Papu parida

Tragedy

3.9  

Papu parida

Tragedy

ଚୋର ଲାଠି ଚୋର ମୁଣ୍ଡରେ

ଚୋର ଲାଠି ଚୋର ମୁଣ୍ଡରେ

7 mins
259


   ସଞ୍ଜୟବାବୁ ରାମପୁର ଗ୍ରାମରେ କାହିଁ କେତେ ଦିନରୁ ଦରଜୀ କାମ କରି ଗୁଜୁରାଣ ମେଣ୍ଟାନ୍ତି । ଶିକ୍ଷାଗତ ଯୋଗତା ଦଶମ ଫେଲ । ତଥାପି ଟିକେ ଟିକେ ଓଡ଼ିଆ ଓ ଇଂରାଜୀ ପଢି ପାରନ୍ତି । ସବୁ ପ୍ରକାର ନୂଆ ପୁରୁଣା ଢ଼ଙ୍ଗର ସାର୍ଟ,ପ୍ୟାଣ୍ଟ ସିଲେଇ କରିବାରେ ସେ ସିଦ୍ଧହସ୍ତ । ଜଣେ ସରଳ, ଶାନ୍ତ, ସ୍ୱାଭିମାନୀ, ସମାଜପ୍ରେମୀ ବ୍ୟକ୍ତିତ୍ୱ । ସେଥିଲାଗି ପରା ତାଙ୍କ ଦୋକାନ କେବେ ବି ଖାଲି ନଥାଏ । ପରିବାର କହିଲେ ସ୍ତ୍ରୀ ସୁଲଗ୍ନା,ପୁଅ ସମ୍ବିତ,ଝିଅ ସୁମନ । ସବୁ ପରିସ୍ଥିତିରେ ନିଜକୁ ସମ୍ଭାଳି ନେବା ତାଙ୍କର ସୁଦକ୍ଷତା । ସେଇ ସିଲେଇ ମେସିନରେ ପାଦ ଚିପି ଚିପି ବଡ଼ ପୁଅକୁ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ କରାଇଲେ । ଝିଅ ମଧ୍ୟ +୨ ପ୍ରଥମ ବର୍ଷରେ ପାଠ ପଢୁଛି । ଗାଆଁ ମଝିରେ ଏକ ଭଲ ପକ୍କା ଘର ଓ ଘର ପାଖକୁ ଲାଗି ତାଙ୍କ ଦୋକାନ । କହିବାକୁ ଗଲେ ତାଙ୍କ ସଂସାର, ସଂସାର ନୁହେଁ ତ ନିହାତି ବୈକୁଣ୍ଠପୁର ।  

        ଘଟଣାକ୍ରମ ଆଗକୁ ବଢ଼ିଲା । ବଡ଼ ପୁଅ ସମ୍ବିତ ପାଖ ସହରକୁ ଆସି ଚାକିରୀ ଅନ୍ୱେଷଣରେ ଲାଗିପଡ଼ିଲା । ଜଣେ ମେଧାବୀ ଛାତ୍ର ହୋଇଥିଲେ ମଧ୍ୟ କେଉଁଠି କମିଶନ ଅଭାବରୁ ତ କେଉଁଠି ରିଫେରେନ୍ସ ଅଭାବରୁ ତ ପୁଣି କେଉଁଠି ଜେନେରାଲ କେଷ୍ଟ ହେଇଥିବାରୁ ଲିଷ୍ଟରୁ ନା କାଟିଯିବା । ଏ ସବୁ ଘଟଣାକ୍ରମ ତାର ନିଜ ଉପରୁ ବିଶ୍ୱାସ କମେଇ ଦେଇଥିଲା । ରୋଜାଗାର ବୋଲି କିଛି ନଥିଲା,ଏଥିଲାଗି ବିଷାଦଗ୍ରସ୍ତ ମନରେ ସମ୍ବିତ ଦିନେ ଏକୁଟିଆ ବସିଥାଏ । ହଟାତ ତାକୁ ଫୋନ ଆସିଲା । 

