ଦାୟିତ୍ୱ
ଦାୟିତ୍ୱ
ତାରା ଦେବୀ ଠାକୁର ପୂଜା ସାରି ବୋହୂ ବର୍ଣ୍ଣନା କୁ ଖୋଜି ଖୋଜି ରୋଷେଇ ଘରେ ପହଞ୍ଚିଲେ। ହେଲେ ସେ ସେଠି ବି ନଥିଲା। ମନେମନେ ବହୁତ ବ୍ୟସ୍ତ ହେଲେ। ନଅଟା ବାଜିଲାଣି। ସକାଳ ପାଇଁ ଖାଇବା ତିଆରି ହୋଇଯିବା କଥା ଅଥଚ ଚା' ଟିକେ ବି ତିଆରି ହୋଇନି।
ସମରେଶ ବାବୁ ପେପର ପଢିବାରେ ମଗ୍ନ ଥିଲେ। ତାରା ଦେବୀଙ୍କୁ ସାମ୍ନାରେ ଦେଖି କହିଲେ-କଣ ଆଜି ଚା'ଟିକେ ବି ମିଳିବନି?
ତାରା ଦେବୀ କିଛି ନ କହି ସିଧା ବର୍ଣ୍ଣନା ରୁମ୍ କୁ ଗଲେ। ସେ ଶୋଇ ରହିଥିଲା ଯେମିତି ଦି ମାସ ହେଲା ଶୋଇନି। ରାଗରେ ଡାକିଲେ -ବର୍ଣ୍ଣନା! ବର୍ଣ୍ଣନା!
ବର୍ଣ୍ଣନା ଏଥର ଉଠିଯାଇ ବେଡ୍ କୁ ଆଉଜିକି ବସିଲା। କଣ ହେଲା ମା?
-ଘଣ୍ଟାରେ କେତେଟା ବାଜିଲାଣି ତତେ ଜଣା ଅଛି କି ନାହିଁ? ତୁ ଏମିତି ସବୁବେଳେ ଶୋଇ ରହିଲେ ଘରର କାମଦାମ ସବୁ କେମିତି ହେବ?
-ସେ କଥା ଆପଣ ଆପଣଙ୍କ ପୁଅକୁ ପଚାରି ପାରନ୍ତି।
ତାରା ଦେବୀ ବୁଝି ପାରିଲେନି ଏକଥା ସହ ତାଙ୍କ ପୁଅର ସମ୍ପର୍କ କଣ?
ବିରାନ ତା'ର ଦରକାରୀ ଫାଇଲ ଖୋଜିବାରେ ଲାଗିଥିଲା।
ତାରା ଦେବୀ ଗୋଟିଏ ମୁହୂର୍ତ୍ତ ସେଠାରେ ନରହି ବାହାରକୁ ଆସି ସୋଫାରେ ବସିଗଲେ। ବିରାନ ଯେବେ ଆସିଲା ମା ଙ୍କୁ ଦେଖି କହିଲା-ମା! ତମେ ତା ଉପରେ ରାଗନି। ଦେଖିବ, ଧୀରେ ଧୀରେ ସେ ତୁମର ସବୁ ଦାୟିତ୍ବ ସମ୍ଭାଳିନେବ।
-ହଁ, ହଁ, ସବୁ ସମ୍ଭାଳିନେବ! ଆଉ କେବେ? ମୁଁ ମଲା ପରେ! ଏବେ ଜାଣିଲି ମୋ କଥାଟା ତା କାନରେ ଘର କାହିଁକି କରିନି।ତୁ ତାକୁ ମୁହଁ ଦେଇଛୁ, ଏମିତି ସବୁ ମନମାନି କରିବାକୁ। ଘରକୁ ଆସିଲାଣି ଛମାସ ହେଲାଣି। ହେଲେ ତାକୁ ପଚାରିଲୁ, ଘରର କୋଉ ଜିନିଷ କୋଉଠି ଅଛି? କହିପାରିବନି, ଓଲଟା ତତେ ପଚାରିବ। ପଚାରିବୁ ତୋ ବାପା କଣ ଖାଇବାକୁ ପିଇବାକୁ ପସନ୍ଦ କରନ୍ତି? କହି ପାରିବନି। ଆଉ ମୋ ବିଷୟରେ ତାକୁ କିଛି ନ ପଚାରିବା ଭଲ। ଆସିଲା ଦିନ ଠାରୁ ମୋ ସହ ପଦେ ଅଧେ କଥା ବି ନାହିଁ। ମୋ ଭଲମନ୍ଦ ରେ ତା'ର କିଛି ଯାଏ ଆସେ ନାହିଁ। କେତେ ଆଶା ନେଇ ବୋହୂ କରିଥିଲି କଣ ଏଇଥିପାଇଁ? ଭାବିଥିଲି ବୋହୂ ଆସିଲେ ଘରର ସବୁ ଦାୟିତ୍ବ ତାକୁ ହସ୍ତାନ୍ତର କରି ଟିକେ ଆରାମରେ ଦିନ କାଟିବି ହେଲେ ସିଏତ ମୋ ବଞ୍ଚିବା କଷ୍ଟକର କରି ସାରିଲାଣି।
