Shanti Mishra

Tragedy

4  

Shanti Mishra

Tragedy

ଦି ମୁଠା ଚୁଡି

ଦି ମୁଠା ଚୁଡି

5 mins
385



ବୋଉର ଚିଠିଟି ଓଡିଆରେ ଲେଖା ହୋଇଥିଲା l ଓଡିଆ ସେ ସେତେ ଭଲ ଭାବେ ପଢି ଜାଣେନି ସତ କିନ୍ତୁ ବୋଉର ଚିଠିଟି ପଢିବାରେ ତାକୁ ସେପରି ବିଶେଷ କିଛି କଷ୍ଟ ହେଲା ନହିଁ l ପିଲାବେଳେ ସେ ବୋଉ କୋଳରେ ବସି ଓଡିଆ ଭାଷାର ଅ, ଆ, ସବୁ ଶିଖିଥିଲା l ଏବେବି ତାର ମନେ ଅଛି l ବୋଉ ତାକୁ ବାଇଚଢେଇ ଗୀତ, ଟୁଆଁ ଟୁଇଁ ଗପ, ଚକୁଳିଆ ପଣ୍ଡା ଗପ, କୁଆଁର ପୁନେଇଁ ଗୀତ ପ୍ରଭୃତି ଗୋଟେ ଖାତାରେ ଲେଖିକି ତାକୁ ସବୁଦିନ ପଢେଇ ଦିଏ l ଖାତାର ମଲାଟ ଉପରେ କେତେ ପ୍ରକାର ଚିତ୍ର ବି ଆଙ୍କି ଥାଏ l ବିଭିନ୍ନ ପ୍ରକାର ଫୁଲ କଇଁ, ଗୋଲାପ, ମଲ୍ଲୀ, ଜହ୍ନ, ନଈ, ପାହାଡ, ନଡିଆ ଗଛ ପ୍ରଭୃତି l ସେତେବେଳେ ସେମାନଙ୍କ ପାଖରେ କୌଣସି ପ୍ରକାର ଓଡିଆ ବହି ନଥିଲା l ତେଣୁ ଏପରି ଭାବେ ବୋଉ ବହି ହାତରେ ତିଆରି କରି ତାକୁ ପଢେଇବାକୁ ଚେଷ୍ଟା କରୁଥିଲା l

ଦିନେ ବାପାଙ୍କ ଆଖିରେ ପଡିଗଲା ସେ ବହି, ଯେତେବେଳେ ବୋଉ ତାକୁ ପଢୋଉଥିଲା ବସି l ବାପା ହଠାତ ଆସି ସେ ବହିଟି ତା ହାତରୁ ଛଡେଇ ନେଇ ଫୋପାଡି ଦେଲେ l ଏ ପାଠ ପଢି ସେ କଣ କରିବ ! ନିଜ ମୁଣ୍ଡରେ ତ ଗୋବର ଅଛି ତା ମୁଣ୍ଡରେ ବି ସେଇଆ ଭର୍ତ୍ତି କର l ବୋଉର ଆଖିରେ ସେଦିନ ସେ ଲୁହ ଦେଖିଥିଲା l ବୋଉ ହୁଏତ ଆଗରୁ ଅନେକ ଥର କାନ୍ଦିଥିବ କିନ୍ତୁ ସେ କେବେ ଦେଖି ନଥିଲା l ସେ ଆଖି ସେ ଲୁହ ତାର ଏବେ ବି ମନେ ଅଛି l ତାକୁ ସେତେବେଳେ ପାଞ୍ଚ ବର୍ଷ ହୋଇଥିଲା l କେ:ଜି. ରେ ପାଠ ପଢା ଆରମ୍ଭ କରିଥିଲା l

