The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Bijayalaxmi Das

Tragedy Inspirational

4.4  

Bijayalaxmi Das

Tragedy Inspirational

ଦେବଦୂତ

ଦେବଦୂତ

4 mins
24.1K



ରାଣୀ ! ରାଣୀ !କବାଟ ଖୋଲ୍ ମା', କବାଟ ଖୋଲ୍,ରଡି ଛାଡ଼ି ଡାକୁଥିଲେ ରାଣୀର ମା' ସୁଲତା।ଦାଣ୍ଡ ଘରେ ପ୍ରକାଶ ବାବୁ, ରାଣୀର ବାପା ନିଘୋଡ଼ ନିଦରେ ଶୋଇଥିଲେ, ହଠାତ୍ ସୁଲତାଙ୍କର ଏମିତିଆ ରଡି ଶୁଣି ଧାଇଁ ଆସିଲେ ସେ।ଯାହା ଦେଖିଲେ, ସେ ହତବାକ୍ ହୋଇ ରହିଗଲେ।ତାଙ୍କ ପାଦତଳୁ ମାଟି ଖସିଗଲା ଭଳି ଲାଗୁଥିଲା।ଏ କ'ଣ ସେ ଦେଖୁଛନ୍ତି... ରାଣୀ କବାଟ ଭିତର ପଟୁ ବନ୍ଦ କରି ଦେଇଥିଲା। ରୁମ୍ ଭିତର ଧୂଆଁ ରେ ଭର୍ତ୍ତି ହୋଇ ଯାଇଥିଲା। ରାଣୀ ତାଙ୍କର ଏକମାତ୍ର କନ୍ୟା, କ'ଣ ହେଲା ଯେ ସେ ଏପରି ଏକ ଜଘନ୍ୟ କାମ କରିବାପାଇଁ ପଛାଇଲାନାହିଁ।


ରାତି ୧୨ଟା ଆସି ବାଜିଲାଣି, କ'ଣ କରିବେ ସେ କିଛି ଭାବି ପାରୁନଥିଲେ। ସୁଲତା ରଡି ଛାଡ଼ି କାନ୍ଦିଲାଗିଥିଲେ ଓ କବାଟକୁ ଜୋରରେ ପିଟି ଚାଲିଥିଲେ। ପ୍ରକାଶ କବାଟ ଖୋଲି ଧାଇଁଲେ ପାଖ ପଡୋଶୀ ପବିତ୍ରଙ୍କ ଘରକୁ। ଅବିରତ ଭାବରେ କବାଟ ପିଟି ଲାଗିଲେ ସେ। ଏତେ ରାତିରେ କିଏ କବାଟ ବାଡ‌ଉଛି ଭାବି ପବିତ୍ର ଆଖି ମଳିମଳି ଆସି କବାଟ ଫିଟାଇଲା। ପ୍ରକାଶ କାନ୍ଦି କାନ୍ଦି ପବିତ୍ରର ହାତ ଧରି କହିଲେ,"ମୋ ଝିଅକୁ ରକ୍ଷା କର ପବିତ୍ର, ସେ ନିଜକୁ ନିଆଁ ଲଗାଇ ରୁମ୍ ଭିତରୁ କବାଟ ବନ୍ଦ କରିଦେଇଛି।"


କିଛି ଆଉ ନକହି ପବିତ୍ର ଧାଇଁଲା କବାଟ ଖୋଲିବା ପାଇଁ। ଘରଭିତରୁ ସେ ଏକ ଶାବଳ ଆଣି କବାଟକୁ ପିଟି ପିଟି ଭାଙ୍ଗିଦେଲା। ରାଣୀର ଶରୀର ଅବଶ ହୋଇ ପଡ଼ିଥିଲା ଏକ କାଠପୁତ୍ତଳିକା ସଦୃଶ।ଆମ୍ବୁଲାନ୍ସ ଡାକି ସାଙ୍ଗେସାଙ୍ଗେ ରାଣୀକୁ ନେଇଗଲେ ହସ୍ପିଟାଲକୁ। ଶରୀରର ଅର୍ଦ୍ଧଭାଗ ଜଳି ଯାଇଥିଲା ରାଣୀର।ଡ଼ାକ୍ତର ନର୍ସକୁ କହିଲେ,"ଶୀଘ୍ର ପେସେଣ୍ଟକୁ ଅପରେସନ୍ ଥିଏଟରକୁ ନେଇଯାଆ,ରୁମ୍ ରେ ଏ.ସି. ଚଲାଇଦିଅ।"ବାହାରେ ଛିଡ଼ା ହୋଇଥିଲେ ରାଣୀର ବାପା,ମା, ଓ ପବିତ୍ର। 


