ଦାନ୍ତକାଠି
ଦାନ୍ତକାଠି
ହୁର୍ଡୁର ହୁ, ହୁର୍ଡୁର ହୁ, ହାକ୍ ରହ, ରହ!!!! ଏ ମହାକୁଡ ଘର ଗାଈଟା ସତରେ ଓଲେଇ, ଏମିତି କହି କହି ଗାଈ ପଲ ନେଇ ଚାଲିଥାଏ ବାସୁଆ ସତେ ଯେମିତି ଗାଈ ଗୁଡା ତା କଥା ମାନୁଛନ୍ତି!!!!
ରାଗରେ ଦାନ୍ତ କାମୁଡି ଧରି ଥିବା ପାଞ୍ଚଣରେ ଦୁଇ ପାହର କଷି ଦେଇଥିଲା ମହାକୁଡ ଘର ଓଳେଇ ଗାଈଟିକୁ। ଏକୁଟିଆ ହୋଇ ଗାଈ ପଲ ଭାଙ୍ଗି କଥା ନମାନି ବାଟ ହୁଡି ଯାଇଥିବା ଓଲେଇ ଗାଈଟା ଛଟ୍ କରି ଆସିଗଲା ଠିକ୍ ରାସ୍ତାରେ।****
ବାସୁଆ ଚାଲିଥାଏ ଗାଆଁ ଦାଣ୍ଡରେ ଗାଈପଲ ଧରି, କାନ୍ଧରେ ମଇଳା ଖୋର୍ଦ୍ଧା ଗାମୁଛା ଆଉ ସେଥିରେ ବନ୍ଧା ହୋଇଥିବା ମୁଡୀ ଦୁଇ ପୋଷା ଶିବଙ୍କ ଗଳାରେ ସର୍ପ ଭଳି ଶୋଭା ପାଉ ଥାଏ ବାସୁଆ ବେକରେ।****
ବାସୁଆର ବୟସ ୨୫ ଯାଇଁ ୨୬ ଛୁଇଁଲାଣି, ଦୁଇ ଖଣ୍ଡ ଛିଟପକା ଲୁଙ୍ଗୀ ଆଉ ଗୋଟିଏ ମଇଳା ଗେଞ୍ଜି ସହିତ ଖୋର୍ଦ୍ଧା ଗାମୁଛା ଟି ହେଉଛି ତାର ସମସ୍ତ ପୋଷାକ।
ସମସ୍ତେ କୁହନ୍ତି ବାସୁଆର ମୁହଁ ଟିକେ ଦେଖିବ ଦେଖିବ ହୋଇ ତା ବାପା କୁଆଡେ ଆଖି ବୁଝିଲା, ସେତେ ବେଳେ ବାସୁଆ ଥାଏ ମା ପେଟରେ। ବାପ ମଲାର ଠିକ୍ ୩ ମାସ ପରେ ବାସୁଆ ତା ମାର ଅନ୍ତ ଫାଡ଼ି ଜନମ ନେଇଥିଲା।****
ସାଇ ଲୋକ କହନ୍ତି, ବାସୁଆ କୁଆଡ଼େ ତା ବାପାର ମୁହଁକୁ ଗୋଟା ପୁଣି ଛଡେଇ ଆଣିଛି, କିଛି ମାଈପେ କୁହନ୍ତି କୁଆଡେ ଏଇଟା ଆସିବ ବୋଲି ତା ବାପା ଆଖି ବୁଝିଲା, କୁଆଡେ ଗାଆଁ ପଣ୍ଡିତେ ତା ମାକୁ କହିଥିଲେ, ତୋ ପିଲାଟା ପିତୃହନ୍ତା ହେବ। ଯଦି ପାରୁଛୁ ପିଲା ଟାକୁ ଜନମ ହେବା ଆଗରୁ ମାରିଦେ। !!!!!
ହେଲେ ବୋଉ କୁଆଡେ କହିଥିଲା, ଯାହା ଭାଗ୍ୟରେ ଥିବ ହେବ, ମୁଁ ଜାଣି ଶୁଣି କେମିତି ମୋ ପିଲାକୁ ମାରିବି। *****
କିଛି ଦିନ ପରେ ବାସୁଆ ବାପା, ପ୍ରଧାନ ଘର ହଳ କରୁଥିବା ବେଳେ, ବଳଦ ତରକି ଯାଇ ଟାଣି ନେଇ ଯାଇଥିଲେ ଲଙ୍ଗଳକୁ ଆଉ ଲଙ୍ଗଳ ମୁନଟା ତା ବାପା ଛାତିରେ ପଶିଯିବାରୁ, ସେଇଠି ମରି ଶୋଇଥିଲା ତା ବାପା।*****
ଆଉ ସେବେ ଠୁଁ, ପ୍ରଧାନ ବାବୁ ମାସକୁ ୨୦୦ ଟଙ୍କା ଦେଇ ଘରର କାମ କରିବାକୁ ରଖି ଦେଇଥିଲେ ବାସୁଆ ମା କୁ।****
ଗାଆଁ ଦାଣ୍ଡରେ ସମସ୍ତେ ଅପଦଶା, ବାପ ମରା ବୋଲି ଆଖ୍ୟା ଦେଇଥିଲେ
ବାସୁଆ କୁ।****
ହେଲେ ତା ମା ଏସବୁକୁ ସହିଜାଇ, ଲାଗିଥାଏ, କେମିତି ବାସୁଆ ମୁହଁରେ ଟିକେ ଦାନ ଦେଇ ବଞ୍ଚାଇବାକୁ।*****
ବହୁତ୍ ଦୁଃଖ କଷ୍ଟରେ ପାଳି ଥାଏ ତା ମା। ଜନମ ହେବାର ୨୧ ଦିନ ପରେ ତା ମା ତାକୁ କୋଳରେ ନେଇ ଯାଇଥାଏ ପ୍ରଧାନ ଘର କାମ କରିବାକୁ, ପ୍ରଧାନ ଘର ପିଣ୍ଡାରେ ଲୁଗା ଉପରେ ଗଡ଼ାଇ ଦେଇ କାମ କରେ ତା ବୋଉ। ଆଉ ମଝିରେ ମଝିରେ ଆସି କ୍ଷୀର ଟିକେ ଦେଇ ଦେଉଥାଏ। ****
ଯେମିତି ସେମିତି କରି, ବଞ୍ଚାଇ ଦେଇଥିଲା ବାସୁଆକୁ ସେ। ଟିକେ ବଡ଼ ହେବାରୁ ବାସୁଆକୁ ଛାଡି ଚାଲି ଯାଏ ପ୍ରଧାନ ଘର କାମ କରିବାକୁ ତା ବୋଉ। ***
ବାସୁଆ ସବୁ ବୁଝି ପାରିଲା ଭଳି କିଛି ଅଳି ଅର୍ଦ୍ଦଳି ନକରି ଗାଆଁ ପିଲାଙ୍କ ସାଙ୍ଗରେ ଖେଳି ଥାଏ, ଭୋକ ହେଲେ ନଳକୂଅ ପାଣି ପି ଭୋକ ମେଣ୍ଟାଇ ଥାଏ ।*****
ସବୁଦିନ ସକାଳ ୬ଟା ନ ହେଉଣୁ ବୋଉ ଆସି ଓଠାଇ ଦେଇଥାଏ ବାସୁଆକୁ ଆଉ ଆଖି ମଳି ମଳି ଉଠିଲା ବେଳକୁ ନୋଟାଏ ପାଣି ସହିତ ଘର ଆଗରେ ଥିବା କରଞ୍ଜ ଗଛରୁ ଦାନ୍ତକାଠି ଟିଏ ଧରାଇ ଦେଇ, ଚାଲି ଯାଏ ବାସି ପାଇଟୀ କରିବାକୁ ବୋଉ।****
ଗୋବର କନାରେ ଚୁଲି ଲିପାପୋଛା କରି,ଦାଣ୍ଡ ଖରିକି ଆସିଲା ବେଳକୁ ବାସୁଆ ଦାନ୍ତ ଘଷି ଠିଆ ହୋଇଥାଏ କଣ ଟିକେ ମୁହଁରେ ଦେବା ପାଇଁ। ଆଉ ବୋଉ ତାର ସାଙ୍ଗେ ସାଙ୍ଗେ ନାଲି ଚା ସହିତ ମୁଦି କି ଚୁଡ଼ା ଦୁଇ ମୁଠା ଧରାଇ ଦେଇ ବାହାରିଯାଏ ପଛ ପଟ ପୋଖରୀ କୁ, ପୋଖରୀରେ ବୁଡ଼ଟିଏ ପକାଇ ଆସିଲା ବେଳେ ହୁଡ଼ାରେ ଥିବା ମହା ମେରୁ ନିମ୍ବ ଗଛଟିକୁ ପାଣି ଦେଇ ନମସ୍କାର କରି ଆସେ।
ତାପରେ ଚାଲି ଯାଏ ଗାଁର ପ୍ରଧାନ ଘରେ ପାଇଟି କରିବାକୁ। ବାସୁଆ ସେମିତି ଖେଳୁଥାଏ ସାହି ପିଲାଙ୍କ ସାଙ୍ଗରେ, ଆସ୍ତେ ଆସ୍ତେ ବାସୁଆ ବଡ଼ ହେବାକୁ ଲାଗିଲା ଗାଆଁ ସ୍କୁଲରେ ପାଠ ପଢିବାକୁ ଗଲା।
ଏବେ ବି ମନେ ଅଛି ତାର ବୋଉ ସେଦିନ ପ୍ରଧାନ ଘର ପୁଅ ଫୋପାଡି ଦେଇଥିବା ମାଟି ସିଲଟ ଟ ଧରେଇ ଦେଇ କହିଥିଲା ସ୍କୁଲ୍କୁ ଜା।***
ଜେନେ ତେନେ ପ୍ରକାରେ ବାସୁଆ ପଞ୍ଚମ ଶ୍ରେଣୀ ପଯ୍ୟନ୍ତ ଗଲା।
ଥରେ ପଞ୍ଚମ୍ ଶ୍ରେଣୀରେ ସାର୍ କହୁଥିଲେ ନିମ୍ବ କାଠିରେ ଦାନ୍ତ ଘସିଲେ ଦାନ୍ତ ରୋଗ ଭଲ ହୁଏ, ବୋଉକୁ ଆସି କହିବାରୁ ବୋଉ ମାରି ଗୋଡାଇ ଥିଲା ତାକୁ ସେଦିନ ଆଉ କହିଥିଲା****
ଖବରଦାର୍ ଯଦି ସେ ନିମ୍ବଗଛକୁ ହାତ ଲଗାଇଥିବୁ!!!!, ସେଇଟା ଠାକୁର ଗଛ। ବାସୁଆକୁ କିଛି ବୁଝା ପଡି ନଥିଲା। ଠାକୁର କହିଲେ ତାଙ୍କ ଘରେ ଟଙ୍ଗା ହୋଇଥିବା ରାମ, ହନୁମାନ ଫଟୋ ନହେଲେ ଅଷ୍ଟ୍ ପ୍ରହରୀ ଗାଦି ବୋଲି ସେ ଜାଣିଛି।*****
ବାସୁଆର ସମ୍ପତି କହିଲେ
ଜରାଜୀର୍ଣ୍ଣ କୁଡିଆଟିଏ, ଆଉ ଘର ପଛପଟ ପୋଖରୀ ହୁଡ଼ାରେ ଥିବା ନିମ୍ବ ଗଛର ମହା ଦ୍ରୁମଟିଏ। ଆଉ ସେଇଟା ସତେ ଯେମିତି ଶାନ୍ତଚିତରେ କେଉଁ
ମୁନିଟିଏ ଭଳି ଧ୍ୟାନରେ ବସି ମାଳା ଗଡ଼ାଉଛି।*****
