Nityananda Nandi

Tragedy Classics Inspirational

4  

Nityananda Nandi

Tragedy Classics Inspirational

ଚୋରାବାଲି

ଚୋରାବାଲି

6 mins
226



ଜୀବନରୁ ପ୍ରତି ମୁହୂର୍ତ୍ତ ଚୋରାବାଲି ପରି କ୍ଷୟ ହୋଇ ଚାଲିଥାଏ ସିନା, ମଣିଷର ଅହଙ୍କାର କିନ୍ତୁ କମେନି। ମଣିଷ ଭାବେ, ସେ ବଢ଼ି ବଢ଼ି ଆଗକୁ ଚାଲିଛି।

ମୁଁ ବୋଧେ ଟିକିଏ ଅଲଗା ଥିଲି..

ମୁଁ ବଢ଼ୁଥିଲି କିନ୍ତୁ ଅପ୍ରାକୃତିକ ଭାବରେ। ଯେତେ ବଢ଼ୁଥିଲି, ମନ ଭିତରେ ଜାକି ଜୁକି ହୋଇ ବଞ୍ଚିଥିବା ସ୍ୱପ୍ନର ସେତିକି ଅବକ୍ଷୟ ହେଉଥିଲା, ଠିକ୍ ଚୋରାବାଲି ପରି। 


ସବୁ କିଛି ଧ୍ଵଂସ ହୋଇଯିବା ପରେ ଖାଲି ମୁଁ ହିଁ ବଞ୍ଚିଛି ମୋ ଭିତରେ। ମନ କିନ୍ତୁ ମରି ଯାଇଛି ଅନେକ ଦିନରୁ।  


ଅନେକ ବର୍ଷ ତଳର କଥା। ଢ଼ିଙ୍କି ଶବ୍ଦ ଶୁଣିଲେ ମୋ ନିଦ ଭାଙ୍ଗି ଯାଏ। ବୋଉ ସହିତ ଢ଼ିଙ୍କିରେ ଧାନ କୁଟିବାକୁ ଭଲ ଲାଗେ। ବୋଉ କହୁଥିଲା, ତୁ ପୁଅ ପିଲାଟା, ଢ଼ିଙ୍କି ରେ ଧାନ କୁଟିଲେ ଲୋକେ କଣ ଭାବିବେ !!! 

ସେଦିନ ମାଣବସା ଗୁରୁବାର, ବୋଉ ଉଠିବା ଆଗରୁ ଦ୍ବାର ମୁହଁ, ଘର ଅଗଣା ସବୁଆଡେ ଲିପା ପୋଛା କରି ମୁଁ ଝୁଟି ଦେଇ ସାରିଥିଲି। ବୋଉ ମୋତେ ସନ୍ଦେହ କରିବାକୁ ଆରମ୍ଭ କଲା, ସେଇ ଦିନଠୁ। ମୁଁ କିଛି ବୁଝୁ ନ ଥିଲି, କାହିଁକି କେଜାଣି ଝିଅଟିଏ ମୋ ଦେହ ଭିତରେ ପଶି ଯାଉଥିଲା ପ୍ରତି ମୁହୂର୍ତ୍ତରେ, ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରୁଥିଲା ସେ ମୋ ଭାବନାକୁ ....


ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲି। ହଠାତ୍ ଆବିଷ୍କାର କଲି, ମୁଁ ମୋ ସାଙ୍ଗ ମାନଙ୍କ ଠାରୁ ଧୀରେ ଧିରେ ଅଲଗା ହୋଇ ଯାଉଛି। ମୋ ଅଙ୍ଗ ପ୍ରତ୍ୟେଙ୍ଗରେ ଅଚାନକ ପରିବର୍ତ୍ତନ ଦେଖି ମୁଁ ଡରି ଗଲି। ବାର ବାର ଦର୍ପଣ ଆଗରେ ଚେହେରା ଦେଖିଲି। ବୁଝିବାକୁ ବୟସ ହୋଇ ନ ଥିଲା, ଏ ସବୁ କଣ ଘଟୁଛି। ନିଜକୁ ଦେଖି ଲାଜେଇବା ଛଡା ମୋ ପାଖରେ କିଛି ଉପାୟ ନ ଥିଲା। 

