ଦିଆଲି
ଦିଆଲି
ଦୀପମ୍ ଜ୍ୟୋତି ପରମବ୍ରହ୍ମ
ଦୀପମ୍ ଜ୍ୟୋତି ସନାତନ
ଦୀପମ୍ ଜ୍ୟୋତି ହରେ ପାପ
ସଂଧ୍ୟା ଦୀପମ୍ ନମସ୍ତୁତେ ।।
ଦିଆଲିର ତିନି ଚାରି ଦିନ ଆଗକୁ ପଛକୁ ଏମିତି ଆଠଦିନ ଯାଏ ଆମ ପଞ୍ଝାଙ୍କର ଦିଆଲି ।ଉପରଓଳି ହେଲେ ସଂଜବୁଡିଲେ ପାଠ ସାରିଦେଇ ଚୁଟ୍ କିନା ଯାଇ ଅଗଣାରେ ।ବାପୁ,ବୁବୁନ୍, ବାବୁନ୍,ଲିଙ୍କୁ, ପିଙ୍କୁ, ଦେବଜାନୀ, ମାଧୁରୀ, ଲୋପାଙ୍କର ମେଳ ।ଦି ଚାରିଟା ଘଡିବାଣ,ମୁଠେ ଲେଖେଁ ଗୋଡି ବାଣ, ସାପଲଣ୍ଡି ବାଣ, ରଙ୍ଗିନ୍ ଦିଆସିଲି, ଝୁରଝୁରୀ, କୁମ୍ପି,ଗଛବାଣ ସବୁଥିରୁ ଗୋଟେ ଗୋଟେ ଫୁଟେଇଦେଲେ ମନ ଶାନ୍ତି ।ଦିବାଲି ଦିନକୁ ହାବେଳୀ, ରକେଟ,ତାଳଫୋଟକା ବଡ ଛୋଟକି ମାଳ, ସୁନୁଫୋଟକା, ବମ୍, ନାଲି ଗୋଟମାରେ ସବୁଜ ସୂତା ଗୁଡା ବମ୍ ସବୁ କୁଲାରେ ଥୁଆ ହେଇ ଦିନ ଯାକ ଖରା ଖାନ୍ତି ।ମାଟିଦୀପ ସବୁ ଧୁଆହେଇ ସମାଜ କାଗଜରେ ଶୁଖନ୍ତି ।ଜଡା ତେଲ, କାଉଁରୀଆ ବିଡା,ନୂଆ ଦିଆସିଲି,ମହମବତୀ ସବୁ ରେଡ୍ଡି କରିଦିଏ ବୋଉ ।ଖରାରେ ନଦେଲେ ବାଣ ସବୁ ଫୁସ୍ କୁରା ହୋଇଯାଏ ..... ଢୋ ଢା ନ ହୋଇ ଫସ୍ ଫୁସ୍ ଚାଲେ ।
ଦିଆଲି ଆଗ ଦିନ ଆଉ ପରଦିନ ଛାତରୁ,ଅଗଣା, ଦାଣ୍ଡ, ବାରି ସବୁଆଡ ଦୀପରେ ସଜେଇ ହେଇଯାନ୍ତି ।ଦିଆଲି ସକାଳୁ ଖାନନଗର କାଳୀ ମନ୍ଦିର ଯାଇ ଦର୍ଶନ କରି ରାଶିତେଲ ଦୀପ ଜଳାହୁଏ ।
ଘରେ ବୋଉ ରନ୍ଧା ବଢା, ମିଠା,ପିଠା କରି ଘରଠାକୁରଙ୍କୁ ନୈବେଦ୍ଯ ବାଢେ,ବଣ୍ଟା ବଣ୍ଟି କରେ ।
ସଂଜକୁ ମୁଠେ କାଉଁରୀଆ ଜାଳି ଆକାଶକୁ ଚାହିଁ ସମସ୍ତେ ବଡବଡିଆ ଡାକୁ,
