STORYMIRROR

Jayashree Maharana

Tragedy Others

3  

Jayashree Maharana

Tragedy Others

ଦାଦନ

ଦାଦନ

3 mins
232

  ଦାଦନର ସଂଜ୍ଞା କଣ ବୁଝିବାକୁ ଚେଷ୍ଟା କରୁ କରୁ ଭଗବାନ ଓରଫ ଭଗିଆର ଜୀବନ ଚାଲିଯାଇଥିଲା ।ତା ଶବ ସହ ତା ମନର ପ୍ରଶ୍ନ ବି ନିରବି ଯାଇଥିଲା ।କିନ୍ତୁ ଦାଦନର ଦୈନ୍ୟ ସଂକେତ ଟା ଲିପିବଦ୍ଧ ହୋଇଯାଇଥିଲା ତାହାର ମୃତ୍ୟୁ ଖବରରେ ।


   କେବଳ ଖବର ଭିତରେ ହଜିଯାଇଥିଲା ଦାଦନର ସଂଜ୍ଞା ।ତାହାର ଘର ପରିବାର କିମ୍ବା ପିଲାଛୁଆଙ୍କର ଅବସ୍ଥା କିପରି ହୋଇଗଲା ବୁଝିବାକୁ କାହାରି ପାଖରେ ସମୟ ନଥିଲା ।ସମୟ ନଥିଲା ସାହାଯ୍ୟ ପାଇଁ ।


ଭଗିଆ ।ପାଞ୍ଚ ଭଉଣୀଙ୍କ ପରେ ଘରେ ହସଖୁସି ଭରିଦେଲା ଭଗିଆ ଜନ୍ମହୋଇ ।ବାପା ବୋଉ କେଡେ ସରାଗରେ ନାଁ ଦେଇଥିଲେ ଭଗବାନ ।ହଁ ବାପା ମାଆଙ୍କ ପାଇଁ ତ ତାଙ୍କର ପୁଅ ଭଗବାନ ସଦୃଶ ।ସେ ବଡ଼ ହେବ ।ରୋଜଗାର କରିବ ।ଘର ପରିବାର ସମ୍ଭାଳିବ ।ବାପାଙ୍କ ବୋଝ ହାଲୁକା କରିବ ।ଭଉଣୀମାନଙ୍କୁ ବାହାଦେଵ ।କୁଡ଼ିଆ ଘରକୁ ନୂଆ କରି ତିଆରି କରିବ ।ନୂଆ ଆଶା ଖେଳିଯାଇଥିଲା ପରିବାରରେ ।


   ଭଗିଆ ପିଲାଟି ଦିନରୁ ଅଭାବକୁ ଦେଖିଚି ।ଅନୁଭବ କରିଛି ।ଅସହାୟତା ପାଇଁ ଗୁମୁରିକାନ୍ଦିଛି ।ଆଜିକାଲିର ସମାଜରେ ତେଲିଆ ମୁଣ୍ଡରେ ତେଲ ।ଆଉ ଗରିବ ର ଜୀବନ ସରିଯାଏ ଖଟି ଖଟି ।ବାପା ଦିନମଜୁରିଆ ।ଏଇ ଭାଗିଆକୁ ଅନେଇ ଅନେଇ ପାଞ୍ଚ ପାଞ୍ଚଟି ଝିଅ ।ତଥାପି ଦିନରାତି ହାଡ଼ଭାଙ୍ଗ ପରିଶ୍ରମ କରି ଏତେ ବଡ଼ ପରିବାରକୁ ଚଳେଇ ଆସୁଥିଲେ ବାପା ।ଆଶା ପୁଅ ବଡ଼ ହୋଇ ରୋଜଗାର କଲେ ଦୁଃଖ ଯିବ ।କଷ୍ଟେମଷ୍ଟେ ପରିବାର ଚଳିଯାଉଥିଲା ।ଭଗିଆ ଦଶମ ଶ୍ରେଣୀ ପାସ କରିବା ପରେ କଲେଜ ପଢିବାକୁ ଇଛା ଥିଲେ ବି ପାରିଲା ନାହିଁ ।ଭଉଣୀ ମାନଙ୍କ ବାହାଘର ,ଘର ଖର୍ଚ୍ଚ ବୁଢା ବାପାଟେ କେତେ ଖଟିବ ।ବାପା ତାକୁ ଗୋଟିଏ ଦୋକାନରେ ରଖିଦେଲେ ।ମାଆକୁ ସାତ ଶହ ଟଙ୍କା ।ଯନ୍ତ୍ର ପରି ଦିନସାରା ଖଟେ ଭଗିଆ ।ଏହା ଭିତରେ ଦୁଇ ଭଉଣୀଙ୍କ ବାହାଘର ସରିଲାଣି ।ଆହୁରି ତିନି ଭଉଣୀ ।ଦୁଇ ତିନି ବର୍ଷ ଭିତରେ ସେ ବି ସାତ ଶହରୁ ପନ୍ଦର ଶହ ରୋଜଗାର କଲାଣି ।ହେଲେ ସମୁଦ୍ରକୁ ଶଙ୍ଖେ ।




 ଦିନେ ଦୋକାନରେ ତା ସାଂଗ ହରି କହିଲା ଆରେ ଏ ଭଗିଆ ଗୁଜୁରାଟ କୁ କାମକୁ ଗଲେ ବହୁତ ଟଙ୍କା ମିଳୁଛି ।ତୁ ଚାଲୁନୁ ଯିବୁ ଆମ ସାଙ୍ଗରେ ।ଭଗିଆ ବାପା ବୋଉ ସହ କଥା ହେଇ ଜଣେଇବ କହିଲା ।ପାଖ ଗାଁର ଠିକାଦାର ର ଠିକଣା ହରିଠାରୁ ଆଣି ସନ୍ଧ୍ୟାରେ ବାପା ବୋଉକୁ ଜଣେଇଲା ।ପ୍ରଥମେ ବାପା ବୋଉ ଦୁହେଁ ଅମଙ୍ଗ ହେଲେ ।କିନ୍ତୁ ଘରର ପରିସ୍ଥିତି,ଏ ମହଙ୍ଗା ଯୁଗ ,ଝିଅ ବୋଝ ଆଗରେ ବାପା ବୋଉ ବି ନାଚାର ।ଭଗିଆ ଚାଲିଲା ସାଙ୍ଗମାନଙ୍କ ସହ ଗୁଜୁରାଟ ।ସୂତା କଳରେ କାମରେ ଲାଗିଲା ଭଗିଆ ।ଦିନସାରା କାମ ।ରାତିରେ ସାଙ୍ଗମାନଙ୍କ ସହ ରାନ୍ଧବଢା ଖିଆପିଆ ସାରି ଅବଶ ଦେହକୁ ଭୁଇଁରେ ଲୋଟାଇ ରାତି ସାରିଦିଏ ।ବେଶ କିଛି ଟଙ୍କା ବି ରୋଜଗାର କରି ଘରକୁ ଦେଲାଣି ।ତୃତୀୟ ଭଉଣୀର ବାହାଘର ସରିଲାଣି ।ଚତୁର୍ଥ ଭଉଣୀ ପାଇଁ ବର ଦେଖା ଚାଲିଛି ।



 ନୂଆ ସ୍ୱପ୍ନ ସବୁ ଭଗିଆ କୁ ଅସ୍ତବ୍ୟସ୍ତ କଲେଣି ।ଯୁବକ ବୟସ ।ମନ ରଙ୍ଗୀନ ହେଲାଣି ।ଗରିବ ହେଲା ବୋଲି କଣ ସ୍ୱପ୍ନ ଦେଖିବା ମନା ।ଆଉ ଦୁଇ ଭଉଣୀ ଙ୍କର ବାହାଘର ସାରି ଘରକୁ ମରାମତି କରିବ ।ନୂଆ କନିଆଁ ଘରକୁ ଆଣିବ ।ବେଶ ଖୁସିରେ ବିତି ଯିବ ଦିନ ।



ଗରୀବର ଖୁସିକୁ କଣ ଭଗବାନ ସହିପାରନ୍ତି ।କୁଆଡୁ ମାଡି ଆଇଲା ଏ କରୋନା ରୋଗ ।ବାପା ବୋଉ ସେପଟେ ବିକଳ ।ଏପଟେ ଭଗିଆ ମଧ୍ୟ ଭୟଭୀତ ।ଯେମିତି ହେଲେ ଗାଁ କୁ ଯିବା ।ଟିଭିରେ ଘନ ଘନ ଖବର ।ସରକାର ଅନ୍ୟରାଜ୍ୟରେ ଥିବା ଦାଦନ କୁ ନେବାକୁ ବ୍ୟବସ୍ଥା କରୁଛନ୍ତି ।


