Sudhir Dwibedy

Comedy

3  

Sudhir Dwibedy

Comedy

ଡ୍ରାଇଭର

ଡ୍ରାଇଭର

5 mins
71


             ସକାଳ ନଅ ଟା ବେଳକୁ ହେଲିକେପ୍ଟର୍ ରେ ମନ୍ତ୍ରୀ ଆସିବା କ୍ଷଣି ସଭା କାର୍ଯ୍ୟ ଆରମ୍ଭ ହୋଇ ଯାଇଥିଲା । ଅନେକ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ ତଥା ଭିତ୍ତି ପ୍ରସ୍ତର ସ୍ଥାପନ ନିମନ୍ତେ ସେ ଆସିଥିଲେ ଜିଲ୍ଲାର ସଦର ମହକୁମାକୁ । ଜିଲ୍ଲା ପ୍ରଶାସନ ତରଫରୁ ଇନ୍ଦିରା ଗାନ୍ଧୀ ଷ୍ଟାଡିଅମ୍ ରେ ସଭା କାର୍ଯ୍ୟ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ସଭା ସ୍ଥଳରେ ପ୍ରବଳ ଜନ ସମାଗମ ଲାଗିଥିଲା । ଖରା ଦିନ ହୋଇଥିବାରୁ ସକାଳ ନଅଟା ବେଳକୁ ବି ସୂର୍ଯ୍ୟ କିରଣର ତେଜ କିଛି କମ୍ ନଥିଲା । ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଥିଲା ।

ଜନ ଗହଳି ତଥା ଯାନବାହନ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ ପୋଲିସଙ୍କୁ କଠିନ ପରିଶ୍ରମ କରିବାକୁ ପଡୁଥିଲା । ସଭା ସ୍ଥଳର ବିପରୀତ ପାର୍ଶ୍ୱର ସ୍ଥାନଟି ଯାନବାହନ ରଖିବା ନିମନ୍ତେ ଉଦ୍ଦିଷ୍ଟ ଥିଲା । ସାଇକେଲ ଠାରୁ ଆରମ୍ଭକରି ନାନା ପ୍ରକାରର ଯାନବାହାନ ସେଠାରେ ଧାଡ଼ି ଧାଡ଼ି ହୋଇ ଲମ୍ବି ରହିଥିଲା । ବାଇକ୍ ଗୁଡ଼ିକୁ ଛାଡ଼ି ଅଧିକାଂଶ ଚାରି ଚକିଆ ଯାନର ଡ୍ରାଇଭର,ଗାଡ଼ି ଗୁଡ଼ିକର ସୁରକ୍ଷା ଦୃଷ୍ଟିରୁ ନିକଟରେ ହିଁ ଉପସ୍ଥିତ ଥିଲେ । କେହି କେହି ଗାଡ଼ି ଛାଇରେ ଆରାମରେ ବସିଥିଲେ ।

ଦୁଇ ଧାଡି ଗାଡ଼ି ମଝିରେ ଥିବା ସ୍ଥାନରେ ଜଣେ ବୃଦ୍ଧ ଲୋକର ଆବିର୍ଭାବ ହେଲା । ତାଙ୍କ ବେଶ ପୋଷାକରୁ ସେ ଯେ ଜଣେ ନିହାତି ଗରିବ ଲୋକ ଏ କଥା ବାରି ହୋଇ ପଡୁଥିଲା । ବାର୍ଦ୍ଧକ୍ୟ ଜନିତ ଦୁର୍ବଳତା ଯୋଗୁଁ ମରୁଭୂମିରେ ଚାଲିଲା ପରି ଅତି କଷ୍ଟରେ ସେ ପଦ ଚାଳନା କରୁଥିଲେ । ତା ଉପରକୁ ସୂର୍ଯ୍ୟଙ୍କ ପ୍ରଖର କିରଣରେ ସେ ଯେମିତି ଅତିଷ୍ଠ ହୋଇ ପଡୁଥିଲେ । ହଠାତ ତାଙ୍କର ମୁଣ୍ଡ ବୁଲାଇ ଦେବା ପରି ସେ ତଳେ ପଡିଗଲେ ।

