STORYMIRROR

Satyaprakash Sethy, M. A(UGC NET)

Horror

4.2  

Satyaprakash Sethy, M. A(UGC NET)

Horror

ଚନ୍ଦକାରେ ଗୋଟେ ରାତି

ଚନ୍ଦକାରେ ଗୋଟେ ରାତି

10 mins
718


ଭାଗ - 1

ବିଗତ ଦିନର ଆଗତ ଗୋଟେ କାହାଣୀ।ସତ ସତିକା-ସବୁ ସତ ।ସେତେବେଳ ଭୁବନେଶ୍ବର ସହର ନୂଆ କରି ଗଢି ଉଠିଥାଏ। ଅଳ୍ପ କେଇଦିନ ତଳେ ରାଜଧାନୀର ମାନ୍ୟତା ପାଇଥାଏ। ସହଜେ ତ ମନ୍ଦିର ମାଳିନୀ, ପୁଣି ପାହାଡ଼ ଘେରା ଏଇ ସହର। କଟକରୁ ଭୁବନେଶ୍ବର ଜାତୀୟ ରାଜପଥ ଦେଇ ଯିବାକୁ ହୁଏ। ରାସ୍ତା ଗୁଡ଼ିକ ବଡ଼ ସଂକୀର୍ଣ୍ଣ।କିନ୍ତୁ ଯାନବାହାନ ଭାରି। ନାହିଁ ନଥିବା ଭିଡ଼। ଓଡ଼ିଶାର କୋଣ ଅନୁକୋଣକୁ ଏହି ରାଜଧାନୀରୁ ସଂଯୋଗୀକରଣ କରାଯାଇଛି। ତେଣୁ ଚାରିଆଡୁ ଗାଡି ଘୋଡା ଓ ବସ ମୋଟର ଚଳାଚଳ ଏଠାକୁ କରିଥାଏ। ସେଥି ସକାଶେ ରାସ୍ତା ଘାଟ ଜାମ୍ ରହିବା ସ୍ୱାଭାବିକ।

କଟକରୁ ଏ ଜାତୀୟ ରାଜପଥ ଛାଡି ଦେଲେ ଆଉ ଗୋଟିଏ ଅଧା ମୋହରମ ଓ ପିଚ ରାସ୍ତା ଅଛି। ସେଇଟା ହେଉଛି ବାରଙ୍ଗ ଓ ତ୍ରିଶୁଳିଆ ଦେଇ। ବାଟରେ ଚନ୍ଦକା ଜଙ୍ଗଲ ପଡ଼େ। ବାଘ, ଭାଲୁ ଓ ହେଟାମାନଙ୍କର ସେଇଟା ରାଜୁତି। ରାତିରେ ସବୁ ବାହାରନ୍ତି। ହାତୀଗୁଡ଼ାକ ଖେଳେଇ ହୋଇ ବୁଲନ୍ତି। ରାତି 7/8 ଟା ହୋଇଗଲେ ରାସ୍ତା ନିଶୁନ୍ ହୋଇଯାଏ। ଭାରି ନିଛାଟିଆ ଜାଗା। କେହି ତ ଚାଲିକି ଯିବା କଥା ତ କେବେ ବି ଭାବି ପାରିବ ନାହିଁ। ଅବଶ୍ୟ ଗାଡି ମୋଟର ଗୋଟେ ଅଧେ ଭୁସ୍ଭାସ ହୋଇ ମାଡିଯାଏ। ହେଲେ ରାସ୍ତା ମଝିରେ କେହି ରୋକି ହୋଇଯାଆନ୍ତି ନାହିଁ। କାରଣ ମନରେ ଭାରି ଡର । ଘଞ୍ଛ ଜଙ୍ଗଲ ଭିତରେ କିଏ ରୋକିବ ଲୋ ମା! ଭୂତ ପିଶାଚଙ୍କର ତ ସବୁ ଆଡ୍ଡାସ୍ଥାଳୀ ଏଇଠି। କେତେ କେତେ ଅଘଟଣ ସବୁ ପରା ଘଟିଛି। ଦେଖି ନଥିବେ କି ପେପର୍ ଫେପରରେ କେତେ କ’ଣ ଅଘଟଣ – ସତେ ନଘଟିଛି।ପୁଣି ଚୋରି ରାହାଜନୀ ଠାରୁ ଆରମ୍ଭ କରି ଜନାକାରୀ ଯାଏଁ ସବୁ ଅଘଟଣ ଓ ଦୁର୍ଘଟଣା ଏହି ରାସ୍ତାରେ ଘଟେ। ଅଞ୍ଜନା କାହାଣୀ ବି ତ ସେଇଠି ଘଟିଥିଲା। ତେଣୁ କିଏ କାହିଁକି ରାତି ଅଧରେ ଏ ରାସ୍ତା ଦେଇ ଯିବ ଯେ?