କେଉଁ ବାପା ଅଜା ଅମଳରୁ ଏ ନିମ୍ବ ଗଛଟା ଅଛି, ସେ ନିଜେ ଭି ଜାଣିନି? ତାର ମନେ ପଡେ ଥରେ ବୋଉ ବଞ୍ଚିଥିଲା ବେଳେ ପଚାରିବାରୁ କହିଥିଲା କି କୁଆଡେ ଏଇଟା ତା ବାପାର ବାପାର ବାପାକୁ କୁଆଡେ ସପନ ହୋଇଥିଲା ପୋଖରୀ ହୁଡ଼ାରେ ଥିବା ନିମ୍ବ ଗଛକୁ ଉପାଡିବୁ ନାହିଁ, ନହେଲେ ତୋ ବଂଶ ବୁଡି ଜିବ। ଆଉ ସେହି ଦିନରୁ ସେ ଛୋଟିଆ ନିମ୍ବ ଗଛଟିବଢ଼ି ଚାଲିଛି ଅନ୍ୟାୟସ୍ ରେ।
ନିମ୍ବ ଗଛ ଟି ପୋଖରୀ ହୁଡ଼ାରେ ଥିବାରୁ, ଗଛ ମୂଳଟି ଭି ଉଇହୁଙ୍କାରେ ପରି ପୂର୍ଣ୍ଣ। କୁଆଡେ ସେ ଉଇ ହୁଙ୍କାରେ ବଡ଼ ସାପ ରହେ ବୋଲି ଲୋକ କୁହା କୁହୀ ହୁଅନ୍ତି। ****
ବୋଉ ବଂଚିଥିଲା ବେଳେ ତାର ଅନୁପସ୍ଥିତିରେ ବାସୁଆ ବହୁତ ଥର ଚେଷ୍ଟା କରିଛି, ସେ ନିମ୍ବଗଛଟିକୁ ଯାଇ ଖଣ୍ଡେ ଦାନ୍ତ କାଠି ଆଣିବାକୁ, ହେଲେ ସବୁ ବେଳେ କିଛି ନ କିଛି ଅସୁବିଧାରେ ପଡି ଆଜି ପଯ୍ୟନ୍ତ ଦାନ୍ତ କାଠି ଖଣ୍ଡେ ଭାଙ୍ଗି ପାରିନି ସେଥିରୁ।****
କେତେ ବେଳେ, ବୋଉ ଦେଖି ଦେଇଛି ତ୍? ଆଉ କେତେ ବେଳେ ନିଜେ ସାପ ଭୟରେ ଡରି ଯାଇ ଫେରି ଆସିଛି।****
ପଞ୍ଚମ ଶ୍ରେଣୀରେ ପାଠ ପଢା ବନ୍ଦ୍ କରିଛି ବାସୁଆ, ହେଲେ ଭି ସାର୍ କହିଥିବା କଥାଟା ତା ମନ୍ ଭିତରେ ପୁରା ଘର କରି ରହିଛି ଯେମିତି।
ଗାଈ ଛାଡି ଦେଇ ବିଲ ହୁଡ଼ାରେ ବସି ଭାବି ଚାଲିଛି ବାସୁଆ, ସତରେ କଣ ସାର୍ କହୁଥିବା କଥା ସତ??? ହେଲେ ଗାଆଁର ବଡ଼ ଘର ପିଲାମାନେ ସବୁ ବ୍ରର୍ଶ ଆଉ ପେଷ୍ଟରେ ଦାନ୍ତ ଘଷୁଛନ୍ତି, ଖୋଦ୍ ପ୍ରଧାନ ବାବୁଙ୍କ ବଡ଼ ଝିଅ ଲିଲି ନାନୀ।***
ହେଲେ ସେ ତ ଆଜି ଯାଏଁ ସେହି କରଞ୍ଜ ଦାନ୍ତ କାଠି ସାଙ୍ଗକୁ ଘଷି ପାଉଁଶରେ ଚଲାଇ ଆସିଛି। ଆଉ ବୋଉ ଭି କହେ କରଞ୍ଜ ଦାନ୍ତ କାଠି ଭଲ। ଭାବି ଭାବି ମୁଣ୍ଡଟା ଘାଇଁ ଘାଇଁ କରୁଛି ବାସୁଆ ର।****
