The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Jenaarundhati 1991

Tragedy

4.8  

Jenaarundhati 1991

Tragedy

ଧନରେ ତୁ ଫେରିଆ

ଧନରେ ତୁ ଫେରିଆ

5 mins
45


    

  ରସ ମାଉସୀର ତେଲ ଲୁଣର ସଂସାର । ଜନମ ଦୁଃଖିନୀଟିଏ । ନିଜେ ଜନ୍ମ ହେଉ ହେଉ ତା' ମାଆ ଚାଲିଗଲା । ବାପା ଯେ ତା'ର ଘୋଡା ମଦୁଆ । ଦିନ ସାରା କାଦୁଅ ଚକଟି ଇଟା ପକେଇବ । ରାତିରେ ପେଟେ ଦେଶୀ ମଦ ପିଇ ଶୋଇବ । ରସ ମାଉସୀର ସାବତ ମାଆର ଦିଟା ପୁଅ । ରସ ମାଉସୀକୁ କେହି ହେଲେ ଦେଖି ସହି ପାରନ୍ତିନି । ତା' ବାପାକୁ କହି ଗୁଡାଏ ମାଡ ଖୁଆନ୍ତି । ବିଚାରିଟାର ସାହା କହିଲେ ବୁଢୀ ମାଆ । ସିଏ ପର ଘରେ ବାସନ ମାଜେ । ଯାହା ଆଣେ ସେଥିରେ ନାତୁଣୀ ପେଟ ପୁରେଇବାର ପ୍ରୟାସରେ ଥାଏ । ତାକୁ ଯେତେବେଳେ ନଅ ବରଷ ପୁରିଲା ତା' ବୁଢୀ ମାଆ ଆରପାରିକି ଚାଲିଗଲା।

  ତା' ପରେ ଅଧା ଦିନ ଉପାସ।କିଏ ଅବା କେତେଦିନ ପୋଷିବ । ନିଜ ଲୋକ ତ ବଇରୀ ସାଜୁଛି । ସବୁଦିନ ମାଡ ଖାଇ ଖାଇ ପିଠି ଫୁଲିଯାଏ । ସାବତ ମାଆ ବସିବ କିଛି କାମ ନକରି ଗୋଡ ଉପରେ ଗୋଡ ପକେଇ । ରସ ମାଉସୀ ବିଚାରୀ ଏତେ କୁନି ବୟସରୁ ସବୁ କାମ କରେ । ସେଦିନ ହାତରୁ କାଚ ଗିଲାସଟେ ପଡିଗଲା ବୋଲି ତା' ହାତକୁ ସାବତ ମାଆ ଶିଳପୁଆରେ ଛେଚି ଦେଇଥିଲା । ଘର ଗୋଟାକଯାକର କାମ, ରୋଷେଇ, ବାସନ ମାଜିବା, ଘର ଝାଡୁପୋଛା, ଗୁହାଳ ଗୋବର କରି କେବେ ଯଦି ଥକି ଯାଇ ବସିଯାଏ ସାବତ ମାଆର ଦେହରେ ଯାଏନି । ଠାକୁରଙ୍କ ପୂଜାବିଧାନ ବନ୍ଦ ହେଇଯିବ ପଛକେ ରସ ମାଉସୀର ମାଡଖାଇବାଟା ବନ୍ଦ ହେଇନି । ଛେଳି ଚରେଇ ଜଙ୍ଗଲକୁ ଯାଇଥିଲା, ଛେଳି ଛୁଆଟା ହଜିଗଲା ବୋଲି ଏମିତି ମାଡ ଦେଲା ସାବତ ମାଆ ଯେ ଅଧାମରା ଅବସ୍ଥା ସତ୍ତ୍ୱେ ବି ଦୁଇ ଦିନ ଆଉ ଦୁଇ ରାତି ଖୋଜିଲା ପରେ ଛେଳି ଛୁଆକୁ ପାଇ ଗାଆଁକୁ ଆଣିଥିଲା।

