STORYMIRROR

Birakishore Nayak

Tragedy

3  

Birakishore Nayak

Tragedy

ଦାଦନର ଦୁଃଖ

ଦାଦନର ଦୁଃଖ

4 mins
160

   ସଞ୍ଜ ରତ ରତ ହେଉଥିଲା,ପଶ୍ଚିମ ଦିଗବଳୟରେ ବିଦାୟୀ ସୂର୍ଯ୍ୟଙ୍କର ଲୋହିତ ଆଭା ଧିରେ ଧିରେ ମଳିନ ହୋଇ ଆସିଲାଣି | ଆଉ କିଛି ସମୟ ପରେ ଅନ୍ଧାର ଘୋଟି ଆସିବ | 

ତର ତର ହୋଇ ଚୁଲୀଭିତରକୁ ଶୁଖିଲା ପତ୍ର ଗୁଡିକୁ ମୁହାଇଁ ଦେଲା ରାଧା, ଶୀଘ୍ର ରୋଷେଇ ସରିଲେ ପୁରା ଅନ୍ଧାର ନହେଉଣୁ ଖାଇବାକୁ ପଡିବ | ଭୋକରେ ତା ବାପା ମାଆ, ଭାଇ ଭଉଣୀ ସମସ୍ତେ ସିମେଣ୍ଟ ଚୌପାଢୀ ଉପରେ ଗଡୁ ଗଡୁ ଶୋଇପଡିଲେଣି | ବାଟଚଲା କ୍ଲାନ୍ତ, ସକାଳ ପ୍ରହରୁ ଚାଲିଛନ୍ତି ଯେ ଆସି ରାତି ହେଲା, ମଝିରେ କେବଳ ଚୁଡା କିଣି ଖାଇଥିଲେ | 

   ରାଧା, ବାପା ମାଆଙ୍କର ବଡ଼ ଝିଅ, ବୟସ ବାଇଶି ପୂରି ତେଇଶି ଚାଲିଲା ଏବେ, ଦେଖିବାକୁ ବହୁତ ସୁନ୍ଦର | କିନ୍ତୁ ଦିନସାରା କାମ କରି କରି ଦେହ କଳାପଡ଼ିଗଲାଣି | ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଘର | ଅଭାବ ଅନଟନରେ ପଡି ଦୁଇ ବର୍ଷ ତଳେ ଦାଦନ ପାଇଁ ଚାଲିଯାଇଥିଲେ ଆସାମ | ଚା'ବଗିଚାରେ କାମ କରୁଥିଲେ | ତା ବାପା, ମାଆ, ଭାଇ ଓ ସାନ ଭଉଣୀ ସମସ୍ତେ କାମ କରୁଥିଲେ ସେଠି | ଦାଦନ ଖଟି ଯିବାପାଇଁ ବାଧ୍ୟ ହୋଇଥିଲେ ସେମାନେ | ଗାଆଁରେ ତ କାମ ମିଳେନି ସବୁଦିନ, ପାଞ୍ଚଜଣ ପରିବାରରେ ଖାଇବାକୁ, ଦିନେ ଖାଇଲେ, ଆଉ ଦିନେ ଉପାସ | ଜମିବାଡ଼ି ବୋଲି କିଛି ନାହିଁ ତାଙ୍କର | କେମିତି ଆଉ ବଞ୍ଚିଥାନ୍ତେ ! ତେଣୁ ବାଧ୍ୟ ହୋଇ ପରିବାର ସହ ତା ବାପା ପଳାଇ ଆସିଥିଲେ ଏଇ ଆସାମ | ସେ ଏକା ନୁହଁନ୍ତି, ତାଙ୍କ ପରି ଅନେକ ପରିବାର ଘର ଛାଡି ଦାଦନ ପାଇଁ ଆସିଥିଲେ | ସେଠି ଚା'ବଗିଚାରେ କାମ, ସକାଳ ସାତଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ, ମଝିରେ ଖାଇବା ଛୁଟି ମାତ୍ର ଘଣ୍ଟେ, ଦିନକୁ ତିନିଶହ ଟଙ୍କା ମଜୁରୀ ମିଳେ | ଯାହାହେଉ ପଛେ ସବୁଦିନ କାମ ତ ମିଳୁଛି, ପୁଣି ପରିବାରର ସମସ୍ତଙ୍କୁ | ଗାଆଁରେ ତ କେବଳ ତା ବାପାଙ୍କ ପରିଶ୍ରମରେ ପରିବାର ଚଳୁଥିଲା | ସେଠାରେ କାମ ମିଳିବା ପରେ ଖାଇବା ପିନ୍ଧିବାରେ ଅସୁବିଧା ହୋଇନାହିଁ | 

