ଡିସ୍ ୱାସର୍
ଡିସ୍ ୱାସର୍


ବଡ଼ ବଡ଼ କ୍ୟାଟରିଙ୍ଗ ସଂସ୍ଥା, ହୋଟେଲ, ରେଜୋର୍ଟ ଓ ବାହାଘର ଭୋଜିରେ ଏମାନେ ଥାନ୍ତି।
କିନ୍ତୁ କେହି ଏମାନଙ୍କୁ ଦେଖି ପାରନ୍ତି ନାହିଁ।
କେହି ଏମାନଙ୍କ ପାଖକୁ ଯାଇ ଥରୁଟିଏ ପଚାରନ୍ତି ମଧ୍ୟ ନାହିଁ..
ଭାଇ କଣ ଖାଇଛୁ ??
ବାସ୍ ....ପାଣି ଭିତରେ ଏମାନେ ନିଜକୁ ଏମିତି ନିମଜ୍ଜିତ କରିଥାନ୍ତି ଯେମିତି ଏକ ତପସ୍ୟାରତ ସାଧୁ।
ଦେହରେ ତାରପୋଲିନର ଦୃଢ଼ ଆବରଣ।ମନ,ହୃଦୟ ,ଅଙ୍ଗ ଆଦିର ସମନ୍ୱୟ ରକ୍ଷା କରିବା ପାଇଁ ମୁଣ୍ଡରେ ଶକ୍ତ ପଗଡ଼ି କିମ୍ବା ଟୋପି ଗୋଟିଏ।
ଲକ୍ଷ ସାଧନ ପାଇଁ ଟ୍ୟାପରୁ ଝରୁଥିବା ପାଣି ମାନଙ୍କ ସହ ସେ କରନ୍ତି କଥା ବାର୍ତ୍ତା।ଗରମ ପାଣି, ଥଣ୍ଡା ପାଣି ,ଡିସ୍ ୱାସିଙ୍ଗ କେମିକାଲ ,ମଜା ଜାଲି ଏଇତ ତାଙ୍କର ଆୟୁଧ।
ଧ୍ୟାନ କରୁଥିବା ସମୟରେ ପଛଆଡୁ ଖୁଡ୍ ଖାଡ୍ ଧୁଡ୍ ଧାଡ୍ ହୋଇ ଗଦା ହେଇ ଚାଲିଥାଏ ବାସନ।
ଜଣା ନାହିଁ କେତେବେଳେ ସରିବ ବାସନ ।କେତେବେଳେ ମିଳିବ ତାକୁ ବିରାମ।ସଫା କରୁ କରୁ ସେ ଭାବନା ରାଇଜକୁ ଚାଲିଯାଏ ...
ଦୂରକୁ ଦୂରକୁ ବହୁ ଦୂରକୁ.. ଯେଉଁଠି ଥାଏ କେବଳ ସିଏ ଆଉ ତାର ପ୍ରେୟସୀ ।ଅସଂଖ୍ୟ ଡିସ ଗୁଡିକର ସାଜସଜା।ଥାକ ଥାକ ହୋଇ ତୋରଣ ପରି ଦିଶୁଛି ଷ୍ଟେନଲେସ୍ ଷ୍ଟିଲର ଗରା ଗୁଡିକ।ରଙ୍ଗ ବେରଙ୍ଗ କ୍ରୋକେରି ସବୁ ରଙ୍ଗୀନ ପ୍ରାସାଦର ଭ୍ରମ ସୃଷ୍ଟି କରୁଛି।
ଦୁହେଁ ପିନ୍ଧିଛନ୍ତି ଆଲୁମିନିୟମ ଫଏଲର ରୂପେଲୀ ବସ୍ତ୍ର, ମିନା ଦିଆ।
ଉଭୟଙ୍କ ମୁଣ୍ଡରେ ପିତ୍ତଳ କଢେଇର ମୁକୁଟ।ପରସ୍ପରକୁ ଚୁମ୍ବନ କରୁଥାନ୍ତି।ମୁଣ୍ଡ ଆଗକୁ ଆଗକୁ ଗଲାବେଳେ ଥାକରୁ ସଫା ବାସନ ଗୁଡିକ ଗଳିପଡି ଖଂଣ ଖଂଣ ଶବ୍ଦ କରେ।ସେ ପ୍ରକୃସ୍ଥିତ ହୋଇ ନିଜ ମଥା ପିଟେ।
ଧେତ୍ ତେରିକା...
