Kanan Bala Nayak

Tragedy

4  

Kanan Bala Nayak

Tragedy

ଡାହାଣୀ

ଡାହାଣୀ

4 mins
188



  ଗାଁ ଶେଷ ମୁଣ୍ଡ ଚାଳଛପର ଘରଟାରେ କାହିଁ କେତେ କାଳରୁ ରହି ଆସୁଛି ସାହୁ ବୁଢୀ‌।ବୟସ କେତେ ହେବ କେହି ତାର ହିସାବ ରଖି ନାହାଁନ୍ତି।କେ କହେ ଚାରି କୋଡି ହେବତ କେ କହେ ଚାରି କୋଡିରୁ ଆହୁରି ସାତ ଆଠ ବର୍ଷ ଅଧିକ ହେବ ବୋଲି।ତା ସମ ସାମୟିକ ଲୋକ ମାନେ ସବୁ କୁଆଡେ ମରି ହଜି ଗଲେଣି।ତାର ଅସଲି ନାଁ ମଧ୍ୟ ସମସ୍ତେ ଭୁଲି ଗଲେଣି। ଏବେ ଗାଁ ସାରା ଲୋକ ତାକୁ ସାହୁ ବୁଢ଼ୀ ଭାବରେ ଜାଣିଛନ୍ତି। ନିଜର ବୋଲି କହିଲେ ତାର କେହି ନାହାଁନ୍ତି। ଖାଲି ସେଇ ଚାଳ ଛପର ଘର ସହ ଦୁଇ ମାଣ ଚାଷ ଜମି ଅଛି। ସେଇ ଦୁଇ ମାଣ ଜମିକୁ ଭାଗ ବଖରା ଦେଇ ସେଥିରୁ ଯାହା ଆୟ ହୁଏ ସେଥିରେ ସେ କୌଣସି ମୋତେ ଚଳି ଯାଏ।ତା ଛଡା ଗାଁ ର କିଛି ଭଲ ଲୋକ ବୁଢ଼ୀ କୁ କିଛି ସାହାଯ୍ୟ କରନ୍ତି । ହେଲେ ଗାଁର ଅଧାରୁ ଅଧିକ ଲୋକ ତା ମୁହଁ ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ।


   ସେମାନଙ୍କ କହନ୍ତି ସେ କୁଆଡେ ଗୋଟେ ଡାହାଣୀ।ନା ସେମାନେ ତା ଘରକୁ ଯାଆନ୍ତି ନା ତାକୁ ତାଙ୍କ ଘରକୁ ଆସିବାକୁ ଦିଅନ୍ତି। ସେମାନଙ୍କ ମତରେ ତା ଛାଇ ଯାହା ଉପରେ ପଡ଼େ ତାର କୁଆଡେ ଅକାଳ ମୃତ୍ୟୁ ହୁଏ। ସେଥିପାଇଁ କିଛି ଲୋକ ତାକୁ ଦୂରରୁ ଦେଖିଲେ ମଧ୍ୟ ବାଟ ଭାଙ୍ଗି ଚାଲି ଯାଆନ୍ତି। ସେମାନେ ତା ଛାଇକୁ ବି ନିଜ ଉପରେ ପଡ଼ିବା ପାଇଁ ଦିଅନ୍ତି ନାହିଁ। ସେମାନେ କହନ୍ତି ସାହୁ ବୁଢ଼ୀ କୁଆଡେ ଡାହାଣୀ ବିଦ୍ଯା ଶିଖିଛି।ଆଉ ଯେଉଁ ମାନେ ଡାହାଣୀ ବିଦ୍ୟା ଶିଖନ୍ତି ସେମାନେ କୁଆଡେ ବିଦ୍ୟାର ପ୍ରୟୋଗ କରିବା ପାଇଁ ରାତି ଅଧରେ ବାହାରକୁ ବାହାରନ୍ତି।ଆଉ ସେ ସମୟରେ ସେମାନେ ମୁଣ୍ଡ ତଳକୁକୁ କରି ଗୋଡ଼ ଉପରକୁ କରି ବିଦ୍ୟାର ପ୍ରୟୋଗ କରନ୍ତି।ଆଉ ବିଦ୍ୟା ପ୍ରୟୋଗ କରି ସାରି ଭୋର୍ ଭୋର୍ ଯେତେବେଳେ ଘରକୁ ଫେରନ୍ତି ସେ ସମୟରେ ତାଙ୍କ ସମ୍ମୁଖରେ ଯଦି କୌଣସି ମଣିଷ ପଡନ୍ତି ସେମାନେ କୁଆଡେ ତା ପ୍ରାଣ ହରଣ କରି ନିଅନ୍ତି।(କେହି କେହି କହନ୍ତି ସେମାନେ କୁଆଡେ ତା କଲିଜା ଖାଇ ଦିଅନ୍ତି)।