ତା ପରେ, ସବୁ କିଛି ବୁଝିଲା ବେଳକୁ ମୁଁ ସର୍ବହରା। ଭାଇ, ଭାଉଜ ସମସ୍ତେ ମୋତେ ଛାଡ଼ି ଚାଲିଗଲେ ଧୀରେ ଧୀରେ। ବୋଉ ସ୍ଵର୍ଗରେ। ବାପା ବୁଢ଼ା ହେଲେଣି। ଗାଆଁ ଠାରୁ ବହୁତ ଦୂରରେ, ତାଙ୍କ ସହିତ ସହରରେ ମୁଁ ରହୁଛି।


ଆଜି ଭାବୁଛି, ସହର କେତେ ନିରାପଦ। ସମସ୍ତେ କହନ୍ତି, ଏଇଠି ଜୀବନ ନାହିଁ। କେହି କାହାକୁ ଚିହ୍ନନ୍ତି ନାହିଁ ଏଇ ସହରରେ। ସେଇଥି ପାଇଁ ବୋଧେ ମୁଁ ବଞ୍ଚି ରହିଛି !!! ମୋତେ ନେଇ ଆଲୋଚନା କରିବାକୁ ନା କାହା ପାଖରେ ଏଇଠି ସମୟ ଅଛି ନା ମୋତେ କେହି ଘୃଣା କରେ ଏଇ ସହରରେ। ଭିଡ ଭିତରେ ନିରାପଦ ଜାଗାଟିଏ ଖୋଜି ନେଇଛନ୍ତି ମୋ ବାପା। 

 

ନବମ ଶ୍ରେଣୀରେ ପଢୁଥାଏ, ବୋଉର କୋଠରୀ ଥିଲା ସବୁଠାରୁ ନିରାପଦ ଜାଗା ମୋ ପାଇଁ। ଭିତରୁ ବନ୍ଦ କରି ତା ଶାଢ଼ୀ ପିନ୍ଧି ଦର୍ପଣ ଆଗରେ ଦେଖୁଥିଲି ମୁଁ କେତେ ସୁନ୍ଦର !!!! କବାଟ କୁ ଜୋରରେ ଧକା ଦେଲେ ଖୋଲିଯାଏ ବୋଲି ଜାଣି ନ ଥିଲି।

ବୋଉ ଭିତରକୁ ପଶି ଆସି, ଲାଜେଇ ଗଲା। ଚିତ୍କାର କଲା

ଆରେ ଅଭିରାମ ତୁ ଶାଢ଼ୀ ପିନ୍ଧିଚୁ !!!

ମୁଁ ହସି ଦେଲି, ବୋଉ ଚୁପ ରହିଲା। ରାତିରେ ବୋଉ କାନ୍ଦୁଥିବାର ଦେଖି ପଚାରିଲି, ବୋଉ ତୁ କାନ୍ଦୁଛୁ ??? 

ନା ଅଭି ! ପେଟରେ ଅସହ୍ୟ ଯନ୍ତ୍ରଣା ତ , ସେଇଥିପାଇଁ।


ବୋଉ ମୁହଁରୁ ହଠାତ୍ ଅଭି ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି। ସେଇ ଦିନ ଠୁ ବୋଉ କେବେ ଅଭିରାମ ବୋଲି ଡାକି ନାହିଁ। ରହସ୍ୟ କୁ ବୁଝିବା ପାଇଁ ଦୁଇ ଚାରି ବର୍ଷ ଲାଗିଲା। ସେତେବେଳକୁ ମୋ ଭିତରେ ଝିଅଟିଏ ନିଜର କାୟା ବିସ୍ତାର କରି ସାରିଥିଲା ସମ୍ପୂର୍ଣ୍ଣ ଭାବରେ। 

