ଚରିତ୍ରହୀନାର ମାତୃତ୍ୱ
ଚରିତ୍ରହୀନାର ମାତୃତ୍ୱ
ଆଜ୍ଞା ବସନ୍ତୁ,ମୁଁ ଅସୀମା, ପରିଚୟ ମୋର ଚରିତ୍ରହୀନା । ଚା କପ ଟି ଧରି କହିଲା ଅସୀମା ସାମ୍ବାଦିକ ନବୀନ ବାବୁଙ୍କୁ ପରିଚୟ ଦେଇ ସାରି ହସି ହସି ବସି ପଡିଲା ନିକଟସ୍ଥ ପଲଙ୍କ ଉପରେ । ନବୀନ ବୋକା ପରି ତାର ମୁହଁକୁ ଚାହିଁ ଥାଏ । ସତେ ଯେମିତି ବହୁ ଜୋରେ ପ୍ରୟାସ କରୁ ଥାଏ ଅସୀମାର ଅକୁହା ରହସ୍ୟମୟ ହସକୁ ବୁଝିବାକୁ । ସତରେ କେତେ ପ୍ରଶ୍ନରେ ବୁଡ଼ା ଏ ହସ ଗୁଡିକ । କାହିଁକି କିନ୍ତୁ କିଛି ଆପଣର ଲାଗୁଥାଏ ।
ନବୀନ ଜଣେ ସାମ୍ବାଦିକ, ଆଜିକାଲି ବେଶ୍ୟା ବୃତ୍ତି ଉପରେ ଆର୍ଟିକିଲ ଲେଖୁଛନ୍ତି । ସେଥିଲାଗି ସେ ଆସିଛନ୍ତି ଭୁବନେଶ୍ୱର ସ୍ଥିତ ମାଲି ସାହିର ଅସୀମାକୁ ଦେଖା କରିବାକୁ । ବହୁ ଥର ପ୍ରୟାସ କରିବା ପରେ ଅସୀମା ରାଜି ହୋଇଛି ଇଣ୍ଟରଭିଉ ଦେବାକୁ । ଅସୀମା - ଚା ଟା ଥଣ୍ଡା ହୋଇ ଗଲାଣିଯେ ସାମ୍ବାଦିକ ବାବୁ ପି ଦିଅନ୍ତୁ ।ନବୀନ କିନ୍ତୁ ଏକ ଲୟ ରେ ଦେଖୁ ଥାଏ ଏବଂ ଶୁଣ ଥାଏ ଅସୀମା ର କାର୍ଯ୍ୟକଳାପ ଗୁଡିକୁ । ଅସୀମା - ପଚାରନ୍ତୁ କଣ ପଚାରିବେ? ନବୀନ ଅନ୍ୟମନସ୍କତା ରୁ ବାହାରି ପଚାରିଲା । ତୁମେ କିଛି ପାଠ ପଢିଛ? ଅସୀମା - ଦଶମ ଆଜ୍ଞା । ନବୀନ - ଏ ବୃତ୍ତିକୁ କିପରି ଆସିଲ? ତୁମ ପରିବାର? ବାପା, ମା? ଅସୀମା - ସମସ୍ତେ ଅଛନ୍ତି, ବାପା, ମା, ସ୍ୱାମୀ । କିନ୍ତୁ କେହି ନାହାନ୍ତି, ଆଜି ସମସ୍ତେ ପର, ମୁଁ ତାଙ୍କ ଲାଗି ମୃତ । ନବୀନ - କାହିଁକି? ଅସୀମା - କାହିଁକି, କହି ହସିଲା ଜୋରେ ଜୋରେ । ଭଲା ଗୋଟେ ବେଶ୍ୟା ସହ କିଏ ସମ୍ପର୍କ ରଖିବ, ଗ୍ରାହକ ବ୍ୟତୀତ । ଏହା ଭିତରେ କବାଟ ଠକ ଠକ ହେଲା, କବାଟ ଖୋଲୁ ଖୋଲୁ ଏକ ସାତ, ଆଠ ବର୍ଷକୁନି ଝିଅ ଘରେ ପଶୁ ପଶୁ ସ୍କୁଲ ବ୍ୟାଗ ଟି ଫୋପାଡ଼ି ଦେଇ ପ୍ରଥମେ କହିଲା ମାମା ମୋତେ ଭୋକ ଲାଗିଲାଣି । ନବୀନକୁ ଦେଖି ଟିକେ ଚୁପ ହୋଇଗଲା । ତା ମା ଆଡେ ଅନାଇ କହିଲା ନମସ୍କାର ଅଙ୍କଲ । ନବୀନ - ମା ତୁମ ନାମ କଣ? ପ୍ରତି ଉତ୍ତର ରେ ଆସିଲା "ଖୁସି " । ବାଃ ଭାରି ସୁନ୍ଦର ନାମ । ସତରେ କେତେ ସୁନ୍ଦର ନାମ । ନାଁ ଟି ପରି ଖୁସିଭି, ଖୁସିର ପ୍ରତୀକ ପରି ଲାଗୁଥାଏ । ଖୁସି ଶୋଇଲା ପରେ ।
ଅସୀମା - ଆଜ୍ଞା ମୁଁ ଗାଁ ରେ ରହୁଥିଲି । ବାପା ମା ଝିଅ ପିଲା ବୋଲି ଦଶମ କ୍ଲାସ ରେ ବାହା
