Sanjeeb Kumar Nag

Tragedy

4.9  

Sanjeeb Kumar Nag

Tragedy

ଧନରେ! ଏମିତି ବଞ୍ଚିବ

ଧନରେ! ଏମିତି ବଞ୍ଚିବ

5 mins
1.5K



ଗଙ୍ଗା ବାରିକ ସକାଳ ୬ ଟାରେ ସେଲୁନ ଖୋଲନ୍ତି। ଦିନ ୧ ଟାରୁ ୩ ଟା ପର୍ଯ୍ୟନ୍ତ ବିଶ୍ରାମ ନେଇ ପୁଣିଥରେ ଲାଗିପଡନ୍ତି ନିଜ କାମରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ। ବୟସ ଷାଠିଏ ପାଖାପାଖି। ତଥାପି ତାଙ୍କଠୁ ଚଞ୍ଚଳ କେହି ସେଲୁନଵାଲା ନଥିବେ ଆମ ଅଂଚଳରେ। ଖାଲି ଗୋଟିଏ ଦୁଃଖ, ଏକମାତ୍ର ପୁଅ ରମେଶ ବେକାରୀ ହେଇଗଲା। କେବେବି ସେ ବାପାଙ୍କ କାମରେ ସହଯୋଗ କରେନି। ଏତେ କଷ୍ଟରେ ଗଙ୍ଗା ବାରିକ ସେଲୁନଟିଏ ଖୋଲିଛନ୍ତି। ପିଲାଟି ଯଦି କାମଧନ୍ଦାରେ ମନ ଦିଅନ୍ତା ତେବେ ଶ୍ରମ ସାର୍ଥକ ହୁଅନ୍ତା। ଲଫଙ୍ଗା ଟୋକାଙ୍କ ସାଙ୍ଗେ ବୁଲି ବୁଲି ଦିନ କାଟୁଛି। ଏଣେ ବୁଢ଼ାବାପ ଖଟି ଖଟି ମରୁଛି। ଏଇ ମାସଟେ ଖଣ୍ଡେ ହେବ କିନ୍ତୁ ରମେଶ ପ୍ରତିଦିନ ସେଲୁନକୁ ଆସୁଛି। ତଥାପି ଗଙ୍ଗା ବାରିକ ଖୁସ ନୁହନ୍ତି ପୁଅ ଉପରେ। ଆରେ ପ୍ରତିଦିନ ଦୋକାନକୁ ଆସିଲେ କଣ ହେବ? କାମ କଲେ ତ, ପିଲାଟା ତ ବାରଣ୍ଡାରେ ଚୌକି ପକେଇ କେବଳ ମୋବାଇଲରେ ଖେଳୁଛି। ମନେ ମନେ ହସୁଛି, ମନେ ମନେ କାନ୍ଦୁଛି। କଣ ହେଇଛି କେଜାଣି, ସଦାବେଳେ ସେ ନିଜ ଦୁନିଆରେ ମସଗୁଲ। ଦି କାନରେ ଇଅର ଫୋନ, ହାତରେ ମୋବାଇଲ ଆଉ ନଜର; ନଜର, ସାମନାରେ ଥିବା କଲେଜ ପଟକୁ। କଣ ଦେଖେ, କାହାକୁ ଦେଖେ କେଜାଣି।

    ୨ ନମ୍ବର ହଲର ପ୍ରଥମ ଝରକା ପାଖକୁ ଲାଗି ରହିଥିବା ବେଞ୍ଚର ଝରକା ପଟେ ନମିତା ଆଜି ପ୍ରଥମ ଥର ବସିଛି। ଯେତେବେଳେ ବି ସେ ଝରକା ପଟେ ଦେଖୁଛି, ସବୁବେଳେ ସେଇ ପିଲା ସେଇ ଏକା ସ୍ଥାନରେ ଏକା ମୂଦ୍ରାରେ ବସିଥିବାର ଦେଖୁଛି। ପାଖରେ ବସିଥିବା ଲିପି କହିଲା, "କଣ ଦେଖୁଛୁ"? ନମିତା ଉତ୍ତର ଦେଲା, "ଦୁଇ ତିନି ଘଣ୍ଟା ହେଲାଣି ମୁଁ ଲକ୍ଷ୍ୟ କରୁଛି, ସେଇ ପିଲା ସେଇଠି ବସି ଏକଲୟରେ ଏପଟେ ଚାହୁଁଛି"। "ଦେଖ ଏବେ ସେ ତା କାନରୁ ଇଅର ଫୋନ କାଢ଼ିବ", ମୁରୁକି ହସି କହିଲା ଲିପି।