ବସ : ହେଲୋ । ସମ୍ବିତ । ମୁଁ ହ୍ଵାଇଟ ଡେଭିଲ କମ୍ପାନୀର ବସ କହୁଛି । ମୁଁ ତୁମ ସାର୍ଟିଫିକେଟ ସବୁ ଦେଖିଲି । ଖୁବ ଭଲ କରିଛ । ମୁଁ ତୁମକୁ ମୋ କମ୍ପାନୀରେ ଚାକିରୀ ଦେବାକୁ ଚାହୁଁଛି । ଦରମା ମାସକୁ ୩୦ ହଜାର ଟଙ୍କା । 

ସମ୍ବିତ : କାହିଁକି ଥଟ୍ଟା କରୁଛନ୍ତି ଆଜ୍ଞା । 

ବସ : ମୁଁ ଜମା ଥଟ୍ଟା କରୁନି । 

ସମ୍ବିତ : ଆଚ୍ଛା ଆଜ୍ଞା କାମ କଣ?

ବସ : ଟଙ୍କା ତୁମର କାମ ଆମର । ତା ପରେ ଏତେ ଭାବୁଛ କଣ ମ । ମୁଁ କଣ ମଣିଷ ମାରିବାକୁ କହୁଛି ନା କଣ । 

ସମ୍ବିତ : ଠିକ ଅଛି ଆଜ୍ଞା । ମୁଁ ରାଜି । 

ବସ : ହେଉ ସମ୍ବିତ ମୁଁ ତୁମକୁ ଆଡ୍ରେସ ସେଣ୍ଡ କରିଦେଉଛି । ସେଠାରେ ରାକେଶ ତୁମକୁ ସବୁ କାମ ବୁଝେଇଦେଵ । 

      ପରଦିନ ସକାଳୁ ସମ୍ବିତ ନିଜ କାମରେ ବାହାରି ପଡିଲେ । ଅଫିସରରେ ପହଞ୍ଚିଲା ପରେ ...

ସମ୍ବିତ : ଗୁଡ଼ ମର୍ଣ୍ଣିଙ୍ଗ ସାର । ମୁଁ ସମ୍ବିତ । 

ରାକେଶ : ସମ୍ବିତ । ହଁ ବସ ତୁମ ବିଷୟରେ କହିଥିଲେ । ଆସ । ଶୁଣ ସମ୍ବିତ ଆମେ କିଛି ଖରାପ କାମ କରୁନୁ । ଆମେ କେବଳ ସମାଜର ସମସ୍ତଙ୍କୁ ଏକ ସ୍ତରରେ ଦେଖିବାକୁ ଚାହୁଁଛୁ । ଯେଉଁଠି ଧନୀ ଗରିବ ଭେଦଭାବ ନଥିବ । ତେଣୁ ଆମେ କିଛି ବିତ୍ତଶାଳୀ ଲେକଙ୍କୁ ସାଇବର ଫ୍ରଡ଼ରେ ପକାଇଦେଉ । ଆଉ ସେ ଟଙ୍କାକୁ ବିଭିନ୍ନ ଗରିବ କଲ୍ୟାଣ କାର୍ଯ୍ୟରେ ଲାଗାଇ ଦେଉ । ବାସ, ଆଉ କିଛି ନୁହଁ । ଆମେ ଯାହା କରୁଛୁ ସମସ୍ତଙ୍କ ମଙ୍ଗଳ ପାଇଁ । ଏଇ କାମରେ ଆମେ ତୁମର ସହଯୋଗ ଚାହୁଁଛୁ । ତୁମେ ରାଜି ତ । 

   

       ସମ୍ବିତ ଟିକିଏ ଭାବିଲା, ଏପଟେ ତା ବୟସ ବି ଗଡ଼ି ଯାଉଥିଲା,ରୋଜଗାର ନଥିଲା, ତା ପରେ କେଉଁ ପାପକର୍ମ ସେ କରିବ କି, ଏଭଳି ବହୁକଥା ଭାବିଲା ପରେ ଏ ହଁ କରିଦେଲା । ରାକେଶ ତାକୁ କାଲି ଜଏନ କରିବାକୁ କହିଲା । ଏପଟେ ରାକେଶ ବସ ପାଖକୁ ଫୋନ କଲା । 