ଏହି ସମୟରେ ଡାକ୍ତର ଆସି ରାଣୀ ଗର୍ଭବତୀ ଅଛି ବୋଲି ଜଣାଇଲେ ଓ ପୋଡିଯିବାର କାରଣ କ'ଣ ବୋଲି ପଚାରିଲେ। ପବିତ୍ର ସଙ୍ଗେ ସଙ୍ଗେ କହିଦେଲା,"ଗ୍ୟାସ୍ ସରି ଯାଇଥିବାରୁ ରାଣୀ ଷ୍ଟୋଭ୍ ଲଗାଇ କ୍ଷୀର ଫୁଟାଇବା ବେଳେ ଅଜାଣତରେ କାନିରେ ନିଆଁ ଲାଗିଯାଇଥିଲା ଓ ଶରୀରର ମଧ୍ୟଭାଗ ଯାଏଁ ବ୍ୟାପି ଯାଇଥିଲା।


ପୃଥିବୀ ଯେପରି ଭୂମିକମ୍ପରେ ଥରୁଛି ଆଉ ମାଟିତଳେ ଚାପି ହୋଇଯାଉଛନ୍ତି ସୁଲତା ଓ ପ୍ରକାଶ ବାବୁ....

ପ୍ରକାଶ ବାବୁ ମୁଣ୍ଡରେ ହାତଦେଇ ଲଥ୍ କରି ବସିପଡିଲେ, ଆଉ ସୁଲତା ଦେବୀ ତଳେ କଚାଡି ହୋଇ ଦୁଲ୍ କରି ପଡ଼ିଗଲେ। କ'ଣ କରିବ ପବିତ୍ର କିଛି ବୁଝି ପାରିଲାନି। ସେ ନର୍ସକୁ ଡାକି ପାଣି ଛାଟି ସୁଲତାଙ୍କୁ ପ୍ରକାଶ ବାବୁଙ୍କ ପାଖରେ ବସାଇଦେଲା।ପବିତ୍ର ପଚାରିଲା,"ଆପଣମାନେ କ'ଣ ଏ ଘଟଣା ବିଷୟରେ କିଛି ଜାଣିନାହାନ୍ତି?"


ସୁଲତା ଦେବୀଙ୍କ ଆଖିରୁ ଝରଝର ହୋଇ ଲୁହ ସବୁ ବୋହି ଚାଲିଥିଲା ଠିକ୍ ଅମାନିଆ ବର୍ଷା ଭଳି, କିଛି କହିପାରୁ ନଥିଲେ କୋହ ଉଠୁଥିବାରୁ ସେ। ଗୋଟେ କୁଆଁରୀ ଝିଅଟିଏ ମା' ହେଲେ, ତା' ବାପା, ମା'ଙ୍କ ଉପରେ କ'ଣ ଯେ ଵିତେ ତାହା କେବଳ ଆଉ ଏକ ବାପା,ମା' ଜାଣି ପାରିବେ, ସମାଜର କଟାକ୍ଷ ଆଗରେ ସେମାନଙ୍କୁ ମରି,ମରି ବଞ୍ଚିବାକୁ ପଡେ ପ୍ରତିଟି ମୂହୁର୍ତ୍ତ, ପ୍ରତିଟି କ୍ଷଣ। ପାହାଡ଼ ତଳେ ଚାପି ହୋଇ ଯେପରି ନିଃଶ୍ୱାସ ରୁନ୍ଧି ହୋଇଯାଏ, ସେହିପରି ମୃତବତ୍ ହୋଇ ବଞ୍ଚିରୁହନ୍ତି ସେମାନେ....    


ପବିତ୍ରକୁ ଅନାଇ କାନ୍ଦି କାନ୍ଦି କହିଲେ ସୁଲତା,"ମୁଁ ଏ କଥା କିଛି ଜାଣିନି, ସବୁ ତ ଠିକ୍ ଠାକ୍ ଚାଲିଥିଲା , ଅଫିସ୍ ଯାଉଥିଲା, ଆସୁଥିଲା... ଦୈନନ୍ଦିନ କାମ ବି ଠିକ୍ ରେ କରୁଥିଲା। ହଁ... ଏବେ ଦୁଇ ଦିନ ହେବ ବାନ୍ତି କରୁଥିଲା, ପଚାରିବାରୁ କହିଲା ଯେ ଅଫିସ୍ ରେ କ'ଣ ସବୁ ଖିଆପିଆ କରିଥିଲା, ତେଣୁ ଫୁଡ୍ ପ‌ଏଜନ୍ ହୋଇଯାଇଛି। ଏଡେବଡ ଘଟଣା ଘଟିଯାଇଛି ତା' ସହିତ ଆମେ କିଛି ବି ଶୋରଶବ୍ଦ ପାଇଲୁନି କିପରି....?"କହି କହି ପୁଣି ଚେତା ହରେଇ ତଳେ ପଡିଗଲେ ସୁଲତା। ସୁଲତାଙ୍କୁ ବେଞ୍ଚରେ ବସାଇଦେଇ ପବିତ୍ର ତାଙ୍କ ପାଖରେ ବସିପଡ଼ିଲା। ଏମିତି ଅବସ୍ଥାରେ ସେମାନଙ୍କୁ ଛାଡ଼ିଦେଇ ଆସିବାକୁ ତା ବିବେକ ତାକୁ ବାଧା ଦେଲା।


ହସ୍ପିଟାଲର ବେଞ୍ଚ ଉପରେ ବସି ବସି ରାତି ପାହିଗଲା। ରାଣୀର ବାପା ଓ ମା' ଦୁଇ ଜଣଙ୍କୁ ନିତ୍ୟକର୍ମ ସାରିବାକୁ ପବିତ୍ର ଅନୁରୋଧ କଲା। ହସ୍ପିଟାଲ କ୍ୟାଣ୍ଟିନରୁ ଜଳଖିଆ କିଛି ଆଣି ସମସ୍ତେ ମିଶି ଅଳ୍ପ ଅଳ୍ପ ଖାଇଦେଲେ। ସୁଲତା ଓ ପ୍ରକାଶ ବାବୁ କେବଳ ଆଖିବୁଜି ବେଞ୍ଚ‌ଉପରେ ବସି ରହିଥିଲେ, କ'ଣ କରିବେ ବୋଲି ସେମାନଙ୍କୁ ବୁଦ୍ଧିବାଟ କିଛି ଦେଖାଯାଉ ନଥିଲା। କାହାକୁ କହିବେ ଏ ଦୁ଼ଃଖ, କଥାରେ ଅଛି: "ଅଜାଗା ଘା' ଦେଖିହୁଏ ନାହିଁ କି ଦେଖେଇ ହୁଏ ନାହିଁ।"ପବିତ୍ର ସେମାନଙ୍କୁ ନେଇ ଘରେ ଛାଡ଼ିଦେଇ ଆସିଲା, ନିଜେ ଛୁଟି ନେଇ ସବୁ ବୁଝାସୁଝା କଲା। ଡାକ୍ତର କହିଛନ୍ତି, କିଛି ଦିନ ହସ୍ପିଟାଲରେ ରହିବାକୁ ପଡିବ।


ଆଜି ରାଣୀକୁ ଡିସଚାର୍ଜ କରିବାପାଇଁ ପବିତ୍ରକୁ ନର୍ସ ଆସି କହିଦେଇ ଗଲା‌।ହସ୍ପିଟାଲର ଫରମାଲିଟିଜ୍ ଗୁଡ଼ିକ ପୂରଣ କରିସାରି ସେ ରାଣୀକୁ ଘରକୁ ନେଇଗଲା। ଘରେ ପହଞ୍ଚିଲା ପରେ ରାଣୀର ଯତ୍ନ ନେବାପାଇଁ କହି ପବିତ୍ର ଅଫିସ୍ ଚାଲିଗଲା। ରାତିରେ ଅଫିସ୍ ରୁ ଫେରି ରାଣୀ ନିକଟରେ ବସି ତା'ର ଏ ଅବସ୍ଥା ପାଇଁ କିଏ ଦାୟୀ ବୋଲି ପଚାରିଲା। ରାଣୀ କଥା ଭଲରେ କହିପାରୁ ନଥିଲା, ତଥାପି ସଂକ୍ଷିପ୍ତରେ ସବୁ ବର୍ଣ୍ଣନା କଲା।


ଯଦିଓ ରଙ୍ଗରେ ରାଣୀ ଗୋରୀ ଥିଲା, ଦେଖିବାକୁ ଏତେ ସୁନ୍ଦର ନଥିଲା। ସ୍ୱଭାବରେ ବହୁତ ସରଳିଆ ଥିଲା ସେ। ତା' ନିକଟରେ ବସୁଥିବା ସହକର୍ମୀ ସୁରେଶ ସହିତ ବହୁତ ଭଲ ବନ୍ଧୁତା ଥିଲା ରାଣୀ ସାଙ୍ଗରେ। ମିଠା ମିଠା କଥା କହି ତା' ମନ ଖୁସି କରାଇ ଦେ‌ଉଥିଲା ସୁରେଶ। ଧିରେଧିରେ ରାଣୀ ତାକୁ ଭଲପାଇ ବସିଲା, ଦୁହିଁଙ୍କ ମଧ୍ୟରେ ଅନ୍ତରଙ୍ଗତା ବଢିବାକୁ ଲାଗିଲା। ସଂଧ୍ୟାବେଳେ ଦୁଇଜଣ ଯାକ ପାର୍କରେ ଯାଇ ସମୟ ବିତାନ୍ତି। ଘରଲୋକଙ୍କୁ ଅଫିସ୍ ରେ ପାର୍ଟି ଅଛି ବୋଲି କେତେବେଳେ କହୁଥିଲା ତ, କେତେବେଳେ ସାଙ୍ଗ ଘରକୁ ଯାଉଛି କହି ଯାଉଥିଲା।ଭାବିଥିଲା ଯେ ସମୟ ଆସିଲେ ବାପା, ମା'ଙ୍କୁ ଜଣାଇ ବାହାଘର ଠିକ୍ କରିଦେବ। ଯେତେବେଳେ ସେ ସୁରେଶକୁ ଗର୍ଭବତୀ ଅଛି ବୋଲି ଜଣାଇଲା ଓ ବାହାଘର ଠିକ୍ କରିବାକୁ ବାପା, ମା' ଙ୍କ ଆଗରେ ପ୍ରକାଶ କରିବାକୁ ଅନୁରୋଧ କଲା, ସେତେବେଳେ ସେ ଏ ବିଷୟରେ କିଛି ଜାଣିନି ବୋଲି କହିଲା। ଆହୁରି ଏହାର କିଛି ପ୍ରମାଣ ନାହିଁ ବୋଲି ସିଧାସିଧା ମନା କରିଦେଲା। ତେଣୁ ଆତ୍ମହତ୍ୟା ଭଳି ଜଘନ୍ୟ ଅପରାଧ

କରିବାକୁ ସେ ପଛାଇଲା ନାହିଁ। ଆପଣ କାହିଁକି ମୋତେ ବଞ୍ଚାଇଲେ କହି ରାଣୀ କ‌ଇଁ କ‌ଇଁ ହୋଇ କାନ୍ଦିବାକୁ ଲାଗିଲା।


- ଏ ସମାଜରେ ମୋ ସନ୍ତାନର ପରିଚୟ କ'ଣ? ଏ କଳଙ୍କ ନେଇ ମୁଁ କିପରି ବାଟ ଚାଲିପାରିବି? ମୁଁ ଯେ‌ଉଁ ଭୂଲ୍ କଲି, ତା' ଫଳ କାହିଁକି ନିଷ୍ପାପ ଶିଶୁଟିଏ ଭୋଗିବ?

