shibananda barik

Inspirational

3  

shibananda barik

Inspirational

ଦେହ ରାକ୍ଷସ

ଦେହ ରାକ୍ଷସ

5 mins
252



ବୁଢ଼ୀ ଆଜି ମନ୍ଦିରକୁ ସଅଳ ସଅଳ ବାହାରିଗଲା । ଆଜି ପରା ବିଜୟାଦଶମୀ , ମା ମନ୍ଦିର ରେ ଖୁବ୍ ଭିଡ଼ ହବ । ଆଜି ଧୂପ ଦୀପ ବେଲପତ୍ର ଫୁଲ ମାଳ ସାଙ୍ଗକୁ ବୁଢ଼ୀ ନଡ଼ିଆ କେତେଟା ବି ଗାଁ ବାରିପଟ ଗଛରୁ ସାନିଆ କୁ କହି ନେଇ ଯାଇଛି ବିକ୍ରୀ କରିବା ପାଇଁ। ପୂଜା ପୁନେଁଇ ପରବ ଦିନଗୁଡ଼ିକରେ ଲୋକ ଗହଳି ରେ ବୁଢ଼ୀର ଦି ପଇସା ଅଧିକା ହୁଏ । ବାବୁ ଆପଣେ, ମା ,ମାଉସୀ ଲୋ ଝିଅ, ପୁଅରେ କହି ବୁଢ଼ୀ ସଭିଙ୍କୁ ଡାକି ଡାକି ମାଳ ଦୀପ ଧରେଇ ଦିଏ । ଆଜି କିନ୍ତୁ ପୁରା ଭୋଗ ଥାଳି କରିଛି । ବାଉଁଶ ପାତିଆରେ ନଡ଼ିଆ ଗୋଟିକୁ କଦଳୀ ଗୋଟେ , ମାଳ ଗୋଟେ ,ଦୀପ ଧୂପ ଇତ୍ୟାଦି ରଖି ଯାଚି ଯାଚି ଧରେଇ ଦଉଛି । ଅଧିକା ବି ତାର ଲୋଡା ନାହିଁ , କିଏ ଅଛି ଯେ ତାର ଖାଇବ? ଗାଏଁ ମୋଟ କରି ତ ଦି ପ୍ରାଣୀର ପେଟ ସଂସାର , ଚମ୍ପା ଆଉ ସେ । ଚମ୍ପା ବୁଢ଼ୀର ନାତୁଣୀ ।ପିଲାବେଳୁ ମା କୁ ଖାଇଥିଲା ଆଉ ପାଞ୍ଚ ବରଷ ର ହେଇଥିଲା ବାପ ବି ରୋଗରେ ପଡି ଗଲା । ନାଁ ଯେମିତି ଦେଖିବାକୁ ବି ସେମିତି । ନୂଆ ନୂଆ ଷୋଳ ଫଗୁଣ ଛୁଇଁଛି ତାକୁ। ଚମ୍ପା ରଙ୍ଗର ବଦନକୁ ଗୋଲ ଗୋଲ କଳା ଭଅଁର ଆଖି ଯୋଡ଼ିକ କାମୁକର କାମ ବାଣ ପରି କାହାକୁ ବିନ୍ଧିବ ବିନ୍ଧିବ ବୋଲି ହେଉଛି ଯେମିତି । ଗାଁ ପୋଖରୀ ଭୁଆସୁଣୀ ତୁଠରେ ଗାଧେଇଲା ବେଳେ ତାର ଅର୍ଦ୍ଧନଗ୍ନ ଅବୟବ ମୋହରେ କେତେ ଯେ ଭେଣ୍ଡିଆ ପୋଖରୀ ହୁଡା ଚାନ୍ଦିନୀ ଚଉରା ମୂଳେ ବସିଥାନ୍ତି ତାର କଳନା ନାହିଁ। ଧୋବ ସରସର ପାଣିଲଗା ଦିହରେ ହଳଦୀ ମାଖି ଚାଲିଗଲା ବେଳେ କେତେ ଯେ ତା ପାଇଁ ପାଗଳ ହୁଅନ୍ତି । ସେ କିନ୍ତୁ ଏସବୁଠୁ ଦୂରରେ । ହାଇସ୍କୁଲ ପାଠ ଟା ଯେମିତି ହେଲେ କଷ୍ଟକରି ସାରିଦେଲେ ବୁଢ଼ୀ ଖୁସି ହବ ଆଊ ଯୋଉ ପଇସା କିଛି ସେ ରଖିଛି ସେଥିରେ ତା ପାଇଁ ସାଇକଲ ଖଣ୍ଡେ ସାନିଆ ଭାଇକୁ କହି କିଣିଆଣିବ ଆଉ ଘର କାମ ମନ୍ଦିର କାମ ସାରି ତାରି ଉପରେ ବସି ମାଳତୀକୁ ପଛରେ ବସେଇ ସେ ଗାଁ ଯାକ ବୁଲିବ ବୋଲି ବୁଢ଼ୀ କୁ କଥା ଦେଇଛି , ଏକ ଗଲେ ବୁଢ଼ୀ ରାଜି ନାଇଁ। ବୁଢ଼ୀ ର ସୁବିଧା ହବ କାହା ହାତରେ କହି ପଠେଇଲେ ଟୋକି ଆସି ଦରକାରୀ ଚିଜ ଗଣ୍ଡିକ ଦେଇଯିବ ବୁଢ଼ୀକୁ । ସନିଆକୁ କେତେ କହିବ ନିତି ଆସି ଦେଇ ଯିବା ପାଇଁ ବିଚରା ତ କିନ୍ତୁ କେବେ ମନା କରେନି । ଖୁବ୍ ଭଲ ପିଲାଟି। ବୁଢ଼ୀର ଭଲ ମନ୍ଦ ହନି ଲାଭ ବୁଝେ । ଇତ୍ୟାଦି.... ଇତ୍ୟାଦି.....। 

   ଆଜି ସକାଳୁ ସକାଳୁ କଣ ଦିଟା ପଖାଳ ଖାଇଦେଇ ବୁଢ଼ୀ ଯାଇଛି ମନ୍ଦିର । ପୁଣି ଯାଇ ସନ୍ଧ୍ୟାରେ ଫେରିବ । ଦ୍ଵି ପହର ବେଳେ ସାନିଆ ଭାଇ ହାତରେ ପଖାଳ ଆଊ ବାଡିପଛ ସଜନା ଶାଗ ଭଜା ସାଙ୍ଗକୁ ଆଳୁ ବାଇଗଣ ବେସର ଆଉ ଦି ଖଣ୍ଡ ପିଆଜ ପଠେଇ ଦେଇଛି ବୁଢ଼ୀ ପାଇଁ। ସାଇକେଲଟିଏ ଆଣିବା ଯାଏ ବୁଢ଼ୀର ସଉକ ଜାଣି ଖାଇବାକୁ ଦେଇ ମନ କିଣିବାକୁ ହବ। କହି ପଠେଇଛି ସନ୍ଧ୍ୟାବେଳେ ସନିଆ ଭାଇ ସହ ତା ପାଖକୁ ଯିବ ଠାକୁରାଣୀ ଯାତ୍ରା ଦେଖି , ମନା କଲେ ଆଉ ତା ପାଇଁ କିଛି କରିବନି କହି ଧମକ ବି ଦେଇଛି। ବୁଢ଼ୀ ବି ରାଜି ହେଇଛି ।