ଘର କରିଦେଲେ । ଗାଁ ଦାଣ୍ଡରେ ଧୂଳି ଖେଳ । କମ୍ ବୟସ ବୋଲି ମୋର ସମାଜ ଉପରେ ସେତେ ଧାରଣା ନ ଥିଲା । ବିଦାୟୀ ବେଳେ ବୋଉ କହିଲା ସ୍ୱାମୀ ର ଦାଇତ୍ୱ ନବୁ, ତାର ସବୁ କଥା ମାନିବୁ, ଜୀବନର ସବୁ ସୁଖ, ଦୁଃଖ ରେ ତା ସହିତ ରହିବୁ । ସ୍ୱାମୀ ତୋର ମନ୍ତ୍ରୀଙ୍କ ଖାସ ଲୋକ । ଆସିବାର କିଛି ଦିନ ଭିତରେ ଜାଣି ଗଲି ସ୍ୱାମୀ ମୋର ଖାଲି ମନ୍ତ୍ରୀଙ୍କ ର ଖାସ ଲୋକ ନୁହେଁ, ଖାସ କିସମର ମଦୁଆ ମଧ୍ୟ । ଘରେ କମ ମନ୍ତ୍ରୀଙ୍କ ପାଖରେ ବେଶୀ ରହେ । ଦିନେ, ଦୁଇ ଦିନ ରେ ଘରକୁ ଆସେ । ଦିନେ ଶୁଣିଲି ମର୍ଡର କେସ ରେ ପୋଲିସ ନେଇ ଯାଇଛି, ଧାଇଁଲି ମନ୍ତ୍ରୀଙ୍କ ପାଖକୁ, ଗୋଡ ଧରି ଭାରି କାକୁତି ମିନତୀ କଲି, କହିଲି ସେ ପରା ଆପଣଙ୍କର ଖାସ ଲୋକ ତାଙ୍କର ଵେଲ କରାଇ ଦିଅନ୍ତୁ, ମନ୍ତ୍ରୀ ବାବୁ କହିଲେ ସେ କଣ ତୁ ଭି ଭାରି ଖାସ । ଆଜି ରାତି ଟା ଏଠି ରହିଯା କାଲି ତୋ ସ୍ୱାମୀ ଫେରି ଆସିବ, ସେ ଦିନ ଆଜ୍ଞା ନିରୁପାୟ ହୋଇ ସ୍ତ୍ରୀ ଧର୍ମ, ବୋଉ କହିଥିବା କଥା ମାନେ ପକାଇ ନିଜର ସତୀତ୍ଵ ହରାଇଲି । ତାର ଦୁଇ ଦିନ ପରେ ମୋ ସ୍ୱାମୀ ଫେରି ଆସି, ସବୁ ଶୁଣିଲା ପରେ ମୋତେ ବହେ ମାଡ ମାରିଲା ଏବଂ ଚରିତ୍ରହୀନ କହି ଘରୁ ବାହାର କରିଦେଲା । ସବୁ ଶୁଣି ବାପା, ମା ଭି ଆପଣାଇଲେ ନାହିଁ, ନୂଆ ଜାଗାକୁ କମ ପାଠ ଆଉ ଭୋକ । ମୋତେ ଏଠିକୁ ଆଣୀ ଦେଲା ।
ସେ ଦିନଠୁ ଏ ସାହି ମୋର ଏବଂ ମୁଁ ସେମାନଙ୍କର ।
ନବୀନ - ଆଉ ଏ ଝିଅ? ଅସୀମା - ମୋ ଝିଅ ବୋଲି ତ ସମସ୍ତେ ଜାଣନ୍ତି କିନ୍ତୁ ଜାଣିନି ଆଜ୍ଞା ତାର ପ୍ରକୃତ ପରିଚୟ ,କିଏ ଗୋଟେ ଝିଅ ଜନମ ହୋଇଛି ବୋଲି ଆମ ସାହି କଚଡ଼ା ଗଦା ପାଖରେ ଫୋପାଡ଼ି ଦେଇ ଥିଲା, ମୁଁ ତାକୁ ଘରକୁ ନେଇ ଆସିଲି, କିଛି ଦିନ ଅପେକ୍ଷା କରି ମଧ୍ୟ ତାକୁ କେହି ନବାକୁ ଆସିଲେନି । ଏବେ ସେ ମୋ ଜୀବନ । ତା ଲାଗି ମୁଁ ବଂଚିଛି, ତାକୁ ପାଠ ପଢାଇ ମଣିଷ କରିବି,ଡାକ୍ତର କରିବି, ଆଉ କିଛି ଦିନ ପରେ ସେ ହଷ୍ଟେଲ ପଳାଇବ । ଯେମିତିକି ମୋ ସାୟା ତା ଉପରେ ନ ପଡ଼ୁ । ସେ ଏ ପରିବେଶ ଠାରୁ ଦୁରେ ରହୁ । କହି ସାରି ଅସୀମା କାନ୍ଦି ଉଠିଲା । ନବୀନ ଅସୀମା ଆଖିର ଲୁହ ଏବଂ ସ୍ମିତ ହସ ଭିତରେ ଥିବା ଦୁଃଖ, କୋହମୟ ଆର୍ତ୍ତରଣ ଏବଂ ଅଗାଢ଼ ମମତାକୁ ଦେଖି ପାରୁଥିଲା । ଏବଂ ମନେ ମନେ ଭାବୁ ଥିଲା କିଏ ଚରିତ୍ରହୀନା???? ଅସୀମା ନା ଏ ସ୍ୱାର୍ଥପର ସମାଜ ଯେ ଏକ ନାରୀର ସତୀତ୍ୱ ଓ ମା ର ମାତୃତ୍ଵ ବୁଝି ପାରିନି ।