ରାକେଶ : ବସ, ଗୋଟେ ନୂଆଁ ବକରା ଫସିଗଲା । 

ବସ : ହଁ , ସେ ଯେମିତି ଆମ ଉଦ୍ଦେଶ୍ୟ ନ ଜାଣି ପାରେ । 

      ସମ୍ବିତ ଏବେ ବହୁତ ଖୁସି ରହୁଥିଲା । ଘରେ ମଧ୍ୟ ସମସ୍ତେ ଖୁସି । ଏ ଭିତରେ ବର୍ଷେ ବିତିଗଲା । ଏପଟେ କିନ୍ତୁ ବାପା ନିଜ ଦୋକାନ ଏବେ ବି ବନ୍ଦ କରିନଥିଲେ । ଆଧୁନିକତା ସହ ତାଳ ଦେବା ପାଇଁ ବାଧ୍ୟ ହୋଇ ସେ ଏବେ ଦୋକାନରେ ଅନଲାଇନ ପେମେଣ୍ଟର ବ୍ୟବସ୍ଥା ମଧ୍ୟ କରିଥିଲେ । ଯଦିଓ ତା ବ୍ୟବହାର ତାଙ୍କୁ ସମ୍ପୂର୍ଣ୍ଣ ଭାବେ ଜାଣିନଥିଲେ । ଦିନେ ସମ୍ବିତ ଗାଆଁକୁ ବୁଲିବାକୁ ଆସିଥାଏ । ବାପାଙ୍କ ଦୋକାନ ସେ ଦିନ ବନ୍ଦ । ସେ ପୁରା ଜୋର ସୋରରେ ଲାଗିପଡିଥିଲେ ପୁଅ ଚର୍ଚ୍ଚାରେ । ସମସ୍ତେ ଥଟ୍ଟା ମଜାକରେ ବ୍ୟସ୍ତ ଥିଲେ । ଏ ସମୟରେ ସମ୍ବିତ ତା ଗାଆଁ ସାଙ୍ଗମାନଙ୍କ ସାଥିରେ ମିଶିବା ପାଇଁ ବାହାରକୁ ଗଲା । ଏହି ସମୟରେ ତା ମୋବାଇଲ ଟା ବାରମ୍ବାର ରିଙ୍ଗ ହେଲା । ଯେହେତୁ ଅଫିସ ବୋଲି ଲେଖା ଥିଲା ସେ ଫୋନ ଉଠାଇଲେ । 

ରାକେଶ : ଆରେ ସମ୍ବିତ ସେ ଯେଉଁ ଶର୍ମା ବାବୁଙ୍କ ଦେଢ ଲକ୍ଷ ଟଙ୍କା ଆମେ ଲୁଟିଥିଲେ ପୋଲିସ ଆମ କମ୍ପାନୀ ନାମ ଓ ଠିକଣା ଜାଣିଯାଇଛି । ତେଣୁ ବସ କହିଲେ ଆମକୁ ଆମ ନାମ ଓ ଠିକଣା ବଦେଳେଇବାକୁ ପଡିବ ଓ ନୂଆ ରୂପରେ ଏବେ ଲୋକଙ୍କୁ ଶିକାର କରିବାକୁ ପଡିବ । ତୁମେ କେବେ ଫେରୁଛ?

    

     ଏତିକି ଶୁଣି ମୋବାଇଲଟି ସଞ୍ଜୟବାବୁଙ୍କ ହାତରୁ ପଡି କଲଟି କଟିଗଲା । ସେ ଅବାକ । ହାତବାକ । ସମ୍ବିତ ଫେରିଲା । 

ସଞ୍ଜୟବାବୁ :(ନିଜକୁ ମାନସିକ ଭାବେ ସମ୍ଭାଳି) କଣ କିରେ ବାପା ତୁ କେଉଁ କମ୍ପାନୀରେ କି କାମ କରୁଛୁ କି?

ସମ୍ବିତ : ବାପା ମୁଁ ଏକ ବଡ଼ ସଫ୍ଟୱେର କମ୍ପାନୀରେ କାମ କରୁଛି । 

ସଞ୍ଜୟବାବୁ : (ରାଗରେ ସମ୍ବିତକୁ ସମସ୍ତ ଆଗରେ ଚାପୁଡ଼ା ପିଟି) ହଇରେ ତୋତେ ଟିକେ ଲାଜ ଲାଗିଲାନି । କଣ ଏଥିପାଇଁ ମୁଁ ତୋତେ କୋଳେଇ କାଖେଇ ମଣିଷ କରିଥିଲି । ଲୋକଙ୍କୁ ଠକି ଆମ ମୁହଁରେ ତୁ ଦାନା ଦେବୁ ଆରେ ଦରକାର ନାହିଁ ସେ ଟଙ୍କା ଆଉ ଦରକାର ନାହିଁ ତୋ ପରି ପୁଅ । 