ପରେ “ବିଜେତା” ଯାଇ ସେ ବହିଟି ଗାରବେଜ୍ କ୍ୟାନରୁ ଉଠେଇ ଆଣି ତା ସ୍କୁଲ ବ୍ୟାଗ ଭିତରେ ଲୁଚେଇ ରଖି ଦେଇଥିଲା l ବାପା ଘରେ ନଥିଲା ବେଳେ ଲୁଚେଇ କରି ପଢିବାକୁ ଚେଷ୍ଟା କରେ l ବୋଉକୁ କହେ ତାକୁ ପଢେଇ ଶିଖେଇବାକୁ l ବୋଉ ବାପାଙ୍କୁ ବହୁତ ଡରୁଥିଲା l ସେତିକି ଯାହା ସେ ଓଡିଆ ଶିଖିଥିଲା l ସେତିକି ଶିକ୍ଷାକୁ ମାଧ୍ୟମ କରି ସେ ଆଜି ବୋଉର ଚିଠିଟି ପଢିବାରେ ସକ୍ଷମ ହୋଇଗଲା l ତିନି ପୃଷ୍ଠାର ଚିଠିଟି ପଢିବାକୁ ତାକୁ ବେଶ୍ କିଛି ସମୟ ଲାଗିଗଲା କିନ୍ତୁ ସେ ସବୁ ପଢି ବୁଝିଗଲା l

ବିଜେତାକୁ ସାତ ବର୍ଷ ବୟସରେ ବୋଉ ଚାଲିଗଲା l କିନ୍ତୁ କୁଆଡେ ଗଲା କେହି ତାକୁ ବୁଝେଇଲେନି l ବାରମ୍ବାର ବାପାଙ୍କୁ ସେହି ଏକା ପ୍ରଶ୍ନ କରିବାରେ ସେ ରାଗିକି କୁହନ୍ତି “ସେ ମରିଗଲା l ତୁ ମରିଗଲୁନି କାହିଁ ତା ସାଥିରେ l ହୁଏତ ତୁ ମରି ଯାଇଥିଲେ ମୋ ରାସ୍ତା ସଫା ହୋଇ ଯାଇଥାନ୍ତା l” ଏତେ କଥା ସେ ବାପାଙ୍କର ସେତେବେଳେ କିଛି ବୁଝୁ ନଥିଲା l କିନ୍ତୁ ବୋଉର ଅଭାବ ସେ ବେଶ୍ ଅନୁଭବ କରି ଏକା ଏକା ବସି ଅନେକ ଥର କାନ୍ଦିଥିବାର ତାର ମନେ ଅଛି l

ତାପରେ ବାପା ତାକୁ ଭାରତକୁ ଏକ ବୋଡିଙ୍ଗ ସ୍କୁଲକୁ ପଠେଇ ଦେଇ ନିଜେ ଅନ୍ୟତ୍ର ବିବାହ କରିଥିଲେ l ବିଜେତାକୁ ଯେତେବେଳେ ଷୋହଳ ବର୍ଷ ବୟସ ସେ ନୂଆ ମାଆ ବି କ୍ୟାନସରରେ ମରିଗଲା l ସେ ଥରେ ମାତ୍ର ସେ ନୂଆ ମାଆକୁ ଦେଖିଥିଲା l ବିଜେତାକୁ ଯେତେବେଳେ ବାର ବର୍ଷ ହୋଇ ଥିଲା ବାପା ଭାରତକୁ ଯାଇ ତାକୁ ଥରେ ନେଇ ଆସିଥିଲେ କିନ୍ତୁ ସେ ସେଇ ନୂଆ ମାଆକୁ ମୋଟେ ଭଲ ପାଇ ପାରିଲାନି ସବୁଦିନ ତା ସହିତ ଝଗଡା ହେଲା ପରେ ବାପା ପୁଣି ତାକୁ ନେଇ ଭାରତର ଦିଲ୍ଲୀ ସହରରେ ଥିବା ବୋର୍ଡ଼ିଂ ସ୍କୁଲରେ ଛାଡି ଦେଇ ଆସିଥିଲେ l କିନ୍ତୁ ଏବେ ବାପାଙ୍କର ଦ୍ଵିତୀୟ ପତ୍ନୀ ଚାଲିଗଲା ପରେ ତାପରେ ବାପା ଏକୁଟିଆ ହୋଇଗଲେ l ତାକୁ ଭାରତରୁ ନେଇ ଆସି ଆମେରିକାରେ ପାଠ ପଢେଇଲେ l ଦ୍ଵିତୀୟ ବିବାହରେ ସେମାନେ ନିଃସନ୍ତାନ ଥିଲେ l