-ମା! ଏତେ ଦିନ ସମ୍ଭାଳିଲଣି ଆଉ କିଛି ଦିନ ସମୟ ଦିଅ ତାକୁ।
-ଆଉ କିଛି ଦିନ ମାନେ? କହନ୍ତି ନୂଆ ଗୋରୁ ଆଉ ନୂଆ ବୋହୂକୁ ଛମାସ ।ଛମାସ କଣ କମ୍ ଦିନ ହେଲାଣି! ଛମାସରେ କଣ ସେ ଚା ତିଆରି କରିବାଟା ଶିଖି ପାରିଲାନି?ଏମିତି ଚା'ତିଆରି କରିବାଟା କଣ ବଡ କାମ? ରୋଷେଇଘରର ଏରୁଣ୍ଡି ବନ୍ଧ ବି ଆଜି ଯାଏଁ ଡେଇଁନି। ତୁ ଯିବା ପରେ ପରେ ସେ କଣ କରୁଛି ଜାଣୁ? ଦିନତମାମ ସେ ରୁମ୍ ରେ ଫୋନରେ ବ୍ୟସ୍ତ ଥିବ ନହେଲେ ସାଙ୍ଗ ମାନଙ୍କ ସହ ବାହାରେ ବୁଲି ବୁଲି ସଂଧ୍ୟା ରେ ଘରକୁ ଫେରିବ। ତା ପାଇଁ ଆଖପାଖ ଲୋକ ମୋତେ ପରାମର୍ଶ ଦେବା ଆରମ୍ଭ କଲେଣି। ଦେବେନି କାହିଁକି?ସେମିତି ବୋହୂଟେ ଆଣିଛି ନା? ବାର ଗାଁ ଚବିଶ ମୌଜା ଖୋଜିଲେ ବି ଏମିତି ବୋହୂ ମିଳିବେନି। ଯେବେ ବି ଯିଏ ତା କଥା ପଚାରିବ ମହାରାଣୀ ଘରେ ନଥିବେ। ମୋତେ କାମରେ ବ୍ୟସ୍ତ ଥିବାର ଦେଖି ସେମାନେ ଦୟା ଦେଖେଇବା ବି ଆରମ୍ଭ କଲେଣି।
ଏତିକିବେଳେ ସମରେଶ ବାବୁ ପହଞ୍ଚି କହିଲେ-ଆରେ! ଏଠି ପୁଅ ସହ ସକାଳୁ ସକାଳୁ କୋଉ ଆଲୋଚନା ରେ ମାତିଛ?ଚା'କପେ କେତେବେଳୁ ମାଗିଲାଣି। ଦଶଟା ବାଜିଲାଣି କଣ ସଂଧ୍ୟା ବେଳକୁ ଦେବ?
-ଆଉ ଦେଇ ପାରିବିନି। ଏଥର ବଜାରରୁ ପିଇବା ଅଭ୍ୟାସ କର। ଖାଲି ଚା ପିଇବା ନୁହେଁ, ଦିନ ଆଉ ରାତି ର ଖାଇବା ବି କୋଉ ହୋଟେଲରେ ଖାଇଦେବ। ମୋତେ ଟିକେ ଶାନ୍ତିରେ ବଞ୍ଚିବାକୁ ଦିଅ। ଆଉ ପାରିବିନି, ବହୁତ କଲି।
-ବିରାନ୍ !କଣ ହେଇଛି କିରେ ତୋ ମା ର? ସକାଳୁ ସକାଳୁ ଏତେ ବରଷୁଛି କାହଁକି? ବାହାରେ ତ ପ୍ରବଳ ଖରା।
ତାରା ଦେବୀ କହିଲେ -କାହିଁ ତମେ କିଛି ଜାଣିନ? ତମ ବାପ ପୁଅ ଦି ଜଣଙ୍କ ପାଇଁ ଆଜି ମୋର ଏ ଅବସ୍ଥା। ତମ ଭିତରୁ କେହି ବି ଜଣେ ମୋ କଥା ଯଦି ଭାବିଥାନ୍ତ, ଏଦିନ ମୋତେ ଆଜି ଦେଖିବାକୁ ପଡି ନଥାନ୍ତା? ବାପ ପୁଅ ମିଶି ସେ ପିଲାଟାକୁ ବିଗାଡିକି ରଖିଛ।ତାର ମୋ ପ୍ରତି ଏତେ ବେଖାତିର ଭାବ ଅଥଚ କେହି ଜଣେ ତ ମୋ ସପକ୍ଷରେ ଠିଆ ହୋଇ ତାକୁ ପଦେ ଅଧେ କୁହନ୍ତ!
