ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଚତୁର୍ଥ ସ୍ତମ୍ଭ

ଚତୁର୍ଥ ସ୍ତମ୍ଭ

2 mins
7.3K


ଶ୍ରୀ ଜଗନ୍ନାଥ ପାତ୍ର

ଚଇତନ ଟାଉନ୍‌ବସ୍‌କୁ ଅପେକ୍ଷା କରୁକରୁ ବାଁ ଗୋଡ଼ ଟେକି ଚପଲ ତଳକୁ ଚାହିଁଲା । କୁଆଡ଼େ କହନ୍ତି – ଚାଲି ଚାଲି ଚପଲ୍ ଘୋରି ହୋଇଗଲାଣି । କିନ୍ତୁ ସେ ଆଉ ସେତେ ଚାଲିଛି କୋଉଠି ? ଘରୁ ତ ସାଇକେଲ୍‌ରେ ଆସେ ବସ୍‌ଷ୍ଟାଣ୍ଡକୁ । ବାଦାମବାଡ଼ିରେ ବସ୍‌ରୁ ଓହ୍ଲେଇ ଟାଉନ୍ ବସ୍ ଧରେ ।

ଚଇତନ ହିସାବ କଲା : ଏଇ ଦଶଦିନ ଭିତରେ କମ୍‌ସେ କମ୍ ଦେଢ଼ଶ ଟଙ୍କା ଖର୍ଚ୍ଚ ହେଲାଣି ଖର୍ଚ୍ଚତ ନୁହଁ, ଯାହାକୁ କହନ୍ତି ପାଣିରେ ପକେଇଦବା । ତା’ ଉପରେ ପୁଣି କମେଇ । ଯାହାକୁ କହନ୍ତି ହାତରୁ ଖାଇ ଘୋଡ଼ା ଆଗରେ ଡେଇଁବା ।

ନିତିଆର ଅନାହାର ଜନିତ ମୃତ୍ୟୁରୁ ଫାଇଦା ଉଠାଇ ରାତାରାତି ନେତା ହେବାକୁ ଆଶା କରିଥିବା ଚଇତନର ଆଶାଟା କେବଳ ମଉଳି ଯାଇନଥିଲା, ଏକବାର ମରି ଯାଇଥିଲା ।

ପୂର୍ବର ବିରୋଧୀ ଦଳକୁ ସମର୍ଥନ କରି ଆସିଥିବା ଓ ନିର୍ବାଚନ ବେଳେ ଏକ ରକମ ବିରୋଧୀ ଦଳର ନିର୍ବାଚନ ପ୍ରଚାର କରି ବିରୋଧୀଦଳକୁ ଗାଦିନସୀନ କରି ଥିବାର ବାହାଦୁରୀ କରୁଥିବା ଓ ଜଣେ ସଦା ଜନସେବକ ବୋଲାଉଥିବା ଖବରକାଗଜ “ଜନସଭା”ର ବୟୋବୃଦ୍ଧ ସମ୍ପାଦକ କହିଲେ : ଆରେ ! ଲୋକ କ’ଣ ଆଗରୁ ଅନାହାରରେ ମରୁ ନ ଥିଲେ । ସତ୍ୟଯୁଗରେ ଆଉ ରାମରାଜ୍ୟରେ ତ ଲୋକ ଅନାହାରରେ ମରିଥିବା କଥା ପୁରାଣରେ ଅଛି । ଆଉ ସରକାରଟା ଗାଦିକୁ ଆସୁଣୁ ନ ଆସୁଣୁ ଆମେ ଏ ଖବରଟା ଛାପିବୁ କେମିତି !

