STORYMIRROR

Lopamudra Parida

Inspirational

4  

Lopamudra Parida

Inspirational

ଦହକ

ଦହକ

5 mins
345

_ଏ ହେଇ ଧୂସାଇ ..... ଧୂସାଇ ବ .... ହେଇଟି ଏଣେ । ଆଉ ଟୋପା ତୁଅଣ ଦେଇ ଯାଉନା । 


_ ହେ କିଏ ସେ କୋଉଠି ଡାକୁଛ ବଡ ପାଟିରେ ଡାକୁନା .... ଏ ଫିସ୍ ଫିସା କଣ ବା । ଆରେ ଖାଇବ ତ ପେଟୁକୁ, ତହିଁକି ପୁଣି ଲାଜ କଣ ? ଲାଜ କଲେ କଣ ଆଉ ଖାଇହବ । ଖାଇଆକୁ ଆଇଚ ଟି, ଓଢଣା ତଳେ ଲୁଚିଲେ ହବ !


_ ଏଁ କୁଣିଆ ଝୁଅ ଙ୍କ ପାଇଁ ଡାକୁଚୁ କି, କଣ ଆମ ନାଗି! ସିଏ ପରା ଲାଜଉଛନ୍ତି । ଆମ ଗାଆଁକୁ ଆଇଚନ୍ତି, ଚରଚା କରିଆନି!


_ କାଇଁ ତାଙ୍କର ପାଟି ନାଇଁ । ପେଟୁଟି ବଡ ଆଖିଟି ସାନ କି ! 


ମୁଁ କହିଲି, "ଏ ପ୍ଲିଜ୍ରେ ! ମୁଁ ଆଉ ଜମା ବି ପାରିବିନି । "ସେମାନେ ଥରକେ ଯେତିକି ଭାତ ନେବେ, ମୋର ଆଠ ଥରକୁ ହବ । ଚିଡାନ୍ତି ସବୁ, ସହରି ପିଲାଙ୍କ ଅନ୍ତ ନାଡ ଶୁକିଲା...... ଟେକା ପାଣି ଗାଧେଇଲ... ଡାଲି ରୁଟି ଖାଇଲ । ବଳ କାଇଁ? ଆଲୋ ସଂସାର କରିବାକୁ ପାରନ୍ତି ଟି ଏମାନେ । 


ସମସ୍ତ ହସ ଫାଟିଲା । 


ଆଗେ ଥିଲା ନାରୀ ମହଲ, ପୁରୁଷ ପ୍ରବେଶ ଅଲମୋଷ୍ଟ ନିଷେଧ । ବାହା ପୁଆଣି ଭୋଜିଭାତରେ ସେଠିକି ହଣ୍ଡା ବୁହାହେଇକି ଯିବ । କିଏ ଦାଣ୍ଡେରେ ବସିବେନି । ସେମିତିରେ କୋଉ ତିଅଣ ଥାଏ କି ଭାଗରେ..... ବଳକା ବଳକି, ହଣ୍ଡା କଡେଇ ପୋଛା, ନଇଲେ ମରିଚ, ଆମ୍ବୁଲ ଫଡେ ଟିପେ ଲୁଣରେ କାମ ଚଳେ । ସେମାନେ ସବୁ ପାଇଟି ଉଠାନ୍ତି, କିନ୍ତୁ ମଣିଷରେ ଗଣା ହୁଅନ୍ତିନି ଯାହା । ମିଣିପେ ଯାହା କହିବେ ତାହା । ମାଇପେଙ୍କର ଜିଭ କାଇଁ!


ଗାଆଁ ମାଟି ଦାଣ୍ଡର ଭୋଜି ନିଆରା, ଏ ମୁଣ୍ଡୁ ସେ ମୁଣ୍ଡ ଯାଏଁ ଧାଆଆଡି କରି ପିଲା କବଲା ଗୋଡ ଟେକି ବସିଥିବେ, ଆଉ ଥାକେ ତାଙ୍କ ପଛକୁ ବସିବାକୁ ଆଗରୁ ଗୋଡ ଭାଙ୍ଗି ଅନିଶା କରିଥିବେ, ଟାକିଥିବେ ଜାଗା ମାଡିବସିବାକୁ । ଗାମୁଛା ଟା ଆଘ ପକେଇଦେଲେ ଯାଇ ଦଖଲ । ପଛକୁ ପୁଣି କଂସା, ଥାଳି ଯୋଡେ ଥୁଆ । ପୁରେଇକି ନେବେ । ଥରକୁ ଥର ବସିବେ । ସୁଡ୍ ସାଡ୍ ଏକତ୍ର ହାପୁଡା ଶବ୍ଦ ଗୋଟେ ତାଳରେ ଶୁଭୁଥିବ । ଦିନୁ ଦିନୁ ସରିବ, ମାଛି ଅନ୍ଧାରୁକୁ ପୋକମାଛି ଦୁଶିବେନି ପରା..... ଗଛବାରି ବାର ପତର ସନ୍ଧିରୁ ନେସି ହେଇ ଓହ୍ଲେଇ ଆସିବ ଅନ୍ଧାର । 

 

ବଡ ବଡ କାଠ ଡଙ୍କା ଯାହା ନଡିଆ ଷଢେଇରେ ତିଆରି ସେଇଥିରେ ବଢା ବଢି । ସାରୁ ନଡିଆ ପକା ଚୁଙ୍ଗୁଡି ମାଛ ଘାଣ୍ଟ, ମୋଟା ଲାଲି ଉଷୁନା ଭାତ, ଟମାଟୋ ଖଟେଇକୁ ଖିରିଟେ ହେଲେ କାହିଁ କଥା । ମୁରବୀ ମାନଙ୍କର କଥା ମାନେ କଥା, କେହି କାଟନ୍ତିନି । 


ଷୋଳଦିନେ ଷୋଳ ପାଳି ବଣ୍ଟା । ସବୁଦିନେ ପଙ୍ଗତ । ଯାହାର ସକ୍ଷକୁ ଚାହିଁ ଯେମନ୍ତ ସଜିଲ ଯୋଗାଡ ଯନ୍ତା । ଦୂତିବାହାନ ପୂଜିଆଠୁ ବରାଦ । ବଇନି ସେଇ ଥାକରେ ହୁଏ, ଯା ପଛକୁ ଯିଏ । 


**************


ନାରୀ ମହଲର କଥାଟି....... କାମ ସବୁ ଦାଣ୍ଡକୁ ଦାଣ୍ଡ ହେଲେ ବି କାନ ସବୁ ତେଣେକି ଡେରା । 


_ଆଏ ଖୁଡୀ, ଆଜି ତିନି ପାଳି ସଇଲେ । ଆଠପୂଜାକୁ ଆଉ ଗଣି ଗଣିକି ଚାରିଦିନି । ଦିସାରିବା' ତ ବାଧିକି ପଡିଛି ଯେ ମାସେ ସରିକି ହେଲେଇ । ଏସନ କଣ ଆଉ ମା' ଆସିବେନି? ଦାଣ୍ଡେରେ କାଠି ନାଚିବେନି?


_ ଆଁ ଇଏ କି କଥାଗୁରା କହୁଛ କିଓ? ମା କିମିତି ଆସିବେନି? ଗାଆଁ ସାତ ଖଣ୍ଡିର ସୁଖଦୁଃଖ କିଏ ବୁଝିବ? ଚାଷବାସ ହାନୀଲାଭ ସବୁ ଆକାଶ ବାଣୀ କିଏ କରିବ? କାହା ଭରସାରେ ଚଳିଆ ଯେ ବରସେ? ଦିସାରିବା' ତାର ଦେଖିବ ଠିକ୍ ବେଳାକୁ ଝାଡି ଝୁଡି ହେଇ ଉଠିବନି କି ! ମା' ପରା ସିଏ । ସମତଙ୍କ ବୋଝ ଭାର ପରା ତାରି କାନ୍ଧେରେ .... ସିଏ ବିଜେ ନ କଲେ ସଂସାର ଚାଲିବଟି । ଚନ୍ଦର ସୂରୁଜ ଆତଯାତ ହବାଯାଏ ମା' ହସିବ ନା ଉ । ଦେଖିବ ରୁଅ । 


ମୁଁ ବାରି ପଟୁଆ ଶଙ୍ଖାରି ସାହି ମଝାମଝି ମୋ ବଉଳ କାତ୍ୟାୟନୀ ଘରକୁ ତା' ସାଙ୍ଗରେ ଗଲି । ସେମାନେ ଛ'ଭଉଣୀ ମା ଖୁଡିଏ ମିଶି ଲାଲି କଳା ଲୁଗା ସଜ କୁଞ୍ଚ କରି ତିଆରୁଥାନ୍ତି । 


_ ଏତେ ବଡ ଶାଢୀ କାହାର ଖୁଡି?


_ କାଠି ଠାକୁରାଣୀଙ୍କର ଲୋ ମା । ଆଉ ଚାରିଦିନେ ପରା କାଠିଯାତ । 

କଣ ହବ କେଜାଣି ଦିସାରିବାକୁ କାଳେ ଶ୍ୱାସ ପେଲୁଛି । ଘଡଘଡେଇଲାଣି । ସମ୍ଭାଳିବ କି ନାଇଁ ଏଥର କେଜାଣି?


ଘରକୁ ସଂଜରେ ଫେରି ଦେଖିଲି, ବାପା ପିତ୍ତଳ ଗୋଲ ଥାଳିରେ ଥାଳିଏ କୋଇଲା ଆଞ୍ଚ ରଖି ଲୁଗାପଟାରେ ସମାନ କି ଘଷୁଛନ୍ତି । ଇସ୍ତ୍ରୀ କରୁଛନ୍ତି । ପଚାରିଲାରୁ କହିଲେ, ଏଇଟା ଗାଆଁ ଆଇରନ୍ । 


କୋଇଲା ଦହକ ବାହାରକୁ ଦିଶୁ ନଥିଲା କିନ୍ତୁ ବାପା ବିଞ୍ଚି ଦେଲା ମାତ୍ରେ ନାରଙ୍ଗିଲାଲି ନିଆଁ ତାର ଉପସ୍ଥିତି ଜାହିର କରୁଥିଲା ..... ମନ ତଳର ଅଖଣ୍ଡ ବିଶ୍ୱାସ ପରି । 


********************


ଚାଙ୍ଗୁ, ଢୋଲ ଢାଁଉଁ ଢାଁଉଁ କି ଶୁଭୁଥାଏ । ଦାଣ୍ଡକୁ ନାଇଁ ଗଲୁ ସମସ୍ତେ ଆପେ, ହାତ ଯୋଡି ହେଇଗଲେ ବି ଆପେ । କାଠି ପଡିଆରେ ଟାଣଟି ପୋତା ଚଉଦ ହାତ ଲମ୍ବ ବଡ ମଜବୁତିଆ ଦଣ୍ଡଟିର ପୁରା ଅଗ୍ର ଭାଗରେ ପିତ୍ତଳଗରା ଲେଉଟା ହୋଇ ଭଲକି ରସିରେ ବନ୍ଧା ......କୁଞ୍ଚ କୁଞ୍ଚ କି ଥାକ ଥାକ ସଜଡା ଲାଲି କଳା ଶାଢୀ ଭେରା ଭେରା କି ବେଢେଇ ଫୁଲ ସିନ୍ଦୂର ବୋଳା କାଠି ଉପରକୁ ହନୁ ପରି ହୁଂକାର ଛାଡି ଉଠିଗଲେ ମାସେ ହେଲା ବାଧିକିରେ ପଡିଥିବା ଦିସାରିବା ' । ଗରା ଉପରେ ବସିଗଲେ ..... ଲଡୁ ମହାପ୍ରସାଦ, ଫୁଲ ବର୍ଷା କରୁଥାନ୍ତି ଗହଳ ଜନତା । ଧରୁଥାନ୍ତି ଖପ୍ ଖାପ୍.... ଆଶ୍ଚର୍ଯ୍ୟ ଲକ୍ଷ୍ୟ ଭେଦ । ଦେବୀ ମାହାମାୟା .. .... ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସାଦ ତଳେ ପଡିବାକୁ ଦିଏନି ବିଶ୍ୱାସରେ ସଫଳ । 