    ପଶ୍ଚିମ ପଟୁ ସୁରୁଜ ବାହୁଡିଲେଣି। ପକ୍ଷୀ ଗୁଡାକ ବି ଯେ ଯା ବସା ବାଟ ଧରି ଉଡିଲେଣି। ଚମ୍ପା ମନ ଭରି ଖୁସି। ବେଗା ବେଗି ବାହାରି ଯିବାକୁ ତିନି ଥର କହି ଆସିଲାଣି ସନିଆ ଭାଇକୁ। ମୁହଁରେ ହଳଦୀ ,ଠିକ୍ ଶିବ ମଥାର ସ୍ଵର୍ଣ୍ଣଚମ୍ପା । ଆଖିରେ କଳା କଜଳ ଗାର , ମୋହିନୀ ପରି । ପାଦରେ ନାଲି ନାଲି ରକ୍ତାଜବା ଅଳତା। କାନ ରେ ତା ବୋଉର କାନଫୁଲ ହଳିକ ଝୁଲି ଝୁଲି ଖୁବ୍ ଆକର୍ଷଣୀୟ ଲାଗୁଛି ଗଛ ଡାଳରେ ଝୁଲୁଥାଏ ଗୋଲାପ ପରି। କପାଳରେ ମାଛି ମୁହଁ ପରି କଳା ଟିକିଲି ଖଣ୍ଡେ ଦେଉଳ ଉପରେ ପୂର୍ଣ୍ଣ ବାନା ପରି। ଗଲା ବରଷ ପୁନେଇ ରେ ଯୋଉ ଜରି ଖଞ୍ଜା ନୀଳ ରାଜସ୍ଥାନୀ ଘାଗରା ଆଣିଥିଲା ତାକୁ ପିନ୍ଧି ବାହାରକୁ ବାହାରିଗଲା ସତେ ଯେମିତି ବିଷ କନ୍ୟା ଗୋଟାଏ ସରଗ ରୁ ଖସି ଆସି ସବୁ ଯୁବକ ପ୍ରାଣକୁ ଦଂସି ତରଳେଇ ଧ୍ଵଂସ କରିଦେବ । ସନିଆ ତାକୁ କିଛି କ୍ଷଣ ଆଁ କରି ଚାହିଁ ରହିଲା......


 ଏ ସନିଆ ଭାଇ.... ମୁଁ କଣ ଭଲ ଦିଶୁନି କି ? ନା ଆଊ ଯୋଉ ଗଣେଶ ପୂଜା ରେ ତୁ ଆଣିଥିଲୁ ସେଇ ନାଲି ଛିଟା ଦିଆ ଲମ୍ବା ସାଲୱରଟା ପିନ୍ଧିବି କହ ତ।।


 ନା, ନା... ଆଲୋ ଏଇଥିରେ ତୁ ପୁରା ସରଗ ରାଇଜ ପରିଟେ ଲଗୁଛୁ । ସତରେ । ଆ ବସେ... ଭିଡିକି ଧ ପଛକୁ ।


ଯାତରା ନା ସରୁଣୁ ବୁଢ଼ୀ ଦୁଇ ଜଣକୁ ବେଗା ଵେଗି ଘରବାଟ ଧରିବାକୁ କହିଲା । ଦୁହେଁ ପୁଣି ଫେରିଲେ । ଜହ୍ନପୋଖ ରାତି। ରଣ ପିଠାଉ ଆଲୁଅରେ ମୁହଁକୁ ମୁହଁ ଦିଶୁଛି । ଅଶିଣ ଆକାଶ ଖଣ୍ଡେ ପଟେ କୋଉଠି ଧଳା ମେଘ ଟିକିଏ ଉଡି ବୁଲୁଛି । ସିରି ସିରି ବାଆ ଗଛ ଗହଳି ଭିତରେ ଟିକେ ଥଣ୍ଡା ଧରୁଛି । ନୀଳ ଚୁନି ଖଣ୍ଡିକରେ ଯଥା ଛାଏଁ ନିଜକୁ ଟିକେ ଘୋଡେଇ ଧରି ସମ୍ଭାଳି ନୋଉଛି ସେ ପଛରେ ବସି। ଅନ୍ଧାର ରାତି ଖାଲ ଢିପ ରାସ୍ତାରେ ସାଇକଲ ଟାଣି ଟାଣି ସନିଆ ଧଇଁ ସଇଁ ହେଇଗଲାଣି ଯାହା ତାର ଦୀର୍ଘ ନିଶ୍ଵାସ ଓ ଦେହରୁ ଭାସି ଆସିଥିବା ମଚମଚ ଝାଳର ଗନ୍ଧରୁ ବାରି ହୋଇ ପଡ଼ୁଛି । ଦୁହେଁ ଖୁବ୍ ନୀରବ। ଏଣୁ ବୁଦା ମୂଳର ମଳି ଝିନ୍ଟିକା ର କିନି କିନି ଶବ୍ଦ ସ୍ପଷ୍ଟ ବାରି ହେଇପଡୁଛି। ଦୁହେଁ ଘର ମୁହାଁ...


