅଙ୍ଗସୌଷ୍ଠବର ଯଥାସମ୍ଭବ ଅଧିକ ପ୍ରଦର୍ଶନ ପାଇଁ ଚେଷ୍ଟିତ ଥିଲେ । ମଞ୍ଚ ତଳେ କିଛି ଯୁବକ, ମହାବାତ୍ୟାରେ ପ୍ରବାହମାନ ପବନ ମୁହଁରେ ପଡ଼ିଯାଇ ଝୁଲୁଥିବା ସୁଉଚ୍ଚ ନଡ଼ିଆ ଗଛ ଭଳି ତୀବ୍ର ଗତିରେ ଝୁଲୁଥିଲେ । ସେ ନୃତ୍ୟ ସମାରୋହ ସ୍ଥଳୀରୁ ଦିନବନ୍ଧୁ ମାଷ୍ଟ୍ରେ କିଛି ଦୂର ଟେକା ହୋଇ ଯିବା ପରେ ଦୁଇ ଦାନବଙ୍କ କବଳରୁ ମୁକ୍ତି ପାଇ ଘର ମୁହାଁ ହେଲେ । ଘରେ ପହଞ୍ଚିସାରି ନିଜ ଶୋଇବା ଘରେ ବସି ଢେର କାନ୍ଦିଲେ । ଘରେ ଯିଏ ଯାହା ପଚାରିଲେ ମଧ୍ୟ ଉତ୍ତର କିଛି ମିଳିଲାନି । ରାତିଟି ଉପବାସରେ କଟିଲା । * * * 

    ଏହା ପରଠାରୁ ଦିନବନ୍ଧୁ ବାବୁଙ୍କୁ ବାହାରେ ବୁଲିବାର ଆଉ କେହି ଦେଖିନାହାଁନ୍ତି । ମିଳିଥିବା ଶେଷ ସୂଚ଼ନା ଅନୁଯାୟୀ ମାଷ୍ଟ୍ରେ ଘରେ ରହି ନାତିକୁ ପଢ଼ାଇବା ସହିତ ନିଜ ପରିବାରବର୍ଗଙ୍କୁ ନେଇ ପ୍ରାୟତଃ ସତ୍ସଙ୍ଗ କରୁଛନ୍ତି । ଏଥି ସହିତ ଭାଗବତ ପରମାର୍ଥ ନିୟମିତ ପଢ଼ାଚାଲିଛି । 



Rate this content
Log in

Similar oriya story from Tragedy