Jayashree Maharana

Tragedy Inspirational Others

3  

Jayashree Maharana

Tragedy Inspirational Others

ଧାରେ ହସ

ଧାରେ ହସ

5 mins
145


ମାଆ !ମାଆ !ମୋତେ ଜୋରେ ଭୋକ ।ମୁଁ ଆଉ ସମ୍ଭାଳି ପାରୁନି ମାଆ। ମୋ ପେଟ ଭିତର କଣ ହେଇଯାଉଛି ।ତିନି କି ଚାରି ବର୍ଷର ଝିଅର ବିକଳ ସହିପାରୁନଥିଲେ ମଧ୍ୟ ମାଆ ତା'ର ଅସହାୟ ।ନୀରବରେ କେବଳ ଆଖିରୁ ଦୁଇଧାର ଲୁହ ଗଡି ଯାଉଥିଲା ।ଭାଇ ତା'ର ସାତ ଆଠ ବର୍ଷର ହେଲେ ମଧ୍ୟ ବୁଦ୍ଧି ଯେମିତି ବଡ଼ ଲୋକଙ୍କ ପରି ।ମାଆ ବି ବାଛି ବାଛି ନାଁ ଦେଇଛି ଦୀନା ।ମାଆର ଅସହାୟତାକୁ ଅନୁଭବ କରିପାରିଥିଲା ।ନିଜ ପେଟର ଯନ୍ତ୍ରଣାକୁ ଚାପି ପାଣି ଗିଲାସେ ଆଣି କୁନି ଭଉଣୀକୁ ପିଆଇବାକୁ ଚେଷ୍ଟା କରୁଥିଲା ।କୁନି ଝିଅଟି ଗିଲାସଟିକୁ ହାତରେ ଆଡେଇ ଦେଇ ପେଟକୁ ଜାବୁଡି ଧରୁଥିଲା ।ଅନ୍ୟ ଉପାୟ ନ ପାଇ ମିଛ ଭରସାଟିଏ ଦେଇଦେବାକୁ ସ୍ଥିର କଲା ।ନା ନା ଝୁଅ ତୁ ଏଇ ପାଣି ଗିଲାସେ ଏବେ ପିଇଦିଏ ମୁଁ ଯାଉଛି ତୋ ପାଇଁ କଣ ଆଣିବି ।ଯାହା ହେଉ ଭାଇର ଭରଷା ରେ କୁନି ଝିଅଟିର ଆଖି ଟା ସାମାନ୍ୟ ନିର୍ମଳ ଦେଖାଗଲା ।ଭାଇଠାରୁ ପାଣି ପିଇ ସେଇ ଗୋବରଲିପା ଘରେ ଶୋଇଗଲା ।ବୋଧ ହୁଏ ଶୋଇ ଶୋଇ ସ୍ୱାଦିଷ୍ଟ ଖାଦ୍ୟର ସ୍ବପ୍ନ ଦେଖିବାକୁ ସତେ ଯେମିତି ସେ ବ୍ୟଗ୍ର ।


ଏଥର ମାଆ ଓ ପୁଅ ଟିକେ ଆଶ୍ୱସ୍ତ ହେଲେ ।ପାଣି ଗିଲାସେ ଢକ ଢକ କରି ପିଇଗଲା ଦୀନା।ମାଆକୁ ବି ପିଆଇଦେଲା ଗିଲାସେ ପାଣି ।ସେ ଜାଣେ ମାଆ ସିନା କହିପାରୁନି ଝୁଅ ପରି ଆଉ ତା ପରି ମାଆକୁ ଭୀଷଣ ଭୋକ ଲାଗୁଥିବ ।


