Satyabati Swain

Tragedy

4  

Satyabati Swain

Tragedy

ଧୂଆଁ

ଧୂଆଁ

5 mins
23.5K


ଧୂଆଁ


ପ୍ରତି ବର୍ଷ ମେ ଏକ ତାରିଖରେ ମା ଟିକେ ଅନ୍ୟ ଦିନ ଅପେକ୍ଷା ଅଧିକ ଚଞ୍ଚଳ ହୋଇ ଉଠେ।ଶୀଘ୍ର ଉଠେ।ଘର ଧୁଆ ଧୋଇ କରେ।ଗାଧୁଆ ପାଧୁଆ ସାରି ବାପାଙ୍କୁ ପୂଜେ ଆଗ।ତାପରେ ଠାକୁର ପୂଜେ।


ଏହା ପୂର୍ବଦିନ ମୋତେ କୁହେ," ଅମୁ ବାସ୍ନା ଧୂପ,କର୍ପୂର ମାଳ, ଧୂପ ଦାନୀ,ଦୀପ,ନାନା ପ୍ରକାର ଫୁଲ ସହ ତିରିଶି ଟଙ୍କିଆ ରସ ଗୋଲା ଦିଟା ଆଣିବୁ।" ସେ ଦିଟା ରସ ଗୋଲାରୁ ଗୋଟେ ବାପାଙ୍କର ଓ ଅନ୍ୟଟି ମୋର। ମେ ଏକରେ ବାପାଙ୍କ ଘରେ ସକାଳୁ ପଶିବ ଯେ ଦିନ ଦଶଟା ହେବ।କଣ ଗୁଣୁ ଗୁଣୁ ହେଉଥିବ।କଥା ବି ହେଉଥିବ କାହା ସହ ହେଲା ପରି।ଶେଷରେ ମୋତେ ଡାକିବ ଆ ମୁଣ୍ଡିଆ ମାରି ଯା।


ତାପରେ ଆମ ଘରେ ଅରୁଆ ଭାତ,ଘିଅ ଛୁଙ୍କ ଡାଲମା,ଖଟା,ଶାଗ ଭଜା କରି ଆମ ସାଇର ସବୁ ଛୁଆଙ୍କୁ ଡାକି ଆଣି ଖୁଆଇବ।ପିଲାଦିନେ ମେ ଏକ ସବୁ ଦିନ ହେଉ ବୋଲି ଲୋଭଟି ମୋତେ ଭାରି ଅପରାଧୀ କରି ଦିଏ ଏବେ ସେ କଥା ଭାବି।।ଯାହା ଟିକେ ବଡ଼ ହେଲା ପରେ ମୁଁ ବୁଝି ନିଜକୁ ଧିକ୍କାର କରିଛି।ମୋ ପାଟି ସୁଖ ପାଇଁ ସତରେ ମୁଁ ପିଲାବେଳେ କଣ ଚାହୁଁଥିଲି ଭାବିଲେ ଭାରି କଷ୍ଟ ଲାଗେ।ମୁଁ ଯେତେବେଳେ କହିଦିଏ, "ମା ମେ ଏକ ସବୁଦିନେ ହେଉ ନାହିଁ ଆମ ଘରେ ଡାଲି ଭାତ ହେବ।"ମା ଟିକେ ମୋ ମୁଣ୍ଡ ଆଉଁସି କାନ୍ଦି ଦିଏ।


ମୁଁ ପୁଣି କୁହେ ମା ଏ ଦିନ ତୁ ବାପାଙ୍କୁ ଏମିତି ପୂଜା କରୁ କାହିଁକି?ସବୁ ନୂଆ ଜିନିଷ ବି ଆଣୁ।ରସ ଗୋଲା କାହିଁକି ଦେଉ,ଅନ୍ୟ କିଛି ମିଠା ନୁହଁ?ମା କୁହେ ବାପା କଣ ସବୁବେଳେ ମଇଳା ପିନ୍ଧୁଥିବେ।ତୋ ବାପା ରସ ଗୋଲା ଖାଇବାକୁ ଖୁବ୍ ଭଲ ପାଆନ୍ତି।ବଜାରର ସବୁଠାରୁ ବଡ଼ ରସଗୋଲା ଆଣନ୍ତି।ଏଣୁ ଯିଏ ଯାହା ଭଲ ପାଏ,ତାଙ୍କୁ ସେଇଆ ଦେବା ତାଙ୍କ ପାଖ ଲୋକର କାମ।


ମା ! ଫଟୋ ବି ପିନ୍ଧନ୍ତି,ଖାଆନ୍ତି ଆମ ପରି?ବାପା କଣ ଠାକୁର?ମା ଲୋ ବାପା ଫଟୋ କାହିଁକି ହେଲେ?


ଏ ପ୍ରଶ୍ନ ଧାର କେତେ ଧାରୁଆ କେଜାଣି ମା ମୋର ସମ୍ଭାଳି ପାରେନାହିଁ।ମୋତେ କୋଳକୁ ଆଉଜାଇ ନେଇ ଭୋ ଭୋ ହୋଇ କାନ୍ଦି ଉଠେ।ମା କାନ୍ଦ ଦେଖି ମୁଁ କିଛି ବୁଝି ନ ପାରିଲେ ବି ଏତିକି ବୁଝେ ମୋ ପ୍ରଶ୍ନ ଆମ ଟିଉସନ୍ ସାରଙ୍କ ପାହାର ଠାରୁ ଭାରି କାଟିଛି ମୋ ମା କୁ।ନ ଲେ କି ମା ମୁଁ ମାଡ଼ ଖାଇ ଯେମିତି କାନ୍ଦେ ସେମିତି କାନ୍ଦନ୍ତା?ନିଜକୁ ଭାରି ବାଧେ।ଛିଃ ମା କୁ କନ୍ଦାଇ ଦେଲି?କଣ ଦରକାର ଥିଲା ଏମିତି ପଚାରିବା।ଏଣୁ ଆଉ କେବେ ପଚାରି ନାହିଁ ମା କୁ ଏ ବିଷୟରେ ବୋଲି ନିଜ ଭିତରେ ସଂକଳ୍ପ ଟିଏ କରେ।


କିନ୍ତୁ କୋମଳ ଜିଜ୍ଞାସାରେ ଜଡ ସଡ଼ ମନ ମୋର ଘୋଳେଇ ଘାଣ୍ଟି ହୁଏ।ଜାଣିବାର ଇପ୍ସା ମୋତେ ଛଟପଟ କରନ୍ତି।ମା ଘରେ ନଥିଲା ବେଳେ ମୁଁ ବାପାଙ୍କ ଫୋଟୋ ପାଖକୁ ଯାଏ।ପଚାରେ ବାପା ତୁମେ ଫୋଟୋ ହେଲ କେମିତି?ସବୁବେଳେ କଣ ସେଇ ଫଟୋରେ ରହିବ?ଆମ ପାଖକୁ କେଉଁ ଦିନ ଆସିବ?ମୁଁ ଯେତେ ଯାହା ପଚାରିଲେ ବି ବାପା ମୋତେ କିଛି କୁହନ୍ତି ନାହିଁ।ହେଲେ ମା ଘଣ୍ଟା ଘଣ୍ଟା ବାପାଙ୍କ ସଙ୍ଗେ କେମିତି କଥା ହୁଏ? ଲାଗେ ବାପା ଯେମିତି ମା ସହ କଥା ହୁଅନ୍ତି।କିନ୍ତୁ ମୋ ସାଙ୍ଗେ କାଇଁ କଥା ହେଉ ନାହାନ୍ତି? ବାପା ମୋ ଉପରେ ରାଗିଛ କି ତୁମ ଘଣ୍ଟା ଟି ଫୋପାଡ଼ି ଭାଙ୍ଗି ଦେଇଥିଲି ବୋଲି।ବାପା ତୁମେ ଫଟୋରୁ ବାହାରି ଆସ; ତୁମ କେଉଁ ଜିନିଷରେ ଆଦୌ ଲାଗିବି ନାହିଁ।ହେଇ ଦେଖ କାନ ଧରୁଛି ।ବସ୍ ଉଠ୍ ହେଉଛି।ଏକ..ଦୁଇ..ତିନି...ଏପରି ଯେତେ କାକୁତି ମିନତି ହେଲେ ବି ବାପା ସେମିତି ଚୁପ୍ ଥାଆନ୍ତି।


ଗୁଡାଏ ଅଡ଼ୁଆ ତଡୁଆ ପ୍ରଶ୍ନ ମୋ ପିଲା ମନକୁ ବିଚଳିତ କରନ୍ତି।ପଚାରି ପାରେନି ମା କୁ।କାଳେ କାନ୍ଦିବ..।ମା କାନ୍ଦିଲେ ମୋତେ ବି କାନ୍ଦ ଲାଗେ।