ବୋଉ ମଲା ଆଗରୁ ହାତକୁ ଦି ହାତ ହୋଇଥିଲା ପାଖ ଗାଁ ଦେବକୀ ସହିତ, ବାହାଘର ୨ ବର୍ଷ ନ ପରୁଣୁ ଣୁ, ବୋଉ ତାର ଥରେ ସେହି ନିମ୍ବ ଗଛକୁ ପୂଜା କରୁଥିଲା ବେଳେ ସାପ କାମୁଡାରେ ପ୍ରାଣ ଗଲା।
ଆଉ ତାପରଠୁ। ବାସୁଆ ସେ ସେହି ନିମ୍ବ ଗଛ ଚାରି ପଟେ ବାଉଁଶରେ ବାଡ ବୁଡାଇ ଦେଇଥିଲା ଆଉ ଦେବକୀକୁ କହିଥିଲା ସଂଜ ବତି ଟିକେ ଦୁରେଇ କି ଦେବାକୁ!!!!
ଆଜି ଭି କିଏ ଠିକ୍, ଆଉ କିଏ ଭୁଲ୍ ବିଚାର କରି କରି ଥକି ଯାଏ ବାସୁଆ। କେତେ ବେଳେ ଗାଆଁ ସ୍କୁଲ୍ର ସାର୍ ତ, କେତେ ବେଳେ ତା ବୋଉ, ପୁଣି କେତେ ବେଳେ ପ୍ରଧାନ ଘର ଲିଲି ନାନୀ।
ଆଜି ସେ ଦେବକୀକୁ ପଚାରିବ ସତରେ କିଏ ଠିକ୍? ତା ବୋଉ, ନା ସାର୍ ନା ଲିଲି ନାନୀ।
ହେଲେ ଭାରି ଇଚ୍ଛାଥାଏ କିଛି ପଇସା ହେଲେ ସେ ବି ଗାଆଁ ଦୋକାନ ରୁ ବ୍ରର୍ଶ ଟିଏ କିଣି ଆଣି ସେଥିରେ ପେଷ୍ଟ ଲଗାଇ ପ୍ରଧାନ ଘର ଝିଅ ଲିଲି ନାନୀ ଭଳି ଧଳା ଧଳା ଛେପ ମେଞ୍ଚାଏ ବାହାର କରି ଗାଆଁ ମୁଣ୍ଡରେ ଥିବା ପାଣିକଳ ପାଖରେ ପକାଇ ସମସ୍ତକୁ ଦେଖାଇ ହେବା ପାଇଁ।
ବାହାଘର ୩ ବରଷ ହେଲାଣି କୋଳକୁ ପିଲାଟିଏ ନାଇଁ ବୋଲି ଭାରି ମନ କଷ୍ଟ କରେ ଦେବକୀ। ବାସୁଆ ଏବେ କଣ କରିପାରିବ, ବହୁତ ଡାକ୍ତର, ବଇଦ ଦେଖାଇ ସାରିଲାଣି। ଯେଉଁ ପଇସା ଟିକକ ପାଏ ସବୁ ଦେବକୀର ଔଷଧ ପତିରେ ଖର୍ଚ୍ଚ ହୋଇଯାଏ।
ପୁଣି ମନକଥା ମନରେ ମାରି ଆର ମାସକୁ ଅନାଇ ରହେ ବାସୁଆ।
ଏବେ ବି ବୋଉ ଭଳି ସବୁଦିନେ ସଖାଳୁ ସଖାଳୁ ଦେବକୀ ଲୋଟାଏ ପାଣି ସହିତ କରଞ୍ଜ ଦାନ୍ତକାଠି ଆଉ ପାଉଁଶକୁ ଧରାଇ ଦେଇ କହୁଥାଏ, ଶୀଘ୍ର ଦାନ୍ତ ଘଷି ଦିଅ, ଚା ପିଇବ।!!!!
