Minakshi Samal

Tragedy

3  

Minakshi Samal

Tragedy

ଧୋକା

ଧୋକା

2 mins
259



ସମୁଦ୍ର କୂଳରେ ବସିଥାଏ ଲୁମ୍ବିନୀ।ଓ୍ବର୍କିଂ ଓମେନସ ହଷ୍ଟେଲରୁ ସମୁଦ୍ର ଦେଖାଯାଏ।ଯେତେବେଳେ ମନହୁଏ ସମୁଦ୍ର କୂଳକୁ ଚାଲିଆସେ ସେ।କିଛି ସମୟ ବସିବା ପରେ ମନ ହାଲକା ହେଇଯାଏ।ସତେ ଯେମିତି ଗୋଟିଏ ଅନ୍ତରଙ୍ଗ ବନ୍ଧୁ ଭଳି ସମୁଦ୍ର ତାର ସମସ୍ତ ସମସ୍ୟାର ସମାଧାନ ନୀରବରେ କରିଦିଏ।

ମଣିଷ ଏକ ସାମାଜିକ ପ୍ରାଣୀ।ସମସ୍ତଙ୍କ ସହିତ କଥା ହୋଇ,ହସଖୁସିରେ ,ଭାବର ଆଦାନପ୍ରଦାନରେ ମଣିଷର ସାମାଜିକ ପ୍ରବୃତ୍ତିର ବିକାଶ ଘଟେ।ସେଥିପାଇଁ ତ ଜୀବନର ପ୍ରତ୍ୟେକ ସ୍ତରରେ ମଣିଷ ବନ୍ଧୁଟିଏ ଖୋଜିଥାଏ ଯାହା ସହିତ ସୁଖ ଦୁଃଖ ସବୁକିଛି ବାଣ୍ଟିହୁଏ,ମନକୁ ହାଲକା କରିହୁଏ।

କହନ୍ତି ସୁଖ ବାଣ୍ଟିଲେ ବଢେ,ଦୁଃଖ ବାଣ୍ଟିଲେ କମେ।ସେଦିନ ନିଜର ପ୍ରମୋଶନ୍ ହେବାର ଖବର ଶୁଣି ପ୍ରଥମେ ନିଜ ରୁମ ମେଟ ବବିତାକୁ ଜଣାଇଥିଲା ଲୁମ୍ବିନୀ।ବଦଳରେ ଟ୍ରିଟ ଦେବାପାଇଁ ଦାବି କରିଥିଲା ବବିତା ଯାହାକୁ ଖୁସିରେ ମାନି ନେଇଥିଲା ଲୁମ୍ବିନୀ।

ସନ୍ଧ୍ୟାରେ ଦୁଇ ବାନ୍ଧବୀ ସହରର ଉପକଣ୍ଠରେ ଥିବା ରେଷ୍ଟୋରାଣ୍ଟରେ ପହଞ୍ଚିଥିଲେ।ରାତ୍ରୀଭୋଜନ କରି ଫେରିଥିଲେ ସେଠାରୁ।

ଜୀବନର ସବୁକିଛି ଘଟଣା ଦୁର୍ଘଟଣା ଦୁହିଁଙ୍କ ପାଖରେ ଖୋଲା ଥିବା ବହିର ପୃଷ୍ଠା ପରି ଥିଲା।

ଘନିଷ୍ଠ ବନ୍ଧୁତା ଭିତରେ ବିଶ୍ବାସର ଚେରଟା ଭୂମିର ଗଭୀରତମ ସ୍ତରକୁ ଚାଲିଯାଏ।ତାର ଗଭୀରତା ମାପିବା ଅସମ୍ଭବ ହୋଇପଡେ।

ନିଜର ଭାବି ପତି ସମୀର ଦେଇଥିବା ଶାଢୀ ପିନ୍ଧି ସେ ଦେଇଥିବା ପରଫ୍ୟୁମ ସ୍ପ୍ରେ କରି ଅଫିସ ବାହାରିବା ସମୟରେ ବବିତା ଖୁବ ପ୍ରଶଂସା କରିଥିଲା।

ବାହାଘର ଆଉ ଦୁଇମାସ ବାକି।ହଠାତ୍ ଗୋଟିଏ ରବିବାର ଅପରାହ୍ନ ଚାରିଟାରେ ସମୀର ଆସି ପହଞ୍ଚିଲେ ଲୁମ୍ବିନୀ ପାଖରେ।କିଛି ସମୟ ବିତାଇବାକୁ ଚାହିଁଲେ ତା ସହ।ସମୁଦ୍ରକୂଳରେ ଯାଇ ବସିବାର ପ୍ରସ୍ତାବ ମନ୍ଦ ନଥିଲା।ବବିତାକୁ ସାଙ୍ଗରେ ନେଇଗଲେ ଆଉରି ଭଲ ହେବ ଭାବି ତାକୁ ମଧ୍ୟ ଯିବାକୁ କହିଲା ଲୁମ୍ବିନୀ।ଗପସପ କରି ବେଶ ଦୁଇଘଣ୍ଟା ବିତିଗଲା।ଏମାନଙ୍କୁ ହଷ୍ଟେଲରେ ଛାଡି ସମୀର ଫେରିଗଲେ।

