Jayashree Maharana

Tragedy Inspirational Others

4  

Jayashree Maharana

Tragedy Inspirational Others

ଧୈର୍ଯ୍ୟ ଓ ସାହସର ଅନୁଭୂତି

ଧୈର୍ଯ୍ୟ ଓ ସାହସର ଅନୁଭୂତି

4 mins
349


ଏ ସଂସାରରେ ଜନ୍ମ ମୃତ୍ୟୁ ଦୁଇଟି ମହାସତ୍ୟ । ଅନ୍ୟ ସବୁ କେବଳ ମୋହ । ଆତ୍ମୀୟଙ୍କୁ ହରାଇବା ଦୁଃଖ କାହାକୁ କି ଅନୁଭୂତି ଦେଇଛି ଜାଣେନା ମୋତେ ଶିଖାଇଛି ଧୈର୍ଯ୍ୟ ଓ ସାହସ ।


 ବାବାଙ୍କ ଦୁର୍ଘଟଣା ପରେ ଗୋଡ଼ ଭାଙ୍ଗିଯାଇଥିବାରୁ ଅସ୍ତ୍ରୋପଚାର କରି ଆଣିବା ପରେ ସେ ସ୍ୱାଭାବିକ ହେଇନଥିଲେ । ଅଳ୍ପ ଅଳ୍ପ ଚଳୁଥିଲେ। ଏ ସମୟରେ ତାଙ୍କ ପାଇଁ ଅନ୍ୟ ଏକ ବିପଦ ମାଡି ଆସିଲା । ପେଟ କାଟୁଥିବାରୁ ଖାଇବା ପିଇବା ଛାଡିଦେଲେ । ବ୍ରହ୍ମପୁର ମେଡିକାଲରେ ଡାକ୍ତର କହିଲେ ପାକସ୍ଥଳୀ ରେ କଣା ହେଇଚି । ଅସ୍ତ୍ରୋପଚାର ନିହାତି ଆଉ ଜଲ୍ଦି କରାଓ ।ଅସ୍ତ୍ରୋପଚାର ପରେ ଘରକୁ ଆସିଲୁ । କିଛି ଦିନ ବାବା ଅଳ୍ପ ଅଳ୍ପ ଖାଇଲେ କିନ୍ତୁ ହଟାତ ଖାଦ୍ୟ ଖାଇବା ଛାଡିଦେଲେ ଆଉ ଶଯ୍ୟାଶାୟୀ ହୋଇଗଲେ । ମେଡିକାଲ ପୁନଶ୍ଚ ନେବା ପାଇଁ ଅର୍ଥ ବଳ ଏବଂ ଲୋକବଳ ଠିକ କରୁ କରୁ ପାରାଲିଜ ହୋଇଗଲେ । ଆମେ ଭୟ କରିଗଲୁ ।ବିସ୍କୁଟ, ହରଲିକସରେ ତାଙ୍କର ଜୀବନ ଚାଲୁଥାଏ । ଏ ଖବର ଶୁଣିବା ମାତ୍ରେ ବନ୍ଧୁବାନ୍ଧବ ବୋଲାଉଥିବା କିଛି ଲୋକ ଆସି ଦେଖିଦେଇ ଚାଲିଗଲେ । ସାହି ପଡିଶା ଲୋକ ମଧ୍ୟ ଘରକୁ ଛୁଟିଲେ । ବୟସ୍କ ଏବଂ ଅଭିଜ୍ଞ ଲୋକଙ୍କର ମତ ଥିଲା ତୁମେ ଟଙ୍କା ଖର୍ଚ୍ଚ କଲେ ବି ଭଲ ହେବା ଅସମ୍ଭବ । ସେ ଜୀବନର ଶେଷ ପାହାଚରେ । କଷ୍ଟ ଲାଗୁଥାଏ । କିନ୍ତୁ ଅସହାୟ ଆମେ । ଜଣେ ସ୍ଥାନୀୟ ଡାକ୍ତର ଦେଖିଦେଇ ଆମକୁ ନିରାଶର ବାଣୀ ଶୁଣାଇଦେଲେ । ଆମେ ଦୁଃଖରେ ଭାଙ୍ଗିପଡିଲୁ ।


