ଦିଲଦାର
ଦିଲଦାର
ମନ୍ଦିର ଭିତରେ ଦୀନ ଦୁଖିଙ୍କୁ ମାଗଣା ଅବଢ଼ା ଭୋଜନ ଦେଲାଭଳି ଦିଲଦାର ମଣିଷ କେତେଜଣ ଅଛନ୍ତି?? ପୁଣି ସପ୍ତାହକୁ ଦୁଇ ଥର। ସେଥିରେ ପୁଣି ପରଷିବେ ନିଜେ। ସେଇଥିରେ ତାଙ୍କର ତୃପ୍ତି, ଶାନ୍ତି। କିନ୍ତୁ ଅସହାୟ, ନିସହାୟ ବୃଦ୍ଧବୃଦ୍ଧାଙ୍କ ଭିତରେ, ଜଣେ ତାଙ୍କୁ ଦେଖୁ ଦେଖୁ, ହାତେ ଓଢଣା ଟାଣି ଦିଅନ୍ତି, ତ କାହିଁକି କେଜାଣି ସେ ବୃଦ୍ଧାଙ୍କ ବିଷୟରେ ଜାଣିବାକୁ ଇଚ୍ଛାହୁଏ,ତାଙ୍କର।
ଏଥର ଆଡ଼ପ ମଣ୍ଡପରେ ମଧ୍ୟ ବିନୋଦ ବିହାରୀ ସାମନ୍ତରାଏ, ପରଷି ଚାଲିଥାନ୍ତି ଆଡ଼ପ ଅଭଡ଼ା, ଆଉ ଅଟକି ଗଲେ ସେହି ହାତେ ଓଢଣା ଟାଣିଥିବା ବୃଦ୍ଧାଙ୍କ ନିକଟରେ, ସସମ୍ମାନରେ ପଚାରିଲେ, ଆଉ କିଛି ନେବେ ମାଉସୀ ?
ଅଚାନକ ଆଶ୍ଚର୍ଯ୍ୟ ଚକିତ ହୋଇ ଶୁଣୁଥିଲେ ,ବିଗତ ଦିନର ଜଜ୍ ବିନୋଦ ବିହାରୀ ସାମନ୍ତରାୟ, ବୃଦ୍ଧା କଇଁ କଇଁ ହୋଇ କାନ୍ଦି କାନ୍ଦି ମୋ ପୁଅକୁ ମୋତେ ଫେରେଇଦେଇପାରିବେ ହଜୁର?? ଲୁହ ସର ସର ଆଖିରୁ ଲୁହ ପୋଛୁ ପୋଛୁ, ଓଢଣା ଖସିପଡୁଥିଲା ବୃଦ୍ଧାଙ୍କର। ଠିକ ଚିହ୍ନିଲେ ଜଜ୍ ସାହେବ। ତାଙ୍କ ଆଖି ଆଗରେ ଭାସି ଉଠିଲା ବିଗତ ଦିନର ସେହି କାଠଗଡା ଭିତରେ ଠିଆ ହୋଇ ଯିଏ କହୁଥିଲେ, ପୁଅ ବୋହୁଙ୍କ ଶାନ୍ତି ପାଇଁ ତାଙ୍କୁ ଯାହା ଆଦେଶ ମିଳିବ ସେ ତାହା ମାନିନେବେ। ପୁଅ ଭଲପାଇ ଧନୀଘରର ଝିଅ ଆଣିଥିବାରୁ, ବୋହୂ, ଶାଶୁଙ୍କ ବିରୋଧରେ ଚିଲେଇ ଚିଲେଇ କାଠ ଗଡାରେ, ଏଭଳି ଶାଶୁଙ୍କ ସହ ଚଳି ପାରିବନି କହୁଥିଲା ବେଳେ, ଉପସ୍ଥିତ ବେଞ୍ଚର ସମସ୍ତ ସଦସ୍ୟ ଓକିଲ, ଭାବିଥିଲେ, ଶାଶୁଟା ନିଶ୍ଚୟ ରାହାବାଳୀ ଶାଶୁ ହୋଇଥିବ, ପଢା ଶିକ୍ଷିତ, ସୁନ୍ଦରୀ, ଧନୀ ଝିଅକୁ ନିଶ୍ଚୟ ବହୁତ ହଇରାଣ ହରକତ କରୁଥିବ, କିନ୍ତୁ କାଠଗଡାକୁ ଆସି କହୁଥିବା ଶାଶୁଙ୍କ କଥା ଥିଲା, ଆଜ୍ଞା ହଜୁର ସବୁ ଦୋଷ ମୋର।