 (ସମ୍ବିତ ବାପାଙ୍କୁ ବାରମ୍ବାର ଅଟକେଇ ପ୍ରକୃତ କଥା ବୁଝେଇବାକୁ ଚାହୁଁଥିଲା କିନ୍ତୁ ବାପା କହି ଚାଲିଥିଲେ)

ସଞ୍ଜୟବାବୁ : ଆରେ ମୁଁ କଣ ମରିଯାଇଥିଲି । ଏପରି ହୀନକର୍ମ ତୁ କିପରି କରିପାରିଲୁ । ତୁ ମୋ ମୁହଁରେ ଚୁନକାଳି ବୋଲିଦେଲୁ । ତୋ ପରି ପୁଅ ଥିଲେ କେତେ ନଥିଲେ କେତେ । ଯେତେ ଶୀଘ୍ର ପାରୁଛୁ ମୋ ଘରକୁ ଛାଡ଼ି ଚାଲିଯାଅ । ନହେଲେ ତୁ ମୋ ମଲା ମୁହଁ ଦେଖିବୁ । 

        ଏପଟେ ମା ଓ ଭଉଣୀ ଉଭୟେ ଭୋ ଭୋ କରି କାନ୍ଦୁଥାନ୍ତି । କାରଣ ଏ ତ ଅଜାଗା ଘା ନା ନିଜେ ଦେଖିହେଉଛି ନା ଅନ୍ୟକୁ । ସମ୍ବିତ ବାପାଙ୍କ ଅଭିମାନ ଆଗରେ ହାରିଗଲା । ବାପାଙ୍କ କଥାଗୁଡିକ ତା ହୃଦୟକୁ ତୀର ପରି ଆଘାତ କରି ଚାଲିଥିଲା । ଯେ କାହିଁକି ବାପା ପ୍ରକୃତ କଥା ନ ବୁଝି ମୋତେ ସମସ୍ତଙ୍କ ଆଗରେ ଏପରି ଲଜ୍ଜିତ କଲେ । ମୁଁ ଆଉ କେବେ ଫେରିବିନି କହି ସେ ଘର ଛାଡ଼ି ଚାଲିଗଲା । ସମସ୍ତେ ବିଷାଦଗ୍ରସ୍ତ ସ୍ଥିତି ଭିତରେ କିଛି ଦିନ କାଟିଦେଲେ । ଧୀରେ ଧୀରେ ବାପା ପୁଅକୁ ଓ ପୁଅ ବାପାଙ୍କୁ ଭୁଲିଯାଇଥିଲେ । କିନ୍ତୁ ସୁଲଗ୍ନା ଦେବୀ ନିଜ ପୁଅକୁ ଭୁଲି ପାରୁନଥିଲେ । ତାକୁ ଭାଳି ଭାଳି ତାଙ୍କ ଦେହ ଖରାପ ହେବାରେ ଲାଗିଲା । କେତେ କହିଲେ ମଧ୍ୟ ଡାକ୍ତରଙ୍କ ପାଖକୁ ଯିବା କିନ୍ତୁ ସେ ଯାଉନଥିଲେ । ହଠାତ ଦିନେ ଫୋନ ଆସିଲା........

ଅଜଣା ବ୍ୟକ୍ତି : ହେଲୋ ସାର ଗୁଡ଼ ମର୍ଣ୍ଣିଙ୍ଗ । ମୁଁ ଦିବ୍ୟଜ୍ୟୋତି ଟ୍ରଷ୍ଟରୁ କହୁଛି । ଆମ ଟ୍ରଷ୍ଟ ସର୍ବଦା ଗରିବ ସେବାରେ କାର୍ଯ୍ୟରତ । ବର୍ତ୍ତମାନ ଆମେ ଆପଣଙ୍କ ସହରର ଗାନ୍ଧିଜୀ ଅନଥାଳୟର ଗରିବ ପିଲାଙ୍କ ପାଇଁ ସାର୍ଟ ପ୍ୟାଣ୍ଟ ଦାନ କରିବାକୁ ଚାହୁଁଛୁ । ଆମେ ଜାଣିବାକୁ ପାଇଲୁ ଯେ ଆପଣ ସେ ଏରିଆର ଜଣେ ଭଲ ଦରଜି । ସେଥିପାଇଁ ଆମେ ଚାହୁଁ ଆପଣ ଆମ ଅର୍ଡର ରଖିବେ । ପ୍ରାୟ ୧୫୦ ଖଣ୍ଡ । ଆପଣ ରାଜି ତ । 