   ଦିନ ଥିଲା ସାହୁ ବୁଢ଼ୀର ଘର ମଧ୍ୟ ସ୍ବାମୀ ଓ ଦୁଇ ପୁଅକୁ ନେଇ ହସ ଖୁସିରେ ପୁରି ଉଠୁଥିଲା।ସାହୁ ବୁଢା ମହାଜନୀ କାରବାର କରୁଥିଲା। ଭଲ ଦୁଇ ପଇସା ରୋଜଗାର କରୁଥିଲା। ଥରେ ମହାଜନୀ କାରବାର କରିବାକୁ ସେ ଆଖ ପାଖ ଗାଁକୁ ଯାଇ ଥିଲା।ଆଉ ସେ ଗାଁରୁ କାମ ସାରି ଭୋର୍ ଭୋର୍ ଘରକୁ ଫେରୁଥିଲା।ସେଇ ସମୟରେ ସାହୁ ବୁଢ଼ୀ ମଧ୍ୟ କୁଆଡେ ଡାହାଣୀ ବିଦ୍ୟା ପ୍ରୟୋଗ କରି ସାରି ଘରକୁ ଫେରୁଥାଏ।ତାର ନଜର ସାହୁ ବୁଢା ଉପରେ ଯେମିତି ପଡ଼ିଗଲା।ସେ କୁଆଡେ କହି ଉଠିଲା ତୁମେ ଇଏ କ'ଣ କଲ ଏଇ ସମୟରେ ମୋ ସାମ୍ନାକୁ ଚାଲି ଆସିଲ।ଆଉ ସାହୁ ବୁଢାର ପ୍ରାଣ ସେଇଠି ଚାଲି ଯାଇଥିଲା।ଆଉ ତାର ଦୁଇ ପୁଅ ମଧ୍ୟ ସେଇ ଭଳି ଭାବରେ ସାହୁ ବୁଢ଼ୀ ଡାହାଣୀ ବିଦ୍ୟା ସାରି ଫେରିବା ସମୟରେ ତା ହାବୁଡ଼ରେ ପଡ଼ି ପ୍ରାଣ ହରାଇ ଥିଲେ ବୋଲି ଗାଁ ଲୋକ ମାନେ କହନ୍ତି। ହେଲେ ଗାଁ ର ଶିକ୍ଷିତ ଲୋକ ମାନେ ଏଇ କଥାକୁ ବିଶ୍ୱାସ କରନ୍ତି ନାହିଁ। 


  ସେମାନେ କହନ୍ତି ଯେ ସାହୁ ବୁଢା ଓ ତା ପୁଅ ମାନେ ହୃଦଘାତର ଶୀକାର ହୋଇ ମୃତ୍ୟୁ ବରଣ କରିଥିଲେ।ଆଉ ସାହୁ ବୁଢ଼ୀ ଜଣେ ଅତି ସ୍ନେହୀ ଓ ଅମାଇକ  ସ୍ତ୍ରୀ ଲୋକ। କିଛି ଲୋକ ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହୋଇ ତା ନାଁ ରେ କେହି ଜଣେ ଇର୍ଷୁକ ବ୍ୟକ୍ତି କରିଥିବା ଅପପ୍ରଚାର କୁ ସତ ବୋଲି ଭାବି ତା ପ୍ରତି ଏଭଳି ଅମାନୁଷିକ ବ୍ୟବହାର କରନ୍ତି। ତେଣୁ ସେଇ ଶିକ୍ଷିତ ବ୍ୟକ୍ତି ମାନେ ସାହୁ ବୁଢ଼ୀକୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ସାହାଯ୍ୟ କରିଥାଆନ୍ତି।ସେଇ ଭଳି ଜଣେ ଶିକ୍ଷିତ ବ୍ୟକ୍ତି ଥିଲେ ଗାଁ ର ଜଣେ ଶିକ୍ଷକ ମହେଶ ବାବୁ।ସାହୁ ବୁଢ଼ୀ ତାଙ୍କ ପିଲାମାନଙ୍କୁ ନିଜ ପିଲା ଭଳି ସ୍ନେହ କରୁଥିଲା।ଆଉ ସବୁଠାରୁ ବେଶୀ ସ୍ନେହ କରୁଥିଲା ତାଙ୍କ ସାନ ପୁଅଙ୍କୁ ।ପାଦରେ ଚାଲିବାକୁ ବଳ ନ ଥିଲେ ମଧ୍ୟ ନଇଁ ନଇଁ ବୁଢ଼ୀ ତାକୁ ଦେଖିବା ପାଇଁ ଚାଲି ଆସେ।ତାକୁ ତେଲ ହଳଦୀ ଲଗାଇ ଦିଏ।ଆଉ ତା ମୁଣ୍ଡରେ ଗୋଟେ କଳା ଟିକା ଲଗାଇ ଦେଇ କହେ ମୋ କାହ୍ନୁକୁ ଯେମିତି କାହା ନଜର ନ ଲାଗୁ। 