  ଶେଷରେ ସେହି ଦୁଃଖଦ ମୁହୂର୍ତ୍ତ ପାଖେଇ ଆସିଲା ।ସେଦିନ ଥାଏ ଦୀପାବଳି । ଘରେ ମୋର ଦିଦି, ସାନଭାଇ, ବୋଉ ଆଉ ମୁଁ ।କାହାରି ଦେହରେ ଜୀବନ ଯେମିତି ନଥାଏ । ବୋଉ ମୋତେ ରୋଷେଇ କରିବା ପାଇଁ କହିଲା । ପାଦ ଉଠୁନଥାଏ ତଥାପି ଗଲି । ଭାତ, ଡାଲମା ବସେଇ ଦେଇ କାହିଁକି କେଜାଣି ନନାଙ୍କ ଆଡ଼କୁ ଟାଣି ହୋଇ ଆସିଲି । ନନା ସେତେବେଳେ ଶେଷ ନିଃଶ୍ୱାସର ଖୁବ ନିକଟବର୍ତ୍ତୀ । ତାଙ୍କ ଅବସ୍ଥା ଦେଖି ମୁଣ୍ଡ ପାଖରେ ଥିବା ପୁରାଣ ବହି ଖୋଲି ଦୁଇପଦ ପଢୁଥାଏ ଏବଂ ତାଙ୍କ ମୁଣ୍ଡ ଉପରେ ହାତ ଆଉଁସୁଥାଏ, ବୋଉ ଦୌଡ଼ିଗଲା ପଡ଼ୋଶୀଙ୍କୁ ଡାକିବା ପାଇଁ କଣ ଏମିତି ହେଉଛନ୍ତି ଜାଣିବା ପାଇଁ । ମୋ ଭାଇ ଭଉଣୀ ଦଉଡି ଆସିଲେ ବାବାଙ୍କ ପାଖକୁ । କିନ୍ତୁ ସେକ୍ଷଣି ତାଙ୍କର ଶରୀର ନିସ୍ତେଜ ହୋଇଗଲା ସବୁଦିନ ପାଇଁ, ଅଟକିଗଲା ଶେଷ ନିଃଶ୍ୱାସ ।ବୋଉ ପଡ଼ୋଶୀଙ୍କୁ ଧରି ପହଂଚିବା ବେଳକୁ ସବୁ କିଛି ସ୍ଥିର ହୋଇସାରିଥିଲା । ଆରପାରିକୁ ଚାଲିଯାଇଥିଲେ ନନା । ସେ ଦୁଃଖଦ ସମୟର ଅନୁଭୂତି ଶବ୍ଦରେ କହିବା ମୋ ପାଇଁ କଷ୍ଟକର । ଆଜି ଲେଖିବା ବେଳକୁ ଆଖିରୁ ବି ଲୁହ ଅଟକିପାରୁନାହିଁ ।


  ସାମାନ୍ୟ କଥାରେ ଅଧୈର୍ଯ୍ୟ ହୋଇପଡୁଥିବା ଝିଅଟେ ମୁଁ । ବୋଉର ଅବସ୍ଥା କେମିତି କହିବି । ବାହାରେ ଏଣେ ପ୍ରବଳ ବର୍ଷା । ମୋ ଭାଇ ଭଉଣୀ ଟିକିଏ ଧୈର୍ଯ୍ୟ ଧରି ବନ୍ଧୁବାନ୍ଧବଙ୍କୁ ଏ ବିଷୟରେ ଜଣାଇଲେ। ଏଣେ ବୋଉକୁ ସମ୍ଭାଳିବା ଆମ ପାଇଁ କଷ୍ଟ ହୋଇପଡୁଥାଏ । ବାରମ୍ବାର ଚେତାଶୂନ୍ୟ ହୋଇପଡୁଥାଏ ।ସାନଭାଇ ମୋର ପଥର ହୋଇସାରିଥାଏ । ଦିଦିର ଧୈର୍ଯ୍ୟ ଦେଖି ମୁଁ ସାହସ ପାଇଲି । କୋକେଇ ପାଇଁ ବାଉଁଶ, ନଡା ଆଦି ସଂଗ୍ରହ କରିବା ଠାରୁ ଆରମ୍ଭ କରି ଶବ ଦାହ ପାଇଁ ଘରେ ଘରେ ଯାଇ ଡାକିବା କାର୍ଯ୍ୟ ସବୁ ଦିଦି କରୁଥାଏ । ତାହାର ଏତେ ଧୈର୍ଯ୍ୟ ଦେଖି ମୁଁ ମଧ୍ୟ ଆଖିର ଲୁହକୁ ଆଖିରେ ମାରି ତାକୁ ସାହାଯ୍ୟ କରିଲି । ଆବଶ୍ୟକୀୟ ସମସ୍ତ ଦ୍ରବ୍ୟ ସଂଗ୍ରହରେ ଲାଗିପଡିଲୁ । ଆସ୍ତେ ଆସ୍ତେ ବନ୍ଧୁବାନ୍ଧବ ସବୁ ଆସିଗଲେ । ଦୀପାବଳି ପାଇଁ ଶବଦାହ ପାଇଁ ସମସ୍ତେ ମନାକଲେ ।ଆମେ କଣ କରିବୁ କଣ ନ କରିବୁ ଭାବି ଭାବି ଅଧୈର୍ଯ୍ୟ ହେଲେ ମଧ୍ୟ ସାହସ ବାନ୍ଧି ପୁରୀ ସ୍ୱର୍ଗଦ୍ୱାରକୁ ନେବା ପାଇଁ ବ୍ୟବସ୍ଥା କରିଲୁ । କିଛି ଲୋକ କୋକେଇ ସଜ କରୁଥାନ୍ତି । ବୋଉକୁ ସମ୍ଭାଳିବା ପାଇଁ ଆତ୍ମୀୟମାନେ ଥାଆନ୍ତି ।ଦିଦିର ଧୈର୍ଯ୍ୟ ଓ ସାହସ ଯୋଗୁଁ ସବୁ ବ୍ୟବସ୍ଥା ଯଥାଶୀଘ୍ର ସରିଲା ଏବଂ ଶବ ନେଇ ମୋ ଭାଇ ,ଭିଣୋଇ ବାହାରିଗଲେ ।ସେସମୟ ମୋ ପାଇଁ ବହୁତ କଷ୍ଟଦାୟକ ଥିଲା ।ମୁଁ ଗାଡିଯାଏ ଛୁଟି ଯାଉଥାଏ ।ମୋର ଜଣେ ଭାଇ ଆଉ ମାମୁଁ ଆମକୁ ସାନ୍ତ୍ୱନା ନୁହେଁ ବରଂ ଗାଳି ଦେଉଥାନ୍ତି ସେପଟେ ବିଳମ୍ବ ହେବ ।ଧୈର୍ଯ୍ୟ ଧରିବ ନା ଏମିତି କଣ ହେଉଛ ।ଆଶ୍ଚର୍ଯ୍ୟ ଲାଗୁଥାଏ ମୋତେ । କି ଆତ୍ମୀୟ ଏମାନେ ।ଜୀବନରେ କଣ ନିଜର ଲୋକଙ୍କୁ ହରାଇନାହାନ୍ତି । ସେ ଦୁଃଖ କଣ ଅନୁଭବ କରିନାହାନ୍ତି ।ତଥାପି ମୁଁ ଧୈର୍ଯ୍ୟ ଧରି ମୋ ବୋଉ ଆଉ ଦିଦି କୁ ସମ୍ଭାଳିବାରେ ଲାଗିଲି ।ଯୋଉ ଦିଦି ଏତେ ସମୟ ଧରି ସବୁ ପ୍ରସ୍ତୁତି କଲା ତାକୁ ଏମିତି ଅଧୈର୍ଯ୍ୟ ହେବାର ଦେଖି ମୋ ମନରେ ଧୈର୍ଯ୍ୟ ବାନ୍ଧିବାକୁ ବାଧ୍ୟ ହେଲି । ବନ୍ଧୁବାନ୍ଧବ ସବୁ ଚାଲିଗଲେ ।ଘରେ ରହିଗଲୁ ଆମେ ଚାରିଜଣ ।


 ଆମ ପରମ୍ପରାକୁ ମାନିବା ଆମର କର୍ତ୍ତବ୍ୟ । ତେଣୁ ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକୀୟ ବ୍ୟବସ୍ଥାରେ ଲାଗିପଡିଲୁ ।ଭାଇ ବାବାଙ୍କୁ ମୁଖାଗ୍ନି ଦେଇଥିବାରୁ ଘରୁ କୁଆଡେ ଯିବାକୁ ମନାକଲେ ସମସ୍ତେ । ଦିଦି ସବୁ ବ୍ୟବସ୍ଥା କରିବା ପାଇଁ ଅଣ୍ଟା ଭିଡ଼ିଲା । ମୁଁ କେବଳ ତାକୁ ଅନୁସରଣ କରିଲି ।ଲୁଗାପଟା କିଣା, ଶୀତଳ ପାଇଁ ବ୍ୟବସ୍ଥା, ବ୍ରାହ୍ମଣ, ଧୋବା, ବାରିକ ସମସ୍ତଙ୍କୁ ଯାଇ କହିଲୁ । କୌଣସି ବନ୍ଧୁବାନ୍ଧବଙ୍କର ଦେଖା ନଥାଏ ।ଏମିତି କି ସମସ୍ତଙ୍କୁ ଖବର ଦେବା କାର୍ଯ୍ୟ ଦୁଇଭଉଣୀ କରିଲୁ । କ୍ରିୟାକର୍ମ ପାଇଁ ନିର୍ଦ୍ଧାରିତ ସ୍ଥାନକୁ କୋଡ଼ି ନେଇ ସଫାସୁତୁରା ବି ନିଜେ କଲୁ । ସାଇ ପଡିଶା ଆଶ୍ଚର୍ଯ୍ୟ ହେଉଥାନ୍ତି । ଆମର ଧୈର୍ୟ୍ଯ ଦେଖି । ବୋଉ ମଧ୍ୟ ଆମ ଧୈର୍ଯ୍ୟ ଦେଖି ଧୈର୍ଯ୍ୟ ଧରି ସବୁ କାମରେ ଆମକୁ ପରାମର୍ଶ ଦେଉଥାଏ । ନଅ ଦିନ କାର୍ଯ୍ୟ ରେ ବନ୍ଧୁବାନ୍ଧବ ଯୋଗ ଦେଲେ । ଆମ ମନରେ ସେମାନଙ୍କ ପ୍ରତି ଆଉ ସମ୍ମନ ନଥିଲା । ବୀରଦର୍ପରେ ଆମେ କାହାକୁ ଖାତିର ନ କରି ସବୁ ସମ୍ଭାଳି ନେଉଥିଲୁ । ସେଥିପାଇଁ କିଛି ଅହଂକାରୀ ଅତ୍ମୀୟସ୍ଵଜନ ଆମଙ୍କୁ ଗର୍ବୀ, ମୁର୍ଖ, ଖଳ ସ୍ଵଭାବରେ ଆଖ୍ୟାୟିତ କରିଥିଲେ । ଆମେ ଚୁପ ରହିଥିଲୁ । ଏମିତି ଧୈର୍ଯ୍ୟର ସହ ସମସ୍ତ କ୍ରିୟାକର୍ମ ସାରିଲୁ । ପରେ ସାହି ପଡିଶା କିଞ୍ଚିତ ସହଯୋଗ କରିଥିଲେ ।ସହିପଡ଼ିଶାଙ୍କ ମୁହଁରେ ଆମର ଧୈର୍ଯ୍ୟ ଓ ସାହସ ର ଭୁରି ଭୁରି ପ୍ରଂଶସା ଥିଲା କିନ୍ତୁ ଆତ୍ମୀୟଙ୍କ ମନରେ କ୍ରୋଧ ।କାରଣ ସେମାନଙ୍କ ବାରମ୍ବାର ଖୋସାମତ ନ କରି ଆମେ ନିଜେ ସବୁ ବ୍ୟବସ୍ଥା କରିଥିଲୁ ।ଆମର ଚିନ୍ତାଧାରା ଥିଲା ଭିନ୍ନ । ଆତ୍ମୀୟ କିଏ ?ବିପଦ ସମୟରେ ଯିଏ ପାଖରେ ଠିଆ ହୁଏ । କିନ୍ତୁ ଅନୁରୋଧ ରେ ଯିଏ ସାହାଯ୍ୟ କରେ ସେ କଣ ଆତ୍ମୀୟ ?ତେବେ ବାହାର ଲୋକଙ୍କୁ ଅନୁରୋଧ କୁ ମୁଁ ଶ୍ରେୟସ୍କର ମନେ କରେ ।


  ବାବା ଚାଲିଗଲେଣି ପ୍ରାୟ ଚାରିବର୍ଷ ହେବ ।କିନ୍ତୁ ଯେଉଁ ଧୈର୍ଯ୍ୟ ସାହସର ପାଠ ଶିଖିଲୁ ତାହା ସାରା ଜୀବନ ପାଇଁ ଆମର ପଥପ୍ରଦର୍ଶକ ବୋଲି ମୁଁ ମନେକରେ ।ଏସବୁ କେବଳ ମୋ ଦିଦି ଯୋଗୁଁ ସମ୍ଭବ ।


 


Rate this content
Log in

Similar oriya story from Tragedy