ଡାକ୍ତରଙ୍କ ହସ୍ତାକ୍ଷର
ଡାକ୍ତରଙ୍କ ହସ୍ତାକ୍ଷର


(କାନ୍ଥକୁ ଧରି ଧରି ଉଣ୍ଡାଳି ଉଣ୍ଡାଳି ଛଅ କି ସାତ ବର୍ଷର ଛୋଟିଆ ଝିଅ ରିଙ୍କି କାନ୍ଦି କାନ୍ଦି ତା ମାଆ ପାଖକୁ ଆସିଲା)। ମାଆ ପଚାରିଲେ, ଆରେ ମା ତୋର କଣ ହେଲା ? କାନ୍ଦୁଛୁ କାହିଁକି ? ରିଙ୍କି ଆହୁରି ଜୋର୍ ରେ କାନ୍ଦିବାକୁ ଲାଗିଲା ଏବଂ ନିଜ ଆଖିକୁ ଇଙ୍ଗିତ କରି କହିଲା,ମାଆ ମତେ କିଛି ଦେଖା ଯାଉନି । ସବୁ ଅନ୍ଧାର ଦେଖାଯାଉଛି । ଏତିକି କହୁ କହୁ ହଠାତ ମୁହଁ ମାଡ଼ିହେଇ ତଳେ ପଡିଗଲା । ରିଙ୍କିର ମାଆ ଏସବୁ ଦେଖି ଭୀଷଣ ଦୁଃଖ ପ୍ରକାଶ କଲେ । ତାଙ୍କ ଝିଅର କଣ ହେଲା ? ରିଙ୍କିକୁ କଣ ସତରେ କିଛି ଦେଖାଯାଉନି ? ସେ କଣ ତାର ଦୃଷ୍ଟିଶକ୍ତି ହରାଇବସିଛି ।
ଏଇ ପାଖ ଗାଁର ଝିଅ ରିଙ୍କି । ଗାଁ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢେ । ଦୁଇଦିନ ତଳେ ତାର ଆଖିରେ ଗୋଟେ ଆଲୁଅ ଉଠିଥିଲା । ସେଥିପାଇଁ ତାକୁ ବୋହୁତ କଷ୍ଟ ହେଉଥିଲା । ରିଙ୍କିର ବାପା ତାକୁ ପାଖ ଡାକ୍ତରଖାନାକୁ ନେଇଗଲେ । ଡ଼ାକ୍ତରବାବୁ କିଛି ଔଷଧ ଆଉ ଗୋଟେ ଆଖି ଡ୍ରପ୍ ଦେଇ କହିଲେ , ଏହି ଡ୍ରପ୍ କୁ ଆଖିରେ ପକେଇଲେ ଆଉ ଔଷଧ ଖାଇଲେ ଦୁଇଦିନ ଭିତରେ ଆଖି ଭଲ ହେଇଯିବ । କିନ୍ତୁ ଏ କଣ ଆଖି ଭଲ ହେବା ପରିବର୍ତ୍ତେ ରିଙ୍କି ଆଜି ଅନ୍ଧ । ରିଙ୍କିର ବାପା ସଙ୍ଗେ ସଙ୍ଗେ ରିଙ୍କିକୁ ବଡ ଡାକ୍ତରଖାନା ନେଇ ଚିକିତ୍ସା କଲେ । ସେଠାରେ ବଡ ବଡ଼ ଡାକ୍ତରମାନଙ୍କୁ ରିଙ୍କିର ପୂର୍ବ ଔଷଧ ଲେଖା କାଗଜ ବା ଚିଠା ଦେଖାଇଲେ । ସେଇ ଔଷଧ ଚିଠାରେ ତ ପୁରାପୁରି ଠିକ୍ ଔଷଧ ଲେଖା ଯାଇଛି । ହେଲେ ରିଙ୍କିର ଆଖି ନଷ୍ଟ ହେଲା କିପରି ? ଡାକ୍ତରମାନେ ଆଶ୍ଚର୍ଯ୍ୟ ହେଇ କିଛି ସମୟ ପରୀକ୍ଷା ନିରୀକ୍ଷା କଲେ । ଶେଷରେ ରିଙ୍କିର ମାଆ ରିଙ୍କି ବ୍ୟବହାର କରିଥିବା ଔଷଧ ସବୁ ଆଣି ଡାକ୍ତରଙ୍କୁ ଦେଖାଇଲା । ଡାକ୍ତରମାନେ ସେଇ ଔଷଧ ଦେଖି ଜାଣିବାକୁ ପାଇଲେ ଯେ ଭୁଲ୍ ଔଷଧର ବ୍ୟବହାରରେ ରିଙ୍କିର ପରିସ୍ଥିତି ଏହିଭଳି । ଶେଷରେ ବହୁ ତର୍ଜମା