ଧୋ’ରେ ବାଇଆ ଧୋ’
ଧୋ’ରେ ବାଇଆ ଧୋ’
ଉଦୁଉଦିଆ ଖରାବେଳ । ଅସହ୍ୟ ତାତି । ତୁହାକୁ ତୁହା ଝାଞ୍ଜି ବହିବାରେ ଲାଗିଛି । ଗାଁ ଶେଷରେ ଆକାଶକୁ ମୁଣ୍ଡ ଟେକି ଠିଆହୋଇଥିବା ଝଙ୍କାଳିଆ ବରଗଛ ମୂଳେ ପାଗେଳୀଟା ରବର କଣ୍ଢେଇକୁ ନିଜର ଝିଅ ଭାବି “ଧୋ’ ରେ ବାଇଆ ଧୋ’ ...” ଗୀତ ଗାଇ ଶୁଆଉଥାଏ । ବଗୁଲିଆ ଦୁଷ୍ଟ ପିଲାମାନେ ତା ସହ ଆସି ଲାଗିଲେ ସେ ସଙ୍ଗେ ସଙ୍ଗେ ଖୁବ୍ ଯୋର୍ରେ ରାଗିଯାଇ, ଚିଡିଉଠି, ଖତେଇ ହୋଇ, ଗାଳିଗୁଲଚ କରି, ବାଡି ଧରି ସେମାନଙ୍କୁ ମାରିବାକୁ ଗୋଡାଏ । ଭୟରେ ପିଲାମାନେ ଆଖି ପିଛୁଳାକେ ଦୈାଡି ଦୈାଡି ଆସି ଜେଝା ଜେଝାର ଘର କୋଣରେ ଲୁଚିଯାଆନ୍ତି । ବାପମାଆ ତଥା ସାହି-ପଡିଶା ଲୋକେ ସେମାନଙ୍କର ପିଲାମାନଙ୍କୁ ଏଭଳି ବ୍ୟବହାର ନ କରିବାକୁ ଯେତେ ଆକଟ କଲେ ମଧ୍ୟ କିଛି ଲାଭ ହୁଏନି । କାରଣ ସେମାନେ ଛୋଟ ପିଲା । ତାଙ୍କର ଏବେ ଖଡି ଧରିବା, ଦୁଷ୍ଟାମି କରିବା ବୟସ । ସେମାନଙ୍କୁ ଭଲ-ମନ୍ଦ କ’ଣ ବା ଜଣା ?
ଦିନେ ଏଇ ପାଗେଳୀର ଥିଲା ସବୁ କିଛି । ସ୍ୱାମୀ, ତିନି ବର୍ଷର ଗୁଲୁଗୁଲିଆ ଝିଅ ଆଉ ଦେଖିଲା ଭଳି ଚାଳ ଘର ଖଣ୍ଡେ । ଏମିତିକା ଘର ସେ ଗାଁରେ ଆଉ କାହାର ନାହିଁ କହିଲେ ଚଳେ । ଦାଣ୍ଡ ଦୁଆର ମୁହଁର ଦୁଇ ପଟେ ଉଚ୍ଚା ଉଚ୍ଚା ପିଣ୍ଢା, ଡାହାଣ ପଟ ପିଣ୍ଢାକୁ ଲାଗି ତୁଳସୀ ଚଉରା ଓ ଦୁଇ/ଚାରିଟା ଆକାଶିଆ ଦେବଦାରୁ ଗଛ, ଘରର ପଛ ପାଶ୍ୱର୍ରେ ଫୁଲର ବଗିଚା, ତା ପଛକୁ ସାଗୁଆ ପତ୍ରଭରା ଲେଉଟିଆ ଶାଗ ପଟାଳି । ଦେଖିଲେ ସତେ ଯେମିତି ଆଖି ଖୋସି ହୋଇଯିବ । ହେଲେ ବିଚାରିଟା କେଉଁ ଜନ୍ମରେ କି କର୍ମ କରିଥିଲା କେଜାଣି ଦଇବ ସହିଲାନି ତାକୁ । ଶେଷରେ ତା’ର ସେହି ହସ ଖୁସି ଭରା ସୁନାର ସଂସାରଟା ସମୟ ସ୍ରୋତରେ ଭାଙ୍ଗି ଚୁର୍ମାର୍ ହୋଇଯାଇଥିଲା ସେଦିନ ।