ଗାଆଁରେ ସମସ୍ତେ ଥଟ୍ଟା କଲେ, ସାଙ୍ଗସାଥି ସମସ୍ତେ ଦୂରେଇ ଗଲେ। ନିଦାଘ ପ୍ରକୋପରେ ସବୁ ଋତୁ ଜଳିଯିବା ପରେ କେବଳ ନିଦାଘ ହିଁ ବଞ୍ଚିରହେ। ନିଦାଘ ଭିତରେ ହିଁ ଜୀବନ କୁ ସଜାଡି ନେବାକୁ ପଡେ ! ଏକା ଏକା ଚାଲୁ ଥିଲେ କଷ୍ଟ ଲାଗେ ସିନା, କିନ୍ତୁ ଲୁହା ଠାରୁ ଶକ୍ତିଶାଳୀ ହୋଇ ଉଠେ ଦେହଟା। ବାର ବାର ଆହତ ହେବାକୁ ପଡେନି !!! ମୁଁ କଠୋର ପାଲଟି ଗଲି ଧୀରେ ଧୀରେ...


ଦିନେ ମକରନ୍ଦ ସାର୍ ଆସି କହିଲେ, ଅଭିରାମ ! ମୋ ପୁଅର ମଥା ଉପରେ ଟିକିଏ ହାତ ରଖିଦେଲୁ, ଆଜି ବୋର୍ଡ ପରୀକ୍ଷା ଦେବାକୁ ବାହାରିଛି। ଭଲରେ ଭଲରେ ପାସ କରୁ। ସେତେବେଳେ ମୁଁ ଅନୁଭବ କଲି, ମୁଁ କିନ୍ନର ଟିଏ, ଟ୍ରାନ୍ସ ଜେଣ୍ଡର !! ମୋତେ ସମସ୍ତେ ଘୃଣା କରିବାକୁ ଆରମ୍ଭ କଲେ, ଦରକାର ସମୟରେ କିନ୍ତୁ ବ୍ୟବହାର କରିବାକୁ ପଛଘୁଂଚା ଦେଲେ ନାହିଁ ଏଇ ତଥା କଥିତ ମଣିଷ ମାନେ..ମୁଁ ନିଜକୁ ଅସହାୟ ମନେ କାଲି ମୋ ନିରାପତ୍ତା କୁ ନେଇ..ମୁଁ ଜାଣି ପାରିଲିନି ମୋର ଭୁଲ କୋଉଠି ??


ଧୀରେ ଧିରେ ଅନେକ ଘଟଣା ଘଟିଲା । ଭାଇ ଭାଉଜ ଙ୍କୁ ଖରାପ ଲାଗିଲା ବୋଧେ, ଘର ଛାଡ଼ି ଚାଲିଗଲେ ଯେ ଆଜି ପର୍ଯ୍ୟନ୍ତ ଆଉ ଫେରି ନାହାନ୍ତି।

ଆଜି ବି ମନେ ଅଛି, ସେତେବେଳେ ଆମେ ଗାଆଁରେ ଥାଉ। ବୋଉ ମରିବା ପୂର୍ବରୁ ବାପାଙ୍କୁ କହୁଥିଲା, ଯେତେ ଯାହା ହେଲେ ବି ଅଭି ଆମ ପୁଅ ନା...। ତାକୁ ସ୍ନେହ ଦେବ। ଘର ଛାଡ଼ି ଯେମିତି ଚାଲି ନ ଯାଏ !!!

ଓଳି ପଛକୁ ଯାଇ ଫକ୍ ଫକ୍ କରି କାନ୍ଦିଲି। ବୋଉର ସେଇ କଥା ମନେ ପଡିଲେ ଆଜି ବି ଆଖି ଓଦା ହୋଇଯାଏ। 

ମୋ ଭିତରେ ଥିବା ଝିଅଟିକୁ ଅନେକ ନିୟନ୍ତ୍ରଣ କଲି। ମୁକ୍ତ ଆକାଶ ତଳେ ପ୍ରସ୍ଫୁଟିତ ହେବାର ତାର ସମସ୍ତ ଇଛାକୁ ମୁଁ ଦମନ କଲି ଅତି କଠୋର ଭାବରେ। ବାପା ଅବସପ୍ରାପ୍ତ ଶିକ୍ଷକ, ତାଙ୍କ ସମ୍ମାନରେ ଆଞ୍ଚ ନ ଆସୁ।


ହଠାତ ଗାଆଁ ରେ, ବାପା ନାହାନ୍ତି ବୋଲି ଭାବି ଜଣେ ଦୁଇ ଜଣ ଟୋକା ଆସି ଜୋର୍ ଜବରଦସ୍ତ କଲେ ମୋ ସହିତ। ବାପା କିନ୍ତୁ ବାଡ଼ି ପଛପଟେ ବଗିଚାରେ କାମ କରୁଥିଲେ।

ଘଟଣାଟି ଘଟିଯିବା ପରେ ବାପା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଲେ। ତା ପର ଦିନ ବଡି ଭୋରରୁ ଉଠେଇ ବାପା ମୋତେ ଗାଧୁଆ ପାଧୁଆ କରି ପ୍ରସ୍ତୁତ ହେବା ପାଇଁ କହିଲେ। ଭାରି ଡରିଗଲି, ବାପା ମୋତେ ଆଉ କୋଉ ଜଙ୍ଗଲ ଭିତରେ ଛାଡି ଦେଇ ଆସିବେନି ତ ? ସେ ନିଜେ ବି ବେଗ ପଟା ନେଇ ବାହାରିଲେ ମୋ ସହିତ। ଗୋଟାଏ ଶିକ୍ଷକ ଙ୍କ ଜୀବନ ବି ଅତି ବିଚିତ୍ର। ଜୀବନ ବ୍ୟାପୀ ସଂଚିଥିବା ସ୍ୱାଭିମାନ ସାଥିରେ ଦୁଇଟି ବଡ ବଡ଼ ଝୁଲା ଯଥେଷ୍ଟ ବୋଧେ ପେକ୍ ଅପ କରିବା ପାଇଁ। ଗୋଟାଏ ଆଦର୍ଶ ଶିକ୍ଷକର ଅନ୍ତର୍ନିହିତ ସଂଜ୍ଞା ଭିତରେ ଅନେକ କିଛି ଛୁପି ରହିଥାଏ, ଯାହାର ମୂଲ୍ୟାଙ୍କନ ସମ୍ଭବ ନୁହେଁ। 


ମୁହଁ ଅନ୍ଧାର, ଗାଆଁ ଲୋକେ କେହି ଉଠି ନ ଥିଲେ। ମଙ୍ଗଳା ଠାକୁରାଣୀ ପାଖରେ ଆମେ ମୁଣ୍ଡିଆ ମାରିଲୁ। ତା ପରେ ପୋଖରୀ ଘାଟ କୁ ଯାଇ ଛିଡାହେଲୁ। ପ୍ରାୟ ପାଞ୍ଚ ମିନିଟ୍ ରୁ ଅଧିକ ହେବ, ଠିଆ ହୋଇ ଅନେଇ ରହିଲୁ ପୋଖରୀ ଭିତରକୁ। ପିଲା ଦିନରୁ ବାପାଙ୍କ ସାଥିରେ ସବୁଦିନ ସେଇ ପୋଖରୀରେ ଗାଧୋଉ ବୋଲି, ଗୋଟାଏ ଅଦୃଶ୍ୟ ସଂପର୍କରେ ଜଡି ହୋଇ ଯାଇଥିଲୁ ଏଇ ପୋଖରୀ ସାଥିରେ। ବୁଝିଲି, ଆମେ ବୋଧେ ସବୁ ଦିନ ପାଇଁ ଗାଆଁ ଛାଡି ଚାଲି ଯାଉଛୁ। ଭାବପ୍ରବଣତା କାବୁ କରିନେଲା ମୋ ବାପାଙ୍କୁ କିଛି ମୁହୂର୍ତ୍ତ ପାଇଁ। ସବୁଦିନ ପାଇଁ ଗାଆଁ ଛାଡି ଚାଲିଯିବା କଷ୍ଟ ବୋଲି ବାପାଙ୍କ ନିଃଶ୍ୱାସ ପ୍ରଶ୍ୱାସରୁ ମୁଁ ସ୍ପଷ୍ଟ ବୁଝି ପାରୁଥିଲି।

 

ଗାଆଁ ଛାଡି ଆସିବା ପରେ ପନ୍ଦର ବର୍ଷ ବିତି ଗଲାଣି, ଏହା ଭିତରେ...


ବାପା କଣ ଫୋନ ନ ନେଇ ବଜାର ଚାଲି ଯାଇଛନ୍ତି। କୁଆଡେ, କାହା ସହିତ କଥା ହୋଇଯିବି ବୋଲି ସେ ମୋତେ ଫୋନ୍ ଦିଅନ୍ତି ନାହିଁ। ଫୋନ ଉଠେଇ ଦେଖିଲି, ଉପରୁ ତଳକୁ କଲେ ନାଆଁ ସବୁ ଆସୁଛି। ବାସୁ ନାଁ ଦେଖି ଫୋନ ବଟନ୍ କୁ ଦବେଇ ଦେଲି। ବାସୁ, ଗାଆଁରେ ଆମ ପଡୋଶୀ। ବୋଧେ, ଆମ ଘର ହାଲ ଚାଲ ଜାଣିବା ପାଇଁ ବାସୁ ଘର ନମ୍ବର ରଖିଥିଲେ ମୋ ବାପା।

ବାସୁ ଫୋନ ଉଠାଇଲା, 

ବାସୁ !

ମୁଁ ଅଭିରାମ

ହଁ, ଶୁଣ ଅଭି, ବହୁତ ଭଲ ଲାଗୁଛି ଏତେ ଦିନ ପରେ ତୋତେ ଫୋନରେ ପାଇ କି !!! ଜାଣିଛୁ, କାହ୍ନୁ ସାର୍ କାଲି ମରିଗଲେ ! ତମେ ସବୁ ଗାଆଁ କୁ କଣ ଆଉ ଫେରିବନି..????

ହଁ, ସେଇ ଛୋଟ ବେଳର କଥା ସବୁ ଆଜି ସବୁ ମନେ ପଡି ଯାଉଛି ଅଭି। ବେଳେ ବେଳେ କାହିଁକି କେଜାଣି ଝିଅଟିଏ ଉଦ୍ଭାସିତ ହୋଇ ଉଠୁଥିଲା ତୋ ଭିତରେ। ଭାରି ରୋମାଣ୍ଟିକ ହୋଇ ଯାଉଥିଲୁ, ମୋ ସହ ଗପିବା ପାଇଁ। ଆଜି ବି ମୁଁ ବୁଝି ପାରିନି ତୁ କିଏ ବୋଲି !!! ମୋ ଆଡ଼କୁ ତୁ ଆକର୍ଷିତ ହେଉଥିଲୁ କାହିଁକି ? ବାହା ସାହା ହେଲୁଣି କି ନାହିଁ ?


ମୁଁ ଶୁଣୁଥିଲି କଲିଜା କୁ ପଥର କରି, ମୋର କଣ ଆଉ ବାହା ହେବାକୁ ବୟସ ଅଛି, ନା କିଏ ମୋତେ ବାହା ହେବ !!! ତାକୁ ହିଁ ମୁଁ ଏକ ତରଫା ଭଲ ପାଉଥିଲି...ଆଖିରୁ ଟପ୍ ଟପ୍ କରି ଲୁହ ଝରି ଆସିଲା। ମୋ ଭିତରେ ଝିଅଟା ପୁଣି ଥରେ ଜାଗି ଉଠିଲା ବାସୁ ପାଇଁ। ଝିଅଟିକୁ କାବୁ କରି ନେଲି, ମୁହୂର୍ତ୍ତକ ମଧ୍ୟରେ। 


କବାଟରେ ଶବ୍ଦ ଶୁଣି ଡରି ଗଲି, ବାପା ବୋଧେ ଆସି ଯାଇଛନ୍ତି। ଫୋନ କେମିତି କାଟିବାକୁ ହୁଏ ଜାଣି ନ ଥିଲି। ଫୋନରେ ସବୁ ବଟନ୍ କୁ ଦବେଇ ଦେଲି କାଟିବା ପାଇଁ। ଓଦା ଆଖିକୁ ବାପାଙ୍କ ଗାମୁଛାରେ ଧୀରେ କରି ପୋଛି ଦେଲି।  


କବାଟ ଖୋଲିଦେଲି ନିର୍ଭୟରେ, ଯେମିତି କିଛି ଘଟି ନାହିଁ !


ଆରେ ଅଭି ! ତୁ ଶାଗୁଆ ହେଆର କ୍ଲିପ୍ କଥା କହିଥିଲୁ, ନୀଳ ରଙ୍ଗର ନେଇ ଆସିଛି। 

ଠିକ୍ ଅଛି ବାପା.. ଏତେ ବ୍ୟସ୍ତ କାହିଁକି ??? ସବୁ ଚଳିବ।

କ୍ଳାନ୍ତ ଶ୍ରାନ୍ତ ହୋଇ ବାପା ବସି ପଡିଲେ ଖଟିଆ ଉପରେ।


ବାପାଙ୍କୁ ମୁଁ ଅନେଇଥିଲି ଏକ ଲୟରେ !!


ପୁଅ, ବୋହୂର ସୁଖ, ଗାଆଁ ଘର ସମ୍ପତ୍ତି, ସାଙ୍ଗସାଥି ସମସ୍ତଙ୍କୁ ତ୍ୟାଗ କରି ମୋ ବାପା ଆଜି ମୋ ସହିତ ରହିଛନ୍ତି, ସହରରେ। ଗାଆଁ ଠାରୁ ଶହେ କୋଷ ଦୂରରେ, ମୋର ନିରାପତ୍ତା ପାଇଁ । ବୋଧେ, ମୋ ବୋଉର ମୃତ୍ୟୁ ବେଳାର କଥା ସେ ଅକ୍ଷରେ ଅକ୍ଷ ରେ ପାଳୁଛନ୍ତି...." ଅଭି ବି ଆମ ପୁଅ ପରି, ସ୍ନେହ କରିବ, ଯେମିତି ବାହାରକୁ ଚାଲି ନ ଯାଏ।" 

ଏତେ ବଡ ତ୍ୟାଗ !! ମୁଁ ଚୋରାବାଲି ପରି ଯେତିକି କ୍ଷୟ ହେଉଥାଏ, ମୋ ବାପା ସେତିକି ସ୍ନେହ ନେସି ନେସି ଚାଲନ୍ତି..

ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ କୁ ହରେଇ ସାରିବା ପରେ ରାସ୍ତା ଶେଷରେ ଜଣଙ୍କୁ ମୁଁ ସବୁଦିନ ଆବିଷ୍କାର କରେ ... ସେ ହିଁ ମୋ ବାପା। 

ଅଭିରାମ ରୁ ଅଭି , ବହୁତ ଲମ୍ବା ରାସ୍ତା ମୋ ଜୀବନରେ। ପ୍ରତି ମାଇଲ ଖୁଣ୍ଟ ପାଖରେ ମୁଁ କେବଳ ମୋ ବାପାଙ୍କୁ ହିଁ ଦେଖେ। ପୁଅ ପରି କେତେବେଳେ ଜିଦ୍ କରେ ତ ଝିଅ ପରି ଆଉ କେତେବେଳେ ତାଙ୍କ ଆଗରେ ଅଝଟ କରେ...କିଛି କହନ୍ତିନି ସେ।


ଆଜି ବି ମୁଁ ବୁଝିନି ମୋ ବାପାଙ୍କୁ ଠିକ୍ ଭାବରେ, ପ୍ରଶାନ୍ତ ମହାସାଗର ର ଗଭୀରତା କୁ କଣ ମାପି ହୁଏ !!! ଜୀବନ ବେଳାଭୂଇଁ ର ଚୋରାବାଲି ରେ ଆମ ଦୁହିଁଙ୍କ ପାଦ ଖସି ଖସି ଯାଉଛି, ଉଭୟେ ଉଭୟଙ୍କୁ ଜାବୁଡ଼ି ଧରି ହିଁ ଜିଇଁଛେ...କାହିଁକି କେଜାଣି ବାପା ମୋତେ ଦେଖି ହସୁଥିଲେ, ମୁଁ ବି ହସିଦେଲି ବାପାଙ୍କୁ ଦେଖି...





 



Rate this content
Log in

Similar oriya story from Tragedy