ସନିଆ ଭାଇ ! କଣ ହେଲା କିରେ ? ସାଇକେଲ କାଇଁ ଅଟକେଇଲୁ?

  

 ଓହୋ... ଓହ୍ଲେଇଲୁ ଟିକିଏ। ପରିସ୍ରା ଲାଗିଲାଣି, ସାଇକେଲଟାକୁ ଭିଡି ଧ ଟିକିଏ।

ବାସ୍... । ଏତିକି । ଅନ୍ଧାର ଜହ୍ନପୋଖ ରାତିରେ କେତେ ଜଣ ରାକ୍ଷସ ଲୁଚି ରହିଥିଲେ ବିଲୁଆ କୁକୁରଙ୍କ ପରି ଗଛ ଆଢୁଆଳରେ ଝାମ୍ପାମାରି ଘାଇଲା କରି ଶିକାର କରିବାକୁ । ପଛପଟୁ ମାଡ଼ି ବସିଲା କେହି ଜଣେ ପାଟିକୁ ଜାବୁଡି ଧରି। ଆଉ ଜଣେ କାନ୍ଧ ଉପରୁ ଚୁନିଟି ଟାଣି ଆଣି ପଛ ପଟେ ବାନ୍ଧିଦେଲା ଦୁଇ ହାତ କୁ। ସେ କିଛି ବୁଝିବା ଆଗରୁ କାହା କାନ୍ଧଉପରେ ସେ ସବାର ହୋଇ ସାରିଥିଲା। କିଛି ଜାଣିବା ଆଗରୁ ଟେକି ନେଇଗଲେ କାମୁକ ରକ୍ଷସ ଗୁଡ଼ାକ ମୁଖ୍ୟ ରାସ୍ତାରୁ ଭିତରକୁ । ମାତ୍ର କେଇ ମୁହୂର୍ତ୍ତରେ ତାର କୋମଳ ମାଂସକୁ ଟାଣି ଭିଡି ଖାଇଗଲେ। ସତେକି ଆଜନ୍ମ କ୍ଷୁଧାର୍ତ୍ତ । ଝାପସା ଆଲୁଅରେ ସେ ଦେଖିଲା ଦୁଇ ହାତ ଗୋଡ଼କୁ ମାଡ଼ି ବସିଛି ମନ୍ଦିର ପାଖରେ ବସି ଏଣୁ ତେଣୁ କଥା କହି ତାକୁ ସବୁବେଳେ ଚିଡାଉଥିବା ମନୁ ଭାଇ । କାନ୍ଧକୁ ମାଡ଼ି ବସିଥାଏ ପଡିଶା କମଳା ବୋଉର ସାନ ପୁଅ ଗୋପିି, ସୁରଥରୁ ଏବେ ଫେରିଛି । ମୁହଁକୁ ଖୁବ୍ ଜୋର୍ ରେ ଚାପି ଧରିଛି ସ୍କୁଲ୍ ପାଖ ବରଗଛ ମୂଳେ ବସି ଚାହୁଁଥିବା ମଦୁଆ କୁନା। ଶିକାରୀ ଜାଲରେ ପଡି ଜୀବନ ବିକଳରେ ଛଟପଟ ହୋଇଥିବା ଗଡ଼ିଶ ପରି ସେ ବିକଳେଇ ଯାଉଥାଏ । କିନ୍ତୁ ମୁହଁ ଖୋଲି ପାଟିକରି କାହାକୁ ଡାକି ସାହାର୍ଯ୍ୟ ବି ମାଗି ପାରୁନି ସେ । ଖୁବ୍ ଅସହାୟ , ଖୁବ୍ ନିରସ୍ତ୍ର ।