ବାସୁଆ ଭାବିଛି ଏଥର କ ଗାଆଁ ଗାଈପାଳି ରୁ ଯାହା ମିଳିବ, ସେଥିରୁ ଆଗେ ବ୍ରର୍ଶ ଟିଏ କିଣିବ ତାପରେ ଯାହାକୁ ଦେବା କଥା ଦେବା। ପଢିଆରେ ଗାଈକୁ ଚରିବାକୁ ଛାଡି ଦେଇ ବିଲ ହୁଡ଼ାରେ ଥିବା ବଡ଼ ଚାଖୁଣ୍ଡା ଗଛ ମୂଳକୁ ଆଉଜି କି ଭାବୁ ଭାବୁ କେତେ ବେଳେ ନିଦ ହୋଇ ଯାଇଛି ଜଣା ନାହିଁ ବାସୁଆ କୁ।****
ଆଉ ବାସୁଆ ଦେଖୁଛି, ସତେ ଯେମିତି,ପୋଖରୀ ହୁଡ଼ା ନିମ୍ବଗଛଟା ତାକୁ ହାତ ଠାରି ଡାକୁଛି, ଆଉ କହୁଛି***
ଆରେ ବାସୁଆ, ଆସେ ଆସେ, ନେଇ ଯା ଦାନ୍ତ କାଠି ଖଣ୍ଡେ!!!!
ହେଲେ ଜମା ମନ ବଳନା ସେ ବ୍ରର୍ଶ ଆଉ ପେଷ୍ଟ କୁ।
ଆରେ ସେଗୁଡା ପରା ଗାଈ ହାଡ଼ରେ ତିଆରି, କେତେ କଣ ମିଶିଛି? ତୋ ସେ ଧଳା ଦାନ୍ତ ଗୁଡା ଗଳି ପଡ଼ିବ, ଆଉ ସେ ଅନାଦି ବୁଢ଼ା ଭଳିଆ କିଛି ନ ଖାଇ ପାରି ଖାଲି ପାଣି ପିଇ ବଞ୍ଚିବୁ!!!!
ଆଉ ତାର ପ୍ରିୟ ଦାନ୍ତକାଠି(କରଞ୍ଜ) ଓ ନିମ୍ବ ଦୁହେଁ ସାଙ୍ଗ ହୋଇ ଡେଇଁ ଡେଇଁ ଆସୁଛିନ୍ତି ତା ପାଖକୁ, ଆଉ ଯେମିତି କହୁଛନ୍ତି ଆରେ ବାସୁଆ ତୋ ବୋଉ ଆଉ ସାର୍ ଦୁଇଜଣ ଯାକ ଠିକ୍।****
ବାସୁଆର ମନ ମାନିଲାନି ସେ କଥା ରେ।****
ନିଦ ଛଟକରି ଭାଙ୍ଗିଗଲା ବାସୁଆର, ଆଉ ଲାଗିଲା ବୋଧେ କେହି ଜଣେର ଗାଈ ଗୁଡାକୁ ଘଉଡାଇ ନେଇ ଯାଉଅଛି ନଈ ସେପଟକୁ।
ନିଦରୁ ଉଠି ଦଉଡ଼ିଗଲା ବାସୁଆ, ତା ଆଡକୁ। ଦେଖିଲା କେହି ନାହିଁ ତ? ତାହେଲେ କଣ ସପନ ଦେଖୁଥିଲା ସେ ଆଉ ନିଦରେ ବାଉଳି ହୋଇ ଦଉଡ଼ି ଆସିଥିଲା ଗାଈ ପାଖକୁ।
ମନରେ ଗୋଟିଏ ଅସମ୍ଭବ ଉତ୍କଣ୍ଠା ନେଇ ପୁଣି ଭାବି ଚାଲିଲା ପ୍ଲାଷ୍ଟିକ ବ୍ରର୍ଶ ଆଉ ଲୁହ ପାତିଆର କଥା।****