 ଦାଦନ କଣ ?ଆଶ୍ଚର୍ଯ୍ୟ ହୋଇଗଲା ଭଗିଆ ।ପେଟ ପାଇଁ ସମସ୍ତେ ଖଟନ୍ତି ।କିଏ କୋଉ କାମ କରେ ।ଭଗବାନ ତ କାହା ପାଇଁ କୋଉ କାମ କପାଳରେ ଲେଖିଛନ୍ତି ।ଏ ସମଗ୍ର ବସୁଧା ଆମର ମାଆ ।ଏ ଦେଶ ଆମର ।ଗୋଟେ ରାଜ୍ୟରୁ ଆସି ଅନ୍ୟ ରାଜ୍ୟରେ ଖଟିଲୁ ବୋଲି ଆମେ ଦାଦନ ।ବାଃ ବାଃ ରେ ସମାଜର ବଡ଼ ପଣ୍ଡା ।ଆମେ ଖଟିବୁ ଆମ ପରିଶ୍ରମରେ ତୁମେ ହେବ ଧନୀ ।ଆଉ ଆମେ ହେବ ଦାଦନ ।ସେଦିନ ଭାରି ରାଗ ଲାଗିଲା ଭାଗିଆକୁ ।ସାଙ୍ଗ ମାନଙ୍କ ସହ ନିଜ ହୃଦୟର ବିରୋଧାଭାଷ ପ୍ରକାଶ କରି ଅସହାୟ ପରି ପଡିରହିଥିଲା ସେ ।


   ଦେଶର ଶାସକ ଯଦି ଦାଦନ ଆଖ୍ୟା ଦେଇ ଖୁସି ହୋଇପାରିଲେ ତେବେ ଗୁହାରି କରିବେ କାହାକୁ ।ଏଇ ଦାଦନ ଶବ୍ଦର ସଂଜ୍ଞା ଜାଣିବାକୁ ତା ମନରେ ଅନେକ ଉତ୍କଣ୍ଠା ।କାହିଁକି ଏ ଦାଦନ ଶବ୍ଦର ସୃଷ୍ଟି ।ଶ୍ରମିକ ଶବ୍ଦରେ କଣ ତାହାର ସଂଜ୍ଞା ନିରୂପଣ କରିବା କଷ୍ଟକର ଥିଲା କି ?ଏମିତି ଅନେକ ପ୍ରଶ୍ନ ଭିତରେ ନିଜର ଅସ୍ତିତ୍ୱକୁ ଆବିଷ୍କାର କରୁଥିଲା ଭଗିଆ ।ନା ନା ହେଇପାରିବ ନାହିଁ ।ମୁଁ ଦାଦନ ର ଆଖ୍ୟା ପାଇ ସରକାରଙ୍କ ସାହାଯ୍ୟରେ ମୋ ଗାଓଁ କୁ ଫେରିବି ନାହିଁ ।ମୁଁ ଅପେକ୍ଷା କରିବି ଏ କରୋନା ରୋଗ ଗଲେ ପୁଣି କାମ କରିବି ନିଜ ପଇସାରେ ଘରକୁ ଫେରିବି ।ମନ ଦୃଢ଼ କଲା ସେ ।ସାଙ୍ଗମାନେ ବି ସମର୍ଥନ କଲେ ।କାହିଁକି ଆମେ ଦାଦନ ହେବୁ ।ଆମେ ଦେଶର ଶ୍ରମିକ ।ପୁଣି ଦାଦନ ବୋଲି ଜାତି ସୃଷ୍ଟି ର କାରଣ କଣ ?ଏହାର ସଂଜ୍ଞା କଣ ?


  ଦିନକୁ ଦିନ କରୋନା ପ୍ରଭାବରେ ଖାଦ୍ୟ ପାନୀୟ ଅଭାବରେ ଶରୀର ଦୁର୍ବଳ ହୋଇଯାଉଥିଲା।ଏହା ଭିତରେ ଦୁଇଜଣ ସାଙ୍ଗ କରୋନା ରେ ଆକ୍ରାନ୍ତ ହୋଇ ମେଡିକାଲ ରେ ଭର୍ତ୍ତି ହେଲେଣି ।ପାଖରେ ଟଙ୍କାଟିଏ ନାହିଁ ।ତେବେ ସରକାରଙ୍କ ଦାଦନ ହିସାବରେ ଆମେ ଗାଁ କୁ ଫେରିଯିବା ଭଲ ହେବ ।ହୁଏ ତ ପହଞ୍ଚିଲେ ପଚାରିବ ଏ ଦାଦନର ସଂଜ୍ଞା କଣ ?


 ସମସ୍ତେ ସ୍ଥିର କଲେ ଫେରିବେ ନିଜ ମାଟିକୁ ।ସରକାରଙ୍କ ବ୍ୟବସ୍ଥାରେ ।କିନ୍ତୁ ସେଦିନ ଆସିବା ବେଳକୁ ଚାଲିଗଲା ଭଗିଆର ଜୀବନ ।ଜ୍ଵରରେ ଆକ୍ରାନ୍ତ ହୋଇ ଆଖିବୁଜିଲା ସେ ।ଅମୀମାଂସିତ ରହିଗଲା ପ୍ରଶ୍ନ ଦାଦନର ସଂଜ୍ଞା କଣ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy