puspanjali das

Tragedy

2  

puspanjali das

Tragedy

ଦିନାପାତ

ଦିନାପାତ

6 mins
426


ସୁନେଇବୋଉ ଦଉଡି଼ଆ ଖଟ ଖଣ୍ଡକରେ ଶୋଇ ଶୋଇ ତା'ର ବଖୁରିଆ ଘର ଖଣ୍ଡିକ କୁ ବିକଳ ହୋଇ ଅନାଉଥିଲା,ସତେ ଯେମିତି ତା'ଆଖି ୨ଟା କେତେକ'ଣ ଖୋଜି ପକାଉଥିଲା। କେତେବେଳେ ତାକୁ ହରିଆ ର ଶୁଖିଲା ମୁହଁ ଟା ଦିଶିଯାଉଥିଲା ତ କେତେବେଳେ ସୁନେଇ ର ହସ ହସ ମୁହଁ ଟା ଦିଶିଯାଉଥିଲା। ସୁନେଇ ଟା କ'ଣ ସତରେ ତାକୁ ଆଉ ମନେପକାଉ ନାହିଁ? ହସ ହସ ମୁହଁ ଟିରେ ତା'ର ତ ଅଭିମାନ ର ଟିକେ ବି ଛାପ ନାହିଁ! ଆଉ ହରିଆ ର ଶୁଖିଲା ମୁହଁ ଟି ତ ତାକୁ ଅନେକଦିନ ହେବ ଛଟପଟ କରୁଛି। ଜାଣିଛି, ହରିଆକୁ ଯେତେ ଝୁରି ହେଲେ ବି ସିଏ ଆଉ ଆସିବନି ସେପାରିରୁ! ହେଲେ ,ସୁନେଇ, କେମିତି ତାକୁ ଏତେଦିନ ନ ଦେଖିକି ରହିପାରୁଛି? ଜନମ ରୁ ରୋଗିଣୀ ଟା ଥିଲା ବୋଲି କେତେ କଷ୍ଟ କରିକି ତାକୁ ଏଡୁଟିଏ କରିଛି, କେତେ ଦିଅଁ ଦେବତା ଙ୍କୁ ଭୋଗ ଲଗାଇଛି,କେତେ ମାନସିକ କରି,କେମିତି ସବୁ ପାଶୋରି ଦେଲା? ଏମିତି କେତେ କଣ ଭାବୁ ଭାବୁ ଟିକିଏ ଆଖି ଲାଗିଯାଇଥିଲା ସୁନେଇ ବୋଉର, ଯେତେବେଳେ ନିଦ ଟିକେ ଭାଙ୍ଗିଗଲା, ଦେଖିଲା ଗଉରୀ ତା ପାଖରେ ବସି ତା' ଦେହରେ ହାତ ବୁଲାଉଛି। ଗଉରୀ, ତା ପାଖ ପଡିଶା ଘର ର ଝିଅ ଟିଏ,ଯେତେ ମନା କଲେ ବି ବାରମ୍ବାର ତା' ପାଖକୁ ଚାଲିଆସେ। ମଝିରେ ମଝିରେ ତା' ଦିହ ମୁଣ୍ଡରେ ଟିକେ ହାତ ବୁଲେଇ ଆଣେ। ସୁନେଇ ବୋଉ ର ଦେହ ଟିକେ ଖରାପ ହେଲେ ତା' ପାଖରୁ ରୁଟି ଦି ଖଣ୍ଡ ନେଇକି ସେଇ ବୁଲା କୁକୁର ଗୁଡାଙ୍କୁ ଛିଣ୍ଡେଇ ଛିଣ୍ଡେଇ ଖାଇବା କୁ ଦେଇଦିଏ।

    ଗଉରୀ ଆଜି ସୁନେଇ ବୋଉ ର କୌଣସି କଥା ଯେମିତି ଶୁଣିବାକୁ ରାଜି ନଥିଲା,ଟେକିକି ତାକୁ ବିଛଣାରେ ବସାଇଦେଇଥିଲା ଓ ଖଣ୍ଡିଏ ରୁଟି ଓ ଚା କପେ ତାକୁ ଜୋର କରି ଖୁଆଇବାକୁ ବସିଥିଲା। ଯେତେବେଳେ ସୁନେଇ ବୋଉ ର ଲୁହରେ ଢ଼ଳ ଢ଼ଳ ହେଉଥିବା ଆଖି ଦୁଇଟି କୁ ଦେଖିଲା,ତାକୁ ଏକ ପ୍ରକାର ଟେକି ନେଇ ଯାଇଥିଲା ବାହାର ବାରଣ୍ଡା ଉପରକୁ ଯୋଉଠି ଟିକେ ଦୂରରେ ଚାରିଟି ଯାକ ବୁଲା କୁକୁର ପେଟେଇ ପଡିଥିଲେ,ସତେ ଯେମିତି ସୁନେଇ ବୋଉ ର ଆସିବା ବାଟ କୁ ଚାହିଁ ରହିଥିଲେ। ତାକୁ ଦେଖି ଝାଡ଼ି ଝୁଡ଼ି ହୋଇ ଟିକେ ବସି ପଡ଼ିଥିଲେ। ହଠାତ୍ ସୁନେଇ ବୋଉ ର ଚେତା ପଶିଯାଇଥିଲା, ଯେତେବେଳେ ଗୋଟିଏ କୁକୁର ତା ପାଖକୁ ପେଟେଇ ପେଟେଇ ଚାଲିଆସି ପୁରା ତା ଗୋଡ଼କୁ ଲାଗି କୁଁ କୁଁ ହୋଇଥିଲା। ସୁନେଇ ବୋଉ ଆଉ ରହି ପାରି ନଥିଲା, ହାତ ତାର ସେ କୁକୁର ଉପରକୁ ଚାଲି ଯାଇଥିଲା। ଟିକିଏ ଆଉଁଷି ଦେଇ ପଚାରିଦେଇଥିଲା– କ'ଣ ହେଲା? ଏଠି ଏମିତି ଚାରିଜଣ ଯାକ କାହିଁକି ପଡିଛ? ଗଉରୀ କଣ ଆଜି ଖାଇବାକୁ ଦେଇନି? ଏତକ କହି ଗଉରୀ ର ମୁହଁକୁ ଟିକେ ଅନାଇଲରୁ ଦେଖିଲା ଗଉରୀ ତାରି ମୁହଁକୁ ଏକଲୟ ରେ ଅନେଇ ରହିଛି। ସୁନେଇ ବୋଉ ର ପ୍ରଶ୍ନ ରେ ଗଉରୀ କିଛି ନ କହି କେବଳ ବାହାରେ ଅଳ୍ପ ଦୂରରେ ପଡିଥିବା ରସ କଂସା ଖଣ୍ଡକରେ ରୁଟିଖଣ୍ଡ ପଡିଥିବା ଆଡେ ହାତ ବଢ଼ାଇ ଦେଇଥିଲା। ସୁନେଇ ବୋଉ ସେତକ ଦେଖି ବୁଝି ପାରିଥିଲା ଯେ ଆଜି ଗଉରୀ ର ରୁଟି ତକ ଚାରିଜଣ ଯାକ କେହି ହେଲେ ଖାଇ ନାହାନ୍ତି ବୋଲି। ଏଥର ଗଉରୀ ପାଟି ଖୋଲିଥିଲା–ଦେଖେ ସୁନେଇ ବୋଉ ତୋ ଗେହ୍ଲା ଚାରିଟିଯାକ କୁକୁର କେହିହେଲେ କିଛି ଖାଇଲେନି ଆଜି,କାଲିଠାରୁ ଖାଇ ନାହାନ୍ତି। ଦୁଇଦିନ ହେଲା ସବୁ ରୁଟି ଯାକ ସେମିତି ପଡ଼ିଛି। ତୁ ସମ୍ଭାଳ ସେମାନଙ୍କୁ ଏଥର। ତୁ ନ ଉଠିଲେ ସେମାନେ କିଛି ଖାଇବେନି,ଷ୍ଟ୍ରାଇକ ରେ ଅଛନ୍ତି। ମୁଁ କଣ କରିବି କହ?

   ସୁନେଇ ବୋଉ କଣ ଉତ୍ତର ଦେବ କିଛି ଭାବି ପାରିଲାନି। ତା ଭାବନା ଟା ଲମ୍ବି ଯାଇଥିଲା ଅନେକ ଦିନ ତଳକୁ,ଯୋଉଦିନ ସେ ରାଗିକରି ଏଡ଼େ ମୋଟା ବାଡ଼ି ଖଣ୍ଡକ ଫୋପାଡ଼ି ଥିଲା ସେଇ କୁକୁର ଟି ଆଡ଼କୁ, ଯାହାକୁ ଆଉଁସି ଦେବାକୁ ଆଜି ତାର ହାତ ମନକୁ ମନ ଚାଲିଯାଇଥିଲା,ଗୋଡ଼ରେ ବାଡିଟି ବାଜି ରକ୍ତ ଝର ଝର ବୋହି ପଡିଥିଲା ସେଦିନ, ହେଲେ ସେତେବେଳେ ସୁନେଇ ବୋଉର ନିଘା ଟିକେ ବି ସେକଥା କୁ ନଥିଲା। ହରିଆ ର ନିର୍ଜୀବ ଦେହ ଟା ପାଖରେ ବସି ବିକଳ ହୋଇ କାନ୍ଦୁଥିଲା, ସାହି ର ଅନ୍ୟ କେତେଜଣ ସ୍ତ୍ରୀ ଲୋକ ତାକୁ ଘେରିକି ବସି କେତେ କଣସବୁ କହିଚାଲିଥିଲେ। ହରିଆର ଦେହ ଖରାପ ହେବା ଦିନ ଠାରୁ ଗ୍ରାମ ଦେବତୀ ଙ୍କ ପୂଜା ବ୍ରାହ୍ମଣ ଙ୍କ କଥା ଅନୁସାରେ ସବୁ ଶନିବାର ସେ ବୁଲାକୁକୁର ଗୁଡ଼ାଙ୍କୁ ସକାଳୁ ଆଗ ରୁଟି ଖାଇବା କୁ ଦେଉଥିଲା, ହରିଆ ର ଦେହ ଭଲ ହୋଇଯିବ ଆଶାରେ। ସବୁଯାକ ବୁଦ୍ଧି ଲଗେଇ ଵଇଦ ଙ୍କ କଥା ମାନି ସବୁପ୍ରକାରର ଓଷଦ ପଥି ବି ଦେଉଥିଲା,ସୋମ ବାର ଗାଁ ଶେଷ ମୁଣ୍ଡରେ ଥିବା ଭୋଳା ଶଙ୍କର ଙ୍କ ଦେଉଳ କୁ ମଧ୍ୟ ଖାଲି ପାଦରେ ଦଉଡି ଯାଉଥିଲା, ସଜ ସଜ ଦୁଦୁରା ଫୁଲ ଆଉ ବେଲ ପତ୍ର ଧରିକି। ମାସ ପରେ ମାସ ହରିଆ ବିଛଣାରେ ପଡି ରହିଲା ଯେ ଆଉ ଉଠି ପାରିଲାନି,ହେଲେ ସୁନେଇ ବୋଉ ସବୁ କାମ ସାରି ସବୁ ଶନିବାର ସେ କୁକୁର ଚାରୋଟି ଙ୍କୁ ରୁଟି ଚାରିଖଣ୍ଡ ଦେବା ଛାଡି ପାରୁନଥିଲା।