କାଲି ମାସ ଶେଷ, ପ୍ରଧାନ ବାବୁ ପଇସା ଦେବେ, ଏଥରକ ସେ କାହାକୁ କିଛି ନକହି ସେ ୨୦ ଟଙ୍କା କାଢି ରଖିବ ସେଥିରୁ। ଗତ ମାସରେ ଗାଆଁ ଦୋକାନରେ ପଚାର ଦେଇ ବୁଝି ସାରି ଥାଏ ବ୍ରର୍ଶ ଆଉ ପେଷ୍ଟର ମୂଲ୍ୟ ବାସୁଆ ।****
ଖରା ନେଉଟିବାରୁ, ପ୍ରଧାନ ଘର ଗାଈ ପଲ ନେଇ ଭାବି ଭାବି ଆସୁଥାଏ ବାସୁଆ, ଘର ପାଖରେ ପହଞ୍ଚି କି ନାହିଁ, ଦେଖିଲା ଘର ଆଗରେ bahut ଲୋକ, ପିମ୍ପୁଡ଼ି ଗଳିବାକୁ ରାସ୍ତା ନାହିଁ। ଆଉ କିଛି ଲୋକ ତା ଘର ଆଗରେ କୀର୍ତ୍ତନ କରୁଛନ୍ତି। ଏତେ ଲୋକ ଏକା ଥରକେ ସେ କେବେ ଦେଖି ନଥିଲା !!!!
କିଛି ବୁଝି ପାରୁ ନଥାଏ ବାସୁଆ । ଗାଈପଲ୍କୁ ଘଉଡାଇ ଡରି ଡ଼ରି ଆଗକୁ ଚାଲିଲା ବୁସୁଆ, ଟିକେ ଆଗକୁ ଯାଇ ଦେଖିଲା କିଛି ଲୋକ ତା ପୋଖରୀ ହୁଦାରେ ଥିବା ଅନାବନା ଗଛ ଗୁଡ଼ାକୁ କାଟି ସଫା କରୁଛନ୍ତି। ଆଉ ପୁରୀର ପଣ୍ଡାମାନେ ସବୁ ବଡ଼ ବଡ଼ ପାଟିରେ ମନ୍ତ୍ର ସାଙ୍ଗକୁ ହରିବୋଲ ହଳହୁଳିରେ ଗାଆଁ ଦାଣ୍ଡଟା ଫଟେଇ ଦେଉଥାନ୍ତି। ଏପଟେ ଖୋଳ, କଂସାଳ ବଜାଇ କିଛି ଲୋକ ସେ ନିମ୍ବ ଗଛଟା ଚାରି ପଟରେ ପରିକ୍ରମା କରୁଥାନ୍ତି।
ଏ ସବୁ ଦେଖି ବାସୁଆର ମୁଣ୍ଡ ଘାଇଁ ଘାଇଁ ହୋଇଗଲାଣି। କିଛି ନ ଭାବି ପାରି ଲୋକଙ୍କୁ ଭିଡ ଭିତରେ ଘର ଢିଅକୁ ଉଠିଗଲା ବାସୁଆ।
କିଛିଲୋକ ବାସୁଆକୁ ଟେକି ନେଇଗଲେ ବଡ଼ପଣ୍ଡାଙ୍କ ଆଗକୁ ଆଉ କହିଲେ,
ମହାରାଜ, ଏହି ବାସୁଆ, ବଡ଼ପଣ୍ଡା ବସିବା ଜାଗାରୁ ଉଠି କିଛି ମନ୍ତ୍ର ବୋଲି ପାଣି ମେଞ୍ଚାଏ ଛାଟି ଦେଲେ ବାସୁଆ ଉପରକୁ, ଆଉ କହିଲେ, ତୁମେ ସତରେ ମହାନ୍ ବାସୁଆ, ତୁମ ଘରେ ସ୍ୱୟଂ ଜଗନ୍ନାଥ ଅଛନ୍ତି। ତୁମେ ତ ବସୁଦେବ ,ବାସୁଆ ନୁହେଁ।!!!!