ରାମହରି ବାବୁ ମିଲିଟାରୀଆ ଲୋକଟା। ସଦ୍ୟ ଚାକିରୀରୁ ଅବସର ନେଇଥାନ୍ତି। ମନରେ ଟିକିଏ ସାହସ ଓ ଦମ୍ଭ ଭିନ୍ନ୍ ପ୍ରକାରର। ସମସ୍ତଙ୍କର ଯୋଉଟା ନା ତାଙ୍କର ସେଇଟା ହଁ। ଭାରି ହୃଷ୍ଟପୃଷ୍ଟ ଓ ଟିକିଏ ଡେଙ୍ଗାଳିଆ ଜଣାପଡୁଥାନ୍ତି। ସେ ବେଶ୍ କୌତୁହଳପ୍ରିୟ ଓ ରହସ୍ୟବାଦୀ ମଧ୍ଯ (curious & adventurous also ) । ତାଙ୍କୁ ଏ ଜଙ୍ଗଲ ଓ ଶୂନ୍ଶାନ୍ ରାସ୍ତା କୁଆଡେ ଭାରି ଶାନ୍ତିପ୍ରଦ।ତାଙ୍କର ଧାରଣା ନିଶାର୍ଦ୍ଧ ରାତିରେ ଏଭଳି ଯାତ୍ରା ଶରୀରକୁ ଅତି ହାଲକା ଓ ମନକୁ ବେଶ୍ ଶାନ୍ତ କରି ଗଢି ତୋଳେ। ସାଙ୍ଗରେ ଥାଆନ୍ତି ଜଣେ ପୁରୁଣା ଦିନର ସାଥୀ – ବନ୍ଧୁ ନିଶାନ୍ତ ।

ଆଉ ଡର କାହାକୁ? ପୁଣି ଏହି ବାଟ ଦେଇ ଗଲେ ଭୁବନେଶ୍ୱରରୁ କଟକ ରାସ୍ତା 5/7 କିଲୋ ମିଟର କମି ଯାଏ। ଗହଳି ବି ଟିକିଏ କମ୍। ରୋଡ଼ ଆକ୍ସିଡେଣ୍ଟର ଭୟ ତ ଆଦୌ ନଥାଏ କହିଲେ ଚଳେ, ତେଣିକି ଯେତେ ବେପରୱା ହୋଇ ଗାଡି ଚଳାଅ ପଛେ । ତେଣୁ ଏହି ରାସ୍ତା ଦେଇ ଘର ପାଖରେ ଶୀଘ୍ର ପହଁଞ୍ଚି ହେବ। ନହେଲେ ଘରେ ସମସ୍ତେ ବ୍ୟସ୍ତ ହେବେ। କବାଟ କିଳି ନଥିବେ। ରାତି ଉଜାଗର ହୋଇ ବସିଥିବେ। ଖାଲି ଘରୁ ଦାଣ୍ଡ ଓ ଦାଣ୍ଡରୁ ଘର ହେଉଥିବେ। ଏମାନଙ୍କୁ ଅନିଶା କରି କରି ବଉଁଶଟାଯାକ କେହି ଶାନ୍ତିରେ ଶୋଇ ପାରୁ ନଥିବେ। ଉପବାସ ଥିବେ। ତେବେ ଯାହା ହେଉ ସେୟା ହେଲା। ଖଣ୍ଡଗିରି ଦେଇ ଗାଡି ବୁଲିଲା କଟକ ଅଭିମୁଖେ । ବାଟରେ ଅଳ୍ପ ଦୂରରେ ଛୋଟିଆ କାଉଣ୍ଟରଟିଏ। ସେଇଠୁ ଦୁଇ ବନ୍ଧୁ ଦୁଇ ପ୍ୟାକ୍ ଚଢେଇ ଦେଲେ। ଶୀତୁଆ ରାତି। ଏପଟେ ମିଲିଟାରୀଆ ଚାକିରୀ – ପୁରୁଣା ଅଭ୍ୟାସଟା ଥାଏ । ନିଶାଟା ଚଢି ଗଲାରୁ ଭାରି ଭଲ ଲାଗିଲା। ଗାଡି ଛୁଟିଲା ଏକାନ୍ତ ଜଙ୍ଗଲରେ। କେଉଁଠି କେମିତି ବିଲୁଆଟେ କି ଜନ୍ତୁଟାଏ ଦୌଡ଼ି ଦୌଡ଼ି ରାସ୍ତା ପାରି ହେଇ ଯାଉଥାଏ। ପଛରେ ନିଶାରେ ଗୁଣୁଗୁଣୁ ହୋଇ କହୁଥାଏ – “ଦେଖିକି, ଗାଡି ଚଢିଯିବ”। ରାମହରି ବାବୁ କହନ୍ତି-“ଆମ ଗାଡି ଚଳା ପୂରା ପରଫେକ୍ଟ। କେହି ବାଛି ପାରିବେ ନାହିଁ। ମିଲିଟାରୀରେ ଥିଲା ବେଳେ ଆମେ ପରା ପାହାଡ଼ ପର୍ବତ କିଛି ମାନୁନା। ଯେମିତି ପରିସ୍ଥିତି ଆସୁନା କାହିଁକି ଗାଡି ଚାଲେ ଠିକ୍ଠାକ୍, ତେଣିକି ଭୂତ୍ ଆସୁ କି ପ୍ରେତ” ।

