Lalita Mohan Mishra

Inspirational

3  

Lalita Mohan Mishra

Inspirational

ଢୁଙ୍କ ମାଷ୍ଟ୍ରେ

ଢୁଙ୍କ ମାଷ୍ଟ୍ରେ

4 mins
191



   ଏ ଗୋବିନ୍ଦ... ! ଏ ଗୋପାଳ...! ଏ ସୀତା...! ଏ ଲତା....! ଲତିକା ଲୋ... !!


ଏମିତି ସକାଳୁ ସକାଳୁ ଡାକ ପକାଇ ଗାଁଟି ଯାକର ପିଲାମାନଙ୍କୁ ଢୁଙ୍କ ମାଷ୍ଟ୍ରେ ଠୁଳ କରନ୍ତି ଦୋଳମଣ୍ଡପ ପିଣ୍ଡାରେ।


- ସେ ଗାଁ ଦାଣ୍ଡରେ ଆସୁଥିବା ବେଳେ ତାଙ୍କର ସେ ସ୍ଳିପର ପିନ୍ଧା ପାଦଟି ଗୋଇଠିରେ ବାଜି ଟପ୍ ଟପ୍ ଶବ୍ଦରେ ମାର୍ଗ ପ୍ରକମ୍ପିତ ହୁଏ । ପିଲାମାନେ ଜାଣି ଦିଅନ୍ତି... ହେ ! ଢୁଙ୍କ ସାରେ ଆସିଗଲେରେ..... ଆଉ ଡେରି କଲେ ହେବନି ? ?


- ଶୀଘ୍ର ବାହାରି ଯିବାର ଅଛି ! ସେ ନ ଡାକିଲେ ମଧ୍ୟ ଘରର ମୁରବି ମାନେ ତାଙ୍କର ଚପଲ ପାଦ ଶବ୍ଦରେ ପିଲାଙ୍କୁ ରେଡି କରେଇ ଦିଅନ୍ତି ।


- ଢୁଙ୍କ ମାଷ୍ଟ୍ରେ ବୟସର ଅପରାହ୍ନରେ ମଧ୍ୟ ନୂତନ ଛାତ୍ର ଛାତ୍ରୀ ସୃଷ୍ଟି କରିବା ସୌକ ଛାଡି ନାହାଁନ୍ତି , ଯେମିତିକି ତାଙ୍କର ନିଶା ପାଲଟି ଯାଇଛି । ଯେତେ କାମ ଥିଲେ ମଧ୍ୟ ଦୁଇ ଓଳି ମଧ୍ୟରୁ ଗୋଟିଏ ଓଳି ନିଶ୍ଚୟ ଟିଉସନ୍ କରିବେ ।

- ମାଷ୍ଟ୍ରଙ୍କର ବୟସ ପ୍ରାୟ ଷାଠିଏରୁ ପଞ୍ଚଷଠି ହେବ। କଳା ମଚମଚ ଚେହେରା । ଆଣ୍ଟୁଲୁଚା ଧୋତି ତତ୍ ସଙ୍ଗେ ସଙ୍ଗେ ଦେହରେ ଗଞ୍ଜି ଏବଂ ଖଣ୍ଡିଏ ନାଲି ଗାମୁଛା କାନ୍ଧରେ । ହଳେ ସ୍ଳିପର ପାଦକୁ, ଯାହା ଚାଲିଲା ବେଳେ ପାଦର ଗୋଇଠି ବାଜି ଟପ୍ ଟପ୍ ଶବ୍ଦରେ ବାଟ କମ୍ପମାନ ହେଉଥାଏ । ପଞ୍ଚଷଠି ବୟସରେ ମଧ୍ୟ ସେ ବିନା ଚଷମାରେ ଆଗେଇ ଚାଲିଛନ୍ତି ।

   

- ଗାଁ ର ଏମିତି ପିଲା ନାହିଁ ? ଯିଏକି ଢୁଙ୍କ ସାରଙ୍କ ବିନା ଟିଉସନରେ ବଡ ହୋଇଛି ।


- ତାଙ୍କର ଅନନ୍ୟ ପ୍ରତିଭାରେ ସୃଷ୍ଟି ହୋଇଛନ୍ତି - ଅନେକ ଡାକ୍ତର, ଇଞ୍ଜିନିୟର, ଅଧ୍ୟାପକ, ଶିକ୍ଷକ.... ଏମିତି କେତେ କ'ଣ ! 