     ହେଲେ ସେଦିନ ତା'ର ସବୁ ବିଶ୍ୱାସ ଯେମିତି ହାରି ଯାଇଥିଲା,ତା'ର ଡାକ ନା ଗ୍ରାମ ଦେବତୀ ଶୁଣିଥିଲେ ନା ସେ କୁକୁରଙ୍କୁ ଖୁଆଇବାରୁ ଶନିଦେବତା ଶାନ୍ତ ହୋଇଥିଲେ,ହରିଆ ତାକୁ ସବୁଦିନ ପାଇଁ ଛାଡି ଚାଲିଯାଇଥିଲା। ସେତିକି ବେଳେ ସେ କୁକୁର ଟା କୋଉଠି ଥିଲା କେଜାଣି କେଁ କେଁ ହେଇ ସୁନେଇ ବୋଉ ପାଖକୁ ମାଡ଼ି ଆସିଥିଲା,ଆଉ ସୁନେଇ ବୋଉ ର ହାତ ପାଖରେ ଥିବା ବାଡ଼ି ଖଣ୍ଡକରେ ଗୋଡଟାକୁ ଜଖମ କରି ଦେଇଥିଲା। ଏତେ ବଡ଼ ଖଣ୍ଡିଆ ଟାକୁ ନେଇ ତା'ରି ବାରଣ୍ଡା ତଳେ ଗୋଟାଏ କଡ଼କୁ କାକୁସ୍ତ ହୋଇ ଶୋଇରହିଥିଲା। ହରିଆ ର କାମ ସରୁ ସରୁ ବାର ଦିନ ହୋଇଗଲା,ସୁନେଇ ବୋଉର କିଛି ବି ମୁଣ୍ଡ ରେ ପସୁ ନଥିଲା କେମିତିକା ସିଏ ସବୁ ସମ୍ଭାଳି ନେବ ଭାବି ଭାବି,ହେଲେ ସମୟର ସୁଅ ରେ ସବୁ ଚାଲିଗଲା ପରେ ସୁନେଇ ବୋଉ ସେଇ ଗଉରୀ ର ମୁହଁରୁ ଶୁଣି ତା ବାରଣ୍ଡାକଡରେ ଶୋଇଥିବା ଛୋଟା କୁକୁରଟି ପାଖକୁ ଯାଇଥିଲା। ଯେତେବେଳେ ତାକୁ ଦେଖିଲା,ସେତେବେଳେ ଖାଲି ଅନୁତାପ କରିବା ଛଡା ତା' ପାଖରେ ଆଉ କିଛି ନଥିଲା। ମନକୁ ବୁଝାଇ ବଟା ହଳଦି ଟିକେ ଆଣି ତା'ଖଣ୍ଡିଆ ରେ ଲଗାଇ ଦେଇ ଥିଲା। ଆଉ ଟିକେ ଆଉଁଷି ଦେଇ ତା ପାଖରେ ଘଡ଼ିଏ ବସି ରହିଥିଲା,ସତେଯେମିତି ତା' ଅପରାଧ ପାଇଁ ଅସୁମାରି କ୍ଷମା ମଗୁଥିଲା ତାକୁ। ସେଦିନ ଟା ସେଇଠି ତାରି ପାଖରେ ଶୋଇ ଶୋଇ କଟାଇ ଦେଇଥିଲା ସୁନେଇ ବୋଉ,ଗଉରୀ ଯେତେ ଘର ଭିତରକୁ ଡାକିଲେ ବି କୁକୁର ଟିକୁ ଛାଡି କି ଯାଇପାରିନଥିଲା। ତା'ପରଦିନ ଯେମିତି ନୂଆ ଜନମ ପାଇଗଲା ଭଳି କୁକୁରଟି ଆଗ ଉଠିପଡି ସୁନେଇ ବୋଉ ର ଗୋଡ଼ ଚାଟି ଚାଟି ଉଠେଇ ଦେଇଥିଲା। ସୁନେଇ ବୋଉ କାହାରି କୁ କିଛି ନ କହି ଧୀରେ ଧୀରେ ଘର ଭିତରକୁ ଉଠି ଯାଇଥିଲା ଆଉ ରୁଟି ଚାରିଖଣ୍ଡ ତିଆରିକରି ଆଣି ସେଇ ବାରଣ୍ଡା ତଳେ ଶୋଇଥିବା କୁକୁର ମାନ ଙ୍କୁ ପୂର୍ବ ଭଳି ଦେଇ ଦେଇଥିଲା। ତା'ପରେ ତା'ଜୀବନ ର ଗତିପଥ ଯେମିତି ବଦଳି ଯାଇଥିଲା। ତା'ସକାଳ ଟା ସେଇ ଚାରୋଟି କୁକୁର ଙ୍କୁ ରୁଟି ଖୁଆଇବାରୁ ଆରମ୍ଭ ହୋଇ ସେଇମାନଙ୍କୁ ରାତିରେ ଖାଇବା କୁ ଦେବାରେ ଶେଷ ହେଉଥିଲା।