  ଗାଁ ର ଅନେକ ଲୋକ ମହେଶ ବାବୁଙ୍କୁ ସାହୁ ବୁଢ଼ୀକୁ ତାଙ୍କ ଘରକୁ ଯିବା ପାଇଁ ବାରଣ କରିବା ପାଇଁ କହନ୍ତି। କହନ୍ତି ଆପଣ ଆମ କଥାକୁ ବିଶ୍ୱାସ କରୁ ନାହାଁନ୍ତି ।ଦେଖିବେ ଯେଉଁ ଦିନ ତା ଖରାପ ନଜର ଯୋଗୁଁ ଆପଣଙ୍କ ପିଲାର ଅସୁବିଧା ହେବ ସେଇ ଦିନ ଆମ କଥା ନ ମାନି ଯେଉଁ ଭୁଲ୍ କରୁ ଛନ୍ତି ତା ପାଇଁ ପସ୍ତାଇବେ।ମହେଶ ବାବୁ କହନ୍ତି ସେମିତି ଦିନ ଯେବେ ଆସିବ ଦେଖା ଯିବ। ମୁଁ ଏବେରୁ ଗୋଟେ ଅସହାୟ ବୁଢ଼ୀକୁ କିଛିଟା ସ୍ନେହ ମମତାରୁ କାହିଁକି ବଞ୍ଚିତ କରିବି। ବୁଢ଼ୀର ତ ନିଜର ବୋଲି କେହି ନାହିଁ।ଆଉ ସେ ଯଦି ମୋ ପିଲାଙ୍କ ପାଖରୁ କିଛି ଟା ସ୍ନେହ ମମତା ପାଉଛି ସେଥିରୁ ତାକୁ ବଞ୍ଚିତ କଲେ ପାପ ହେବେନି।ତା ଛଡା ଜଣେ ମାଆ କେବେ ତା ପିଲାଙ୍କ ଅମଙ୍ଗଳ କରି ପାରେ?