-କାଢ଼ିଲା

-ଏବେ ଗାଲରେ ହାତ ଦେବ

-ଦେଲା

-ଏବେ ଛାଟି ପିଟିହେଇ ଭିତରକୁ ଯିବ

-ଗଲା

"ଆରେ ଇଏ କଣ ସବୁଦିନ ଏମିତି କରେ?" ପଚାରିଲା ନମିତା। "ଛାଡ଼ ସେ କଥା, ତୁ ମୁଣ୍ଡ ଖେଳାନି" କହିଲା ଲିପି।

କ୍ଲାସ ସାରି ଫେରୁଥାନ୍ତି ନମିତା ଓ ଲିପି। ହଠାତ ନଜର ପଡ଼ିଗଲା ନମିତାର, ବରଗଛ ଛକରେ ଲେମ୍ବୁଚଣା ଖାଉଥିବା ଟୋକା ଉପରେ। "ଏ ଲିପି, ଦେଖ ସେଇ ଟୋକା ଏଠି ବି ଅଟକି ଆମକୁ ଚାହୁଁଛି" । ଲିପି ସେଇ ପିଲା ଆଡେ ନଦେଖି ମୂରୁକି ହସି କହିଲା, "ଦେଖ, ଏବେ ସେ ଚଣା ଫିଙ୍ଗିଦେଇ ରାଗରେ ପଳେଇବ"। ନମିତା ଆଶ୍ଚର୍ଯ୍ୟ ହେଇ ପଚାରିଲା, "ହଁ ପିଙ୍ଗିଦେଲା, ତୁ କେମିତି ତା ବିଷୟରେ ଏତେ ସବୁ ଜାଣୁଛୁ?" "ଭୋକ ହେଲାଣି ଶୀଘ୍ର ଚାଲ, ବେକାର କଥାରେ ମୁଣ୍ଡ ପୁରାନା", ଏତିକି କହି ଚୁପ ରହିଲା ଲିପି।

ସବୁଦିନ ପରି ଆଜି ବି ନମିତା, ଲିପିର ମୋବାଇଲ ଧରିଥିଲା। ଦୁଇ ତିନି ଥର କଷ୍ଟମର କେୟାରରୁ କଲ ଆସିବାରୁ ଲିପିକୁ ମୋବାଇଲ ବଢ଼େଇଦେଇ କହିଲା, "ବାରମ୍ବାର କଷ୍ଟମର କେୟାରରୁ କଲ ଆସୁଛି, ରିସିଭ କର?" "କେତେଥର କଲ ଆସିଛି?" ପଚାରିଲା ଲିପି। ନମିତା ଉତ୍ତର ଦେଲା, "ତିନି ଥର"।

- ମାତ୍ର ତିନିଥର! ମୁଁ ତ ତାକୁ ସେଦିନ ବାଇଶି ଥର କଲ କରିଥିଲି। ତଥାପି ରିସିଭ କଲାନି। ସେ ବି ଟିକେ ହଇରାଣ ହଉ, ମୁଁ ବି ରିସିଭ କରିବିନି। ସେ ବି ବାଇଶି ଥର କଲ କରୁ। ତେଇଶ ନମ୍ବର କଲ ମୁଁ ରିସିଭ କରିବି।

- କଷ୍ଟମର କେୟାରଵାଲା, ତୋ ବୟ ଫ୍ରେଣ୍ଡ କି ଲୋ, ଏତେ ଭାଉ ଖାଉଛୁ ଯେ?