ବଚନ ହେଲା, ଏ ସନ ଧାନ ଫସଲ ଭଲ ହବ । ସମୟରେ ଇନ୍ଦ୍ର ପାଣି ଦବ । 

_ ମୁଗ ବେଳକୁ ବାଲି ଚରିଯିବ । 

_ ବଡ ମୁଣ୍ଡ ଦୁଇଟି ଯିବେ । 

_ ମରୁଡି ଆଶଙ୍କା ନାହିଁ । 

_ ଦେଶଦଶର ମଙ୍ଗଳ ହେବ । 

_ ଦୋଷୀ ସିଏ । ଅକ୍ଷମଣୀୟ । ଦଣ୍ଡ ବିଧାନ ହେଉ ତୁରିତ । 


ଏତେ ଉପରେ ଥାଇ ଝୁଲନ୍ତ ଦେବୀ ରୂପକ କାଳସୀର ଥର ଥର ଦେହ, ବଡ ବଡ ଆଖି, ଲହ ଲହ ଜିଭ ଆଉ ବଦଳୁଥିବା ସ୍ୱର ଆଶ୍ଚର୍ଯ୍ୟ କରାଏ । ମଣିଷ ଦେବତ୍ୱ ପାଇବାର ପଥ ଉଦ୍ଭାବନ ଉଦ୍ଦେଶ୍ୟରେ ଅହରହ ଚୁନା ହେଲା ବେଳେ, ଦେବତ୍ୱ ସାହାରା ନିଏ ସେଇ ମଣିଷର ...... ଅବତରିତ ହେବାକୁ । ଏହାକି ଚକ୍ର?


ଓହ୍ଲାଇ ଆ ମା 'ଓହ୍ଲାଇ ଆ ଏକତ୍ରିତ ପ୍ରାର୍ଥନାରେ ଏକାତ୍ମ ହୋଇ ଖସିଆସେ ମଣିଷ ଶରୀରେ ବିଶ୍ୱାସ ଅବିଶ୍ୱାସର ମଝି ମଝିଆ ଦେବୀ । 


ସବୁରି ଦୁଆରେ କଳସୀ, ଆମ୍ବଡାଳ, ଚାଉଳବାଟଣ ଚିତା । ପନ୍ତି ପାଏ ଦେବୀ ଜୀବନ୍ତ ..... ପି 'ଯାଏ ବେଲା ବେଲା ପଣା, ଖାଇଦିଏ ମୋଟା ସଳିତାର ଅଗରେ ହୁ ହୁ ଜଳୁଥିବା ଘିଅ ସଲଗ୍ନ ଅଗ୍ନିକୁ । କିଛି ତ ଚମତ୍କାର ନିଶ୍ଚିତ ...... ସାଧାରଣ ଛାର ମଣିଷର ଏତେ ଶକ୍ତି କାଇଁ ...... ନିଜର କାଲିକିର ମୁଠାଏ ଭାତ .... ପର ମୂହୁର୍ତ୍ତର ପବନ ଟିକକ ପାଇଁ ଯିଏ ସ୍ୱୟଂ ଅନିର୍ଣ୍ଣିତ, ଅନିଶ୍ଚିତ । 


ହାତେ ଲଅମ୍ବ ଓଢଣା ତଳୁ ପ୍ରଶ୍ନ ସବୁ ବନ୍ଦାପନା ସହ ଆସେ .....ପ୍ରଶ୍ନ ନେଇ ଉତ୍ତର ଫେରାଏ . ମା 'ଦେହୀ ଦିସାରିବା ........


_ ହବ ପୁଅ ହବ । ଝିଅକୁ ଆଦରେ । 

_ ବଡରୋଗରୁ ଭଲ ହେଇଯିବୁ । ମାଆ ବାପାକୁ ପଚାରେ ..... ମୁଣ୍ଡିଆ ମାରେ । 

_ ତୋ ଝିଅକୁ ସମ୍ଭାଳେ ..... ବିଦା କର ବାହା ଦେଇ । 

_ ଏଇ ବରଷ ତୋର ଶେଷ । ଯାଃ । 

_ ବିଦେଶେ ଚାକିରି ଯୋଗ । 

_ ଦୂର୍ ଦୂର୍ ଦୂର୍ । 

_ ହେଲା । ଖୁସି ଥା । 

_ ଅମୁକ ଅମୁକ ଅମୁକ ଅମୁକ ତୋ ଝିଅର କଲିଜା ଖିନ୍ ଭିନ୍ କଲେ । ରକତ ପି' ଯିବି ... ଗୋଟା ଗୋଟା ମୁଣ୍ଡ ମୋଡି ଖାଇବି । 

_ ଫେରିବ ଫେରିବ ବିଦେଶରୁ ଫେରିବ । ଜନ୍ତାଳ ଯାଚେ । 

_ଜମି ମକଦ୍ଦମା ଫଇସଲା ମିଳିବ । 


ଏମିତି ଏମିତି ଜାଗୁଳେଇଙ୍କ ବେଢାରୁ ମଙ୍ଗଳାଙ୍କ ବେଢା ଯାଏ । ହୁଳହୁଳି, ଫୁଲ, ଦୁବ, ଝୁଣା, ଚାଉଳରେ ଗାଆଁ ଦାଣ୍ଡ ମହକିତ । 


ଦିସାରିବା ପଡିଛି ମଙ୍ଗଳା ଦାଣ୍ଡରେ ..... ଅଚେତା । ଚେତା ନାହିଁ । 

ହରିବୋଲ ହରିବୋଲ । ମାଆ ଗଲେ । ମନ୍ଦିରକୁ ବିଜେ କଲେ । ସାଷ୍ଟାଙ୍ଗ କରାଅ ଏଥର । 


************************************


ଷୋଳପୂଜା ହେଲା । ଆଠପୂଜା ଦିନ କିନ୍ତୁ ଏବର୍ଷ ମା' ଲାଗିଲେନି । ଖଟରୁ ଥାଇ ଦିସାରିବା' ବାଣୀ କଲେ,  


_ ଆହୁରି ବିଷମ ଦିନ ଆସୁଛି । 

_ ସଜାଗ ହୁଅ । 

_ ସଜାଗ ହୁଅ । 

_ ସଜାଗ ହୁଅ । ଜାଗ । ନିଜ ଭିତରେ ଚିଅଁ । ମୁଁ ଆଉ ଆସିବିନି । 

ତମକୁ ତମେ ଲାଗ । 

_ ସତ୍ୟ ଯୁଗ ଆସିବ । ଖାଲଖମା ଭର । ଦୃଢ କରି ମନ, ଦାଣ୍ଡ ତିଆର । ଶବରୀ ସାଜ । 

_ ଶ୍ରୀରାମ ଆସିବେ ?


କୋଇଲା ଆଞ୍ଚ ତଳ ନିଆଁକୁ ଯେତେ ବିଞ୍ଚିବ ଦହକ ସେତେ ଉଠିବ । ପବନ ଦିଅ ପବନ । 


ଦକ୍ ଦକ୍ ଜଳୁ, ଦହକ ଉଠୁ । 


ବଞ୍ଚେଇ ରଖରେ ଛାତି ତଳ ଦହକକୁ । 



साहित्याला गुण द्या
लॉग इन

Similar oriya story from Inspirational