ସଞ୍ଜୟବାବୁ : ହଁ ବାବୁ ଆପଣମାନେ ମଣିଷ ନୁହଁନ୍ତି ସାକ୍ଷାତ ଈଶ୍ୱର । ନହେଲେ ଆଜି କାଲିକା ଦୁନିଆରେ କିଏ ଅନ୍ୟ କଥା ଭାବେ ଭଲା । ମୁଁ ରାଜି । 

ଅଜଣା ବ୍ୟକ୍ତି : ଧନ୍ୟବାଦ ଆଜ୍ଞା । ମୁଁ ଏବେ ଆପଣଙ୍କୁ ଆଡଭାନ୍ସଟା ଫୋନ ପେ କରିଦେବି । ମୁଁ ଏବେ ମୁମ୍ବାଇରେ ଅଛି । ମାସେ ପାରେ ମୁଁ ଗାଆଁକୁ ଗଲେ ପୁରା ଟଙ୍କା ଦେଇଦେବି । ଆମେ ମିଶି ମାପ ଆଣିବା ପାଇଁ ଯିବା । ତାପରେ ଆପଣ କାମ ଆରମ୍ଭ କରିବେ । ଠିକ ଅଛି । 

ସଞ୍ଜୟବାବୁ : ଯାହା ଆପଣଙ୍କ ଇଚ୍ଛା ଆଜ୍ଞା । 

ଅଜଣା ବ୍ୟକ୍ତି : ଆପଣ ଲାଇନରେ ଥାଆନ୍ତୁ ମୁଁ ପଠେଇଦେଉଛି । 

ଆରେ ସଞ୍ଜୟ ବାବୁ ମୁଁ ଭୁଲରେ ଟଙ୍କାକୁ ତୁମ ୱାଲେଟକୁ ପଠେଇଦେଇଛି । ତୁମେ ତାକୁ ଏକାଉଣ୍ଟକୁ ନେଇଯାଅ । 

ସଞ୍ଜୟବାବୁ : କିନ୍ତୁ କେମିତି । 

ଅଜଣା ବ୍ୟକ୍ତି : ଫୋନପେ ରେ ଆପଣଙ୍କୁ ପେ ଅପ୍ସନ ଦେଖେଉଥିବ ଆପଣ ତାକୁ ଚିପି ଆପଣଙ୍କ ପିନ ଦେଇଦିଅନ୍ତୁ । ଆଉ କାମ ହୋଇଯିବ । 