ଖାଲି ଝରି ପଡ଼ୁଛି ଲୁହ । ସାମ୍ନାକୁ ଚାଲି ଆସିଲା ଭଦ୍ର ମୁଖା ତଳେ ଲୁଚିଥିବା ଦେହ ରାକ୍ଷସ ଏ ସବୁ ନର୍କ ଯନ୍ତ୍ରଣାର ସୃଷ୍ଟିକାରୀ, ସନିଆ ଭାଇ । ତାକୁ ଦେଖି ଚମ୍ପାର ଗୁଣ୍ଡିଆରେ ଆଉ ପାଣି ରହିଲାନି । ନାଟିକା ଶୁଖି ହାଲୁକା ହେଇଗଲା । ଦେହରୁ ଗୋଟି ଗୋଟି କରି ଚିରି ଫିଙ୍ଗିଦେଲା ଜରି ଲଗା ଘାଗରା ଟିକୁ, ସେଇ ଭାଇ ଯିଏ ଦିନେ ତା ପାଇଁ ବଜାରରୁ ଭଳିକି ଭଳି ଖଦି କିଣି ଆଣିଥିଲା ସେ ଆଜି ଚିରି ଫାଡ଼ି ତାକୁ ଉଲଗ୍ନ କରିଦେଉଛି। କିନ୍ତୁ କିଛି କରିବାକୁ ଆଉ ଯୁ ନାହିଁ। ଚଢ଼ିଗଲା ନର ରାକ୍ଷସ । ଓହୋ କି କଷ୍ଟ । ଆହା... । ନିସ୍ତବ୍ଧ ରାତ୍ରି ର ଶୁନସାନ୍ ଅନ୍ଧାର ଲୁଚେଇ ରଖିଥିଲା ଏଇଭଳି ନର୍କ ତା ପାଇଁ । ଜଣକ ପରେ ଜଣେ ଖେଳି ଚାଲିଲେ କଁଅଳିଆ ଦିହ ସାଙ୍ଗରେ। ଖିନ୍ ଭିନ୍ କରି ଖାଇ ଚାଲିଲେ । ଏତିକିରେ ସରିନଥିଲା ପଶୁ ର ନାରକିୟ ପଶୁତ୍ତ୍ଵ। ଦୀର୍ଘ ନିଶ୍ଵାସ ମାରି ସବୁ ସହି ନିସ୍ତେଜ ଆଖି ଦୁଇଟି ବୁଲେଇ ଆଣି ନିଜକୁ ସମ୍ଭାଳୁ ସମ୍ଭଳୁ ଏକ ବିରାଟ ପଥର ଉଠେଇ ଆଣି ଛିଡ଼ା ହୋଇଗଲା ତାର ଅତି ନିଜର ସନିଆ ଭାଇ। ଚାହୁଁ ଚାହୁଁ ଖସିଆସିଲା ।


   ଆ......

 ସବୁ ଶେଷ । ମେଘମାଳା ଗଗନ, ସିରି ସିରି ପବନ, କିନି କିନି ମଳି ଝିନ୍ଟିକା କିନ୍ତୁ ଠିକ୍ ପୂର୍ବ ପରି ।

    ମା ଦୁର୍ଗା ବୁଢ଼ୀକି ଧୌର୍ଯ୍ୟ ଦିଅନ୍ତୁ।



Rate this content
Log in

Similar oriya story from Inspirational