   ବାପା ତା'ର ଅବଶ୍ୟ ନିଜ ଭୁଲ ବୁଝି ଆଉ ମାରୁନଥିଲା । ହେଲେ ସାବତ ମାଆ ଟିକିଏ ବି ବଦଳିନଥିଲା । ତେଣୁ ବାପା ତାକୁ ରକ୍ଷା କରିବାକୁ ଯାଇ ରସ ମାଉସୀର ବାହାଘର ବାର ବର୍ଷ ବୟସରେ ରବି ମଉସା ସହ କରିଦେଇଥିଲା । ରବି ମଉସା ଭାରି ଭଲ ଲୋକ । ରସ ମାଉସୀ ଦେହରେ ଟିପଟିଏ ବି ଛୁଅଁନ୍ତି ନାହିଁ।

 ସବୁ କିଛି ଠିକ୍ ଚାଲିଥିଲା, ରବି ମଉସା ବି ରସ ମାଉସୀକୁ ଭାରି ଭଲ ପାଉଥିଲେ । ହଠାତ୍ କି ବେମାରୀ ଆସିଲା କେଜାଣି ପୁଅ ରଘୁଆ ପେଟରେ ଥାଏ ସିଏ ଚାଲିଗଲେ । ରବି ମଉସା ଅନାଥ । ଭାରି ଗରିବ । ମାଣେ ଜମିରେ ଚାଷ କରି ବଡ କଷ୍ଟରେ ରସ ମାଉସୀ ରଘୁଆକୁ ଜନ୍ମ ଦେଲା । ଭାରି ଗେହ୍ଲାରେ ବଢେଇଛି ତାକୁ । ତେଲ ଲୁଣର ସଂସାରରେ ନିଜେ ନଖାଇ ତା' ପେଟ ଭରିଛି । ରସ ମାଉସୀର ଦୁଃଖ ଦେଖି ରଘୁଆ ବଡ ହେଇଛି । ଭାରି ଭଲପାଏ ମାଆକୁ । ସେ କୁହେ ମାଆ ମୁଁ ବାହାରକୁ ଯିବି, ଚାକିରି କରିବି । ଆଉ ପଇସା ଆଣିଲେ ତୋତେ ଆଉ ଖଟିବାକୁ ପଡିବନି।

  ରସ ମାଉସୀର ଇଚ୍ଛା ନୁହେଁ ପୁଅ ବାହାରକୁ ଯାଉ । ସିଏ ତ ଏକେଲା । ତା' ପୁଅକୁ ଛାଡି ସିଏ ବଞ୍ଚିବ ଅବା କେମିତି? ସିଏ ଅନେକ ଥର ରଘୁଆକୁ ମନା କରିଛି ବାହାରକୁ ନଯିବା ପାଇଁ । ହେଲେ ସେ ଶୁଣିଲେ ତ? ତା' ଗାଆଁର ହରିଆ ପୁଅ, ଶଂକରା ପୁଅ, ଦାମ ପୁଅ ଆଉ ପାଖ ଗାଆଁର କେତେ ପିଲା ସବୁ ସୁରତ ଯାଉଛନ୍ତି ସୁତା କଳରେ କାମ କରିବାକୁ । ସିଏ ବି ଯିବ । ପଇସା ଆଣିଲେ ଛାତ ଘର ତୋଳିବ । ଆର ଗାଆଁ ଚମ୍ପାକୁ ସିଏ ଭଲପାଏ । ଚାକିରି ନକଲେ ତା' ହାତ ମିଳିବ ଅବା କେମିତି? ଚମ୍ପାର ବାର ଆଡୁ ପ୍ରସ୍ତାବ ଆଉଚି ହେଲେ ସିଏ ସତ୍ୟ କରିଛି ରଘୁଆକୁ ଜୀବନ ସାଥି କରିବ।

  ରସ ମାଉସୀ ଚମ୍ପା ବାପା ସହ କଥା ଲାଗିଥିଲା । ସିଏ କହିଛି ରଘୁଆ ଚାକିରି କଲେ ସିଏ ଚମ୍ପାକୁ ରଘୁଆ ସହ ଛନ୍ଦିବ ନହେଲେ ହରିଆ ପୁଅ ସହ କରିଦେବ ବାହାଘର । ସେଥିପାଇଁ ରଘୁଆ ବ୍ୟସ୍ତ ହେଇ ବରଷ ଗୋଟାଏ ହେଲା ସୁରତ ଯାଇଛି । ପଇସା ଭଲ ପଠଉଛି । ରସ ମାଉସୀ ପାଇଁ ତିନି ଖଣ୍ଡ ଲୁଗା, ସାବୁନ, ବାସେନା ତେଲ ଆଉ ଅତର ପଠେଇଛି । ଗାଆଁ ସରପଞ୍ଚକୁ କୁହାବୋଲା କରି ଇନ୍ଦିରା ଆବାସ ଯୋଜନାଟେ ମିଳିଛି, ରସ ମାଉସୀ ସଂଚୟ ଧନ ମିଶେଇ ଛାତ ଘର ଦୁଇ ବଖରା ତୋଳିଛି ।