ଶାଶୁ ପୁଣି କହିଚାଲିଥିଲେ, ମୁଁ ପୁରୁଣା କାଳିଆ ମରହଟ୍ଟୀ ମଣିଷ ହଜୁର, ସକାଳୁ ଶେଯ ଛାଡି, ସ୍ବାମୀଙ୍କୁ ଖାଇବାକୁ ଦେଇ ଅଫିସ ଯିବାକୁ ବୋହୁକୁ କୁହେ। ଆଉ କିଏ କେମିତି ସାଇ ପଡିଶା ଆସିଲେ ଓଳଗି ହେବାକୁ କହେ, ଦାଣ୍ଡକୁ ବାହାରିଲେ ଓଢଣା ଟାଣିବାକୁ କୁହେ। ଏହିସବୁ ମୋର ଦୋଷ ହଜୁର, ଏଣିକି ସେ ଯେତେବେଳେ ଉଠୁ ନଉଠୁ ମୁଁ କିଛି କହିବିନି, ଆଜିଯାଏଁ ଵାପା ଛେଉଣ୍ଡ ହେବାଠୁ ପୁଅକୁ ଯେମିତି ବାରଘରେ ପାଇଟି କରି ପଢେଇ ବଢ଼େଇଛି, ସେମିତି ଗଣ୍ଡାଏ ରାନ୍ଧିକି ଦେଇପାରିବି ହଜୁର, ମୋ ପୁଅ ଯାହାକୁ ଆଣିଛି ତାକୁ ନେଇ ସୁଖରେ ରହୁ।
ବୋହୁର କିନ୍ତୁ ଏକାଯିଦ ଏଭଳି ଶାଶୁ ପାଖେ ସେ କଦାପି ରହିବନି, ତ ଶାଶୁ କହିଥିଲେ ପୁଅ ମତେ ତେବେ ପୁରୀ ବସରେ ବସେଇଦେ, ମୁଁ କାଲିଆଙ୍କୁ ଦେଖି, ଚଳିଯିବି। ପୁଅ ମଉନେ ସମ୍ମତି ଜଣାଇଥିଲା ତ ଏ ପାରିବାରିକ ସମସ୍ୟାର ସମାଧାନ ହିସାବରେ ବୃଦ୍ଧା ସେହିଦିନଠୁ କାଳିଆଙ୍କୁ ଚାହିଁ ସମୟ ବିତାଉଥିଲେ ବି ପୁଅ ବୋହୁ ଦୂରେ ଥାନ୍ତୁ ସୁଖରେ କହି ଲୁହ ଗଡାଉ ଥିଲେ। ସାମନ୍ତ ରାଏ ସାହେବ ଏତେ ଦିନ ଧରି ଏମିତି କାନ୍ଦୁଥିଲେ, ଜୀବନରେ କେବେ ଏମିତି କାନ୍ଦି ନଥିଲେ l
ଘୋଷଣା କଲେ ଏଣିକି ସବୁଦିନ ସମସ୍ତେ ମାଗଣା ଖାଦ୍ୟ ଖାଇପାରିବେ। ଜୟ ଦାତାଙ୍କର ଜୟ ଧ୍ବନିରେ ରାଏ ସାହେବ ବୃଦ୍ଧାଙ୍କୁ ନିଜ ଘରକୁ ନେଇଯାଇଥିଲେ। ବୃଦ୍ଧା ଯିବାକୁ ଅନିଛୁକ ଥିଲେ ବି ରାଏ ସାହେବ ତୁମ ପୁଅକୁ ମୁଁ ଖୋଜି ତୁମ ଜିମା କରିବା ପର୍ଯ୍ୟନ୍ତ ତୁମେ ମୋ ପାଖେ ରୁହ ମାଉସୀ କହି ନେଇଯାଇଥିଲେ ଘରକୁ।