ଥରେ ମାମୁଁ ଆସିଥିଲେ ଘରକୁ।ମାମୁଁ ଆସିଲେ ମୋର ଖୁସି ଆକାଶ ଛୁଏଁ।ମୋତେ କାଖାନ୍ତି।ଗାଡ଼ିରେ ବସାଇ ବୁଲାନ୍ତି।ମୋ ପାଇଁ ମିଠା,ମିକଶ୍ଚର୍ ଓ ବିସ୍କୁଟ ଆଣନ୍ତି।ଏଣୁ ମାମୁଁ ଆସିବା ଶୁଣିଲେ ମୋ ଗାଣ୍ଡିରେ ଗୋଡ଼ ବାଜେ।ଥରେ ମାମୁ ଘରକୁ ଆସିଥାନ୍ତି।।ମା ମାମୁଁ 

ପାଇଁ ରୋଷେଇ କରୁଥାଏ।ମାମୁଁ ମୋତେ କେତେ କଣ ପଚାରୁ ଥାଆନ୍ତି।ମୁଁ ଏଇ ମଉକାରେ ମାମୁଁଙ୍କୁ ପଚାରି ଦେଲି ,"ମାମୁଁ! ବାପା ଫୋଟୋରେ ସବୁବେଳେ ରହୁଛନ୍ତି କାହିଁକି?ସେ ଫଟୋରୁ କେଉଁଦିନ ଆସିବେ।ମା ଏ କଥା ପଚାରିଲେ କାନ୍ଦେ କାହିଁକି?ମାମୁଁ ମା ପରି କୌଣସି କଥା ଲୁଚାନ୍ତି ନାହିଁ କି ଭୁଲେଇ ଦିଅନ୍ତି ନାହିଁ।


ସେ ମୋତେ ତାଙ୍କ କୋଳକୁ ନେଇ ଚୁମା ଟିଏ ଦେଇ କହିଲେ ଶୁଣ୍ ;ମା କୁ ଏ ବିଷୟରେ କେଉଁ ଦିନ କିଛି ପଚାରିବୁ ନାହିଁ।କାହିଁକି ନା ତୋ ବାପା ଫଟୋରୁ ଆଉ କେବେ ବି ଆସିବେ ନାହିଁ।ଯେଉଁ ଲୋକର ଫଟୋରେ କର୍ପୂର ମାଳ ଚଢା ଯାଏ ସେ ଲୋକ ମରି ଯାଇଥାନ୍ତି।ବଂଚିଲା ଲୋକ ଫଟୋରେ କର୍ପୂର ମାଳ ଦିଆ ଯାଏନି କି ପୂଜା ହୁଏନି।ଲୋକେ ମରି ଗଲେ ଏମିତି କରାଯାଏ।


ମରିଗଲେ?ଆମ ଗାଁ ରାମୁ କାକା ଯେମିତି ମରିଗଲେ,ତାକୁ ନେଇ ସେଇ ବଡ ଦଣ୍ଡାରେ ଯେମିତି ପୋଡି ଦେଇ ଆସିଲେ ,ସେଇ ମରିବା?


ହଁ ଅମୁ।ମଣିଷ ମଲେ ଆଇ ଫେରନ୍ତି ନାହିଁ।


ମଣିଷ ମରନ୍ତି କାହିଁକି ମାମୁଁ?


ଠାକୁର ଭଲ ପାଇ ତାଙ୍କ ପାଖକୁ ନେଇ ଯାଆନ୍ତି।ତାଙ୍କୁ ଆକାଶର ତାରା କରି ଦିଅନ୍ତି।


ମୁଁ ବି ତାରା ହୋଇଯିବି?