ବଡବଡିଆ ହୋ,ଅନ୍ଧାରେ ଆସି ଆଲୁଏ ଯାଅ
ବାଇଶି ପାହାଚେ ଅବଢା ପାଅ
ଦୁଇ ହାତଟେକି ଆଶିଷ ଦିଅ ।।
ଗାଆଁରେ ପିତୃପୁରୁଷଗଣ ଉଦ୍ଦେଶ୍ୟରେ ଗୋତ୍ର ଅନୁଯାୟୀ ଅଲଗା ଅଲଗା ମୁରୁଜ ପାଢି ସେଥିରେ ପଣସ ପତ୍ରରେ ବିଭିନ୍ନ ଦ୍ରବ୍ୟ ବଢାଯାଏ ଓ ପିଣ୍ଡଦାନ କରନ୍ତି ।ତାକୁ ପୁମ୍ପେଇ ଡକା କୁହନ୍ତି ।ଖିଆପିଆ ହୁଏ ।
ସଂଜକୁ ଏକାଠି ବାଣ ଧୂମ ଫୁଟାଉ, .....ମୋର, ବାପାଙ୍କର ତାଳଫୋଟକା ।ଭାଇର ଝୁରଝୁରୀ .... ବୋଉର ଦୀପ ତେଜିବା,ତେଲ ଭରିବା କାମ ।ସାଙ୍ଗ ସବୁ ସମସ୍ତଙ୍କ ବାଣ ଏକାଠି ଥୋଇ ଫୁଟାଉ ଭାରି ହସଖୁସିରେ .....ସବୁଠୁ ବେଶୀ ବାଣ ବୁବୁନର । ପିଲା ଦିନ ସବୁ ଅମୃତ ବୋଳା ।ମନ ସବୁ କାଚକେନ୍ଦୁ ।ପଦ୍ମପୁରରୁ ବାଣ ଆସେ ହୋଲସେଲ ।
ବୋଉ ଆମକୁ ସବୁ ପୁରାହାତଗୋଡବାଲା ପୁରା ସୂତା ଲୁଗା ପିନ୍ଧାଏ । ଦୂରରୁ, ସାବଧାନ ଏମିତି କହୁଥାଏ ।
ତା ପରେ ଆମ ସାମ୍ନା ଘର ଆଈ ଅଜା ( ପ୍ରଖ୍ୟାତ ଓକିଲ ଭକ୍ତହରି ମହାନ୍ତି ଓ ରେଣୁ ଆଈ)ଙ୍କ ଘରେ ପ୍ରତିବର୍ଷ କାଳୀ ପୂଜାରେ ଭୋଗ ବ୍ୟବସ୍ଥା କରି ନିମତ୍ନଣ କରିଥାନ୍ତି ।କାଳୀ ମନ୍ଦିର ଭୋଗ ।
ତା'ପରେ ବାଣ ଫୁଟା ପୁଣି ଯାଇ କାର୍ତ୍ତିକ ପୁନେଇଁକୁ ।
ଦିଆଲି ପର ଦିନ ମୁଁ ଭୋରୁ ଉଠି ପଡେ,ଦଉଡି ଯାଇ ଦାଣ୍ଡ କବାଟ ଫିଟେଇ ପୁରା ଦାଣ୍ଡକୁ ଦେଖେ ।ଚାଇନା ମାଳ ଆଉ ଅନ୍ୟ ବାଣ ସବୁ ଫୁଟି ଫାଟି ସମସ୍ତଙ୍କ ଦୁଆରେ ପୁରା ରାସ୍ତା ରଙ୍ଗିନ୍ ଦିଶୁଥାଏ,ଫୁଲ ଟୁକୁଡା ବିଛେଇ ହେଇ ପଡିଲା ପରି ।ମତେ କେଜାଣି କାହିଁକି ସେଇ ଦୃଶ୍ୟଟି ଭାରି ଭଲ ଲାଗେ ।ମୁନିସିପାଲିଟିର ଓଳଉଥିବା ମହିଳାମାନଙ୍କର ସେଦିନ ଗାଡି ଫୁଲ୍ ଆଉ ଅଣ୍ଟା ଭାଙ୍ଗିଯାଏ ଓଳେଇ ଓଳେଇ ...... ଆଠ ଏପଟେ ବାଜେ ..... ଅଧିକାକି ଦଶ କୋଡିଏ ଟଙ୍କା ବକସିସ୍ ମାଗନ୍ତି ।ବୋଉ ଦିଏ ।
