Gargi Mishra

Drama Romance Fantasy

4  

Gargi Mishra

Drama Romance Fantasy

ଧାରାଶ୍ରାବଣ

ଧାରାଶ୍ରାବଣ

5 mins
319


  


         

ଏକ ସୁନ୍ଦର ଭାବନା ଦେଇ ଗତିକରୁଥାନ୍ତି ଦୁହେଁ l ସତରେ ଏ ଭଲ ପାଇବା ମନ ଭିତରେ ଅମୃତର ସିଞ୍ଚନ କରାଏ l ହୃଦୟର କୋଣ ଅନୁକୋଣରୁ ଦେବସୁଲଭ ଗୁଣସବୁକୁ ସାଉଁଟି ତୁଳସୀ ପରି ପବିତ୍ର ପବିତ୍ର କରିଦିଏ ଦେହମନ l ଅନ୍ୟ ମାନେତ କେବଳ ଓଦା ହୁଅନ୍ତି,ଧାରା ଶ୍ରାବଣକୁ ଅନୁଭବ କରନ୍ତି କିନ୍ତୁ ହାତ ଗଣତି କେଇଜଣ l


ଓଡ଼ିଆ ଟିଭି ସିରିଏଲ 'ତୁଳସୀ'ରେ ମୁଖ୍ୟ ଭୂମିକାରେ ଅଭିନୟ କରୁ କରୁ ଅନାମିକାକୁ ସମସ୍ତେ ତୁଳସୀ ରୁପେ ଅଧିକ ଜାଣିଥିଲେ l ଫିଲ୍ମ ବା ସିରିଏଲରେ ହିରୋଇନ ଭାବେ କାମକଲେ ମଧ୍ୟ ମର୍ଯ୍ୟାଦାର ସହ ଘର ଏରୁଣ୍ଡି ବନ୍ଧଟପି ମର୍ଯ୍ୟାଦାର ସହ ଦୈନିକ ଫେରନ୍ତି ସେ l ସମୟ ନଷ୍ଟ ନ କରି, ଯେତେବେଳେ ସୁବିଧା ସେତେବେଳେ ଗପବହି କିମ୍ବା ଉପନ୍ୟାସଟିଏ ହାତରେ ଧରି ପଢୁଥାନ୍ତି l


ଅନ୍ୟମାନଙ୍କୁ ନିଜଠୁ କୋଷେ ଦୁରରେ ରଖନ୍ତି ବିଶେଷ କରି ସାଥି ଅଭିନେତା ମାନଙ୍କୁ l ସମସ୍ତଙ୍କ ଚାବିକାଠି ମୋଡ଼ି ଜାଣନ୍ତି ବୋଲି ଡ଼ାଇରେକ୍ଟର ପ୍ରଡ୍ୟୁସରଙ୍କ ଠୁଁ ନେଇ ସମସ୍ତେ ଭୟ କରନ୍ତି ତାଙ୍କ ନିକଟତର ହେବାକୁ l 


ଅନାମିକାଙ୍କ ମା' କମ ବୟସରେ ଇହଧାମ ତ୍ୟାଗକଲେ l ବାପାଥିଲେ ଜଣେ ମେକାନିକ l ଗାଡି ସଜ କରୁ କରୁ ଦିନେ ଅକସ୍ମାତ ଇଂଜିନ ତାଙ୍କ ଉପରେ ଖସିପଡି ଗୋଡ଼ହାଡ଼ ଭାଙ୍ଗି ନଥିଲେ ହୁଏତ ଅନ୍ୟ ମାନଙ୍କ ପରି ସରଳ ଜୀବନଟିଏ ଜିଁ'ଥାନ୍ତେ ଆଜି l