ମୋ ପାଟିରେ ମାମୁଁ ହାତ ଦେଇ କହିଲେ ନାଇଁ ଧନ ଏମିତି କଥା କୁହନ୍ତି ନାହିଁ।ଈଶ୍ୱର ତୋତେ କୋଟି ପରମାୟୁ ଦେଇଥାନ୍ତୁ।ମୋ ଅପାର ଭାରି ଦୁଃଖ। ତୋ ମୁହଁକୁ ଚାହିଁ ସେ ବଞ୍ଚିଛି ଯାହା।


ମୁଁ ନିରୀହ କିନ୍ତୁ ଅବୁଝା ଆଖିରେ କୁହେ ନାଇଁ କହିବି ନାହିଁ।ଏଇ ତକ ବୁଝି ଯାଏ ଯେ ମରିବା କଥା ଟା ଖରାପ କଥା ଟିଏ।


ଆଛା ମାମୁଁ ବାପା କେମିତି ମଲେ?ରାମୁ କାକାକୁ କଣ ଗୋଟିଏ ରୋଗ ହୋଇଥିଲା ଭଲ ହେଲେନି ମରିଗଲେ।ମୋ ବାପାଙ୍କୁ କଣ ସେମିତି ରୋଗ ହୋଇଥିଲା?


ମାମୁଁ ଦୀର୍ଘଶ୍ଵାସ ମାରି କହିଲେ ନାଇଁ ତୋ ବାପାକୁ "ଧୂଆଁ" ମାରିଦେଲା।


ଧୂଆଁ?ଧୂଆଁର କଣ ହାତ ଗୋଡ଼ ଅଛି?ସେ କଣ ପିଟି ପିଟି ମାରିଦିଏ?


ହାତ ଗୋଡ଼ ତାର ଦେଖା ଯାଏନି ,କିନ୍ତୁ "ପ୍ରଦୂଷଣ ଧୂଆଁ' କୋଟି କୋଟି ଜୀବନ ନେଇ ପାରେ।


କେମିତି ମାମୁଁ?


ତୁ ବଡ଼ ହେଲେ,ବହୁତ ପଢିଲେ ଜାଣିବୁ।


ମାମୁଁ ମୁଁ ବଡ଼ କେଉଁଦିନ ହେବି?


ଯେଉଁଦିନ ଧୂଆଁ ମଣିଷଙ୍କୁ କେମିତି ମାରେ ବୁଝି ପାରିବୁ।


ଆଉ କଣ ପଚାରିବାକୁ ଯାଉଥିଲି ମା ଡାକିଲା,ଅମୁ ମାମୁଁଙ୍କୁ ନେଇ କି ଆ ରୋଷେଇ ସରିଲାଣି ଖାଇବ।


ମାମୁଁ ଗଲା ପରେ ପ୍ରତି ରାତିରେ ଆକାଶକୁ ବହୁ ସମୟ ଅନେଇଁଛି କେଉଁ ତାରାଟି ମୋ ବାପା ବୋଲି।ଆଜି ଯାଏ ବି ଚିହ୍ନି ପାରି ନାହିଁ କେଉଁ ତାରା ମୋ ବାପା।ଚିହ୍ନି କିନ୍ତୁ ପାରି ନାହିଁ ଆକାଶର କେଉଁ ତାରା ମୋ ବାପା।


ମୋର ପଞ୍ଚମ ଶ୍ରେଣୀ ହୋଇଥାଏ।ବିଜ୍ଞାନରେ ପଢା ହେଲା ବାୟୁ ପ୍ରଦୂଷଣ।ହୁ ହୁ ହୋଇ ଜନ ସଂଖ୍ୟା ବଢି ଲାରୁ ଗାଡି ମଟର ବ୍ୟବହାର ବଢୁଛି।ଆବଶ୍ୟକତା ମେଣ୍ଟାଇବା ପାଇଁ କଳକାରଖାନା ଗଢି ଉଠୁଛି।ଏଣୁ ଗାଡି ମଟର ଓ କଳକାରଖାନା ନିର୍ଗତ ଧୂଆଁ ବାୟୁ ମଣ୍ଡଳକୁ ଦୂଷିତ କରୁଛି।ଏହି ଦୂଷିତ ବାୟୁକୁ ଶ୍ବାସକ୍ରିୟାରେ ନେଇ ମଣିଷ ବିଭିନ୍ନ ରୋଗରେ ପଡୁଛନ୍ତି।ବିଶେଷତଃ ଶ୍ବାସ ରୋଗରେ ଫୁସଫୁସ ଆକ୍ରାନ୍ତ ହୋଇ ପ୍ରତି ଦିନ ହଜାର ହଜାର ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି।