ଆଉ ଦିଆଲିକୁ ଦେଖିଛି, ଜୀବଜନ୍ତୁ ସବୁ ଭଲ ପାଆନ୍ତିନି ।ଆମ ପଡିଶା ମାଉସୀଙ୍କ ଘରେ ଜୋଡେ ମହାବଳ ଥିଲେ, ଗୋଟେ ଡୋବରମ୍ଯାନ ଆଉ ଗୋଟେ ଆଲସିସିଆନ ।ମଣିଷ ଉଚ୍ଚ ..... ଅନ୍ୟ ଦିନେ ଭୁକି ଭୁକି ପୃଥିବୀ ଫଟାନ୍ତି ।ଡର ଲାଗେ.... କାହାକୁ ଘରେ ପୁରେଇଦିଅନ୍ତିନି ...... ହେଲେ ଦିବାଲି ଦିନ ତାଙ୍କ ବୁଢୀମାଙ୍କ ଖଟ ତଳେ ପଶି ଥରୁଥାନ୍ତି ଯେ ଥରୁଥାନ୍ତି ।ଚୋର ୟାଙ୍କ ଗୋଡ ପାଖରେ ସୁନ୍ ଫୋଟକା ଟେ ଫୁଟେଈ ଘରେ ପଶିଯିବ ଦିଆଲିରେ ।ହା ହା ।
ମଶା, ମାଛି, ଦଶ ଦିନ ଯାଏ ଗାୟବ ।
ମୋ ବାହାଘର ପରେ ପ୍ରଥମ ବର୍ଷ ମୁଁ ଗାଁ ଠି ମଧ୍ୟ ବାଣ ଫୁଟେଇଥିଲି, ମୋ ଦିଅର ବାବୁ ଆଣିଦେଇଥିଲେ ।
ଏଠି ବାଙ୍ଗାଲୋରରେ ବି ଏଇଠି ଥିବା ଓଡିଆ ବନ୍ଧୁ ମାନେ ମିଶି ବାଣ ଫୁଟାଉ, ମିଠା ବାଣ୍ଟି ହାପି ଦିବାଲି କହୁ ଆଉ ଏପଟର କଲଚର୍ ଅନୁସାରେ ବିଭିନ୍ନ ରଙ୍ଗ ଓ ଡିଜାଇନରେ ରଙ୍ଗୋଲି ପକେଇ ଲକ୍ଷ୍ମୀ ପୂଜା କରୁ ।ଯେ ଦେଶେ ଯାଇ ସେ ଫଳ ଖାଇ ।
ଦଶହରା ପରି ଦିପାବଳୀ ଅମାବାସ୍ୟାରେ ଆମ କଟକରେ ସବୁ ମେଢ ଘରେ ମହାକାଳୀ ଓ ଈଶ୍ୱର ପାର୍ବତୀଙ୍କର ଯୁଗଳ ମୂର୍ତ୍ତି ପୂଜିତ ହୁଅନ୍ତି ।କଲିକତା ମଧ୍ୟ ଏହି ପର୍ବ ବହୁ ଯାକଯମକରେ ଭବ୍ୟ ରୂପେ ପାଳେ, ଯେହେତୁ ମା' ଦକ୍ଷିଣେଶ୍ୱରୀ କାଳୀ ତାର ପାଳନକର୍ତ୍ତୀ ।