ଏତିକି ବେଳକୁ ଗାଡିଟା ହଠାତ୍ ଅଟକି ଗଲା। ଲାଇଟ୍ ଟା ବି ଲିଭିଗଲା। ଯେତେ ଚେଷ୍ଟା କଲେ ବି ରିଷ୍ଟାର୍ଟ ହେଲା ନାହିଁ। ଗାଡିରୁ ଓହ୍ଲାଇବାକୁ ଇଚ୍ଛା ହେଉନଥାଏ। କାରଣ ସାପ ବେଙ୍ଗ ଓ ବନ୍ୟ ଜନ୍ତୁଙ୍କୁ ଟିକେ ଡର ଲାଗୁଥାଏ। ଶୀତର ପ୍ରକମ୍ପ ବି ବଢି ବଢି ଆସୁଥାଏ । ଜାଡୁଆ ରାତି। କୁହୁଡ଼ି ଗୁଡ଼ାକ ଝାପ୍ସା ଜହ୍ନ ଆଲୁଅରେ ଫିକଫିକ ହୋଇ ହସୁଥାଏ ସିନା କିନ୍ତୁ ଭାରି ଅନ୍ଧାରିଆ ଦିଶୁଥାଏ ।ସ୍ପଷ୍ଟ କିଛି ଜଣା ପଡ଼ୁ ନଥାଏ। ଠିକ୍ ଏତିକି ବେଳକୁ ଗୋଟେ ବିରାଟକାୟ ଲୋକ ବର ଓହଳ ଆଡ଼େଇ ଓ ପଥର ଖୋଲ ଠେଲି ରାସ୍ତା ଉପରକୁ ଉଠି ଆସୁଥିଲା। ବେଶ୍ ଡେଙ୍ଗା ଓ ହୃଷ୍ଟପୃଷ୍ଟ। ରୁମ ଗୁଡ଼ାକ ଭାଲୁ ରୁମ ଭଳିଆ ଲମ୍ବା। ଦାଢି ଗୁଡ଼ାକ ଖେର ହୋଇନଥାଏ କି କ’ଣ ଖୁଣ୍ଟି ଉଠିଲା ପରିକା ଖାଡା ଦିଶୁଥାଏ। କିନ୍ତୁ ଜୁଙ୍ଘା ଟୋକା ପରିକା ତ ପ୍ରତୀୟମାନ ହେଉଥାଏ। ଅତି ଉଚ୍ଚ ଅର୍ଘାସୁରର ପରିକଳ୍ପନା ତୋଳୁଥିଲା-ମନ ମଧ୍ୟରେ । ବଡ଼ ଅଜବ ତା’ର ଆକୃତି। ଭୟଙ୍କର ଚେହେରା। ତାକୁ ଦେଖିଲେ ଯେକୌଣସି ଲୋକର ପାଟି ଶୁଖି ଅଠା ଅଠା ହୋଇଯିବ। ଡରରେ ପେଟ ଭିତରେ ଛନକା ପଶି ଯାଇ କେତେବେଳୁ ଯେ ହୃଦ୍ଘାତରେ କମ୍ପନ ସ୍ରୁଷ୍ଟି ହେଉଥାଏ , ତାହା କହି ହେବ ନାହିଁ। ନିଶାନ୍ତ ବାବୁ ତ ପୂରା ଡରି କି ସିଟ୍କୁ କାମୁଡ଼ି ପକେଇଲା ପରିକା ଚିମୁଟି ଧରିଥାନ୍ତି। ରାମହରି ବାବୁ କହିଲେ – “ସାହସ ଧର ବନ୍ଧୁ! ଡର ନାହିଁ। ମୁଁ ଏମିତି ତ କେତେ ଦେଖିଛି। ସେ ଆମର ଏମିତି କ’ଣଟେ କରି ପକେଇବ” ? – ଏୟା କହି ପକେଟରୁ ରିଭଲଭରଟା ଖୋଲି ହାତରେ ଧରିଲେ। “କିଏ ସେ, କିଏ ସେ” ପାଟି କଲେ। ଲୋକଟା କିଛି ନକହି ଓଲଟା ତାଙ୍କ ଆଡ଼କୁ ଧୀରେ ବଢୁଥିଲା। ବନ୍ଧୁ- “ହେଇ.. ହେଇ.. ଆଇଲା, ଏଥର ଆମକୁ ଖାଇବ”। ଏ କଥା ଅତି ଅଧୈର୍ଯ୍ୟ ହୋଇ କହିଲାରୁ ସେ ବାଧ୍ୟ ହୋଇ -” ସେଇଠି ଛିଡା ହଅ! ନହେଲେ ଗୁଳି କରିଦେବି “କହି ଗୋଟେ ରାଉଣ୍ଡ ଗୁଳି ଚଳେଇବା ପାଇଁ ଟ୍ରିଗର୍ ରେ ଜୋହର୍ କରି ଟିପଟା ଦବେଇ ଧରିଲେ।ଲକ୍ଷ୍ୟ ଗୋଡକୁ ଥିଲେ ହେଁ ଏହି ସମୟରେ ବନ୍ଧୁ ରୋକିବାକୁ ଚେଷ୍ଟା କରି ହଲେଇ ଦେବାରୁ ଗୁଳିଟା ଲୋକଟାର ଛାତି ପଟେ ଦେଇ ଚାଲି ଗଲା ବେଳେ ପୁଚ୍କିନା ପୁଳାଏ ଖଣ୍ଡ ରକ୍ତ ଛିଟିକି ଉଠିଲା ପିଚକାରୀ ଭଳି। କିନ୍ତୁ ଲୋକଟା କାହିଁ କୁଆଡ଼େ କ୍ଷଣିକେ ଉଭାନ୍ ହୋଇ ପୁଣି ପ୍ରତୀୟମାନ ହେଲା। ଦେଖିଲା ବେଳକୁ ରକ୍ତ ଜୁଡ଼ୁବୁଡ଼ୁ ଶରୀରଟା ଚାରିଆଡ଼େ ବିଛେଇ ହୋଇ ପଡ଼ିଛି ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ାକ ଯେମିତି ସବୁ ଖଣ୍ଡ ବିଖଣ୍ଡିତ ହୋଇ ରହିଛି। ଗଣ୍ଡି ଠାରୁ ଗୋଡ ହାତ ଓ କଟା ମୁଣ୍ଡ- ସବୁ ଅଲଗା। ପାଖରେ ଗୋଟେ ବଡ଼ ଅଖା ପଟ ପଡିଥାଏ। ସେଥିରେ ସବୁ ସଟାସଟ ପଶି ହୋଇଗଲା। ସବୁ କିଛି ଆଖି ପିଛୁଳାକେ ହୋଇ ଯାଉଥିଲା। ଭାବିବାକୁ ତର ନଥାଏ। ବନ୍ଧୁ ଡରରେ ଏକଦମ୍ ହାଲିଆ। ସେ ତାଙ୍କ ପଛ ପଟରୁ ସିଟ୍ ସହ ରାମହରି ବାବୁଙ୍କୁ କୁଣ୍ଢେଇ ପକେଇ ଏକରକମର ଝୁଲି ରହିଥାନ୍ତି ଯେପରି ରାଜା ବିକ୍ରମାଦିତ୍ୟ କାନ୍ଧରେ ବେତାଳର ଶବ ଝୁଲି ରହିଥିଲା। ନିଜର ତ ପାଟି ଆଫାଆଫା ତାଙ୍କୁ ଆଉ ବଳ ଦେବ କ’ଣ ନା ବୋଧ?