  ରସ ମାଉସୀକୁ ମନା କରିଛି ସିଏ । ବୋଉଲୋ ପର ଘରେ ଆଉ ମଜୁରୀ ଲାଗିବୁନି, ସିଏ ପଠେଇବ ପଇସା । ଚମ୍ପାର ବାପା ବି ପୁରା ଖୁସି । ରଘୁଆ ଭାରି ନିରୀହ । ଚମ୍ପା ପାଇଁ ଗୋଟିଏ ଫୋନ କିଣି କି ପଠେଇଛି । ଦୂର ରାଇଜରେ ମନ ଛାଟିପିଟି ହେଲେ ପ୍ରିୟାକୁ ଫୋନ୍ କରି କଥା ହେବ।

   ସବୁ ଠିକ୍ ଚାଲିଥେଲା । ଜନ୍ମ ଦୁଃଖିନୀ ରସ ମାଉସୀର ଦୁଃଖ ସରି ସୁଖର ସୁରୁଜ ଉଉଁଥିଲା । ହଠାତ୍ କାଳ ବୈଶାଖୀ କରାଳ ରୂପ ଭଳି ଏ ଗାଡ ରୋଗ କରୋନା ମହାମାରୀ ସାଜି ଖୁସିରେ ଗ୍ରହଣ ଲଗେଇ ଦେଲା ଯେମିତି । ରସ ମାଉସୀ ଆଖି ଆଗରେ ଗାଆଁ ପାଖର ପିଲା ସବୁ ସୁରତରୁ ବସ୍ ଯୋଗେ ଫେରି ଗାଆଁ ପାଖ ଇସ୍କୁଲର କ୍ୱାରିଣ୍ଟିନ୍ ସେଣ୍ଟରରେ ରହିଥାଆନ୍ତି । ସରପଞ୍ଚ ସହ ସିଏ କଥା ହେଇଛି । ରଘୁଆ ଫେରିବ ବୋଲି ସିଏ ପଞ୍ଜୀକରଣ କରିଛି । ଠାକୁରଙ୍କୁ ଗୁହାରି କରୁଥାଏ, ପୁଅ ତା'ର ଖାଲି ଫେରିଆସୁ । ଗାଆଁ ବୁଢୀ ଠାକୁରାଣୀକୁ କଳା ଶାଢୀ ଦେଇ ଚୁଆ, ଚନ୍ଦନରେ ଗାଧେଇ ଦେବ ।

  ପୁଅ ଆଇଲେ ତାକୁ ଆଉ ଛାଡିବନି ଜମା । ଚମ୍ପା ଆଇଥେଲା ଘରକୁ । ରସ ମାଉସୀକୁ ଫୋନ୍ ଲଗେଇ ଆସେନାହିଁ । ଚମ୍ପା ଫୋନରେ ସପ୍ତାହରେ ଥରୁଟିଏ କଥା ହୁଏ । ଚମ୍ପା କହୁଥେଲା ପୁଅ ପାଖେ ତା'ର ଆଉ ପଇସା ନାହିଁ । ସପ୍ତାହଟେ ହେଲାଣି ଭାତ ଖାଇନି । ମାସ ଗୋଟାକ କମ୍ପାନୀ କାମ କରେଇଦେଇନି । ରସ ମାଉସୀ ଖାଲି କହୁଥାଏ ଏଠିକି ଆସେରେ ଧନ ତୋତେ ପେଟ ପୁରେଇ ଖାଇବାକୁ ଦେବି । ବେଶି ଭଲ ସିନା ଖାଇପାରିବୁନି, ହେଲେ ଶାଗ, ଭାତ ଗଣ୍ଡାଏ ମିଳିବ । ଚାଉଳ ବରଷ ଗୋଟାକ ଚାଲିଯିବ । ବାରିରେ ଶାଗ ଆଉ ପରିବା ଲଗେଇଛି।

