ଧର୍ମପତ୍ନୀ
ଧର୍ମପତ୍ନୀ


ଆତ୍ମୀୟ ସ୍ୱଜନ ସମସ୍ତଙ୍କ ଠୁ ନିରାଶ ହେବା ପରେ ବୁଢ଼ା ବୁଢ଼ୀ ଦୁଇ ଜଣ ଭିକ ମାଗି ଚଳୁଥିଲେ।
ଦୁର୍ଯ୍ୟୋଗକୁ ସଡ଼କ ଦୁର୍ଘଟଣାରେ ବୁଢ଼ାର ଗୋଡ଼ ହାଡ଼ ଫାଟି ଗଲା । ପରେ କିଛି ସହୃଦୟ ଲୋକମାନଙ୍କ ସାହାଯ୍ୟରେ ଅସ୍ତ୍ରୋପଚାର ହେଲା ସତ ହେଲେ ବୁଢ଼ା ଆଉ ତା ଡାହାଣ ଗୋଡ ଆଣ୍ଠୁ ପାଖରୁ ଭାଙ୍ଗି ପାରୁନି ।
ଏଠୁ ସେଠିକି ଯିବାକୁ ହେଲେ ଘୁସୁରି ଘୁସୁରି ଯାଏ ।
ବୁଢ଼ା ବୁଢ଼ୀର ପାଖେ ପାଖେ ଥାଏ । ତାର ଗୁହ ମୁତ ଖାଇବା ପିଇବା ଶୋଇବା ଉଠିବା ବସିବା ସବୁ ବୁଝେ । ବୁଢ଼ାକୁ ରାସ୍ତା କଡ ଗଛ ମୂଳେ କି କୋଉ ଘର ପିଣ୍ଡାରେ ବସେଇ ଦେଇ ବୁଢ଼ୀ ଯାଏ ଘର ଘର , ଦୋକାନ ଦୋକାନ ବୁଲି ହାତ ପତାଏ । ଯାହା ଦିପଇସା ପାଏ ସେଥିରେ ଦୁହେଁ ଓଳିଏ ଖାଇ ଓଳିଏ ଓପାସ ରହି ଖୁସିରେ ନହେଲେ ବି ଦୁଃଖରେ ଚଳିଯାନ୍ତି ।
ଆଜି କିନ୍ତୁ କିଛି ନୂଆ କଥା ଘଟିଛି । ବୁଢ଼ାକୁ ରାସ୍ତା କଡ ଗଛ ମୂଳେ ବସେଇ ଦେଇ ବୁଢ଼ୀ ସେଇ ପାଖ ଦୋକାନକୁ ଯାଇଥିଲା ମାଗିବାକୁ । ସେ ଦୋକାନୀ ଜଣକ ବୁଢ଼ୀକୁ ଏମିତି ଛିଛାକର କରି କହିଲା ଯେ ବୁଢ଼ୀର ଦରମଲା ଆଖିରେ ବି ଲୁହ ଆସିଗଲା । ବୁଢ଼ା ଦେଖି ଶୁଣି ତାକୁ ଏକଥା ବହୁତ ବାଧିଲା ।ଗୋଟେ ଟ୍ରକ୍ ଦୃତ ଗତିରେ ଆସୁଥିବା ଦେଖି ବୁଢ଼ା ବସିଥିବା ଯାଗାରୁ ଘୁସୁରି ଘୁସୁରି ରାସ୍ତା ମଝିକୁ ଚାଲିଗଲା ।
ବୁଢ଼ୀ ସ୍ୟାଡୁ ଦୈାଡି ଦୈାଡି ଆସି ବୁଢ଼ାକୁ ଟେକି ଟେକି ନେଇ ଗଛ ମୂଳେ ବସେଇ ଦେଲା ।
-- " କ'ଣ ମରିବୁ ନା କ'ଣ ? ରାସ୍ତାରେ ଗାଡ଼ି ମୋଟର କେତେ ଯୋରେ ସବୁ ଯାଉଛି ଦେଖା ଯାଉନି କି ତୋତେ ? "
ବୁଢ଼ୀ କଥା ଶୁଣି ବୁଢ଼ା ଲୁହ ଭରା ଆଖିରେ ବୁଢୀ ମୁହଁକୁ କିଛି ସମୟ ଚାହିଁଲା ତାପରେ କହିଲା
-- " ମୁଁ ତ ଚାହୁଁଛି ସେଇଆ । ଭଲ ହେଇଥାନ୍ତା ମୁଁ ମରି ଯାଇଥିଲେ । ଦିଜଣ ମୁକ୍ତି ପାଇ ଯାଇଥାନ୍ତେ ମୁଁ ଏ ସଂସାର ରୁ ଆଉ ତୁ ଏ ଦହଗଞ୍ଜ ହିନିମାନ ରୁ ।"
ଖାଦ୍ୟ ପୁଡିଆ ଖୋଲି ବୁଢାକୁ ଖୋଇ ଦଉ ଦଉ ବୁଢୀ କହିଲା ,
-- " କାଇଁ ସେ ନିଆଁ ଲଗା କଥା ଗୁଡା କହୁଛୁ ? ମୋ ପାଖରେ ସିନା ପିନ୍ଧି ବାକୁ ସିନ୍ଦୂର ନାହିଁ , ହାତ ପାଇଁ ଚୂଡି ନାହିଁ ହେଲେ ମୋ ଶେଷ ନିଶ୍ୱାସ ଥିବା ଯାଏ ତୋ ପାଇଁ ଏମିତି ମୁଁ ଦହଗଞ୍ଜ ହେଉଥିବି । ତୁ କେମିତି ବୁଝିବୁ ଯେ ଏଇ ଦହଗଞ୍ଜ ଟିକକ ପାଇଁ ତ ମୁଁ ଶାନ୍ତିରେ ଟିକିଏ ଶୋଇ ପାରୁଛି । "