ଦାୟୀ
ଦାୟୀ
ଇଏ ଜଣେ ସାବିତ୍ରୀ । ଏ ସାବିତ୍ରୀ କୋଉ ରାଜାର ଝିଅ ନୁହେଁ । ଜଣେ ନିହାତି ଗରିବର ସରଳା ଝିଅଟେ । କିଛି ବି ଗଚ୍ଛିତ ସମ୍ବଳ ନଥିବା ବାପଟା ତାର ବାହାଘର ବେଳେ ଯୌତୁକ ଦେବାକୁ ଅସମର୍ଥ ଥିଲା । ସେଥିପାଇଁ ସାବିତ୍ରୀର ଗଳା, ଗାଲ, ପିଠି,ପେଟରେ ମାଡ଼ର ଅସଂଖ୍ୟ ଦାଗମାନ ତା ଯନ୍ତ୍ରଣାର ସ୍ଵାକ୍ଷରଭାବେ ନିତିଦିନ ନୂଆ ନୂଆ ଢଙ୍ଗରେ ଓ ରୂପରେ ଉକୁଟି ଉଠନ୍ତି ।
ସାବିତ୍ରୀ ମାଡ଼ ଖାଏ ତରକାରୀ ଲୁଣିଆ ହେଇଥିଲେ, ସାବିତ୍ରୀର ଚୁଟି ଝିଙ୍କାଯାଏ ସ୍ୱାମୀଙ୍କ ଦରକାରୀ ଜିନିଷ କିଛି ଠିକ ସମୟରେ ନମିଳିଲେ, ସାବିତ୍ରୀ ଗୋଇଠା ମାଡ଼ରେ ଖଟ ଉପରୁ ତଳକୁ ଖସି ପଡେ ସ୍ୱାମୀଙ୍କ ଗୋଡ଼ଘସିବା କାମଟା ସେ ଉତ୍ତମ ରୂପେ କରିନପାରିଲେ, ସାବିତ୍ରୀ ରକ୍ତାକ୍ତ ହୁଏ ସ୍ୱାମୀ ମଦପିଇ ଘରକୁ ଫେରିଲେ ।
ମଦ୍ୟପ ସ୍ୱାମୀର ଅତ୍ୟାଚାରରୁ ତାକୁ ରକ୍ଷା କରିବାପାଇଁ ସତରେ ତା'ର ନିଜର ବୋଲି କେହିନାହାଁନ୍ତି । କିନ୍ତୁ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ ରକ୍ଷାକରିବା ପାଇଁ ସାବିତ୍ରୀ ସଦା ତତ୍ପର । ଦିନରାତି ସେ ଈଶ୍ୱରଙ୍କ ନିକଟରେ ଗୁହାରି କରେ ସ୍ୱାମୀଙ୍କୁ ତାର ସବୁ ବଦ ଅଭ୍ୟାସରୁ ଦୂରେଇ ରଖି ଦୀର୍ଘ ଓ ନିରାମୟ ଜୀବନଟେ ତାଙ୍କୁ ପ୍ରଦ
ାନ କରିବାପାଇଁ । ସେ ଖୁବ୍ ଓଷା ବ୍ରତ କରେ । ପ୍ରତିବର୍ଷ ସାବିତ୍ରୀବ୍ରତ ଦିନ ଖାଲି ପେଟରେ ଗୁଡ଼ାଏ ମାଡ଼ ଖାଇ ସାବିତ୍ରୀ ତା ଉପବାସ ଭାଙ୍ଗେ । ଏ ବର୍ଷ ବି ସେମିତି ହେଇଥାନ୍ତା । ସ୍ୱାମୀ ଫୋନ୍ କରି କହିଥିଲେ," ଖାଇବା ରେଡି କରି ରଖିଥା, ମୁଁ ଦଶ ମିନିଟ୍ ରେ ପହଞ୍ଚୁଛି" । ସାବିତ୍ରୀ ମନ୍ଦିରରୁ ଏଇ ଫେରିଥିଲା । ତରବରରେ ରୋଷେଇ ଘରକୁ ପଶିଗଲା । ଭାତ ବସେଇ ସାରି ଡାଲି ଧୋଉଛି ବାହାରେ ଲୋକଙ୍କ ହୋ ହାଲ୍ଲା ଓ କୋଳାହଳ ଶୁଣି ବାହାରିଆସିଲା । ଯାହା ଯେତିକି ଶୁଣିଲା ସେତିକିରେ ତା ପାଦ ତଳୁ ମାଟି ଖସିଗଲା ପରି ତାକୁ ଅନୁଭବ ହେଲା ।
ମଦ୍ୟପ ଲୋକଟି ନିଶାଖାଇ ବେଖାତିର ଢଙ୍ଗରେ ଗାଡି ଚଲେଇବା ଦାୟୀ ହେଲାନାହିଁ କିମ୍ବା ମୁଣ୍ଡରେ ହେଲମେଟ୍ ନଲଗେଇବା ତା ମୃତ୍ୟୁର କାରଣ ହେଲାନାହିଁ, ତା ମୃତ୍ୟୁ ପାଇଁ କେବଳ ଆଉ କେବଳ ଦାୟୀ ହେଲା ବିଚାରୀ ନୀରିହା ସ୍ତ୍ରୀଲୋକଟି । ଲୋକେ କୁହା କୁହି ହେଉଥିଲେ, "ସାବିତ୍ରୀବ୍ରତ ଦିନ ସ୍ୱାମୀକୁ ଖାଇଲା । ଇୟାଠୁ ବଡ଼ ଅଲକ୍ଷଣି ଆଉ କେହି ନାହିଁ । ଛିଃ, ଏଇଟା ହେଲେ ମରିଯାଇଥାନ୍ତା ! ଇଏ ନିଶ୍ଚୟ କିଛି ପାପ କରିଛି, ନହେଲେ ଏମିତି ଗୋଟେ ଦିନରେ ବିଧବା ହେଇଥାନ୍ତା ! ନିଜ ସ୍ୱାମୀର ମୃତ୍ୟୁ ପାଇଁ ଏଇ ଅଲକ୍ଷଣି ସାବିତ୍ରୀ ହିଁ ଦାୟୀ " ।