Madhu mita

Inspirational

4  

Madhu mita

Inspirational

ଚୁଡ଼ି

ଚୁଡ଼ି

4 mins
385


"କେତେଥର କହିଛି କହିଲୁ..ଏମିତି ମେଞ୍ଚା ମେଞ୍ଚା ଚୁଡି ପିନ୍ଧି ସବୁବେଳେ ରହନି। ଦେଖିଲୁ ନା କଣ ହେଲା?" ବଡ଼ ନଣନ୍ଦ ସୀମା ରୀତାକୁ ଅଭିମାନ ମିଶା କ୍ରୋଧ ଦେଖାଇ କହିଲା। କପବୋର୍ଡ ଭିତରୁ ଜିନିଷ ବାହାର କରିବା ସମୟରେ ହାତ ବାଜି ଯିବାରୁ ଦୁଇଟା ଚୁଡି ଭାଙ୍ଗି ରୀତା ହାତରେ ଗଳି ଯାଇଥିଲା ଓ ଅଳ୍ପ ରକ୍ତ ବାହାରି ଯାଇଥିଲା..ସୀମା ସେମିତି ପାଟି କରୁକରୁ ଦୌଡି ଯାଇ ଫାଷ୍ଟ୍ ଏଡ୍ ବାକ୍ସ ଆଣି ଉପଚାର ବି ଆରମ୍ଭ କରି ଦେଇଥିଲା..


ଦଶ ବର୍ଷ ତଳେ ରୀତା ବାହା ହୋଇଥିଲା ସୀମାର ଭାଇ ଅସିତ ସହିତ।କିନ୍ତୁ ବାହାଘର କିଛିଦିନ ପରେ କାନାଡା ଚାଲି ଯାଇଥିଲା ଅସିତ।ସେଇଠି ଘର ନେଇ ସ୍ତ୍ରୀକୁ ନେଇଯିବା ପାଇଁ କଥା ବି ଦେଇଥିଲା।କିନ୍ତୁ…


ସେତେବେଳେ ସୀମା ପାଖରେ ଛାଡି ଯାଇଥିଲା ଅସିତ।କାରଣ ସେ ଜାଣେ..ବଡ଼ ଭଉଣୀ ସୀମା ଛଡା ଏ ଦୁନିଆରେ ଆଉ କିଏ ମଧ୍ୟ ରୀତାକୁ ଉପଯୁକ୍ତ ସ୍ନେହ ଆଦର ଦେଇ ରଖି ପାରିବେନି।ମା ବାପାଙ୍କ ଦେହାନ୍ତ ପରେ ସୀମା ଅସିତକୁ ପଢେ଼ଇ ମଣିଷ କରିବା ପାଇଁ ନିଜ ସୁଖ ସ୍ୱାଛନ୍ଦ୍ୟ ଜଳାଞ୍ଜଳି ଦେଇ ନିଜେ ଅବିବାହିତା ରହି ଦୁନିଆ ସହ ଲଢି ଚାଲିଛି।ଅସିତ ବାହାଘର କରି ସେ ଟିକେ ଆନନ୍ଦ ପାଇଛି।ବୟସ ଗଡି ଯିବାରୁ ତା ବାହାଘର ତ ଆଉ ସ୍ୱପ୍ନରେ ବି ଆସୁନି..


ସୀମା ବାରମ୍ବାର କହିଥିଲା.."ଦେଖ୍ ଅସିତ..ଯେତେ ଜଲଦି ହେବ ତୁ ନେଇଯିବୁ ରୀତାକୁ.."ଅସିତ ମଧ୍ୟ ହସି ମୁଣ୍ଡ ହଲେଇ ହଁ କରିଥିଲା।କିନ୍ତୁ..


ପ୍ରଥମେ ପ୍ରତିଦିନ ଆସୁଥିବା କଲ୍ ସାପ୍ତାହିକ ମାସିକ ହୋଇ ଆଜିକାଲି ଆଉ ବାର୍ଷିକ ହୋଇ ମଧ୍ୟ ରହିଲାନି..କିନ୍ତୁ ରୀତା ନବ ବିବାହିତା ପରି ହାତ ଭର୍ତ୍ତି କରି ଚୁଡି ପିନ୍ଧିବା ଛାଡ଼ି ପାରିନି..!!


କେମିତି ବା ଭୁଲି ପାରନ୍ତା ରୀତା ଏ ଚୁଡି ପିନ୍ଧିବା ଅଭ୍ୟାସକୁ!!??ବିବାହର ପ୍ରଥମ ଦିନ ହିଁ ଅସିତ୍ ଏ ଚୁଡି ଝଙ୍କାରରେ ଆନମନା ହୋଇ ଯାଇଥିଲା..ପୁଲକିତ ହୋଇ ଉଠିଥିଲା..ଓ ରୀତା ନିଜକୁ ନିଜେ ବଚନ ଦେଇ ସାରିଥିଲା..ସେ ସବୁବେଳେ ଏମିତି ଚୁଡି ପିନ୍ଧି ରହିଥିବ..ଆଉ ସେ ସେତିକି ହିଁ ତ କରୁଛି..!!


ଅସିତ୍ ତାକୁ ଭୁଲିଯିବା ଦୁଃଖ ଅପେକ୍ଷା ସୀମାଙ୍କୁ ଭୁଲି ଯିବା କଷ୍ଟ ଅଧିକା ଲାଗୁଥିଲା ରୀତାକୁ।ଯେଉଁ ଭଉଣୀ ଏତେ ବର୍ଷ ଧରି ନିଃସ୍ଵାର୍ଥପର ଭାବେ ତାକୁ ପାଳି ପୋଷି ବଡ଼ କରିଛନ୍ତି..ତାଙ୍କୁ କିପରି ଭୁଲିବା ସମ୍ଭବ ହେଲା??ବିବାହ ପରେ ଯେତେବେଳେ ରୀତା ନଣନ୍ଦଙ୍କ ସହ ରହିଲା ଜାଣି ପାରିଲା ସେ ମମତାମୟୀର ଅସଲ ସ୍ୱରୂପ.. ବାହା ହୋଇ ମାତ୍ର ଦୁଇ ମାସ ହୋଇଥାଏ..।ରାତିରେ ବନ୍ଧୁ ଘରୁ ଭୋଜନ ସାରି ଫେରିବା ବେଳେ ଅସିତର ଗାଡ଼ି ଏକ ଟ୍ରକ୍ ସହ ଧକ୍କା ହୋଇଥିଲା ଓ ସ୍ୱାମୀ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ।ରାସ୍ତାରୁ ଉଠାଇ ଲୋକମାନେ ସେମାନଙ୍କୁ ପାଖ ହସପିଟାଲ ନେଇ ଯାଇଥିଲେ ଓ ସୀମାକୁ ଖବର ଦେଇଥିଲେ। ରୀତାର ଦେହରୁ ବହୁତ ରକ୍ତ ବାହାରି ଯାଇଥିଲା।ସୀମା ନିଜ ରକ୍ତ ଦେଇ ତା ଜୀବନ ବଞ୍ଚାଇ ଥିଲେ। ଅସିତଙ୍କ ହାତ ଭାଙ୍ଗି ଯାଇଥିଲା।ଦୁଇ ଜଣଙ୍କୁ ଏପରି ଅବସ୍ଥାରେ ସୀମା ଯେପରି ସେବା କରି ଭଲ କରିଥିଲେ..ସେ କଥା କଣ କେହି କେବେ ଭୁଲି ପାରିବ? ଆଉ ତା ସତ୍ତ୍ଵେ ମଧ୍ୟ ଯେତେବେଳେ ଜଣା ପଡ଼ିଲା ସେହି ଦୁର୍ଘଟଣା ଯୋଗୁଁ ରୀତା ଆଉ ସନ୍ତାନ ସମ୍ଭବା ହେବନାହିଁ..!!??