- ତାଙ୍କଠାରୁ ପ୍ରାରମ୍ଭିକ ଶିକ୍ଷା ପାଇ ଛାତ୍ର ଛାତ୍ରୀମାନେ ସରକାରୀ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ ହୋଇଛନ୍ତି । ଯଦିଓ ସାର୍ - ପେଶାରେ ଶିକ୍ଷକତା ବୃତ୍ତି ଆଦରି ଥିଲେ କିନ୍ତୁ ଗାଁ ପିଲାମାନଙ୍କର ସ୍ନେହ ଆଦରକୁ ସମ୍ମାନ ଜଣାଇ ତାହା ନିଶାରେ ପରିଣତ ହୋଇଯାଇଥିଲା ।


- ତାଙ୍କର ପାଠପଢାରେ ଗୁରୁଦକ୍ଷିଣା ( ଆଜିକା ପରି ) ଡିମାଣ୍ତ କିଛି ନାହିଁ, ଯିଏ ଯାହା ଦେଲା ଅତି ଆଦରରେ ଗ୍ରହଣ କରୁଥିଲେ । କିଏ ମାସ ସରିଲା ବେଳକୁ ପାଞ୍ଚଟଙ୍କା ଦିଏତ କିଏ କୋଡିଏ ଟଙ୍କା, କିଏ ଚାଉଳ ତ କିଏ ପନିପରିବା, କିଏ ପୁଣି ନିଜ ଦୋକାନରୁ ତେଲ ଲୁଣ ।


- କିଏ ପୁଣି ଦବ ଦବ କହି ମାସ ବର୍ଷ ଗଡାଇଦିଏ । କିଏ ନଦେଲା ବୋଲି ସାରଙ୍କର କାହାପ୍ରତି ବିଦ୍ବେଷ ଭାବ ନାହିଁ । କି କାହାକୁ କଷ୍ଟ ଦେଲା ଭଳି କଥା ପଦଟିଏ ମଧ୍ୟ କୁହନ୍ତି ନାହିଁ । କାହାର ବାପା ଯଦି ନିଜକୁ ସଂକୋଚ ମନେ କରି ପିଲାକୁ ଟିଉସନ ନ ପଠାଏ ? 


- ତେବେ ତାର ଘରକୁ ଯାଇ ତାର ବାପା ମାଆକୁ ବୁଝାନ୍ତି - ଆଜି ତୁମ ପାଖରେ ଅର୍ଥର ଅଭାବ ଅଛି, ଆସନ୍ତା କାଲି ଭଗବାନ ତୁମ ପ୍ରତି ସଦୟ ହେବେ ! ତୁମ ପାଖରେ ଧନର ଅଭାବ ରହିବ ନାହିଁ କିନ୍ତୁ ସେତେବେଳେ ତୁମର ପିଲାଟି ତ ଆଉ ପଢି ପାରିବନାହିଁ । ତାକୁ ତ ତାର ବୟସ ସାଥି ଦେବନି ? 


- ଏମିତି ଭାବରେ କେତେ କ'ଣ କଥା କହି ଅଭିଭାବକ ମାନଙ୍କୁ ବୁଝାଇ ସୁଝାଇ ଦିଅନ୍ତି । ତୁମ ପାଖରେ ଯେତେବେଳେ ଅର୍ଥ ହେବ ସେତେବେଳେ ଗୁରୁଦକ୍ଷିଣା ଦେବ ବୋଲି କୁହନ୍ତି । 


- ମୁଁ ତୁମକୁ ଗୁରୁଦକ୍ଷିଣା ମାଗିଲି କି ?  ଏଭଳି ସକରାତ୍ମକ କଥା କହି ଟିଉସନକୁ ପିଲାକୁ ଆଣନ୍ତି ଏବଂ ଗାଁ ର ସବୁ ପିଲାମାନଙ୍କୁ ପଢ଼ାଇବାର ସୁଯୋଗ ସୃଷ୍ଟି କରନ୍ତି ।


- ସାରଙ୍କର ଏପରି ସହୃଦୟତା, ସହାନୁଭୂତି ଭାବ ଦୃଷ୍ଟିରୁ ଗାଁ ଲୋକମାନେ ଢୁଙ୍କ ମାଷ୍ଟ୍ରଙ୍କୁ ବେଶୀ ସମ୍ମାନ ଦିଅନ୍ତି । ଦୁଃଖ ଓ ସୁଖରେ ଅଭିଭାବକ ମାନେ ସାରଙ୍କର ପରାମର୍ଶ ଲୋଡନ୍ତି ।


- ଢୁଙ୍କ ମାଷ୍ଟ୍ରେ କେତେ ପାଠ ପଢିଥିଲେ ? ତାହା ତ କାହାକୁ ଜଣା ନାହି କିନ୍ତୁ କୁଶଳୀ କାରିଗର ଭାବରେ ଅନେକ ମାଟି ପିଣ୍ଡୁଳାକୁ ହାତରେ ଅତି ନିଖୁଣ ଭାବରେ ସୁନ୍ଦର ସୁନ୍ଦର ମୂର୍ତ୍ତି ନିର୍ମାଣ କରିପାରିଛନ୍ତି।


 - କଥାରେ ଅଛି - "ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ବର" ଯଦିଓ ଏ ଭାବ, ଭାବନା, ଭାବମୂର୍ତ୍ତି ପୁରାଣ ଯୁଗର ତଥାପି ଢୁଙ୍କ ମାଷ୍ଟ୍ରଙ୍କ ଭଳି ଟିଉସନ୍ ମାଷ୍ଟର ଆଜି ବି ବିରଳ ।


- ଛୋଟ ପିଲାଟି ଯେତେବେଳେ ପାଠ ବୋଲି କିଛି ଜାଣି ନ ଥାଏ, ପାଠ ନାଆଁ ଶୁଣିଲେ ଡରୁଥାଏ ? ସେତେବେଳେ ବାପା ମାଆ ଅତି ସରାଗରେ -" ମୋର ପିଲା ପାଠ ପଢିବ" ବୋଲି ନୂଆ ବ୍ୟାଗ୍, ଖାତା, କଲମ, ପେନସିଲ, ସିଲଟ, ଖଡି ଦେଇ ସାରଙ୍କ ପାଖରେ ଛାଡି ଦେଇ ଆସନ୍ତି ।


- ସାରଙ୍କର କଳା ମଚମଚ ଶରୀରକୁ ଦେଖି ପିଲାଟି ଭୟଭୀତ ହୋଇଯାଏ କିନ୍ତୁ ସାରଙ୍କର ହସ ହସ ମଧୁରିଆ କଥାରେ ଆକୃଷ୍ଟ ହୋଇ - ପିଲାଟି ସାରଙ୍କର ନିକଟବର୍ତ୍ତୀ ହୁଏ ।


- ସାର୍ ବ୍ରାହ୍ମଣ ହୋଇଥିବାରୁ ପିଲାଟିର ଖଡି ଛୁଆଁ ପାଇଁ ଛଞ୍ଚାଟିଏ ନିଅନ୍ତି ଏବଂ ସିଲଟରେ "ଠ" ବୁଲାଇବାର ଅଭ୍ୟାସ କରାନ୍ତି । ସେ "ଠ" ବୁଲାଉ ବୁଲାଉ ମାସେ ଚାଲିଯାଏ ତାପରେ ଅ ଆ ଇତ୍ୟାଦି ଶିଖାନ୍ତି ।


- ବିଦ୍ୟାର ପ୍ରାରମ୍ଭିକ ଶିକ୍ଷା ଏବଂ ପିଲାର ମନସ୍ତାତ୍ତ୍ବିକ ଚିନ୍ତାଧାରାକୁ ନେଇ ସେ ଶିକ୍ଷା ପ୍ରଦାନ କରନ୍ତି । ଶିଶୁର ମାନସିକତା ପରଖି ଉତ୍ତମ ଜ୍ଞାନ ଦିଅନ୍ତି ।


- ବିଦ୍ୟା ଅନ୍ଧାରରୁ ଆଲୋକଭିଳାଷୀ ଏବଂ ଜ୍ଞାନାଭିଳାଷୀ କରାଏ ।

ଢୁଙ୍କ ସାରେ ବିଦ୍ୟାର ପ୍ରକୃତ ଅର୍ଥକୁ ହୃଦୟଙ୍ଗମ କରି କାନ୍ଦୁଥିବା କୁନି ପିଲାଟିକୁ ନିଜ କୋଳରେ ବସାଇ, ବୁଝାଇ ସୁଝାଇ ମଜା କଥା କହି, ଆଈବୁଢୀ କାହାଣୀ କହି ପାଠ ପଢାନ୍ତି ।


- କୌଣସି ପିଲାକୁ ଦଣ୍ଡ ଦେବା ବା ତାଙ୍କର ଭୟରେ କିଏ ଟିଉସନକୁ ନ ଆସିବା ! ଆଜି ପର୍ଯ୍ୟନ୍ତ କିଏ କେବେ ଜାଣିନାହିଁ ।


- ସାରଙ୍କର ପିଲାମାନଙ୍କୁ ପଣିକିଆ ଜ୍ଞାନ ଦେବା ହେଉ ଅବା ଓଡ଼ିଆ ଶବ୍ଦ, ବର୍ଣ୍ଣ, ଯୁକ୍ତାକ୍ଷର ଜ୍ଞାନ - ଏପରି ଭାବରେ ବୁଝାଇଥାନ୍ତି , ଘୋଷାଇଥାନ୍ତି ଯେ ଜୀବନର ଶେଷ ପର୍ଯ୍ୟନ୍ତ ସେ ଭୁଲି ପାରେ ନାହିଁ ।


- ଗାଁ ଟି ଯାକ ପିଲାଙ୍କର ପ୍ରାରମ୍ଭିକ ଗୁରୁ ଭାବରେ ସେ ଚିରନମସ୍ୟ, ଚିରବନ୍ଦନୀୟ ।


- କାଳର କରାଳ ଗତିରେ ଢୁଙ୍କ ମାଷ୍ଟ୍ରେ ଆଜି ନାହାଁନ୍ତି । କର୍ପୁର ଉଡି ଯାଇଛି କିନ୍ତୁ କନା ଖଣ୍ଡିକ ପଡି ରହିଛି....


- ଗାଁରେ ଢୁଙ୍କ ସାରଙ୍କର ପ୍ରତିମୂର୍ତ୍ତି ସ୍ଥାପନ ହୋଇନାହିଁ କି ତାଙ୍କର ଜନ୍ମ ଦିନ ପାଳନ ହେଉନାହିଁ ତଥାପି ଆଜି ବି କିଛି ବୁଢାବୁଢୀ ଦୋଳମଣ୍ଡପ ପିଣ୍ଡାରେ ବସି କଥା ହୁଅନ୍ତି - ଢୁଙ୍କ ମାଷ୍ଟ୍ରଙ୍କ ଭଳି ମାଷ୍ଟରଟିଏ ଆଜିର ସମାଜ ପାଇଁ ଦରକାର ! 


Rate this content
Log in

Similar oriya story from Inspirational