ଏଇ ଧୂଆଁ ପାଇଁ ମୋ ବାପା ମରିଥିଲେ କି ସାର୍ ମୁଁ ଧଡ୍ କରି ଉଠି ଠିଆ ହୋଇ ପଚାରିଲି।ସାର୍ ଆମ ଗାଁ ପାଖ ଲୋକ।ପୁଣି ମୋ ବାପାଙ୍କ ସାଙ୍ଗ ବୋଲି ମା କୁହେ।


ସାର୍ ସ୍ୱର ଧିମା କରି କହିଲେ ହଁ ରେ ଅମୀୟ।ତୋ ବାପା ସୁରଟ ରେ ଗୋଟିଏ କାରଖାନାରେ କାମ କରୁଥିଲେ।ଚିମିନି ପାଖରେ ତାର ଡିୟୁଟି ଥିଲା।ପ୍ରତିଦିନ ଅତ୍ୟଧିକ ଧୂଆଁ ଶ୍ବାସକ୍ରିୟାରେ ନେବା କାରଣରୁ ତୋ ବାପାଙ୍କ ଫୁସଫୁସରେ କଣା ହୋଇଗଲା ଓ ସେଇ କାରଣରୁ ତୋ ବାପା ମଲେ ବୋଲି ଡାକ୍ତର କହିଥିଲେ।


ସାର୍ ଏ "ଧୂଆଁ "ଏତେ ମାରାତ୍ମକ ଯେ ମଣିଷଙ୍କୁ ମାରି ଦେଉଛି?


ହଁ ଖାଲି ମଣିଷଙ୍କୁ ମାରୁନି ବାୟୁ ମଣ୍ଡଳ ଦୂଷିତ ହୋଇ ରୋଗ ସହ ଅନେକ ପ୍ରାକୃତିକ ବିପର୍ଯ୍ୟୟ ବି ହେଉଛି।କଳକାରଖାନା ହେଉ କି ବିଭିନ୍ନ ମଟର ଚାଳିତ ଯାନ ଧୂଆଁ,ବିଟି,ସିଗେରେଟ୍ ଧୂଆଁ ବି ଖୁବ୍ ଖୁବ୍ ମାରାତ୍ମକ।କାଲି ଆମେ ବାୟୁ ପ୍ରଦୂଷଣ ହେଲେ ଆମର କଣ କ୍ଷତି ହୁଏ ପଢିବା।ମୁଁ ବୁଝି ଗଲି ମାମୁଁ କାହିଁକି କହୁଁଥିଲେ "ଧୂଆଁ" ଯୋଗୁଁ ମୋ ବାପା ମରିଛନ୍ତି ବୋଲି।ମା ବି କୁହେ ବାପା ଲୁହା ତରଳା କଳରେ ସୁରଟ ରେ କାମ କରୁଥିଲେ।ସେବେଠାରୁ ବାପାଙ୍କ ବିଷୟରେ ମାକୁ କିଛି ପଚାରି ନାହିଁ।


ଆଜି ବି ମେ ଏକ ତାରିଖ। ଆଜକୁ ପନ୍ଦର ବର୍ଷ ହେଲା ମୁଁ ଦେଖୁଛି ମା ପ୍ରତି ବର୍ଷ ମେ ଏକ ତାରିଖରେ ବାପାଙ୍କ ଫଟୋକୁ ଘଷି ମାଜି ପୋଛି ଚିକି ଚିକି କରିଦିଏ।କର୍ପୂର ମାଳ ଚଢାଏ।ରସ ଗୋଲା ଭୋଗ କରେ।ଆମ ଘରେ ଭୋଜି ବି ହୁଏ।ମୁଁ କିନ୍ତୁ ଛୁଆ ଦିନ ପରି ନା ରସଗୋଲା ଖାଇବାକୁ ଇଚ୍ଛା କରେ ନା ଭୋଜି ଭାତ ହେଉଛି ବୋଲି ଖୁସି ହୁଏ।


କାହିଁକି ନା ମୁଁ ଏବେ ବୁଝି ସାରିଛି ଏଇ ଦିନ "ଧୂଆଁ" ମୋ ବାପାଙ୍କ ଜୀବନ ନେଇଥିଲା।ମୋ ବାପାଙ୍କ ଶ୍ରାଦ୍ଧ ଦିନ ଏ।ବାପା ମୁହଁ ମନେ ପଡୁନି ମୋର କିନ୍ତୁ ମୁଁ ତୁମକୁ ବହୁତ ଖୋଜୁଛି ଏବେ ବାପା।



Rate this content
Log in

Similar oriya story from Tragedy