ସ୍କୁଲରୁ କଲେଜ ଯିବା ପୂର୍ବରୁ ସେ ଦୁଇ ବର୍ଷ ଘରେ ରହିଥିଲା ବାପାଙ୍କ ପାଖରେ l ବାପାଙ୍କର ସେଇ କ୍ରୋଧାନ୍ଵିତ ମୂର୍ତ୍ତି ତା ଆଖି ଆଗରେ ଥିଲେ ବି ଏବେ ସେ କିନ୍ତୁ ବହୁତ ବଦଳି ଯାଇଛନ୍ତି l ବହୁତ ସ୍ନେହ ଆଦରରେ କଥାବାର୍ତ୍ତା କରୁଛନ୍ତି l କିନ୍ତୁ ତା ମନରୁ ତାଙ୍କର ପୂର୍ବ ରୂପ ବୋଉ ଆଖିରେ ଲୁହ ସେ କେବେ ଭୁଲି ପାରୁନଥିଲା l ସେତେବେଳେ ସେ ଯାହା ବୁଝି ନଥିଲା ଏବେ ସବୁ ବୁଝି ପାରୁଛି l ତେଣୁ ବାପାଙ୍କୁ ସେ ଦୟା କରୁଛି କିନ୍ତୁ କ୍ଷମା କରି ପାରୁନି l ବୋଉ ଯେ ତାଙ୍କରି ଯୋଗୁ ମରିଥିବ ଦୁଃଖରେ ସେ ଏବେ ଅନୁମାନ କରି ପାରୁଛି l

ସେଇ ଦୁଇ ବର୍ଷ ଭିତରେ ସେ ଘରେ ରହିବା ଭିତରେ ଥରେ ବୁଲୁ ବୁଲୁ ବେସମେଣ୍ଟ ଘରକୁ ଚାଲି ଯାଇଥିଲା ସେଠାରେ ଗୁଡାଏ ଅନାବଶ୍ୟକ ଜିନିଷ ରହିଥିଲା l ସେ ତା ଭିତରକୁ କେବେ ଯାଏନା ଏମିତି ଅନ୍ୟମନସ୍କ ଭାବେ ଘର ସାରା ବୁଲୁ ବୁଲୁ ସେଠାକୁ ଚାଲିଗଲା l ହଠାତ ତା ଇୟରିଙ୍ଗଟି ସେଇଠି ଖସି ପଡିଲା ତଳେ l ସେଇଟା ତାର ଅତି ପ୍ରିୟ ଇୟରିଙ୍ଗ ଥିଲା l ତାକୁ ରବର୍ଟ ଦେଇଥିଲା ତା ଜନ୍ମଦିନରେ ଉପହର l ଇୟରିଙ୍ଗଟି ଖୋଜୁ ଖୋଜୁ ସେ ଏକ ଅଦ୍ଭୁତ ଦେଖା ଯାଉଥିବା ଛୋଟ ବାକ୍ସଟିଏ ପାଇଲା ସେ ବାକ୍ସରେ ତାଲାଟିଏ ଲାଗିଥିଲା ସତ କିନ୍ତୁ ସେଇଟା ଖୋଲା ଥିଲା l କୌତୂହଳବଶତଃ ଖୋଲି ଦେଖିଲା l ଦେଖି ଅବାକରେ କିଛି ସମୟ ଗୁମ୍ ହୋଇ ରହିଗଲା l ବାକ୍ସଟି ବୋଉର l ଓଡିଶାରୁ ଆମେରିକା ଆସିଲା ବେଳେ ବୋଧେ ସାଙ୍ଗରେ ଆଣିଥିଲା l ସେ ବାକ୍ସ ଭିତରେ ବୋଉର କିଛି ପ୍ରିୟ ଜିନିଷ l ଦି ମୁଠା କାଚ ଚୁଡି, ସିନ୍ଦୂର ଡବାଟିଏ, ଦୁଇଟି ଶାଢୀ, ହଳେ ପାଉଁଜି, ହଳେ ଗୋଡ ମୁଦି l ଆଉ ଗୋଟିଏ ତିନି ପୃଷ୍ଠାର ଚିଠି l

ସେଥିରେ ଲେଖା ଥିଲା “ତୁ ଏ ଚିଠି ପାଇବୁ କି ନାହିଁ ମୁଁ ଜାଣେନା, ପାଇଲେ ପଢି ପାରିବୁ କି ନାହିଁ ତା ବି ମୁଁ ଜାଣେନା l ଯଦିବା କୌଣସି ଉପାୟରେ ପଢି ପାରିବୁ ତେବେ ମୋର ଏଇ ଛୋଟ ଅନୁରୋଧଟିକୁ ରକ୍ଷା କରିବାକୁ ଚେଷ୍ଟା କରିବୁ l ମୁଁ ଭାରତରୁ ଏ ଦେଶକୁ ଆସିଲା ବେଳେ ଏସବୁ ପିନ୍ଧି କରି ଆସିଥିଲି ତାପରେ ତୋ ବାପା ମତେ ଏସବୁ କେବେ ପିନ୍ଧିବାକୁ ଦେଇ ନଥିଲେ l ମଫସଲିଆଣି କହି ବହୁତ ଉପହାସ ମୋର କରୁଥିଲେ l ଏ ସବୁ କିନ୍ତୁ ମୋର ବଡ ପ୍ରିୟ ଜିନିଷ ଥିଲା l ତୁ ବଡ ହୋଇଗଲା ପରେ ଥରେ ଓଡ଼ିଶା ଯାଇ ପୁରୀ ସ୍ଵର୍ଗଦ୍ଵାରରେ ଏସବୁ ମୋ ପାଇଁ ଦାହ କରିଦବୁ l ତେବେ ଯାଇ ମତେ ଲାଗିବ ସ୍ଵର୍ଗଦ୍ଵାରରେ ମୋ ଶବ ଦାହ ହେଲା ବୋଲି l ତୋ ହାତରେ ତର୍ପଣ କରି ମୋ ଆତ୍ମାକୁ ଶାନ୍ତି ଦବୁ l ସେ ପର୍ଯ୍ୟନ୍ତ ଏ ଆତ୍ମା ଏ ସଂସାରରେ ଅମୋକ୍ଷ ହୋଇ ବୁଲୁ ଥିବ l”

“ତୋ ବାପ ପାଖରେ ଏ ସବୁର କିଛି ମାନେ ନାହିଁ କିନ୍ତୁ ତୋ ପାଖେ ଥିବ ବୋଲି ଆଶା ରଖୁଛି l ମୁଁ ବିଶେଷ ପାଠ ପଢି ନଥିଲି l ତୋ ବାପା ଟଙ୍କା ଲୋଭରେ ମତେ ବିବାହ କରିଥିଲେ l ଏ ଦେଶକୁ ଆସିବା ପରେ ମତେ ମାନସିକ ନିର୍ଯ୍ୟାତନା ଯଥେଷ୍ଟ ଦେଇଥିଲେ l ତୋ ମୁହଁକୁ ଚାହିଁ ପଡି ରହିଥିଲି l ଏବେ ମୋର ହାର୍ଟରେ ସମସ୍ୟା ଯୋଗୁ ମୁଁ ବେଶୀ ଦିନ ବଞ୍ଚିବିନି ଡାକ୍ତର କହି ଦେଇଛନ୍ତି l ତତେ ତୋ ଭାଗ୍ୟ ଜିମାରେ ଛାଡିକି ଯିବି l” ଲୁହରେ ଭିଜି ଯାଇଥିଲା ବିଜେତାର ଆଖି l ସେ ବି ଏ ସବୁରେ ବିଶ୍ଵାସ କରେକି ନାହିଁ ତାକୁ ଠିକରେ ଜଣା ନାହିଁ l କିନ୍ତୁ ବୋଉ ବିଶ୍ଵାସ କରେ l ଆଉ ବୋଉର ବିଶ୍ଵାସକୁ ସେ ସମ୍ମାନ କରେ l ସେଦିନଠୁ ବୋଉର ବାକ୍ସଟି ତା ପାଖରେ l ବୋଉର ହାତ ଲେଖା ଖାତାକୁ ଏ ଯାଏ ବି ବିଜେତା ସାଇତି ରଖିଛି l ସେ ମୁହଁ, ସେ ଲୁହକୁ ସେ କେବେ ଭୁଲି ପାରେନା l

ଆଜି ତାର କଲେଜ ସରିଲା l ବାପାଙ୍କୁ ଶୁଣେଇଦେଲା “ସେ ଓଡ଼ିଶା ବୁଲି ଯିବାକୁ ଚାହେଁ l”

“ଓଡ଼ିଶା କାହିଁକି ? ଯଦି ଆଉ କୋଉଠିକୁ ବୁଲି ଯିବାକୁ ଚାହୁଁ କହ l ମୁଁ ଯିବାର ସବୁ ବନ୍ଦୋବସ୍ତ କରିଦେବି l”

“ନା ମୁଁ ଓଡ଼ିଶା ହିଁ ଯିବି ଏବଂ ମୋ ନିଜ ଟଙ୍କାରେ ଯିବି l” ସେ କଲେଜରେ ପଢିଲା ବେଳେ ପାର୍ଟ ଟାଇମ କାମ ବି କରୁଥିଲା l ତେଣୁ ତା ପାଖରେ ଯଥେଷ୍ଟ ଟଙ୍କା ଅଛି ଓଡ଼ିଶା ଯାଇ ବୋଉର କାମ ସାରି ଫେରି ପାରିଲା ପରି l

ବାପାଙ୍କର କୌଣସି କଥାର ଉତ୍ତର ବିଶେଷ ନଦେଇ ସେ ଓଡ଼ିଶା ଆସି ପୁରୀ ଯାଇ ସ୍ଵର୍ଗଦ୍ଵାରରେ ଜଣେ ପୂଜାରୀ ବ୍ରାହ୍ମଣଙ୍କ ସଙ୍ଗେ କଥା ବାର୍ତ୍ତା କରି ବିଧି ପୂର୍ବକ ସବୁ ରୀତି ନିୟମ ସହିତ ସେ ବୋଉର ସବୁ ଜିନିଷକୁ ଦାହ କରି ସାରିଲା ପରେ ସମୁଦ୍ରରେ କିଛି ଭସ୍ମ ଭସେଇ ଦେଇଥିଲା l ଦୀର୍ଘ ଚାରି ବର୍ଷ ହେବ ଏ ବୋଝକୁ ଛାତିରେ ଧରି ସେ ବୁଲୁଥିଲା l ଆଜି ବୋଉର ଆତ୍ମାକୁ ଶାନ୍ତି ଦେଇଥିବ ବୋଲି ତାର ମନେ ହୁଏ l ବୋଉର ଗୋଟିଏ ଫଟୋ ବି ସେ ବାକ୍ସ ଭିତରେ ଥିଲା କିନ୍ତୁ ତାକୁ ସେ ଦାହ କରି ପାରିଲାନି l ଏ ତାର ବହଳ ସ୍ମତିର ଏକ ଅଂଶ ଏହାକୁ କେହି ଦାହ କରିପାରିବେନି ନା ନିଆଁ ଦାହ କରି ପାରିବ ନା ପାଣି ଏହାକୁ ବୁଡେଇ ପାରିବ l ବୋଉର ଏ ଅମର ଆତ୍ମା ତା ପାଖରେ ଚିର ଦିନ ରହିବ ଶେଷ ସ୍ମୃତି ହୋଇ l



Rate this content
Log in

Similar oriya story from Tragedy