ଏଥର ଅଖା ପଟଟାର ମୁହଁଟା ବାନ୍ଧି ଆପେ ଆପେ ବାନ୍ଧି ହୋଇଗଲା। ସେଇଟା ପୁଣି ହଲିବାକୁ ଲାଗିଲା। ଏବେ ପଟଟା ଉଦଣ୍ଡ ନାଚ କଲା ପରି ଥେଇ ଥେଇ ନାଚିଲା ଓ ଡେଇଁ ଡେଇଁକା ଗାଡି ପାଖକୁ ଆସିଗଲା। ଶରୀରର ତ ବଳ ନଥଏ ମନରେ ବି ସାହସ। ଖାଲି ବନ୍ଧୁଙ୍କୁ ସମ୍ଭାଳିବା ପାଇଁ ମୁହଁ ଭୁରୁଡ଼ି ଟିକିଏ ଯାହା। ତେଣୁ “ରହିଯା’! ନହେଲେ ଭଲ ହେବ ନାହିଁ “କହି ପୁଣି ଗୋଟେ ରାଉଣ୍ଡ ଗୁଳି ଚଳେଇବା ପାଇଁ ମନେ ମନେ ପ୍ରସ୍ତୁତ ହେଉଥାନ୍ତି। ଏବେ ପଟଟି ଭିତରୁ ଅଚାନକ ମଧ୍ୟମ ବୟସ୍କ ଯୁବକଟିଏ ବାହାରି ଆସିଲା। ସଧୀରେ ଆସି ଗାଡି ପାଖରେ ଛିଡ଼ା ହେଲା। ତା ମୁଖ ମଣ୍ଡଳରେ କୌଣସି କ୍ଷତ ନଥିଲା ବରଂ ମଳିନତା ଛାଇ ହୋଇଯାଇଥିଲା। ବେଶ୍ କଷ୍ଟ ସେ ଅନୁଭବ କରୁଥିଲା ପରି ମନେ ହେଉଥିଲା। ତା’ର ସବୁତକ ବେଦନା ଅଭିବ୍ୟକ୍ତି ଲାଭ କରିବା ପାଇଁ ଯେମିତି ବ୍ୟଗ୍ର ହୋଇଉଠୁଥିଲେ। ଭୟ ଓ ବିସ୍ମୟର ସୀମା ରହୁ ନଥାଏ। ଏଥର ତା’ ଆଡୁ ଉତ୍ତର ଆସିଲା – “ମୋତେ ଗୁଳି କଲେ, ମୋର କିଛି ହେବ ନାହିଁ। ହେଲେ ମୋତେ ଡରନ୍ତୁ ନାହିଁ। ମୁଁ କେବଳ ମୋ କଥା ପଦକ କହି ଏଠୁ ଚାଲିଯିବି। ଏହା ପୂର୍ବରୁ ଯେ କହିବାକୁ ଚେଷ୍ଟା କରି ନାହିଁ ତାହା ନୂହେଁ, ଅନେକଙ୍କୁ କହିବାର ପ୍ରଯତ୍ନ କରିଛି। ହେଲେ ମୁଁ କିଛି କହିବା ପୂର୍ବରୁ କିଏ ବେହୋସ୍ ହୋଇଯାଇଛି ତ କିଏ ପୁଣି ଦୌଡ଼ି ଦୌଡ଼ି ପଳେଇଛି। ମୁଁ ଯେତେ ପଶ୍ଚାତ୍ ଧାବନ କରି ଡାକେ – “ଏ ଟିକେ ଶୁଣ!” କେହି ହେଲେ ଶୁଣନ୍ତିନି। ଡରରେ କାହାରି କାହାରି ବି ମୃତ୍ୟୁ ହୋଇଥାଇ ପାରେ, ମୁଁ କିନ୍ତୁ କାହାରି କିଛି କ୍ଷତି କରିବାକୁ ଚାହିଁ ନାହିଁ। ମୁଁ କେବଳ ମୋ କଥା କହିବାକୁ ଚାହିଁଛି – ମୋ ଆତ୍ମାର ସଦ୍ଗତିଃ ପାଇଁ। ତେଣୁ ମୋ କଥା କାହାକୁ କହି ନପାରି ଥିବାର ଦୁଃଖ ଏବେ ବି ମୋ ମନ ଇଲାକାରୁ ହଟି ନାହିଁ, ଯାହା ମୋତେ ଶୋକାଭିଭୂତ କରିଦେଇଛି। ଆପଣ ମାନଙ୍କର ହିମ୍ମତ ଅଛି – କଥାଟା ଶୁଣିବା ପାଇଁ। ସେଥିପାଇଁ ବଡ଼ ଭରସା କରି କହିବାକୁ ଚାହୁଁଛି। ଦୟାକରି ଟିକିଏ ଶୁଣିଲେ ମୋ ଆତ

୍ମାକୁ ଶାନ୍ତି ମିଳନ୍ତା”।

ଡରରେ ବନ୍ଧୁ” ନାଇଁ.. ନାଇଁ.. ତୁ.. ଏଠୁ.. ଯା.. ଯା.. ପଳା “ଆଖି ବୁଜି କେବଳ ଶୁଣି କହି ଆସୁଥିଲେ। ରାମହରି ବାବୁ ବୁଝେଇ ଦେଲାଠୁଁ ସେ ଶାନ୍ତ ପଡିଗଲେ। ଯୁବକ ଆରମ୍ଭ କଲେ। ରାମହରି ବାବୁ କାଚଟାକୁ ତଳକୁ ଆଉ ଟିକେ ଖସାଇ ଦେଲେ।ସେ କହି ଚାଲିଲେ -

ଆମ ଘର ଢେଙ୍କନାଳ ବଡ଼ ଖୁମ୍ବା। ଆମେ ଦୁଇ ଭାଇ ।ବୟସର ବ୍ୟବଧାନ ଖୁବ୍ କମ୍, କିନ୍ତୁ ସମ୍ପର୍କରେ ଅନ୍ତରାୟ ରଣ ଚଣ୍ଡୀ ଭାଉଜ। ସବୁ ବେଳେ କୁମନ୍ତ୍ରଣା ଦେଇ ମୁଣ୍ଡଟାକୁ ବିଗାଡି ରଖି ଥୋଇଥାଏ। ଗାଁରେ ଜମିଜମା କିଛି କମ୍ ନୁହେଁ ।ତେଣୁ ସମ୍ଭ୍ରାନ୍ତ ଘର ପରି ଚଳନୀ। ଜେଜେ ମାଆ ଚାଲିଯାଇଥିଲେ-ଆଗରୁ । ଏଥର ମାଆ ବି ଚାଲିଗଲେ। ବୁଢ଼ା ବାପାଟାକୁ ଧରି ଗାଁରେ ମୁଁ ଏକଲା ରହେ। ଭାଇ ମୋର ଭୁବନେଶ୍ବରରେ ଗୋଟେ ଚାକିରୀ କରିଛି। ଟିକିଏ ପଇସାବାଲା। ଭାଉଜ ଓ ପିଲାଙ୍କୁ ଧରି ଏହି ସହରରେ ରହୁଛି, ହେଲେ ଭାରି ପଇସା ପ୍ୟାରା। ନିଜ ପଇସାରୁ କାହାକୁ ଟଙ୍କାଟିଏ ତ କେବେ ଦିଏ ନାହିଁ, ବରଂ ପର ଧନ ହଡ଼ପ ଚିନ୍ତା ତାକୁ ଅହରହ ଘାରେ। ନିଜେ ବଞ୍ଚିଲେ ବାପାର ନାଁ, ଆଉ କିଏ ମଲେ ଅବା ଗଲେ ତା’ର କ’ଣ ଯାଉଛି – ଏହି ନ୍ୟାୟରେ ସେ ସଦା ସର୍ବଦା ଜୀଏଁ। ମୋତେ କି ବାପାଙ୍କୁ କେବେ ଟଙ୍କାଟିଏ ତ ଦେଇ ନାହିଁ,ଦେଇଥିଲେ ବି କାହିଁ ମନେ ନାହିଁ। କିନ୍ତୁ ଘରୁ ଧାନ ଚାଉଳ ଓ ବିରି ମୁଗ ସବୁ ତ ନିଏ। ଭାରି ଲୋଭୀ, ସ୍ଵାର୍ଥପର ମଣିଷଟେ। ଗାଡି ମୋଟର କାର୍ ସବୁ କରିଛି, ତଥାପି ଲୋଭ ସହରରେ କୋଠା କରିବ। ସେଥିପାଇଁ ଗାଁ ଜମିଜମା ବିକ୍ରି କରିବା କୁଆଡ଼େ ଏକାନ୍ତ ଜରୁରୀ। ତେଣୁ ମଘା କାମ ନ ସରୁଣୁ ଗରାଖ ଯୋଗାଡ଼ – ବିକ୍ରି ବଟା ପାଇଁ। ମୁଁ ଏଥିରେ ବିରକ୍ତି ହେଲାରୁ ମୋତେ ମାରି ଗୋଡାଇଲା। ପୁଣି ରାଗିରୁଗା କି ଯେ ସହର ପଳେଇ ଆସିଲା। ବନ୍ଧୁ ବାନ୍ଧବ ସମସ୍ତଙ୍କ ସହ ଅପଡ କରିଦେଲା।ବାରଦିନ ଦିନ ଘରୁ ପାର, ଆହୁରି କେତକ କର୍ମ କାଣ୍ଡ ବାକି ଥାଏ। ବଡ଼ ପୁଅ ପରା ଏହିମାନଙ୍କୁ କହିବ। ଭଲାରେ ଭଲା ଏ ଯୁଗ କ’ଣ ହେଲା?