ଆଖି ଖୋଲିଲା ଦୁନିଆକୁ ଦେଖିଲା ଦିନୁ ଦୁନିଆକୁ ସାମାନ୍ୟ ବୁଝିଲା ଦିନୁ ଦୀନା ଦେଖିଚି ଏମିତି ଗୋବର ଲିପା ତଳ କୁ ତମ୍ବୁ ଘେରା ଘରଟି ତାହାର ।ରେଳଧାରଣା କଡ଼ରେ ଘରଟି ।ସେ ଯେତେବେଳେ ଜନ୍ମହେଲା ମାଆ ତା'ର ତା ଶୁଖିଲା ସ୍ତନରୁ ଟିକିଏ ଖୁଆଇଦେଇ ବାହାରିଯାଏ ପ୍ଲାଟଫୋର୍ମ ଆଡ଼କୁ ।ହାତ ପାତି ମାଗିଥାଏ ବାବୁମାନଙ୍କୁ ।କିଏ ଟଙ୍କାଏ ତ କିଏ ଦରଦୀ ଲୋକ ଦୁଇ କିମ୍ବା ପାଞ୍ଚ ଟଙ୍କା ବଢାଇଦିଅନ୍ତି ।ଦିନେ ଦିନେ ସେତିକି ବି ଭାଗ୍ୟରେ ଜୁଟେନି ।ବାପ ତାହାର କୁଷ୍ଠରୋଗୀ ।ପାଦ ଆଉ ହାତର ଅବସ୍ଥା ଦେଖିଲେ ଯେକେହି ବିକଳ ହେବ ।ପୂର୍ବଦିନର ଦିନସାରା ମାଆର ରୋଜଗାରରୁ ଯାହା ମିଳିଥାଏ ଡାଲି ,ଚାଉଳ ଆଉ କେବେ କେବେ ଆଳୁ ଟିକେ ବି ହୋଇଯାଏ ।ସେତିକିକୁ ଚୁଲିରେ ଫୁଟେଇଦିଏ ।ମାଆ ତା'ର ଖରାବେଳେ ଆସିଲେ ଆଗେ ଦୀନାକୁ ପୁଣି ଶୁଖିଲା ସ୍ତନକୁ ପାଟିରେ ଧରାଇଦିଏ ।ତାପରେ ମାଆ ,ବାପ ଦୁହେଁ ଖାଇନିଅନ୍ତି ଆଉ କିଛି ରାତି ପାଇଁ ସାଇତି ନିଅନ୍ତି ।ପୁଣି ମାଆ ଚାଲିଯାଏ ।ବାପା ଜଗିକି ଥାଏ ।ତମ୍ବୁ ଘର ଭିତରେ ଠାଏ ଠାଏ ସରୁ ଗାର ପରି ଆଲୁଅ ଦେଖି ଖୁସିରେ ଗୋଡ଼ ହାତ ବାଡେଇ ଖେଳୁଥିଲା ଦୀନା ।ବେଳେବେଳେ ବରଷା ଝଡ଼ ହେଲେ ପାଣି ବି ଝରିଆସେ ସେ କଣା ଦେଇ ।କାନ୍ଦି ଉଠେ ଦୀନା ।ବାପ ତାହାର କୋଳକୁ ନେଇ ଜରିଟିଏ ଘୋଡାଇ ଦିଏ ।ଟିକିଏ ଠୁକୁ ଠୁକୁ ଚାଲିବା ପରେ ମାଆ ଆଉ ତାକୁ ଆଉ କ୍ଷୀର ନ ଦେଇ ସେଇ ଭାତ ଡାଲି ଚକଡ଼ି ଖାଇବାକୁ ଦିଏ ।ଏମିତି ଦିନ ପରେ ଦିନ ଗଡିଚାଲିଛି ।ହିସାବ ନଥିଲେ ବି ଅନୁମାନରେ ଦୀନା ସାତ ଆଠ ବରଷର ହେଇଗଲାଣି ।ମାଆର ଅବସ୍ଥା ଜୀବନର କଥା ଟିକିଏ ଟିକିଏ ବୁଝିଗଲାଣି।କୋଉ ବଡ଼ ଲୋକଙ୍କ ପିଲା ଯେ ଜନ୍ମଦିନ ମନେ ରଖି କେତେ ବର୍ଷ ହେଲା ଜାଣିବ ।ଏମିତି ଅବସ୍ଥା ଆଜି ବି ଅଛି ।ହଁ ଫରକ ଏତିକି ଭଉଣୀ ତାହାର ଜନ୍ମ ହେବାର କିଛି ଦିନ ପରେ ବାପାର କଣ ହେଲା କେଜାଣି ଶେଯରେ ପଡ଼ିରହିଲା ।ଦେହରେ ଖଇଫୁଟା ତାତି ।ମାଆ ଯେତେ ଗରମ ନାଲି ଚାହା ପାଉଁରୁଟି ଦେଲା ଭଲ ହେଲାନି ।ତାହାର ଠିକ ମନେ ଅଛି ସେତେବେଳେ ତିନି ଚାରିଦିନ ଯାଏଁ ଚୁଲି ଜଳିନି ।କୁନି ଝୁଅକୁ ମାଆ ଦୀନା କୋଳରେ ଧରେଇ ଦେଇ ଚାଲେ ପ୍ଲାଟଫୋର୍ମ ଆଡେ ।କିନ୍ତୁ ମଝିରେ ମଝିରେ ଦଉଡି ଆସି ବାପା କୁ ଆଉ କୁନି ଝୁଅକୁ ଦେଖିଦେଇଯାଏ ।ଏମିତି ତିନି ଚାରିଦିନ ପରେ ବାପା କାହିଁକି କେଜାଣି କାଠ ପରି ହୋଇଗଲେ ।ଆଉ ହଲଚଲ ହେଲେ ନାହିଁ ।ମାଆ ତ ଛାତିକି ବାଡେଇ କାନ୍ଦୁଥାଏ ।ପାଖ ତମ୍ବୁର ନିଧିଆ କକା ,କୁଶିଆ ଜେଜେ ଏମିତି ଚାରିଜଣ ବାପାକୁ ନେଇ କୁଆଡେ ଚାଲିଗଲେ ।ସେଦିନଠାରୁ ବାପାକୁ ଦେଖିନି ଦୀନା ।ହଁ ଏତିକି ଦେଖିଚି ମାଆ ଆଉ ଆଗପରି ହାତରେ ଚୁଡି ଦିପଟ ପିନ୍ଧୁନି କି ନାଲି ରଙ୍ଗ ସେ ମୁଣ୍ଡରେ ମାରୁନି ।ଖାଲି ଏତିକି ବୁଝିଛି ବାପା ତାହାର କୁଆଡେ ତାରା ହେଇଗଲେ ।ଆକାଶକୁ ପଲେଇଲେ ।ସେଦିନଠାରୁ କୁନି ଝୁଅର ବାପା ମାଆ ସାଜିଛି ଦୀନା ।କୁନି ହାତରେ ତାର ଝାଡ଼ା ପୋଛିଛି ।ପରିଶ୍ରାକନା ଧୋଇଛି ।ମାଆ ଏଥର ସନ୍ଧ୍ୟାରେ କଣ ଟିକେ ରୋଷେଇ କରିଦିଏ ସେତକ ରାତିରେ ଖାଇ ପୁଣି ଦିନବେଳେ ଖାଇବାକୁ ପଡେ ।କିନ୍ତୁ ଏବେ ଦୀନା ରୋଷେଇ ଶିଖିଲାଣି ।ଆଉ ବାସି ନଖାଇ ସକାଳେ ବି ଦୁଇଟା କଣ ଫୁଟେଇ ଦିଏ ।ଭଉଣୀ କୁ ଖୁଆଇ ନିଜେ ଖାଇ ତମ୍ବୁ ଘରର ଜରି ଦୁଆରକୁ ଘୋଡାଇ ବେଳେବେଳେ ଭଉଣୀକୁ ନେଇ ଷ୍ଟେସନ ଆଡେ ଯାଇ ମାଆ ପରି ବାବୁ ମାନଙ୍କୁ କିଛି କିଛି ମାଗେ ।ନୂଆ ପୋଷାକଟିଏ ଭାଗ୍ୟରେ ଯୁଟିବା ବଡ଼କଥା ।ହଁ ବେଳେବେଳେ କିଛି ଲୋକ ଆସନ୍ତି ।ଖାଇବା ଜିନିଷ କିଛି ଆଉ ପୁରୁଣା ପୋଷାକ କେତେହଳ କେବଳ ତାକୁ ନୁହେଁ ସେ ପାଖରେ ଯେତେ ଘର ଅଛନ୍ତି ସମସ୍ତଙ୍କୁ ଦେଇଯାଆନ୍ତି ।ଦୀନା ଭାବେ ଯାହାହେଉ ଭଗବାନ ବୋଧେ ଆସିଥିଲେ ମଣିଷ ରୂପରେ ।