ଏ ଭିତରେ ପନ୍ଦରଦିନ ବିତିଗଲାଣି।ଅଫିସ ର କାମସବୁ ସମୟ ଥାଉଥାଉ ସାରିଦେଲେ ବାହାଘର ପାଇଁ ଛୁଟି ଦରଖାସ୍ତ ଦେଲେ ଆଉ ନାକଚ ହେବନି ଭାବି ଖୁବ ମନଧ୍ୟାନ ଦେଇ ନିଜର କାମରେ ଲାଗିଥିଲା ଲୁମ୍ବିନୀ।

ହାତରେ ଆଉ ଦୁଇ ତିନୋଟି ରବିବାର ଥାଏ।ସେଇ ସବୁ ରବିବାର ନିଜର ବିବାହର ଅତ୍ୟାବଶ୍ୟକ ଜିନିଷ କିଣାକିଣିରେ ଲଗାଇଦେବାଟା ଠିକ ହେବ ବୋଲି ଭାବିନେଲା ସେ।

ବାହାଘର ଆଉ ଗୋଟିଏ ସପ୍ତାହ ବାକି ଥିଲା।ହାତରେ ଥିବା ଶେଷ ରବିବାରଟି ହାତଛଡା କରିବାର ନଥିଲା।ଶେଷମୁହୁର୍ତ୍ତରେ ବାକି ରହିଯାଇଥିବା ମେକ ଅପ କିଟ୍ କିଣିବା ପାଇଁ ତଥା ଦରଜୀ ପାଖରେ ସିଲେଇ କରିବାକୁ ଦେଇଥିବା ନିଜର ଲେହେଙ୍ଗା ଓ ବ୍ଲାଉଜସବୁ ଆଣିବା ପାଇଁ ମାର୍କେଟ ବାହାରି ପଡିଥିଲା ସେ।ବବିତା ନିଜର ଅସୁସ୍ଥତାର କାରଣ ଦେଖାଇ ସାଙ୍ଗରେ ଯିବାକୁ ରାଜି ହୋଇନଥିଲା ସେଦିନ।

ରିକ୍ସାରେ ବସି ବାହାରି ପଡିଲା ଲୁମ୍ବିନୀ।

ବଜାରରେ ରବିବାରିଆ ଭିଡ।ଟେଲର ଦୋକାନରେ ଗରାଖ ମାନେ ଆଗରୁ ଆସି ଜମା ହୋଇଥାନ୍ତି।ଘଣ୍ଟାଏ ଜାଗାରେ ତିନିଘଣ୍ଟା ଲାଗିଗଲା ତାକୁ।

ଭୋକରେ ଏଣେ ପେଟ ଜଳିଲାଣି।ତରତର ହୋଇ ରିକ୍ସା ଡାକିଲା ବେଳକୁ ହଠାତ୍ ତା ନଜରରେ କିଛି ପଡିଲା।ସତ କି ମିଛ ଜାଣିବା ପାଇଁ ହଷ୍ଟେଲ ଆଡକୁ ମୁହାଁଇଲା ରିକ୍ସାରେ।ଛାତି ଧଡପଡ ହେଉଥାଏ।ମନେ ମନେ ଭାବୁଥାଏ ଯାହା ଦେଖିଲା ତା ମିଛ ହୋଇଥାଉ।ସେଦିନ ହଷ୍ଟେଲର ଦୂରତା ସତେ ଯେମିତି ବଢି ଚାଲିଥିଲା।ତା ସାଙ୍ଗରେ ଲୁମ୍ବିନୀର ହୃତକମ୍ପନ ମଧ୍ୟ ବଢିଚାଲିଥିଲା ଦୁଇଗୁଣା ହୋଇ।

ରିକ୍ସାରୁ ଓଲ୍ହାଇ ଏକରକମ ଅଣନିଃଶ୍ବାସୀ ହୋଇ ନିଜ ରୁମ ଆଡକୁ ଦୌଡିଗଲା ସେ।ରୁମରେ ବବିତା ନଥିଲା।କେୟାର ଟେକର ହରିଶ କାକାଙ୍କ ଠାରୁ ଯାହା ଶୁଣିଲା ତାକୁ ଲାଗିଲା ସତେ ଯେପରି ଚତୁର୍ଦ୍ଦିଗରେ ଅନ୍ଧାର ଘୋଟି ଯାଇଛି ଅବିଶ୍ବାସର ଏବଂ ଧୋକାର।

ଏତେ ସହଜ ଭାବରେ ବିଶ୍ବାସରେ ବିଷ ଦିଆ ଯାଇପାରେ ଓ ଅଣ୍ଟିଛୁରୀ ତଣ୍ଟିକାଟେ ଏକଥା ତାର ହୃଦବୋଧ ହେଉଥିଲେ ମଧ୍ୟ ସେ ଏକଥାକୁ ସତ ଭାବରେ ଗ୍ରହଣ କରି ପାରୁନଥିଲା।ନିଃସହାୟତା ତାକୁ ଖିନଭିନ କରି ଚାଲିଥିଲା।ନିଜର ଘନିଷ୍ଠ ବାନ୍ଧବୀର ଧୋକା ତାକୁ ସ୍ଥାଣୁ କରି ଦେଇଥିଲା।


Rate this content
Log in

Similar oriya story from Tragedy