ହେଲେ ମୋ ମନଟା ଜମାରୁ ବୁଝିଲା ନାହିଁ। ଦିନେ କାହାକୁ କିଛି ନକହି ସହର ଆସିଗଲି। ଭାଉଜକୁ କେତେ ବୁଝାଶୁଝା କଲି। ଗୋଡ ହାତ ତଳେ ପଡି ସବୁ କହିଲି – ଖାଲି ଟିକିଏ ଭାଇଙ୍କୁ ବୁଝେଇ ଦେବା ପାଇଁ। ଭାଉଜ କହିଲେ – “ତୁମ ଭାଇ ଫେରନ୍ତୁ ରାତିକୁ ମିଶିକି ସବୁ କଥା ହେବା। ଆଜି ଦିନକ ତୁମେ ରହି ଯାଅ”।

ମୁଁ ବି ଅଟକି ଗଲି।କଥା କାଟି ପାରିଲି ନାହିଁ। ସନ୍ଧ୍ୟା ହେଲା, ଭାଇ ଆସିଲା। ମୋତେ ଦେଖିକି ଚିଡ଼ୁଥିଲା। ଝଗଡ଼ା ଝାଣ୍ଟି ଢେର୍ ହେଲା। ଭାଇ କହିଲା – “ଜମିଜମା ସବୁ ବିକ୍ରୀବଟା କରିବା ପାଇଁ ଯିଏ ବି ବାଧକ ହେବ ତାକୁ ହାଣି ଟିକି ଟିକି କରିଦେବି “-ଇତ୍ୟାଦି ଧମକପୂର୍ଣ୍ଣ ଗାଳି। ମୁଁ ବି ସେତେବେଳକୁ ରାଗି ଗଲିଣି। କଥାରେ କଥା କହିଦେଲି -” ମୁଁ ବଞ୍ଚିଥିଲା ଯାଏଁ ସେଥିରୁ ଗୁଣ୍ଠେ ବିଶୁଏ ବି ବିକ୍ରି ହୋଇ ପାରିବ ନାହିଁ। ତେଣିକି ରକ୍ତ ନଦୀ ପଛେ କାହିଁକି ବୋହି ନଯାଉ”। ଏଥରକ ସେ ରକ୍ତମୁଖା ହୋଇ ଉଠୁଥିଲା। ମାରିବାକୁ ଖାଲି ହାତ ମୁଠା ମୁଠା କରି ହୁମୁହୁମୁ ହେଉଥାଏ। ଭାଉଜ ଆଡକୁ ମଝିରେ ଚାହିଁ ଦେଇ ଖାଲି ନିର୍ଦ୍ଦେଶ ଅପେକ୍ଷାରେ ଅଟକି ରହିଥାଏ। ଭାଉଜ ମୁହଁଟା ମୋଡ଼ି ଓ ମୁଣ୍ଡଟାକୁ ବାଁ ଡାଁ ଥରେ ଦୁଇ ଥରେ ଗାର କାଟିଲା ପରି ଘୂରାଇ ନାଇଁ ନାଇଁ ଇଶାରା ଦେଉଥାଏ ।ମୁଁ ସ୍ପଷ୍ଟ ଦେଖିପାରିଛି। ନ ହେଲେ ସେଇ ଲାଗେ ମାରି ପକାଇଥାନ୍ତା। ସେ ଖାଲି ଦାନ୍ତ କଡ଼ମଡ଼ କରୁଥିଲା। ରାଗରେ ଚୂଡ଼ା ଚାଉଳ ଚୋବାଉଥିଲା। ମୁହଁ ହାଣ୍ଡି କରି ସେଇମିତି ରହିଲା। ମୁଁ ତା ଢଙ୍ଗରଙ୍ଗ ଦେଖି ବଡ଼ କ୍ଷୁବ୍ଧ ହେଲିଣି। କହିଲି-” ରାତି ଅଧ ହେଉ ପଛେ ମୁଁ ଘରକୁ ଚାଲିଲି, ତୁମ ପାଖରେ କିଏ ରହିବ ଲୋ ମାଆ! “ଭାଉଜ ଭାଇକୁ ଘର ଭିତରକୁ ଟାଣି ନେଇ କ’ଣ ଫୁସୁଫୁସୁ ହେଲେ। ତା’ପରେ ବାହାରି ଆସି ମୋତେ ବୋଧ ଦେଇ ଅଟକା ଅଟକି କଲେ। ମାଉଁସ ଭାତ ଦେଇ ବିଶ୍ବାସ ଜିତିଲେ। ମୋତେ କିନ୍ତୁ ଆଦୌ ଭଲ ଲାଗୁ ନଥାଏ। ଏମାନଙ୍କ ଠାରଠୁର ଦେଖି ମୋର ଟିକିଏ ସନ୍ଦେହ ହେଉଥିଲା। କ’ଣ କରିବି ରାତିଟା ପାହୁ ତେଣିକି ଯେଉଁ କଥା। ଏଡ଼େ ବଡ଼ ରାତିଟାରେ ଏଇଲାଗେ କୁଆଡ଼େ ଯିବି? ଆଉ ଗଙ୍ଗା ଯିବି ନା ଫଳ ପାଇବି। ଏଥରକ କେମିତି ଏଠୁ ଉଧୁରିକି ଯାଏଁ। ଏମିତି ଶଙ୍କା ଆଶଙ୍କାରେ ନିଦ ହେଉନଥିଲା।କଡ଼ ଲେଉଟାଇ ଖାଲି ଏପଟ ସେପଟ ହେଉଥିଲି। ଶେଷରେ ଚାଦରଟା ମୁହଁରେ ଘୋଡାଇ ହୋଇ ଶୋଇ ପଡ଼ିଲି। ଭାଉଜଟା ଆମର ବଡ଼ କୂଟକପଟିଆଣୀ, ତାକୁ ସହଜେ ବୁଝି ହୁଏ ନାହିଁ। ତାକୁ ପୁଣି ବୁଝିବା ପାଇଁ ସାମାଜ ତତ୍ତ୍ଵ ଓ ମନସ୍ତତ୍ତ୍ୱ ପରି ବିଷୟରେ ପି. ଜି. ଦରକାର ନା, ମୋର ତ ଖାଲି ବି. ଏ।ଧେତ୍ ଏତେ କଥା ଭାବି ଲାଭ ନାହିଁ, ଶୋଇ ପଡିଲେ ଯାଇ ଏମାନଙ୍କ ଜ୍ବାଳାରୁ ମୁକ୍ତି।ହେଲେ ଏମାନେ ଭଲା ଶୁଆଇ ଦିଅନ୍ତେ? ରାତି ସାରା ଖାଲି ଫୁସୁରୁ ଫୁସୁରୁ, କେମିତି କିଏ ଶୋଇବ ଯେ? ଏମିତି କି ଗପ କି ୟାଙ୍କର, ରାତି ସାରା ସରୁ ନାହିଁ, ସତେ କି ସରଗକୁ ନିଶୁଣି ବନେଇବେ – ଏମାନେ, ତେଣୁ ରାତିଯାକ ବସି ଯୋଜନା ପରେ ଯୋଜନା ତିଆରି ଚାଲିଥାଏ। ଆମକୁ ସେଥିରୁ କଣ ମିଳିବ? ନ ଶୁଣିଲେ ଗଲା। ନିଦଟା ଏବେ ମୁଣ୍ଡ ଟୁଙ୍ଗାରିବାରୁ ଶୋଇଗଲି।