- ତୁମର ଏତେ ସବୁ ପ୍ରଶ୍ନର ଉତ୍ତର ମୁଁ... ରାଣୀ ! ମୋ ମା'ର ଭୁଲ୍ ପାଇଁ ଏତେଦିନ ଧରି ଯେ‌ଉଁ ଦଣ୍ଡ ମୁଁ ଭୋଗି ଚାଲିଛି,ଏ ନିଷ୍ପାପ ଶିଶୁଟିର ଜୀବନରେ ତାହା ଘଟିବାକୁ ମୁଁ କେବେ ବି ଦେବି ନାହିଁ। ମୋ ମା' ମୋତେ ଅନାଥାଶ୍ରମ ଦୁଆର ମୁହଁରେ ଛାଡ଼ିଦେଇ ଚାଲିଗଲା, ଆଉ ସେଇଠି ମୋର ପିଲାଦିନ କଟିଗଲା, କେତେ ଯେ ଯନ୍ତ୍ରଣାଦାୟକ ଥିଲା ମୋର ହଜି ଯାଇଥିବା ପିଲାଦିନ ଗୁଡ଼ିକ...। ଖାଲି ବହି ହିଁ ଥିଲା ମୋର ସାଥୀ। ଭଲ ପଢୁଥିଲି ବୋଲି ଆଜି ବ୍ୟାଙ୍କ୍ ରେ ଚାକିରୀ ଖଣ୍ଡିଏ କରିପାରିଛି। ଯଦି ତୁମର କିଛି ଆପତ୍ତି ନଥାଏ, ଏ ଅଭାଗା ତୁମର ଜୀବନସାଥୀ ହୋଇ ପାରିବ। ତୁମ ସନ୍ତାନକୁ ତା'ର ବାପାର ପରିଚୟ ବି ମିଳିଯିବ।


ସୋଫା ଉପରେ ବସି ସବୁ ଶୁଣୁଥିଲେ ସୁଲତା ଓ ପ୍ରକାଶ ବାବୁ। ଆଖିରୁ ଝରଝର ହୋଇ ଲୁହ ବୋହି ଯାଉଥାଏ ତାଙ୍କର। ସେମାନେ କହିଲେ,"ପବିତ୍ର ବାବୁ ! ଆପଣ ଆମ ଜୀବନରେ ଦେବଦୂତ ହୋଇ ଆସିଛନ୍ତି।"ରାଣୀ ଭାବୁଥିଲା ଯେ ଜଣେ ପୁରୁଷ ଭଦ୍ରମୂଖା ପିନ୍ଧା ରାକ୍ଷସ ହେଲାବେଳେ ଆଉଜଣେ ମଣିଷ ରୂପରେ ଦେବତା। କେବଳ ନାରୀମାନେ ଏଭଳି ଲୋକମାନଙ୍କୁ ଚିହ୍ନିବା ଦରକାର।


ତା' ପରଦିନ ସକାଳୁ ପବିତ୍ର ଆସି ରାଣୀ ରୁମ୍ ର ଝରକା ସବୁ ଖୋଲିଦେଲା। ସୂର୍ଯ୍ୟଙ୍କ କିରଣରେ ଘରସାରା ଆଲୋକ ବିଛୁରିତ ହୋଇଗଲା। ଦଲକାଏ ଦଲକାଏ ଥଣ୍ଡା ପବନ ପଶି ଆସୁଥିଲା ରୁମ୍ ଭିତରକୁ। ନୂଆ ରୂପରେ ଏକ ସକାଳ, ଭଳିଭଳି ରଙ୍ଗର ପସରା ଧରି ଜୀବନର ରଙ୍ଗମଞ୍ଚରେ ମୁଠାମୁଠା ଆଶାର ଆଲୋକ ଆଣି ପ୍ରତୀକ୍ଷା କରିଥିଲା ଯେପରି ରାଣୀ ପାଇଁ.....(କଳ୍ପନା...)




Rate this content
Log in

More oriya story from Bijayalaxmi Das

Similar oriya story from Tragedy