ଚକଲେଟ୍
ଚକଲେଟ୍
ମୁଁ ଯେତେବେଳେ ଛୋଟ ଥିଲି, ଆମ ଘର ପାଖରେ ରହୁଥିଲେ ଜଣେ ବ୍ୟକ୍ତି | ଯାହାକୁ ମୁଁ ଡାକୁଥିଲି "ମଉସା" | ମଉସା ଡାକିବାର କାରଣ କିଛି ଅଲଗା ଥିଲା | ମଉସାଙ୍କ ବୟସ ପଚାଶବର୍ଷ ଉପରେ ହେବ | ଯେହେତୁ ବାପା, ମାମା ତାଙ୍କୁ ମଉସା ବୋଲି ସମ୍ବୋଧନ କରୁଥିଲେ, ମୁଁ ଵି ଶୁଣି ଶୁଣି ମଉସା ହିଁ ଡାକୁଥିଲି | ଅନେକ ବାରଣ ସତ୍ୱେ ସେଇ ମଉସା ଡାକଟା ହିଁ ରହିଗଲା | ମଉସାଙ୍କ ନାଁ ଥିଲା ପ୍ରଣକୃଷ୍ଣ | ଜଣେ ସରକାରୀ ଅବସର ପ୍ରାପ୍ତ ଅଧିକାରୀ | ତାଙ୍କ ସ୍ତ୍ରୀ ମାଳତୀ, ଯିଏ ମୋ ପାଇଁ ମନ ପସନ୍ଦର କିଛିନା କିଛି ଖାଦ୍ୟ ତିଆରି କରୁଥିଲେ | ମୁଁ ମଉସା ଙ୍କ ଘରକୁ ସେବେଠାରୁ ଯିବା ଆରମ୍ଭ କରିଥିଲି, ଯେବେଠାରୁ ମୋ ମନେ ରଖିବାର ଶକ୍ତି ହୋଇଥିଲା | ମୋର ଠିକ୍ ମନେ ଅଛି ଏକଦା ପ୍ରତ୍ୟେହ ଦିନ ଭଳି ସେଦିନ ମଉସା ହାଟରୁ ଫେରିଲା ବେଳେ ମୋ ପାଇଁ ଚକଲେଟ ଆଣିବାକୁ ଭୁଲି ଯାଇଥିଲେ | ମୁଁ ଏପରି କାନ୍ଦିଲି ଯେ ମାଉସୀ ଵି କାନ୍ଦି ପକାଇ କହିଲେ" କିପରି ଛୁଆଟିକୁ ଭୁଲି ଗଲ ଘରକୁ ଆସିବା ଦରକାର ନାହିଁ ଯାଆ ଆଉ ଥରେ ହାଟକୁ ତା ପାଇଁ ଚକଲେଟ ନେଇକି ଆସିବ " | ମଉସା ଯେପରି ନିଜକୁ ଦୋଷୀ ଭାବି, ନିଜକୁ କେତେକଣ କହି ସାଇକେଲ ଚଢି, ଖରାରେ ପୁଣି ଥରେ ଯାଇଥିଲେ ମୋ ପାଇଁ ଚକଲେଟ ଆଣିବାକୁ | ଏପରି ଅନେକ କିଛି ସ୍ମୁତି ସାଇତି ହୋଇଛି ମଉସା ମାଉସୀଙ୍କୁ ନେଇ ମୋ ମାନସ ପଟରେ | ମୋ ବୟସ ଆସି ଷୋଳବର୍ଷ ହେଲାଣି | କିନ୍ତୁ ସେମାନଙ୍କ ବ୍ୟବହାର ମୋ ପ୍ରତି ସେମିତି ଅଛି | ଅବଶ୍ୟ ବୟସର ଭାର ତାଙ୍କୁ ତଳକୁ ଦାବି ଦେଲାଣି | ଅଧୁନା ତଫାତ ଏତିକି ସେମାନଙ୍କ ପାଇଁ ମୁଁ କେତେବେଳେ କିମିତି ଚକଲେଟ ନେଇ ଆସୁଛି | ମଉସା ମାଉସୀ ଏକା ନଥିଲେ ତାଙ୍କର ଗୋଟେ ପୁଅ ଥିଲା | ହଁ ଥିଲା କହିଲେ କିଛି ଭୁଲ ହେବନି | ମୁଁ କେବଳ ତାକୁ ଫୋଟୋରେ ହିଁ ଦେଖିଥିଲି | ଅନେକ ଫୋଟୋ କାନ୍ଥରେ ଝୁଲୁଥିଲା | ମଉସା ମାଉସୀ ପୁଅକୁ ମଝିରେ ବସାଇ ଅନେକ ଫୋଟୋ ଉଠାଇ ଥିଲେ | ମାଉସୀ ନିଜ ଶାଢ଼ୀକାନିରେ ସେ ଫୋଟୋ କୁ ନୀତି ସଫା କରିବା ମୁଁ ନିଜ ଆଖିରେ ଦେଖିଛି |ପଢ଼ାରେ ବେସ୍ ଆଗୁଆ | ବାହାରେ ରହି ପଡିବା, ଚାକିରୀ କରିବା ଓ ନିଜ ପସନ୍ଦରେ ଝିଅଟିଏ ବାଛି ତାକୁ ଜୀବନ ସାଥି କରିବା ଏଥିରେ କିଛିଵି ଭୁଲ ନଥିଲା, କିନ୍ତୁ ଭୁଲ ଥିଲା ଯେଉଁ ବାପା ମାଆ ଏତେ କଷ୍ଟ କରି ଯେଉଁ ଉଞ୍ଚାରେ ପୁଅ କୁ ଛାଡିଛନ୍ତି | ସେ ଉଞ୍ଚରେ ଠିଆ ହୋଇ ତଳକୁ ଅନାଇବାକୁ ପୁଅକୁ କଷ୍ଟ ହେଉଥିଲା | ବାପା ମାଆ ତ ପୁଅର ଭବିଷ୍ୟତ ଗଢିବାରେ ଏତେ ତଳକୁ ଚାଲିଯାଇଥିଲେ ଯେ ପୁଅ ତାଙ୍କୁ ଦେଖିଵାକୁ ବେକ ବଙ୍କା କରିବାକୁ ପଡିଥାନ୍ତା | ମଉସା ମାଉସୀ କିପରି ମୋ ଠାରୁ କେହି ବେଶି ହୃଦୟଙ୍ଗମ କରି ନଥିଲେ | ପୁଅ ତାଙ୍କ ପାଖକୁ ଆସୁନି, କଥା ହଉନି, କି ପଚାରୁନି ଏଥିପାଇଁ ତିଳେମାତ୍ର ଦୁଃଖ ନଥିଲା | ଯାହାକୁ ଜୀବନ ଠାରୁ ଅଧିକ ଭଲପାନ୍ତି ତା ଖୁସି ପାଇଁ ସବୁ କିଛି ତ୍ୟାଗ କରିବାକୁ ଇଚ୍ଛା ହୁଏ, ନିଜର ଖୁସି, ନିଜର ସ୍ୱାର୍ଥ, ନିଜର ବିବେକ ସବୁ କିଛି | ଅଥଚ୍ ଏହାକୁ କୁହାଯାଏ ଦୃର୍ବଳତା | କିଏ ବୁଝିବ ତା ମନର ଏ ଦୃର୍ବଳତା ନୁହେଁ ବରଂ ଗଭୀର ଭଲ ପାଇବା | ସେଦିନ ମୋ ବୋଉର ଡାକରେ ନିଦ ଭାଙ୍ଗିଗଲା | ବୋଉ କଣ କହିବାକୁ ଚାହୁଁଥିଲା କହି ପାରୁ ନାଥାଏ | ଯୋର ଯୋର ନିଃଶ୍ୱାସ ନେଇ ବସି ପଡିଥିଲା ମୋ ପଖରେ | ମୁଁ ତା ପିଠି ଆଉଁଷି ଦେଇ ପାଣି ଗ୍ଳାସଟା ବଢ଼େଇ ଦେଲି | ସେ ମୋ ହାତରୁ ଗ୍ଲାସଟା ନେଇ ସେପଟକୁ ଥୋଇଦେଲା | ନିଜ ହାତର ଆଙ୍ଗୁଠିକୁ ଦେଖାଇ ଇସାରା କଲା ମଉସାଙ୍କ ଘର ଆଡକୁ | ମୁଁ ବୁଝିଗଲି ସମସ୍ୟା ଆମଘରେ ନୁହେଁ ମଉସାଙ୍କର ହୋଇଛି | ମୁଁ କୁଦା ମାରି ଦୌଡ଼ିଗଲି | କଲୋନୀର ଅନେକ ଲୋକଗଦା ହୋଉ ସାରିଥିଲେ | ମୁଁ ଭିତରକୁ ପ୍ରବେଶ କଲି | ଘର ଚଟାଣ ରକ୍ତରେ ଭିଜିଥିଲା | ଯୁବକ ଜଣେ ତଳକୁ ମୁହଁ କରି ପଡିଥାରେ | ବୋଧେ ହୁଏ ତାର ମୃତୁ ହୋଇ ସାରିଛି | ସେ କିଏ ଜାଣିବା ପୂର୍ବରୁ ମୁଁ ମୋ ମଉସା, ମାଉସୀ ଙ୍କୁ ଖୋଜୁଥିଲି | ମଉସା ଗୁମ୍ ମାରି ବସିଥିଲେ ସୋଫାରେ ଓ ମାଉସୀ ଯେପରି ସ୍ଥାଣୁ ପାଲଟି ଯାଇଥିଲେ | ମୁଁ ଦୌଡ଼ି ଗଲି "କଣ ହୋଇଛି, କିଏ ସେ, କିପରି ହେଲା "| ମୁଁ ଅନେକ ପ୍ରଶ୍ନ ପଚାରୁ ଥାଏ | ମୋ ଏତେ ଗୁଡିଏ ପ୍ରଶ୍ନର ଗୋଟେ ଵି ଉତ୍ତର ଏଯାବତ ମିଳିନଥିଲା, ଏହା ପ୍ରଥମ ଥିଲା ମୋ ପାଇଁ | ମୁଁ ଯୋର କରି ମଉସା ମାଉସୀଙ୍କୁ ହଲାଇ ଦେଲି | ସେ ଯେପରି ଚମିକ୍ ପଡିଲେ | ମୁଁ ଆଶ୍ଵସନା ଦେଲି "କିଛି ଆସୁବିଧା ନାହିଁ, ଵ୍ୟସ୍ତ ହୁଏନି କଣ ହୋଇଛି କୁହ? | ମୁଁ ଅଛି ଡରିବାର ନାହିଁ | ଯାହା ଵି ହୋଇଥିବ ସାଙ୍ଗହୋଇ ସମେସ୍ତେ ମିଶି ସମସ୍ୟାକୁ ସମାଧାନ କରିବା କୁହ କଣ ହୋଇଛି? " | ମଉସା ମତେ ଠାରିକି ପାଣି ମାଗିଲେ ମୁଁ ଦୌଡ଼ି ଯାଇ ପାଣି ଆଣି ଦେଲି | ମଉସା ଢକ ଢକ କି ସବୁ ତକ ପାଣି ପିଇ ଦେଲେ | ଛୋଟ ପିଲାଟି ଭଳି ଭେଁ ଭେଁ ହୋଇ କାନ୍ଦି ଉଠିଲେ | ମୁଁ ବୋଧ କରିବାକୁ ସମୟ ଲାଗିଲା | ସେ ଚୁପ ହେଲେ ଓ ଦୀର୍ଘ ନିଃଶ୍ୱାସ ନେଇ କହିଲେ " କିଛି ଦିନ ହେବ ଜିତୁ ତାଙ୍କ ପୁଅ ଚାପ ପକାଉ ଥିଲା ଏ ଘର ବିକି ତାକୁ ଟଙ୍କା ଦେବାକୁ | ହେଲେ ମାଉସୀ ଓ ମୋର ଏ ଘର ପ୍ରତି ଯେଉଁ ପ୍ରେମ ଓ ଶ୍ରଦ୍ଧା ଅଛି ତାକୁ କିପରି ଜଳାଞ୍ଜଳି ଦେଇ ଦେଇଥାନ୍ତୁ | ମୁଁ ତାକୁ ପଚାରି ଥିଲି ତୋର କେତେ ଟଙ୍କା ଦରକାର କହ ମୁଁ ଦେବି | ସେ କହିଥିଲା ପଚାଶ ଲକ୍ଷ୍ୟ ପାଇଁ | ମୁଁ ଭାବିଥିଲି ମାଉସୀର କିଛି ସୁନା ବ୍ୟାଙ୍କରେ ବନ୍ଧକ ଦେଇ ଋଣ ଆଣିବି | ଆଉ କିଛି ଜମି ଯାହା ଗାଆଁ ରେ ଥିଲା ବିକି ଦେବି | ଏଥିପାଇଁ ସମୟ ଦରକାର ଥିଲା | କାଲି ହଟାତ୍ ଜିତୁ ରାତିରେ ଘରକୁ ପଶି ଆସିଲା | ସେ ଏ ସହରକୁ ଦୁଇ ସପ୍ତାହ ପୂର୍ବରୁ ଆସିଥିଲେବି କେଉଁ ଦାମୀ ହୋଟେଲ୍ ରେ ରହୁଥିଲା ନିଜ ସ୍ତ୍ରୀ ସହିତ | କାଲି ସେ ଟଙ୍କା ନେବାକୁ ଆସିଥିଲା ବିନା ସୂଚନାରେ | ମୁଁ ଆକସ୍ମିକ ଏତେ ଟଙ୍କା କେଉଁଠୁ ଆଣିବି ବୋଲି କହିଥିଲି | ଆଉ ଗୋଟେ ସପ୍ତାହ ଭିତରେ ଟଙ୍କା ଆସିଯିବ ବୋଲି ଜଣାଇଲି | ସେ ଉତ୍ତକ୍ତ ହୋଇ ଉଠିଲା | ଏ ଘରକୁ ବିକି ଦେଇଥିଲେ କେବେ ଠାରୁ ଟଙ୍କା ଆସି ସାରନ୍ତାଣି ବୋଲି କହିଲା | ତା କଥା ଶୁଣି ମୋ ମନରେ ରାଗ ଆସିଲା, ମୁଁ ଖାଲି ଏତିକି କହିଲି " ତୁ ଖାଲି ତତେ ଦେଖୁଛି | କେବେ ଭାବିଛୁ ତୋର ବାପା, ମାଆ ଅଛନ୍ତି ବୋଲି | ଏତେ ସ୍ୱର୍ଥ ପର ଭଲ ନୁହେଁ | ତୋର ଯଦି ଟଙ୍କା ଦରକାର ତାହେଲେ ନିଜେ କେଉଁଠୁ ବ୍ୟବସ୍ଥାକର | ଆମକୁ କାହିଁକି ହଇରାଣ କରୁଛୁ " | ମୋ କଥା ସାରିଛି କି ନାହିଁ, ସେ କ୍ରୋଧରେ ମୋ ତଣ୍ଟିକୁ ଭିଡି ଧରିଲା | କହୁଥାଏ " ଯେ ପର୍ଯ୍ୟନ୍ତ ତମେ ବଂଚିଛ, ମୁଁ କିଛିବି କରିପାରିବିନି " |
ମୋ ନିଃଶ୍ୱାସ ବନ୍ଦ ହୋଇ ଆସୁଥାଏ | ମୁଁ ହାତରେ ତାକୁ ହଟାଇବାକୁ ଚେଷ୍ଟା କରୁଥାଏ | କିନ୍ତୁ ତା ଉପରେ ଭୂତ ସବାର ଥିଲା | ମାଉସୀ ଏହା ଦେଖି ଘବରେଇ ଯାଇଥିଲା | ଟିକେ ପୂର୍ବରୁ ତା ପାଇଁ ବୁଣିଥିବା ସୋଇଟର୍ ସ୍କୃ ତା ହାତରେ ଥିଲା | ମତେ ବଞ୍ଚାଇବା ପାଇଁ ସେ ସ୍କୃ ତା ବେକରେ ଆଘାତ କଲା | ଜିତୁ ଆଁ କହି ମତେ ଛାଡି ତଳେ ଗଡି ପଡିଲା | ସ୍କୃ ଟି ବେକର ଏପଟ ସେପଟ ହୋଇ ଯାଇଥିଲା | କିଛି ବୁଦ୍ଧି ବାଟ ନପାଇଁ ତାକୁ ବଞ୍ଚାଇବାକୁ ସ୍କୃ କୁ ତା ବୋଉ ପୁନଃ କାଢ଼ି ଆଣିଲା | ସ୍କୃ ନ କାଢ଼ି ଥିଲେ ହୁଏତ ସେ ବଞ୍ଚି ଯାଇଥାନ୍ତା | ସଙ୍ଗେ ସଙ୍ଗେ ଆମ ଆଖି ଆଗରେ ଜିତୁ ସ୍ଥିର ହୋଇଗଲା | ମଉସା ଙ୍କ କଥାରେ ମୋ ତଣ୍ଟି ଅଠା ହୋଇ ଯାଉଥାଏ | କଣ ଠିକ୍ କଣ ଭୁଲ ବୁଝିବାକୁ ସମୟ ନଥିଲା | ଏଭଳି ଗୁଳାଙ୍ଗାର ପୁଅ ପାଇଁ ମୋ ମନରେ ଟିକେ ହେଲେ ଦରଦ ନଥିଲା, କେବଳ ଦରଦ ଥିଲା ସେ ଦୁଇଜଣକ ପାଇଁ, ଯାହାକୁ ମୁଁ ଚିହ୍ନି ଥିଲି ଜାଣିଥିଲି ସେ କଣ ବୋଲି? | ମଉସା ମୋ ହାତ ଧରି କହିଥିଲେ ସବୁ ଅପରାଧର ଦଣ୍ଡ ଅଛି କିନ୍ତୁ ତୋ ମାଉସୀର ସ୍ୱସ୍ଥ୍ୟ କଛି ଠିକ୍ ନାହିଁ | ମଧୁମେହ ସହିତ ଉଞ୍ଚରକ୍ତଚାପ ବିଚାରି ବଂଚିବନି | ମୁଁ ଏସବୁ ନିଜ ମୁଣ୍ଡକୁ ନେବାକୁ ଚାହୁଁଛି ମୋ ଅବସ୍ଥା କିଛି ଭଲ ନଥିଲା | ମଉସା ଗିରଫ ହୋଇ ସାରିଥିଲେ | ନିଜର ଟି ଅର ପି ବଢାଇବା ପାଇଁ ନିୟୁଜ ଚାନେଲ୍ ମଉସାଙ୍କ ଉପରେ କରୁଥିବା କଟାକ୍ଷ ମତେ ଗୋଡ଼ାଇ ଖାଉଥିଲା | ମୋ ଅବସ୍ଥା ଦେଖି ବାପା କି ମାମା ଚୁପ ବସିନଥିଲେ | ଅଠଦିନ ପରେ ମାମା ମୋ ମୁଣ୍ଡକୁ ଆଉଁଷି ଆଣି କହିଥିଲା " ସବୁ ଠିକ୍ ହୋଇଯିବ, ତୁ ଵ୍ୟସ୍ତ ହନି | ଅଠ ଦିନ ହେଲାଣି ତୁ ଗାଧେଇନୁ | ଯାଆ ନିଜର ଯତ୍ନ ନେ | ଆମେ ଠିକ୍ ରହିଲେ ସିନା ଲଢ଼ିବା "| ମାମା ର ସେ କଥାରେ କଣ ଥିଲା କେଜାଣି ତାକୁ କୁଣ୍ଢାଇ ଧରି ଭୋ ଭୋ ହୋଇ କାନ୍ଦିଥିଲି | ମାଉସୀ ଆମ ଘରେ ଥିଲେ ବିଲକୁଲ ନିର୍ବାକ | ବାପା ନିଜର ଅର୍ଥ ଓ ସାମର୍ଥ ସବୁ କିଛି ଲଗାଇ ଦେଲେ | ମଉସା ମାଉସୀ ନା ଥିଲେ ବାପାଙ୍କର ରକ୍ତ ସମ୍ପର୍କୀୟ ନା ଥିଲେ ଦୂରସମ୍ପର୍କୀୟ କେବଳ ଥିଲେ ତାଙ୍କ ପୁଅର ଅତି ପ୍ରିୟ ମଉସା ଓ ମାଉସୀ | ସମ୍ବିଧାନର ଧରା ୯୬ ଠାରୁ ଧରା ୧0୬ ଧରା ଅନୁସାରେ ନିଜର ସୁରକ୍ଷା ପାଇଁ ଅଥବା ନିଜର ପତ୍ନୀଙ୍କ ସୁରକ୍ଷା ପାଇଁ ହୋଇଥିବା ହତ୍ୟାକାଣ୍ଡକୁ ଆତ୍ମରକ୍ଷାରେ ସାମିଲ କରାଯାଏ | ଯାହା ପାଇଁ ମଉସାଙ୍କୁ ତିନି ବର୍ଷ ଜେଲେଦଣ୍ଡ ହେଲା | ମାଉସୀଙ୍କୁ ମୁଁ ମଝିରେ ମଝିରେ ମଉସାଙ୍କୁ ଦେଖା କରିବାକୁ ନେଇଯାଉଛି | ଆଉ ଛଅମାସ ପରେ ମଉସା ମୁକ୍ତ ହୋଇ ଫେରି ଆସିବେ | ବେଳେ ବେଳେ ସମର୍କର ବନ୍ଧନ ଅଦ୍ଭୁତ ହୋଇଥାଏ | ଯେଉଁଠାରେ ରକ୍ତ ସମ୍ପର୍କଵି ଫିକା ଲାଗେ | ବନ୍ଧନ ତ ଅନେକ ଥାଏ କିନ୍ତୁ ଯେଉଁ ବନ୍ଧନ ପାଇଁ ମଣିଷ ପର୍ବତ ଲଙ୍ଘିବା ପାଇଁ ପ୍ରସ୍ତୁତ ହୋଇଯାଏ ତାହା କେବଳ ହୃଦୟର ବନ୍ଧନ ହିଁ ହୋଇଥାଏ |