ଭାଇ ଭାଉଜ ଅର୍ଦ୍ଧ ରାତିରେ ଚୁପିଚୁପି ହୋଇ ମୋ ରୁମକୁ ଆସିଲେ। ଏଣିକି ମୋ ବେକ ଉପରେ ରଡ଼ ପକେଇ ଖଟ ତଳକୁ ଜୋହରରେ ଚାପି ଧରିଲେ।ମୁଁ ଛାଟିପିଟି ହେଉଥାଏ। ଗଁ ଗଁ ଡାକିବାରୁ ମୁହଁରେ ଘୋଡେଇଲା ଚାଦରଟା ଠୁସିକି ପୂରେଇ ବିଣ୍ଡା ଦେଇ ପାଟି ବନ୍ଦ କରିଦେଲେ। ଏଥର ଗୋଟେ ଅଖା ମୁଣିରେ ମୋତେ କାଟି ଖଣ୍ଡଖଣ୍ଡ କରି ପୂରାଇ ଦେଲେ। ମୋ ହାତ ଗୋଡ଼ ସବୁ ମାଡ଼ି ମକଚି ହୋଇ ଚାପି ହୋଇ ଯାଇଥାଏ। ଭୋର୍ ଭୋର୍ ହେବା ପୂର୍ବରୁ ମୋତେ କାରରେ ଆଣି ଏଇଠି ଗୋଟେ ବୁଦା ମୂଳେ ଗାତ ଖୋଳି ପୋତି ଦେଲେ, ମୋ ଉପରେ ପଥର ଢାଙ୍କି ଦେଇ ଚାଲିଗଲେ। କେହିବି ଟେର ପାଇଲେ ନାହିଁ। ଘରେ ବାପା ଖୋଜି ଖୋଜି ରହିଲେ। ବୁଢ଼ା ଲୋକ ନିଇତି ଆଖିରୁ ଲୁହ ଢାଳୁଛନ୍ତି। ତାଙ୍କ ଦୁଃଖ ଆଉ କିଏ ବୁଝିବ କହିଲେ? ସାହି ପଡ଼ିଶା ଓ ବନ୍ଧୁ ବାନ୍ଧବ ପତା ନେଲେ, ନ ପାଇବାରୁ ଚୁପ୍ ରହିଲେ। ଏବେ ବି ବୁଢ଼ା ବାପାଟା ଭାବୁଛି – “ପୁଅ ମୋ ନିଶ୍ଚୟ ଫେରିବ” । ମୋ ବାଟକୁ ଚାହିଁ ରହିଛି। ହେଲେ ମୁଁ କ’ଣ ଆଉ ଫେରି ପାରୁଛି?

କିଛି ଦିନ ଅପେକ୍ଷା କରି ଭାଇ ଭାଉଜ ଜମି ଜମା ଓ ଘର ଢିଅ ପର୍ଯ୍ୟନ୍ତ ସବୁ ବିକ୍ରୀ କରି ଦେଇ ସହରରେ ଏବେ ମହା ଆନନ୍ଦରେ ରହୁଛନ୍ତି। ହେଲେ ବାପା ମୋର ଗ୍ୟାରେଜ୍ ଘରେ ମଶା ଡାଉଁଶ ମାରି ହେଉଛନ୍ତି। ତାଙ୍କ ଦୁଃଖ ଆଉ ସହି ହେଉନାହିଁ। ମୁଁ କିନ୍ତୁ ଚାହୁଁଛି ନ୍ୟାୟ, ତେଣୁ ରାତିରେ ନିରୋଳାରେ ଯାହାକୁ ଦେଖେ ତାକୁ ଅଟକାଇ ଏହି କେଇପଦ କଥା କହିବାକୁ ଚାହେଁ। ହେଲେ ଶୁଣିବା ପରି ଧୈର୍ଯ୍ୟ ବା ଶକ୍ତି ଓ ସାମର୍ଥ୍ୟ କାହାରି ପାଖରେ ଥିଲେ ତ ? ମୋ କଥା ଅକୁହା ହୋଇ ସେଇମିତି ରହିଯାଏ। ମୋ କଥା ଶୁଣିବା ଆଗୁ କିଏ ବେହୋସ୍ ହୋଇଯାଏ ତ କିଏ ପୁଣି ଡିଆଁ ଧାମ୍ପଡ଼ା ମାରି ପାର। ମୁଁ କିଛି ସମୟ ପାଇଁ ପଶ୍ଚାତ୍ ଅନୁଧାବନ କରେ, ତା’ପରେ ଅପେକ୍ଷା କରି ରହେ ଆଉ କିଏ ଆସିଲେ କହିବା ପାଇଁ। ମୁଁ କିନ୍ତୁ, ସତ କହୁଛି, କାହାରି କିଛି କ୍ଷତି କରିବାକୁ କେବେ ଚାହିଁ ନାହିଁ, କାରଣ ମୁଁ ଚାହେଁ କେବଳ ନ୍ୟାୟ। ନ୍ୟାୟ ନ ପାଇଲା ଯାଏଁ ମୁଁ ସହଜେ ଛାଡୁନି । ତୁମେ କ’ଣ ମୋ ପାଇଁ ଏତିକି କରି ପାରିବ ନାହିଁ? ଦୋଷୀକୁ ସଜା ନମିଳିଲେ ମୋ ଆତ୍ମ ଶାନ୍ତି ପାଇ ପାରିବ ନାହିଁ”।