  ପୁଅ ପୁଣି କହିଛି ବୋଉଲୋ ଭାରି ଭୋକ, ଆରିସା ଦିଅଣ୍ଡା କରିକି ରଖିଥିବୁ । ଭୋକରେ ପ୍ରାଣ ଛାଡିଗଲା ଭଳି ଲାଗୁଛି । ଆଜି ରାତିରେ ଗାଡିରେ ଚଢିଲା । ଚମ୍ପା କ'ଣ କହୁଥିଲା ଏଇ ରୋଗରେ କୁଆଡେ ତୁଣ୍ଡି ବାନ୍ଧିବାକୁ ପଡିବ । ଆଇଲେ ସିଏ କାଳେ ଚଉଦ ଦିନ ଇସ୍କୁଲ ଘରେ ରହିବ । ସିଏ ଆଗ ଆସି ଯାଉ ।

  ଏଥରକ ଆସିଲେ ତା' ବାହାଘର ସିଏ ଚମ୍ପା ସହ କରିଦେବ । ତା'ର ଆଉ ବଳ ବୟସ ପାଉନି ଖଟିବାକୁ । ଚମ୍ପା ଆସି ତା'ର ଘର ସମ୍ଭାଳୁ ବୋଲି ଚମ୍ପା ବାପା କାଙ୍ଗାଳିକୁ କହିଦେଇଛି।ସିଏ ବି ପୁରା ଖୁସି । ଚମ୍ପା ଆଖିରେ ଆଖିଏ ସ୍ୱପ୍ନ । ଦୀର୍ଘ ଦଶ ବର୍ଷର ପ୍ରେମ ସେମାନଙ୍କର।

   ହେଲେ କିଛି ସମୟ ପରେ ଦୁଃଖର ପାହାଡ ତା'ର ଉପରେ ଛିଣ୍ଡି ପଡିଥିଲା । ସିଏ ଆସୁଥିବା ବସଟି ଦୁର୍ଘଟଣାର ସମ୍ମୁଖୀନ ହେଇଛି । ଦୁଇ ଜଣଙ୍କର ମରଣ ଘଟିଛି । ଆଉ ଅନ୍ୟ ମାନେ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଇଛନ୍ତି । ସେ ଦୁଇ ଜଣଙ୍କ ଭିତରୁ ଜଣେ ରଘୁଆ, ରସ ମାଉସୀର ପୁଅ । ଏସବୁ ଶୁଣିଲା ପରେ ରସ ମାଉସୀ ବାରମ୍ବାର ମୂର୍ଛା ହେଇଯାଉଛି । ଧନରେ ଫେରିଆ ଫେରିଆ କହି ମୁଣ୍ଡ କୋଡି କାନ୍ଦୁଛି । ଚମ୍ପା ବି ଧୈର୍ଯ୍ୟ ଧରି ପାରୁନି।

   କିଛି ସମୟ ପରେ ରଘୁଆର ଶବ ଆସି ପହଞ୍ଚିଲା । ରସ ମାଉସୀ ନିଜ ପୁଅକୁ ଏମିତି ଅବସ୍ଥାରେ ଦେଖି ତା'ର ଛାତି ଫାଟି ଯାଉଥାଏ । ଗାଆଁ ଲୋକମାନେ ଶବ ସତ୍କାର କଲେ । ଗୋଟିଏ ଦିନ ପରେ ମାନସିକ ସ୍ତରରେ ଆଘାତ ପାଇ ରସ ମାଉସୀ କୀଟନାଶକ ଔଷଧ ଖାଇ ସବୁଦିନ ପାଇଁ ସଂସାରରୁ ଚାଲିଗଲା ନିଜ ପୁଅ ପାଖକୁ।

   କେତେ ଯେ ଜୀବନ ଅସହାୟ ଅବସ୍ଥାରେ ଅକାଳରେ ଚାଲି ଯାଉଛି ଏଇ କରୋନା ପାଇଁ, ତା'ର ହିସାବ ନାହିଁ । ହେ ଜଗନ୍ନାଥ ଏତିକି ଗୁହାରି କୋଉ ମାଆ ଠାରୁ ତା'ର ପୁଅକୁ ଆଉ ଛଡେଇ ନିଅନି । ଆଉ ଭୟଙ୍କର ପରିସ୍ଥିତିରୁ ସମଗ୍ର ମାନବଜାତିକୁ ଉଦ୍ଧାର କର । 



Rate this content
Log in

Similar oriya story from Tragedy