ଖୋଜିଥିଲେ ବୃଦ୍ଧାଙ୍କ ପୁଅକୁ ବହୁତ , ନପାଇ ନିଜ ଦୁଃଖ ସବୁ କହିଥିଲେ ମାଉସୀଙ୍କୁ। ଅବସର ପୁର୍ବରୁ ମରିଯାଇଥିଲେ ପତ୍ନୀ। ଏକମାତ୍ର ପୁଅ ଆମେରିକାରେ ସେଠିକା ଝିଅ ବିବାହ କରି , ଆମେରିକାର ନାଗରିକ ହୋଇସାରିଥିଲା, ଆଉ ମୋର ସବୁ ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରି କରି ମତେ ତା ସହିତ ନେଇଯାଇଥିଲା। ହେଲେ ପୁଅ ବୋହୁ ନିଜ ନିଜ ବାଟରେ, ନାତିକୁ ଖୁଆଇ ପିଆଇ ସ୍କୁଲ ନେବା ଆଣିବା ସବୁ ଦାଇତ୍ୱ ମୋ ଉପରେ ପଡ଼ିଲା। ମୋତେ କିନ୍ତୁ ବହୁତ ଆନନ୍ଦ ମିଳୁଥିଲା, ହେଲେ ନାତିର ଦେହ ଖରାପ ହେଲା, ଆଉ ସବୁ ଦୋଷ ମୋର ବୋଲି କହି ପୁଅ ବୋହୁ ଯାବତୀୟ ଗାଳି ମନ୍ଦ କଲେ। ନାତି ଦୁଇଦିନ ଭିତରେ ଠିକ ହୋଇଗଲା ସତ ହେଲେ, ମୋତେ ଯେଉଁ ଅସମ୍ମାନ ମିଳିଲା, ମୁଁ ଫେରିଆସିଲି। ମୋର ଆଉ ମୋ ପତ୍ନୀର ପେନସନ ଥିଲା ମୋର ବଳ। ଆଉ ସେହିଦିନଠାରୁ ମୋରି ପରି ଅସହାୟ ନିସହାୟ ବୃଦ୍ଧବୃଦ୍ଧାଙ୍କୁ ସାହାଯ୍ୟ ସହଯୋଗ ସ୍ବରୂପ ଜଗନ୍ନାଥଙ୍କ ଅବଢ଼ା ପ୍ରସାଦ ବଣ୍ଟନ କରୁଛି। ବୃଦ୍ଧା କାନ୍ଦୁଥିଲେ କଇଁ କଇଁ ହୋଇ କହୁଥିଲେ, ତୁମେ ଆପଣ ଏଡେ ବଡ ଲୋକଙ୍କର, ଏ ଦୁର୍ଦ୍ଦଶା, ମୁଁ ବା କି ଛାର। ତୁମେ ବ୍ୟସ୍ତ ହୁଅନା ମାଉସୀ, ତୁମ ପୁଅକୁ ମୁଁ ନିଶ୍ଚୟ ଫେରାଇ ଆଣିବି। ତୁମ ମୃତ୍ୟୁ ବେଳେ ତୁମ ମୁହଁରେ ତୁମ ପୁଅ ନିଆଁ ଦେବାର ଆଶା ମୁଁ ନିଶ୍ଚୟ ପୂରଣ କରିବି। ବୃଦ୍ଧାଙ୍କର ଜଗନ୍ନାଥଙ୍କୁ ଡାକିବା ଛଡା ଅନ୍ୟ ଗତି ନଥିଲା ।
ସେଦିନ ଅନ୍ନ ପଙ୍କ୍ତି ରେ ଠା ଠା ବସିଥିବା ଦୁଇ ଯୁବକଙ୍କୁ ଚିହ୍ନିଲେ ରାଏ ସାହେବ। ଜଣେ ଘରେ ଥିବା ମାଉସୀଙ୍କ ପୁଅ, ତ ଆଉ ଜଣେ ତାଙ୍କ ନିଜ ପୁଅ। ଦୁହେଁ ସ୍ତ୍ରୀ ମାନଙ୍କ ଅତ୍ୟାଚାରର ଶୀକାର ହୋଇ, କୋର୍ଟ କାଠଗଡ଼ାରେ ଭରଣ ପୋଷଣ ଦେବାରେ ପ୍ରତିଶ୍ରୁତି ରକ୍ଷା କରି ଆଜି କାଙ୍ଗାଳି ଭୋଜନ ପଙ୍କ୍ତିରେ! ହୃଦୟ ବିଦାରି କାନ୍ଦୁଥିଲେ ରାଏ ସାହେବ ତାଙ୍କୁ ତୋଳି ଧରିବା ବେଳକୁ ସେ ଆଉ ଜୀବନରେ ନଥିଲେ।