ଏ କଥାଟା କହି ଆସିଲା ବେଳକୁ ରାତି ପାହି ଆସୁଥିଲା। ଛାୟା ଚିତ୍ରଟି କୁଆଡ଼େ ଅଦୃଶ୍ୟ ହୋଇଗଲା। ବୁଲି ପଡି ପଛକୁ ଚାହିଁଲା ବେଳକୁ ବନ୍ଧୁ ଏକ ଲୟରେ ଶୁଣି ମଟକା ମାରି ନେଇଛନ୍ତି। କାଣୀ ଆଙ୍ଗୁଠିଟା ଧରି ଟାଣି ଦେଲାଠୁଁ ହଁ ନାହିଁ ବାଉଳି ହୋଇ କହିଲେ -” ହଁ ହଁ ଥାନାରେ ଏଫ୍. ଆଇ. ଆର୍. ଦେବା ।ରାମହରି ବାବୁ କହିଲେ -” ନା, ଆଗ ଘରକୁ ଯାଇ ଫ୍ରେସ୍ ହେବା, ତା’ପରେ ଢେଙ୍କାନାଳ ଯାଇ ସବୁ କଥା ବୁଝି ଆସିଲା ପରେ ତେଣିକି ଯୋଉ କଥା। ସିନ୍ଦୂରା ଫାଟି ଆସୁଥାଏ, ସକାଳ ହୋଇସାରିଥାଏ। ମଦ ନିଶାଟା ବି ପୂରା ଉତୁରି ଯାଇଥାଏ। ଆଉ ଯାହା ଥିଲା ପରିସ୍ରା ବାଟେ ତ ସବୁ ଏକା ନିଃଶ୍ୱାସକେ ବାହାରି ଗଲା। ଗାଡିରୁ ଓହ୍ଲାଇ କାରର ଢାଙ୍କୁଣୀ ଖୋଲିଲେ। କ’ଣ ଟିକିଏ ଏଣୁତେଣୁ ଏପଟ ସେପଟ କରି ଦେଖିଲାଠୁଁ ଗାଡି ଷ୍ଟାର୍ଟ ହୋଇଗଲା। ଗାଡିରେ ବସି ଦୁଇବନ୍ଧୁ ଟିକେ ହୋସ୍ ନେଲେ, ଗାଡି ଚାଲିଲା ଆଗକୁ।ହେଲେ ବାଟ ସାରା ଖାଲି ତୁହାଇ ତୁହାଇ ମନେ ପଡି ଯାଉଥାଏ ରାତି ଗୋଟାକର କାହାଣୀ। ଯେତେ ଚେଷ୍ଟା କଲେ ବି ମନ ମଧ୍ୟରୁ କାହିଁ ଦୂରୀଭୂତ ତ ହେଉ ନଥାଏ – ସେ ଭୟାନକ ଦୃଶ୍ୟ। କେତେ ଦରଦନାୟକ ଓ ବେଦନାକ୍ତ ନୂହେଁ ସତେ- ଏ କାହାଣୀ? ଉଭୟ ଉଭୟଙ୍କୁ ଟିକିଏ ଚୁହାଁଚୁହିଁ ହେଉଥାନ୍ତି ସିନା ହେଲେ କେହି କାହାକୁ କିଛି କହୁ ନଥାନ୍ତି। ସମସ୍ତେ ଚୁପି ମାରି ବସିଥାନ୍ତି। ଇଏ ଯାହା ସବୁ ଘଟୁଥିଲା କେବଳ ମନ ଇଲାକାର ନିଭୃତ କୋଣରେ । ଶେଷରେ ଗାଡି ଯାଇ ପହଞ୍ଚିଲା କଟକ ସହର। ଏବେ ବି ମାନସ ପଟରୁ ଲିଭି ନଥାଏ ସେ ଭୟଙ୍କର ପରିସ୍ଥିତି ଓ ସେଇ ଏକ ପ୍ରଶ୍ନ – “ମୁଁ ଚାହେଁ ନ୍ୟାୟ, ମୋତେ କ’ଣ ଏତିକି ମିଳି ପାରିବ ନାହିଁ” ।

କ୍ରମଶଃ ଭାଗ 2 ଅନୁସରଣ କରନ୍ତୁ


Rate this content
Log in

Similar oriya story from Horror