-ଟେଟ୍ରିସ ଖେଳୁଥିଲୁ ବୋଧେ, ନେ ମୋବାଇଲ ନେ

ନମିତା ଚୁପଚାପ ମୋବାଇଲ ନେଇ ଗେମ ଖେଳିବାରେ ଲାଗି ପଡିଲା। ଏତିକି ବେଳକୁ ଗୋଟିଏ ମେସେଜ ଆସିଲା କଷ୍ଟମର କେୟାରରୁ। ବିରକ୍ତ ହୋଇ ମେସେଜ ଖୋଲି ପଢିଲା ନମିତା- " ଲିପି, ଆଇ ଲଭ ୟୁ। ତମେ ମୋର କଲ କାହିଁକି ରିସିଭ କରୁନ। ଏତେ କଲ କରୁଛି, ଥରେ ହେଲେ ରିସିଭ କରନ୍ତ। କାଲି ତମେ କଲେଜରେ ଝରକା ପଟେ ବସିନଥିଲ, ତମକୁ କଲ କରି କରି ପାଗଳ ହେଇଗଲି। ବରଗଛ ଛକରେ ବି ମୋ ପଟେ ଅନେଇଲନି। ବିରକ୍ତ ହେଇ ଅଯଥାରେ ଚଣାବାଲା ସହ ଝଗଡା କଲି। ହଁ, ଏଇଟା ସତ ଯେ ତମେ ସେଦିନ ମତେ ଅନେକ ଥର କଲ କରିଥିଲ, ହେଲେ ମୁଁ କଣ କରିବି, ମୋର ମୋବାଇଲ ସାଇଲେଣ୍ଟ ମୋଡ଼ରେ ଥିଲା, ମୁଁ ବାଇକରେ ଥିଲି। କେସିଙ୍ଗା ରାସ୍ତା କଥାତ ଜାଣିଛ, ଏତେ ଖାଲଢ଼ିପ ଯେ ରିଂଙ୍ଗ ହଉଥିଲେ ବି ଜାଣି ହୁଏନି, ମୋର ମୋବାଇଲ ତ ଭାଇବ୍ରେଟ ବି ହଉନଥିଲା। ପ୍ଲିଜ ୟାର, ମାଫ କରିଦିଅ। ଆଉ କେବେବି, ମୋବାଇଲ ସାଇଲେଣ୍ଟ ମୋଡ଼ରେ ରଖିବିନି।" ମେସେଜ ପଢ଼ିସାରି ପୁଣିଥରେ ଗେମ ଖେଳିବାରେ ଲାଗିପଡ଼ିଲା ନମିତା। ମନେ ମନେ ଭାବୁଥିଲା, "ଲିପି ଚଣ୍ଡି ମୋତେ ଆଜି ପର୍ଯ୍ୟନ୍ତ କିଛି ବି କହିନି, ଦେଖାଯାଉ କେବେ ମୋ ସହିତ ଶେୟାର କରୁଛି ତାର ପ୍ରେମ କାହାଣୀ"।


ପଣ୍ଡା ହୋଟେଲରେ ବେଶୀ ଭିଡ଼ ନଥାଏ ସେଦିନ ଦିପହରରେ। ପ୍ରତି ସରକାରୀ କାର୍ଯ୍ୟ ଦିବସରେ ବ୍ଲକ କର୍ମଚାରୀ, ତହସିଲ ଅଫିସ କର୍ମଚାରୀ ତଥା କୁଜି ନେତାଙ୍କ ଗହଳିରେ ଅଣନିଶ୍ଵାସୀ ହେଇ ପଡୁଥିବା ଏଇ ହୋଟେଲ ସେଦିନ ସାମୟିକ ଆଶ୍ୱସ୍ତି ପାଇଥାଏ। "ହମ ତେରେ ବିନ ଅଵ ରେହେ ନହିଁ ସକତେ" ଗୀତର ମୃଦୁ ଧ୍ୱନୀରେ ହୋଟେଲ ଭିତର ପରିବେଶ ବେଶ ରୋମାଞ୍ଚକ ହେଇଥାଏ। କ୍ଲାସ ସାରି ଲିପି ଆସିଥାଏ ହୋଟେଲକୁ, ରମେଶକୁ ସାକ୍ଷାତ କରିବା ପାଇଁ। "ପ୍ରତି ମାସରେ ଥରେ ତମ ବାପାଙ୍କ ସହିତ ବଲାଙ୍ଗିର ଯାଇପାରୁଛ ଶପିଂ କରିବା ଲାଗି, ହେଲେ ମୋ ପାଇଁ ଅଧ ଘଣ୍ଟା ସମୟ କାଢି ପାରୁନ। ତମେ ଜାଣିଛ ନା ଲିପି, ତମକୁ ଦିନେ ନ ଦେଖିଲେ ମତେ ଅଣ ନିଶ୍ବାସୀ ଲାଗେ। ମୁଁ କେବେ ତମବିନା ବଞ୍ଚିବାର କଳ୍ପନା ବି କରିନି। ଆଗରୁ ତ ମାସକୁ ଦିନେ ଦୁଇଦିନ କଲେଜ ଆସୁନଥିଲ, ଏବେତ ମାସେ ହେଲାଣି କେଜାଣି କାହିଁକି ସପ୍ତାହରେ ଦିନେ ଦୁଇଦିନ ହିଁ କ୍ଲାସ ଆସୁଛ। ଏବେ ପୁଣି କହୁଛ, ପାଞ୍ଚ ସାତ ଦିନ ଆସିବନି ବୋଲି।" ଏମିତି କହୁଥାଏ ରମେଶ। ଛଳ ଛଳ ନୟନରେ ଅନାଉ ଥିଲା ଲିପି। ମନେ ମନେ କହୁଥିଲା, " ସପ୍ତାହରେ ଯୋଉ ଦିନେ ଦୁଇଦିନ କ୍ଲାସ ଆସୁଛି, ସେଇଟା କେବଳ ତମକୁ ଦେଖିବା ପାଇଁ ରମେଶ।" ରମେଶକୁ ସେଦିନ ଅଲଗା ଅଲଗା ଲାଗୁଥିଲା ଲିପି। ଅନର୍ଗଳ କଥା କହୁଥିବା ଲିପି, ଛୋଟ ଛୋଟ କଥାରେ ରାଗିଯାଉଥିବା ଲିପି ସେଦିନ ଖୁବ ଶାନ୍ତ ଓ ନମ୍ର ଲାଗୁଥିଲା। ଶେଷରେ ଲିପି ନିଜ ଭଲ ପାଇବାର ରାଣ ଦେଇ ନମ୍ର ଭାବରେ କହିଲା, "ରମେଶ, ତମେ ଯଦି ମତେ ସତରେ ଭଲ ପାଉଛ, ତେବେ ଏଇ ଯୋଉ ପାଞ୍ଚ ସାତଦିନ ମୁଁ ଘରେ ରହିବି, ସେଇ ପାଞ୍ଚ ସାତଦିନ ତମେ ତମ ବାପାଙ୍କ ଇଚ୍ଛା ଅନୁସାରେ ବଞ୍ଚିବ, ତାଙ୍କୁ ଖୁସିକରିବାକୁ ଚେଷ୍ଟା କରିବ, ପ୍ଲିଜ। ଏଇ କିଛିଦିନ ମୁଁ ମୋବାଇଲ ରେ ବି ତମ ସହ କଥାହେଇପାରିବିନି। ମୋ ମୋବାଇଲ ଖରାପ ହେଇଛି। ମୋ କଥା ଟିକେ ରଖ ଗୋ ଧନ। ପ୍ଲିଜ, ପ୍ଲିଜ, ପ୍ଲିଜ।" ରମେଶର ହଁ କରିବା ଛଡା ଆଉ କୌଣସି ବାଟ ନଥିଲା।


ସକାଳୁ ସକାଳୁ ବାପାଙ୍କ ଉଠିବା ଆଗରୁ ଉଠି, ନିତ୍ୟକର୍ମ ସାରି ଦୋକାନରେ ପହଞ୍ଚି ଗଲା ରମେଶ। ଗଙ୍ଗା ବାରିକ ଆଶ୍ଚର୍ଯ୍ୟ ହେଇଯାଉଥିଲେ। ସକାଳ ୬ ଠାରୁ ଦୋକାନରେ କାମକଲାବେଳେ ସାଙ୍ଗସାଥି ଆସି ଜମା ହୁଅନ୍ତି, କଥା ହେଇ ହେଇ ବାଳକାଟେ ରମେଶ। ମଧ୍ୟାହ୍ନରେ ବାପା ଘରକୁ ଖାଇବା ପାଇଁ ଯାଇ ଆସିଲାବେଳେ ପୁଅ ପାଇଁ ଖାଇବା ନେଇକି ଆସନ୍ତି। ସନ୍ଧ୍ୟାରେ ଟିକିଏ ହାଲୁକା ଜଳଖିଆ କରି ରାତି ୯ ଟା ପର୍ଯ୍ୟନ୍ତ ଦୋକାନରେ କାମ କରେ ରମେଶ। ଘରକୁ ଫେରି ମାଆ ହାତରୁ ମୁଠାଏ ଖାଇ ବିଛଣାରେ ଗଡୁ ଗଡୁ ଆଖିଲାଗିଯାଏ। ବାପା ଏବେ ବେଶ ଖୁସ ଅଛନ୍ତି ପୁଅ ଉପରେ। ଦେଖୁ ଦେଖୁ ପାଞ୍ଚଦିନ କେମିତି ବିତିଗଲା ରମେଶ ଜାଣିପାରିଲାନି। ଷଷ୍ଠଦିନ ସେ ମନେ ମନେ ଖୋଜିଲା ଲିପିକୁ। କିନ୍ତୁ ନା ଲିପି ଆସୁଥିଲା କଲେଜକୁ ନା ନମିତା ଆସୁଥିଲା। ଏମିତି କିଛିଦିନ ମନେ ମନେ ଖୋଜୁଥିଲା ସେ ତାର ପ୍ରେମିକା ଲିପିକୁ। କିନ୍ତୁ କାମରେ ଜମାରୁ ଅବହେଳା କରୁନଥିଲା ସେ।