"ଦେଖ,ଦେଖ,ସେ ବୁଢ଼ାଟା ତଳେ ପଡିଗଲା" - କହି କହି ପାଖ କାର୍ ର ଡ୍ରାଇଭର ସେ ସ୍ଥାନକୁ ଦୌଡ଼ି ଗଲେ । ୟାଙ୍କ ପାଟି ଶୁଣି ଆଖ ପାଖରେ ବିଶ୍ରାମ ନେଉଥିବା ଆଉ କିଛି ଡ୍ରାଇଭର ସେ ସ୍ଥାନକୁ ଧାଇଁ ଆସିଲେ । ସମସ୍ତେ ମିଶି ବୃଦ୍ଧଙ୍କୁ ଗୋଟେ ଛାଇ ସ୍ଥାନକୁ ଟେକି ନେଲେ । ତାଙ୍କ ମୁହଁରେ ପାଣି ଛାଟି ବିଞ୍ଚାବିଞ୍ଚି କରିବାରୁ ସେ ଆଖି ଖୋଲିଲେ । ତାଙ୍କୁ ପାଣି ପିଇବାକୁ ଦେଲେ । କେମିତି ଲାଗୁଛି,ଡାକ୍ତରଖାନା ଯିବ କି ବୋଲି ପଚାରିବାରୁ ସେ ନାସ୍ତି ସୂଚକ ମୁଣ୍ଡ ହଲାଇ ସକାଳୁ କିଛି ଖାଇ ନାହାନ୍ତି ବୋଲି ପ୍ରକାଶ କଲେ । ସେମାନଙ୍କ ମଧ୍ୟରୁ ଜଣେ ଯାଇ ଦହି ବରା,ଆଲୁଦମ ନେଇଆସି ତାଙ୍କୁ ଖାଇବାକୁ ଦେଲେ । ବୁଢ଼ାଟି ପରମ ତୃପ୍ତିରେ ଖାଇସାରି ଭଗବାନ ତୁମ ସମସ୍ତଙ୍କର ମଙ୍ଗଳ କରନ୍ତୁ ବୋଲି ଆଶୀର୍ବାଦ ଦେଇ ସାରି ଉଠିବାକୁ ଉପକ୍ରମ କରନ୍ତେ,ସେମାନଙ୍କ ମଧ୍ୟରୁ ଜଣେ କହିଲା - "ବବା,ଏ ଖରାରେ କୁଆଡେ ଆସିଥିଲ ? ଆଉ ଟିକେ ବିଶ୍ରାମ କରିନିଅ ।"

ବୃଦ୍ଧ ସେହି ଡ୍ରାଇଭରଙ୍କ ଉପରକୁ ଦୃଷ୍ଟି ନିକ୍ଷେପ କରି ଦୁର୍ବଳ ସ୍ୱରରେ କହିଲେ - "ପୁଅ,ମୁଁ ମନ୍ତ୍ରୀଙ୍କୁ ଭେଟ କରିବାକୁ ଆସିଥିଲି ।"

"ମନ୍ତ୍ରୀଙ୍କୁ ? କଣ ପାଇଁ ?ତାଙ୍କୁ ଭେଟ ହେବା ସହଜ କଥା ନୁହଁ ।"-ସେଠାରେ ଉପସ୍ଥିତ ଆଉଜଣେ ଡ୍ରାଇଭର ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।

