Lipsa Acharya

Tragedy

2  

Lipsa Acharya

Tragedy

ଦୀପାବଳୀ

ଦୀପାବଳୀ

3 mins
469


ଝରକା ସେ ପାଖରେ ଅନ୍ଧାର ଆକାଶରେ ଖେଳୁଥିବା ଆଲୋକର ତୋରଣକୁ ରାଜା ଝରକା ଏ ପାଖେ ଦେଖୁଥାଏ । ମୁହଁ ରେ ଥିବା ଭାବନାର ଛୋଟିଆ ହସଟେ ଖୁସିର ଥିଲା ନା ଆତ୍ମ ନିବରର ଚିତ୍କାର ଥିଲା ବୁଝା ପଡୁ ନଥିଲା । କିଛି ପଚାରିବା ପାଇଁ ଦୌଡି ଗଲା ମା' ପାଖକୁ । ସେ ଏକା ପ୍ରଶ୍ନ "ବାବା କେତେବେଳେ ଆସିବେ? ମୋ ପାଇଁ ବାଣ ମିଠା ଆଣିବେ କି ନାହିଁ ?"


    ମା' ଙ୍କ ଠାରୁ "ହଁ" ଶୁଣି ରାଜା ପୁଣି ଫେରି ଆସିଲା ଝରକା ପାଖକୁ । ସାମନ୍ନା ଘରେ ରହୁଥିବା ତା' ସାଙ୍ଗ ମାନଙ୍କ ଦୀପାବଳୀ ମଉଜକୁ ଦେଖୁଥାଏ । ନିଜ ଭିତରେ ବାବା ବାଣ ମିଠା ନେଇ କି ଫେରିଲେ , ସେ ବି ଘରୁ ବାହାରି ଉତ୍ସବ ବନାଇବ ସାହି ରାସ୍ତାରେ । ହଠାତ୍ ତାର ନଜର ପଡେ ସାହିର ସବୁ ଘର ଆଗରେ ମାଟିର ଦୀପ ଧାଡିକୁ ଧାଡି ସଜା ହେଇଛି । କୋଠାର ଉପରି ଛାତ ଆଡୁ ତଳକୁ ଲମ୍ବି ଯାଇଛି ଚାଇନିସ୍ ଲିଚୁମାଳ । ଆଲୋକର ମାଳା ରାଜାର ଆଖିକୁ ଝଲସେଇ ଦଉଥିଲା । ତାଙ୍କ ଘର ଆଗରେ ମାଟିର ଦୀପଟେ ବି ଜଳୁ ନଥିଲା । ପୁଣି ରାଜା ଦୌଡିଲା ମାଙ୍କ ପାଖକୁ । ମା'.. ମା... ତୁ ଆମ ଘର ବାରଣ୍ଡାରେ ଦୀପ କାହିଁକି ଜାଳିନୁ ? ମା' କିଛି ନ କହି ନିରବ ରହିଲେ ଆଉ ରାଜା ସୁନା ପିଲାଙ୍କ ପରି ମା'ର ନିରବତାକୁ ପଢି ପକାଇଲା । ବାବା ନିଜ ସାଙ୍ଗରେ ଦୀପ ,ଜଡା ତେଳ, ମିଠା, ବାଣ ନେଇକି ଆସିବେ । ବାସ୍ ! ତା'ପରେ ଆମ ଘର ଆଲୋକର ଖୁସିରେ ହସି ଉଠିବ । ରାଜା ଝରକା ଆଡକୁ ପାଦ ବଡେଇଲା , ମା କୁ ଆଉ ପ୍ରଶ୍ନ ନ କରି ।