  ସାହୁ ବୁଢ଼ୀ ମୋ ପିଲାଙ୍କୁ ତା ନାତି ନାତୁଣୀ ଠାରୁ ଅଧିକ ଭଲ ପାଏ। ତେଣୁ ସେ କେବେ ବି ତାଙ୍କର ଅନିଷ୍ଟ କରିବା ତ ଦୂରର କଥା,ସେ କଥା ଚିନ୍ତା ବି କରି ପାରିବ ନାହିଁ। ଆଉ ଆମ କାହ୍ନୁ ତ ତା ଜୀବନ।ସବୁ ଦିନ ଭଳି ସେ ଦିନ ମଧ୍ୟ ସାହୁ ବୁଢ଼ୀ ନଇଁ ନଇଁ ମହେଶ୍ ବାବୁଙ୍କ ଘରକୁ ଆସିଲା ଓ କାହ୍ନୁକୁ ଖୋଜିଲା । ସେତେବେଳକୁ କାହ୍ନୁ ନୂଆ ନୂଆ ଚାଲି ଶିଖୁଥାଏ।ମହେଶ ବାବୁଙ୍କ ସ୍ତ୍ରୀଙ୍କୁ ପଚାରିଲା ବୋହୂ ମୋ କାହ୍ନୁ କାହିଁ?ମହେଶ ବାବୁଙ୍କ ସ୍ତ୍ରୀ କହିଲେ ବାଡି ପଛ ପଟେ ତା ଭାଇ ଭଉଣୀଙ୍କ ସହ ଖେଳୁଛି।ବୁଢ଼ୀ ସେମିତି ନଇଁ ନଇଁ ବାଡି ପଟକୁ ଗଲା। ହେଲେ ସେ ସେଠାରେ ଅନ୍ୟ ପିଲାଙ୍କ ସହ କାହ୍ନୁକୁ ଦେଖିଵାକୁ ପାଇଲା ନାହିଁ। ଅନ୍ୟ ପିଲାଙ୍କୁ ପଚାରିବାରୁ କହିଲେ କାହ୍ନୁ ତ କେତେବେଳୁ ଘର ଭିତରକୁ ଗଲାଣି।ବୁଢ଼ୀ ପୁଣି ଘର ଭିତରକୁ ଯାଇ ମହେଶ ବାବୁଙ୍କ ସ୍ତ୍ରୀକୁ ପଚାରିଲା ହେଲେ କାହ୍ନୁକୁ ଘରେ ନ ଥିବାର ଦେଖି ସମସ୍ତେ ବ୍ୟସ୍ତ ହୋଇ ତାକୁ ଖୋଜିଲେ।ସେଇ ସମୟରେ ସାହୁ ବୁଢ଼ୀ ଦେଖିଲା କାହ୍ନୁ ଧୀରେ ଧୀରେ ପାଦ ପକାଇ ରାସ୍ତା ଉପରକୁ ଚାଲି ଯାଉଛି ଆଉ ସେ ପାଖରୁ ଗୋଟେ ଗାଡ଼ି ଦ୍ରୁତ ଗତିରେ ତା ଆଡକୁ ମାଡିଆସୁଛି। ଭଲ ଭାବରେ ଚାଲି ପାରୁ ନଥିବା ସାହୁ ବୁଢ଼ୀ ଦେହରେ ଅଚାନକ ଏତେ ବଳ କୁଆଡୁ ଚାଲି ଆସିଲା କେଜାଣି ସେ ଦଉଡ଼ି ଯାଇ କାହ୍ନୁକୁ କୋଳେଇ ନେଲା ଓ ସେଇ ସମୟରେ ଗାଡ଼ି ଆସି ସାହୁ ବୁଢ଼ୀକୁ ଯୋର୍ ରେ ଧକ୍କା ଦେଇଦେଲା।ସାହୁ ବୁଢ଼ୀ ଗୁରୁତର ଭାବରେ ଆଘାତ ପ୍ରାପ୍ତ ହେଲା। ହେଲେ କାହ୍ନୁ ପୁରା ଅକ୍ଷତ ଅବସ୍ଥାରେ ଥାଏ।


   ମହେଶ୍ ବାବୁ ବୁଢ଼ୀକୁ ନେଇ ହସ୍ପିଟାଲ ଗଲେ ହେଲେ ବୁଢ଼ୀକୁ ବଞ୍ଚାଇବାରେ ସକ୍ଷମ ହୋଇନଥିଲେ। ନିଜ ଜୀବନ ଦେଇ ସାହୁ ବୁଢ଼ୀ କାହ୍ନୁର ଜୀବନ ରକ୍ଷା କରିଥିଲା।ସେଇ ଦିନ ଗାଁ ଲୋକ ହୃଦୟଙ୍ଗମ କରିଥିଲେ ସାହୁ ବୁଢ଼ୀ ଡାହାଣୀ ନଥିଲା।ଥିଲା ଏକ ସ୍ନେହ ବତ୍ସଳା ମହିଳା। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସେମାନେ ତାକୁ ଡାହାଣୀ ବୋଲି ଭାବି ତା ପ୍ରତି କରିଥିବା ଅନ୍ୟାୟର ପ୍ରତିକାର ସ୍ବରୂପ ତାର ଶବ ସତ୍କାରରେ ସମସ୍ତ ଗାଁ ସମ୍ମିଳିତ ହୋଇ ସାହୁ ବୁଢ଼ୀ ଅମର ରହେ କହି ତାକୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।


Rate this content
Log in

Similar oriya story from Tragedy