କିନ୍ତୁ ଏବେ ଦୁଇ ଚାରିଦିନ ହେବ କଣ ଗୋଟେ ହେଇଛି ଯେ ରୋଗ ।ଲୋକ ଆଉ ବାହାରକୁ ଆସୁନାହାନ୍ତି ।ସବୁ ଗାଡି ,ବସ,ଟ୍ରେନ ସବୁ ବନ୍ଦ ।ଚାରିଆଡ଼ ଶୂନଶାନ ।ଯାହା କିଛି ଘରେ ଥିଲା ସବୁ ସରିଲାଣି ।କୋଉ ବଡ଼ ଲୋକ ଯେ ଟଙ୍କା ପଇସା ଡାଲି ଚାଉଳ ସାଇତି ରଖିଥାନ୍ତେ ।ଘରେ ତ ଦୁଇ ଚରିହଳ ପୁରୁଣା ପୋଷାକ ଆଉ ଅଧା ଚିରା କେତୋଟି ଲୁଗା ,ଦୁଇ ଚାରିଖଣ୍ଡ ବାସନ ,ଏମିତି ନିହାତି ମଣିଷ ବଂଚିବା ଆଉ ଚଳିବା ପାଇଁ ନିହାତି ଜରୁରୀ ଦୁଇ ଚାରିଟା ଜିନିଷ ବ୍ୟତୀତ କିଛି ନାହିଁ ।ହଁ ବେଳେବେଳେ ମାଆ ସାବୁନ ,ତେଲ ଟିକେ କିଣିଆଣେ ।ଅଧା ଭଙ୍ଗା ଆଇନାରେ ଦୁଇ ଚାରିଟି ଦାନ୍ତ ନଥିବା ପାନିଆରେ ତେଲ ଲଗାଇ ମୁଣ୍ଡ କୁଣ୍ଡାଇ ପକାଏ ଦୀନା ।ଭଉଣୀକୁ ଲଗେଇ ଦିଏ ।ଆହା ସତରେ ଝୁଅଟା ତାଙ୍କର ରାଣୀ କଣ୍ଢେଇ ଟିଏ ।ଯଥା ସମ୍ଭବ ତେଲ ସାବୁନର ବ୍ୟବସ୍ଥା କରିବାକୁ ଚେଷ୍ଟା କରେ କୁନି ଝୁଅ ପାଇଁ ।ସଜେଇ ଦେଇ ହାତଧରି ସେ ପାଖରେ ବୁଲାଇ ଆଣେ ।କେହିଜଦି କି ସୁନ୍ଦର ଦିଶୁଚି କୁନି ଝୁଅ କହିଦିଏ ତେବେ ଦୀନାର ପେଟ ଅଧା ପୁରିଯାଏ ଖୁସିରେ ।ଏବେ ଦୁଇ ଜଣ ରୋଜଗାର କରିବାରୁ କିଛି ଟଙ୍କା ରଖିଛନ୍ତି ।ହେଲେ ସେଥିରେ ତ ଏବେ ଦୁଇ ଚାରିଦିନ ହେବ ଚଳିଗଲେ କିନ୍ତୁ ଆଜି ତ କିଛି ନାହିଁ ।କଣ କରାଯିବ ।ମନେ ମନେ ସ୍ଥିର କଲା ଦୀନା କିଛି ନା କିଛି କରିବାକୁ ହେବ ।ଦେଖିବା ଜଗୁଆ ପୋଲିସ ବାବୁଙ୍କୁ କିଛି ଟଙ୍କା ମାଗିବ ।ତା ଭଉଣୀର ଭୋକ କଥା ଶୁଣି ହୁଏତ ବାବୁ କିଛି ଦେଇପାରନ୍ତି ।