ପରେ ଜଣାପଡିଲା ଯେ ଔଷଧ ଦୋକାନୀ ଉକ୍ତ ଔଷଧ ଚିଠାଟିକୁ ଠିକ୍ ରେ ପଢ଼ିପାରିନଥିଲେ । ଔଷଧ ଚିଠାଟି ଏପରି ଅସ୍ପଷ୍ଟ ଭାଵରେ ଲେଖା ଥିଲା ଯେ ତାହା ଅନ୍ୟ ଏକ ଔଷଧ ଭାବେ ରୂପାନ୍ତରିତ ହେଉଥିଲା । ସେ ଯାହାବି ହେଉ ଟିକିଏ ଅସାବଧାନତା ପାଇଁ ଗୋଟେ କୁନି ଝିଅର ଭବିଷ୍ୟତ ଅନ୍ଧାର । ଏହି ପରିସ୍ଥିତି ପାଇଁ ଦାୟୀ କିଏ ? ଏହି ପରିସ୍ଥିତି ପାଇଁ ଦାୟୀ କେବଳ ଅସ୍ପଷ୍ଟ ହସ୍ତାକ୍ଷର । ୨୦୧୭ରେ ଏକ ଜାତୀୟ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଅନୁସାରେ ଡାକ୍ତରଙ୍କ ଖରାପ ଅକ୍ଷର ଯୋଗୁଁ ଆମ ଦେଶରେ ବର୍ଷକୁ ପ୍ରାୟ ୭୦୦୦ ପାଖାପାଖି ମୃତ୍ୟୁ ଘଟିଥାଏ । ବ୍ରିଟେନରେ ଏଭଳି ମୃତ୍ୟୁ ସଂଖ୍ୟା ବର୍ଷକୁ ପ୍ରାୟ ୩୦,୦୦୦ ହୋଇଥିବା ବେଳେ ଆମେରିକାରେ ଏହି ସଂଖ୍ୟା ପ୍ରାୟ ୧,୦୦,୦୦୦ ଛୁଇଁଥାଏ ବୋଲି ପ୍ରକାଶ ପାଇଛି । ପ୍ରେସକ୍ରିପ୍ସନରେ ଡାକ୍ତରମାନଙ୍କର ଅବୋଧ ହସ୍ତାକ୍ଷରକୁ ନେଇ ବୋହୁତ ହାସ୍ୟରସ କଥା ଶୁଣିବାକୁ ମିଳୁଛି । ସାଧାରଣତଃ ବିଦ୍ୟାଳୟରେ ପ୍ରାଥମିକ ଶ୍ରେଣୀରେ ହସ୍ତାକ୍ଷର ଖରାପ ହେଲେ ଶିକ୍ଷକମାନେ ଦଣ୍ଡ ଦେବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ଡାକ୍ତର ହେବୁ କହି ବ୍ୟଙ୍ଗ କରୁଥିଲେ । ଡାକ୍ତରମାନଙ୍କର ଏପରି ଖାମଖିଆଲି ହସ୍ତାକ୍ଷର ଓ ତାହାର ଭ୍ରମାତ୍ମକ ତର୍ଜମାର ପରିଣତି କିପରି ହୃଦୟ ବିଦାରକ ହୋଇପାରେ , ତାର ଏକ ନିଷ୍ଠୁର ଉଦାହରଣ ହେଉଛି "ରିଙ୍କି" । ଡାକ୍ତରମାନଙ୍କର ଖାରାପ ଅକ୍ଷର ପାଇଁ ଏମିତି ବୋହୁତ ଅଘଟଣ ଘଟୁଛି । ପ୍ରାୟ ଅଧିକାଂଶ ଡାକ୍ତରମାନଙ୍କର ଖରାପ ହସ୍ତାକ୍ଷର ଦେଖିଲେ ମନେହୁଏ ଯେ,କେବଳ ଖରାପ ଅକ୍ଷର ଲେଖୁଥିବା ଛାତ୍ରମାନେ ହିଁ ଡାକ୍ତରୀ ପଢ଼ିଥାନ୍ତି । ମୁଁ ଭାବୁଛି ଡାକ୍ତରୀ ପଢ଼ିବା ପାଇଁ ପ୍ରାର୍ଥୀ ଚୟନ କରିବାକୁ ହେଉଥିବା ପରୀକ୍ଷାରେ ସେମାନଙ୍କର ହସ୍ତାକ୍ଷର ପରୀକ୍ଷା କରାଯିବା ଏବଂ ସେଥିପାଇଁ ଏକ ସର୍ବନିମ୍ନ ଯୋଗ୍ୟତା ପ୍ରଦାନକାରୀ ମାର୍କ ରଖିବାକୁ ବାଧ୍ୟତାମୂଳକ କରାଯିବା ଉଚିତ ।