ସେଦିନ ସେଲୁନ ସାଇଡ଼ରେ ଥିବା ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ର ପାଖରେ ଗୁମସୁମ ଛିଡାଥିବା ନମିତାକୁ ଦେଖି ପାଖକୁ ଆସିଲା ରମେଶ। ରମେଶ ହାତକୁ ଚିଠି ଖଣ୍ଡିଏ ବଢ଼େଇ ଦେଇ କାନ୍ଦି କାନ୍ଦି ପଳେଇଲା ନମିତା। ରମେଶ କିଛି ବୁଝି ପାରୁନଥିଲା। ଛାତି ତାର ଜୋରରେ ଧଡ଼ ଧଡ଼ ହଉଥିଲା। ଧୀରେ ଧୀରେ ଚିଠି ଖୋଲି ପଢିବାକୁ ଲାଗିଲା ସେ। ଚିଠିରେ ଲେଖାଥିଲା, "ଧନ, ରାଗିଛ କି ମୋ ଉପରେ। ରାଗନି ପ୍ଲିଜ। ମୁଁ ତମକୁ ବହୁତ ଭଲପାଏ। ସତକଥାଟେ କହୁଛି, ରାଗିବନି। ମୁଁ ବଲାଙ୍ଗୀର କୁ ଶପିଂ କରିବାକୁ ଯାଉନଥିଲି। ମଝିରେ ମଝିରେ ମୋର ନାକରୁ ପ୍ରବଳ ରକ୍ତ ଝରୁଥିଲା। ସେଥିପାଇଁ ପ୍ରତି ମାସରେ ମତେ ବ୍ଲଡ଼ ଆବଶ୍ୟକ ହେଉଥିଲା ଓ ମୁଁ ବାପାଙ୍କ ସହ ବ୍ଲଡ଼ ନେବାପାଇଁ ହସ୍ପିଟାଲ ଯାଉଥିଲି। ବୁଝିଲ। ଆଉ ଗୋଟେ କଥା, ତମେ କହୁଥିଲ ନା, ତମବିନା କେମିତି ବଞ୍ଚିବି ବୋଲି। ଧନରେ ଏଇ ପାଞ୍ଚଦିନ ଯେମିତି ବଞ୍ଚିଲ, ସେମିତି ବଞ୍ଚିବ। ମୋର ପ୍ରେମ ଶାଶ୍ୱତ ଓ ଅମର। ମୁଁ ସଦାବେଳେ ତମ ସହିତ ଥିଲି ଓ ରହିଥିବି। ତମେ ଏଇ ଚିଠି ପାଇଲାବେଳେ ଆଉ ମୁଁ ଦୁନିଆରେ ନଥିବି। କିନ୍ତୁ ତମେ ଯଦି ମତେ ପ୍ରକୃତରେ ଭଲପାଇଛ, ତେବେ ମୋ କଥା ରଖିବ। ଇତି ତୁମର ଅଭାଗିନୀ ପ୍ରେମିକା 'ଲିପି'" ହଠାତ ଯେମିତି ପାହାଡଟେ ଲଦିହେଇଗଲା ରମେଶର ମୁଣ୍ଡ ଉପରେ। ହାତଗୋଡ ସ୍ଥାଣୁ ପାଲଟିଗଲା ତାର। କାନ୍ଥରେ ଆଉଜେଇ ହେଇ ଥପ କିନା ବସିପଡ଼ିଲା ସେ ବାରଣ୍ଡା ଉପରେ। ଆଖିର ଲୁହ ବି ଏତେ ନିଷ୍ଠୁର ଯେ, ବାହାରିବାରେ କଞ୍ଜୁସି କରୁଥିଲା। ଅଳ୍ପ ଦୂରରୁ ନିରୀକ୍ଷଣ କରୁଥିବା ଗଙ୍ଗା ବାରିକ ଦୌଡ଼ିଆସିଲେ ପୁଅ ପାଖକୁ।



Rate this content
Log in

Similar oriya story from Tragedy