ଲୋକ ମାନେ ପୁଣି ହରିବୋଲ, ହୁଳହୁଳି ଦେଇ କମ୍ପାଇ ଦେଇଥିଲେ ଗାଆଁ ଟାକୁ। ଏପଟେ ଦେବକୀକୁ ଗାଆଁ ମାଇେପେ ସଜ କରି ଚାଲିଥିଲେ ଯେମିତି ଆଉ ଥରେ ବାହା ବେଦୀକୁ ଯିବା ଭଳି।
ବାସୁଆ, ସେ ସବୁ କିଛି ବୁଝି ପାରୁନଥାଏ । ଗାଆଁର ସରପଞ୍ଚ ଆଉ ପ୍ରଧାନ ବାବୁ ଆସି କହଲେ, ବାସୁଆ ତୋ ବାଡିରେ ଥିବା ନିମ୍ବ ଗଛଟି ଆଜି ଜଗନ୍ନାଥଙ୍କ ଦାରୁ ହୋଇଛି। ଆଉ ଆଠ ଦିନ ପରେ ଏ ଗଛ କଟା ହେଇ ପୁରୀ ଚାଲିଯିବା
ବାସୁଆ ଭାବୁଥାଏ। ଯେ ଏପର୍ଯ୍ୟନ୍ତ ଦାନ୍ତ କାଠିଟିଏ ଭାଙ୍ଗି ପାରିନି ସେଥିରୁ ହେଲେ, ଏଇ ଗଛଟା ଦାରୁ ହେଲା କେମିତି???
ବାସୁଆ ଭାବି ଚାଲିଛି, ଯେଉଁ ନିମ୍ବ ଗଛଟା ପାଇଁ ସେ ତା ବୋଉକୁ ହରାଇଛି, ଯେଉଁ ଗଛରୁ ଡାଳଟିଏ ଭାଙ୍ଗିବାକୁ ସେ କେତେ ଥର ବୋଉ ପାଖରୁ ଗାଳିମାଡ଼ ଶୁଣିଛି, ଆଜି ସେଇଟା ଦାରୁ ହେଲା???
ଆହୁରି ମନେ ମନେ ଭାବୁଛି, ଯଦି ସେ ଦାନ୍ତକାଠି ଭଙ୍ଗିଥାନ୍ତା ତା ହେଲେ ବୋଧେ ଆଇଁଠା ହୋଇ ଯାଇଥାନ୍ତା, ଆଉ ଦାରୁ ହୋଇପାରି ନଥାନ୍ତା।
ଦେଖୁ ଦେଖୁ ତାର ସେ କୁଡିଆ ଟାକୁ ଭାଙ୍ଗିଦେଲା ଲୋକ ମାନେ, ଚେଷ୍ଟା କରି ଭି ବଞ୍ଚେଇ ପାରିନଥିଲା ସେ। ହେଲେ ଏବେ ବି ଇଚ୍ଛା ହେଉଥିଲା ସେ ନିମ୍ବ ଗଛରୁ ଡାଳଟିଏ ଭାଙ୍ଗି ଆଣି ଦାନ୍ତ କାଠି କରିବାକୁ।
ସମାପ୍ତ।********