ପୂର୍ବ ସରକାରର ସମର୍ଥନ ଓ ବର୍ତ୍ତମାନ ସରକାରର ତୀକ୍ଷ୍ଣ ସମାଲୋଚକ ରୂପେ ପରିଚିତ ଓ ନିର୍ଭୀକ ସାମ୍ୱାଦିକତାର ଡିଣ୍ଡିମ ପିଟୁଥିବା ଖବର କାଗଜ “ତାଜା ଖବର”ର ଯୁବ ସମ୍ପାଦକ କହିଲେ – ଦେଖ ଭାଇ ! ପନ୍ଦରଦିନ ତଳେ ଆମ ଖବର କାଗଜ ଅଫିସ୍ ରେଡ଼ ହେଇଥେଲା । ତେଣୁ ଖବରଟା ଛାପିଲେ ଆମେ ଅସୂୟାରେ ଛାପୁଛୁ ବୋଲି କହିବେ । ତା’ ଛଡ଼ା ଖବରକାଗଜଟା ଚଳେଇଲେ ଅନେକ କିଛି ସାଲିସ୍ କରିବାକୁ ପଡ଼େ ।

ବିଦ୍ରୋହ ଓ ବିପ୍ଳବର ବାରମ୍ୱାର ଆହ୍ୱାନ ଦେଉଥିବା ଓ “ଅସୀ ଠାରୁ ମସୀ ଶକ୍ତିମାନ”ର ପ୍ରଚଣ୍ଡ ପ୍ରଚାରକ ରୂପେ କ୍ଷାତି ଅର୍ଜ୍ଜିଥିବା ସାପ୍ତାହିକ ସମାଲୋଚନା ପତ୍ରିକା “ବିରୁଡ଼ି ବସା”ର ପ୍ରୌଢ଼ ସମ୍ପାଦକ କହିଲେ : ପତ୍ରିକାଟାଏ ଚଳାଇବା ଭାରି କଷ୍ଟ । କୌଣସି ଏଜେଣ୍ଟ୍ ପଇସା ଦେଉ ନାହାନ୍ତି । ତା’ଛଡ଼ା ଏବେ କିଛି କିଛି ସରକାରୀ ବିଜ୍ଞାପନ ମିଳୁଛି । ଏ ଖବରଟା ଯଦି ଲାଞ୍ଚ ନେଇ ଧରାପଡ଼ିଥିବା, କୌଣସି ରାଜନୈତିକ କର୍ମୀ ବା ନେତାଙ୍କ ଧର୍ଷଣରେ ଲିପ୍ତ ବା ସେଇ ରକମର କିଛି ଚାରିତ୍ରିକ ଚଳନର ଖବର ହେଇଥା’ନ୍ତା, ତା’ହେଲେ ଅଲଗା କଥା ହେଇଥା’ନ୍ତା । ତା’ଛଡ଼ା ଆମେ ଏ ରକମର ଖବର ଛାପିବାକୁ ଅତି କମ୍‌ରେ ପାଁ’ଶ ଟଙ୍କା ନେଉ ।

ହେଃ ! ଏମାନେ କୁଆଡ଼େ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ! ସତର୍କ ପ୍ରହରୀ !

ବାଦାମବାଡ଼ିରେ ଟାଉନ୍ ବସ୍‌ରୁ ଓହ୍ଲାଇ ଚଇତନ କେଉଁ ଗୋଟାଏ ଖିଆଲରେ ଡାହାଣଗୋଡ଼କୁ ଟେକି ପୁଣିଥରେ ଚପଲ ତଳକୁ ଚାହିଁଲା । ତା’ପରେ ବସ୍ ଖୋଜୁ ଖୋଜୁ ଅଟକି ଯାଇ ପକେଟରୁ ପଇସା ବାହାର କରି ଗଣିଲା : ତିନିଟଙ୍କା ପଚାଶ ପଇସା । ବସ୍ ଭଡ଼ାକୁ ତ ହେବ ନାହିଁ । ହଃ, କଣ୍ଡକ୍ଟରକୁ କହି ପୋଛି ଚାଲିଯାଇହବ । ଟିକଟ ନକଲେ ମଧ୍ୟ ସେତିକି ପଇସାରେ ଚଳିଯିବ । ରାଧେ ରାଧେ । ତୁମର ଅଧେକୁ ଆମର ଅଧେ ।


Rate this content
Log in

Similar oriya story from Classics