ଘରର ଗୋଟେ କୋଣରେ ପଡିରହିଥିବା ଚିରା ମସିଆ ଶାର୍ଟଟି ପିନ୍ଧି ବାହାରିପଡିବା ବେଳକୁ ଆଖିରେ ପଡ଼ିଲା ଗୋଟେ ଗାଡି ।ଆଉ ଗାଡି ଭିତରେ କିଛି ଲୋକ ।ଆଶାର ନୂଆ କିରଣ ବୁଣି ହୋଇଗଲା ଦୀନାର ମନରେ ।ନିଶ୍ଚିତ ଏଇ ବାବୁମାନଙ୍କୁ ମାଗିଲେ କିଛି ଖାଇବାକୁ ମିଳିଯିବ ।ସତକୁ ସତ ଦୀନାର ମନକଥା ଯେମିତି ବୁଝିପାରୁଥିଲେ ଏଇ ବାବୁମାନେ ।ଗାଡି ଭିତରୁ ବିସ୍କୁଟ,ଡାଲି,ଚାଉଳ ,ଆଳୁ ,ସାବୁନ ଏମିତି ଅନେକ ଜିନିଷ ବାହାର କରିନେଇଥିଲେ ବାବୁମାନେ ।ଦୀନା ଆଉ କୁଆଡେ ନଯାଇ ଦୁଆର ମୁହଁରେ ସେମିତି ବାବୁମାନଙ୍କୁ ଚାହିଁରହିଥିଲା ।ବାବୁମାନେ ଘର ଘର ବୁଲି ଆଣିଥିବା ସମସ୍ତ ଦ୍ରବ୍ୟ ବାଣ୍ଟିବା ଆରମ୍ଭ କରିଦେବାରୁ ଦୀନା ଆଶ୍ୱସ୍ତ ହୋଇ ନିଶ୍ୱାସ ମାରିଲା ।