ଏଇ ଗାଁ’ର ଶେଷ ମୁଣ୍ଡରେ ତା ଘର । ଡାକ ନାଁ ସୁନୀ । ଘରଦ୍ୱାର ବୋଲି ତା’ର ଆଉ କିଛି ନାହିଁ । ବହୁ ଦିନରୁ ଭାଙ୍ଗିରୁଜି ସବୁ ମାଟିରେ ମିଶି ଗଲାଣି । ସେ ପାଗେଳୀ ହେବା ଦିନ ଠାରୁ ତା’ର ଆଶ୍ରୟସ୍ଥଳ ହେଉଛି ଏଇ ବରଗଛ । ଭୋକ ଲାଗିଲେ ବିଚାରିର ଆଖି ଯାହା ଘର ଉପରେ ପଡେ, ତାଙ୍କ ଘରକୁ ପଶି ଆସି ପେଟରେ ହାତ ବାଡେଇ ଖାଦ୍ୟ ପାଇଁ ନେହୁରା ହୁଏ । ଲୋକେ ତା ବିକଳ ସହି ନ ପାରି ତାକୁ ଗଣ୍ଡାଏ ଗଣ୍ଡାଏ ଖାଇବାକୁ ଦିଅନ୍ତି । ସେଇଥିରେ ସେ ବଂଚିଯାଏ । ଆଜିକୁ ପ୍ରାୟ ସାତ ବର୍ଷ ହେବ ସେ ପାଗେଳୀ । ଏଇ ଗାଁ ଓ ବରଗଛକୁ ଛାଡିଦେଲେ, ତା’ର ଏ ଦୁନିଆରେ ଆଉ ନିଜର ବୋଲି କେହି ନାହାନ୍ତି ।
ସୂର୍ଯ୍ୟଙ୍କ ସୁନେଲି କିରଣ ଚାରିଆଡେ ବିଛାଡି ହୋଇ ପଡିଲାଣି । ସେଦିନ ସକାଳୁ ସକାଳୁ ସୁନୀ ଏକ ଲୟରେ ବସି ରବର କଣ୍ଢେଇର ମୁଣ୍ଡରୁ ଉକୁଣୀ ଦେଖୁଥାଏ । ଗୁଣୁଗୁଣୁ ଗୀତ ଗାଇ ଉକୁଣୀ ଆଣି ମାରୁଥିଲାବେଳେ, ମନକୁ ମନ ସ୍ମିତ ହସି କହେ – “ଏଇଗୁଡା ମୋ ଝିଅ ମୁଣ୍ଡରେ ରହି ରକ୍ତ ପିଇ ପିଇ ଘାଆ କରି ସାରିଲେଣି । ଆଜି ଏମାନଙ୍କୁ ସବୁ ଗୋଟା ଗୋଟା କରି ମାରିବି । ତା ପରେ ଯେଉଁ କଥା ।”ସେତିକିବେଳେ ତରତର ହୋଇ ସାରିଆ ନାନୀ ଗାଧୋଇବାକୁ ପୋଖରୀକୁ ଆସୁଥିବା ସମୟରେ ହଠାତ୍ ତା’ର ଆଖି ପଡିଲା ସୁନୀ ଉପରେ । ସେ ଲୁଗାପଟାସବୁକୁ ହୁଡାରେ ରଖି, ତା ପାଖକୁ ମନ ଦୁଃଖରେ ଆସି ଧିର ସ୍ୱରରେ ପଚାରିଲା –
-ଆଲୋ କ’ଣ କରୁଛୁ ?
-ଦେଖି ପାରୁନୁ କି ? ଉକୁଣୀ ଦେଖୁଚି ପରା ।
-ହଉ ଦେଖୁଥା ।
-ବଡ ପାଟି କ’ରେନା । ନୋହିଲେ ସେ ଉଠିପଡିବ । ତୁ ଏବେ ଯାଆ । ତୋ ସାଙ୍ଗରେ ଗପୁଥିଲେ ସେ’ମିତି ଗପୁଥିବି ।
ସାରିଆ ନାନୀ ଯଲ୍ଦି ଯଲ୍ଦି ଗାଧୋଇପଡି, ପାଣି ଗରାଟା କାଖରେ ରଖି, ସୁନୀ କଥା ଭାବି ଭାବି, ଅନ୍ୟମନସ୍କ ଭାବେ ଘରକୁ ଫେରୁଥିବା ସମୟରେ ମନେ ମନେ ଭାବୁଥିଲା – “ହେ ଭଗବାନ୍, ଶେଷରେ ତମେ ଏ ଅଭାଗିନୀଟାକୁ ପାଗେଳୀ କରି ଦେଲ ? କ’ଣ ପାଇଲ ?”
ସୁନୀର ସ୍ୱାମୀ ଜଣେ ସୁପର୍ଭାଇଜର୍ । ସେ ଭୂବନେଶ୍ୱରର କୈାଣସି ଏକ କନ୍ଷ୍ଟ୍ରକ୍ସନ୍ କମ୍ପାନୀରେ କାମ କରି ପରିବାର ପ୍ରତିପୋଷଣ କରୁଥିଲା । ସେଦିନ ବ୍ରିଜ୍ କାମ ଚାଲୁଥିବା ସମୟରେ କାହିଁକି କେଜାଣି ସେ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାକୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ସରକାରୀ ଡାକ୍ତରଖାନା ନିଆଗଲା । ସେଠାରେ ପରୀକ୍ଷା ପରେ ଜଣାପଡିଲା- ତା’ର ଏକାବେଳକେ ଦୁଇଟିଯାକ କିଡ୍ନୀ ନଷ୍ଟ ହୋଇଯାଇଛି । ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ସୁନୀକୁ ଫୋନ୍ କରିବାକୁ ବାଧ୍ୟ ହେଲେ ଡାକ୍ତର । କିନ୍ତୁ ହାୟ, ଭାଗ୍ୟ ସୁନୀ ସପକ୍ଷରେ ନଥିଲା । ଖବର ପାଇ ସେ ସେଠାରେ ପହଂଚି ଦେଖେ ତ - ତା ସ୍ୱାମୀ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ସେ ନିଜକୁ ଆଉ ସହି ନ ପାରି କାନ୍ଦି କାନ୍ଦି ଡାକ୍ତରଙ୍କ ଗୋଡ ହାତ ଧରି କେତେ ନେହୁରା ହେଲା । ହେଲେ ସେମାନେ ସତ ଚେଷ୍ଟା ପରେ ବି ତା ସ୍ୱାମୀକୁ ବଂଚାଇ ପାରିଲେନି ।
ସୁନୀ ମୁଣ୍ଡ ଉପରେ ସତସତିକା ଆକାଶଟା ଛିଡିପଡିଲା ଯେମିତି । ଚାରି ଦିଗ ଅନ୍ଧାର ଦିଶିଲା ତାକୁ । କ’ଣ କରିବ କିଛି ଭାବି ପାରିଲାନି ବିଚାରି । ଛାତିକୁ ଟାଣ କରି, ଝିଅକୁ ସାଥିରେ ଧରି ଘରକୁ ଫେରି ଆସିଲା । ନିଜର ମନକୁ ବୁଝାଇ, ବିଲବାଡିରେ କାମ କରି, ମୂଲ ମଜୁରି ଲାଗି ଝିଅକୁ ବଡ ମଣିଷ କରି ଗଢି ତୋଳିବାକୁ ମନେ ମନେ ସ୍ୱପ୍ନ ଦେଖିଲା । ଏତେ ସବୁ ପରେ ବି ଦଇବ ପିଛା ଛାଡି ନଥିଲା ତା’ର । ସେଦିନ ରୋଷେଇ କରିବା ପାଇଁ ଘରେ କିଛି ଜାଳକୁଟା ନଥିବାରୁ ସେ ତା ଝିଅକୁ ପଡିଶା ଘରେ ଛାଡି ପତର ଗୋଟେଇବାକୁ ଯାଇଥାଏ ବଗିଚାକୁ । ଝିଅ ଦାଣ୍ଡରେ ଅନ୍ୟ ପିଲାଙ୍କ ସହ ଖେଳୁଥିବା ସମୟରେ ହଠାତ୍ ଅନ୍ୟମନସ୍କ ବଶତଃ ସେ ଚଳନ୍ତି କାର୍ ଆଗକୁ ଚାଲିଆସିବାରୁ ସଙ୍ଗେ ସଙ୍ଗେ ଧକ୍କା ଖାଇ କିଛି ଦୂରରେ ଛିଟ୍କି ପଡିଲା । ସୁନୀ ଫେରି ଆସି ଦେଖେ ତ – ତା ଝିଅ ଆଉ ନାହିଁ । ଯିଏ ଦିନେ ଝିଅର ମୁହଁକୁ ଚାହିଁ ସ୍ୱାମୀର ମୃତ୍ୟୁକୁ ଭୂଲି ନୂଆ କରି ନିଆରା ଜୀବନ ଭିତରେ ବଂଚିବାର ସ୍ୱପ୍ନ ଦେଖିଥିଲା, ଆଜି ସେ ତା ଝିଅ ବିନା ବଂଚିବ କେମିତି ? ତା’ର ମୃତ୍ୟୁରେ ଅଧିର ହୋଇ, ତାକୁ ସଦାବେଳେ ଝୁରିଝୁରି ଶେଷରେ ସେ ପାଗେଳୀ ହୋଇଯାଇଥିଲା ।
ପୋଖରୀ ତୁଠରେ ଅନ୍ୟମନସ୍କଭାବେ ସାରିଆ ନାନୀ, ଏକ ଲୟରେ ସୁନୀର ଶୁଖିଲା ମୁହଁକୁ ଚାହିଁ ଦୁଃଖରେ ବସି ଭାବୁଥାଏ – ଏଇ ସୁନୀ ତା ଝିଅ ପାଇଁ କ’ଣ ନ କରିଥିଲା ? ଓଷା ବ୍ରତରେ ନିର୍ଜଳା ଉପବାସ ରହି, ପ୍ରତି ସୋମବାରେ ଶିବ ଲିଙ୍ଗରେ ୧୦୮ ବେଲ ପତ୍ର ଚଢାଇ, ପ୍ରତି ବର୍ଷ ମନ୍ଦିରରେ ରୁଦ୍ରାଭିଷେକ କରି ଶେଷରେ କ’ଣ ପାଇଲା ବିଚାରି ? ଝିଅର ମୃତ୍ୟୁ ପରେ ତା’ର ସବୁ ଆଶା, ସବୁ ସ୍ୱପ୍ନ, ସବୁ ଇଛା, ସବୁ ବିଶ୍ୱାସ ପାଣି ଫୋଟ୍କା ପରି ମିଳାଇ ଯାଇଥିଲା । ନିଷ୍ଠୁର ସମୟର ଚକ ତଳେ ତା ଜୀବନର ସବୁ କିଛି ଚାପି ହୋଇ ମାଟିରେ ମିଶିଗଲା । ତା ଛାତି ତଳର ଅକୁହା କୋହ, ହୃଦୟର ଦାରୁଣ ବେଦନା, ଭଙ୍ଗା ମନ ଓ ଉଜୁଡି ଯାଇଥିବା ସୁନାର ସଂସାର ପାଇଁ ସେ ପାଗେଳି ହୋଇ ନଥାନ୍ତା ତ ଆଉ କ’ଣ ?
ଆଠ / ନଅ ବର୍ଷ ତଳର କଥା । ପ୍ରତି ବର୍ଷ ପରି ସେ ବର୍ଷ ଗାଁରେ ହେଉଥାଏ ଦୋଳ ମେଲଣ । କେତେ ଗାଁରୁ କେତେ ଦୋଳ ଆସିଥାନ୍ତି ଭୋଗ ଖାଇବାକୁ । ଲୋକମାନଙ୍କ ସମାଗମରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୁଏ ସେତେବେଳେ । ଗହଳି ଚହଳିରେ ସାରା ଗାଁଟା ଫାଟି ପଡେ ଯେମିତି । କାହିଁକି କେଜାଣି ସେଦିନ ଅପରାହ୍ନରେ ସୁନୀ, ତା ସାରିଆ ନାନୀ ଘରକୁ ବୁଲିବାକୁ ଆସି ଦେଖେ ତ - ସେ ମନ ଦୁଃଖରେ ପିଣ୍ଢାଟା ଉପରେ କାନ୍ଥକୁ ଆଉଜି ବସିଛି । ଏସବୁ ଦେଖି ସୁନୀ ନିଜକୁ ଆଉ ସହି ନ ପାରି ଆଶ୍ଚର୍ଯ୍ୟ ହୋଇ ତାକୁ ପଚାରିଲା -
-ନାନୀ, କ’ଣ ହେଇଛି ? ମୋତେ କହିବନି ?
-କ’ଣ ଆଉ କହିବି । ପାଖରେ ଅଧୁଲାଟାଏ ନାହିଁ । ପିଲା ଦି’ଟା ବ୍ୟସ୍ତ କରୁଛନ୍ତି ନୂଆ ଜାମା ପ୍ୟାଂଟ୍ ପିନ୍ଧିବାକୁ । ତୁ ତ ଦେଖିଛୁ, ସବୁ ବର୍ଷ ଏଇ ଦିନରେ ମୋ ପିଲା ନୂଆ ପିନ୍ଧନ୍ତି । ହେଲେ ତୋ ଭାଇଙ୍କର ଦରମା ଏଯାଏ ନ ମିଳିବାରୁ କିଛି କିଣା ହୋଇପାରି ନାହିଁ । ଗାଁରେ ସମସ୍ତେ ନୂଆ ପିନ୍ଧିଥିଲାବେଳେ ମୁଁ ସେଠାକୁ କୋଉ ମୁହଁରେ ମୋ ପିଲା ଦି’ଟାଙ୍କୁ ନେଇ ଯିବି କହିଲୁ ?