ସଞ୍ଜୟ ବାବୁ: ହଁ ସବୁ ସବୁଜ ହୋଇଗଲା । 

ଅଜଣା ବ୍ୟକ୍ତି : ୭୦୦୦୦ ଡେବିଟେଡ଼ ମେସେଜ ଆସିଲା ନା । ହଁ ବାକି ଗଲେ କଥା ହେବା ଓକେ । 

ସଞ୍ଜୟବାବୁ : ଠିକ ଅଛି ଆଜ୍ଞା । ଧନ୍ୟବାଦ ରଖୁଛି । 

    ପ୍ରାୟ ମାସେ ପରେ ସୁଲଗ୍ନାଦେବୀଙ୍କ ସ୍ୱାସ୍ଥ୍ୟ ହଠାତ ଅଧିକ ଖରାପ ହୋଇଗଲା । ସଞ୍ଜୟବାବୁ ତାଙ୍କୁ ଡାକ୍ତରଖାନା ନେବା ପରେ ଜାଣିବାକୁ ପାଇଲେ ଯେ ସ୍ତ୍ରୀର ବ୍ରେନ ଟ୍ୟୁମର ହୋଇଛି । ଦି ଦିନ ଭିତରେ ଅପରେସନ ନକଲେ ହୁଏତ ବଞ୍ଚିବା ମୁସ୍କିଲ । ଖର୍ଚ୍ଚ ପ୍ରାୟ ଲକ୍ଷେ କୋଡିଏ ହଜାର । ସଞ୍ଜୟବାବୁ ଧାଇଁ ଧାଇଁ ବ୍ୟାଙ୍କ ଗଲେ । କିନ୍ତୁ ସେଠି କଣ ଆଉ ଅଛି । ସେ ଜାଣିବାକୁ ପାଇଲେ ଯେ ତାଙ୍କ ଏକାଉଣ୍ଟରେ ୭୫୦୦୦ ରୁ ମାତ୍ର ୫୦୦୦ ହିଁ ଅଛି ଓ ଡେବିଟେଡ ମାନେ ପଇସା କଟିବା । ସେ ଜାଣି ସାରିଥିଲେ ଯେ କେହି ତାଙ୍କୁ ଠକି ସାରିଛି । କିନ୍ତୁ ଏବେ ସେ କଥା ଭାବିବା ଆଗରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା ଏତେ ଟଙ୍କା ଯୋଗାଡ କେଉଁଠୁ ହେବ । ସେ ସାହାଯ୍ୟ ପାଇଁ କାହା ପାଖକୁ ଯିବେ ଜାଣି ପାରୁନଥିଲେ । ତାଙ୍କ ମୁଣ୍ଡ ବୁଲେଇ ଦେଉଥାଏ । ସେ ବହୁ ସମ୍ପର୍କୀୟ ପାଖକୁ ଯାଇ ନିରାଶ ହେଲେ । ଏଥି ମଧରେ ଗୋଟିଏ ଦିନ ବିତିଗଲା । ସେ ପ୍ରାୟ ନିରୁପାୟ ହୋଇ ହସ୍ପିଟାଲ ଫେରିଲେ । ନିଜ ଅକ୍ଷମତା ଓ ବୋକାମୀ ପାଇଁ ସେ ନିଜକୁ ଧିକ୍କାର କରୁଥିଲେ । 

      ଗାଆଁ ଲୋକମାନେ ଏ ସବୁ ବିଷୟରେ ଜାଣିବାକୁ ପାଇଲେ । ସମସ୍ତେ ଉଣା ଅଧିକ ଏକାଠି କରି ପ୍ରାୟ ଲକ୍ଷେ ଟଙ୍କା ନେଇ ସେଦିନ ରାତିରେ ଗାଆଁ ଲୋକ ହସ୍ପିଟାଲରେ ପହଞ୍ଚିଲେ । ଟଙ୍କା ସଞ୍ଜୟବାବୁଙ୍କ ହାତରେ ଦେଇ ଅପରେସନ ଷ୍ଟାର୍ଟ କରେଇବାକୁ କହିଲେ । ସଞ୍ଜୟବାବୁ ଧାଇଁ ଧାଇଁ ଟଙ୍କା ଡ଼ିପୋଜିଟ କରିବାକୁ ଗଲା ବେଳେ ଶୁଣିଲେ .....

ଡାକ୍ତର : ନର୍ସ ସେ ୩୯ ନମ୍ବର ପେସେଣ୍ଟ ଆଉନାହାନ୍ତି ତାଙ୍କ ପରିବାରକୁ ଜଣେଇଦିଅ । 

    ସଞ୍ଜୟବାବୁଙ୍କ ଆଖି ଛଳ ଛଳ ହୋଇ ଉଠିଲା । ମନର ଯନ୍ତ୍ରଣା ସବୁ ଆଖିପଟେ ଅଶ୍ରୁବାରି ହୋଇ ଝରି ପଡିଲା । ଗ୍ରାମବାସୀ ବାପ ଝିଅକୁ ସାନ୍ତ୍ୱନା ଦେଇ ଗାଆଁକୁ ନେଲେ ଓ ଅନ୍ତିମ ସତ୍କାର କଲେ । ଏଥି ମଧ୍ୟରେ ୫ ଦିନ ବିତିଗଲା । 