   ସମୟ ସାଙ୍ଗରେ ସବୁ ଯେମିତି ବଦଳି ଯାଉଥିଲା, ଗାଁ ର ରୂପ ବି ବଦଳିବାକୁ ଲାଗିିଥିଲା,ଲୋକେ ପିଲାମାନଙ୍କୁ ପାଠ ପଢାଇ଼ିବାକୁ ପାଖ ସହର କୁ ଛାଡି ଦେଉଥିଲେ। ଅଳ୍ପ ଦୂରରେ ବଡ଼ ବଡ଼ ଦୋକାନ ବି ଖୋଲିବାକୁ ଲାଗିଥିଲା। ପାଠ ପ଼ଢ଼ାଇବାକୁ ଯେମିତି ହରିଆ ର ଦୋକାନ ର ଖାତା କଲମ ଅଲୋଡା ହୋଇ ଯାଉଥିଲା। ହରିଆ ର ଛୋଟିଆ ଦୋକାନ ଟି ଧିରେ ଧିରେ ବନ୍ଦ ହୋଇ ଆସିଥିଲା, ଯୋଉଟା ଦିନେ ତା ଝିଅ ସୁନେଇକୁ ପଢ଼ିବା କୁ ଅସୁବିଧା ନ ହେବ ବୋଲି ଦୂର ସହର ରୁ ଯାଇକିଛି କିଛି ଖାତା କଲମ ,ପେନ୍ସିଲ ଆଣି ବିକିବାକୁ ଦୋକାନ ଟି କରିଥିଲା। ଅଖ ପାଖ ଗାଁ ରେ ସେମିତିଆ ଦୋକାନ ନ ଥିବାରୁ,ସୁନେଇ ର ପାଠ ପଢ଼ା ସାଙ୍ଗରେ ହରିଆ ର ଦୁଇ ପଇସା ରୋଜଗାର ବି ହୋଇ ଯାଉଥିଲା।

   ଭାବନା ରାଇଜରୁ ଫେରି ଆସି,ବହୁ କଷ୍ଟରେ ଗଉରୀ ଆଣି ଥିବା ଚା କପ କ ସାଙ୍ଗରେ ରୁଟି ଖଣ୍ଡିକ ଖାଇ,ଟିକେ ବାରଣ୍ଡାରେ ସପ ଖଣ୍ଡକରେ ଶୋଇ ପଡ଼ିଥିଲା ସୁନେଇ ବୋଉ। ଅଳ୍ପ ସମୟ ପରେ ଗଉରୀ କୁ ଡ଼ାକି ସେ ରୁଟିଖଣ୍ଡ ପଡ଼ିଥିବା କଂସା ଖଣ୍ଡକ କୁ ପାଖକୁ ଆଣିଲା। ଆଉ ତା ହାତର ସ୍ପର୍ଶ ଦେଇ ସେ ସବୁକୁ ଯେମିତି ମନ୍ତୁରେଇ ଦେଲା,ତା'ପରେ ଚାରୋଟି ଯାକ କୁକୁରଙ୍କୁ ଚୁ ଚୁ କରି ପାଖକୁ ଡାକି ଖଣ୍ଡେ ଖଣ୍ଡେ କାଢିକି ସେମାନଙ୍କ ମୁହଁରେ ଦେଲା। ଗଉରୀ ଅପଲକ ନୟନରେ ଏସବୁ ଦେଖି ଚାଲିଥୁଲା, ଯେ ସୁନେଇ ବୋଉ ର ହାତରୁ ଚାରୋଟି ଯାକ କୁକୁର ରୁଟି ଖଣ୍ଡେ ଖଣ୍ଡେ କେମିତି ଖୁସି ଖୁସି ରେ ଖାଇ ଦେଇଥିଲେ। ପାଖରେ ଥିବା ସରା ଖଣ୍ଡକରେ ରଖା ହୋଇଥିବା ପାଣିତକ କେମିତି ଏକା ନିଶ୍ୱାସ ରେ ପିଇ ଦେଇଥିଲେ। ଏତକ ଦେଖି ଗଉରୀ ର ଦୀର୍ଘ ନିଶ୍ଵାସ ଟିଏ ବାହାରି ଆସିଥିଲା, ହୁଏତ କିଛିଟା ଆଶା ଓ ବିଶ୍ୱାସ ର ମିଶା ମିଶି ଆଭାସ ନେଇ। ସୁନେଇ ବୋଉ ଏଥର ଖିଆପିଆ ଠିକ କରି ଭଲ ହୋଇଯିବ,ଆଉ ତା'କୁକୁର ମାନଙ୍କ ର ଯତ୍ନ ନେବା କୁ ଆଉ ତାକୁୁ ପଡ଼ିବନି କି ସେମାନଙ୍କ ଅଭିମାନ ଭାଙ୍ଗିବାକୁ ଆଉ ତାକୁ କଷ୍ଟ କରିବାକୁ ପଡିବନି। ଆଜି ରାତିଟା ସୁନେଇ ବୋଉ ପାଖରେ ଶୋଇ ପଡିଲେ ହୁଏତ ସିଏ ସକାଳୁ ତା'ର ପୁରୁଣା ରୂପ ନେଇ ବାହାରି ପଡିବାର ଦେଖିପାରିବ।