- ପଚିଶ ବର୍ଷ ହେଲାଣି ମୋ ପୁଅ ଆଜି ଯାଏଁ ତମ ବିରୁଦ୍ଧରେ କିଛି ବି ଅଭିଯୋଗ କରିନି, ମୁଁ କେମିତି ତା ସ୍ତ୍ରୀ ବିରୁଦ୍ଧରେ ତମ ସପକ୍ଷରେ କହିବି?
ବାପାଙ୍କର ଏମିତି କଥା ଶୁଣି ବିରାନ ହସି ଦେଲା।
ତାରା ଦେବୀ କହିଲେ -ଏତେ ସବୁ କଥା ପରେ ତୋର ପୁଣି ହସ! ସେ କାହିଁକି ଏମିତି କହିଲା,' ଆପଣ ଆପଣଙ୍କ ପୁଅକୁ ପଚାରନ୍ତୁ"?
-କଥା କଣ କି ମା, ସେ ପିଲାଦିନୁ ଖୁବ୍ ଆରାମରେ ବଢି ଆସିଛି। ଏସବୁ କାମଧନ୍ଦା କରିପାରିବନି ବୋଲି ଆଗରୁ କହିଥିଲା।
-ଆଚ୍ଛା! କଥା ତାହେଲେ ଏଠି!କରି ପାରିବନି ମାନେ! ଆଉ କଣ ଗାଁବାଲା ଆସିବେ କରିବାକୁ?ଇଏତ ବିରଳ ପ୍ରଜାତିର ଝିଅ! ବାହାଘର ଭଳି ପବିତ୍ର ସମ୍ପର୍କଟି ଆଗରୁ ବିଶ୍ୱାସ ରେ ଯୋଡୁଥିଲା ହେଲେ ସର୍ତ୍ତ ରେ ବି ଯୋଡାହୁଏ ଆଜି ଜାଣିଲି ।ଏତେ କଥା ଯଦି ଥିଲା ମୋତେ ଥରେ କହିଲୁନି, ତୋ ପାଇଁ କଣ ଝିଅ ଅଭାବ ହଉଥିଲେ?
ସମରେଶ କହିଲେ-କହିଥିଲେ ତମେ କଣ ବାହାଘର ପାଇଁ ରାଜି ହେଇଥାନ୍ତ? ତାର ବର୍ଣ୍ଣନା ବହୁତ ପସନ୍ଦ ଥିଲା, ସେଥିପାଇଁ ତା ଅଜବ ସର୍ତ୍ତ ରେ ରାଜି ହେଇଗଲା।
-ତମେ ବ୍ୟସ୍ତ କାହିଁ ହଉଛ ମା? ସେ କରିବନି ଯିବ କୁଆଡେ?
-ହେଇଟି ଦେଖୁଛ କଣ କହୁଛି!ମୁଁ କାହିଁ ବ୍ୟସ୍ତ ହଉଛି।ମୁଣ୍ଡ ପିଟିଦେବି କାନ୍ଥରେ। ସଫା ସଫା କହି ଦଉଛି,ଘରର ଆଉ ଗୋଟିଏ କାମ ବି ମୁଁ କରି ପାରିବିନି। ତମେ ବାପା ପୁଅ ଯାହା କରିବା କଥା କର କହି ତାରା ଦେବୀ ରୁମ୍ ଭିତରକୁ ଚାଲିଗଲେ।
ବିରାନ ବିବଶ ହୋଇ ବାପାଙ୍କୁ ଚାହିଁଲା।
-ଯିଏ ଭଲପାଉଛି ଅନୁଶାସନ କେମିତି କରାଯାଏ ସେଇଟା ବି ଶିଖିବା ସିଏ ନିହାତି ଦରକାର କହି ସମରେଶ ନିଜ କାମରେ ବାହାରିଗଲେ।
ଦିନ ସାରା ବିରାନ ଅଫିସ ଚାମ୍ବରରେ ବସି ବର୍ଣ୍ଣନା ର କଥା ଭାବୁଥିଲା। କଣ କଲେ ସେ ବୁଝି ପାରିବ ତା'ର ବି ଘର ପ୍ରତି କିଛି ଦାୟିତ୍ବ ଅଛି। ସେ ତ ଭାବିଥିଲା ସେ ଧୀରେ ଧୀରେ ସବୁ ବୁଝିଯିବ ଅଥଚ ଦିନକୁ ଦିନ ତାର ବାଜ୍ୟେ ଅଭ୍ୟାସ ବଢି ବଢି ଚାଲିଛି। ଗୋଟେ ପଟେ ମା ର ଅସହାୟପଣ, ବ୍ୟସ୍ତତା ଦେଖି ହଉନି ।ଆରପଟେ ସେ ତାକୁ କେବେ କୋଣସି କଥାରେ ପ୍ରତିବାଦ କରିବନି ବୋଲି କହିଛି। ତାର ପ୍ରତିଟି ଇଚ୍ଛା କୁ ସମ୍ମାନ ଦେବାକୁ ଯାଇ ମା ପ୍ରତି ଅବହେଳା ତ ଆଉ କରି ହବନି। ଯାହା ବି ହଉ। କିଛି ତ ଗୋଟେ କରିବାକୁ ପଡିବ।
ସଂଧ୍ୟା ବେଳେ ଘର କୁ ଫେରିଲାବେଳକୁ ରାକ୍ଷୀକୁ ସାଙ୍ଗରେ ନେଇ ଆସିଲା। ମା ତାକୁ ଦେଖି ପଚାରିଲେ -ଇଏ ଝିଅ କିଏ?
-ମା ଇଏ ହେଲପିଙ୍ଗ୍ ଗାର୍ଲ। ଆମାଜନ୍ ର ୱେବସାଇଟ ଜରିଆରେ ଆଣିଛି। ୟା ନାଁ ରାକ୍ଷୀ। ଆଜି ଠାରୁ ଘରର ସବୁ କାମ କରିବ। ତମକୁ ଟିକେ ବି କଷ୍ଟ କରିବାକୁ ପଡିବନି। ଏବେ ଖୁସି ତ!
ତାରା ଦେବୀ ଙ୍କର ଅଭିମାନରେ।
ହଁ, ବହୁତ ଖୁସି। ଆଜିକାଲିକା ପୁଅ ମାନଙ୍କ ଠାରୁ ଆଉ ଅଧିକା କଣ ଆଶା କରାଯାଇପାରେ!
ବିରାନ କିଛି କହିଲାନି। ରୁମ୍ କୁ ଚାଲିଗଲା। ବର୍ଣ୍ଣନା ଟି. ଭି. ରେ କୋଉ ଗୋଟେ ଚଳଚିତ୍ର ଦେଖିବାରେ ବ୍ୟସ୍ତ ଥିଲା। ଟି.ଭି .ସାଉଣ୍ଡ କମ୍ କରି ପଚାରିଲା -ଯେବେ ଚାରିଟା ବେଳେ କଲ୍ କରିଥିଲି ଆମାଜନ୍ ରେ କଣ ଗୋଟେ ଅର୍ଡର କରିଛ ବୋଲି କହୁଥିଲ। ସଂଧ୍ୟା ସୁଦ୍ଧା ପହଞ୍ଚି ଯିବ।କଣ ଆଣିଛ ଦେଖିବା?
-ସେଇଟା ଦେଖିବା ଜିନିଷ ନୁହେଁ।
-ଆଚ୍ଛା! ଏମିତି କି ଜିନିଷ ଆଣିଛ କୁହନା? କାହା ପାଇଁ ଆଣିଛ?
-ତମ ପାଇଁ।
-ଓଃ! ରିଏଲି! ତାହେଲେ ମୋତେ ଦେଖିବା ପାଇଁ କାହିଁକି ମନା କରୁଛ?
ବିରାନ କମ୍ପ୍ୟୁଟର ଅନ୍ କରି ବସିଗଲା।
-କିଛି କହିଲନି ଯେ?
ତାରା ଦେବୀ ଡାକୁଥିଲେ। ରାକ୍ଷୀ! ଦି କପ୍ ଭଲ ଚା ନେଇ ଆସିବୁ।
ବର୍ଣ୍ଣନା କାନରେ ଏକଥା ପଡିବା ପରେ ମନେମନେ ଭାବିଲା ମା କାହାକୁ ଡାକୁଛନ୍ତି ଚା ପାଇଁ।ଦରଜା ପାଖକୁ ଆସି ଦେଖିଲା ରାକ୍ଷୀ ଚା ଦଉଛି ତା ଶାଶୂ ଶ୍ବଶୁର ଙ୍କୁ।
-ଇଏ କିଏ?
ବିରାନ କାମରେ ବ୍ୟସ୍ତ।
ବର୍ଣ୍ଣନା ସିଧା ଯାଇ କମ୍ପ୍ୟୁଟର ଅଫ୍ କରିଦେଲା। ତମକୁ ପଚାରୁଛି ବା ଶୁଣା ଯାଉନି ମୋ କଥା।
-ଏବେ ଯାହା ଦେଖିବା କଥା କହୁଥିଲ ଇଏ ସେଇ।
-ଓଃ! ଆମାଜନ୍ ରେ ୟାକୁ ହିଁ ମଗେଇ
ଥିଲ!