  ସବୁଦିନ ଠିକ ଠାକ ଚାଲିଥିଲା, ହେଲେ କି ରୋଗ ଗୋଟେ ଆସିଲା କେଜାଣି, କରୋନା, ସେଥିପାଇଁ ଚା'ବଗିଚା କାମ ବନ୍ଦ ହୋଇଗଲା ଖାଲି ଚା'ବଗିଚା କାହିଁକି, ସବୁ କଳ କାରଖାନା କୁଆଡେ ବନ୍ଦ | ଯିବା ଆସିବା ପାଇଁ ଗାଡି ମୋଟର, ରେଳ ସବୁ ବନ୍ଦ | କାହାକୁ ଛୁଇଁଦେଲେ କୁଆଡେ ସେ ରୋଗ ମାଡିଯାଉଛି | ତେଣୁ ତାଙ୍କପରି ଅନେକ ପରିବାର ଏବେ ଗାଆଁମୁହାଁ, ନିଜନିଜ ଗାଁକୁ ଫେରିବେ | ରେଳଗାଡି ଚାଲୁଥିବା ବେଳେ ବହୁତ ଲୋକ ଫେରିଯାଇଛନ୍ତି | ସେତେବେଳେ ତା ବାପା ମନାକଲେ ଫେରିବା ପାଇଁ, କହିଲେ ରୋଗଟା ଆସିଛି, କଣ ସବୁଦିନ ରହିବ, ଏଠି ତ କାମ ମିଳୁଛି, ଗାଆଁକୁ ଯାଇ କଣ କରିବା, ଦୁଇବର୍ଷ ଭିତରେ ଆମ ଚାଳିଆ ଘର ଖଣ୍ଡିକ ମଧ୍ୟ ନଥିବ ଆଉ ସେଠି, ରହିବା କେଉଁଠି ଯାଇ ? ତେଣୁ ସେମିତି ଭାବି ରହିଯାଇଥିଲେ, ହେଲେ ରୋଗ କମିଲାନି, ଯାହାକିଛି ସଞ୍ଚୟ କରି ରଖିଥିଲେ, ସେଇଥିରେ ଆଜିଯାଏ ଦୁଃଖେ କଷ୍ଟେ ଚଳିଗଲେ | ଆଉ ତ ପାଖରେ ନାହିଁ କିଛି, ତେଣୁ ଯେଉଁମାନେ ରହିଯାଇଥିଲେ ଏବେ ଘରକୁ ଫେରିବାକୁ ବାଧ୍ୟ | ପୁଣି ପାଦରେ ଚାଲି ଚାଲି, ଶହ ଶହ କିଲୋମିଟର ଦୂରରେ ତାଙ୍କ ଘର | ରାସ୍ତାସାରା ଲୋକେ ପରିବାର ସହ ଚାଲୁଛନ୍ତି | କେତେ ଧୈର୍ଯ୍ୟ ସେମାନଙ୍କର !

   ରାସ୍ତା କଡରେ, କେଉଁ ଗାଆଁ କେଜାଣି, ସେଇ ଗାଁ ମୁଣ୍ଡ ବରଗଛ ମୂଳେ ଏଇ ରାତିଟା ତାଙ୍କୁ କଟାଇବାକୁ ପଡିବ, ଆଉ ଦୁଇଟା ପରିବାର ବି ସେପଟେ ରୋଷେଇ କରୁଛନ୍ତି | ସେମାନେ କିନ୍ତୁ ଓଡ଼ିଶାର ନୁହଁନ୍ତି, ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଛନ୍ତି, ବିହାର କି ଝାଡ଼ଖଣ୍ଡ ହେବ ବୋଧହୁଏ | ଯେଉଁଠିବି ହେଉ, ପରିଚୟ ସେମାନଙ୍କର ଦାଦନ | 