" ଆଜ୍ଞା,ପଞ୍ଚାୟତ ଅଫିସ୍ ଦୌଡ଼ି ଦୌଡ଼ି ଘର ଖଣ୍ଡିଏ ପାଇଲିନି । ମୋ ସ୍ତ୍ରୀ କୁ କୋଉ ଗୋଟାଏ ଅସାଧ୍ୟ ରୋଗ ଧରିଛି । ତାକୁ ଭତ୍ତା ମଧ୍ୟ ମିଳୁନି । ଆମ ବଞ୍ଚିବା ଟା ଦୁର୍ବିସହ ହୋଇ ପଡ଼ିଲାଣି । ଏମିତି ବଞ୍ଚିବା ଠୁଁ ମରିଯିବାଟା ଭଲ । କାହିଁକି ଯେ ମରଣ ଆସୁନି କେଜାଣି ?" ବୃଦ୍ଧ ଜଣକ ନିଜ ଅନ୍ତରର କ୍ଷୋଭକୁ ଲୁଚାଇ ରଖି ପାରୁ ନ ଥିଲେ ।

"ବବା,କୋଉ ଗ୍ରାମ ପଞ୍ଚାୟତରେ ତୁମ ଘର ?" - ରାମପୁର ବ୍ଲକ ବି.ଡ଼ି.ଓ. ଙ୍କ ଡ୍ରାଇଭର ପଚାରିଲେ ।

"ରଙ୍ଗନାଳୀ ।"

"ତୁମ ନା କଣ ?"

"କେଳୁ.....କେଳୁ ଚରଣ ।"

"ହଉ,ମୁଁ ଦେଖୁଛି ।"

ରାମପୁର ବ୍ଲକ ବି.ଡ଼ି.ଓ.ଙ୍କ ଡ୍ରାଇଭର ରଙ୍ଗନାଳୀ ଗ୍ରାମ ପଞ୍ଚାୟତ ସେକ୍ରେଟାରୀଙ୍କୁ ଫୋନ୍ ଲଗାଇଲେ ।

"ହେଲୋ,ମୁଁ ରାମପୁର ବ୍ଲକ ବି.ଡ଼ି.ଓ.ଙ୍କ ଡ୍ରାଇଭର କହୁଛି । ରଙ୍ଗନାଳୀ ଗ୍ରାମର କେଳୁଚରଣ ଏ ପର୍ଯ୍ୟନ୍ତ କାହିଁକି ଘର ପାଇ ନାହାନ୍ତି ?"

ସେ ମୋବାଇଲ୍ ରେ କିଛି ସମୟ କଥା ହୋଇ କଲ୍ କଟ୍ ଅଫ୍ କଲେ । ସେଠାରେ ଉପସ୍ଥିତ ଅନ୍ୟ ଡ୍ରାଇଭରଙ୍କ ଉଦ୍ଦେଶ୍ୟରେ କହିଲେ - "କେଳୁଚରଣଙ୍କ ନାମରେ ଘର ଡିହ ପଟ୍ଟା ନ ଥିବାରୁ ତାଙ୍କୁ ଘର ମିଳି ପାରୁନାହିଁ ବୋଲି ରଙ୍ଗନାଳୀ ପଞ୍ଚାୟତ ସେକ୍ରେଟାରୀ କହୁଛନ୍ତି ।"

ଏ କଥା ଶୁଣି ତହସିଲଦାରଙ୍କ ଡ୍ରାଇଭର କହିଲେ - "ବବା,ତୁମେ ଚିନ୍ତା କରନା । ତୁମ ନାମରେ ପଟ୍ଟା କେମିତି ହେବ ମୁଁ ବୁଝିବି ।"

କାହାକୁ ଫୋନ୍ ଲଗାଇ ସେ କହିଲେ -"ହେଲୋ, ମୁଁ ତହସିଲଦାରଙ୍କ ଡ୍ରାଇଭର କହୁଛି ।" କିଛି ସମୟ କଥା ହୋଇ ସେ କଲ୍ କଟ୍ ଅଫ୍ କରି ଖୁସି ହୋଇ କହିଲେ - "ବବା,ବଡ଼ ବାବୁଙ୍କୁ କହି ତୁମ ନାମରେ ଚାରି ଡ଼ିସିମିଲ ଘରଡିହ ମୁଁ କରେଇ ଦେଇଛି । ତୁମେ କାଲି ତହସିଲ ଅଫିସ୍ କୁ ଆସ । ମୁଁ ସେଠାରେ ଥିବି । ସବୁ କଥା ବୁଝି ଦେବି ।"

କେଳୁ ଚରଣ ସେଇ ଡ୍ରାଇଭରଙ୍କୁ ନିଜର ଦୁଇ ହାତ ଟେକି ଆଶୀର୍ବାଦ ଦେଇ କହିଲେ - "ବାପାରେ,ଭଗବାନ ତୋତେ କୋଟି ପରମାୟୁ ଦେଇଥାନ୍ତୁ ।"

ଏହି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଡ୍ରାଇଭର କହିଲେ - "ହଁ ବବା, ତୁମେ କହୁଥିଲ ପରା ତୁମ ସ୍ତ୍ରୀ ଙ୍କୁ କୋଉ ବଡ଼ ବେମାରି ହୋଇଛି ବୋଲି । ତୁମ ସ୍ତ୍ରୀଙ୍କୁ ନେଇ ଥରେ ମୋ ପାଖକୁ ଆସ । ଦେଖିବ ମୁଁ କଣ କରି ପାରୁଛି । ସବୁ ବଡ଼ ବଡ଼ ବିଶେଷଜ୍ଞ ଡାକ୍ତର ମୋ ହାତ ମୁଠାରେ ଅଛନ୍ତି । ତୁମ ଠୁଁ କେହି ଫିସ୍ ନେବେନି । ତୁମର ସବୁ ଡାକ୍ତରୀ ପରୀକ୍ଷା ମାଗଣାରେ କରାଇ ଦେବି । ଆମ ସରକାରୀ ଡାକ୍ତରଖାନାର ଔଷଧ ତ,ମାଗଣାରେ ମିଳିବ । ତା ଛଡା ଡାକ୍ତରମାନଙ୍କୁ କହି ତୁମ ଦୁଇ ଜଣଙ୍କ ପାଇଁ କାଲସିଅମ୍ ବଟିକା,ଆଇରନ୍ ବଟିକା,ଭିଟାମିନ୍ ବଟିକା ମଗେଇ ଦେବି । ଏତିକି କହି ସେ ପାକେଟରୁ କାଗଜ କଲମ ବାହାର କରି ନିଜ ଫୋନ୍ ନମ୍ବର ଲେଖି କାଗଜଟିକୁ ସେଇ ବୁଢ଼ାଙ୍କୁ ଦେଇ କହିଲେ - "ବବା,ମୋ ଫୋନ୍ ନମ୍ବର ରଖ । ଯେବେ ଆସିବ ମୋ ପାଖକୁ ଫୋନ୍ କରିବ । ମୁଁ ୧୦୮ ଆମ୍ବୁଲାନ୍ସ ପଠାଇ ଦେବି ।"

ବୃଦ୍ଧ ଜଣକ କାଗଜ ଖଣ୍ଡକ ଯତ୍ନର ସହିତ ପକେଟ୍ ରେ ରଖି ତାଙ୍କ ଉପରେ ଗୁଡ଼ାଏ ଆଶୀର୍ବାଦ ଢ଼ାଳିଦେଲେ ।