ସ୍ମିତ ହସିଦେଇ କହେ ଓଃ... ପୁଣି ଥରେ ଧୋଇବାକୁ ପଡିବ।
ପଛ ଆଡୁ ଏଫ୍ ଏଣ୍ଡ ବି ଏକସିକ୍ୟୁଟିଭ ଚିଲ୍ଲାଏ
- ଜଲ୍ଦି କରୋ ଦାଦା...
ସବ୍ ଅଟୋ ମେଟିକ୍ ହୈ ,ଫିର୍ ଭି ଦେର୍ କର ଦେତେ ହୋ।
-ସାହେବ୍ !! ବହତ୍ ଗନ୍ଦା ରହତା ହୈ ପ୍ଲେଟେଂ।ରଗଡ୍ ରଗଡ୍ କର ସାଫ୍ କର୍ନା ପଡ଼ତା ହୈ।
-ଠିକ୍ ହୈ ଠିକ୍ ହୈ ।ଅଛେ ସେ କରୋ ।ସଫାଇ କେ ବାରେ ମେଂ କୋଇ କମ୍ପ୍ଲେନ ହମେ ବରଦାସ୍ତ ନେହିଁ।ଅଫ୍ସରୋଂସେ ହମେ ଭି ଡାଣ୍ଟ ପଡ୍ତି ହୈ।
ମୁଁ ଦେଖୁଥିଲି ....ଡିସ୍ ୱାସର ଦାଦାର ସେ ଧଳାପଡି ଯାଇଥିବା ସିଠୁଆ ହାତକୁ। ଯୁଧ୍ୟ ବିରାମ ଯୋଦ୍ଧା ପରି ସେ ସାଞ୍ଜୁ ସବୁ ଖୋଲେ।
କଂସାଏ ଚା,ସକାଳର ବଳିଥିବା ଜଳଖିଆକୁ ଟାହୁ ଟାହୁ କରି ଗିଳି ପକାଏ।ଟିକେ ବିଶ୍ରାମ କରିଛି କି ନାହିଁ ,ପୁଣି ଡାକ ପଡେ।
- ସାଫ୍ ବର୍ତ୍ତନ୍ ଗାଡି ମେ ଲୋଡ୍ କରୋ...ଦେର୍ ହୋ ରହା ହୈ।
-ଆୟା ବାବୁ ଜୀ ଆୟା...
କହି ସେ ପ୍ରସ୍ଥାନ କରେ।ମୁଁ ବି ଫେରେ ...ତା ଜୀବିକାକୁ ପାଖରୁ ଦେଖି।
ଶୁଣେ ତାର ଗରମ ଲାଭାସମ ରୋଷକୁ।
"ବାପା-ମାଙ୍କ କଥା ମାନି ପାଠ ଦୁଇ ଅକ୍ଷର ପଢିଥିଲେ ,ଏମିତି କାମ କରିବାକୁ ପଡି ନଥାନ୍ତା"....
ମୁଁ କହିବି ତା ରୋଷ ପାଇଁ ଏ ସମାଜର ମଣିଷଙ୍କ ମାନସିକତା ଦାୟୀ
ଆମେ ତା କାମକୁ କେବେ ପ୍ରଶଂସା କରି ନାହାଁନ୍ତି।ତାର ପିଠି ଥାପୁଡାଇ ନାହାଁନ୍ତି ।ତାକୁ ସାବାସୀ ଦେଇ ନାହାନ୍ତି। କେବେ କହି ନାହାଁନ୍ତି ଦାଦା ...ତୁମ ଯୋଗୁଁ ଆମେ ସଫା ବାସନରେ ଖାଇବା ଖାଉଛୁ।
କାମ ମାନେ କାମ।କାମରେ ଛୋଟ ବଡ଼ କିଛି ନାହିଁ।ପ୍ରତି କାମରେ ନିଜସ୍ୱ ନିଆରାପଣ ଓ ସ୍ୱାଭିମାନତ୍ୱ ରହିଛି ଏ ସଦ୍ଭାବନା ଆମ ମନରେ ନାହିଁ ଅଥଚ ଆମେ କାମକୁ ଛୋଟ ବଡ଼ ମାପ କାଠିରେ ମପାଇ ଗୋଟିଏ ଦୁର୍ବଳ ମାନସିକତା ସଂପନ୍ନ ସମାଜ ତିଆରି କରିଛେ।
ଆସନ୍ତୁ ଏହି ମାନସିକତାକୁ ସୁଧାରିବା।
ଧନ୍ୟବାଦ।