-ଏଇ କଥାରେ ମନ ଦୁଃଖ କରିଛ ? ଚାଲ, ମୁଁ ପଇସା ଦେବି । ଆମେ ବଜାର ଯାଇ ପିଲାଙ୍କ ପାଇଁ ସବୁ କିଣି ଆଣିବା । ଆମେ ନ ପିନ୍ଧିଲେ ନାହିଁ , କ’ଣ ହେଲା ସେଇଠୁ ? ଆମ ପିଲା ତ ପିନ୍ଧିବେ ? ତମେ ପରେ ଦେଇଦେବନି ?
-ହଉ, ଚା’ଲେ ଯିବା ।
ଲୁହ ଛଳଛଳ ଆଖିରେ ଅତୀତର ଘଟଣା ସବୁ ଗୋଟି ଗୋଟି କରି ମନେ ପଡିଯାଉଥାଏ ସାରିଆ ନାନୀର । ସେ ନିଜ କୋହକୁ ଚାପି ରଖି, ସଅଳ ସଅଳ ଗାଧୋଇ ଘରକୁ ଫେରୁଥିଲାବେଳେ ସୁନୀକୁ ଚାହିଁ କହିଲା –
-ଆଲୋ, ଉକୁଣୀ ଦେଖା ସରିନି ନା କ’ଣ ?
-ପାଟି କ’ରନା । ତୁ କ’ଣ ଦେଖି ପାରୁନୁ ? ମୁଁ ପରା ତାକୁ “ଧୋ ରେ ବାଇଆ ଧୋ ...” ଗୀତ ଗାଇ ଶୁଆଉଛି ।
-ହଉ, ତୁ ଖାଇଚୁ ?
-ମୋ ଝିଅ ତ ଏଯାଏ ଖାଇନି । ମୁଁ କେମିତି ଖାଇବି? ସେ ଶୋଇକି ଉଠିଲା ପରେ ଆମେ ଦୁହେଁ ଖାଇବୁ । ପିଲାଟା ଖେଳି ଖେଳି ହାଲିଆ ହୋଇ ଶୋଇଛି କେମିତି ଦେଖୁନୁ ? ଏତେ ବଡ ଖରା । ତା ଦେହ କ’ଣ ହେଇଯିବନି, କହିଲୁ? ମୁଁ ତାକୁ ବା’ର ବା’ର ମନା କରୁଛି ଖରାରେ ନ ଖେଳିବାକୁ । ହେଲେ ସିଏ କ’ଣ ଶୁଣୁଛି ମୋ କଥା । ଏବେ ଖେଳିକି ଆସି କହୁଛି – ମା’, ମା’ ଭାରି ହାଲିଆ ଲାଗୁଛି । ମୁଁ ଟିକେ ଶୋଇପଡେ, ଉଠିଲେ ଖାଇବି । ଆଲୋ ଆଲୋ ଗୋଟେ କଥା କହିବାକୁ ତୋତେ ଭୂଲି ଯାଇଛି । ମୁଁ ତା ପାଇଁ କ’ଣ ରାନ୍ଧିଛି ଜାଣିଛୁ ? ଭାତ, ଡାଲି, ମାଛ ଭଜା, ଶାଗ ଭଜା ଆଉ ଆମ୍ବ ଖଟା । ସେ ଆମ୍ବ ଖଟାକୁ ଟିକେ ବେଶୀ ଭଲପାଏ ତ, ସେଥିପାଇଁ ... । ତୁ ଯାଆ । ମୁଁ ଆଉ ଦି’ଟା ଉକୁଣୀ ତା ମୁଣ୍ଡରୁ ଦେଖିନିଏ ।
ସାରିଆ ନାନୀ ଘରେ ପହଂଚିବା ଉଛୁର ହେଇଯିବ ଭାବି ବଡ ବଡ ପାହୁଣ୍ଡ ପକାଇ ଫେରୁଥିଲାବେଳେ ମନେ ମନେ ଭାବୁଥାଏ – “ଜୀବନଟା ଏଇ ଅଛି, ଏଇ ନାହିଁ । ସୁଖ ଆସେ, ପୁ’ଣି ଚାଲିଯାଏ । ଚାଲିଗଲା ପରେ ଦେଇଯାଏ ଖାଲି ଦୁଃଖ ଆଉ ଯନ୍ତ୍ରଣା । ଶେଷରେ ପରିସ୍ଥିତି ଚକ୍ରରେ ପଡି ମଣିଷ ଦୁଃଖକୁ ଆପଣେଇ ନିଏ । ସତରେ, ଏଇ ସୁନୀ ଯେମିତି |