    ସତକୁ ସତ ସକାଳ ର ସୂର୍ଯ୍ୟ ଉଇଁଵା ଆଗରୁ ସୁନେଇ ବୋଉ ର ନିଦ ଭାଙ୍ଗି ଯାଇଥିଲା, ମୁହଁ ରେ ତାର ସୁନେଇ କୁ ହଜାଇବାର କଷ୍ଟ ର ଚିହ୍ନ ନ ଥିଲା କି ହରିଆ କୁ ହରାଇବାର ସ୍ପର୍ଶ ଯେମିତି ହଜି ଯାଇଥିଲା। ନିତି ଦିନ ଭଳି ରୋଷେଇ ଘରକୁ ଚାଲି ଯାଇଥିଲା, ରୁଟି କେଇଖଣ୍ଡ କରି ବାହାରକୁ ଚାଲି ଆସିଥିଲା,ତା ଛୋଟିଆ ଦୁନିଆ ର ଚାରୋଟି ଯାକ କୁକୁର ଙ୍କ ପାଖକୁ। ହାତରେ ଛିଣ୍ଡେଇ ଛିଣ୍ଡେଇ ରସ କଂସା ରେ ପକାଇ ଦେଇଥିଲା ରୁଟିତକ,ପାଣି ମୁନ୍ଦେ ସରା ଟିରେ ଭର୍ତ୍ତି କରିଦେଇଥିଲା,ଆଉ ପାଖରେ ଠିଆ ହୋଇଥିବା ଗଉରୀ କୁ କହିଉଠିଥିଲା–ଦେ, ମୋ ମଶାରୀ ବାଡ ରେ ଟଙ୍ଗା ହୋଇଥିବା ବ୍ୟାଗ ଖଣ୍ଡକ ମତେ ଦେ, ଯୋଉଥିରେ ସେ କଲମ, ପେନ୍ସିଲ, ଆଉ ରବର ଗୁଡିକ ରହିଛି। ଗଉରୀ ହାତରୁ ବ୍ୟାଗ ଟିକୁ ଧରି ସୁନେଇ ବୋଉ ବହାରିଯାଇଥିଲା,ସବୁଦିନ ପରି ସେଇ ତାଙ୍କ ଗାଁ ଶେଷ ମୁଣ୍ଡର ବଡ଼ ପିଚୁ ରାସ୍ତା ଉପରକୁ, ଯୋଉଠି କେତେ ଗାଡି ମଟର ର ଭିଡ଼ ଦିନ ଆରମ୍ଭ ହେଉ ହେଉ ଲାଗିଯାଏ। ଗାଡି ଗୁଡିକ ପାଖକୁ ଚାଲି ଚାଲି ଯାଇ କେତେ କକୁତି ମିନତି ହୋଇ କେତେଗୁଡିଏ ଜିନିଷ ସେ ବିକିରି କରିଦିଏ। କିଏ କେତେବେଳେ କାଁ ଭାଁ ଦୁଇ ଚାରିଟା ନେଇଯାନ୍ତି ତ ଆଉ କେହି ଦୟା ଦେଖେଇ ଗୋଟିଏ ଗୋଟିଏ କିଣି ନିଅନ୍ତି। ସୁନେଇ ବୋଉ କିନ୍ତୁ ହାରି ଯାଏନି,ବିକିରି ହଉ କି ନ ହଉ ଖରା ରେ ତରାରେ ନିତି ସେଇ ପିଚୁ ରାସ୍ତ। କୁ ଉଠିଆସୁ ଥିଲା ଯେତିକି ତାର ହରିଆ ଦୋକାନ ର ବାକି କଲମ ପେନ୍ସିଲ କୁ ଧରି


Rate this content
Log in

Similar oriya story from Tragedy