ଶେଷରେ ପହଞ୍ଚିଲେ ଜିଲ୍ଲାପାଳଙ୍କ ଡ୍ରାଇଭର । ସେ ଟୋକାଳିଆ ଓ ସୁସ୍ଥ ସବଳ ଦେଖାଯାଉ ଥିଲେ । ତାଙ୍କର ବେଶ ପୋଷାକ ଥିଲା ଜଣେ ସାହେବଙ୍କ ପରି । ତାଙ୍କୁ ଦେଖିବା କ୍ଷଣି ସମସ୍ତେ ସମ୍ମାନ ପ୍ରଦର୍ଶନ ସୂଚକ ନୀରବ ରହିଲେ । ଜିଲ୍ଲାପାଳଙ୍କ ଡ୍ରାଇଭର ସମସ୍ତଙ୍କୁ କଣ ହୋଇଛି ବୋଲି ପ୍ରଶ୍ନ କଲେ । ସେ ଅନ୍ୟ ଡ୍ରାଇଭରଙ୍କଠାରୁ ସବୁ କଥା ଶୁଣିଲେ । ବୃଦ୍ଧଙ୍କ ଅବସ୍ଥା ଦେଖି ତାଙ୍କ ହୃଦୟ ଦୟାରେ ବିଗଳିତ ହୋଇ ପଡିଲା । ସେ ରାମପୁର ବ୍ଲକ ବି.ଡ଼ି.ଓ.ଙ୍କ ଡ୍ରାଇଭର ଉପରେ ବିରକ୍ତ ହେଲେ । ତାକୁ ଗାଳି ମଧ୍ୟ କଲେ । କହିଲେ - "କଣ ବେ,ତୁମ ବି.ଡ଼ି.ଓ. ଙ୍କୁ ପି.ସି. ଖାଇବାକୁ ବେଳ ନାହିଁ ,ସେ ଗରିବଙ୍କ କଥା କୁଆଡୁ ବୁଝିବେ । ତାଙ୍କୁ କହିଦେବୁ,ମୁଁ କହିଛି ବୋଲି । ବବାଙ୍କ ଘର ଡ଼ିହ ପଟ୍ଟା,ଘର,ଲାଇଟ,ଗ୍ୟାସ କନେକ୍ସନ,ଭତ୍ତା,ଚିକିତ୍ସା ସବୁ କାମ ମାସକ ମଧ୍ୟରେ ହୋଇଯିବା ଦରକାର । ସମସ୍ତଙ୍କୁ କହି ରଖୁଛି,ବବା ଙ୍କ କାମ ଯଦି କୋଉଠି ଅଟକିବ ମୋତେ ଫୋନ କରିବ ।" ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଡ୍ରାଇଭରଙ୍କୁ ଚାହିଁ କହିଲେ - "ଶୁଣ,କୋଉ ଡାକ୍ତରଙ୍କୁ କହି ୟାଙ୍କ ସ୍ତ୍ରୀ ଙ୍କୁ ଚିକିତ୍ସା ପାଇଁ କଟକ ରେଫର୍ କରିଦିଅ । ମୁଁ ରେଡ଼୍ କ୍ରସ୍ ପାଣ୍ଠିରୁ ବବାଙ୍କୁ ଦଶ ହଜାର ଟଙ୍କା ଦେବାର ବ୍ୟବସ୍ଥା କରିବି ।"

ଏଥର ସେ ବୃଦ୍ଧଙ୍କୁ ଚାହିଁ ପଚାରିଲେ - "କଣ ବବା,ଖୁସି ତ ।"

ବୃଦ୍ଧ ଜଣକ କୃତକୃତ୍ୟ ହୋଇ କହିଲେ - "ତୁମେମାନେ ଥିଲେ ମୋର ଆଉ କାହାକୁ ଲୋଡା ନାହିଁ । ଆଜି ମୁଁ ବହୁତ ଖୁସି । ତୁମ ସମସ୍ତଙ୍କର ଭଗବାନ ମଙ୍ଗଳ କରନ୍ତୁ ।"

ଏହି ସମୟରେ ଏସ୍.ପି.ଙ୍କ ଡ୍ରାଇଭର ତାଙ୍କ ଗାଡ଼ି ଲଗାଇ କହିଲେ - "ଆସ ବବା,ମୁଁ ତୁମକୁ ତୁମ ଘରେ ଛାଡି ଦେବି ।"



Rate this content
Log in

Similar oriya story from Comedy