….. ସୀମା ତାକୁ କୋଳକୁ ଟାଣି ନେଇଥିଲେ।ଆଉ କହିଲେ" ଆରେ ମୋ ପରି ବଡ଼ ଝିଅଟେ ଅଛି ନା ତୋର..!!ଆଜିଠାରୁ ତୁ ମୋ ମା..!!"ଏଇ କଥା ପଦିକ ଏତେ ଆପଣା ଲାଗିଥିଲା ରିତାକୁ..ସେ କେବେ ମଧ୍ୟ ଆଉ ସୀମାକୁ ଛାଡ଼ି ଯାଇ ନ ଥିଲା।ଅସିତ ଯିବା ପରେ ନିଜ ଘରକୁ ମଧ୍ୟ ଯିବାକୁ ପସନ୍ଦ କରି ନ ଥିଲା।ଏତେ ବଡ଼ ଝିଅକୁ କେମିତି ଯେ ଏକା କରି ଯାଇଥାନ୍ତା ସେ..!!??


ଅସିତ୍ ପାଇଁ ସୀମାଙ୍କୁ ଲୁଚେଇ ଲୁଚେଇ କାନ୍ଦିବା ସେ ଦେଖେ।ଆଉ ସେଇଥି ପାଇଁ ତ..!!


ଅସିତ ଯିବା ପରେ ମଧ୍ୟ ରୀତିମତ ସମ୍ପର୍କ ରଖିଥିଲେ ରୀତା ସହ । ଧୋକା ଦେବା କି ଭୁଲି ଯିବା ମଣିଷ ସେ ନୁହନ୍ତି।ନିହାତି ଭଲ ପାଉଥିବା ସ୍ନେହୀ ହୃଦୟ ତାଙ୍କର।କିନ୍ତୁ ଦୈବୀ ବିଧାନ ଆଗରେ ହାର ମାନି ଦୁରାରୋଗ୍ୟରେ କାନାଡ଼ା ମାଟିରେ...ଆଖିରୁ ଲୁହ ଗଡି ଆସିଲା ରୀତାର…!


"ପ୍ଲିଜ୍ ରୀତା..ମୋ ଦେହ ଖରାପ କଥା କେବେ ଅପାକୁ କହିବନି।ସେ ନିଜକୁ ସମ୍ଭାଳି ପାରିବନି।ମୁଁ ବୋଧହୁଏ ଆଉ ଫେରି ଯାଇ ପାରିବିନି..ତୁମେ ପୁନଃ ବିବାହ କରି ନିଜ ଜୀବନରେ ଆଗକୁ ବଢିବ।"କାନ୍ଦି ଉଠୁଥାଏ ଅସିତ୍.."ରୀତା..ଦୁର୍ଘଟଣା ଯୋଗୁଁ ତୁମେ ମାଆ ହେବାର କ୍ଷମତା ହରାଇ ଦେଇଛ..ମୋ ପାଇଁ..!!??କଣ ହେବ ଆଗକୁ..!!??"ରୀତା ଅଳ୍ପ ହସି କୁହେ.."ଭୁଲି ଯାଉଛ ତୁମେ..ମୋ ଝିଅ ସୀମା ଅପା ଅଛନ୍ତି ନା ମୋ ପାଖରେ..!"....


ଆଉ ଅସିତ ନିଜ ଦେହାନ୍ତ ଖବର କେବେ ବି ସୀମାକୁ ନ ଜଣେଇବାକୁ ଅନୁରୋଧ କରି ଆଖି ବୁଜି ଦେଇଥିଲା..


ରୀତା ନିଜ ଦୁଃଖକୁ ଛାତିରେ ଚାପି ସୀମା ମୁହଁକୁ ଚାହିଁ ବଞ୍ଚିବା ଶିଖିବା ଆରମ୍ଭ କରିଦେଇଥିଲା।ଆଉ ସେହି ରାସ୍ତାରେ ତାର ସବୁଠୁ ବଡ଼ ସାହାରା ହୋଇଥିଲା ଏ ଚୁଡି ମୁଠାକ..!ଅସିତଙ୍କ ଅସ୍ତିତ୍ୱର ସନ୍ତକ…!!ସୀମା କେବେ ମଧ୍ୟ ଜାଣି ପାରିଲେନି ଅସିତ୍ କାହିଁକି ଉତ୍ତର ଦେଉ ନ ଥିଲା!!ଆସିବା ତ ଦୂରର କଥା..!କେବଳ ଅସିତର ଶେଷ ଇଚ୍ଛାକୁ ସମ୍ମାନ ଜଣେଇ ସେ କିଛି ବି କହି ପାରିନାହିଁ କାହାକୁ।


ନିତିଦିନିଆ ଅଭ୍ୟାସରେ ରୀତା ଅଫିସ୍ ପାଇଁ ପ୍ରସ୍ତୁତ ହେଉଥାଏ।ଜଳଖିଆ ଟେବୁଲରେ ଥୋଇ ସୀମା ତାକୁ ଡାକିବାକୁ ତା ରୁମକୁ ଯାଇଥାନ୍ତି।ରୀତା ମ୍ୟାଚିଂ ଚୁଡି ମୁଠାକ ଧରି ହାତରେ ପିନ୍ଧିବାକୁ ଉଦ୍ୟମ କରିବା ବେଳେ ହାତ ଧରି ପକାଇଲେ ସୀମା..


" ଥାଉ...ଆଉ ଦରକାର ନାହିଁ.."


ବୁଝି ପାରୁନଥିଲା ରୀତା..ସୀମା ସେମିତି ଗୁରୁଗମ୍ଭୀର ହୋଇ କହି ଉଠିଲେ..."ଅସିତ୍ ମୃତ୍ୟୁ ଖବର ମୋ ପାଖରେ ପହଞ୍ଚି ସାରିଛି ରୀତା।ତୁ ଭୁଲି ଯାଇଛୁ ଅସିତ ସହିତ ତା ସାଙ୍ଗ ସୁନ୍ଦର ମଧ୍ୟ କାନାଡ଼ା ଯାଇଥିଲା।କାଲି ସେ ଫେରି ଆସିଛି ଆଉ ଅସିତର ବେମାରୀ ଓ ତୋ ସହ ତା ଶେଷ କଥାବାର୍ତ୍ତା ସବୁ ମୋତେ କହି ସାରିଛି।ହେଲେ ତୁ ମୋ ପାଇଁ…!!ଏତେ ଦିନ ଧରି!!ମା ହୋଇ ଏ ବୁଢ଼ୀ ଝିଅଟା ପାଇଁ ଏତେ କୋହ ଛାତିରେ ଚିପି ରଖି ପାରିଲୁ..!!??"


ରୀତା ହାତରୁ ଚୁଡି ସବୁ ଖସି ତଳେ ପଡି ଯାଇଥିଲା..ଏତେ ଦିନ ଧରି ସମ୍ଭାଳି ରଖିଥିବା ଲୁହ ସବୁ ଅମାନିଆ ହୋଇ ବୋହି ଯାଉଥିଲା..


ଆଉ ସୀମା…!!ତଳେ ପଡି ଭାଙ୍ଗି ଯାଇଥିବା ଚୁଡି ସବୁକୁ ଉଠାଇ ଅଳିଆ ଦାନିରେ ପକେଇବା ପାଇଁ ବାହାରୁ ଥିଲେ..ଆଖିରେ ଥିଲା ଲୁହର ବନ୍ୟା..ଓଠରେ କ୍ଷୀଣ ଅମାନିଆ ହସ ଓ ହୃଦୟରେ ଏକ ଅଦମ୍ୟ ଯନ୍ତ୍ରଣା…!!ସେ କଣ କେବେ ଆଉ ଏ ଭଙ୍ଗା ଚୁଡି ଯୋଡ଼ି ରୀତା ହାତରେ ସଜେଇ ପାରିବନି..!!?? 



Rate this content
Log in

Similar oriya story from Inspirational