ଖୁବ ପାଠପଢ଼ି ଶିକ୍ଷିତ ଶ୍ରେଣୀରେ ଗଣା ହୋଇଥାନ୍ତେ ଆଜି l


ବାପାକହନ୍ତି, ପେଟ ପୋଷ ନାହିଁ ଦୋଷ l ସୁନ୍ଦର ଚେହେରା ଆଉ ଅଭିନୟ କରିବାର ଦକ୍ଷତା ତାଙ୍କୁ ଭଲ ପଇସା ରୋଜଗାର କରିବାର ଖୋରାକ ଯୋଗାଇଦେଇ ଥାଏ l


ଲୋକେ କୁହନ୍ତି ପ୍ୟାକଅପ ପରେ କୁଆଡେ ବିଶ୍ୱସ୍ତ ଡ୍ରାଇଭର ଅଜୁ ସାଙ୍ଗରେ ହିଁ ଅଧିକ କଥା ହୁଅନ୍ତି ସେ l ଆଉ ସମସ୍ତେ ଗାନ୍ଧାନ୍ତି ତାଙ୍କୁ l ଡ୍ରାଇଭର ହେଲେ କଣ ହେଲା? ସ୍ଵଭାଵରେ ନମ୍ର, ଶାନ୍ତ ଏବଂ କର୍ମଠ ହେବାସହ ଦେଖିବାକୁ ଡେଙ୍ଗା, ଗୋରା, ଆକର୍ଷଣୀୟ ଚେହେରା l ଝିଅଟିଏ ଆଉ କଣଚାହେଁ ?


ହେଲେ ଅଜୁ ଖୁବ ସଂଭ୍ରମର ସହିତ ଦେଖେ ଅନାମିକା ମ୍ୟାଡ଼ାମଙ୍କୁ l ଲକ୍ଷ୍ମଣରେଖା ଭିତରେ ରହି ନିଜ ସହିତ ଅନାମିକାଙ୍କ ସମ୍ମାନ ମଧ୍ୟ ରକ୍ଷାକରେ l ଫଳରେ ଦୁନିଆ ଆଖିରେ ଆଖି ମିଶେଇଚାଲେ l ଯିଏ ଯାହାର ବିଚାରକୁ ନେଇ ଭାବିବାକୁ ଛାଡିଦିଏ l ଭୋକୁଥିବା କୁକୁରମାନେ ଭୋକି ଭୋକି ବଳେ ଥକି ଶୋଇ ପଡନ୍ତି l ଦରକାର ହେଲେ ଆଗପଛ ହୋଇ ରୋଟି ଟୁକୁଡା ପାଇଁ ଲାଙ୍ଗୁଡ଼ ହଲାନ୍ତି l ନିନ୍ଦୁକ ଙ୍କ ଅପେକ୍ଷା ପ୍ରଶଂସକଙ୍କ ମାତ୍ରା ଅଧିକ ଦେଖି କାହାରିକୁ ଅଭିଯୋଗ 

କରନ୍ତିନି ଅନାମିକା l 


ଦିନକର ଘଟଣା .....ଟ୍ରାଫିକ ବହୁତ ଅଧିକଥାଏ l ଢେରବେଳ ଖରା ଗୁଳୁମୁଳିରେ ଅପେକ୍ଷା କଲେଣି l ଗାଡି ଇଞ୍ଚେ ଘୁଞ୍ଚୁନି l ମ୍ୟାଡ଼ାମ ନିଜ ମୁଣ୍ଡ ଚିପି ଅମୃତାଞ୍ଜନ ଲଗାଇଲେ l 

ପାଣି ବୋତଲ ଦେଇ କହିବ କି ନ କହିବ ଭାବି ଶେଷରେ କହିଲା, 

- କିଛି ଖାଇ ନାହାନ୍ତି ବୋଧେ ମ୍ୟାଡ଼ାମ l ପେଟ ଗରମ ଆଉ ଗ୍ୟାସ ପରି ଲାଗୁଛି l ଏଇ ଅଳ୍ପ ବାଟରେ ମୋ ଘର l ଚିନ୍ତା କରନ୍ତୁନି l ଘରେ ମୋ ବୋଉଅଛି l ସଜପଖାଳ ଗଣ୍ଡେ ଖାଇବେ?

ଅନାମିକା ହାତଘଣ୍ଟାରେ ଦେଖିଲେ ଦୁଇ ଘଣ୍ଟା ସମୟ ବାକିଅଛି ସୁଟ ପାଇଁ l ଅଳ୍ପହସି ଦେଇ ହଁ କଲେ l ରାସ୍ତା କଡ଼ରେ ଗାଡି ରଖି ଅଜୁ ଆଗରେ ଆଗରେ ଚାଲିଲା ଆଉ ପଛରେ ତା ଘରକୁ କେଜାଣି କାହିଁକି ଏକ ସରଳ ବିଶ୍ୱାସରେ ଚାଲିଗଲେ ଅନାମିକା l 


ପହିଲି ଆଷାଢ଼ l ଟୁପ ଟୁପ ମେଘ l କାହା ପାଖେ ଛତାନାହିଁ l ଖୋଲା ଲମ୍ବା କେଶରେ ପାଣି ପଡି କଳା ମଚମଚ ଦିଶୁଥାଏ l କଳାକେଶ ରାଜି ଫାଙ୍କରୁ ମୁହଁ ଆହୁରି ତୋଫାଗୋରା ଦିଶୁଥାଏ l ଲୋକ ଚିନ୍ହିଦେବେ କାଳେ ମୁଣ୍ଡରେ ଦୁପଟ୍ଟା ଘେରେଇ ଦେଲେ ଅନାମିକା l ଅଜୁକୁ ଦେବୀ ଟିଏ ପରି ଲାଗୁଥାନ୍ତି ମ୍ୟାଡ଼ାମ l 

ବସ୍ତି ଭିତରେ ଏକ ଝୁମ୍ପୁଡି l ଭିତରେ ବୁଢ଼ୀ ଲୋକଟିକୁ ଦେଖି ନମସ୍କାର କଲେ l


- ତୁଳସୀ? ତୁ ମୋ ଅଜୁର ମାଲିକାଣି ନାଁ? ଅଜୁକୁ କେତେଥର କହିଲିଣି ତୋତେ ଘରକୁ ଡାକିବାକୁ l ଆ ମା ଆ l

ଭିତରକୁ ପାଛୋଟି ନେଇ ଶାଢ଼ୀକାନିରେ ମୁହଁ ହାତ ପୋଛି ତଳେ ପିଢାପାରି ବସାଇଲେ ଅଜୁବୋଉ l ପଖାଳ, ସଜନା ଶାଗ, ଭେଣ୍ଡି ଭଜା ସାଙ୍ଗକୁ ବଡିଚୁରା ବାଢିଦେଲେ l ବାଡ଼ି କାକୁଡିକୁ ଚୁନ ଚୁନ କାଟି ପଖାଳରେ ଘୋଳ ଦହିଦେଇ ମିଶାଇଦେଲେ l


ମାଛଭାଜି ଆଣିଲା ଭିତରେ ପଖାଳତକ ସାରିବାକୁ ବସିଲାଣି l

ଅନାମିକା ହାତ ଠାରି ମନା କଲେ, 


-ମାଉସୀ, ଥାଉ ଦରକାର ନାହିଁ ଆଇଁଷ l ମୁଁ ସାଧା ପ୍ରୀୟ l

ଅଜୁ କହୁଥାଏ,

-ଦହି ଆଉ ମାଛ ଅନୁକୂଳ ମ୍ୟାଡ଼ାମ l ବମ୍ବେରୁ ଆପଣଙ୍କୁ ସିରିଏଲ ଅଫର ଆସିଛି l ଆପଣ ସୁଟ ସାରି ନୂଆପ୍ରୋଜେକ୍ଟ ପାଇଁ ଅଡିସନ ଦେବାକୁ ଯିବେ l ଦେଖିବେ ନିଶ୍ଚେ ସିଲେକ୍ଟ ହେବେ l 


ଦୁର୍ଭିକ୍ଷରୁ ଆସିଲାପରି ଭାତ ମାଛ ଖାଇ ତୋରାଣି ମୁନ୍ଦେ ପି' ଦେଲେ ଅନାମିକା l ତାଙ୍କ ଖାଇବାକୁ ମା' ପୁଅ ବଲବଲକି ଚାହିଁଥାନ୍ତି l 

ସେମାନଙ୍କୁ ଚାହିଁବାର ଦେଖି କହିଲେ,


- ଫିଗର ମେଣ୍ଟେନ କରିବାକୁ ମୋତେ ଅନେକ ଦିନ ବିନା ଭାତରେ ରହିବାକୁ ପଡିଛି l ଗୋଟେ ଯୁଗ ପରେ ଖାଇଲି l ଗୋଟେ ମଜାକଥା କହିବି? ମୁଁ ବହୁତ ମୋଟୀ ଥିଲି l ମୋ ବାପା ମୋ ଖାଇବା ଓ ବ୍ୟାୟାମ ଉପରେ ଖୁବ ଅଧିକ ଯତ୍ନଶୀଳ l ଓଜନ ମାପିବା ଯନ୍ତ୍ର ଆଣି ସବୁଦିନ ଓଜନ ମାପିବାକୁ କହିଲେ l ମୁଁ ଖୁବ ନିଷ୍ଠାପର ଭାବେ କାମକଲି ହେଲେ ଯେତେ ଚେଷ୍ଟା କଲେବି ମୋ ଲକ୍ଷ୍ୟଠୁଁ କଣ୍ଟା ଦୂରରେ l ଦିନେ ସୁଟିଂ ସେଟରେ ଓଜନ ଦେଖିଲି ଘରଠୁ ଛ' କେଜି କମ l ଜାଣିଲି ବାପା ତେବେ କଣ୍ଟା ଏପଟ ସେପଟ କରି ଦେଇଛନ୍ତି ମତେ ଅଧିକ ଖୁସି ହେବାରୁ କ୍ଷାନ୍ତ କରିବାକୁ ଆଉ ଅଳସୁଆ ନ ହେବାକୁ l


କିନ୍ତୁ ପଖାଳ ମୋ ପ୍ରାଣ l ମୁଁ ବି ମଝିରେ ମଝିରେ ବାପାଙ୍କୁ ନ କହି ପଖାଳ ଖାଇଦେଉଛି l


ସମସ୍ତେ ଏକାବେଳେ ହସିଉଠିଲେ l


ବୋଉ ବାଡ଼ି କାକୁଡି ଆଉ ଆମ୍ବସଢା ଜରିରେ ଭର୍ତ୍ତି କରୁଥାନ୍ତି l

ଅଜୁ ପ୍ରଥମଥର ମ୍ୟାଡ଼ାମଙ୍କୁ ଏମିତି ଗପିବା ଆଉ ଖୋଲା ହସ ହସିବାର ଦେଖୁଥିଲା l କହିଲା,


- ମୋ ବୋଉ ଆପଣଙ୍କ ସିରିଏଲ ହି ଖାଲି ଦେଖେ l ଆଉ କାହାରି ନୁହେଁ l ତା ଛଡା ପାଲା, ଦାସକାଠିଆ ଆଉ ପଲ୍ଲିଶ୍ରୀ ବି l ମୋ ବାପା ସାଧାରଣ ଚାଷୀ ଥିଲେ l ମୋ ଉପରେ ଆଉ ତିନି ଭାଇ, ଜଣେ ଫୀସରି ଡିପାର୍ଟମେଣ୍ଟ ଅଫିସର, ଜଣେ ବ୍ୟାଙ୍କ ଆସିଷ୍ଟାଣ୍ଟ ଆଉ ଜଣେ ଓକିଲ l ସମସ୍ତେ ପଇସାଵାଲା l ଖାଲି ମୋର ପାଠ ହୁଏନି ବୋଲି ମୁଁ ଡ୍ରାଇଭର ହୋଇଛି l ସେମାନଙ୍କ ଚଳଣି ଖାଇବା ପିଇବା ସବୁଭଲ l ବୋଉକୁ ଯେତେ କହିଲେ, ସେମାନଙ୍କ ଘରେ ପନିର, ପୁଲାଉ ନ ଖାଇ ମୋ ଘରେ ଶାଗ ପଖାଳ ଖାଇ ପଡିଛି ଦେଖୁ ନାହାନ୍ତି? ଆପଣଙ୍କ ବିଷୟରେ କୁହନ୍ତୁ ନା? 


ଅଜୁର ଦୁଃଖ କାହାଣୀ ଶୁଣି ନିଜ ଦୁଃଖ କହିବାକୁ ଇଚ୍ଛା ହେଲାନି ଆଉ l ଭାଇ ମାନଙ୍କ ଉପରେ ଅଭିମାନ କରିବା ଯୋଗୁଁ ସାଙ୍ଗେ ସାଙ୍ଗ ଅନାମିକା ବୁଝାଇ କହିଲେ, 


- ହମ୍ l ଭାବିବା କଥା ତ!! ଶାଗ ପଖାଳରେ ଏମିତି କଣ ଅଛି ଯାହା ପନିର ପୁଲାଓରେ ନାହିଁ? ବଡ଼ ଭଗ୍ୟବାନ ତୁମେ ମା ତୁମ ପାଖେ ରହିବାକୁ ପସନ୍ଦ କରନ୍ତି l ଅଜୁକୁ ଗଭୀର ଭାବନାରେ ଛାଡି ହାତମୁହଁ ଧୋଇ ବାହାରି ପଡିଲେ ଅନାମିକା l


ବୋଉଙ୍କଠୁଁ ଆଶୀର୍ବାଦ ଓ ବିଦାୟ ନେଇ ଆସିଲା ବେଳେ ପଛରୁ କହୁଥିଲେ,

-ଏ ଅଜୁ, ମଝିରେ ମଝିରେ ମୋ ତୁଳସୀକୁ ତୁ ଘରକୁ ଆଣି ଆସୁଥିବୁରେ l 

ଘରୁ ବାହାରୁ ବାହାରୁ ଅଜୁ ମୁଣ୍ଡ ଚାଳରେ ବାଜିଲା l ବୋଧହୁଏ ଅନ୍ୟମନସ୍କ ଥିଲା l

ବୋଉ ଆଉ ମ୍ୟାଡ଼ାମଙ୍କ ମୁହଁରୁ ଏକାବେଳେ ଶୁଭିଲା,


-'ଆହା, ଦେଖିକି l ଅଜୁକୁ ବଡ଼ ସୁନ୍ଦର ଶୁଭିଲା l 


ଜରିରେ ପୁଡିଏ ସ୍ନେହ ଧରି ଫେରିଲା ବେଳକୁ ଅଧାରାସ୍ତାରେ ଅଚାନକ ଜୋରମେଘ l ଅଜୁ ଛତା ଆଣି ଆସିଥାଏ l ଛତା ଫିଟାଇ ମ୍ୟାଡ଼ାମଙ୍କୁ ଦେଇ ଆଗରେ ଆଗରେ ନିଜେ ଓଦା ହେଇଯାଉଥାଏ ଅଜୁ l ତାର ସରଳପଣ ଦେଖି ଭାରି ଦୟାଲାଗିଲା l


 ଅନାମିକା କହିଲେ,


-ଦେଖ ଅଜୁ, ରଥରେ ତିନି ଠାକୁର l କେମିତି ଠାକୁରଙ୍କ ସବୁ ରିତିନିତି ମଣିଷଙ୍କ ପରି l ତାଙ୍କୁ ଠାକୁର ପରି ମୁଣ୍ଡରେ ବସାଇ ରଖିବାକୁ ନୁହଁ,ସେ ଚାହାଁନ୍ତି ମଣିଷପରି ଗେଲ, ଆଦର ଟିକେ l ଜାଣିଛ ଅଜୁ, ମୋତେ ଅନ୍ୟମାନେ କେବଳ ଏକ ସେଲିବ୍ରେଟି ହିସାବରେ ଦେଖିଛନ୍ତି l ପ୍ରଥମଥର ତୁମେ ସାଧାରଣ ମଣିଷ ହିସାବରେ ଦେଖିଲ l ଭୋକ ଶୋଷ ବୁଝି ଗଣ୍ଡେ ଖାଇବାକୁ ଡାକିଲ l ଯାହାବି କଲ ଏକ ମଣିଷର ମଣିଷ ପ୍ରତି କର୍ତ୍ତବ୍ୟ ଭାବି କଲ l ମୁଁ ବି ମଣିଷର ଅଧିକାର ନେଇ ତୁମକୁ କିଛି ଦେଉଛି l ମୋ ତରଫରୁ ଏକ ଛୋଟଉପହାର l


ଏହା କହି ଦୁଇହଜାରଟଙ୍କିଆ ଦୁଇଟି ନୋଟ ଅଜୁକୁ ଜବରଦସ୍ତି ଧରାଇଦେଲେ ଅନାମିକା l


ଏ ଘଟଣାକୁ ବର୍ଷେ ପୁରା ହୋଇଗଲା l ରଥଟଣା ହେଉଥାଏ l ଭାବନା ରାଜ୍ୟରୁ ଫେରି ଆସିଲା ଅଜୁ l 


ବମ୍ବେରେ ମ୍ୟାଡ଼ାମ ବଡ଼ ପ୍ରୋଜେକଟରେ କାମ କରିବାର ଶୁଣି ଭାରି ଖୁସିଟେ ହୋଇ ମୁଣ୍ଡିଆ ମାରିଲା ଅଜୁ l


ସରକାର ଦୁଇ ହଜାର ଟଙ୍କିଆନୋଟ ସବୁ ରଦ୍ଧ କଲେଣି l ହେଲେ ଅଜୁର ଇଛାହେଲାନି ଫେରେଇବାକୁ l କାହିଁ କେଜାଣି ସେମିତି ଆଲବମରେ ଅଠାମାରି ରଖିଥିଲା ତାଙ୍କ ସ୍ମୃତି ଟିକକ l ହୁଏତ ଅନ୍ୟର ମଙ୍ଗଳକାମନା କରିବା ହିଁ ଭଲ ପାଇବାର ଅନ୍ୟନାମ l ହଁ, ଭଲ ପାଇଥିଲା ଅନାମିକା ମ୍ୟାଡ଼ାମଙ୍କୁ ସେ ଆଉ ସେମିତି ଭଲ ପାଉଥିବ ଆଜୀବନ l ବୁନ୍ଦା ବୁନ୍ଦା ବର୍ଷା ଟୋପା ଦେଖି କାର ଉଇଣ୍ଡୋ କାଚ ତଳକୁ ଖସାଇ ଦେଇଥାଏ ଅଜୁ l


ସେପଟେ ଅନାମିକା ବି ଟୁପୁ ଟୁପୁ ମେଘର ଛିଟାକୁ ଦେଖି ବନ୍ଦ କରିବାକୁ ଚାହିଁବି ବନ୍ଦ କରିପାରୁନଥାନ୍ତି ଝର୍କା l ବର୍ଷାଦେଖିଲେ ଅଜୁ ମନେପଡୁଥାଏ l ବାପା ଚାଲିଗଲାପରେ ଦୁନିଆରେ ଖୁବ ଏକା ଏକା ଅନାମିକା କିନ୍ତୁ ବମ୍ବେଛାଡି ଚାହୁଁଥିଲେ ଆପଣେଇ ନେବାକୁ ଏକ ସରଳ ଜୀବନ l ଧାରା ଶ୍ରାବଣ l ପୃଥିବୀର ଦୁଇ ଅଲଗା ଅଲଗା ପ୍ରାନ୍ତରେ ଅଜାଣତରେ ଲୁହରେ ଭିଜୁଥାନ୍ତି ଦୁଇମନ l

    

                     


Rate this content
Log in

Similar oriya story from Drama