ଆମେ ମେଢ ବୁଲାରେ ଯାଉନି ଏଥର, ବାସ୍ ଭସାଣି ଦେଖିବାକୁ ସେଇ ପୁରୀଘାଟ ଦେବୀଗଡା ଥାନା ପାଖକୁ କେବେ କେବେ ସକାଳୁ ଯାଉ ଯେ କିନ୍ତୁ ଭୟ ଲାଗେ ।
ଲହ ଲହ ଜିଭା ମା ଗୋ
ଘୋର ଦନ୍ତ ପାଟି ........... ... ବିକରାଳ କରାଳ ।ଭୂତ, ପିଶାଚ, ମୁଣ୍ଡ ମାଳ.... ରକ୍ତ ପିଇଯାଉଥିବା ଡାକିନୀ, ପିଶାଚିନି ।ଭୟ ଲାଗିବନି ନା ।
ବୋଉ କହେ ମହାକାଳୀ ...... ଅଭୟବରଦାୟିନୀ ।
ଦୀପର ଉତ୍ସବ ଦୀପାବଳୀ ।ଆମ ଦେଶ ଭାରତର ଏକ ପ୍ରମୁଖ ପର୍ବ ଯାହା ପୁରା ଭାରତ ବଡ ଧୁମଧାମରେ ପାଳନ କରେ ।
ଆମର ପୁରାତନ ଆର୍ଯ୍ୟ ସନାତନ ମହତ୍ ସଂସ୍କୃତି ଆମକୁ ପ୍ରତି ଦିନ ସୂର୍ଯ୍ୟ ଉଦୟ ଓ ଅସ୍ତରାଗ ସମୟରେ ବନ୍ଦନା, ଯଜ୍ଞ, ଆହୁତୀ, ଔଷଧୀ, ଚେରମୂଳୀ, କର୍ପୂର, ଭଲଘିଅ ଇତ୍ୟାଦିରେ ପ୍ରସ୍ତୁତ ସମିଧ ଆଦିର ପ୍ରଚଳନ ଶିକ୍ଷା ଦେଇଥିବା ଆମେ ଜାଣୁ, କାରଣ ଏ ଦ୍ବାରା ବାୟୁମଣ୍ଡଳ ଶୁଦ୍ଧ ହୁଏ, ରୋଗ ଜୀବାଣୁ ନାଶ ହୁଅନ୍ତି ଏବଂ ସାଧାରଣରେ ଆମେ କହୁ ଯଜ୍ଞ କଲେ ବର୍ଷା ହୁଏ,ଚାଷ ଭଲ ହୁଏ,ସଂସାର ମଙ୍ଗଳ ହୁଏ ।ତା' ପଛରେ ଅନେକ ବୌଜ୍ଞାନିକ ତଥ୍ଯ ରହିଥାଏ ଯାହା ବିଶ୍ବାସ ଭାବରେ ଆମ ସଂସ୍କୃତି ଆମକୁ ଶିକ୍ଷା ଦିଏ, ଯଦ୍ୱାରା ଶ୍ରଦ୍ଧା ବଳବତ୍ତର ହେବ ଓ ସାମାଜିକ କଲ୍ୟାଣ ସାଧିତ ହେବ ।
ବର୍ତ୍ତମାନର ଜଟିଳ ଜୀବନ ଶୈଳୀ ମଧ୍ୟରେ ଆମେ ଦୀପଟିଏ ହିଁ ଜାଳିପାରୁଛେ ଯାହା ।
ଅସତୋମା ସଦଗମୟ
ତମସୋମା ଜ୍ୟୋତିରଗମୟ
ମୃତ୍ୟୁର୍ମା ଅମୃତଂଗମୟ ।।
ସମସ୍ତ ଗୁରୁଜନମାନଙ୍କୁ ମୋର ଓ ମୋ ପରିବାରର ପ୍ରଣାମ ଓ ସମସ୍ତଙ୍କୁ ଯଥାମାନ୍ୟ । ଦୀପାବଳୀର ଶୁଭେଚ୍ଛା ।