  ରାଧା ରୋଷେଇ ସାରି ସମସ୍ତଙ୍କୁ ଉଠାଇଲା, ରୋଷେଇ ବୋଲି ଭାତ ଆଉ ଆଳୁସିଝା, ଲୁଣଲଙ୍କାରେ ଚକଟା | ଆଉ ବି କିଛି ନାହିଁ ତାଙ୍କ ପାଖରେ, ପାଞ୍ଚ ସାତ କିଲୋ ଚାଉଳ ଓ ଆଳୁ ତିନିକିଲୋ ସାଥିରେ ଆଣି ଆସିଛନ୍ତି ସେମାନେ | ସେତିକି ହିଁ ଗାଆଁରେ ପହଞ୍ଚିବା ପର୍ଯ୍ୟନ୍ତ ସେମାନଙ୍କ ଖାଦ୍ୟ | ଖାଇସାରି ଶୋଇଲେ ସମସ୍ତେ, ନିଜର ବ୍ୟାଗ ଓ ଯାହା ଅଳ୍ପ ଜିନିଷପତ୍ର ଗଣ୍ଠିଲି କରାଯାଇଛି, ମୁଣ୍ଡ ଉପରେ ରଖି ଆଉଜି ଶୋଇଲେ | 

   ଦିନସାରା ଚାଲି ଚାଲି କ୍ଲାନ୍ତ ହୋଇ ପଡ଼ିଥିଲେ ବି ନିଦ ଆସୁନି ରାଧାକୁ | ଆଖି ଆଗରେ ଭାସି ଯାଉଛି ଚା'ବଗିଚାର ଦୃଶ୍ୟ, ଆଉ ମନେ ପଡୁଛି ଲଛମନିଆର କଥା | ସେଇ ଏକା ଚା ' ବଗିଚାରେ କାମ କରନ୍ତି | ସେଠାରେ ତାଙ୍କର ପଡୋଶୀ ଘର ପୁଅ | ସରଳ ସୁଠାମ ଯୁବକଟିଏ | 

କାମ ଭିତରେ ଅନେକ ସମୟରେ ସେ ତା କାମ ସହିତ ରାଧାର କାମ ବି କିଛି କରିଦିଏ | କେମିତି ଏକ ଆତ୍ମୀୟତା ଦୁହିଁଙ୍କ ମଧ୍ୟରେ ବଢିଯାଇଥିଲା | ତାଙ୍କ ଘର ମୟୁରଭଞ୍ଜ ଅଞ୍ଚଳରେ | ଉଭୟ ପରିବାର ଓଡ଼ିଶାରେ ହୋଇଥିବାରୁ ଭଲମନ୍ଦରେ ପରସ୍ପରକୁ ସାହାଯ୍ୟ ସହଯୋଗ କରିଥାନ୍ତି | ଲଛମନିଆ ବହୁତ ଭଲ ଲାଗେ ତାକୁ, ରଙ୍ଗରେ ତା ପରି ଗୋରା ନହେଲେ ବି ଅସୁନ୍ଦର ନୁହେଁ, ମୁହଁରେ ସବୁବେଳେ ହସ | ଏକା ପାଇ ଥରେ ତାକୁ କହିଥିଲା, ତୋତେ ମୁଁ ଭଲ ପାଏ ଲୋ ରାଧା, ଦିନେ ତୋତେ ହିଁ ମୁଁ ବାହାହେବି | ରାଧା ହସିଥିଲା ତା କଥା ଶୁଣି, ଚାଲିଆସିଥିଲା ଲାଜରେ | ରାଧା ବି ତାକୁ ଭଲପାଉଥିଲା, ତାକୁ ନେଇ ଅନେକ ସ୍ୱପ୍ନ ଦେଖିଚ୍ଛି ସିଏ | ହେଲେ ସେମାନେ ତ ଚାଲି ଆସିଲେ, ଲଛମନିଆ କିନ୍ତୁ ସେଠାରେ ରହିଛି ତା ବାପା ମାଆଙ୍କ ସହିତ | ଆସିପାରିଲାନି ସିଏ, ତାର ମାଆର ଦେହ ଅସୁସ୍ଥ, ବାପା ବି ବୁଢା | ଗାଡ଼ିରେ ବସି ସେମାନେ ସିନା ଚାଲିଯାଇଥିଲେ, ହେଲେ ଏବେ ପାଦରେ ଚାଲି ଗାଆଁକୁ ଫେରିବା ଅସମ୍ଭବ | ଆସିଲାବେଳେ ଲଛମନିଆ ଛିଡ଼ାହୋଇଥିଲା, ମନ ତାର ଭଲନଥିଲା, କାନ୍ଦୁନଥିଲେ ବି କାନ୍ଦିଲାଭଳି ଦେଖାଯାଉଥିଲା ତାର ମୁହଁ, ତା ବାପା ମାଆ କିନ୍ତୁ କାନ୍ଦୁଥିଲେ, ଦୁଇ ବର୍ଷର ସମ୍ପର୍କ, ଅନେକ ଆତ୍ମୀୟତା ଥିଲା ଦୁଇ ପରିବାର ଭିତରେ | ଆସିଲାବେଳେ ଲଛମନିଆ କେବଳ କହିଥିଲା, ରୋଗ କମିଗଲେ ପୁଣି ଏଠାକୁ ଆସିବ, ଏଇଠି ଏମିତି ମିଶି ରହିବା | 

