STORYMIRROR

Papu parida

Tragedy

3  

Papu parida

Tragedy

ଚିକେନ୍ ବିରିୟାନି

ଚିକେନ୍ ବିରିୟାନି

2 mins
223


   ଅବସର ପରେ ପ୍ରତିଦିନ ସନ୍ଧ୍ୟାରେ ପରିବା ନେଇ ଆସିଲା ବେଳେ ପାଖ ପାର୍କରେ କିଛି ସମୟ ସାଙ୍ଗ ସାଥୀଙ୍କ ସହ ବିତେଇ ଦିଅନ୍ତି ଶୁଶାନ୍ତ ବାବୁ। ସବୁବେଳେ ହସ ହସ ମୁହଁ ଓ ପ୍ରସନ୍ନତା ଠାଣି। ବୋଧହୁଏ ସେଇଥିପାଇଁ ତ ସମସ୍ତେ ତାଙ୍କୁ ଭଲ ପାଆନ୍ତି। ପାର୍କରେ ସବୁଦିନ ଭିନ୍ନ ଭିନ୍ନ ବିଷୟରେ ଆଲୋଚନା ହୁଏ। ଆଜିର ବିଷୟ ବସ୍ତୁ ଅବସର ପରେ ଜୀବନ।


   କେହି କହିଲେ ମୁଁ ଅବସର ପରେ ଆମ ବାଡ଼ିରେ ଗୋଟିଏ ବଗିଚା କରି ତାହାର ଯତ୍ନ ନେଉଛି, କେହି କହିଲେ ମୁଁ ଛୋଟିଆ ଦୋକାନଟେ କରିଛି ଯେହେତୁ ମୋ ପିଲାମାନେ ଆଉ ମୋ ପାଖକୁ ଆସୁନାହାନ୍ତି, କେହି କହନ୍ତି ମୁଁ ଘରେ ହିଁ ରହୁଛି ଯାହା ମିଳେ ଖାଉଛି। କେହି ନିଜ ଦୁଃଖ ତ କେହି ନିଜର ଛୋଟ ଛୋଟ ଖୁସି ବିଷୟରେ କହି ଚାଲିଲେ।


   ଏବେ ପାଳି ଶୁଶାନ୍ତ ବାବୁଙ୍କର.........


  " ଆରେ! ମୁଁ ମୋ ଜୀବନରେ ବହୁତ ଖୁସି। ମୋ ପୁଅ ପ୍ରତିଦିନ ମୋ ସ୍ୱାସ୍ଥ୍ୟ କଥା ପଚାରି ବୁଝେ। ମୋ ବୋହୁ ମୋର ମୋ ଗୋଡ଼ ହାତ ଚିପି ଦିଏ, ମୋ ପସନ୍ଦର ଦରବ ମଧ୍ୟ ବନେଇଦିଏ। କେବେ କ୍ଷୀରି ତ କେବେ କାକରା ଆଉ ପ୍ରତି ରବିବାରରେ ମୋ ସବୁଠୁ ପସନ୍ଦ 'ଚିକେନ୍ ବିରିୟାନି'। ହେଉ ମୋ ନାତିର ଟ୍ୟୁସନରୁ ଫେରିବା ସମୟ ହୋଇଗଲାଣି ମୁଁ ଆସୁଛି।"


   ତରବରରେ ଗଲାବେଳେ ଶୁଶାନ୍ତ ବାବୁ ନିଜ ପର୍ସଟି ଛାଡ଼ିଦେଇ ଯାଇଥିଲେ। ତାକୁ ଫେରେଇବା ପାଇଁ ଓ ଶୁଶାନ୍ତ ବାବୁଙ୍କ ପୁଅ ବୋହୁଙ୍କ ସହ ଟିକେ କଥା ହେବା ପାଇଁ ବୃଦ୍ଧ ଦଳ ଶୁଶାନ୍ତ ବାବୁଙ୍କ ଘରକୁ ଗଲେ। ଶୁଶାନ୍ତ ବାବୁଙ୍କ ଘର ପାଖରେ ପହଞ୍ଚି ଶୁଣିଲେ.......

   

   " ବୁଢ଼ା ଆଜି ଦୁଇ ଶହ ଟଙ୍କା ପକେଇ ଆସିଛି। ଟଙ୍କା କଣ ଗଛରେ ଫଳୁଛି ନା କଣ? ସତ କହ ବୁଢ଼ା ପକେଇ ଦେଇଛୁ ନା କେଉଁଠି ଖର୍ଚ୍ଚ କରିଦେଉଛି।(ଦୁମ ଦାମ ଠାଏ ଠାଏ କେହି ଜଣ ପଡି ଯିବାର ଶବ୍ଦ)। ନେ ଏ ମୁଢି ଖା ନହେଲେ ମରେ।" 

   କବାଟ ଫାଙ୍କରୁ ବୃଦ୍ଧ ଦଳ ଦେଖିଲେ ଶୁଶାନ୍ତ ବାବୁ ତଳେ ପଡିଛନ୍ତି ଆଉ ତରବର ଭାବେ ନିଜ 'ଚିକେନ ବିରିୟାନି'... ଅରେ ନାହିଁ ଶୁଖିଲା ମୁଢ଼ିକୁ ଖାଇଯାଉଛନ୍ତି ସତେ ଯେପରି କାହିଁ କେଉଁ ଦିନରୁ ଖାଇ ନାହାନ୍ତି।

   

   କିଛି ଦିନ ଯାଏଁ ସୁଶାନ୍ତ ବାବୁ ଆଉ ପାର୍କକୁ ଆସିଲେ ନାହିଁ। ବୃଦ୍ଧମାନେ ତଦନ୍ତ କରି ଜାଣିବାକୁ ପାଇଲେ ସେ ଆତ୍ମହତ୍ୟା କରିଦେଇଛନ୍ତି। ସବୁଦିନେ ଅନ୍ୟକୁ ଧୈର୍ଯ୍ୟ ଓ ସାହସର ବାର୍ତ୍ତା ବାଣ୍ଟୁ ଥିବା ଶୁଶାନ୍ତ ବାବୁ ଏପରି ଏକ ଦୁର୍ବଳ ନିଷ୍ପତ୍ତି କିପରି ନେଇପାରିଲେ। ବୋଧହୁଏ ତାଙ୍କୁ ସେତିକି ' ଚିକେନ୍ ବିରିୟାନି ' ବି ଆଉ ମିଳିନଥିବ। 

  

   ସମସ୍ତେ ନିଜ ନିଜ ଆଗାମୀ ଭବିଷ୍ୟ କଥା ଭାବି ଚିନ୍ତାମଗ୍ନ......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy