Lalita Mohan Mishra

Tragedy

3  

Lalita Mohan Mishra

Tragedy

ଚମ୍ପା ଆଈ

ଚମ୍ପା ଆଈ

4 mins
425


ଜାମୁଝୋଲା ଗାଁ ମୁଣ୍ଡ ଡେଇଁ ସାରିବାପରେ ଗ୍ରାମର ଶେଷ ସରନ୍ତିରେ ଥିବା କଇଁ ଫୁଲରେ ବିମଣ୍ଡିତ ପୁଷ୍କରିଣୀର ସୌନ୍ଦର୍ଯ୍ୟକୁ କରୁଅଛି ଦ୍ବିଗୁଣିତ । ଜାମୁଝୋଲା ଦଣ୍ଡାରେ ଆମ୍ବଗଛ ବଉଳର ସୌରଭରେ ପୋକସୁଙ୍ଗା ଗଛ ଆଢୁଆଳରେ ଦିଶୁଅଛି କଣ୍ଟାବଣିଆ ଶାସନ । କଣ୍ଟାବଣିଆ ଆଡକୁ ଗଡିଗଲା ବେଳକୁ ଦଣ୍ଡାର ଦୁଇ ପାର୍ଶ୍ଵରେ ମୁଗ ଏବଂ ଚଣା କିଆରୀ । ତଦ୍ ବ୍ୟତୀତ ଠାଏଁ ଠାଏଁ ଆମ୍ବଗଛ, ପଳାଶ ଗଛ, କୃଷ୍ଣଚୂଡା ଗଛ ଆଉ ଚାକୁଣ୍ଡା ଗଛ । ଏସବୁ ଗଛ ମଧ୍ୟରେ ପଲ୍ଲିମାଟିର ମମତା ବୋଳା ସୌରଭ ଦେହ ଓ ମନକୁ ସ୍ନିଗ୍ଧ କରୁଅଛି ।


ଗ୍ରାମର ପ୍ରାରମ୍ଭରେ ଗୋଟିଏ ଛୋଟିଆ ଚାଳଘର । ବାଉଁଶ କଣିକାରେ ପରିବେଷ୍ଟିତ ଘରଟିର ଚତୁଃପାର୍ଶ୍ଵ । ଚାଳ ଘରଟି ଉପରେ ମାଡିବସିଛି କେତେ ଗୁଡ଼ିଏ ପାଣି କଖାରୁ । ଶିମ୍ବ ଡଙ୍କ ଗୁଡିକ ଲମ୍ବି ଯାଇଛି ଚାଳିଆ ଉପରକୁ । ଚାଳ ଘରଟିର ଚତୁଃପାର୍ଶ୍ଵରେ ଭିନ୍ନ ଭିନ୍ନ ରକମର ଶାଗ ତଥା ସବୁଜ ପନିପରିବା । ଏକ ରକମର କହିବାକୁ ଗଲେ ସବୁଜିମାରେ ପରିପୂର୍ଣ୍ଣ ଚାଳିଆ ଘରଟି ।


ଘରର ପଶ୍ଚିମପଟ କୋଣରେ ନାଲି ନାଲି ଫୁଲରେ ପରିପୂର୍ଣ୍ଣ ପଳାଶଗଛ । ଉଦୟ ସୂର୍ଯ୍ୟର ଲାଲ କିରଣ ସାଙ୍ଗକୁ ପଳାଶଫୁଲର ଶୋଭା ବେଶ୍ ତାଜା କରିଦିଏ ମନ ଓ ହୃଦୟକୁ । ଲାଲ୍ ରଙ୍ଗର ଚଦରରେ ଘୋଡାଇ ହୋଇଛି ପ୍ରକୃତିରାଣୀ । ସୂର୍ଯ୍ୟୋଦୟ ସମୟରେ ରକ୍ତିମା ଆକାଶକୁ ଆହୁରି ମନୋରମ କରିଛି ଏହି ପଳାଶ ଫୁଲ । ଫୁଲରେ ମହକ ନାହିଁ କିନ୍ତୁ ସମସ୍ତଙ୍କ ମନକୁ କିଣିଥାଏ ଏହି ଫୁଲ ।


ଚୈତ୍ରମାସର ଖରା, ଖରାରେ ଶୁଖି ବହୁ ଗଛ ଥୁଣ୍ଟା ହୋଇଯାଇଥିବା ବେଳେ ପଳାଶ ଗଛ ପରିବେଶକୁ କରିଛି ରଙ୍ଗୀନ । ଏହି ମାସରେ ପଳାଶ ଗଛରେ ଫୁଲ ଧରିଥାଏ । ଏହି ଫୁଲର ମହକ ନାହିଁ ସତ କିନ୍ତୁ ସମସ୍ତ ପରିବେଶକୁ ରଙ୍ଗୀନ କରିଦିଏ ଏହି ଫୁଲ । ସତେକି ନାଲିରଙ୍ଗର ଚାଦର ଘୋଡାଇ ହୋଇଛି ପ୍ରକୃତିରାଣୀ । ମନୋରମ ଦିଶୁଛି ଚାଳିଆଟିର ପରିବେଶ । ଫୁଲକୁ କିଏ ବା ପସନ୍ଦ ନକରେ, କିନ୍ତୁ ବାସ୍ନା ନ ଥାଇବି ସମସ୍ତଙ୍କୁ ଆକର୍ଷିତ କରିଥାଏ ପଳାସ ଫୁଲ ।


କଥାରେ ସିନା ଅଛି "ପଳାଶକୁସୁମ ଦିଶେ କେତେ ମନୋହର, ବାସ ନଥାଇ ବୋଲି ପାଏନା ଆଦର" । କିନ୍ତୁ ଚୈତ୍ର ମାସରେ ଫୁଟୁଥିବା ଏହି ପଳାଶଫୁଲ ପରିବେଶକୁ ରଙ୍ଗିନ କରିଛି । କେବଳ ମଣିଷ ସମାଜ ନୁହେଁ । ପକ୍ଷୀକୁ ବି ଆକର୍ଷୀତ କରିଛି ଏହି ପଳାଶଫୁଲ । ସେଇଥିପାଇଁ ତ ପଳାଶଫୁଲ କୁ ସୁସ୍ୱାଦ ଭୋଜନ ଭାବେ ବାଛି ନେଇ ଗଛରେ ଡେରା ବାନ୍ଧିଛନ୍ତି ବିଭିନ୍ନ ପ୍ରଜାତିର ପକ୍ଷୀ । ଦିନେ କି ଦୁଇଦିନ ନୁହେଁ , ଚୈତ୍ର ମାସରୁ ବୈଶାଖ ମାସ ପର୍ଯ୍ୟନ୍ତ , ମାସାଧିକ କାଳ ଫୁଲ ସତେଜତା ରହୁଥିବାରୁ ଏହା ଦୀର୍ଘଦିନ ଧରି ଝଲସୁ ଥିବାବେଳେ ତାର ସୌନ୍ଦର୍ଯ୍ୟ ରେ ସମସ୍ତଙ୍କୁ ବାନ୍ଧିରଖେ ପଳାଶଫୁଲ ।


ପଳାଶ ଫୁଲରେ ରହିଛି ଅନେକ ଗୁଣ । କେହି କେହି ପଳାଶ ଫୁଲରୁ ଔଷଧ ପ୍ରସ୍ତୁତ କରୁଥିବା ବେଳେ ବିଶେଷ କରି ଚୈତ୍ର ମାସର ପ୍ରମୁଖ ମଙ୍ଗଳବାରେ ମାଙ୍କ ନିକଟରେ ଏହି ଫୁଲ ଲାଗି ନ ହେଲେ ସତେ ଯେମିତି ଅଟକି ଯାଏ ପୂଜା । ଦେବୀ ପୀଠରେ ପଳାଶ ଫୁଲ ଲାଗି ହେଲେ ଦେବୀ ସନ୍ତୁଷ୍ଟ ହୋଇଥାନ୍ତି ବୋଲି କେହି କେହି କହିଥାନ୍ତି ।


ପଳାଶ ଫୁଲ ସହିତ ଏହି ଚାଳିଆ ଘରଟି ସମସ୍ତଙ୍କୁ ଆକର୍ଷିତ କରେ । ଘରଟିରେ ଏକାକିନୀ ବ୍ରାହ୍ମଣୀ ବୃଦ୍ଧା ଚମ୍ପାଆଈ । ପଳାଶ ଫୁଲର ଯେମିତି ବାସନା ନାହିଁ ସେହିଭଳି ଚମ୍ପା ଆଈର ସାସାଂରିକ ଜଞାଳ ବୋଲି କିଛି ନାହିଁ । ଚମ୍ପା ଆଈର ବୁଢା ଚକରା ଅଜା କେଉଁ କାଳରୁ ଆର ପାରିକୁ ଚାଲିଗଲେଣି । ଘରକୁ ଲାଗି ପାଞ୍ଚ ଛଅ ମାଣ ଜମି । ତାକୁ ଚାଷବାସ କରି ଭାଗଭୁଗା ଦେଇ ସଂସାର ଚଳାଉ ଥାଏ ଚମ୍ପାଆଈ । ମାସକୁ ମାସ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ମିଳୁଥାଏ ।


କଣ୍ଟାବଣିଆ ଶାସନ ଗାଁରେ ରହୁଥାନ୍ତି ଚକରା ଅଜାଙ୍କ ସାନଭାଇ । ସାନଭାଇର ପୁଅ ମେଳିଆ ବେଳେ ବେଳେ ଆସି ଦେଠେଇର କଥା ବୁଝିଯାଏ । ଆଉ ଯାହା ଲୋଡାପଡେ ବଜାରରୁ କିଣି ଆଣିଦିଏ । ଘରକୁ ଲିପାପୋଛା କରି ସୁନ୍ଦର ଯତ୍ନ କରିଛି । କାରଣ ଆଜି ଚୈତ୍ର ମଙ୍ଗଳବାର ଠାକୁରାଣୀ ଗାଁ ବୁଲି ଭୋଗ ଖାଇବେ । ବାଡିପଟରୁ ଠାକୁରାଣୀଙ୍କର ପ୍ରିୟ ପଳାଶ ଫୁଲ ଆଣି ସଜାଡି ରଖିଛି ।


ଦାନଧର୍ମ କରିବାରେ କମ୍ ନୁହେଁ ଚମ୍ପା ଆଈ । କାର୍ତ୍ତିକ ମାସରେ ପୂଣ୍ୟ ଅର୍ଜନ କରିବାକୁ ଚାଲିଯାଏ ପୁରୀ । ଗାଁ ରେ ଦୋଳପୂର୍ଣ୍ଣମୀ ଯାଗ-ଯଜ୍ଞ, ଯାନି-ଯାତ୍ରା, ମେଳା-ମହୋତ୍ସବ, ପୂଣ୍ୟ-ପର୍ବରେ ଆଈ ଘରକୁ ଯିଏ ଆସନ୍ତି ଖାଲି ହାତରେ ଫେରନ୍ତି ନାହିଁ । ଆଈ ସମସ୍ତଙ୍କର ଆପଣାର । ଆଈ ଆପଣା ପର ନ ଭାବି ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖେ ।


ଗାଁ ର ବୁଢାବୁଢୀ ମାନେ କୁହନ୍ତି ଚମ୍ପାଟା ଗୋଟେ ପଳାଶଫୁଲ । ଯୁବତୀ ସମୟରେ ଦେଖିଲେ ଆଖି ଲାଖିଯାଏ। ଗୋଟିଏ ଚାଉଳରେ ଗଢ଼ା । ଚମ୍ପା ଫୁଲ ପରି ଗୋରା ତକତକ ଚେହେରା । ଓଠଟି ଇଷତ୍ ଗୋଲାପି ରଙ୍ଗ। ଚମ୍ପାର ଘର ପଛ ପଳାଶଫୁଲ ଦେଖିବା ବାହାନରେ ଚମ୍ପାକୁ ଦେଖି ଯାଆନ୍ତି । ଚକରା ଚମ୍ପାର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ବିବାହ କରିଥିଲା ।


ଚକରା ନିଜେ ସିନା ସବୁ କାମ କରେ କିନ୍ତୁ ଚମ୍ପାକୁ କୌଣସି କାମ କରେଇ ଦିଏ ନାହିଁ । ଚମ୍ପା ସଦାସର୍ବଦା ଡ୍ରେସିଙ୍ଗ ପେଣ୍ଟିଂ ହୋଇ ରହେ । ଚୈତ୍ର ମାସର ପଳାଶଫୁଲ ସଦୃଶ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ଥାଏ , ଏହି ଚାଳିଆ ଘରଟି । ଯିଏ ସେ ରାସ୍ତାରେ ଯାଉଥାଏ ପଳାଶଫୁଲ ଦେଖିବା ବାହାନରେ ଚମ୍ପାକୁ ଦେଖି ମନ ତୃପ୍ତି କରି ଯାଆନ୍ତି। କିଏ ଜାଣି ଥିଲା ଚମ୍ପାଟି ପଳାଶଫୁଲ । ଠାକୁରଙ୍କର ପଦ ସେବାରେ ସିନା ଫୁଲଟି ଯୋଗ୍ୟା ହେଲାନାହିଁ । କିନ୍ତୁ କିଏ କହିବ ଅଜାଙ୍କର ଦୋଷ ଥିଲା କି ଆଈର । ସେହି ଦୋଷରୁ ଭଗବାନ ତାଙ୍କ କୋଳରେ ଛୁଆଟିଏ ଦେଲେ ନାହିଁ । ଯିଏ କି ; ଆଜି ଆଈର ସାହାରା ହୋଇପାରିଥାନ୍ତା । ଚକରା ଅଜା ବେଳେ ବେଳେ ରାଗି ଆଈକୁ କୁହନ୍ତି ; ତୁ ଗୋଟିଏ ପଳାଶଫୁଲ । ଆଈ ନିଜକୁ ଧୀକ୍କାର ମଣେ । ନିଜକୁ ସୁନ୍ଦରୀ ବୋଲି ସିନା ଗର୍ବ କରେ କିନ୍ତୁ ଜନନୀ ନ ହୋଇ ଥିବାରୁ ହୁଏ ଅନୁତପ୍ତା ।


ଅଜା ଜୟ ଜେଜେମାନ କରି ଯାଆନ୍ତି । ହୋମ ଯାଗ ଯଜ୍ଞରୁ ଯାହା ଆଣନ୍ତି ଦୁଇ ପ୍ରାଣୀ ଚଳିବା ସଙ୍ଗେ ସଙ୍ଗେ ସମ୍ପର୍କୀୟ ମାନଙ୍କୁ ମଧ୍ଯ ବାଣ୍ଟନ୍ତି । ଅଜା ଗାଁ ମଝି ଚାନ୍ଦିନୀରେ ବସି ତାସ୍ ଖେଳନ୍ତି । ବେଳେ ବେଳେ ନାତି ନାତୁଣୀକୁ ନେଇ ମଧ୍ୟ ଅଜାଆଈ ଖେଳରେ ବସି ପଡନ୍ତି । ଗାଁ ରେ ଅଜାଆଈଙ୍କୁ ସମସ୍ତେ ଭଲ ପାଆନ୍ତି । 


ମାଟିମାଆ ଉପରେ ଯେପରି ବିଛାଇ ଦିଏ ପଳାଶ ଗଛ ଫୁଲର ଅପୂର୍ବ ଗାଲିଚା । ସେମିତି ସ୍ନେହ ଶ୍ରଦ୍ଧା ଆଦରରେ ସମସ୍ତଙ୍କୁ ବାନ୍ଧିରଖିଥାଏ ଚମ୍ପା ଆଈ । ସ୍ମୃତିର ସନ୍ତକ ଏହି ପଳାଶ ଗଛ । କାଳର କବଳରେ କବଳାୟିତ ଚମ୍ପାଆଈ । ଚମ୍ପା ଆଈ କଥା ଭାବି ଅଲକ୍ଷ୍ୟରେ କେତେବେଳେ ବହିଯାଇଛି ଆଖିରୁ ଦୁଇ ବୁନ୍ଦା ଲୁହ।


ଚାଳିଆ ଘରଟିରେ ବହୁଦିନ ହେଲା ଲୋକ ରହୁ ନ ଥିବାରୁ ଉଈ ଲାଗି ଓରା ସେଣୀ ଗୁଡିକ ଖସିବାରେ ଲାଗିଲାଣି । ଛପର ଏବଂ ଚତୁଃପାର୍ଶ୍ଵ ଯତ୍ନ ଅଭାବରୁ ଘର ବାଡଟି ନଷ୍ଟ ହେବାରେ ଲାଗିଲାଣି । ବାଡିପଟରେ ଥିବା ପଳାଶ ଗଛ ଫୁଲ ମାଟି ମାଆ ଉପରେ ଚଦର ସୃଷ୍ଟି କରୁଅଛି କିନ୍ତୁ ସେତେବେଳେ ପରି ଆଉ ଆକର୍ଷଣର କେନ୍ଦ୍ରବିନ୍ଦୁ ନାହିଁ । ସତରେ ଏମିତି ସଂସାରରେ କେତେଜଣ ଚମ୍ପା ଆଈ ପରି ଅଛନ୍ତି... କିଏ ସୁନ୍ଦରତା ଦେଖୁଛନ୍ତି ସିନା କିନ୍ତୁ ଗୁଣକୁ ଦେଖୁନାହାଁନ୍ତି । ପଳାଶ ଗଛରେ ଫୁଲ ଫୁଟୁଛି ଝଡୁଛି କିନ୍ତୁ ଆଉ ସେ ଫୁଲକୁ ଯତ୍ନ କରୁଥିବା ନିଜକୁ ସାମିଲ କରୁଥିବା ବ୍ଯକ୍ତିତ୍ବ ନାହିଁ....।


Rate this content
Log in

Similar oriya story from Tragedy