         ଝରକା ସେ ପଟେ ଥିବା ଦୁନିଆଁ କୁ ଦେଖୁଥିଲା । ଆଉ ନିଜର ସେ ଛୋଟ ଛୋଟ ଖୁସିକୁ ଝୁରୁଥିଲା । ବାବା ଆସିଲେ ସମସ୍ତଙ୍କ ପରି ସେମାନେ ବି ଦୀପ ଜାଳି ବାଣ ଫୁଟାଇ ଦୀପାବଳୀ ପାଳିବେ । ସମୟ ଗଡିବାକୁ ଲାଗିଲା । ସମସ୍ତଙ୍କ ଘର ଆଗରେ ଜଳୁଥିବା ଦୀପ ଗୁଡିକ କ୍ରମଶଃ ଲିଭିବାକୁ ଲାଗିଲାଣି, ହେଲେ ରାଜାର ତ ଏପର୍ଯ୍ଯନ୍ତ ଦୀପାବଳୀ ଉତ୍ସବ ଆରମ୍ଭ ହେଇନି । ମନେ ମନେ ସେ ବାବାକୁ ଖୋଜୁଥାଏ । ମୁଣ୍ଡ ବଙ୍କା କରି , ତା' ଆଖି ଦେଖି ପାଇବାର ଅନ୍ତିମ ବିନ୍ଦୁ ପର୍ଯ୍ଯନ୍ତ ସେ ବାବାଙ୍କ ଛାଇକୁ ଝୁରୁଥିଲା । ବାବାଙ୍କୁ ଦେଖିଲା ମାତ୍ର ଦୌଡି ଯାଇ ତାଙ୍କ ହାତରୁ ବ୍ଯାଗ୍ ଚ୍ଥଡେଇ ଆଣି ଦୀପ ଜାଳି ,ବାଣ ଫୁଟାଇ, ଦୁଇ ତିନୋଟି ମିଠା ଗିଳି ପକେଇବ । ତା' ବାଣ ଶବ୍ଦରେ ଶୋଇବାକୁ ବସିଥିବା ରାତିମଧ୍ଯ ଚମକି ଉଠିବ । ଆମ ଖୁସିରେ ଭାଗ ବସେଇବାକୁ । 


     ବାବା କେତେବେଳେ ଆସିବେ ? ଘର ଆଗରେ ଦୀପାବଳୀ ଉତ୍ସବ ଭୋଜି ବି ସରି ଆସିଲାଣି । ବଡ ଘରର ଅତିଥି ମାନେ ଖାଇ ସାରି ଯିବାକୁ ବସିଲେଣି । ରାଜା ରାସ୍ତାରେ ପଡିଥିବା ଶୀତଳ ଦୀପ ଆଉ ଅଫୁଟା ବାଣକୁ ଦେଖିବାକୁ ଲାଗିଲା । ଭୋଜିରେ ଖାଇବାକୁ ମାଗି ନ ଖାଇ ଆବର୍ଜନା ବାକ୍ସରେ ପକା ହଉଥିବା ଖାଦ୍ଯ କୁ ନିରଖି ଚାହିଁଲା । ତା' ଛୋଟ ଛୋଟ ଖୁସିକୁ ସ୍ବପ୍ନ ଦୁନିଆଁ ରେ ପରିକଳ୍ପନା କରୁ କରୁ ସେ ଭୁଲି ଯାଇଥିଲା, ତା' ପେଟର ଭୋକକୁ ।ସକାଳ ୮ଟାରେ, ସେ ବାବାଙ୍କ ସହିତ ମିଶି ବାସି ପଖାଳ ଦୁଇଟା ଖାଇଥିଲା ।  


          ଘରର କବାଟ ଖୋଲି ରାସ୍ତା ଉପରେ ପାଦ ଥାପିଲା ରାଜା । ଗୋଟିଏ ହାତରେ ଲିଭି ଯାଇଥିବା ଦୀପକୁ ଆଉ ଅନ୍ଯ ହାତରେ ଅଖିଆ ଥାଳିରୁ ଗୋଟିଏ ମିଠା ଉଠାଇ ଥରିଲା । ପାଦ ଟି ତାର ଅଟକି ଥିଲା ଏକ ଅଫୁଟା ବାଣ ଉପରେ । କୁନି ମନରେ ଅନେକ ପ୍ରଶ୍ନ ଥିଲା ତାର । ଠିକ୍ ଏହି ସମୟରେ ଗୋଟିଏ ଛାଇ ତା ଉପରେ ପଡିଲା ଆଉ ପରିଚିତ ସ୍ବର ମଧ୍ଯ ଶୁଣାଗଲା । ରାଜା ମୁଣ୍ଡ ଉଠାଇ ବାବାଙ୍କ ଖାଲି ହାତ ଦୁଇଟିକୁ ଦେଖିଲା , ତଥାପି ତା ମୁହଁରେ ଖୁସିର ରେଖାଟି ଆଙ୍କି ହେଇଗଲା । ଦୀପ, ମିଠାକୁ ତଳେ ପକାଇଦେଇ ରାଜା ଖୁସିରେ ବାବାଙ୍କୁ ଜାବୁଡି ଥରିଲା ।  


Rate this content
Log in

Similar oriya story from Tragedy