ଜଣେ ବାବୁ ଦୀନା ଘର ସାମ୍ନାରେ ଆସି ଦୀନାକୁ ମାଆବାପା କାହାନ୍ତି ବୋଲି ପ୍ରଶ୍ନ କରିବାରୁ ଦୀନାର ମାଆ ବାହାରକୁ ବାହାରି ଆସିଲେ ।ବାବୁ ଡାଲି,ଚାଉଳ,ଆଳୁ,ବିସ୍କୁଟ ଧରାଇ ଦେଇ ଏଇ ସମୟରେ ବ୍ୟସ୍ତ ହୁଅନି ।ଆମେ ଯେତିକି ପାରିଛୁ ସାମାନ୍ୟ ସାହାଯ୍ୟ କରିଛୁ ।ସରକାର ମଧ୍ୟ ତୁମ ମାନଙ୍କର ଖାଇବା ପିଇବାର ବ୍ୟବସ୍ଥା କରିବାକୁ ଯୋଜନା କରୁଛନ୍ତି ।ଭୟଙ୍କର ରୋଗକୁ ଅଟକାଇବା ପାଇଁ ଏମିତି ବନ୍ଦ ନିହାତି ଜରୁରୀ ଥିଲା ମାଆ ।ଆଜିର ଦୁଃଖ ଆମକୁ ଭବିଷ୍ୟତର ସୁଖ ଦେବ ।ଘରଦ୍ୱାର ପରିଷ୍କାର ପରିଚ୍ଛନ୍ନ ରଖିବ ।ଦୁଃଖ କରନା ।ବିପଦ ନିଶ୍ଚୟ ଟଳିଯିବ ।ଦୀନା ମନଦେଇ ବାବୁଙ୍କ କଥା ଶୁଣୁଥିଲା ।ଏତିକି କହୁ କହୁ ଦୀନା ହାତରେ ବାବୁ ଆଉ ଗୋଟିଏ ବିସ୍କୁଟ ପ୍ୟାକେଟ ଧରାଇ ଟିକିଏ ଆଉଁସିଦେଲେ ।ଦୀନା ଓଠରେ ଖେଳିଗଲା ଧାରେ ହସ ।ସେ ହସ ଥିଲା ବିଶ୍ୱାସର ,ଶାନ୍ତିର ଆଉ ଭରଷାର ।ଦୀନା ଭାବୁଥିଲା ଭଗବାନ ଯେମିତି ଆସିଛନ୍ତି ତା ଅଞ୍ଚଳକୁ ।ପଡୋଶୀ ଘରକୁ ବାବୁ ଚାଲିଯାଉଥିବା ବେଳେ ଦୀନାର ହାତ ଆପେ ଆପେ ଯୋଡିହେଇଯାଉଥିଲା ବାବୁଙ୍କ ଉଦ୍ଦେଶ୍ୟରେ ।

କୁନିଝୁଅର ଭୋକ ଦୁରେଇ ଯିବ ବୋଲି ଦଉଡି ଯାଇଥିଲା ଝୁଅକୁ ଉଠାଇବାକୁ ।



Rate this content
Log in

Similar oriya story from Tragedy