କିଛି କହିପାରିନଥିଲା ରାଧା, ମୁଣ୍ଡ ହଲାଇ ହଁ କରିଥିଲା | ଆଖିରେ ଜକେଇ ଆସୁଥିବା ଲୁହକୁ ସମସ୍ତଙ୍କ ଅଜାଣତରେ ନିଜ ଓଢଣୀରେ ପୋଛିଦେଇଥିଲା ରାଧା | ସେମାନେ ଚାଲି ଆସିଲେ, ବହୁତ ଦୂରରେ ସେ ଛାଡିଆସିଲା ଲଚ୍ଛମନିଆକୁ | ସେ ବି ଶୋଇ ନଥିବ ବୋଧହୁଏ, ଭାବୁଥିବ ତା କଥା, କାନ୍ଦିବାକୁ ଇଛା ହେଉଥିଲା ରାଧାର | 

   ଭାବୁଥିଲା ରାଧା, ଚା'ବଗିଚାରେ କାମ ସିନା ସବୁଦିନ ମିଳୁଥିଲା, ହେଲେ ରାଧାକୁ କିନ୍ତୁ ଭଲ ଲାଗୁନଥିଲା, ନିରୁପାୟ ମଧ୍ୟ ଥିଲା ସିଏ | ହେଲେ ସେଠି ମାଲିକ ଠାରୁ ଆରମ୍ଭ କରି ସୁପରଭାଇଜର ପର୍ଯ୍ୟନ୍ତ ସମସ୍ତଙ୍କର ଆଖି ତା ଉପରେ, ଏକୁଟିଆ ପାଇଲେ ଥଟ୍ଟା ହୁଅନ୍ତି, ତା ଗାଲକୁ ଆଉଁସି ଦିଅନ୍ତି | ସବୁକଥା ଵୁଝି ନବୁଝିବା ଭଳି ନୀରବ ରହେ ରାଧା | ଲଛମନିଆ ବି ତାକୁ ଦିନେ କହିଥିଲା, ଏ ବାବୁମାନଙ୍କର ଚରିତ୍ର ଭଲ ନୁହେଁ, କେତେ ଝିଅଙ୍କ ଜୀବନ ସେମାନେ ନଷ୍ଟ କରିଛନ୍ତି, କେତେ ଝିଅ ବି ନିଖୋଜ ହୋଇଯାଇଛନ୍ତି | 

   ରାଧାର ଭାବନାର ଅନ୍ତ ନଥିଲା, ଗାଆଁରେ ପହଞ୍ଚିଲେ, ପୁଣି କେମିତି ତାଙ୍କର ଜୀବନ କଟିବ, ଆଗକୁ ଚିନ୍ତା କରିପାରୁନଥିଲା ସିଏ | କେତେବେଳେ ଯେ ଭାବନା ଭିତରେ ନିଦ ଲାଗିଯାଇଛି ଜାଣିପାରିନି | ଭୋରୁ ଭୋରୁ ବାପାଙ୍କ ଡାକରେ ଉଠିପଡ଼ିଲା ରାଧା, ସମସ୍ତେ ବାହାରି ସାରିଲେଣି, ପୁଣି ଚାଲିବାକୁ ହେବ | 

   ପୂର୍ବ ଆକାଶରେ ସୂର୍ଯ୍ୟ ଉଠିନାହାନ୍ତି ସିନ୍ଦୂରା ଫିଟିଲାଣି | ଚାଲିଲେ ସେମାନେ, ଆଗରେ ଅନେକ ରାସ୍ତା | 



Rate this content
Log in

Similar oriya story from Tragedy