-ଆଉ କଣ ମଗେଇଥାନ୍ତି? ଘରେ ସବୁ ଜିନିଷ ତ ଆଗରୁ ଅଛି। ଖାଲି ଦେଖାଶୁଣା କରିବା ଲାଗି ଜଣେ ଦରକାର ଥିଲା। ମାଙ୍କର ବୟସ ହେଲାଣି। ସେ ଏସବୁ ଦାୟିତ୍ବ ନେବା ଅସମ୍ଭବ। ଆଉ ତମେ ଏସବୁ ଦାୟିତ୍ବ ନେଇ ପାରିବନି ବୋଲି ଆଗରୁ କହିଛ।
-ହଁ, କଣଟା ଭୁଲ୍ କରିଛି। ଏସବୁ ଅଯଥା କାମରେ ମୁଁ ମୋର ସମୟ ନଷ୍ଟ କରି ପାରିବିନି। ସେ ବି କୋଉ କାମ? ଯୋଉ କାମରେ ଟିକେ ବି ଆଗ୍ରହ ନାହିଁ। ରାତି ପାହିଲେ ଦିନକୁ ଚାରିଥର ରୋଷେଇ, ବାରଥର ଝାଡୁ ମରା, ସଫାସଫି, ଝଡାଝଡି। ବାସ୍! ଏଇ କାମ କରି କରି ସାରାଜୀବନ କାଟି ଦେବା। ଏସବୁ ମୋ ଦ୍ଵାରା ଏଜନ୍ମରେ ହେବନି କି କେବେ କରିବି ବୋଲି ଆଶା ରଖିବନି।
-ମା କହୁଥିଲା, ତମ ପରି ଗୋଟେ ତାର କଲରଫୁଲ କପିଟେ ବହୁତ ଜଲଦି ଦରକାର। ସେଇଟା ବି କଣ ଆମାଜନ୍ ରେ ମଗେଇଦେବି?
-ମଗେଇପାରିବ ଯଦି ବେଶ୍ ଭଲ ହେବ। ମୁଁ ମୋ ଜୀବନ ଟା କେବଳ ନିଜ ପାଇଁ ହିଁ ଖର୍ଚ୍ଚ କରିବାକୁ ଚାହେଁ। ବାକି ଅନ୍ୟମାନଙ୍କ କଥା ଭାବିବା ପାଇଁ ମୋ ପାଖରେ ସମୟ ନାହିଁ।
ୟା ଭିତରେ କିଛି ଦିନ ବିତିଗଲାଣି। ରାକ୍ଷୀ ଏବେ ଘରର ସବୁ କାମରେ ଅଭ୍ୟସ୍ତ ହେଇଗଲାଣି। ସମସ୍ତଙ୍କ ମନ ଜାଣି କାମ କରୁଥିବାରୁ ପ୍ରତିଟି ମୁହୂର୍ତ୍ତରେ ଖୋଜା ପଡୁଥାଏ। ତାରା ଦେବୀ ଦିନଯାକ ରାକ୍ଷୀ ରାକ୍ଷୀ ହେଉଥାନ୍ତି। ରାକ୍ଷୀ ଚା, ରାକ୍ଷୀ କଫି,ରାକ୍ଷୀ ଖାଇବା ଆଣ, ରାକ୍ଷୀ ଦେଖିଲୁ କିଏ କଲିଂ ବେଲ୍ ମାରୁଛି ଇତ୍ୟାଦି ଇତ୍ୟାଦି। ଏମିତିକି ପାଖପଡିଶା ଘରକୁ କେହି ବୁଲିବାକୁ ଆସିଲେ ସେମାନଙ୍କ ଆଗରେ ରାକ୍ଷୀର ପ୍ରଶଂସା ଯଶକୀର୍ତ୍ତୀ ବଖାଣି ବସନ୍ତି। ବେଳେବେଳେ ପୁଅକୁ କହନ୍ତି ଏଇ ଆମାଜନ୍ ରେ ମଗେଇଥିବା ହେଲପିଙ୍ଗ୍ ଗାର୍ଲ ଯଦି ଏତେ ଭଲ ତାହେଲେ ବୋହୂଟିଏ ଆଣିଥିଲେ ତ ମୋର ଚିନ୍ତା ବୋଲି କିଛି ନଥାନ୍ତା!
ଶ୍ବଶୁର ସମରେଶ ବି ରାକ୍ଷୀ ଯେ ରାନ୍ଧିବାରେ ଖୁବ୍ ସିଦ୍ଧହସ୍ତ ଏକଥାଟା ଦିନ କୁ ଦଶଥର ନ କହିଲେ ମନ ବୁଝେନା।
ବିରାନ୍ ବି ଘରେ ଯେତିକି ସମୟ ରହେ ବର୍ଣ୍ଣନା ଠାରୁ ରାକ୍ଷୀ ପାଖରେ ବେଶୀ କାମ ଥାଏ। ବେଳେବେଳେ ତା ସହ ହସିକି ପଦେ ଅଧେ କଥା ହେଇଯାଏ। ବର୍ଣ୍ଣନା ଦେଖିଲେ ଭିତରେ ଭିତରେ ଜଳି କୃଷ୍ଣଚୂଡା ର ବର୍ଣ୍ଣ ପରି ଲାଲ୍ ହୋଇଯାଏ।
ଏବେ ବାହାରକୁ ଗଲେ ବି ରାକ୍ଷୀ ଆଉ ବିରାନ୍ କଥା ଭାବି ବିବ୍ରତ ହୁଏ। ଵିରାନ୍ ଉପରେ ଯଥେଷ୍ଟ ଭରସା ଅଛି ସିନା ହେଲେ ପୋଡାମୁହିଁ ରାକ୍ଷୀଟା ଉପରେ ଆଦୌ ଭରସା ନାହିଁ। କେତେବେଳେ କୋଉ କଥା? ଆମାଜନ୍ ର ୱେବସାଇଟ ମାସକୁ ଦଶଥର ବଦଳୁଛି ଆଉ ଇଏତ ୱେବସାଇଟ ଜରିଆରେ ଆସିଥିବା ଝିଅ। ରାକ୍ଷୀର ଲକ୍ଷଣ ରଙ୍ଗଢଙ୍ଗ ତାକୁ ଆଦୌ ଭଲ ଲାଗେନି। ବିରାନ୍ କୁ କେମିତି କାମ କରିବା ଭିତରେ ବାରବାର ଚାହେଁ। ସକାଳୁ ଗୁଡ୍ ମର୍ଣ୍ଣିଂ, କମ୍ପାନୀ ଯିବା ବେଳକୁ ବାଏ, ଆଉ ରାତିରେ ଗୁଡ୍ ନାଇଟ୍ କହିବା ବେଳେ ତାକୁ ଗୋଟାପଣେ ଗିଳିଯିବାକୁ ଇଚ୍ଛା ହୁଏ।
ଗୋଟେ ସ୍ତ୍ରୀ ସବୁକିଛି ବରଦାସ୍ତ କରିପାରେ ହେଲେ ତା ସ୍ୱାମୀ ଉପରେ କେହି ଅଧିକାର ଜାହିର କଲେ ଆଦୌ ସହିପାରେନା।
ଏଥିପାଇଁ ସେ ଆଉ ବାହାରକୁ କୁଆଡେ ଯାଉନି। ଶାଶୂମା, ଶ୍ବଶୁର ଙ୍କର ରାକ୍ଷୀ ରାକ୍ଷୀ ଡାକରେ ଘର ଉଛୁଳେଇବା ବି ଅସହ୍ୟ ହେଲାଣି। ରାକ୍ଷୀର ଆସିବାରେ ସେଦିନ ଯେତିକି ଖୁସି ଆଶ୍ୱସ୍ତ ହୋଇଥିଲା ଏବେ ସେତିକି ଦୁଃଖ ଆଉ ଅଶ୍ୱସ୍ତି ଅନୁଭବ କରୁଥିଲା।
ଏ ରାକ୍ଷୀର କିଛି ତ ଗୋଟେ ବ୍ୟବସ୍ଥା କରିବାକୁ ପଡିବ। ନହେଲେ ଆଉ ରହି ହେବନି ଶାନ୍ତି ରେ। ସେଦିନ ସଂଧ୍ୟା ରେ ଶାଶୂମା ଙ୍କୁ କହିଲା, ରାକ୍ଷୀକୁ ଟିକେ କହିଦେବେ ମୋ ପାଇଁ କଫି କପ୍ ଟେ ରୁମ୍ କୁ ନେଇ ଆସିବ।
ଯେମିତି ରାକ୍ଷୀ କଫି କରି ନେଇଛି, ତାକୁ ଦେଖି ବରଷିଗଲା ଉ। ତୋ ସାହସ କେମିତି ହେଲା ମୋ ରୁମ୍ କୁ ଆସିବା ପାଇଁ? ଆଜି ମୋ ରୁମ୍ କୁ ଚାଲି ଆସିଲୁ, କାଲି ଆଉ କଣ କଣ କରି ବସିବୁ। କଣ ତୁ ଭାବୁଛୁ ନିଜକୁ? ତୁ ତୋ ସୀମା ଅତିକ୍ରମ କରୁଛୁ। ତୁ ଭୁଲିଯାନା ତୁ କିଛି ଦିନ ପାଇଁ ୱେବସାଇଟ ଜରିଆରେ ଆସିଛୁ। ତୋ ସହ ଏ ଘରର ଆଉ ଘର ଲୋକଙ୍କର କିଛି ବି ସମ୍ପର୍କ ନାହିଁ। ତୋର ମିଠା ମିଠା କଥା ରେ ସେମାନଙ୍କୁ ଆପଣାର କରିବା ଆଦୌ ଆବଶ୍ୟକତା ନାହିଁ। ମୁଁ ତତେ କହୁଛି, ଏଇ ମୁହୂର୍ତ୍ତରେ ଏଠୁ ଚାଲିଯା। ମୁଁ ତତେ ଆଉ ଗୋଟେ ମିନିଟ୍ ବି ଦେଖିବାକୁ ଚାହୁଁନି। ଆଇ ସେ ଗେଟ୍ ଆଉଟ୍ ଫ୍ରମ୍ ହିଅର।
ଛୋଟ କଥାଟେ ପାଇଁ ଏତେ ଶୁଣେଇବା କଣ ଠିକ୍? ଏଇ କଥା ରାକ୍ଷୀ ମନେମନେ ଭାବୁଥାଏ।
-ୱେବସାଇଟ ଜରିଆରେ ଆସିଛୁ। ଏତିକି ଇଂରାଜୀ ତ ନିଶ୍ଚିତ ବୁଝି ପାରୁଥିବୁ। କଣ ପାଇଁ ଆଉ ଠିଆ ହୋଇ ରହିଲୁ?
ଏସବୁ ପାଟି ଶୁଣି ଶାଶୂମା ଆସିଲେ ନିଜ ରୁମ୍ ରୁ।
ରାକ୍ଷୀ କହୁଥାଏ-ମୋର ଭୁଲ୍ ହେଇଛି, ଆପଣ ରାଗନ୍ତୁନି।
ବର୍ଣ୍ଣନା ଶାଶୂମାଙ୍କୁ ଦେଖି ଆହୁରି ଚିଲେଇଲା।ମା କହିଲ, ଏ ଘରର ମାଲିକାଣୀ କିଏ? ସେ ନା ମୁଁ?
ଏତେ ଜୋର ଆୱାଜ ଶୁଣି ତାରା ଦେବୀ ବି ଭୟରେ କମ୍ପି ଯାଉଥିଲେ। କହିଲେ -ତୁ ତ ଏ ଘରର ମାଲିକାଣୀ, ମହାରାଣୀ ଆମ ଛ ଅ ଆଖି ଇଲାକାର ରାଜଜେମା।
ବର୍ଣ୍ଣନା କହିଲା-ଶୁଣିଲୁ ତ! ମୁଁ କହିଲି ମାନେ ଯିବୁ। ତୋର ଇଆଡେ ସିଆଡେ ଚାହିଁବା ଦରକାର ନାହିଁ।
ରାକ୍ଷୀ ଚାଲିଗଲା ଚୁପ୍ ଚାପ୍। ହେଲେ ତାରା ଦେବୀ ଙ୍କ ମନକୁ ଅସୁମାରି ଚିନ୍ତା ମାଡି ବସିଲା। ପୁଅ ବିରାନ ଆସିବା ପରେ ସବୁକଥା କହିଲେ। କେମିତି ବିନା ଦୋଷରେ ତାକୁ ଘରୁ ବାହାର କରିଦେଲା ଜଣେଇଲେ। କହିଲୁ, ଏବେ ମୁଁ କଣ କରିବି? ମୋର କଣ ବଳ ମାଡି ଆସୁଛି। ଏ ବୟସରେ ଘରର ସବୁ କାମ ସାରି ତମମାନଙ୍କ କଥା ବୁଝିବି!
ବିରାନ୍ ହସିଲା।
-ତୁ ହସିବୁନି କାହିଁକି?ସାହି ଲୋକ ତ ହସିଲେଣି।ଘରର ବନ୍ଧୁବାନ୍ଧବ ବି ହସିବା ଆରମ୍ଭ କଲେଣି। ମୋ ଭାଗ୍ୟ ରେ ଯଦି ଏଇଆ ଲେଖା ଥାଏ ତାକୁ କଣ କିଏ ବଦଳେଇ ପାରିବ?
ମା କାଲି ଠାରୁ ତମ ଭାଗ୍ୟ ର ନକ୍ସା ପୂରାପୂରି ବଦଳିଯିବ ଦେଖିବ। ସକାଳକୁ ଅପେକ୍ଷା କର କହି ବିରାନ ରୁମ୍ କୁ ଚାଲିଗଲା।
ଘଣ୍ଟାରେ ସାତଟା ବାଜିଛି। ସକାଳୁ ତାରା ଦେବୀ ନିଦରୁ ଉଠି ଯାହା ଦେଖିଲେ ଆଖିକୁ ବିଶ୍ୱାସ ହେଲାନି। ବେସିନରେ ତିନି ଚାରି ଥର ପାଣି ଆଖିକୁ ଛାଟି ଭଲକରି ଦେଖିଲେ। ବର୍ଣ୍ଣନା ଚା ଆଉ ସକାଳ ଖାଇବା ତିଆରି କରୁଛି।
ବର୍ଣ୍ଣନା ତାରା ଦେବୀ ଙ୍କୁ ଦେଖି କହିଲା-ମା, ଆଜି ମୁଁ ଚା ତିଆରି କରି ଦେଇଛି, ପିଇନେବେ। କେମିତି ହେଇଛି ଜଣେଇବେ ନିଶ୍ଚୟ।
ତାରା ଦେବୀଙ୍କ ଆଖିରେ ଖୁସିର କିରଣ ଝଲସିଗଲା। ହ ଉ ତୁ ଚା କର ମୁଁ ଠାକୁର ପୂଜା କରିଦିଏ।
-ମା! ଠାକୁର ପୂଜା କେତେବେଳୁ ସରିଲାଣି। ଆପଣ ଜଲଦି ଯାଆନ୍ତୁ, କାମ ସାରି ଆସନ୍ତୁ। ମୁଁ ବାପାଙ୍କୁ ଚା ଦେଇ ଆସେ।
ତାରା ଦେବୀ ଯେମିତି ଅଷ୍ଟମାଶ୍ଚର୍ଯ୍ୟ ପଦାର୍ଥ ଟେ ଦେଖିବା ପରି କାଠ ପାଲଟି ଯାଇଥିଲେ।
ବର୍ଣ୍ଣନା ସମସ୍ତଙ୍କୁ ସକାଳ ଖାଇବା ପରଷିଦେବା ବେଳେ ସମରେଶ ବାବୁ କହିଲେ -ଦୀର୍ଘ ପଚିଶବର୍ଷ କାଳରେ ତୋ ଶାଶୂମା ମୋତେ କେବେ ଏମିତି ଖାଇବା ତିଆରି କରି ଦେଇ ନାହାଁନ୍ତି ।ବହୁତ ବଢିଆ ରାନ୍ଧିଛୁ ମା।
ଶାଶୂମା ସେମିତି ତାକୁ ଚାହିଁ ରହିଥାନ୍ତି। ରାତିକ ଭିତରେ କଣ ଏତେ ପରିବର୍ତ୍ତନ ସମ୍ଭବ? ଭାବି ଭାବି ବିସ୍ମିତ ର ପରିଧି ରେ ଅଟକି ଯାଇଥିବା ବେଳେ ବର୍ଣ୍ଣନା କହିଲା-ମା ଆପଣ ଖାଇଲେନି ଯେ? କଣ ଭାବୁଛନ୍ତି? ଏଇଆ ଭାବୁଛନ୍ତି ତ ମୁଁ ଆଜି ଏସବୁ କାହିଁକି କରୁଛି? ଆଗରୁ ତ କେବେ କରିନି ।ଆଜି ଠାରୁ ଏସବୁ ଦାୟିତ୍ବ ମୋର। ଆପଣଙ୍କର ଆଉ ଚିନ୍ତା କରିବା ଦରକାର ନାହିଁ। ମା, ମୁଁ ଭଲଭାବରେ ବୁଝି ସାରିଛି ମଣିଷ ତା'ର ନିଜ ଦାୟିତ୍ବ ବହନ ନ କଲେ ସମସ୍ତଙ୍କ ପାଇଁ ଅଲୋଡା ହେଇଯାଏ। ଏକଥାଟା ରାକ୍ଷୀ ଆସିବା ପରେ ଜାଣିଲି। ରାକ୍ଷୀ ସହ ଆପଣମାନଙ୍କ ର କିଛି ସମ୍ପର୍କ ନଥିଲେ ବି କେଇଟା ଦିନରେ ସେ କେମିତି ସମସ୍ତଙ୍କର ଆପଣାର ହେଇଗଲା। ଆଉ ଏ ଘରର ମୁଁ ସବୁକିଛି ହେଇବି କିଛି ନହେବା ପରି ଅନୁଭବ କଲି। ଜୀବନ ନିଜ ପାଇଁ ନୁହେଁ ବରଂ ଅନ୍ୟମାନଙ୍କ ପାଇଁ ଜୀଇଁବାରେ ହିଁ ପ୍ରକୃତ ଖୁସି ମିଳେ ଏବେ ଏବେ ଜାଣିଲି, ବପା ଯେବେ ମୋ ହାତରନ୍ଧାର ପ୍ରଶଂସା କଲେ ।ସେତେବେଳେ ମୋ ଭିତରେ କେମିତି ଆନନ୍ଦ ର ପର୍ବ ଟିଏ ପାଳନ ହେଇଗଲା। ମୋ ଭୁଲ୍ ପାଇଁ ଆପଣ ଅନେକ କଷ୍ଟ ପାଇଛନ୍ତି। ସେଥିପାଇଁ ମୋତେ କ୍ଷମା କରିଦିଅନ୍ତୁ। ବାପା ଆପଣ ବି।
ବିରାନ୍ କହିଲା-ତମେ ତ ଏ ଘରର ମାଲିକାଣୀ, ମହାରାଣୀ, ଆମ ଛଅ ଆଖି ଇଲାକାର ରାଜଜେମା। ତମ ପାଇଁ ଯେତେ କଷ୍ଟ ସହିଲେ ବି କମ୍ ହେବ।
ବର୍ଣ୍ଣନା ଲାଜରେ ମଥାର ଓଢଣାକୁ ଆଉ ଟିକେ ଆଗକୁ ଭିଡି ଆଣି ହସିଦେଲା।