      ଏପଟେ ଦିନେ ସମ୍ବିତ ବସ ଓ ରାକେଶ ଭିତରେ ଚାଲିଥିବା ସବୁ ବାର୍ତ୍ତାଳାପ ଶୁଣିପାରିଲା । ସେ ତାଙ୍କ ମନ୍ଦ ଉଦ୍ଦେଶ୍ୟ ବିଷୟରେ ବୁଝିପାରିଲା ଯେ ସେମାନେ କିପରି ସବୁ ଟଙ୍କା ନେଇ ଦେଶ ଛାଡିବାକୁ ପ୍ଲାନ କରିଛନ୍ତି । ସେ ପୋଲିସ ପାଖକୁ ମଧ୍ୟ ଯାଇ ପାରୁନଥିଲା କାରଣ ସେ ବି ଏଥିରେ ଜଡିତ ଥିଲା । ତାଙ୍କ ଆଗରେ ବାପା ମାଆ ଭଉଣୀର ମୁହଁ ଦେଖାଗଲା । ସେ ଅନୁତପ୍ତ ହୋଇ ଗାଆଁକୁ ଫେରିବାକୁ ନିଷ୍ପତ୍ତି କଲା । କିନ୍ତୁ ଗାଆଁରେ ତ ଆହୁରି ବହୁତ କିଛି ଦେଖିବା ଓ ସହିବାର ଥିଲା । ସେ ମାଆର ମୃତ୍ୟୁ ଖବର ଜାଣିଲା ପରେ ତା ଉପରେ ଯେପରି ପାହାଡ ପଡିଗଲା । ନିଜକୁ ସମ୍ଭାଳିଲା ପରେ ସେ ବାପାଙ୍କଠୁ ସବୁ ଘଟଣା ବିଷୟରେ ଜାଣିବାକୁ ପାଇଲା । ଯେ କୌଣସି ଦିବ୍ୟଜ୍ୟୋତି ଟ୍ରଷ୍ଟ ତାଙ୍କୁ ବଡ ଅର୍ଡର ଦେବା ବାହାନାରେ ତାଙ୍କର ସବୁ ଲୁଟିନେଇଛି । ଆଉ ସେଇ ଟଙ୍କା ଆଭାବରୁ ହିଁ ଆଜି ତାଙ୍କ ସ୍ତ୍ରୀ ଏ ଦୁନିଆରେ ନାହାନ୍ତି । 

       ସମ୍ବିତ ପୁରା ଆଚମ୍ବିତ କାରଣ ତାଙ୍କ କମ୍ପାନୀର ନୂଆ ନାମ ଥିଲା ଦିବ୍ୟଜ୍ୟୋତି ଟ୍ରଷ୍ଟ ଓ ଏହା ଥିଲା ତାଙ୍କ କମ୍ପାନୀର ଠକିବାର ନୂଆଁ ଉପାୟ । ତା ଆଗରେ ସବୁ ଅନ୍ଧକାରମୟ ହୋଇଗଲା । ସେ ନିଜ ମାଆର ମୃତ୍ୟୁ ପାଇଁ ନିଜକୁ ହିଁ ଦାୟୀ ବୋଲି ଭାବିଲା । ସେ ବି ତ ଜାଣତ ଅବା ଅଜାଣତରେ କେତେ ଲୋକଙ୍କୁ ଠିକ ଏହିପରି ଠକିଛି । କେତେ ପରିବାର ନଷ୍ଟ କରିଛି । କେତେ ସମ୍ପର୍କରେ ଦୂରତା ଆଣିଛି । ସେ ଜାଣି ସାରିଥିଲା ଯେ ଚୋରର ଲାଠି ଚୋର ମୁଣ୍ଡରେ ବାଜି ଯାଇଛି । ଯଦିଓ ସେ ପରେ ପୋଲିସକୁ ସବୁ କଥା କହି ସବୁଙ୍କୁ ଧରା ପକେଇଦେଲା କିନ୍ତୁ ଯାହା ହୋଇଯାଇଛି ତାହା କଣ ଆଉ ଠିକ ହୋଇପାରିବ...............

ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ । ସମ୍ପୂର୍ଣ୍ଣ ପଢ଼ିସାରିବା ପରେ ଉକ୍ତ ଗପଟିରୁ ଆପଣ କଣ କଣ ଶିଖିବାକୁ ପାଇଲେ ଓ ଏକ ସୁନ୍ଦର ମତାମତ ଦେବାକୁ ଅନୁରୋଧ । 



Rate this content
Log in

Similar oriya story from Tragedy